Unknown

 

 

 

 

 

 

 

 

 

 

 

ଜଙ୍ଗଲ ଭିତରୁ ରାସ୍ତା

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

—ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କୁ,

ତାଙ୍କରି ପୁରୋଦୃଷ୍ଟି ସହିତ ଏକଦା

ସଂଗଠିତ ‘ଭୂ–ସତ୍ୟାଗ୍ରହୀ ସମାଜ’ର

ସ୍ମୃତିରେ—

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

ଏତେ ଏତେଙ୍କର ଆଜ୍ଞା

୨.

ଦ୍ଵିତୀୟ ଅଧ୍ୟାୟ

ଜଙ୍ଗଲ ଭିତରକୁ ରାସ୍ତା

୩.

ତୃତୀୟ ଅଧ୍ୟାୟ

ଲୋକମୁକ୍ତିର ଦୁଇଟି ଆନ୍ଦୋଳନ,-ଓଡ଼ିଶାରେ

୪.

ଚତୁର୍ଥ ଅଧ୍ୟାୟ

ହିଂସା ଓ ଅହିଂସା,-ନୀତି ଅନୀତିର ଦ୍ଵନ୍ଦ୍ଵ

୫.

ପଞ୍ଚମ ଅଧ୍ୟାୟ

ଜଙ୍ଗଲ ଭିତରୁ ରାସ୍ତା

 

ପରିଶିଷ୍ଟ (୧)

 

 

ପରିଶିଷ୍ଟ (୨)

 

Image

 

ପ୍ରଥମ ଅଧ୍ୟାୟ

ଏତେ ଏତେଙ୍କର ଆଜ୍ଞା

 

ଏକାବେଳେକେ ଏବେ ଏହି ସେପ୍‌ଟେମ୍ବର (୨୦୦୮) ମାସରେ ତାଙ୍କଠାରୁ ଯେଉଁ ଚିଠି ପାଇଛି, ସେଇଟିର ମୁଖ୍ୟାଂଶ ଏହିପରି :

 

ବନବାସୀ ସେବା ସମିତି

ବାଲିଗୁଡ଼ା

ଜି. କନ୍ଧମାଳ

୧୯ । ୯ । ୦୮

 

ନମସ୍କାର ଚିତ୍ତଭାଇ

 

ବହୁତଦିନ ପରେ ଆପଣଙ୍କ ଖବର ଆଜି ଜାଣି ବିଶେଷ ଖୁସୀ ହେଲି । ମୁଁ ବର୍ତ୍ତମାନ ବାର୍ଦ୍ଧକ୍ୟ ରୋଗରେ କଷ୍ଟ ପାଉଛି । ମଝି ମଝିରେ କୁଜେନ୍ଦ୍ରୀ ଯାଇ ୨/୪ ଦିନ ରହି ଫେରୁଛି । ଆପଣଙ୍କ ଲେଖା ‘ପ୍ରଗତୀବାଦୀ’ରୁ ପ୍ରତି ସୋମବାର ସଂଖ୍ୟାରେ ଯାହା ବାହାରୁଛି, ମୋ’ର ମୋଟା ବୁଦ୍ଧିରେ କିଛି ପଢ଼ୁଛି ଏବଂ ଅନ୍ୟଦ୍ଵାରା ମଧ୍ୟ ପଢ଼ାଉଛି ।

 

ଆପଣ ପରିବାର ସହ ସୁସ୍ଥ ଅଛନ୍ତି ବୋଲି ଖବର ପାଇ ବିଶେଷ ଖୁସୀ ହେଲି । ଈଶ୍ଵର ଆପଣଙ୍କୁ ଶତାୟୁ ରଖନ୍ତୁ, ଏହା ମୋ’ର ଈଶ୍ଵରଙ୍କଠାରେ ପ୍ରାର୍ଥନା । ଆପଣଙ୍କ ପୁଅ ବୋହୂ ଆମେରିକାରେ ଅଛନ୍ତି ଜାଣି ବିଶେଷ ଖୁସୀ ହେଲି । ପୁଅ ଛୋଟ ଥିଲାବେଳେ ଆପଣଙ୍କ ବାପୁଜୀ ନଗର ବସାରେ ଦୁଇଥର ଖଣ୍ଡେ ଦେଖିଛି । ସେମାନେ ସୁସ୍ଥ ରହନ୍ତୁ । ଶତାୟୁ ରହନ୍ତୁ । ଆପଣଙ୍କ ସହିତ ସୁସମ୍ପର୍କ ଥିବ ।

 

ଆପଣଙ୍କର ସ୍ନେହାଧୀନ

ବିଶ୍ଵନାଥ

 

ଚିଠିଟିକୁ ସିଏ ଆଉଜଣକ ହାତରେ ଲେଖାଇଛନ୍ତି । ଶେଷରେ କେବଳ ନିଜ ହାତରେ ବିଶ୍ଵନାଥ ବୋଲି ଦସ୍ତଖତ କରିଛନ୍ତି । ବିଗତ ଢେର ବର୍ଷ ହେଲା ସେ ଏହିପରି କରିଛନ୍ତି । ଆଉ କାହା ହାତରେ ଚିଠି ଲେଖାଇ ଶେଷରେ କେବଳ ନାମଟିକୁ ନିଜ ହାତରେ ଲେଖି ଦେଉଛନ୍ତି । ଜୀବନ ତମାମ ସିଏ ବହୁ କଥାକୁ ପାରିଛନ୍ତି । ଏବେ ମଧ୍ୟ ପାରନ୍ତେ । ସମ୍ଭବତଃ ଆଗ ଅପେକ୍ଷା ଅଧିକ ପାରନ୍ତେ । ଆହ୍ଵାନମାନେ ଆଗ ଅପେକ୍ଷା ବହୁଗୁଣ ଅଧିକ, ତେଣୁ ବିଶ୍ଵନାଥ ପଟ୍ଟାନାୟକ କଦାପି ଚୁପ୍ ହୋଇ ବସି ନଥାନ୍ତେ । ଶରୀରଟା ସିନା ତାଙ୍କୁ ବର୍ତ୍ତମାନ ପାରିବାକୁ ଏବଂ କରିବାକୁ ଦେଉନାହିଁ, କିନ୍ତୁ ହୃଦୟନାମକ ଜୀବନର ସେହି ସୋଦରଟି ସକଳ ଅର୍ଥରେ ସଚେତନ ହୋଇ ରହିଛି ।

 

ଚିଠିଟି ପାଇ ଓ ପଢ଼ି ବହୁକଥା ମନେ ପଡ଼ିଗଲା । ସେଗୁଡ଼ିକୁ ମୋଟେ ସ୍ମୃତି ବୋଲି କହି ହେବନାହିଁ, ପୂରାପଣେ ଘଟଣାମାନ । ଏକାବେଳେକେ ୧୯୫୭ ମସିହାର ଘଟଣା । ସିଏ କୁଜେନ୍ଦ୍ରୀ ଗାଆଁରେ ଥାଆନ୍ତି । ତାଙ୍କ ପାଖରୁ ସାଇକେଲ ଧରି କେତେ କୁଆଡ଼େ ଯାଇଥିଲି । ଖାଲି ଶବରମାନଙ୍କର ଗାଆଁ । ଆମେ ଏବେ ସେମାନଙ୍କୁ ସଉରା ବୋଲି କହୁଛୁ । ସମସ୍ତେ ଗମାଙ୍ଗ । ସେତେବେଳେ ସେହି ଅଞ୍ଚଳର ବହୁତ ପିଲା ଅନଗୁଳ ବାଜିରାଉତ ଛାତ୍ରାବାସରେ ପାଠ ପଢ଼ୁଥିଲେ-। ଏକାବେଳେକେ ମିନି ମିନି ହୋଇ ଛାତ୍ରାବାସକୁ ଆସିଥିଲେ ଓ ଅଷ୍ଟମ ପର୍ଯ୍ୟନ୍ତ ପାଠ ସାରି ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟକୁ ଯାଇଥିଲେ । ଖାସ୍ କୁଜେନ୍ଦ୍ରୀ ଗାଆଁର ବାନାମ୍ବର, ନୀଳାମ୍ବର, ଗୁରୁବାରୀ, ଲକ୍ଷ୍ମୀ, କେଶବ ଆଉ ମାଧବ । ତା’ସହିତ ଗୁଡ଼ାରି ଆଖପାଖର ମଦନ, ଆଉ ଜଗନ୍ନାଥ-। କୁଜେନ୍ଦ୍ରୀ ଠାରୁ ଗୁଡ଼ାରି ପ୍ରାୟ ଦଶକୋଶର ରାସ୍ତା । ବଂଶଧାରା ନଈର କୂଳେ କୂଳେ ନାଲି ଚିକଣ ରାସ୍ତାଟିଏ ଗୁଡ଼ାରି ପର୍ଯ୍ୟନ୍ତ ଯାଇଛି । ନଈ ଡେଇଁ ଆଉ ଘଣ୍ଟାକର ବାଟ ସାଇକେଲ ମାରି ଗଲେ ମଦନର ମେଟୁଖିଲିଗ୍ରାଇ ଗାଆଁ । ରାସ୍ତା ବୋଲି ଗହୀର ବିଲ ଭିତରର ଶଗଡ଼ର ଧର୍‌ସାମାନଙ୍କୁ ଧରି ହିଁ ଯିବାକୁ ହୋଇଥିଲା । ଭାରି ମନେ ଅଛି, ଦିନେ ପୂରା ଖରାବେଳଟା ସେହି ଗହୀର ବାଟ ଧରି ମୁଁ ସାଇକେଲ ଚଢ଼ି ଯାଇଥିଲି । ମଝିରେ ପଦ୍ମପୁର ଗାଆଁ ଅତିକ୍ରମ କରି ସଂଜ ହେବା ସମୟକୁ ଆଉ ଗୋଟିଏ ଗାଆଁରେ ରାତ୍ରିଟି କଟାଇଲି । ଏହି ଅଞ୍ଚଳଟା ଯାକ ବିଶ୍ଵନାଥ ଭାଇଙ୍କର କର୍ମଭୂମି । ପ୍ରକୃତରେ ସେଇ ସେହି ଇଲାକାଟିରୁ ପିଲାମାନଙ୍କୁ ଠାବ କରି ଆଣି ଅନଗୁଳ ଛାତ୍ରାବାସରେ ଛାଡ଼ିଥିଲେ । ସେହି ଚକଡ଼ାଯାକର ସବୁ ଗାଆଁ ଅର୍ଥାତ୍ ସେଗୁଡ଼ିକରେ ବାସ କରୁଥିବା ମନୁଷ୍ୟମାନେ ତାଙ୍କର ଟିପଅଗରେ ରହିଥିଲେ । ଏମାନେ ସେତିକିବେଳୁ ହିଁ ତାଙ୍କୁ ଆଜ୍ଞା ବୋଲି ଡାକୁଥିଲେ ।

 

ଆଜ୍ଞା ଶବ୍ଦଟି ଆଦିବାସୀ ମାନଙ୍କର ମୁଲକରେ ଖୁବ୍ ପରିଚିତ ଶବ୍ଦଟିଏ । ପ୍ରାୟ ସେହି ବ୍ରିଟିଶ୍ ରାଜତ୍ଵର ଅମଳରୁ । ସେହି ଅଞ୍ଚଳକୁ ଆମ ଏପାଖଟାରୁ ଯେଉଁ ସରକାରୀ ବାବୁମାନେ ଯାଆନ୍ତି, ଶବର ମନୁଷ୍ୟଟି ସକାଶେ ସେମାନେ ସମସ୍ତେ ଆଜ୍ଞା । ବ୍ରିଟିଶ୍ ଅମଳଟା ଅନ୍ତେ ମଧ୍ୟ ତେଣେ ସେହି ଡାକଟା ତଥାପି ରହିଯାଇଛି । ଖୁବ୍ ମନେ ଅଛି, ଯେତେବେଳେ ସ୍ଥାନୀୟ ଆଜ୍ଞାମାନଙ୍କ ତୁଳନାରେ ଆହୁରି ଉଚ୍ଚ ଏଣୁ ସେସବୁ ବନସ୍ତଜଗତକୁ କେହି ଗସ୍ତରେ ଯାଇ ପହଞ୍ଚୁଥିଲା, ଏକ ଖାସ୍ ଚଳଣିରେ ସ୍ଥାନୀୟ ଶବରମାନେ ଏହି ବିଶେଷ ଅକଳ୍ପନୀୟ ମାନଙ୍କୁ ‘ମାହାପୁରୁ’ ବୋଲି କହୁଥିଲେ ଏବଂ ଚିହ୍ନୁଥିଲେ । ଯାବତୀୟ ସମ୍ପର୍କଗତ ବ୍ୟାକରଣର ସାଂସ୍କୃତିକ ଦର୍ପଣଟି ଉପରେ ପରଖି ଦେଖିଲେ, ଶବ୍ଦଟି କେବଳ ସାନବଡ଼ ହାକିମମାନଙ୍କ ଲାଗି ହିଁ ପ୍ରୟୋଗ କରାହେଉଥିଲା । ‘ଆଜ୍ଞା’ ସମ୍ବୋଧନଟି ସାମନ୍ତମାନଙ୍କୁ ହୁଏତ ଖୁବ୍ ଉପଯୁକ୍ତ ବି ଶୁଭିଥିବ ଏବଂ ସେହି କାରଣରୁ ଏଯାଏ ମଧ୍ୟ ସେମାନଙ୍କୁ ଆଦିବାସୀ ସେହି ଶବ୍ଦଟି ଦ୍ଵାରା ସମ୍ବୋଧନ କରୁଛନ୍ତି । କାଶୀପୁର ଅଞ୍ଚଳରେ ବାବୁମାନଙ୍କ ମୁହଁରୁ ଏଇଟା ସେଇଟା ଶୁଣୁଥିବା ସମୟରେ ସ୍ଥାନୀୟ ଲୋକେ ‘ହଇ ଆଜ୍ଞା’ ବୋଲି କହନ୍ତି । ଅବଶ୍ୟ ଆଦିବାସୀମାନେ କଥା ହେବାବେଳେ ‘ଆଜ୍ଞା’ ଶବ୍ଦଟିକୁ ବାଦ୍ ଦେଇ କେବଳ ‘ହଇ’ ବୋଲି କହିଥାଆନ୍ତି । ଏପରିକି, ସାନମାନେ ଗୁରୁଜନ ବୃଦ୍ଧମାନଙ୍କ ସହିତ ତଥା ସାଧାରଣମାନେ ନିଜ ଗାଆଁର ମୁଖିଆ ଓ ଦିଶାରି ମାନଙ୍କ ସହିତ କଥାବାର୍ତ୍ତା ସମୟରେ କେବଳ ‘ହଇ’ଟାକୁ ବ୍ୟବହାର କରନ୍ତି ଅଥଚ ସେମାନଙ୍କର ଗାଆଁ ଇସ୍କୁଲକୁ ନିଯୁକ୍ତ ହୋଇ ଆସିଥିବା ଅଣଆଦିବାସୀ ଶିକ୍ଷକଟିରୁ ମଧ୍ୟ ‘ହଇ ଆଜ୍ଞା’ କହନ୍ତି ।

 

ଅର୍ଥାତ୍, ଖୁବ୍ ଅନୁମାନ କରିହେଉଛି ଯେ, ବିଶ୍ଵନାଥ ପଟ୍ଟନାୟକ ଆମ ଏଣିକା ମୁଲକରୁ କୁଜେନ୍ଦ୍ରୀ ଅଞ୍ଚଳରେ ଯାଇ ପହଞ୍ଚିଥିବା ସମୟରେ ତାଙ୍କୁ ସେହିପରି ଜଣେ ଅଣଆଦିବାସୀ ଜ୍ଞାନରେ ଶବର ସେଠା ବାସିନ୍ଦାମାନେ ତାଙ୍କୁ ସେହି ଅଭ୍ୟସ୍ତ ରୀତିଟିରେ ହିଁ ଆଜ୍ଞା ବୋଲି କହିବାକୁ ଅର୍ଥାତ୍ ସୂଚିତ କରିଦେବାକୁ ନିଶ୍ଚୟ ଆରମ୍ଭ କରିଛନ୍ତି । ୧୯୪୧ ମସିହାରେ ଯେତେବେଳେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ବରୀ ପ୍ରଶିକ୍ଷଣରୁ ସିଲ ହୋଇ ଗୁଣପୁରରେ ଯାଇ ପହଞ୍ଚିଲେ, ସେତେବେଳେ ପ୍ରଥମେ ସିଏ ସେହି ସହରରେ ଥାଇ ପ୍ରାୟ ଏକ ପ୍ରାଥମିକ ସମ୍ପର୍କସ୍ଥାପନ ରୂପେ ପାଖ ପାଖ ଗାଆଁମାନଙ୍କୁ ଯାଉଥିଲେ । କେଉଁ ଗାଆଁରୁ ମନ ବୁଝିଲା ପରି ଅନୁସ୍ପନ୍ଦନଟିଏ ପାଇଲେ ସେହି ଅନୁସାରେ ନିଜ କର୍ମାରମ୍ଭର ସ୍ଥାୟୀ ବାସଟିଏ ପାଇବେ ବୋଲି ମନଭିତରେ ପାଞ୍ଚି ରଖିଥିଲେ । ତାଙ୍କ ସକାଶେ ଜାଗାଟିଏ ବାଛିନେବାରେ ସାହାଯ୍ୟ କରିବାପାଇଁ ଏଣୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କ ଠାରୁ ସ୍ଥାନୀୟ କଂଗ୍ରେସ ବ୍ୟକ୍ତି ଶ୍ରୀ ପ୍ରହଲାଦ ପାଣିଗ୍ରାହୀଙ୍କ ନିକଟକୁ ଖଣ୍ଡେ ଚିଠି ମଧ୍ୟ ସାଙ୍ଗରେ ନେଇଥିଲେ । ସେହି ସମୟରେ, ଶ୍ରୀ ପଟ୍ଟନାୟକ ଯେପରି ସ୍ୱୟଂ କହିଛନ୍ତି, “କୁଜେନ୍ଦ୍ରୀ ଗାଆଁର ଶ୍ରୀ ବାଇରୁ ଗମାଙ୍ଗୋଙ୍କ ସହିତ ଦେଖା ହେଲା ।” ପ୍ରହଲାଦ ବାବୁ ବାଇରୁ ଗମାଙ୍ଗୋଙ୍କୁ କହିଲେ, “ବିଶ୍ଵନାଥ ଆଜ୍ଞା ଆସିଛନ୍ତି । ତାଙ୍କୁ ତୁମ ଗାଆଁରେ ଜାଗା ଟିକିଏ ଦିଅ । ସେ ତୁମ ଗାଆଁରେ ରହି ସୂତାକଟା ଆଦି ସହ ଗାନ୍ଧୀ କଥା ମଧ୍ୟ କହିବେ । ପିଲାଙ୍କୁ ପାଠ ପଢ଼ାଇବେ ।” ହଁ, ଗୋଟାସୁଦ୍ଧା ସେହି ପରମ୍ପରାଟାର ହିସାବ ଅନୁସାରେ ସେହି ଆଜ୍ଞା ଶବ୍ଦଟିର ବ୍ୟବହାର । ସେହି ଚଳଣିଟି ଏବେ ମଧ୍ୟ ପୂର୍ଣ୍ଣ ପରାକ୍ରମରେ ପ୍ରଚଳିତ ରହିଛି ଏବଂ ସଂପୃକ୍ତ ଉଭୟ ପକ୍ଷ ନିଜନିଜର ବାସ୍ତବ ବିବେକଟିର ବାଧ୍ୟତାରେ ତାହାକୁ ସ୍ଵୀକାର କରି ନେଇଛି ।

 

କିନ୍ତୁ, ଏକଥା ମଧ୍ୟ ସଂପୂର୍ଣ୍ଣ ସତ୍ୟ ଯେ, ଏବେ ସେହି ଅଞ୍ଚଳଟିରେ ‘ଆଜ୍ଞା’ କହିଲେ ସ୍ଵତନ୍ତ୍ର ଭାବରେ ସେହି ଜଣଙ୍କୁ ହିଁ ବୁଝାଉଛି । ବିଶେଷତଃ ଆମ ଅଣଆଦିବାସୀ ମାନଙ୍କର ତରଫଟା ଆନୁଷ୍ଠାନିକ ନିଜ ଅବସରର ଗୁଡ଼ିକରେ ସତେଅବା ଏକ ବିଶେଷ ଭାବପ୍ରବଣତା ସହିତ ସେହି ଶବ୍ଦଟିକୁ ହିଁ ବ୍ୟବହାର କରିଛି । ସେଥିରୁ ପ୍ରାୟ ଏକ ଖାସ୍ ସନ୍ତୋଷ ପାଇ ପାରୁଛି । ସମ୍ଭବତଃ ବହୁ ବ୍ୟଞ୍ଜନାରେ ପୂରାପୂରି ଏହି ତରଫଟାର ପ୍ରୀତ୍ୟର୍ଥେ,-ଗୋଟାଏ ଖାସ୍ କ୍ଷତିପୂରଣର ସାନ୍ତ୍ୱନା ମିଳି ଯାଉଥିବା ପରି ସେହି ଶୀର୍ଷକଟାକୁ ବ୍ୟବହାର କରି ଏକ ସଂପୂର୍ଣ୍ଣ ଜୀବନୀପୁସ୍ତକ ମଧ୍ୟ ଆମ ଭାଷାରେ ପ୍ରକାଶ ପାଇଛି । ତାଙ୍କ ଉପରେ ଏହି ନାମଟିର ପ୍ରୟୋଗ କରି ଆମେ କେତେ କେତେ ଆତ୍ମପ୍ରସାଦ ହୁଏତ ଲାଭ କରି ପାରୁଛୁ କି ? ସିଏ କ’ଣ ପାଇଁ ଏହିପରି ଜୀବନଟିଏ ଆପେ ବରିନେଲେ, ଏହି ଆମ ସମସ୍ତଙ୍କର ଭୂଇଁଟିକୁ ଏକ ଖାସ୍ ଆବେଦନ ଦେଇ ଦେଖିଲେ, ସେହିସବୁ ବ୍ୟାପାରକୁ ନେଇ ଖୁବ୍ ସମ୍ଭବ ମଥା ନଘୁରାଉଥିଲେ ମଧ୍ୟ ସିଏ ଯେ ଆମ ଏତରଫରୁ ସେହି ଅନ୍ୟ ଜୀବନଟି ମଧ୍ୟକୁ ଯାଇ ଏତେ ଏତେ ସମ୍ଭବ କରିପାରିଲେ, ସେହି ହେତୁ ଆମେ ଯେ ଛାତି ଫୁଲିଉଠିଲା ପରି ଅନୁଭବ କରୁଛୁ, ଆଜ୍ଞା ଶବ୍ଦଟିର ଏହି ବ୍ୟବହାରଟି ଦ୍ଵାରା ହୁଏତ ଅଧିକତର ନ୍ୟାୟରେ ସେହି କଥାଟି ହିଁ ବ୍ୟକ୍ତ ହୋଇଯାଉଛି । ଏଭଳି ଗୋଟିଏ ଆଚରଣ ଦ୍ଵାରା ଆମେ ଯେତେ ଇଚ୍ଛା ନକରୁଥିଲେ ମଧ୍ୟ ଆପେ ହିଁ ବେଳେ ବେଳେ ଖୁବ୍ ଧରା ପଡ଼ି ଯାଉଥିବା ।

 

ଆଜ୍ଞାମୁଗ୍ଧମାନେ ତାଙ୍କୁ ନେଇ ଅତ୍ୟନ୍ତ ଭାବଉଦ୍ଦୀପ୍ତ ଭାବରେ କବିତାମାନ ଲେଖିଛନ୍ତି : କେଉଁଠାରେ ଆଜ୍ଞାଙ୍କୁ ଏକ ମହାପୁରୁଷ ବୋଲି କୁହାଯାଇଛି, ତାଙ୍କ ଉପରେ ପ୍ରାୟ ଏକ ଯତିତ୍ଵର ଆରୋପ କରି ‘ବାବା ବିଶ୍ଵନାଥ’ ବୋଲି । ଆଉ ଗୋଟିଏ କବିତା ତାଙ୍କୁ ‘ସନ୍ଥ ବିଶ୍ଵନାଥ’ ବୋଲି କହି ଅଗାଧ ତୃପ୍ତି ଅନୁଭବ କରିଛି । ଆମ ବଡ଼ ସହରର ଏକ ଉପାୟନ–ପ୍ରଦାନର ସମାବେଶରେ ତାଙ୍କର ପରିଚୟ ପ୍ରଦାନ କରି ପ୍ରଶସ୍ତସୂଚକ ଭାବରେ କେଡ଼େ ଆଭରଣ–ଚକଚକ ଉଚ୍ଚ ସାହିତ୍ୟିକ ଶବ୍ଦସଂଯୋଗରେ କେତେ ନା କେତେ ନିଷ୍ଠା ସହିତ “ଗାନ୍ଧିବାଦୀ ଓ ସର୍ବୋଦୟ ଚିନ୍ତାଧାରା, ରଚନାତ୍ମକ କାର୍ଯ୍ୟ ଏବଂ ଆଦିବାସୀଙ୍କ ଉନ୍ନୟନ–ଏହାହିଁ ଆପଣଙ୍କର ଜୀବନସାଧନାର ମୂଳମନ୍ତ୍ର” ବୋଲି ବର୍ଣ୍ଣନା କରାଯାଇଛି । ତଥାପି କିଛି ବାକି ରହିଗଲା ବୋଲି ସମ୍ଭବତଃ ଅନୁଭବ କରି ନିରହଂକାର ନିଷ୍କପଟ ଏବଂ ସରଳବିଶ୍ଵାସୀ ଆଜ୍ଞା ଦୈବୀ ବଳର ଅଧିକାରୀ’ ବୋଲି ସ୍ମରଣ କରାଇ ଦିଆ ବି ଯାଇଛି । ‘ତାଙ୍କ ଜ୍ଞାନର ଆଲୋକ ଆଦିବାସୀ ସମାଜକୁ ଆଜି ବାଟ ଦେଖାଇଛି’–ବୋଲି ଆଉ ଠାଏ ମଧ୍ୟ ମନେ କରାଇ ଦିଆଯାଇଛି ।

 

ପୁନଶ୍ଚ, ଆଉ ଗୋଟିଏ ଥାନରେ ବିଶ୍ଵନାଥ ଆଜ୍ଞା ନିଜ ପିତାମାତାଙ୍କର ଅଷ୍ଟମ ସନ୍ତାନ ହୋଇଥିବାରୁ ତାଙ୍କୁ ଦ୍ଵାପର ଯୁଗର ବାସୁଦେବ ଓ ଦେବକୀଙ୍କର ଅଷ୍ଟମ ଗର୍ଭରୁ ଜନ୍ମ ହୋଇଥିବା ଶ୍ରୀକୃଷ୍ଣଙ୍କ ସହିତ ମଧ୍ୟ ତୁଳନା କରାଯାଇଛି । କୁହାଯାଇଛି, ‘‘ଅଷ୍ଟମ ଗର୍ଭର ସନ୍ତାନ ଶ୍ରୀକୃଷ୍ଣ ଯେପରି ଧରାଧାମକୁ ଆସିଥିଲେ ଗୋପର ଦୁଃଖଦୁର୍ଦ୍ଦଶା ଦୂର କରିବାକୁ, ଠିକ୍ ସେହିପରି ବିଶ୍ଵନାଥ ଭଗବାନଙ୍କ ଦ୍ଵାରା ପ୍ରେରିତ ହୋଇଥିଲେ କୋରାପୁଟ, କଳାହାଣ୍ଡି ଓ କନ୍ଧମାଳର ପତିତ ଆଦିବସୀଙ୍କ ଦୁଃଖ ଦୂର କରିବାପାଇଁ ।” ଆଉ ଗୋଟିଏ ବର୍ଣ୍ଣନାରେ ତାଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଗାନ୍ଧୀମହାତ୍ମା ବୋଲି ଘୋଷଣା ମଧ୍ୟ କରାଯାଇଛି ।

 

ତାଙ୍କର ଜନ୍ମତିଥିରେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ନିଷ୍କାମ ଯୋଗୀ ବୋଲି ‘ତର୍ଜମା’ କରାଯାଇ ତାଙ୍କ ଜନ୍ମକୋଷ୍ଠୀଟିର ଉପସ୍ଥାପନା ବି କରାଯାଇଛି । ଆମ ପାଠକମାନଙ୍କୁ ସତେଅବା ବିଶ୍ଵାସ କରିବା ନିମନ୍ତେ ଚେଷ୍ଟା କରାଯାଇଛି ଯେ, ଶ୍ରୀ ଆଜ୍ଞା ତାଙ୍କ ଜୀବନଯାକର ମାର୍ଗରେ ଅଗ୍ରସର ହୋଇ ଆମେ ଦେଖିବାକୁ ଯାହାକିଛି ହେଲେ, ସେହି ସବୁକିଛି ତାଙ୍କର ରାଶି ଏବଂ ନକ୍ଷତ୍ରର ମାଧ୍ୟମରେ ଆଦ୍ୟରୁ ହିଁ ନିର୍ଣ୍ଣିତ ହୋଇ ରହିଥିଲା । ଅତ୍ୟନ୍ତ ସୁଖପାଠ୍ୟ ପ୍ରକୃତରେ ସେହି ସୁଦୀର୍ଘ ବିବରଣୀଟି, ଏବଂ ଆମେ ଏଠାରେ ତାହାକୁ ପୂର୍ଣ୍ଣ ବିଶଦ ଭାବରେ ହିଁ ବର୍ତ୍ତମାନ ପାଠ କରିବା । ଗୋଟିଏ ଗୋଟିଏ ଭାଗକ୍ରମରେ ଏବଂ ଭାବକ୍ରମରେ ସେଗୁଡ଼ିକ ସମ୍ପର୍କରେ ଅବଗତ ହେବା : ଲଗ୍ନଭାଗଧନୁଲଗ୍ନର ଅଧିପତି ପଞ୍ଚମରେ ବକ୍ରୀ । ବକ୍ରୀ ଗ୍ରହ ଏଇ ଜନ୍ମରେ ଜାତକ କିଛି ଶୁଭ ତଥା ଲୋକହିତକର କାର୍ଯ୍ୟର ସୂଚନା ଦେଇଥାଏ । ଜାତକ କିଛି ମହତ୍ ଉଦ୍ଦେଶ୍ୟ ନେଇ ଜନ୍ମଲାଭ କରିଥାଏ । ଲଗ୍ନସ୍ଥ ରାହୁ ସମାଜର ଦଳିତ, ଲାଞ୍ଛିତ ତଥା ନିଷ୍ପେଷିତ ଦରିଦ୍ରନାରାୟଣ ମାନଙ୍କର ଉତ୍‌ଥାନ ତଥା ସୁଖସମୃଦ୍ଧି ନିମନ୍ତେ ଜାତକଙ୍କୁ ପ୍ରେରଣା ତଥା ନିର୍ଦ୍ଦେଶ ଦେଇଥାଏ । ରାହୁ ଉଭୟ ମନ୍ଦ ଓ ଶୁଭ-ଫଳ ଦାତା । ଜାତକ ଛୋଟରୁ ବଡ଼ ପଦବୀକୁ ଉନ୍ନୀତ ହୋଇଥାଏ । ସାହସିକ କାର୍ଯ୍ୟରେ ପ୍ରେରଣା ଯୋଗାଇବା ତଥା ପ୍ରାଚୀନ ସଂସ୍କୃତିକୁ ସୁରକ୍ଷା ଦେବାରେ ସହଯୋଗ କରିଥାଏ । ତେଣୁ ଜାତକ ଘରର ସମସ୍ତ ମୋହମାୟାକୁ ଏଡ଼ାଇ ତଥା ଶିକ୍ଷକତା ଚାକିରି ତ୍ୟାଗ କରି ବିବାହବନ୍ଧନରେ ଆବଦ୍ଧ ନହୋଇ ଦେଶମାତୃକାର ସ୍ଵାଧୀନତା ପାଇଁ କାରାବରଣ କରି ଆଜି ସମାଜରେ ବେଶ୍ ଜଣାଶୁଣା । ଦ୍ଵିତୀୟ ଭାବ-ଧନ ଏବଂ କୁଟୁମ୍ବର ଅଧିପତି ଶନି କଳୀୟ ରାଶି କର୍କଟରେ ଥାଇ ନିଜ ଭାବ ତଥା ଗୃହକୁ ସପ୍ତମ ଦୃଷ୍ଟିରେ ଦେଖୁଛନ୍ତି । ‘ଆଜ୍ଞା’ଙ୍କର ଧନ କହିଲେ କେବଳ ସେହି ଅହିଂସା, ସତ୍ୟ ବ୍ରହ୍ମଚର୍ଯ୍ୟ, ଶରୀରଶ୍ରମ, ସ୍ଵଦେଶୀ ଭାବନା, ସର୍ବଧର୍ମ–ସମାନତା, ଅସ୍ଵାଦ, ସର୍ବତ୍ର ଭୟବର୍ଜନ, ଅସ୍ତେୟ ତଥା କେତୋଟି ଅମର ଅନୁଷ୍ଠାନ ଏବଂ ପ୍ରଜାମଣ୍ଡଳ ଆନ୍ଦୋଳନର ମୂକସାକ୍ଷୀ, ଶରଣାର୍ଥୀ ସମସ୍ୟାର ସମାଧାନ, ବେଠି–ବେଗାରୀର ଉଚ୍ଛେଦକ ଏବଂ ଗାନ୍ଧୀ ସେବାସଂଘର ଅଫିସ୍ ଆସିଷ୍ଟାଣ୍ଟ୍,–କୁଟୁମ୍ବ କହିଲେ ସେହି ଅନ୍ଧ, ମୂକ, ବଧିର, ସ୍ଵାମୀ–ପରିତ୍ୟକ୍ତା, ବାପମାଆ–ଛେଉଣ୍ଡ ଅମୃତ ସନ୍ତାନଙ୍କର ଅନ୍ନଦାତା । ‘ବସୁଧୈବ କୁଟୁମ୍ବକମ୍’ର ଏକ ବିରାଟ ସୌଧ ‘ବନବାସୀ ସେବା ସମିତି’ ଆଜ୍ଞାଙ୍କର ମାନସ–ସନ୍ତାନ । ତୃତୀୟ ଭାବ–ତୃତୀୟାଧିପ ଶନି ଅଷ୍ଟମ ଭାବରେ ଥିବାରୁ ଦୀର୍ଘାୟୁ ପ୍ରଦାନ କରିଛନ୍ତି ତଥା ଏହି କୋଷ୍ଠୀର ଶନି ମହାଦୀର୍ଘାୟୁ ଯୋଗ ସୃଷ୍ଟି କରିଛନ୍ତି । ଦଶମ ଭାବକୁ ଦୃଷ୍ଟି ଦେବାରୁ କର୍ମରେ ଆଜ୍ଞା ସଦାଚଞ୍ଚଳ ଏବଂ କର୍ମଠ । ନିଜକୁ ମୂଳ ତ୍ରିକୋଣ କୁମ୍ଭ ରାଶିଠାରୁ ଷଷ୍ଠସ୍ଥ ହେତୁ ଯେକୌଣସି ରଚନାତ୍ମକ କାର୍ଯ୍ୟକୁ କଷ୍ଟ ସହି ସହଜ ମାଧ୍ୟମରେ ଆଗକୁ ମାଡ଼ି ଚାଲିଛନ୍ତି । ଏବେ ମଧ୍ୟ କହନ୍ତି, ‘ଆମ୍ଭେ ଆଉ କିଛି କରିପାରୁନୁ ।’

 

ଚତୁର୍ଥ ଭାବ-ସୁଖାଧିପ ଗୁରୁ ଅଗ୍ନିରାଶିରେ ପଞ୍ଚମସ୍ଥ ହୋଇ କେ.ପି. ହିସାବରେ ୪,୧ ଓ ୭ ର ଫଳଦାତା । ମାତ୍ର ଶନିଦୃଷ୍ଟି ହେତୁ ନିଜ ପରିବାରଠାରୁ ବହୁ ଦୂରରେ ଏବଂ ନିରାସକ୍ତ । ତଥାପି ଏକାଦଶସ୍ଥ ରବି ବୁଧଙ୍କୁ ଦୃଷ୍ଟି ଦେବାରୁ ଭାଗ୍ୟ ଏବଂ କର୍ମ ପାଇଁ ରାସ୍ତା ପ୍ରଶସ୍ତ କରାଇଛନ୍ତି-। ଗୁରୁ ବକ୍ରୀ ହେତୁ ଜାତକ ଦେବଲୋକରୁ ଆସିଛନ୍ତି । ପଞ୍ଚମ ଭାବ–ପଞ୍ଚମାଧିପ ମଙ୍ଗଳ ୫, ୭, ୧୦, ୧୨ର ଫଳଦାତା ହେତୁ ପାଠପଢ଼ା ଅଭାବ ଯୋଗୁଁ ଅଷ୍ଟମରୁ ତ୍ୟାଗ କରିଛନ୍ତି-। ବିବାହ ନକରିବା ପାଇଁ ଜିଦ୍ ଧରି ସଫଳ ହୋଇଛନ୍ତି । କର୍ମର ପ୍ରବଳ କାରକ ଏଠାରେ ମଙ୍ଗଳ ହେତୁ ଭୂଦାନ ଆନ୍ଦୋଳନରେ ସେ ଜଣେ ସକ୍ରିୟ କର୍ମୀ, ଆଦିବାସୀ ମାନଙ୍କୁ ଅଣଆଦିବାସୀ ଠାରୁ ଜମି ଛଡ଼ାଇ ଫେରସ୍ତ କରାଇବାରେ ସେ ସର୍ବଦା ତତ୍ପର ପୂର୍ବକ ବିନୋବା ଭାବେଙ୍କ ଭଳି ମହାନ୍ ସ୍ଵାଧୀନତା–ସଂଗ୍ରାମୀଙ୍କ ସହ ସମ୍ପର୍କ ରଖି ପାରିଥିଲେ । ଦ୍ଵାଦଶସ୍ଥ ମଙ୍ଗଳ ୧୨ଶ ଭାବରେ ଫଳଦାତା ହେତୁ ସେ ବହୁବାର ଜେଲ୍‌ବରଣ କରିଛନ୍ତି । ଶଯ୍ୟାସୁଖ ତାଙ୍କପାଇଁ ଥିଲା ସେହି ସମୟରେ କାରାଗାର ତଥା ପଲ୍ଲୀ ପଙ୍କାଳର ବାରଣ୍ଡା । ମଙ୍ଗଳଙ୍କ ପରି ସେ ପରାକ୍ରମୀ ଏପରିକି ଶହ ଶହ ମାଇଲ ଚାଲି ସ୍ଵାଧୀନତା ଆନ୍ଦୋଳନ ତେଜୋଉଥିଲେ । ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମଧ୍ୟ ଖଦଡ଼ ପରିଧାନ କରିଛନ୍ତି । ପଞ୍ଚମ-ଗୁରୁ-ଜ୍ଞାନୀ, ଧାର୍ମିକ, ନ୍ୟାୟବନ୍ତ, ଦକ୍ଷ, ଧୈର୍ଯ୍ୟବାନ୍‌ର ସମାରୋହ, ଜାତକଙ୍କ ନିକଟରେ ବିଦ୍ୟମାନ୍ ।

 

ଷଷ୍ଠ ଭାବ-ଷଷ୍ଠାଧିପ ଶୁକ୍ର ଦଶମରେ ନୀଚ ମାତ୍ର ପବାଂଶରେ ମିତ୍ର ଗୃହୀ ଏବଂ ଚନ୍ଦ୍ରଠାରୁ କେନ୍ଦ୍ରସ୍ଥ, ତେଣୁ ସେ କିଛିଦିନ ପାଇଁ ଶିକ୍ଷକତା କରିଥିଲେ । ଷଷ୍ଠ ଚନ୍ଦ୍ର ବୃକ୍ଷରେ ଉଚ୍ଚ ତଥା ମଙ୍ଗଳ ଦ୍ଵାରା ଦୃଷ୍ଟ । ବୃକ୍ଷ ଚନ୍ଦ୍ର ଉଚ୍ଚମନା ତଥା ଷଷ୍ଠ ଚନ୍ଦ୍ର ଶତ୍ରୁହନ୍ତା ପାଇଁ ବେଶ୍ ଉପଯୋଗୀ ଏବଂ ସାମାଜିକ ପ୍ରତିଷ୍ଠା ଆଣିବାରେ ସହାୟକ ହୋଇଥାଏ । ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ଏହି ରୋହିଣୀ ବୃକ୍ଷରେ ଜନ୍ମଗ୍ରହଣ କରିଥିଲେ । ସପ୍ତମ ଭାବ–ସପ୍ତମାଧିପ ବୁଧ ଧନୁ ଲଗ୍ନକୁ କେନ୍ଦ୍ରାଧିପତି ଦୋଷରେ ଲଗ୍ନକୁ ରବି ବୁଧ ଯୋଗ କାରକ ଅଟନ୍ତି । ପୁଣି ଗୁରୁଙ୍କର ଶୁଭଦୃଷ୍ଟି । ମାତ୍ର କେତୁ ଜାୟାସ୍ଥାନସ୍ଥ ହେତୁ ସେ ନିରାସକ୍ତ । କର୍ମଯୋଗୀ ସନ୍ନ୍ୟାସୀ । ମୋକ୍ଷକାରକ କେତୁ ନିଜର ଅଧିକାରକୁ ଏଠାରେ ସମ୍ପୂର୍ଣ୍ଣରୂପେ ସାବ୍ୟସ୍ତ କରିଛନ୍ତି । ଅଷ୍ଟମ ଭାବ–ଅଷ୍ଟମାଧିପ ଚନ୍ଦ୍ର ଷଷ୍ଠ ହେତୁ ରାଜଯୋଗ ପ୍ରଦାୟକ, ମଙ୍ଗଳ ଦୃଷ୍ଟି ଦେଉଥିବାରୁ ଏକପ୍ରକାର ମହାଲକ୍ଷ୍ମୀ ଯୋଗ ସମ୍ଭୁତ । ଶତ୍ରୁ ନିପାତ ପାଇଁ ଏହି ଷଷ୍ଠ ଚନ୍ଦ୍ର ବେଶ୍ ଉପଯୋଗୀ ଜଳୀୟ ରାଶିର ଅଧିପତି ପୃଥ୍ଵୀ ତତ୍ତ୍ଵ ରାଶିରେ ଥିବାରୁ ଜାତକ ସ୍ଥିର ତଥା ଦୃଢ଼ମନା, ସତ୍ୟ ଏବଂ ଅହିଂସାର ପୂଜାରୀ । ଅଷ୍ଟମ ଶନି ଯୋଗୁ ଜାତକ ନିର୍ଭୀକ, ସାହସୀ ଏବଂ ଦୀର୍ଘାୟୁ, ଜାତକର ଶେଷ ଜୀବନରେ ସୁଖଶାନ୍ତି ପ୍ରାପ୍ତି ଘଟେ । ମାତ୍ର ଷଷ୍ଠ ବର୍ଷ ବୟସରେ ପିତୃବିୟୋଗ କରାଇଥାଏ ଯାହାକି ଆଜ୍ଞାଙ୍କ ଜୀବନରେ ଘଟିଯାଇଛି ।

 

ନବମ ଭାବ–ନବମାଧିକ ରବି ତୁଳା ରାଶିରେ ନୀଚ ଏବଂ ବୁଧଯୁକ୍ତ ହୋଇ ସେ ଏକାଦଶ ଗୃହରେ ନବାଂଶରେ ମଧ୍ୟ ଏକାଦଶସ୍ଥ ହୋଇ ଗୁରୁ-ସମ୍ପର୍କିତ । ତେଣୁ ଭାଗ୍ୟ ଏବଂ କର୍ମାଧିପତି ବୁଧ ଏହି ଧନୁ ଲଗ୍ନକୁ ଶୁଭକାରକ ହୋଇ ଯୋଗକାର ଫଳକୁ ଦ୍ଵିଗୁଣିତ କରିଛନ୍ତି । ଦେବ ଗୁରୁଙ୍କର ଦୃଷ୍ଟି ପାଇଁ ମଣି କାଞ୍ଚନର ଏକ ଅପୂର୍ବ ସଂଯୋଗଫଳ ଦେଇଛନ୍ତି । ଭାଗ୍ୟକୁ ଜାତକ ସମାଜର ମହାନ ଜ୍ଞାନୀ, ଜାତିପ୍ରେମୀ ଦେଶପ୍ରେମୀ, ତଥା ଶିକ୍ଷିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସୁକର୍ମ ଦ୍ଵାରା ଆଦି ଭାଗ୍ୟବଳରୁ ପ୍ରତିଷ୍ଠିତ । ଏପରିକି କୌଣସି ଉପଢ଼ୌକନ ତଥା ସମ୍ମାନ ଗ୍ରହଣ କରିବାକୁ ମଧ୍ୟ ସେ ନାରାଜ । ପରିଶେଷରେ ସେ ସ୍ଵାଧୀନତା–ସଂଗ୍ରାମୀ ହିସାବରେ ଭତ୍ତା ମଧ୍ୟ ଗ୍ରହଣ କରୁନାହାନ୍ତି । ଯାହାକିଛି ଆର୍ଥିକ ଅନୁବାଦ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ତଥା ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଦାନ କରିଥାନ୍ତି, ସେହି ଅର୍ଥସବୁ ସେହି ବନବାସୀ ସେବା ସମିତିରେ ବିକାଶ ପାଣ୍ଠିକୁ ଦାନ କରିଦିଅନ୍ତି ।

 

ଦଶମ ଭାବ–ଏଠାରେ ଶୁକ୍ର ନୀଚ, ପୁଣି ନବାଂଶରେ ବୁଧ ମଧ୍ୟ ନୀଚ । କୃଷ୍ଣମୂର୍ତ୍ତି ପଦ୍ଧତି ଅନୁସାରେ ବୁଧ ଏଠାରେ କର୍ମର ନିର୍ଦ୍ଦେଶକ । ଦଶମସ୍ଥ ଶୁକ୍ର ହେତୁ ରାଜ୍ୟ ସରକାରଙ୍କ ଦ୍ଵାରା ଏହି ବନବାସୀ ସେବା ସମିତି ଯାହାକି ୧୯୭୪ ମସିହାରୁ ଆରମ୍ଭ ଏବଂ କାର୍ଯ୍ୟକ୍ଷମ, ବହୁ ସମ୍ମାନର ଅଧିକାରୀ ହୋଇ ପାରିଛି । ଆଜ୍ଞାଙ୍କ କର୍ମ ଉପରେ ବିଶେଷଭାବେ 'ଆଜ୍ଞା' ପୁସ୍ତକ କଳେବର ୩୫୨ ପୃଷ୍ଠା ଶ୍ରୀ ସୁବାସଚନ୍ଦ୍ର ମିଶ୍ରଙ୍କ ଦ୍ଵାରା ରଚିତରୁ ଅଧିକ ଜଣେ ଜାଣିପାରିବ । କଳେବରକୁ ଆଖି ଆଗରେ ରଖି ପ୍ରବନ୍ଧକୁ ଯତ୍‌କିଞ୍ଚିତ୍ ମୌଳିକ ରୂପ ଦେବାକୁ ବାଧ୍ୟ ହେଉଛି ।

 

ଏକାଦଶ ଭାବ–ସିଦ୍ଧି ଭାବ । ସାଧନ ଏବଂ ସିଦ୍ଧି ପରସ୍ପରର ପରିପୂରକ । ସାଧନା କର୍ମର ଏକ ମାର୍ଗ ହେଲେ ସିଦ୍ଧି କର୍ମର ଫଳ ଅଟେ । ଏକାଦଶର ଅଧିପତି ଶୁକ୍ର ନିଜ ଭାବଠାରୁ ଦ୍ଵାଦଶରେ । ଅର୍ଥାତ୍ ସିଦ୍ଧି ନିଜପାଇଁ ନହୋଇ ଅନ୍ୟପାଇଁ ସମର୍ପିତ । ବ୍ୟୟ ଅର୍ଥାତ୍ ବାଣ୍ଟିବା । ସମାଜ ପାଇଁ ତାଙ୍କର କର୍ମଫଳକୁ ସେ ବାଣ୍ଟି ଦେଇଛନ୍ତି । ଆମେ କେବଳ ତାଙ୍କୁ ବଞ୍ଚାଇ ରଖି ଫଳ ଆସ୍ଵାଦନ କରିବା । ଏକାଦଶ ରବି ଯୋଗୁଁ ଜାତକ ଖ୍ୟାତିସମ୍ପନ୍ନ ତଥା ତପସ୍ଵୀ । ବୁଧ ହେତୁ ନମ୍ର, ସତ୍ୟକାମୀ, ସଂସ୍କୃତି ସମ୍ପନ୍ନ । ଦ୍ଵାଦଶ ଭାବ-ଏହାର ଅଧିପତି ମଙ୍ଗଳ ସ୍ୱଗୃହୀ ଏବଂ ନବାଂଶରେ ମକରରେ ରହି ଉଚ୍ଚସ୍ଥ । କାମିନୀ–କାଞ୍ଚନଠାରୁ ଦୂରରେ ରହି ସେହି ନିଷ୍ପେଷିତ ତଥା ଅନାଥମାନଙ୍କୁ ସାହାରା ଏବଂ ଆଶ୍ରା ଦେଇ ସମାଜରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ଦ୍ଵାଦଶ ମଙ୍ଗଳ ଯୋଗୁଁ ଜାତକ ସାହସୀ, କର୍ଣ୍ଣ ପରି ଦାନୀ ଏବଂ ସାମାଜିକ ସଂଘ ବା ଅନୁଷ୍ଠାନର ସ୍ରଷ୍ଟା ହୋଇପାରିଛନ୍ତି । ତଥାପି ତାଙ୍କର ସେହି ନମ୍ର ଏବଂ ଅମାୟିକ ବଦନରୁ ବାରି ହୋଇପଡ଼େ ଯେ, ଗର୍ବ ଏବଂ ଅହଙ୍କାର ତାଙ୍କୁ ସ୍ପର୍ଶ କରି ପାରିନାହିଁ ।

 

ଏତଦ୍‌ବ୍ୟତୀତ ଜାତକରେ ଯୋଗ ବିଚାରରେ ବିଭିନ୍ନ ଯୋଗ ଦେଖିବାକୁ ମିଳୁଛି ଯଥା–ଦାମିନୀ ଯୋଗ, ...ଭୟକାରୀ ଯୋଗ, ଶଙ୍ଖ ଯୋଗ, ବିପରୀତ ସରଳ ରାଶି ଯୋଗ, ବିପରୀତ ବିମଳ ରାଜଯୋଗ, ବ୍ରହ୍ମ ଯୋଗ, ସଦାସଂଚାର ଯୋଗ, ମହାପରିବର୍ତ୍ତନ ଯୋଗ ଏବଂ ମହାଦୀର୍ଘାୟୁ ଯୋଗ । ଏବଂ, ଶେଷରେ, ‘ଭଗବଦ୍ ବିଶ୍ଵାସୀ, ସମଦର୍ଶୀ, ଦେଶପ୍ରେମୀ, ନିର୍ଲୋଭ, ଉଦାରବାଦୀ, ଅମାୟିକ, ଗାନ୍ଧୀବାଦୀ ବିଶ୍ଵନାଥ ବାବୁ ନିଜ ନାମର ସାର୍ଥକତା ପ୍ରତିପାଦନ କରି ପାରିଛନ୍ତି ।’ ଏହି କଥାଗୁଡ଼ିକ ୨୦୦୫ ମସିହାରେ ଏକ ଜ୍ୟୋତିଷ ସହିତ ସଂପୃକ୍ତ ପତ୍ରିକାରେ ପ୍ରକାଶିତ ହୋଇଥିଲା । ପୃଥିବୀରେ ଏହି ଜ୍ୟୋତିଷ ବ୍ୟାଖ୍ୟାମାନେ ସେହି ବହୁ ପୁରାତନ ସମୟର-। ପ୍ରାଚୀନ ଗ୍ରୀସ୍ ଏବଂ ପ୍ରାଚୀନ ମିଶର ଅମଳର । କେତେଠାରେ ସତ ଓ ପୁଣି କେତେଠାରେ ଅନ୍ୟଭଳି । ଭାରତବର୍ଷରେ ଏବେ ମଧ୍ୟ ଅନେକେ ସେଇଟିରେ ଖୁବ୍ ବିଶ୍ଵାସ କରୁଛନ୍ତି । ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କର ଏହି ପ୍ରାୟ ଶେଷ ଚରଣରେ ଯାଇ ତାଙ୍କ ବିଷୟରେ ଏସବୁ କଥା କୁହାଗଲା ଏବଂ ତାଙ୍କ ଗ୍ରହସ୍ଥିତି ଅନୁସାରେ ବର୍ତ୍ତମାନ ପ୍ରତିପାଦିତ ହୋଇଗଲା ଯେ ସିଏ ବିଗତ ଷାଠିଏ ବର୍ଷର ଜୀବନଚାରଣା ପରେ ଯାହାକିଛି ହେଲେ, ସେହି ପ୍ରାୟ ସବୁକିଛି ତାଙ୍କର କୋଷ୍ଠୀରେ ସୂଚିତ ହୋଇ ରହିଥିଲା । ଯଦି ତାଙ୍କୁ ଚଉଦ ପନ୍ଦର ବର୍ଷ ବୟସ ହୋଇଥିବା ସମୟରେ ଏହିସବୁ ଜ୍ୟୋତିଷଗତ ସତ୍ୟାନୁମାନ ଗୁଡ଼ିକ ବିଷୟରେ ଅବଗତ ହୋଇ ପାରିଥାନ୍ତେ, ତେବେ ସିଏ ଯେତିକି ପ୍ରକୃତରେ ହେଲେ ଅଥବା ହୋଇ ନପାରିଲେ, ସେଇଟି ଏହାଦ୍ଵାରା କେତେଦୂର କ’ଣ ପ୍ରଭାବିତ ହୋଇଥାଆନ୍ତି କେଜାଣି ? ଏବଂ, ଆର ଅସଲ କଥାଟିକୁ ମଧ୍ୟ ଆମେ ତଥାପି ପାସୋରିବା ନାହିଁ ଯେ, ଯେଉଁ ସମାଜଟି ଭିତରେ ସିଏ ଜୀବନର ଏତେ ବର୍ଷ ଅତିବାହିତ କଲେ, ଯେଉଁମାନଙ୍କୁ ପୁଞ୍ଜିପ୍ରାୟ କରି ଜୀବନର ବାଟଟି ଚାଲିଲେ ଆପଣାର ଆଖିଗୁଡ଼ିକୁ ଏକ ଖାସ୍ ଆକଳନ ଅନୁସାରେ ଗଢ଼ି ଆଣିଲେ ଏବଂ ସର୍ବୋପରି, ପୂର୍ଣ୍ଣ ଅବିବାଦିତ ଭାରେ, ଆପଣାର ନିଜ ଜୀବନଟି ଅପେକ୍ଷା ଯେଉଁମାନଙ୍କର ଜୀବନ ସହିତ ଧର୍ମତଃ ଅଧିକ ସଂପୃକ୍ତ ହୋଇ ରହିଲେ, ସେମାନଙ୍କର ହୁଏତ ଜନ୍ମକୋଷ୍ଠୀ ବୋଲି ମୋଟେ କିଛି ନଥିଲା । ଏପରିକି, କାହାକୁ ସେମାନନଙ୍କୁ କେତେ ସମୟ ହେଲା ବୋଲି ପଚାରିଲେ ଯେଉଁମାନେ ଅଧିକାଂଶ ସ୍ଥଳରେ କୌଣସି ଉତ୍ତର ଦେଇ ପାରୁନଥିଲେ ।

 

ଗୁଣପୁର ମୁଠାର ଶବରମାନେ ହିଁ ବହିରାଗତ ଅଣଆଦିବାସୀ ମାନଙ୍କ ପ୍ରତି ସେମାନଙ୍କର ରହିଥିବା ପାରମ୍ପରିକ ରୀତିଟି ଅନୁସାରେ ଯାହାଙ୍କୁ ଆଜ୍ଞା ବୋଲି ସମ୍ବୋଧନ କରିଥିଲେ, ବର୍ତ୍ତମାନ ଗୋଟାସୁଦ୍ଧା, ବାହାରର ଅଣ ଆଦିବାସୀ ସମ୍ଭ୍ରାନ୍ତ ସମାଜଟା ଏବେ ତାଙ୍କୁ ସେହି ନାମଟିରେ ଚିହ୍ନିବା ଲାଗି ହିଁ ଅଧିକ ମନ ବଳାଉଛି । ଜଙ୍ଗଲ ଭିତରେ ଥାଇ ମଧ୍ୟ ସିଏ ଏତେ ଏତେ ଯେ କରିପାରିଲେ, ତାଙ୍କୁ ଅଧିକ ପରିମାଣରେ ଆମ ଏପଟଟାର ଲୋକଲୋଚନକୁ ଆଣି ସର୍ବବିଧ ବିଶେଷ ପରିପାଟୀର ଆନୁଷ୍ଠାନିକତାରେ ସମ୍ମାନିତ କରିବାକୁ ଖୁବ୍ ଇଚ୍ଛା କରୁଛି ସମ୍ଭ୍ରାନ୍ତମାନଙ୍କର ଅଭିଧାନରେ ତାହାକୁ ପୂଜ୍ୟ ପୂଜା ବୋଲି କୁହାଗଲାଣି । ସତକୁ ସତ ଯେଉଁମାନେ ପୂଜ୍ୟ, ସେମାନେ କାହାଦ୍ଵାରା ପୂଜ୍ୟ ବୋଲାଇବେ ବୋଲି ମୋଟେ ଜୀବନଟିଏ ବଞ୍ଚନ୍ତିନାହିଁ । ନିଜ ଭିତରେ ସତେଅବା ଅସଲ ସଙ୍ଗୀଟିଏ ରହିଛି ବୋଲି ଅନୁଭବ କରିବାରୁ ସେମାନେ ବାହାରର ଏହି ଆହ୍ଵାନରୂପୀ ଆକାଶଟି ଉପରେ ସତେଅବା ତାରାଟିଏ ଦେଖିବାକୁ ପାଆନ୍ତି ଏବଂ ତାହାରି ନିର୍ଦ୍ଦେଶ ଅନୁସାରେ ବାଟ ଚାଲନ୍ତି । ସାଙ୍ଗ କେତେଜଣ ପାଇଲେ ଅବଶ୍ୟ ଖୁସୀ ହୁଅନ୍ତି ସତ, ମାତ୍ର ସାଙ୍ଗ ନଥିଲେ ଏକାକୀ । ସେମାନଙ୍କୁ ପଚାରିଲେ ସେମାନେ ସର୍ବଦା ନିଶ୍ଚୟ କହିବେ ଯେ, ଏକା ଚାଲୁଥିଲେ ମଧ୍ୟ ସେମାନେ କେବେହେଲେ ଏକାକୀ ଅନୁଭବ କରନ୍ତି ନାହିଁ । ସତେଅବା ଭିତର ବାହାର ପୂରି ହିଁ ରହିଥାଏ । ପୁନଶ୍ଚ ସେମାନେ କିଛି ଶ୍ରେୟର ପରିଚୟ ଦେବାଭଳି ଦିଶୁଥିବା ପରି ମନେ ହେଲେ ଯେଉଁମାନେ ପୂଜ୍ୟ ପୂଜାର କୋଳାହଳଟାଏ କରି ସମ୍ମାନଟାଏ, ଉପାଧିଟାଏ କିମ୍ବା ଅସରପି ପୁଳାଏ ଦେବେ ବୋଲି ଏକ ଅବସର ଜମାଇବାକୁ ବାହାରି ଆସନ୍ତି, ସକଳ ଅର୍ଥରେ ସେମାନେ ମୂଳତଃ ନିଜର ପ୍ରୀତ୍ୟର୍ଥେ ହିଁ ଏସବୁ ଆଡ଼େ ବାତୁଳପ୍ରାୟ ହୋଇଥାନ୍ତି କି ? ସତେଅବା ଏକ ଅନ୍ୟ ଖାସ୍ ସିଦ୍ଧିର ଆକର୍ଷଣରେ ବେଶ୍ ସକ୍ରିୟ ହୋଇ ଉଠିଥାନ୍ତି । ପରାତ୍ପର ପରମେଶ୍ଵରଙ୍କ ପାଖରେ ସେମାନେ ସିନା ପୂରା ଧରା ପଡ଼ି ଯାଉଥିବେ, କିନ୍ତୁ ସିଏ ସେହି କାରଣରୁ ସେମାନଙ୍କୁ ମୋଟେ କୌଣସି ଶାସ୍ତି ଦେଉନଥିବେ । ଏସବୁଥିରେ ଚଗଲା ନହେବା ପାଇଁ ନିଜ ନିମିତ୍ତମାନଙ୍କୁ ଅଧିକ ବଳ ନିଶ୍ଚୟ ଦେଉଥିବେ ।

 

ସେଥିଲାଗି ବିଶ୍ଵନାଥ ପଟ୍ଟନାୟକ ଆମ ମୁଗ୍ଧ ଏବଂ ସରଳମାନଙ୍କ ପାଇଁ କେଡ଼େ ଆଚମ୍ବିତ ଭାବରେ ଜଣେ ମହାପୁରୁଷ ପରି ଦିଅନ୍ତି । ସନ୍ଥ ବୋଲି ଅନୁଭୂତ ହୁଅନ୍ତି । ସେହି ଅର୍ଥରେ ତାଙ୍କୁ ବାବା ବିଶ୍ଵନାଥ ବୋଲି ସମ୍ବୋଧନ କରାଯାଏ । ସିଏ ଯେ ଚିରଦିନ ସାଥୀ ଚାହି ଆସିଛନ୍ତି, ସାଥୀହିଁ ଖୋଜିଛନ୍ତି, ଏପରିକି ସଂସାରର ଏହି ବିଦାୟ ନେବାର ଏପହରଟିରେ ତଥାପି କେବଳ ସାଥୀମାନଙ୍କ ଉପରେ ହିଁ ଭରସା କରିହେବ ବୋଲି ଯେ ଅବିଚ୍ଛିନ୍ନ ଭାବରେ ଆମ ଏତେମାନଙ୍କ ଉପରେ ଭରସା ରଖିଛନ୍ତି, ସେକଥା ତାଙ୍କରି ପରି ବାଟଟିଏ ଚାଲୁଥିଲେ ଯାଇ ଦେଖିହୁଏ । ଏବଂ, ଚାଲ ଭାବିକରି ଥରେ କହିବା ତ, ତାଙ୍କୁ ସନ୍ଥ କିମ୍ବା ମହାପୁରୁଷ କହି ସତେଅବା କେତେ ଦୂରଛଡ଼ା କରି ନେଇ ବସାଇଦେବା ଓ ତାଙ୍କରି ପରି ନିଜ ଜୀବନରେ ବାଟଟିଏ ଚାଲିବା,–କୋଉଟାରୁ ଆମକୁ ଅଧିକ ଆନନ୍ଦ ମିଳିବ ! ସିଏ ଯେଉଁ ବାଟ ଦେଖାଇ ଦେଇଛନ୍ତି ଆମେ ମଧ୍ୟ ସେହି ବାଟଟିକୁ ଚାଲିବା,–ପୃଥିବୀରେ ଏପରି କଥାର କୌଣସି ଅର୍ଥ ନଥାଏ, କାରଣ ଏଭଳି ଘଟଣାଟିଏ କେବେହେଲେ ଘଟେନାହିଁ । ଏକାଧିକ ମନୁଷ୍ୟ କେଉଁ ଗୋଟିଏ ବାଟକୁ ଚାଲିବେ, ସ୍ଵୟଂ ପରମେଶ୍ଵରଙ୍କୁ ମଧ୍ୟ ଏକଥା କଦାପି ଭଲ ଲାଗୁନଥିବ । ତେଣୁ, ଆମେ ପ୍ରତ୍ୟେକେ ହିଁ ବାଟଟିଏ ଚାଲୁଥିବା । ଭିନ୍ନ, ତଥାପି ଅବିଚ୍ଛିନ୍ନ । ପରସ୍ପର ସହିତ ସେହି ଚାଲିବାର ପ୍ରକ୍ରିୟାରେ ସଙ୍ଗୀ ରୂପେ ଭେଟ ହେଉଥିବ । ପୃଥ୍ଵୀବିବର୍ତ୍ତନରେ ସୂତାଗୁଡ଼ିକ ହିଁ ଲାଗି ରହିଥିବେ । ଗୁରୁ ଚାଲୁଥିବେ, ଆମେ ଚାଲୁଥିବା । ଆଜ୍ଞା ଚାଲୁଥିବେ, ଆମେ ଚାଲୁଥିବା । ବାଟ ଚାଲୁଥିବା ପର୍ଯ୍ୟନ୍ତ ଭାବିବାର ଆଉ କିଛି ମଧ୍ୟ ନଥିବ । କାରଣ, ଖାଲି ଆମେ ନୁହେଁ କି ଖାଲି ଆଜ୍ଞା ନୁହନ୍ତି, ସ୍ୱୟଂଭଗବାନ ମଧ୍ୟ ବାଟ ଚାଲୁଥିବା ପରି ପ୍ରତ୍ୟକ୍ଷ ହୋଇ ଯାଉଥିବ । ଭାଗବାନ ଚାଲୁଥିବେ, ଅର୍ଥାତ୍ ପୃଥିବୀ ଅବଶ୍ୟ ଚାଲୁଥିବ ।

 

ଆମର ଏହି ବହୁ ଲମ୍ପଟତା ଦ୍ଵାରା ଅସ୍ତବ୍ୟସ୍ତ ଆଧୁନିକ ସମୟଟିରେ ଯେଉଁ ଖାସ୍ ସିଂହଶାବକମାନେ ଓଡ଼ିଶାକୁ ଦରକାର ହେଲେ ସାରା ବିଶ୍ଵରେ ଏକନମ୍ବର ଆସନରେ ନେଇ ଅଲବତ୍ ବସାଇବେ ବୋଲି କହି ଇତମଧ୍ୟରେ ନିଃସନ୍ଦେହ ଭାବରେ ଆପେ ଜଣେ ଜଣେ ମହାଧନୀ ହେବାର ନିଶା ପଛରେ ମାତିଛନ୍ତି, ସେମାନେ କୃତିସନ୍ତାନ ମାନଙ୍କୁ ବିବିଧ ପୁରସ୍କାର ଦ୍ଵାରା ଆପ୍ୟାୟିତ କରି ସ୍ଵୟଂ ତଦ୍ଦ୍ଵାରା ଆପ୍ୟାୟିତ ହେବାର ଗୁଡ଼ିଏ ପରମ୍ପରା ସୃଷ୍ଟିକରି ରାଜଧାନୀ ବେଶ୍ ଦରବାରମାନ ବସାଇଲେଣି । ରାଜାମାନେ ଯୁଗଟାକୁ କବଳରେ ରଖିବାର ସେହି ସ୍ଵ-ଆଚାରଟାରେ ଏହିପରି ଭାରି ଉତ୍ସାହିତ ହୋଇ ଏବେ ପର୍ବ ମଣ୍ଡାଇ କୋଉ ଅଗ୍ନାଅଗ୍ନି ବନସ୍ତ ଭିତରୁ ନେଉଳଭାଇ ମାନଙ୍କୁ ବରଣି ଆଣି ପୁରସ୍କୃତ କରାଇବାରେ ମତି ଦେଇଥିବା ପରି ମନେ ହେଉଛି । ସେମାନେ ସମ୍ଭବତଃ ନିଜ ହନୁମାନ ଚାଳିଶାଟା ଅନୁସାରେ ଏଇଟିକୁ ମଧ୍ୟ ଆପଣାର ଲକ୍ଷ୍ମୀବାଣିଜ୍ୟଟି ପାଇଁ ଏକ ପବିତ୍ର ଅତ୍ୟାବଶ୍ୟକ କର୍ତ୍ତବ୍ୟ ବୋଲି ନିଶ୍ଚୟ ଧରି ନେଇଥିବେ । ଅତ୍ୟାବଶ୍ୟକ, ତେଣୁ ପବିତ୍ର । ସେହିପରି କତିପୟ ଘଟଣାରେ ଆଜ୍ଞା ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ମଧ୍ୟ କେତେଥର ଆମ ରାଜଧାନୀକୁ ଚିଟୋଉ ପାଇ ଆସିଲେଣି । ନାହିଁ ବୋଲି କହିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ମାତ୍ର, ଯେଉଁମାନେ ପୁରସ୍କୃତ କରାଉଛନ୍ତି, ଅଙ୍ଗବସ୍ତ୍ର ପରିଧାନ କରାଇ ପ୍ରଶସ୍ତିପାତ୍ର ପାଠ କରୁଛନ୍ତି, ସେମାନେ ଏତେ ଦୂରରୁ ଡାକି ଆଣିଥିବା ଏହି ଅତିଥିଟି ବିଷୟରେ ସତକୁ ସତ କେତେ କ’ଣ ଜାଣିଥିବେ ? ସେମାନେ ଏତେ ଛଟା ସହକାରେ ଲେଖି ପଢ଼ୁଥିବା ଶବ୍ଦଗୁଡ଼ିକର ଅର୍ଥ ବିଷୟରେ ମଧ୍ୟ ଆଳୁ ସାରୁ କ’ଣ ବା ଜାଣିଥିବେ ! ସର୍ବୋପରି, ତେଣେ ଆଜ୍ଞା ତଥା ତାଙ୍କ ପରି ଅନ୍ୟ ଏକାଧିକ ଅନ୍ୟଭଳି ଖାସ୍ ଆଖିଗୁଡ଼ିକୁ ନିମିତ୍ତ କରି ପଡ଼ୁଥିବା ମୂଳଦୁଆଟି ଯେ ବର୍ତ୍ତମାନର ଅସୁରତନ୍ତ୍ରର ବିଲୋପସାଧନ ନିମନ୍ତେ ତିଆରି ହୋଇ ଆସୁଛି, ଆପ୍ୟାୟନକାରୀମାନେ ସେହି କଥାଟିକୁ ନିଶ୍ଚୟ କେତେ ପରିମାଣରେ ଜାଣିଥିବେ,–ମାତ୍ର ତଥାପି ସେମାନେ ଯେ ନିଜ ମଜ୍ଜାତଳର କୋଉ ଦୋସରର କଥା ମାନି ସେମାନଙ୍କୁ ଏଠାରେ ଏହି ସହରରେ ସମ୍ମାନ ପ୍ରଦର୍ଶନ କରୁଛନ୍ତି, ତାହାହିଁ ଆମ ଏହି ଜଗତନାମକ ଭାଗ୍ୟଟି ନିମନ୍ତେ ପ୍ରକୃତରେ ଏକାବେଳେକେ କେଡ଼େ ବଡ଼ କଥାଟାଏ !

 

ଆପ୍ୟାୟନକାଳୀନ ଗୋଟାଏ ଛାପା ଫଟୋବନ୍ଧା କାଗଜରେ ଶ୍ରୀ ପଟ୍ଟନାୟକଙ୍କୁ ଗାନ୍ଧିବାଦୀ ବୋଲି ଏକ ଉପଧା ଦେଇ ପ୍ରଶଂସା କରାଯାଇଛି । ଶ୍ରୀ ବିଶ୍ଵନାଥ ଯାହା କିଛି କରିବେ ତଥା ସାଧିବେ ବୋଲି ଉଭୟ ନିଜ ଭିତରୁ ଏବଂ ବୃହତ୍ତର ସମାଜଟିରୁ ସଙ୍କେତ ପାଇଛନ୍ତି, ସେହି ସବୁକିଛି ମହାତ୍ମା ଗାନ୍ଧୀଙ୍କର ପ୍ରେରଣା ବୋଲି ତାଙ୍କ ପାଖରେ ଆସି ଧରା ଦେଇଛନ୍ତି । କିନ୍ତୁ ତା’ ବୋଲି ସିଏ ଆପଣାକୁ ଜଣେ ଗାନ୍ଧୀବାଦୀ ବୋଲି ଠିକ୍ କରି କହିଦେବାରୁ ମୋଟେ ଇଚ୍ଛା କରିବେନାହିଁ । ଗାନ୍ଧୀବାଦ ବୋଲି ସତକୁ ସତ ସେପରି କୌଣସି ତତ୍ତ୍ଵମତ ନାହିଁ ବୋଲି ସ୍ୱୟଂ ମହାତ୍ମା ଗାନ୍ଧୀ ମଧ୍ୟ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି । ହୁଏତ ଏପରି ହୋଇଥିବ ଯେ, ଯେଉଁମାନେ ଗାନ୍ଧୀଙ୍କ ନାମରେ ମୁଖାଟାଏ ପିନ୍ଧନ୍ତି, ଭେଶଟାଏ ଧରନ୍ତି ଅଥବା ଦୋକାନଟାଏ ଖୋଲିଥାନ୍ତି, ସେହିମାନେ ଏକ ଖାସ୍ ଉତ୍ସାହରେ ଆପଣାକୁ ଗାନ୍ଧୀବାଦୀ ବୋଲି ପରିଚିତ କରାନ୍ତି । ପୁନଶ୍ଚ, କିଛି ଅତିରିକ୍ତ ଆଭୂଷଣ ଲଗାଇ ମାନପତ୍ରଟିରେ ଆଜ୍ଞାଙ୍କୁ ‘ସର୍ବୋଦୟ ଚିନ୍ତାଧାରା, ରଚନାତ୍ମକ କାର୍ଯ୍ୟ ଏବଂ ଆଦିବାସୀଙ୍କ ଉନ୍ନୟନ,’-ଏହାହିଁ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କର ଜୀବନସାଧନାର ମୂଳମନ୍ତ୍ର’ ବୋଲି କୁହାଯାଇଛି । ସର୍ବୋଦୟ ଚିନ୍ତାଧାରା, ରଚନାତ୍ମକ କାର୍ଯ୍ୟ ଏବଂ ଆଦିବାସୀଙ୍କ ଉନ୍ନୟନ,-ଏସବୁ କ’ଣ ଖାଲି ଗୋଟାଏ ଗୋଟାଏ ଶବ୍ଦ ? ଆଦର୍ଶବାଦୀ ମାନଙ୍କ ଖିଆଲ ମଧ୍ୟରେ ଆଦର୍ଶ ଯେପରି ଗୋଟିଏ ଶବ୍ଦ, ପରୀକ୍ଷାପାଇଁ ପ୍ରସ୍ତୁତ ହୋଇଥିବା ଇସ୍କୁଲପିଲା ମାନଙ୍କର ମଥା ଭିତରେ ପାଠଗୁଡ଼ାକ ମୁଖ୍ୟତଃ ଯେପରି ବସ୍ତାଏ ବସ୍ତାଏ ଶବ୍ଦ, ନେତାମାନଙ୍କର ତୁଣ୍ଡରେ ଦେଶ, ଜନତା ଏବଂ ଗଣତନ୍ତ୍ର ଯେପରି ତୁଚ୍ଛା ଗୋଟାଏ ଗୋଟାଏ ଶବ୍ଦ, ଆପ୍ୟାୟନ ପ୍ରଦାନ କରା ଯାଉଥିବା ଏହିସବୁ ଅବସରରେ ସତେଅବା କୌଣସି ତେଜରାତି ଦୋକାନରୁ କିଣି ଅଣା ଯାଇଥିବା ସେହିପରି କେତେଟା ଶବ୍ଦକୁ ଲଗାଇଦେଲେ କାହାପ୍ରତି କରା ଯାଉଥିବା ସମ୍ମାନ–ପ୍ରଦର୍ଶନର କାମ ନିଶ୍ଚୟ ସରିଯାଏ ବୋଲି କ’ଣ ଆମର ଏହି ଅସମାଜଟାର ଉଷ୍ମଚିତ୍ତ ଉଦରମାନେ ସତକୁ ସତ ବିଚାର କରିଥାନ୍ତି ?

 

ସର୍ବୋଦୟର ଚ୍ୟାଲେଞ୍ଜ୍‌ଗୁଡ଼ିକୁ ଶୁଣିଲେ ତ ସେମାନଙ୍କର ପ୍ରକୃତରେ ଗୋଟାଏ ହଡ଼କମ୍ପ ହିଁ ଜାତ ହୋଇଯିବ ! ହଁ, ସମସ୍ତଙ୍କର ଉଦୟ । ମଣିଷମାତ୍ରକେ ସମସ୍ତଙ୍କର । ସବୁ ମନୁଷ୍ୟଙ୍କ ପାଇଁ ମନୁଷ୍ୟ ସ୍ଵୀକୃତି । ଏକାବେଳେକେ ସବାତଳେ ରହି ଉପରର ଅଳ୍ପ କେତେକଙ୍କର ଦୟାର ପାତ୍ର ହୋଇ ପଡ଼ି ରହିଥିବା ତଥାପି ସେହି ମନୁଷ୍ୟମାନଙ୍କର ଗୁହାମୁକ୍ତି । ଇଂଲଣ୍ଡର ଜଣେ ଭବିଷ୍ୟ–ବିଚାରକାର ଯାହାକୁ ଏକଦା ଅନ୍ତ୍ୟୋଦୟ ବୋଲି କହିଥିଲେ, ଗାନ୍ଧୀଜୀ ସେଇଟିର ପ୍ରେରଣା ଲାଭ କରି ଆମ ଦେଶର ଭାଷାର ତାହାକୁ ସର୍ବୋଦୟ ବୋଲି କହିଲେ । ତେଣୁ, ଦେଶରେ, ସମାଜରେ, ତୁମ ଆମ ଗ୍ରାମବସତି ମାନଙ୍କରେ ଅଳ୍ପ କେତେଜଣ ବଣି ବନି ପୂରା ସମାଜଟାକୁ ଝିଣ୍ଟିକା କରି ରଖିଥିବେ, ଅଳ୍ପ କେତେଜଣ ହିଁ ଆପଣାକୁ ଦେଶ ବୋଲି ମାନୁଥିବେ, ଅଳ୍ପ କେତେଜଣ ମୋଟା ମୋଟାଙ୍କର ବପୁ ବଢ଼ିବାକୁ ସମଗ୍ର ଦେଶର ବିକାଶ ବୋଲି ଧାରା ଯାଉଥିବ, ଶାସନଟା ଅଳପଙ୍କ ଦ୍ଵାରା ଅଳପଙ୍କର ଉଦୟେ ନିମନ୍ତେ ଚାଲୁଥିବ, ଏହି ସବୁକିଛିର ବିଲୋପସାଧନ,–ଏହାହିଁ ହେଉଛି ସର୍ବୋଦୟ ନାମକ ସେହି ବିପ୍ଳବମୂଳ ବିଚାରଟିର ଲକ୍ଷ୍ୟ । ଆଦୌ ଗୋଟାଏ ଧର୍ମବ୍ୟାପାର ନୁହେଁ, ଏକ ଦୟାପ୍ରଦର୍ଶନ ମଧ୍ୟ ନୁହେଁ । ତେଣୁ, ସକଳ ଅଧ୍ୟାତ୍ମନ୍ୟାୟର ସର୍ବମୂଳ କଥା । ସକଳ ମନୁଷ୍ୟ ସେହି ଜଣେ ଭଗବାନଙ୍କର ସର୍ଜନା ବୋଲି ମାନୁଥିବା ଏକ ନିରନ୍ତର ଅଧ୍ୟାତ୍ମବ୍ରତ । ଏବଂ, ଉପରେ ବଣି ହୋଇ ବସି ଏହି ଯୁଗଭାଗ୍ୟଟିକୁ ନିଜର ହାତମୁଠାରେ ଜବତ କରି ରଖିଥିବା ସାଧବପୁଅମାନେ ଯଦି ଏକ ଆପ୍ୟାୟନ ଦେବାର ରାଜକୀୟତାରେ ସର୍ବୋଦୟକୁ ସ୍ଵୀକୃତି ପ୍ରଦାନ କରିବାକୁ ମନସ୍ଥ କରନ୍ତି, ସେମାନଙ୍କୁ ସେତେବେଳେ ବହୁତ ବହୁତ ଅନ୍ତଃସଙ୍କଟରେ ପଡ଼ିବାରେ ହେଉଥିବ । ସମ୍ଭବତଃ, ଗୋଟିଏ କଥାକୁ ମନେ ପକାଇ ସେମାନେ ବହୁତ ଆଶ୍ଵସ୍ତ ଅନୁଭବ କରୁଥିବେ ଯେ, ଏଇଟି ମୋଟେ ଜୀବନ ନୁହେଁ; ଏଇଟି ଏକ ସଭାଘର, ଆପ୍ୟାୟନ–ପ୍ରଦାନର ଗୋଟିଏ ଗୋଟିଏ ପର୍ବମାନ । ଏହାପରେ ସେମାନେ ପୁନର୍ବାର ନିଜନିଜର ପୂର୍ବ ଧର୍ମଟିକୁ ବାହୁଡ଼ିଯିବେ, ପୂରାପଣେ ସେହି ପୂର୍ବର ଭୂମିକାଟିକୁ, ଯାହା ସେମାନଙ୍କୁ ଏତେ ଏତେ ଭାଗ୍ୟରେ ମଣ୍ଡିତ କରି ରଖିଛି ଓ ଭଳି ଭଳି ଆପ୍ୟାୟନ ପ୍ରଦାନ କରିବା ଲାଗି ଖାସ୍ ସମର୍ଥଟିଏ ପ୍ରଦାନ କରିଛି । ଏହିପରି କୌଣସି ମୋହଭଙ୍ଗ ହିଁ ନିଶ୍ଚୟ ସେମାନଙ୍କୁ ପୃଥିବୀଟା ଯେଉଁପରି ଅଛି, ସେହିପରି କରି ରଖିବା ଲାଗି ବଳ ମଧ୍ୟ ପ୍ରଦାନ କରୁଥିବ ।

 

ରଚନାତ୍ମକ କାର୍ଯ୍ୟକ୍ରମ ହେଉଛି ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଏକଦା ପ୍ରାଣୀତ ଏକ ଲୋକ-ଜାଗରଣର କାର୍ଯ୍ୟକ୍ରମ ଏବଂ ତେଣୁ ଯଥାର୍ଥରେ ଏକ ଲୋକସେବାରେ ହିଁ କାର୍ଯ୍ୟକ୍ରମ । ଜଡ଼ତା ଦୂର କରିବାର, ଭାଗ୍ୟବାଦ ନାମକ ଏକ ମହାପାତକର ଚକ୍ରାନ୍ତକୁ ଅସ୍ଵୀକାର କରି ଆପଣାକୁ ଓ ଆପଣାର ସମାଜକୁ ଏକ ଅନ୍ୟ ଆତ୍ମମୂଲ୍ୟ ଦେଇ ଅନୁଭବ କରିବାର ଦ୍ଵାରୋଦ୍‌ଘାଟନ । ଏକ ଅନ୍ୟଭଳି ଅର୍ଥନୀତି, ଅନ୍ୟ ସମାଜବ୍ୟବସ୍ଥାର ନକ୍ସା ଏବଂ ସେହି ଅନୁସାରେ ଏକ ଅନ୍ୟ ରାଜନୀତି । ଷୋଳସୂତ୍ରୀ ସେହି କାର୍ଯ୍ୟକ୍ରମଟି ଭିତରେ ଏକ ପୂର୍ଣ୍ଣ ନାଗରିକ ସଚେତନାର ଉତ୍ସମୂଳ ଗୁଡ଼ିକ ଅନ୍ତର୍ନିହିତ ହୋଇ ରହିଛି । ଏକ ଜାତୀୟ କାର୍ଯ୍ୟକ୍ରମ ଏବଂ, ସକଳ ପ୍ରାସଙ୍ଗିକତା ସହିତ ତାହାକୁ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ବୋଲି କୁହାଯାଇ ପାରିବ । ସ୍ଵାଧୀନତା ଆସିବା ପୂର୍ବରୁ ଗାନ୍ଧୀଜୀ ସଂପୃକ୍ତ ସମସ୍ତଙ୍କ ଲାଗି ସେହି କାର୍ଯ୍ୟକ୍ରମଟିର ପ୍ରଣୟନ କରି ସାରିଥିଲେ । ସ୍ଵାଧୀନତା ଆନ୍ଦୋଳନ ଲାଗି ଭାରତୀୟ ଜନମନକୁ କ୍ରମଗଠିତ କରି ଆଣିବାରେ ତାହାର ଏକ ସ୍ପଷ୍ଟ ଅବଦାନ ଅବଶ୍ୟ ରହିଛି । ତତ୍କାଳୀନ କଟକ ଜିଲ୍ଲାର ବରୀ ଓ ରାମଚନ୍ଦ୍ରପୁରକୁ କେନ୍ଦ୍ର କରି ଯେଉଁ ପୂର୍ଣ୍ଣନିଷ୍ଠ ସଘନ କାର୍ଯ୍ୟକ୍ରମଟି କ୍ରିୟାଶୀଳ ହୋଇଥିଲା, ‘ଭାରତ ଛାଡ଼’ ଆନ୍ଦୋଳନରେ ତାହାର ଅତ୍ୟନ୍ତ ପ୍ରଭାବ ପରିଦୃଷ୍ଟ ହୋଇଥିଲା । ବହୁ ବନ୍ଧୁ କାରବରଣ କରିଥିଲେ ଏବଂ ସଂଗ୍ରାମଟିରେ ପ୍ରତ୍ୟକ୍ଷ ଭାଗ ନେଇଥିଲେ । ଗୁଳିକାଣ୍ଡ ହୋଇ ହତ୍ୟା ହୋଇଥିଲା । ତତ୍କାଳୀନ ସରକାର ସତେଅବା ଏହିସବୁ ଲୋକବିକ୍ଷୋଭ ସକାଶେ ରଚନାତ୍ମକ କାର୍ଯ୍ୟକେନ୍ଦ୍ରଟିକୁ ମୁଖତଃ ଦାୟୀ ବୋଲି ଖୁବ୍ ବୁଝି ପାରିଥିଲେ ଏବଂ ଅତ୍ୟନ୍ତ ପ୍ରତିଶୋଧ–ପରାୟଣ ହୋଇ ସେଇଟିକୁ ଧ୍ଵସ୍ତ ବିଧ୍ଵସ୍ତ କରି ପକାଇଥିଲେ । ଘର ପୋଡ଼ିଥିଲେ ଏବଂ ପିଟୁଣି ଟିକସ ବସାଇଥିଲେ ।

 

ରଚନାତ୍ମକ କାର୍ଯ୍ୟକ୍ରମରେ କେବଳବ ତଥାକଥିତ କେତେକ କାର୍ଯ୍ୟକ୍ରମ ରଖା ଯାଇନଥିଲା; କେତେକ ମୂଳ ଜୀବନଦୃଷ୍ଟିର ଦ୍ୟୋତନା ମଧ୍ୟ ଅନ୍ତର୍ଭୁକ୍ତ ହୋଇ ରହିଥିଲା । ଏପରିକି, ତଥାକଥିତ କାର୍ଯ୍ୟକ୍ରମ ମାନଙ୍କରେ ମଧ୍ୟ ଏକ ଅନ୍ୟ ସାମାଜିକ ସୁସ୍ଥତାର ପ୍ରତିଶ୍ରୁତିଗୁଡ଼ିକ ସଂପୂର୍ଣ୍ଣ ସ୍ପଷ୍ଟ ଭାବରେ ଦିଶି ଦିଶି ଯାଉଥିଲା । ଖଦୀ, ଗ୍ରାମୋଦ୍ୟୋଗ, ରାଷ୍ଟ୍ରାଭାଷାର ପ୍ରସାର କୁଷ୍ଠରୋଗର ଦୂରୀକରଣ, ନିଶା–ନିବାରଣ ଏବଂ ଏପରିକି ମୌଳିକ ଶିକ୍ଷାର ପ୍ରୟୋଗ,–ଏଗୁଡ଼ିକର ପଶ୍ଚାତରେ ମଧ୍ୟ ଏକ ଅନ୍ୟ ସାମାଜିକ ସହଜୀବନର ଆହ୍ଵାନ ମଧ୍ୟ ପ୍ରତ୍ୟକ୍ଷ ହୋଇ ରହିଥିଲା । ସାମ୍ପ୍ରଦାୟିକ ଏକତା, ସବୁଧର୍ମକୁ ସମାନ ଦୃଷ୍ଟିରେ ଦେଖିବା,–ଏଗୁଡ଼ିକ କ’ଣ କେବଳ ଗୋଟିଏ ଗୋଟିଏ କାର୍ଯ୍ୟକ୍ରମ ? ସେହିପରି ଅସ୍ପୃଶ୍ୟତା–ନିବାରଣ । ତତ୍କାଳୀନ ସାମାଜିକ ଚଳଣିଗୁଡ଼ିକ ଉପରେ ଗୋଟିଏ ଗୋଟିଏ ପ୍ରହାର । ପୁଣି, ଅର୍ଥନୈତିକ ସମାନତା । ମହାତ୍ମା ଗାନ୍ଧୀ ତ କେଡ଼େ ସିଧା କରି କହି ଦେଇଥିଲେ ଯେ, ସ୍ଵାଧୀନ ଭାରତରେ ପଞ୍ଚତଳ ପ୍ରସାଦ ଏବଂ ଦରିଦ୍ର ମଣିଷର ଜୀର୍ଣ୍ଣ କୁଟୀର ମଧ୍ୟରେ କୌଣସି ସହାବସ୍ଥାନରେ କଦାପି ରହିବ ନାହିଁ । ସ୍ଵାଧୀନତା ଆସିବାର ଷାଠିଏ ବର୍ଷ ବ୍ୟତୀତ ହୋଇ ଯାଇଥିଲେ ମଧ୍ୟ ଏଗୁଡ଼ିକ ଆମ ଭାରତବର୍ଷରେ ତଥାପି ଦୂର ସ୍ଵର୍ଗଫଳ ସଦୃଶ ହିଁ ହୋଇ ରହିଛି । କେତେ ନା କେତେ ମଥା ଖର୍ଚ୍ଚ କରି ନୂଆ ସଂବିଧାନଟିଏ ଗଢ଼ା ହୋଇଥିଲେ ମଧ୍ୟ ସରକାରମାନେ ବିଶେଷ କୌଣସି ସମର୍ଥତାର ପ୍ରମାଣ ଦେଇ ପାରିନାହାନ୍ତି । କୋଟି କୋଟି ମନୁଷ୍ୟ ମଧ୍ୟ ସତେଅବା ସେହି ପୁରୁଣା ଅନ୍ଧାରଗୁଡ଼ାକରେ ତଥାପି ରହି ସତେଅବା ପ୍ରାୟ ସବୁକିଛିକୁ ସହି ଯାଉଛନ୍ତି ।

 

ହଁ, ସ୍ଵୀକୃତି–ସୂଚକ ଉକ୍ତ ମାନପତ୍ରଟିରେ ଶ୍ରୀଯୁକ୍ତ ବିଶ୍ଵନାଥ ‘ପଟ୍ଟନାୟକଙ୍କର ଆଦିବାସୀଙ୍କର ଉନ୍ନୟନ ବିଷୟରେ ମଧ୍ୟ ଉଲ୍ଲେଖ କରା ଯାଇଥିଲା । ଦେଶରେ ଆମ ସରକାରୀ ଖାତାମାନଙ୍କରେ ଆଦିବାସୀମାନେ ଏବେ ମଧ୍ୟ ଆଦିବାସୀ ହୋଇ ରହିଛନ୍ତି ଏବଂ ଅଣଆଦିବାସୀ ମଧ୍ୟସ୍ଥମାନେ ସେଗୁଡ଼ିକର କାରବାର କରୁଛନ୍ତି । ଆଦିବାସୀମାନେ ଏକଥା ଖୁବ୍ ଜାଣୁଛନ୍ତି ସିନା, କିନ୍ତୁ ପାଟି ଫିଟାଇ ପାରୁନାହାନ୍ତି । ସହରୀ ଚାଇଁଗିରି ଗୁଡ଼ାକ ତାକୁ ମୂକପ୍ରାୟ କରି ରଖିଛି । ତା’ ହାକିମମାନେ ତା’ ଭାଷା ବୁଝୁନାହାନ୍ତି । କୁଆଡ଼ୁ ମସ୍ତ ମସ୍ତ କୋମ୍ପାନୀମାନେ ସରକାରଙ୍କଠାରୁ ଆଦେଶପତ୍ରମାନ ହାସଲ କରି ତା’ ଗାଆଁରେ କୋରଡ଼ କରି ଧନ ପାଇବେ ବୋଲି ଆସି ପହଞ୍ଚି ଯାଉଛନ୍ତି ଓ ସିଏ ଅତର୍ଚ୍ଛ ହୋଇ ପ୍ରତିବାଦ କଲେ ବନ୍ଧୁକବାଲେ ତାକୁ ଲାଛିବେ ବୋଲି ମାଡ଼ି ଆସୁଛନ୍ତି । ଆଇନ ଏବଂ ଶୃଙ୍ଖଳାକୁ ସବାଆଗ ମାନୁଥିବା ସରକାର କେଡ଼େ ନିର୍ମଳ ଭାବରେ ତା’ର ବଇରୀ ହୋଇ ଯାଉଛନ୍ତି । ତା’ ପ୍ରତି ପ୍ରୟୋଗ କରା ଯାଉଥିବା ଏହି ଆଇନଗୁଡ଼ାକ ଯେ ଏଣୁ ଏକପାଖିଆ ଭାବରେ ତିଆରି ହୋଇଛି, ସରକାର ଅତ୍ୟନ୍ତ ଭଲ ଭାବରେ ତାହା ଜାଣିଥିଲେ ମଧ୍ୟ ତଥାପି ନିଜର ଅପକୀର୍ତ୍ତି ମାନଙ୍କୁ ଛାଡ଼ି ପାରୁନାହାନ୍ତି । ସମ୍ଭବତଃ ଭୟ କରୁଛନ୍ତି । ଆଜ୍ଞା ଶ୍ରୀ ବିଶ୍ଵନାଥ ପଟ୍ଟନାୟକ କଦାପି ଏହି ସ୍ଥିତିରେ ଆଦିବାସୀ ମାନଙ୍କର ଉନ୍ନୟନ ହେଉଛି ବୋଲି କହିବାକୁ ଇଚ୍ଛା କରିବେନାହିଁ । ତେଣୁ, ତଥାପି ସେହି ମୂଳ କଥାଟି; ଯେଉଁ ବର୍ଗଟା ସର୍ବୋଦୟ, ରଚନାତ୍ମକ କାର୍ଯ୍ୟକ୍ରମ ତଥା ଆଦିବାସୀ–ଉନ୍ନୟନର ଧାର ଧାରେ ନାହିଁ ଏବଂ, ଦେଶଟା ଯେଉଁଭଳି ରହିଛି, ସେହିଭଳି ହିଁ ରହିଲେ ତା’ପାଇଁ ସଂପୂର୍ଣ୍ଣ ଲାଭଜନକ ହେବ ବୋଲି ଖୁବ୍ ବୁଝିଛି, ସିଏ ରାଜଧାନୀରେ ସଭାମାନ ମଣ୍ଡାଇ ‘ଆଜ୍ଞା’ଙ୍କ ପରି ଅଡ଼ୁଆ ମଣିଷମାନଙ୍କୁ ସମ୍ମାନ ଦେବାକଥା କିପରି ଚିନ୍ତା କରୁଛି ଓ ହୁଏତ ଆବଶ୍ୟକ ବି ମନେ କରୁଛି ସେକଥା କିଏ ଗୁମରଟାକୁ ଖୋଳି ପ୍ରକୃତରେ ବାହାର କରି ପାରିବ ? ସାରା ଦେଶଟା ବର୍ତ୍ତମାନ ସେହି ଗୁମରଗୁଡ଼ିକ ଦ୍ଵାରା ହିଁ ପରିଚାଳିତ ହେଉଛି ବୋଲି ବେଳେ ବେଳେ ଭାରି ଘ୍ରାଣ ବି କରି ହୁଏ । ସମ୍ମାନଫଳକର ଭାଷାଟା ମଧ୍ୟ କେଡ଼େ ମଞ୍ଜୁଳ, କେତେ ନା କେତେ ଏକ ଖାସ୍ ସାହିତ୍ୟିକ ଶୈଳୀର । ଏତେ ଚକଚକ ବହୁରଞ୍ଜନରେ ଫନ୍ଦା ନିଶ୍ଚୟ ହୋଇଛି ଯେ, ତା’ ଭିତରେ ସେପରି କୌଣସି ଗଭୀରତା ମୋଟେ ନାହିଁ ବୋଲି ସିଧା ଧରା ପଡ଼ି ଯାଉଛି । ସମ୍ମାନ ପ୍ରତି ସଦା ଉଦାସୀନ ଆଜ୍ଞା ଏହି ଶବ୍ଦଗୁଡ଼ିକୁ ଶୁଣି ସେହି ସଭାଘରର ଉତ୍ସବ–ଆୟୋଜନ ଭିତରେ ମଧ୍ୟ ମୋଟେ ଚହଲି ପଡ଼ିନଥିବେ ।

 

ଭାରତବର୍ଷ ନିଜ ପାଇଁ ଏକ ଆବଶ୍ୟକ ସଂବିଧାନର ନକ୍‌ସା କାଟି ବିଗତ ଷାଠିଏ ବର୍ଷ ଏତେ ଏତେ ପରିପାଟୀରେ ଏକ ସରକାର ଦ୍ଵାରା ପାଞ୍ଚଣ ପିଟା ହୋଇ ଖଲେଇ ଖଲେଇ ଚାଲୁଥିବା ପରି ଦେଖା ଯାଉଥିଲେ ମଧ୍ୟ ଏହି ଦେଶରେ ସଂଗ୍ରାମମାନ ତଥାପି ସରିନାହିଁ ବୋଲି ବହୁତ ବ୍ୟକ୍ତି ତଥାପି ଖୁବ୍ ଉତ୍ତମ ପ୍ରକାରେ ଉପଲବ୍ଧି କରୁଛନ୍ତି । ସଂଗ୍ରାମ ସରିଯାଇଛି ବୋଲି ସଂପୂର୍ଣ୍ଣ ଭାବରେ ଧରି ନେଇଥିବା ସରକାର ଏଣିକି ଏହି ଦେଶଟାକୁ ନିଶ୍ଚିତ ହୋଇ ଯୁଆଳିରେ ଯୋଚି ଚଲାଇହେବ ବୋଲି ଆପଣାର ସବୁକିଛି ଧର୍ମ ବୋଲି ଗ୍ରହଣ କରି ନେଉଛନ୍ତି । ସରକାର ସମ୍ଭ୍ରାନ୍ତମାନଙ୍କ ପଟେ, ବିତ୍ତଶାଳୀମାନଙ୍କ ପଟେ, ନାନା ଲଜ୍ଜାକର କ୍ଷୁଦ୍ର ସ୍ଵାର୍ଥରେ ଥଲ ଥଲ ହୋଇ ରହିଥିବା ଏକ ବହୁ କୁ–ମତଲବଯୁକ୍ତ ରାଜନୀତି ପଟେ, ଶୋଷଣ ପଟେ । ଯାବତୀୟ ଶିକ୍ଷାବ୍ୟବସ୍ଥା ମଧ୍ୟ ସେହି ଅନୁସାରେ, ବହୁ ବିଶେଷସ୍ଵାର୍ଥକୁ ଚିରସ୍ଥାୟୀ କରି ରଖିବା ସକାଶେ ଚଉକିଆମାନଙ୍କର ଗୋଟିଏ ପଲଟଣ ସୃଷ୍ଟି କରିବାର ପକ୍ଷରେ । ବିଶ୍ଵନାଥ ପଟ୍ଟନାୟକଙ୍କର ବିଚାରରେ ନ୍ୟାୟ, ଧର୍ମ ତଥା ଯାବତୀୟ ନାଗରିକ ସଚେତନତା ଏକାବେଳେକେ ସବୁ ଭାରତବାସୀଙ୍କର ସ୍ତରଯାଏ ପହଞ୍ଚିବାକୁ ହେଲେ ଆହୁରି ଏକ ବିପ୍ଳବ ଦରକାର ବୋଲି ସେ ବିଶ୍ଵାସ କରି ଆସିଛନ୍ତି; ରାଜନୀତିକ ସ୍ଵାଧୀନତା ମୋଟେ ସବୁକିଛି ନୁହେଁ ବୋଲି ଭଲ କରି ବୁଝିଛନ୍ତି । ସେଥିପାଇଁ ଏକ ଅନ୍ୟପରି ଦେଶବ୍ୟବସ୍ଥା,–ଅନ୍ୟ ପାରସ୍ପରିକତା, ଅନ୍ୟ ହିସାବର ଶିକ୍ଷା, ଅନ୍ୟ ପ୍ରକାରର ଶାସନଯନ୍ତ୍ର ଏବଂ ଅନ୍ୟ ଆର୍ଥିକ ସମୀକରଣ । ମାତ୍ର କେତେକଙ୍କର ମେଦସମୃଦ୍ଧି ନୁହେଁ,-ସର୍ବୋଦୟ । ଭାରତବର୍ଷର ବିଶ୍ଵବିଦ୍ୟାଳୟ ହେଉଛି ଦେଶରେ ସ୍ଥିତାବସ୍ଥାମାନ ବଜାୟ ରଖିବାକୁ ସତେଅବା ଏକା ଠିକାଦାରୀ ସଂସ୍ଥା ଓ ସିରସ୍ତା । ସେହି ଉପନିବେଶକାଳର ଯାବତୀୟ ଅଶିକ୍ଷାର ଗୋଟାଏ କାରଖାନା,–ଗୋଟାସୁଦ୍ଧା ସେଇ ପୁରୁଣା ଛାଞ୍ଚସବୁର ପ୍ରାୟ ଏକ ମସ୍ତିଯୁକ୍ତ ଅନୁକରଣରରେ । ତେଣୁ, ଚାଲ ତଥାପି ସାଷ୍ଟାମ ହୋଇ ଭାବି କହିବା ତ କେଉଁ ନିଶାର ବଶବର୍ତ୍ତୀ ହୋଇ ଏକ ଏହିମାର୍କା ବିଶ୍ଵବିଦ୍ୟାଳୟ ଆଜ୍ଞାଙ୍କ ପରି ଗୋଟାଏ ଏକାବେଳେକେ ଅନ୍ୟଧାତୁ କିମ୍ଭୁତକୁ ନିଜ ଖାଦାନର ସର୍ବୋଚ୍ଚ ଡିଗ୍ରୀଟାକୁ ପ୍ରଦାନ କରି ଆପ୍ୟାୟିତ ହେବାକୁ ମନ ବି କରେ ?

 

ଅନ୍ତତଃ କେତେ କ୍ଷଣ ନିମନ୍ତେ ଗଙ୍ଗାସ୍ନାନ କରୁଥିବା ପରି ଅନୁଭବ କରେ କି ? ଏବଂ ସେହି କାରଣରୁ ପ୍ରାୟ ଅଣଅକ୍ତିଆର ଭାବରେ ବଢ଼ିଆ ବଢ଼ିଆ ଶବ୍ଦରୋପଣ ଦ୍ଵାରା ଗଦ୍‌ଗଦ ଚିତ୍ତମୁଦ୍ରାରେ “ଆଜ୍ଞା ଆଜିର ଏ ଶୁଭ ଅବସରରେ କୃତଜ୍ଞ ଜାତିର ସବୁ ମଣିଷଙ୍କୁ ତାଙ୍କୁ ଶୁଭାଶୀର୍ବାଦ ବିତରି ଯାଆନ୍ତୁ । ପୁଷ୍ପାର୍ଘ୍ୟ ଦେଇ ତାଙ୍କୁ ସମ୍ମାନ ଜଣାଇ ପାଦସେବା କରିବାର ସୌଭାଗ୍ୟ ବନବାସୀ ଜନଜାତିଙ୍କୁ ସବୁଦିନ ମିଳୁ । ସେ ଅଜ୍ଞାନ ଅନ୍ଧାକରକୁ ଆଡ଼େଇ ଜ୍ଞାନର ଆଲୋକ ପ୍ରଦାନ କରି ଗାଁ’ ଗାଁ’ରେ, ଘରେ ଘରେ ପ୍ରଜ୍ଜ୍ୱଳନ କରିଥିବାରୁ ଶତକୋଟି ପ୍ରଣାମ” ତାଙ୍କ ସମ୍ମୁଖରେ ଛିଡ଼ା ହୋଇ ପ୍ରଶସ୍ତି ଗାୟନ କରୁଥାଏ କି ? ଦେଶର ନିୟତିଟା ଉପରେ ନାନାଭଳି ଅଶୁଭର ଆଡ୍ଡା ଜମାଇ ରହିଥିବା ଏହି କୁରୁଶ୍ରେଷ୍ଠମାନେ ଯଦି ଦେଶ ସ୍ଵାଧୀନ ହେଲା ବୋଲି ଅନ୍ତତଃ କିଞ୍ଚିତ୍ ସଚେତନା ହୋଇ ଲୋକଜୀବନର ଏକ ପ୍ରାସଙ୍ଗିତାର ଆଧାର ଉପରେ ଶିକ୍ଷାର ବିଚାର କରି ପାରିଥାନ୍ତେ, ତେବେ ସେତିକିଦ୍ଵାରା ମଧ୍ୟ ଆମର ଏହି ସର୍ବୋଚ୍ଚ ଶିକ୍ଷାଡ଼ିହ ଗୁଡ଼ିକ ତ ଆମ ସମସ୍ତଙ୍କର ବସ୍ତୁତଃ କେତେ ନା କେତେ କାମରେ ଲାଗି ପାରିଥାନ୍ତେ । ଏକାଧିକ ଶିକ୍ଷା–କମିଶନ ବସିଲା, ଧିସାଗୁଡ଼ିକର ପରିବର୍ତ୍ତନ ବିଷୟରେ କେତେ କ’ଣ ସୁପାରିଶମାନ ହେଲା; ଅଥଚ କୌଣସି ପରିବର୍ତ୍ତନ ହେଲାନାହିଁ । ଏବଂ, ଆମର ଏହି ଉଚ୍ଚତମ ବିହାରମାନେ ସମ୍ଭବତଃ ସେଥିରେ ସବୁଠାରୁ ଅଧିକ ପରିଣାମରେ ଆଶ୍ଵସ୍ତ ହୋଇ ରହିଗଲେ ଓ ରକ୍ଷଣଶୀଳ ହୋଇ ରହିଲେ । ତଦ୍ଦ୍ଵାରା ଖୁବ୍ ଲାଭବାନ୍ ହେଲେ । ବିଶ୍ଵନାଥ ପଟ୍ଟନାୟକ ଭାରତବର୍ଷର ଲୋକସମାଜକୁ ଗୋଟାସୁଦ୍ଧା ତଳୁ ମଜବୁତ କରି ଗଢ଼ି ଆଣିବାକୁ ଯେଉଁ ପ୍ରୟାସମାନ କରି ଆସିଛନ୍ତି, ସେଇଟିକୁ ତ ସକଳ ସାଧୁତା ସହିତ ଏହି ଉଚ୍ଚସ୍ଥ ଶିକ୍ଷାପତି ମାନଙ୍କର ସଂପୂର୍ଣ୍ଣ ବିରୋଧୀ ବୋଲି କୁହାଯିବ । ଗୋଟାଏ ପାଖରେ ନାନାପ୍ରକାରେ ମୁଗ୍ଧ କରି ରଖିବାର ଏକ ଅଶିକ୍ଷା ଏବଂ ଅନ୍ୟ ପାଖରେ ଆଜ୍ଞାଙ୍କ ଦ୍ଵାରା ପରିଚାଳିତ ନାନା ମାର୍ଗରେ ଲୋକମାନଙ୍କର ଭୟକୁ ଭାଙ୍ଗି ଦେବାର ଏବଂ ଆଖିମାନଙ୍କୁ ଖୋଲି ଆଣିବାର ଏକ ସକଳାଙ୍ଗ ଷଡ଼ଯନ୍ତ୍ର । ମନୁଷ୍ୟମାନଙ୍କୁ ସେମାନଙ୍କର ମନୁଷ୍ୟତ୍ଵ ବିଷୟରେ ସତକୁ ସତ ଉଦ୍‌ବୁଦ୍ଧ କରି ଆଣିବାରେ ହିଁ ଗୋଟିଏ କାର୍ଯ୍ୟକ୍ରମ । ସେହି ସମ୍ମାନକୁ ଗ୍ରହଣ କରୁଥିବା ସମୟରେ ଆଜ୍ଞାଙ୍କ ମନରେ ହୁଏତ ଏହିପରି କିଛି ପ୍ରତିକ୍ରିୟା ଯେ ହେଉନଥିବ, ସେକଥା କିଏ କହିବ ?

 

ଡିଗ୍ରୀ-ପ୍ରଦାନର ସେହି ଉପଲକ୍ଷ୍ୟରେ ଖୁବ୍ ବର୍ଣ୍ଣାଢ଼୍ୟ ଭାବରେ ଛପା ହୋଇଥିବା ପରିଚିତିପତ୍ରଟିର ସ୍ପଷ୍ଟ ଭାବପ୍ରବଣତା ଗୁଡ଼ିକୁ ସଂପୂର୍ଣ୍ଣ ସ୍ପଷ୍ଟ ହୋଇ ଯାଉଛି, ସତେ ଯେପରି କର୍ତ୍ତାମାନେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ କେବଳ ଆଜ୍ଞା ବୋଲି ସମ୍ବୋଧନ କରିବାକୁ ଇଚ୍ଛା କରିଛନ୍ତି । ସେଥିପାଇଁ ତାଙ୍କ ବିଶ୍ଵନାଥ ପଟ୍ଟନାୟକର ନାମଟିକୁ ପ୍ରାୟ ପାସୋରି ଦେବାପାଇଁ ଇଚ୍ଛା କରିଛନ୍ତି । କୋରାପୁଟ ଜିଲ୍ଲାର ସଉରା ଆଦିବାସୀଙ୍କ ସହିତ କିଛି ଏକାତ୍ମକତା ଅନୁଭବ କରି ହୁଏତ ଅଧିକ ପୁଲକିତ ଅନୁଭବ କରିଛନ୍ତି । ପ୍ରକୃତରେ ବଡ଼ କଉତୁକିଆ ଘଟଣାଟାଏ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ବରୀରୁ ଆସି ଶ୍ରୀ ପଟ୍ଟନାୟକ ଯେତେବେଳେ ନିଜପାଇଁ ମୂଳଦୁଆଟିଏ ଖୋଜି ଗୁଣୁପୁରରେ ଆସି ପହଞ୍ଚିଥିଲେ, ସେତେବେଳେ ଆଖପାଖର ଶବରମାନେ ତାଙ୍କୁ ‘ଆଜ୍ଞା’ ବୋଲି ସମ୍ବୋଧନ କରିଥିଲେ । ତାଙ୍କୁ ମଧ୍ୟ ସବୁ ବହିରାଗତଙ୍କ ପରି ଜଣେ ବହିରାଗତ ବୋଲି ଜାଣି ସେହିପରି ଗୋଟିଏ ଅର୍ଥ ଦେଇ ତାଙ୍କୁ ଚିହ୍ନିଲେ । ସେହି ଚଳଣିଟିକୁ ସେମାନେ ଏବେ ମଧ୍ୟ ସବୁ ବହିରାଗତଙ୍କ ନିମନ୍ତେ ପ୍ରୟୋଗ କରୁଛନ୍ତି । ମାତ୍ର, ‘ଆଜ୍ଞା’ କହିଲେ ସେମାନେ ଆଉ ଏକ ତାତ୍ପର୍ଯ୍ୟ ସହିତ ଯେଉଁ ଜଣେ ମାତ୍ର ବ୍ୟକ୍ତିଙ୍କୁ କେଡ଼େ ସ୍ଵାଭାବିକ ଭାବରେ ବୁଝିଛନ୍ତି, ସିଏ ହେଉଛନ୍ତି ସେହି ବିଶ୍ଵନାଥ ପଟ୍ଟନାୟକ, କେବଳ ସେହି ଜଣେ ମାତ୍ର ବ୍ୟକ୍ତି । ସିଏ ଏବେ ଆଦୌ ଜଣେ ବହିରାଗତ ଯିଏ ସିଏ ନୁହନ୍ତି, ପୂର୍ଣ୍ଣ ନୈକଟ୍ୟବୋଧର ଗୋଟିଏ ଜୀବନ୍ତ ପ୍ରତୀକ । ସେତେବେଳେ ସିଏ ସେମାନଙ୍କର ନିଜ ପାଖରେ ଛିଡ଼ା ହୋଇଥିବା ଏବଂ ସର୍ବଦା ସେମାନଙ୍କ ସହିତ ସଙ୍ଗୀ ହୋଇ ବାଟ ଚାଲୁଥିବା ଜଣେ ବ୍ୟକ୍ତି । ହୁଏତ ଏପରି ମଧ୍ୟ ହେଉଥିବ ଯେ, ସେମାନେ ସେତେବେଳେ ଆପଣାକୁ ଜଣେ ଜଣେ ଆଦିବାସୀ ବୋଲି ଅଲଗା କରି ଆଦୌ ଅନୁଭବ କରୁନଥିବେ । ଚାଲ ସାହସ କରି କହିବା ଯେ, ଆପଣାକୁ ସେମାନେ ଯେପରି ଗୋଟିଏ ମଣିଷ ପରି ଅନୁଭବ କରୁଥିବେ, ସେମାନଙ୍କର ସେହି ଆଜ୍ଞାଙ୍କୁ ମଧ୍ୟ ଠିକ୍ ସେହିପରି ଜଣେ ମଣିଷ ଭଳି । ଅତ୍ୟନ୍ତ ଭାଗ୍ୟର କଥା ଯେ ସେମାନେ ବିଶ୍ଵନାଥ ପଟ୍ଟନାୟକଙ୍କୁ ‘ପୁଣ୍ୟାତ୍ମା’ ବୋଲି କହି ଶିଖିନାହାନ୍ତି, ସତେଅବା ଖାସ୍ ଖୋଜି ଖୋଜି କୌଣସି ଏକ ବିଶେଷ ନାମରେ ତାକୁ ଅଭିହିତ କରିନାହାନ୍ତି ।

 

ଜଣେ କର୍ମୀର ଅସଲ ବିଜୟ ସ୍ପଷ୍ଟତଃ ସେହିଠାରେ । ଅସଲ ସଙ୍ଗୀ ସେହିଠାରେ ହିଁ ନିଜକୁ ସତକୁ ସତ ସଫଳ ବୋଲି ପ୍ରମାଣିତ କରିଦିଏ । ସମ୍ଭବତଃ ଏକ ସାଂସ୍କୃତିକ ହିସାବରେ ଆଦିବାସୀମାନେ ଏପରି କ’ଣସବୁ ସ୍ଵାଭାବିକତାରେ ଗଢ଼ି ହୋଇ ଆସିଥାନ୍ତି ଯେ, କହି ଅନ୍ୟ ମନୁଷ୍ୟଟିଏ ସେମାନଙ୍କର ସତକୁ ସଙ୍ଗୀ ହୋଇଯାଇଛି ବୋଲି ବୁଝିଯିବା ମାତ୍ରକେ ତାକୁ ଆଉ ମୋଟେ ଅଣଆଦିବାସୀ ବୋଲି ଠଉରାଇ ପାରନ୍ତି ନାହିଁ ଏବଂ ଆଦରି ନିଅନ୍ତି । ସେଦିନ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କୁ କେଡ଼େ ହୃଷ୍ଟ ହୋଇ ଆଜ୍ଞା ବୋଲି ସଙ୍ଖୋଳି ଯେଉଁ ଉଚ୍ଚାସୀନ ଶିକ୍ଷାବିହାରୀମାନେ ନିଜ ଘରେ ଏତେ ଏତେ ସମ୍ମାନ ଜ୍ଞାପନ କଲେ, ସେମାନେ ଅନ୍ତତଃ ସେହି କେତୋଟି ମୁହୂର୍ତ୍ତ ପାଇଁ ମଧ୍ୟ ନିଜକୁ ଆଦିବାସୀର ଭକ୍ତ ସ୍ଵାଭାବିକ ଅନ୍ତରଙ୍ଗତା ସହିତ ଯେ ଅନୁଭବ କରିଥିବେ, ସେକଥାଟାକୁ ଆଦୌ ପ୍ରତ୍ୟୟ ହିଁ ପାଇବ ନାହିଁ । ସେମାନେ କଦାପି ସଙ୍ଗୀଟିଏ ପାରିବେ ନାହିଁ ତେଣୁ ଆଉଜଣଙ୍କୁ ସଙ୍ଗୀ ବୋଲି ଚିହ୍ନି ନେଇ ପାରିବେ ନାହିଁ । ଆମର ଏହି ଶିକ୍ଷାବିଳାସର ବିହାରମାନେ ଯଦି ସଙ୍ଗୀ ହୋଇ ପାରନ୍ତେ, ତେବେ ଦେଶଯାକର ଏହି ଉପର ଭାଡ଼ିମାନେ କେବେହେଲେ ଏପରି ହୃଦୟହୀନ ହୋଇ ରହି ନଥାନ୍ତେ । ଦେଶଟା କେବେହେଲେ ବର୍ତ୍ତମାନ ପରି ଅଲକ୍ଷଣା ହୋଇ ରହିନଥାନ୍ତା । ଉପରଟା ତଳକୁ ଏପରି ନିଷ୍ଠାର ସହିତ ଲୁଟି ନେଉନଥାନ୍ତା । ବିଦ୍ୟା ମନୁଷ୍ୟମାନଙ୍କର ପ୍ରକୃତରେ ବହୁତ କାମରେ ଆସି ପାରନ୍ତା । ଏବେ ତ ଯାବୀତୟ ଜାକଜମକ ସହିତ ସେଥିଲାଗି ସବୁକିଛି ନକଲି । ଅର୍ଥାତ୍ କର୍ତ୍ତୃତ୍ଵପ୍ରଧାନ, କେବଳ ନିଜକୁ ନେଇ ଅତିସଚେତନ ଏବଂ ତେଣୁ ଏଠି ସବୁକିଛି କେବଳ ଏକ ଦୂରତା ରକ୍ଷା କରି ।

 

ବିଗତ ବହୁବର୍ଷ ହେଲା ସରକାରଙ୍କ ମାହାଲରେ ଗୋଟିଏ ପୂରା ନିରୋଳା ଆଦିବାସୀ ବିଭାଗ ରହିଛି, ଯେଉଁଟିରେ ଅଣଆଦିବାସୀ ହାକିମତନ୍ତ୍ରଟାଏ ପୂର୍ଣ୍ଣତଃ ନିଜ ନିରୋଳା ବୁଦ୍ଧିକୁ ପ୍ରୟୋଗ କରି ଆଦିବାସୀଙ୍କର ଚିନ୍ତା କରୁଛନ୍ତି । ଠିକ୍ ଯେପରି ଗ୍ରାମ–ଉନ୍ନୟନ ବିଭାଗଟିଏ ରହିଛି, ଖାସ୍ ଦରିଦ୍ରମାନଙ୍କର ଦୁଃଖ ବୁଝିବାକୁ ମଧ୍ୟ ବିଭାଗଟାଏ ଅଛି । ଆଦିବାସୀଙ୍କର ସମସ୍ୟାଗୁଡ଼ିକର ବୈଜ୍ଞାନିକ କ୍ଷେତ୍ରନିଷ୍ଠ ଅଧ୍ୟୟନ ନିମନ୍ତେ ଗୋଟାଏ ସ୍ଵତନ୍ତ୍ର ଗବେଷଣା ବିଭାଗ ମଧ୍ୟ ରହିଛି । ଉପରେ ରହିଥିବା ଅଣଆଦିବାସୀ ତଦ୍‌ବିତ୍ ମଥାମନେ ଘୋର ଆବିଷ୍କାରମାନ କରି ସୈଦ୍ଧାନ୍ତିକ ନିଷ୍କର୍ଷ ଇତ୍ୟାଦି ବାହାର କରି ମୌଳିକ ଏବଂ ମୂଲ୍ୟବାନ୍ ପୁସ୍ତକମାନ ବାହାର କରିଛନ୍ତି, ଯାହା କେବଳ ସେଇମାନଙ୍କର ସୁଗମ ରୀତିରେ ଇଂରାଜୀ ଭାଷାରେ ଲେଖା ହେଉଛି । ଏହି ଗବେଷଣାମାନେ ଆହୁରି ଅଧିକ ଗବେଷଣା ନିମନ୍ତେ ସହାୟକ ହେବେ ବୋଲିହିଁ ଏହି ଯାବତୀୟ କଷଣ କରାଯାଉଛି । ଏ ବାବୁମାନେ ଏହିପରି ନିଦା ନକଲି ହୋଇ ରହିଯିବେ । ଏମାନେ କେବେହେଲେ ସଙ୍ଗୀ ହୋଇ ପାରିବେନାହିଁ । ଏବଂ, ଯଦି ସଙ୍ଗୀ ହୋଇ ନପାରିବେ, ତେବେ ନେତୃତ୍ୱ ମଧ୍ୟ ଆଉ କେଉଁପରି ଦେଇ ପାରିବେ ?

 

ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟାନାୟକ ସେ ଆଜ୍ଞାରୁ ଏ ଆଜ୍ଞା ହୋଇ ପାରିଲେ, କାରଣ ସିଏ ସଙ୍ଗୀ ହୋଇ ପାରିଲେ ଏବଂ ନେତା ପରି ଦିଶୁନଥିଲେ ମଧ୍ୟ ତଥାପି ନେତୃତ୍ଵ ଦେଲେ । ଆପଣାର ଆଖିମାନଙ୍କୁ ଏକ ଅନ୍ୟ ନୈକାଟ୍ୟଧର୍ମର ଶକ୍ତି ଦ୍ଵାରା ସତେଅବା ସେହ ଜଙ୍ଗଲ ଅଞ୍ଚଳଟାରେ ପଶୁ ପଶୁ ସେହି ଅଧିବାସୀ ମାନଙ୍କର ବିବେକାଟିକୁ ପୂରା ଅଲଗା ହୋଇ ଦିଶିଲେ । ସେମାନେ ଯାହା କହି ପାରୁନଥିଲେ, ସେହିକଥା କହି ପାରିଲେ ଏବଂ ସେମାନଙ୍କ ନିଜ ଭିତରକୁ ପ୍ରବେଶ କରି ପାରିବାର ଆଖିମାନଙ୍କୁ ଯୋଗାଇ ଦେଇଥିଲେ । ଉପରେ ଯେତେ ଅରକ୍ଷିତ ପରି ଦେଖା ଯାଉଥିଲେ ମଧ୍ୟ ଏବଂ ପ୍ରାୟ ମନୁଷ୍ୟକୃତ ବହୁ କାରଣରୁ ଜୀବନର ନିମ୍ନତମ ପ୍ରୟୋଜନ ଗୁଡ଼ିକରୁ ବଞ୍ଚିତ ହୋଇ ରହିଥିଲେ ମଧ୍ୟ ସେମାନେ ନିଜ ଭିତରକୁ ଯାଇ ବସ୍ତୁତଃ ଏକ ସମ୍ମାନିତ ମଣିଷର ବହୁସମ୍ଭାବନା ବିଷୟରେ ସେମାନଙ୍କୁ ଜାଗୃତ କରି ଆଣିଲେ । ଆମ ବିଶ୍ୱବିଦ୍ୟାଳୟ ନାମକ ଏହି ନକଲି ବିପଣିଗୁଡ଼ିକର ମାରଫତଦରୀ ତନ୍ତ୍ରଟା ସେହି ଅନ୍ୟ ଗୁମରଟିକୁ କଦାପି ବୁଝିବାକୁ ସମର୍ଥ ହିଁ ହେବନାହିଁ । ସେଭଳି ମନ କରିବାପାଇଁ ହୁଏତ ଭୟ ହିଁ କରିବ । ସେହି ଭୟଟା ତ ଆମ ଉଚ୍ଚୋଜ୍ଜ୍ୱଳମାନଙ୍କୁ ନାନାଭଳି ଶୋଚନୀୟତାରେ ମୂଳତଃ ଦ୍ଵୀପବାସୀ କରି ରଖିଛି । ଉପରେ ଏହି ଯାବତୀୟ ଦରବାରୀପଣ ଏବଂ ଭିତରେ ପୂରା ଭୀରୁଟାଏ । ଭୀରୁମାନଙ୍କ ପରି ସର୍ବଦା ହିଁ ଖଞ୍ଜ, ସର୍ବଦା ଅସମର୍ଥ ଏବଂ ତାହାକୁ ଘୋଡ଼ାଇ ରଖିବା ନିମନ୍ତେ ଓ ଏପରିକି ନିଜକୁ ମଧ୍ୟ ସେଇଟିଠାରୁ ଅନ୍ତରାଳ କରି ରଖିବାଲାଗି ବାହାରେ ଏହି ଯାବତୀୟ ଅନୁଷ୍ଠାନିକ କୋଳାହଳ । ସେମାନଙ୍କ ଭିତରର ଅସଲ ମଣିଷଟା ପ୍ରକୃତରେ ଭାରି ଉପବାସୀ ହୋଇ ରହିଥିବ । ବହୁ କୃତ୍ରିମତାର ଉଢ଼ୁଆଳ ଭିତରେ ତଥାପି ସଙ୍ଗୀଟିଏ ପାଇଲେ ତରିଯାଆନ୍ତି ବୋଲି ଆର୍ତ୍ତନାଦ କରୁଥିବ । ଆରେ ବାବୁ, ଆଗ ସଙ୍ଗୀଟିଏ ହୋଇପାରିଲେ ସିନା ତେବେଯାଇ ତୁମେ ସଙ୍ଗୀଟିଏ ହେବାର ବାଟ ପାଇ ଯାଆନ୍ତ । କିନ୍ତୁ, ସଙ୍ଗୀ ହେବାକୁ ହେଲେ ସବାଆଗ ଆପଣାକୁ ସଂପୂର୍ଣ୍ଣ ଭାବରେ ଅନୁଭବ ବି କରିବାକୁ ପଡ଼େ । ଅସଲି ହେବାକୁ ପଡ଼େ । ତେବେ ଯାଇ ହୁଏତ ଆଗ ସେହି ଭିତରୁ ହିଁ ଅସଲ ବଳଟି ପ୍ରାପ୍ତ ହୁଏ । ଆଖିମାନେ ଶୁଦ୍ଧ ହୋଇ ପାରନ୍ତି ଏବଂ ଅଭିନୟର ଆଉ ମୋତେ ଆବଶ୍ୟକତା ନଥାଏ । ଶୁଦ୍ଧ ହୋଇ ପାରୁନଥିବା ପର୍ଯ୍ୟନ୍ତ ଆମ ସେହି ନାଟକମାନଙ୍କରେ କଳେ ବଳେ କଉଶଳେ ନିଜକୁ ଗୋଟାଏ ଗୋଟାଏ ହୀରୋ ସଦୃଶ ପ୍ରତିଷ୍ଠିତ କରିବାର ମିହନ୍ତମାନ କରନ୍ତି । ଆମ ଶିକ୍ଷାକୁଦମାନେ ସମ୍ଭବତଃ ଯୁଗର ନାଡ଼ୀମାନଙ୍କୁ ଠଉରାଇ ନେଇ ବିଦ୍ୟାର୍ଥୀମାନଙ୍କୁ ଜଣେ ଜଣେ ହୀରୋରୂପେ ତିଆରି କରିନେବାର ଟେକ୍‌ନିକମାନ ବତାଇ ଦିଅନ୍ତି । ସମସ୍ତଙ୍କର ଏହି ସୁନ୍ଦର ପୃଥିବୀରେ ସେମାନେ ତୁଚ୍ଛାଟିଏ ସିନା ଏପରି ବିରୂପ ଦେଖା ଯାଉଥାନ୍ତି । ପୃଥିବୀଟାକୁ ମାୟା ବୋଲି କହିଥିବା ମାୟାବାଦୀମାନେ କ’ଣ କେବଳ ସେକାଳେ ଥିଲେ ? ସେମାନେ ଏବେ ମଧ୍ୟ ଅଛନ୍ତି । ମାୟାଗୁଡ଼ିକୁ ସତ୍ୟ ବୋଲି ବଞ୍ଚି ସେମାନେ ଖୁବ୍ ତୋଫା ମଧ୍ୟ ଦେଖା ନଯାଆନ୍ତେ କ’ଣ ପାଇଁ ?

 

ସୁତରାଂ, ହେ ଶୁଦ୍ଧ ସମାଜର ସୁଧୀବୃନ୍ଦ, ଏହି ‘ଆଜ୍ଞା’ ନାମଟାକୁ ନେଇ ଆପ୍ୟାୟିତ ହେବାରେ ଆମେ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କୁ ପାସୋର କରାଇ ରଖିବାକୁ କୌଣସି ଚେଷ୍ଟା କରିବାନାହିଁ ଟି ! ଯେଉଁ କାଳିଆ ମଣିଷମାନେ ଦୂର ଜଙ୍ଗଲର ସେହି ଅପନ୍ତରା ସଂସାରଟିରେ ବିଶ୍ଵନାଥ ପଟ୍ଟନାୟକଙ୍କୁ ଆପଣାର ଜଣେ ପ୍ରିୟଜନରେ ପରିଣତ ହେବାରେ ସେହି ସ୍ଵାଭାବିକ ପାବଚ୍ଛଟି ଯାଏ ଆଣିଛନ୍ତି, ସେମାନେ ମଧ୍ୟ ତାଙ୍କୁ ଆଜ୍ଞା ବୋଲି ଡାକନ୍ତି । ଏକ ଖାସ୍ ଆତ୍ମୀୟତାରେ ଡାକନ୍ତି । ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ତ ସେହିମାନେ ତିଆରି କରିଛନ୍ତି, ସବୁ ମଣିଷଙ୍କୁ ମଣିଷ ପରି ଚିହ୍ନିବାର ଆଖି ଦେଇଛନ୍ତି, ସିଏ ଦୁଆରେ ଯାଇ ପହଞ୍ଚିଯିବା ମାତ୍ରକେ ତାଙ୍କୁ ପିଣ୍ଡା ଉପରକୁ ଡାକି ନେଇଛନ୍ତି । ତାଙ୍କୁ ବିଶ୍ଵାସ କରିଛନ୍ତି ଏବଂ ତାଙ୍କର ବିଶ୍ଵାସଭାଜନ ହୋଇଛନ୍ତି । ଏବଂ, ସ୍ପଷ୍ଟତଃ ସେହି କାରଣରୁ ସେମାନେ ବିଶ୍ଵନାଥ ପଟ୍ଟନାୟକ ଏବଂ ‘ଆଜ୍ଞା’ ନାମକ ଏହି ନୂଆ ଆଖ୍ୟାଟି ମଧ୍ୟରେ ଆଦୌ କୌଣସି ଫରକ ଅଛି ବୋଲି କେତେବେଳେ ବି ଅନୁଭବ କରିନାହାନ୍ତି । ବିଶ୍ଵନାଥ ପଟ୍ଟନାୟକ କହିଲେ ସକଳ ପ୍ରାସଙ୍ଗିକତାରେ ଏକ ବାଟକୁ ହିଁ ବୁଝାଏ, ଏକ ପ୍ରବ୍ରଜ୍ୟା ଅର୍ଥାତ୍ ପଥଚାରଣାକୁ ବୁଝାଏ । ଆହୁରି ଅନେକଙ୍କ ଆଡ଼କୁ ସତେଅବା ପୂରାପୂରି ଏକ ଈଶ୍ଵରନିର୍ଦ୍ଦିଷ୍ଟ ସହଜ ଅନିବାର୍ଯ୍ୟତା ଦ୍ଵାରା ଟାଣି ହୋଇଯିବାକୁ ବୁଝାଏ । ତେଣୁ ବିଶ୍ଵନାଥ ପଟ୍ଟନାୟକ ହେଉଛି ଏକ ପଥଚାରଣାର କାହାଣୀ,–ଅଳପରୁ ଅଧିକ ହେବାର, ଅଳପରୁ ପ୍ରସାରିତ ହେବାର ଏକ ଅସୁମାରି ପ୍ରକ୍ରିୟାର କାହାଣୀ । ଏକାବେଳେକେ ଏକ ଆରୋହଣ ତଥା ଅବରୋହଣର କାହାଣୀ ସଭାଘରର ଅଭ୍ୟର୍ଥନାମାନେ ତାହାକୁ ଆଦୌ କୌଣସି ପ୍ରକାରରେ ମାପି ହିଁ ପାରିବେ ନାହିଁ । ଅଭ୍ୟର୍ଥନା–ଘରର ମାମଲତକାରମାନେ ତ ଏହି ବାଗିର ଯାବତୀୟ ଦଉଡ଼ଧାପଡ଼ରେ ସତେଅବା ଆପଣାର ଅଭ୍ୟର୍ଥନା କରିବାର ଏକ କାମକୋପନ ମଧ୍ୟରେ ଯାଇ ପଡ଼ି ଯାଇଥାନ୍ତି ଏବଂ ସେହି କାରଣରୁ ସେମାନେ ବ୍ୟବହାର କରୁଥିବା ସର୍ବାଧିକ ଚାରୁବାକ୍ୟର ପଶ୍ଚାତରେ ଅସଲ ମଣିଷଟି ସତକୁ ସତ ମୋଟେ ସେଠାରେ ନଥାଏ । ଆଜ୍ଞା ନାମକ ସମ୍ଭାଷଣଟି ପଛରେ ବିଶ୍ଵନାଥ ପଟ୍ଟନାୟକ ଉଢ଼ୁଆଳ ହୋଇ ରହିଯାଆନ୍ତି ।

 

ବିଶ୍ଵନାଥ ପଟ୍ଟନାୟକ ଏକ ଅନ୍ୟ ବିଶ୍ଵାସର ପ୍ରତୀକ । ଏବର ଏହି ଚତୁର୍ଦ୍ଦିଗରେ ଯେତେ ଯେତେ ଅନ୍ଧାରର ଢାଙ୍କୁଣି ଅସଲ ସତ୍ୟମାନଙ୍କୁ ଯେତେ ବିଡ଼ମ୍ବିତ କରି ରଖିଥିଲେ ମଧ୍ୟ ତଥାପି ରାତି ଅବଶ୍ୟ ପାହି ସକାଳ ହେବ ବୋଲି ସେହି ବିଶ୍ଵାସର ପ୍ରତୀକ । ଏବଂ, ସେହି ବିଶ୍ଵାସଟିର ଅନୁରୂପ ଏକ ଜୀବନ,-ଏକ ଅନୁକ୍ଷଣ ଗତିଶୀଳତା । ପ୍ରତ୍ୟେକ ମନୁଷ୍ୟ ଭିତରେ ହିଁ ଏପରି ଗୋଟିଏ କ’ଣ ରହିଛି, ଏକ ଈଶ୍ଵରୀୟ ବିଶ୍ଵାସ ଏବଂ ସାହସର ଅନୁଭବ କରିପାରିଲେ ଆମେ ପ୍ରତ୍ୟେକେ କ’ଣ ଗୋଟାଏ କାଉଁରୀ ସ୍ପର୍ଶରେ ନିଜ ଭିତରେ ଗୋଟାସୁଦ୍ଧା ସ୍ଥିରସଚେତନ ହୋଇଯାଉ ଯେ ଆମର ଏହି ପୃଥିବୀ ଅବଶ୍ୟ ଅନ୍ୟପ୍ରକାରେ ଗଢ଼ି ହୋଇ ଯିବାଲାଗି ଆବଶ୍ୟକ ଆଖିଗୁଡ଼ିକୁ ପାଇଯିବ । ଏହିପରି ଆଖିଟାଏ ପାଇଲେ ହିଁ ତ ଜଣେ ମଣିଷ ଆମ ତୁମର ଏହି ଚିକିଟା ସଂସାରଟାରେ ତଥାପି ଆଉପ୍ରକାରେ ଉଦ୍‌ବେଳିତ ହୁଏ, ଆଉ କିଛି ଅବଶ୍ୟ ଆସୁଛି ବୋଲି ଦେଖି ପାରୁଥିଲା ପରି ଅନୁଭବ କରେ ଏବଂ ସେଇଟିକୁ ଲୋଡ଼େ । ସଂପୂର୍ଣ୍ଣ ରଚନାତ୍ମକ ଭାବରେ ଜଣେ କର୍ମୀ ହୁଏ । ଏବଂ, ତା’ପରେ ଭିତରେ ଥାଇ ପାଠ ବତାଇ ଦେଉଥିବା ପରି ସିଏ ଅନ୍ୟମାନଙ୍କ ଭିତରେ ମଧ୍ୟ ସତେଅବା ସେହି ନୂତନଟିଏ ଜନ୍ମଲାଭ କରିବା ପାଇଁ ଅପେକ୍ଷା କରି ରହିଛି ବୋଲି ଦେଖିପାରେ । ଏବଂ, ସିଏ ଡାକିଲା ମାତ୍ରକେ ସେମାନେ ଉଅ ବି କରନ୍ତି । କର୍ମୀ ବିଶ୍ୱନାଥ ନିଶ୍ଚୟ ଏହିଭଳି ଏକ ସଂକ୍ରମଣ-ପ୍ରକ୍ରିୟା ଦ୍ୱାରା ସେଥିଲାଗି କର୍ମୀ ହୋଇ କୁଜେନ୍ଦ୍ରୀରେ ଆଶ୍ରୟଟିଏ ଲୋଡ଼ୁ ଲୋଡ଼ୁ ଜଣେ ସଙ୍ଗୀ ହିଁ ହୋଇ ଯାଇଥିବେ ।

 

ସେହି ସ୍ଵାଭାବିକ ପ୍ରକ୍ରିୟାରେ ତାଙ୍କର କର୍ମପରିସରଟିର ସକଳ କ୍ଷେତ୍ରରେ ସିଏ ସେଠା ମନୁଷ୍ୟମାନଙ୍କର ସଙ୍ଗୀ ହିଁ ହୋଇ ଯାଇଛନ୍ତି ଏବଂ ସଙ୍ଗୀ ହୋଇ ରହିଛନ୍ତି । ଦିଶନ୍ତି ସଙ୍ଗୀଟିଏ ପରି, କଥା କହନ୍ତି ମଧ୍ୟ ସଙ୍ଗୀଟିଏ ପରି । କୋରାପୁଟରେ ଯେଉଁପରି ସଙ୍ଗୀଟିଏ ଥିଲେ, ଇହାଦେ କନ୍ଧମାଳରେ ମଧ୍ୟ ସେହିପରି ସଙ୍ଗୀଟିଏ ହୋଇ ରହିଛନ୍ତି । ଜଣେ ସଙ୍ଗୀ ପାଇଁ କୋରାପୁଟ ଓ କନ୍ଧମାଳ, କିମ୍ବା ସଉରା ଏବଂ କନ୍ଧଙ୍କ ଭିତରେ କ’ଣ ପାଇଁ ଆଦୌ କୌଣସି ତଫାତ୍ ରହିଥାଆନ୍ତା-! ବିଗତ ଏତେଗୁଡ଼ିଏ ଦଶନ୍ଧି ମଧ୍ୟରେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କର ସର୍ବବିଧ କ୍ରିୟାତ୍ମକତାରୁ ଆମେ ସେହିପରି ଏକ ପରିପ୍ରେକ୍ଷୀ ଉପରେ ହିଁ ପରଖି ଦେଖିପାରିବା । ତେବେ ତାଙ୍କୁ ଏଣୁତେଣୁ ଶୃଙ୍ଗାରିକତାର ଭୂଷଣ ପିନ୍ଧାଇବାକୁ ମୋଟେ ଇଚ୍ଛା କରିବାନାହିଁ । ତାଙ୍କୁ ଶବ୍ଦମାନ ଲଗାଇ କେବେହେଲେ ଜଣେ ମହାପୁରୁଷ, ସନ୍ଥ ଅଥବା ବାବା ବୋଲି ମଧ୍ୟ କହିବାନାହିଁ । ତେବେ ଯାଇ ସିଏ ଆମର କେତେ ନା କେତେ କତି ବୋଲି ମନେ ହେବେ, ସତେଅବା ଦିଶି ବି ଯିବେ । ତାଙ୍କଠାରୁ ପ୍ରେରଣା ପାଇ ନିଜ ଜୀବନରେ ମଧ୍ୟ ମୂଳତଃ ଜଣେ ସଙ୍ଗୀ ଭାବରେ ତିଆରି ହୋଇ ପାରିବାର ପ୍ରେରଣା ମିଳିଯିବ । ଆମ ନିଜନିଜର କ୍ଷେତ୍ରମାନଙ୍କରେ । ସଙ୍ଗୀ ହେବା ଲାଗି ଇଚ୍ଛା କରୁଥିବା ଜଣେ ମଣିଷ କେବେହେଲେ କାହାକୁ ବୋଲକରା କରି ରଖିବାକୁ ମନ କରେନାହିଁ ଅଥବା ନିଜେ ମଧ୍ୟ କାହାର ବୋଲକରା ହୁଏନାହିଁ । ସଙ୍ଗୀ କରିନେବାର ଏବଂ ସଙ୍ଗୀ ହୋଇଯିବାର ସେହି ଭୂମିଟି ଉପରେ ନେତା ଓ ଜନତା, ଊର୍ଦ୍ଧ୍ଵତନ ଏବଂ ଅଧସ୍ତନ, ଅଧ୍ୟାପକ ଏବଂ ଅଧ୍ୟୟନକାରୀର ସମ୍ପର୍କଗୁଡ଼ିକ ପ୍ରକୃତରେ କେଡ଼େ ସୁସ୍ଥ ଏବଂ ସକାରାତ୍ମକ ବି ହୁଅନ୍ତି । କେଉଁ ଉପରେ ଗୋଟାଏ ଗୋଟାଏ ରଜା ହୋଇ ବସିବାର ଅନାଚରଣ କରନ୍ତିନାହିଁ କିମ୍ବା ଆଉ କେଉଁମାନେ ଗଧ ପରି ସହି ବି ନିଅନ୍ତି ନାହିଁ । ଭୀରୁତାମାନେ ହଟିଯାଆନ୍ତି । ଅସଲ ସେବକ ସଙ୍ଗୀଟିଏ ହୁଏ । ଅସଲ ପରିବାର ତ ତାହାକୁ ହିଁ କୁହାଯିବ, ଯେଉଁଠାରେ ବୟସ ତଥା ଭୂମିକାର ସର୍ବବିଧ ତାରତମ୍ୟ ସତ୍ତ୍ୱେ ସମସ୍ତେ ଜଣେ ଆରେକର ଜଣେ ଜଣେ ସଙ୍ଗୀ ପରି ପରସ୍ପରର କତି କତି ହୋଇ ରହିଥାଆନ୍ତି । ଏବେ ତ କ୍ରମେ ଏହି ପୃଥିବୀଟାକୁ ହିଁ ଗୋଟିଏ ପରିବାର ବୋଲି କୁହାଗଲାଣି ଏବଂ ତାହାକୁ ସେହିପରି ଅନୁକୂଳ ନାନା ନୂତନତା ଦେଇ ଗଢ଼ିବାର ଏକାଧିକ ପ୍ରୟାସମାନ କରାଯାଉଛି । ସଙ୍ଗୀ ହୋଇ ନପାରୁଥିବା ଏତେ ଏତେ ଲୋକ ତାହାକୁ ଏକାନ୍ତ ଅସମ୍ଭବ ବୋଲି କହୁଥିଲେ ହେଁ ତଥାପି ସମଗ୍ରତଃ ସେହିପରି କିଛି ହିଁ କ୍ରମଶଃ ଉକୁଟି ଉକୁଟି ଆସିବା ପରି ଖୁବ୍ ମନେ ହେଲାଣି ସଙ୍ଗୀମାନେ ହିଁ ନାନାଭାବେ ପରସ୍ପରର ଅଧିକ କତି କତି ହୋଇ ପୃଥ୍ୱୀସତ୍ୟ ଗୁଡ଼ିକ ନିମନ୍ତେ ପ୍ରକୃତ ଆଗ୍ରହୀ ହେବେ । ପୃଥିବୀକୁ ବଦଳାଇବେ ।

Image

 

Unknown

ଦ୍ଵିତୀୟ ଅଧ୍ୟାୟ

ଜଙ୍ଗଲ ଭିତରକୁ ରାସ୍ତା

 

୨୦୦୪ ମସିହାରେ ଡିସେମ୍ବର ମାସରେ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ନିଜ ବାଲ୍ୟ-ଜୀବନର ଯେଉଁ ସଂକ୍ଷିପ୍ତ ବିବରଣୀଟିଏ ଲିଖି ପଠାଇଥିଲେ, ସେଇଟି ଏଇପରି :

 

ଜନ୍ମ–୧୧ । ୧୧ । ୧୯୧୬

 

ପିତାଙ୍କ ନାମ–ଉପେନ୍ଦ୍ର ପଟ୍ଟନାୟକ

 

ମାତାଙ୍କ ନାମ–ଇନ୍ଦୁମତୀ ଦେବୀ ।

 

ବାପାଙ୍କର ଦୁଇଭାଇ ।

 

ଦାଦାଙ୍କ ନାମ–ଦୁଃଖୀଶ୍ୟାମ ପଟ୍ଟନାୟକ

 

ଆମେ ଚାରି ଭାଇ, ଚାରି ଭଉଣୀ ।

 

ବଡ଼ ଭାଇ ଘନଶ୍ୟାମ ପଟ୍ଟନାୟକ–ସେ ଘରର ସମସ୍ତ ଖବର ବୁଝନ୍ତି ।

 

ଘର–ବଡ଼ଖେମୁଣ୍ଡି ଜମିଦାରୀ ଅଧୀନ । କୁମରଡ଼ା ଗ୍ରାମ । ଜିଲ୍ଲା–ଗଞ୍ଜାମ । ସେତେବେଳେ ଓଡ଼ିଶା ପ୍ରଦେଶ ନଥିଲା । ଆମେ ମାଡ଼୍ରାସ୍‌ ପ୍ରେସିଡେନ୍‌ସିର ଲୋକ । ସେତେବେଳେ ସବୁ ଜମିଦାର ଅଧୀନରେ ରହୁଥିଲା ।

 

ବଡ଼ ଭାଇ ଶିକ୍ଷକତା କରନ୍ତି । କିନ୍ତୁ cgrant ସ୍କୁଲ । ବିଦ୍ୟାଳୟ ପରିଦର୍ଶକଙ୍କ ବିଦ୍ୟାଳୟ ପରିଦର୍ଶନ ପରେ ସ୍କୁଲର ପିଲାଙ୍କୁ ଦେଖି report ଦେବା ପରେ grant ମିଳୁଥିଲା । ପରିଦର୍ଶକଙ୍କ ସୁପାରିଶ ଅନୁଯାୟୀ ଶିକ୍ଷକମାନଙ୍କର ଦରମା ମିଳେ । ସେତେବେଳେ ଲାଞ୍ଚ କାରବାର ନଥିଲା । ଗୁଆଘିଅ ଅଡ଼ାଏ ବା ଦୁଇଅଡ଼ା ଦେଲେ ଚଳୁଥିଲା । ପଇସା ଦେଲେ ପାଞ୍ଚ ବା ଦଶ ଟଙ୍କା ମାଷ୍ଟ୍ରମାନେ ମିଶି ଦିଅନ୍ତି ।

 

ପଞ୍ଚମ ଶ୍ରେଣୀ ପଢ଼ି ଶିକ୍ଷକ training ନେଉଥିଲେ । ତାକୁ lower training କୁହାଯାଉଥିଲା । ଅଷ୍ଟମ ଶ୍ରେଣୀ ପଢ଼ି training ନେଉଥିଲେ ତାକୁ higher training କୁହାଯାଉଥିଲା । କେବଳ ପଞ୍ଚମ ଶ୍ରେଣୀ ପାସ୍ କରି ଶିକ୍ଷକତା କଲେ ୫ଟଙ୍କା ଦରମା ମିଳୁଥିଲା । କିନ୍ତୁ ୫ମ ଶ୍ରେଣୀ ପାସ୍ କରି training ନେଇ ଶିକ୍ଷକତା କଲେ ୯ ଟଙ୍କା ମିଳୁଥିଲା । ସେହିଭଳି ୮ମ ଶ୍ରେଣୀ ପାସ୍ କରି ଶିକ୍ଷକତା କଲେ ୯ ଟଙ୍କା ଏବଂ ୮ମ ଶ୍ରେଣୀ ପାସ୍ କରି training ନେଇ ଶିକ୍ଷକତା କଲେ ୧୨ ଟଙ୍କା ଦରମା ମିଳୁଥିଲା ।

 

ପ୍ରଥମେ, ଗାଁ ଚାଟଶାଳୀରେ ପଢ଼ିଲି । ପୁରୀ ଆଡ଼ୁ ନାହାକମାନେ ଆସି ପାଠ ପଢ଼ାଉଥିଲେ । ଅବଧାନମାନଙ୍କ ଠାରେ ଯିଏ ପାଠ ପଢ଼ାଇବ, ମାସକୁ ପଇସା ଆଠ ଅଣା ଏବଂ ଖାଇବାକୁ ଛଞ୍ଚା ଦିଅନ୍ତି ।

 

ଧାନ ଅମଳ ସମୟରେ ଆମେ ଜମିରେ ପଡ଼ିଥିବା ଧାନ ଲୁଣ୍ଡିକି ଆଣୁଥିଲୁ (ଧାନ ବାଛିବା) । ସେହି ଲୁଣ୍ଡୁଳା ଧାନକୁ ଅଡ଼ାକୁ ପଇସାଏ ହିସାବରେ ବିକ୍ରି କରୁଥିଲୁ । ସେଥିରେ ମଧ୍ୟ ପଢ଼ା ଖର୍ଚ୍ଚ ହେଉଥିଲା ।

 

ସେତେବେଳେ ଚାଟଶାଳୀରେ ସ୍ଲେଟ୍ ନଥିଲା । ଚାଟଶାଳୀରେ କାଠପଟା ରଖା ଯାଉଥିଲା । ପିଲାମାନେ ନଳାରେ ଇଟାଗୁଣ୍ଡ ନେଇ ଚାଟଶାଳୀକୁ ଯାଉଥିଲେ । ସେହି ଗୁଣ୍ଡକୁ କାଠପଟା ଉପରେ କାଠି ସାହାଯ୍ୟରେ ଲେଖୁଥିଲେ । ସେହି କାଠପଟା ଉପରେ ହିଁ ଇଟାଗୁଣ୍ଡ ପକାଇ ‘‘ସିଦ୍ଧିରସ୍ଫୁ’’ ବୋଲି ଲେଖି ଖଡ଼ି ଛୁଆଁ ଯାଉଥିଲା ।

 

ପାଠ ନହେଲେ ଚାଟଶାଳୀରେ କଠୋର ଦଣ୍ଡବ୍ୟବସ୍ଥା ଥିଲା । ପାଠ ନହେବା ପିଲାଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ଦିଆ ଯାଉଥିଲା । କେତେକ ଚାଟଶାଳୀରେ ପିଲାଙ୍କୁ ଧୂଆଁଦ୍ଵାରା ମଧ୍ୟ ଦଣ୍ଡ ଦିଆ ଯାଉଥିଲା ।

 

ସେତେବେଳେ କାଗଜର ପ୍ରଚଳନ ନଥିଲା । ଗୋପ ବୋଲି, ରାହାସ କ୍ରୀଡ଼ା, ଗୋପୀ ଭାଷା ଇତ୍ୟାଦି ବହିକୁ ଶିକ୍ଷକମାନେ ହିଁ ତାଳପତ୍ରରେ ଲେଖନୀ ଦ୍ଵାରା ଲେଖୁଥିଲେ ଏବଂ ସେଥିପାଇଁ ଦୁଇ ପଇସା, ଅଣାଏ ବା ଦି'ଅଣା ପାଉଥିଲେ ।

 

ରାତିରେ ପଢ଼ିବାପାଇଁ ଲଣ୍ଠନ ମଧ୍ୟ ନଥିଲା । ଜଡ଼ା ଦୀପ ଜାଳି ପିଲା ପଢ଼ୁଥିଲେ । ବଡ଼ ବଡ଼ ସହରରେ ମଧ୍ୟ ରାତିରେ ରାସ୍ତା କଡ଼ ଆଲୁଅ ପାଇଁ ଜଡ଼ା ଦୀପ ଜଳା ଯାଉଥିଲା । ପାରଳାଖେମୁଣ୍ଡି ରେଲ୍ ଲାଇନ୍‌ରେ ମଧ୍ୟ ଏହି ଜଡ଼ା ଦୀପ ବ୍ୟବସ୍ଥା ଥିଲା । ଇଚ୍ଛାପୁରମ୍‌ରେ ମଧ୍ୟ ସେୟା ।

 

ମୁଁ ଇଚ୍ଛାପୁରମ୍‌ରେ ପଢ଼ିଲାବେଳେ ମୋ’ ଭାଇ ପ୍ରତି ମାସରେ ଷୋଳ ମାଇଲ୍ ରାସ୍ତା ଚାଲି ଚାଲି ଯାଇ ମୁଣ୍ଡରେ ଦୁଇ ନଉତି ଚାଉଳ ବୋହି ନେଇ ଏବଂ ଦୁଇଟଙ୍କା ଦେଇ ଆସୁଥିଲେ । ଆମେ ଇଚ୍ଛାପୁରମ୍ ସ୍କୁଲରୁ ଘରକୁ ଆସିଲାବେଳେ ଚାଲିଚାଲି ଆସୁଥିଲୁ । ବେଳେ ବେଳେ ରାତି ହୋଇଗଲେ ଚିକିଟି, ନୂଆଗାଁ ଇତ୍ୟାଦି ସ୍ଥାନରେ ରାତି ରହି ରାନ୍ଧି କରି ଖାଉଥିଲୁ ଏବଂ ତା’ ପରଦିନ ସକାଳେ ଚାଲି ଚାଲି ଘରେ ପହଞ୍ଚୁଥିଲୁ ।

 

ସେତେବେଳେ ପଇସାର କାରବାର କମ୍ । ଶସ୍ୟର କାରବାର ବେଶୀ । କୌଣସି ଖାଦ୍ୟ ସାମଗ୍ରୀ, ଆବଶ୍ୟକତା ଜିନିଷ ଆଦି ଶସ୍ୟ ବଦଳରେ ହିଁ କିଣା ଯାଉଥିଲା । ମୂଲିଆଙ୍କ ମଜୁରୀ ବି ଏତେ ନଥିଲା । ମଜୁରୀ ପାଇଁ ଧାନ ହିଁ ସେତେବେଳେ ଦିଆ ଯାଉଥିଲା । ବଦଳ କାରବାର ବେଶୀ ହେଉଥିଲା । ଆଉ ମଧ୍ୟ ଜଣେ ଜଣଙ୍କ ପାଇଁ କିଛି କରିଦେଲେ ତା’ ପ୍ରତିବଦଳରେ ସେ ମଧ୍ୟ କିଛି କାମ କରି ଦେଉଥିଲେ । ସେତେବେଳେ ବ୍ୟାଙ୍କ୍ ନଥିଲା । ତେଣୁ ଲୋକେ ସାହୁକାରଙ୍କ ଠାରୁ ଚକ୍ରବୃଦ୍ଧି ସୁଧହାରରେ ଋଣ ଆଣି ସୁଧ ଦେବା ଏବଂ ଋଣ ପରିଶୋଧ କରିବାରେ ହିଁ ସର୍ବସ୍ଵାନ୍ତ ହୋଇ ଯାଉଥିଲେ । ସୁନା ତୋଳା ମାତ୍ର ୧୬ ଟଙ୍କା ଥିଲା । ଲୋକେ ସୁନା ବନ୍ଧା ଦେଇ ମଧ୍ୟ ଋଣ ଆଣୁଥିଲେ । ଋଣ ପରିଶୋଧ ନକଲେ ସେହି ସୁନା ସାହୁକାର ନିକଟରେ ରହି ଯାଉଥିଲା । ଧାନ ଶଗଡ଼ଟିଏ ଦେଲେ ମଧ୍ୟ ଏକେତୋଳା ସୁନା ହେଉ ନଥିଲା ।

 

ସେ ସମୟରେ ବିଶା (ପ୍ରାୟ ଅଢ଼େଇ କି.ଗ୍ରା.) ସେର, ଅଡ଼ା, ବୋଡ଼ା, ସୋଲା, ଅଧା, ବିଶ୍ଵା ଇତ୍ୟାଦିର ପ୍ରଚଳନ ଥିଲା । ଗାଈ ଘିଅ ୧ ଅଡ଼ା (ପ୍ରାୟ ଏକ କି.ଗ୍ରା.)ର ଦାମ ମାତ୍ର ଏକ ଟଙ୍କା ଥିଲା ।

 

ବାସ୍, ବିବରଣଟି ଏଇଠି ଶେଷ ହୋଇଛି । ଆଉଟିକିଏ ଆଗକୁ ଲେଖା ହୋଇ ନଥାନ୍ତା-! ଅନ୍ତତଃ ସେ ବରୀ–ରାମଚନ୍ଦ୍ରପୁରକୁ କର୍ମୀ ତାଲିମ ନେବାଯାଏ । ତେବେ ସିଏ ଏଡ଼ୁଟିରୁ ଏଡ଼ୁଟିଏ ହୋଇ କିପରି ସେଯାଏ ଆସିଲେ, ତାହାରି ବର୍ଣ୍ଣନାଟିକୁ ଆମେ ସିଧା ତାଙ୍କରି ମୁହଁରୁ ପାଇ ପାରି ଥାଆନ୍ତେ । ଜୀବନୀ ବୋଲି ଆଖ୍ୟାନ ଆକାରରେ ଯେତିକି ବହି ଇତ୍ୟାଦିରୁ ପାଠ କଲେ ମିଳୁଛି, ସେସବୁରେ ତଥାପି ମନବୋଧ ହେଉନାହିଁ । କାରଣ, ତାଙ୍କୁ ପ୍ରଶ୍ନମାନ ପଚରାଯାଇ ଯାହାସବୁ ଉତ୍ତର ମିଳିଛି, ସେଗୁଡ଼ିକୁ ନିୟମତଃ ପ୍ରଶ୍ନମାନ ପଚରା ଯାଇଥିବା ଅନୁସାରେ ଭାରି ପ୍ରସୀମିତ ହୋଇଯାଇଛି । ସାଧାରଣତଃ ଯାହା ହୁଏ, ପ୍ରଶ୍ନକର୍ତ୍ତାଙ୍କର ବୁଝିବା ଭଳି ଉତ୍ତରମାନେ ସଜାଡ଼ି ହୋଇ ଆସିଛନ୍ତି । ସିଏ ଆପେ ପଛକୁ ପଛକୁ ଦୃଷ୍ଟି ପକାଇ ନିଜର କଥାମାନ କହିଥିଲେ, ତଦ୍ଦ୍ୱାରା ସେଥିରେ ଅନ୍ୟଭଳି ଅଗ୍ରାଧିକାରମାନ ରହିଥାନ୍ତା ଓ ତେଣୁ ତାଙ୍କରି ପ୍ରଚ୍ଛଦ ଉପରେ ତାଙ୍କୁ ଅଧିକ ନିକଟ ହୋଇ ଜାଣି ହୋଇଥାନ୍ତି । ବିଶ୍ଵନାଥ ଆଜ୍ଞା ଯେତିକି ଦେଇଛନ୍ତି, ତାକୁ ସିଏ ଡାକି ଦେଇଛନ୍ତି ଓ ଆଉଜଣେ ଟିପି ନେଇଛନ୍ତି । ତେଣୁ, ଆହୁରି ଆଗକୁ ମଧ୍ୟ ସିଏ ସେହିପରି ଡାକି ଦେଇ ଥାଆନ୍ତେ ଓ ଆଉ ଜଣେ ଟିପି ରଖିଥାନ୍ତେ । ତାଙ୍କ ନିକଟସ୍ଥ ବନ୍ଧୁମାନେ ମନ କଲେ ଏବେ ମଧ୍ୟ ତାହା ହୋଇ ପାରନ୍ତା ।

 

ପିଲାଦିନେ ସ୍କୁଲରେ ପାଠ ପଢ଼ୁଥିବା ସମୟରୁ ହିଁ ବିଶ୍ଵନାଥ ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନ ସହିତ ପରିଚିତ ହୋଇଥିଲେ । ସବାବଡ଼ ଭାଇ ଶିକ୍ଷକତା କରୁଥିଲେ ମଧ୍ୟ ସ୍ଵାଧୀନତା ଆନ୍ଦୋଳନ ସହିତ ବହୁଭାବେ ସମ୍ପୃକ୍ତ ଥିଲେ । ତାଙ୍କର ଆଉଜଣେ ଭାଇ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ଜେଲ ଯାଇଥିଲେ । ମାମୁଁ ପୁଅ ଭାଇମାନେ ମଧ୍ୟ ଲୁଣ ମାରିଲେ ଓ କାରାଦଣ୍ଡ ପାଇଲେ । ଏବଂ, ପାରିବାରିକ ଅର୍ଥାଭାବ ହେତୁ ଯେତେବେଳେ ସେ ଅଧାରୁ ଇସ୍କୁଲରୁ ପାଠ ଛାଡ଼ି ଗାଆଁ ଚାଟଶାଳୀରେ ଶିକ୍ଷକତା କଲେ, ସେତେବେଳେ ତାଙ୍କର ପୂରା ମନଟା ଦେଶଭାବନା ଦ୍ଵାରା ହିଁ ସଚଳ ହୋଇ ରହିଥିଲା । ତେଣେ ପ୍ରାୟ ସମାନ୍ତର ଭାବରେ ସଂସାର-ଉଦାସୀନ ଈଶ୍ଵରଭାବ । ଏହିପରି ଏକ ଆକର୍ଷଣରେ ତାଙ୍କର ଜଗନ୍ନାଥ-ଦର୍ଶନକୁ ମଧ୍ୟ ଆଗ୍ରହ ହୋଇଥିଲା ଏବଂ ଚାଲି ଚାଲି ଦୀର୍ଘ ପଥ ଅତିକ୍ରମ କରି ଚିଲିକା ପାରି ହୋଇ ସେ ପୁରୀ ପହଞ୍ଚିଥିଲେ । ଘରକୁ ଫେରିଆସିଲେ ସିନା, ମାତ୍ର ଶିକ୍ଷକତାର ଚାକିରିଟା ଆଉ ଭଲ ଲାଗିଲା ନାହିଁ-। ପ୍ରଥମେ ପୁରୀ ଯାଇ ଆଚାର୍ଯ୍ୟ ହରିହରଙ୍କ ସେବାଦଳରେ କିଛିଦିନ ସାମିଲ ହେଲେ ଏବଂ ତା’ପରେ ବିଶୁଦ୍ଧ ବିନାଟିକେଟରେ ଆଲାହାବାଦର କୁମ୍ଭମେଳା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ-। ବାବାଜୀ ହେବା ସକାଶେ ଭାରି ମନ ହେଉଥାଏ । ସର୍ବଦା ସେହି ସାଧୁମାନଙ୍କର ମେଳରେ ହିଁ ରହିଥାଆନ୍ତି । ତଥାପି ବାଟ ପାଉ ନଥାନ୍ତି । ଏହିପରି ଏକ ଆନ୍ଦୋଳିତ ଚକିତ ମନ ନେଇ ପୁନର୍ବାର ନିଜର ଗାଆଁକୁ ଫେରି ଆସିଥିଲେ । ଇତି ମଧ୍ୟରେ ଅଠର ବର୍ଷ ହୋଇ ଯାଇଥାଏ-। ବିବାହ କରି ସଂସାରରେ ପ୍ରବେଶ କରିବା କଥା । ବିଶ୍ଵନାଥ ରାଜି ହିଁ ହେଲେ ନାହିଁ । ସତେଅବା ଆପଣାର ଅବଚେତନ ମାନସରେ ଏକ ଅନ୍ୟଭଳି ନିତ୍ୟଜୀବନ ସହିତ ତାଙ୍କର ପରିଣୟ ହୋଇ ଯାଇଥିଲା ଏବଂ ସେହି ବରାଦ ମୁତାବକ ଆଗକୁ ଆଗକୁ ବାଟ ମଧ୍ୟ ଖୋଲି ଯାଉଥିଲା ।

 

ସମ୍ଭବତଃ ଅସଲ ଆରମ୍ଭଟି ଗୋଇଥିଲା ୧୯୩୮ ମସିହା ମାର୍ଚ୍ଚ ମାସରେ ଡେଲାଙ୍ଗଠାରେ ହୋଇଥିବା ଗାନ୍ଧୀ-ସେବାସଂଘର ଏକ ସମ୍ମିଳନୀରେ, ଯେଉଁଠାରେ ମହାତ୍ମା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଡେଲାଙ୍ଗ ପରେ ବରୀ ଆଶ୍ରମକେନ୍ଦ୍ରରେ ଦୁଇବର୍ଷର ତାଲିମ ଜଣେ ସେବାକର୍ମୀ ରୂପେ । ସବୁ କାମ ସମସ୍ତେ କରିବେ, ଏକ ପୂର୍ଣ୍ଣ ସହଭାବନାର ଦୈନଦିନ ମେଳରେ-। ତାହାହିଁ ତ ଆଗାମୀ ସମାଜର ଏକ ମୂଳଭୂତ ବିଧାନ । ଏବଂ ସେହି ଅନୁସାରେ ଏକ ସକଳାଙ୍ଗ ସମାଜ-ଚେତନା । ଆମେ ସମସ୍ତେ ବାସ କରୁଥିବା ଏହି ଦେଶଟିକୁ ଦୃଷ୍ଟିସମକ୍ଷତ୍ଵ ଦେଇ ଆବିର୍ଭୂତ ହୋଇଥିବା ମହାତ୍ମା ଗାନ୍ଧୀଙ୍କର ନିର୍ଦ୍ଦେଶନାରେ । ସେଥିଲାଗି ତିଆରି ହେବାର ଯେଉଁ ସଚଳ ଅଧ୍ୟାତ୍ମଟିର ଆହ୍ଵାନ, ସେଇଟି ହେଉଛି ଜଣେ ସେବାକର୍ମୀର ତାଲିମ । ବିଶ୍ଵନାଥ ପଟ୍ଟନାୟକ ଆପଣାକୁ ସେହିପରି ଏକ ଜୀବନ ନିମନ୍ତେ ପୂର୍ଣ୍ଣ ଗ୍ରହଣଶୀଳ ଭାବରେ ତିଆରି କରି ନେଉଥିଲେ-। କ୍ରମେ ଏକ ବାଟ ମଧ୍ୟ ପାଇ ଯାଉଥିଲେ । ବାହାରୁ ପ୍ରେରଣା ପାଇ, ଏକ ସମଧର୍ମୀ ମେଳ ଭିତରେ ଆପଣାକୁ ପରଖି ପରଖି ନିଜର ଭିତରଟିକୁ ପୋଖତ କରି ଆଣୁଥିଲେ ।

 

ଏବଂ, ସେହି ବରୀରୁ ଆଜ୍ଞାମାଳ ନେଇ ଗୁଣପୁରର କୁଜେନ୍ଦ୍ରୀ ଗାଆଁ । ୧୯୪୧ ରୁ ୧୯୫୮ ଯାଏ କୁଜେନ୍ଦ୍ରୀ ହିଁ ତାଙ୍କର ନାଭିଟିଏ ହୋଇ ରହିଲା । ଅଞ୍ଚଳଟିକୁ ଚିହ୍ନିବା ସହିତ କର୍ମୀ ବିଶ୍ଵନାଥ ଆପଣାକୁ ମଧ୍ୟ ଆବିଷ୍କାର କଲେ । ଜୟପୁର ମହାରାଜାଙ୍କର ଜମିଦାରୀ । ସିଏ ଗୁଣପୁର ଗାଆଁକୁ କେନ୍ଦ୍ର କରି କାର୍ଯ୍ୟ କରିବେ ବୋଲି ସ୍ଥିର ହେବା ପର୍ଯ୍ୟନ୍ତ ବିଶ୍ଵନାଥ ସେହି ଗୁଣପୁରଠାରେ ରହି ଏକ ପ୍ରାଥମିକ ଅଭିଜ୍ଞତା ଲାଭ କରିବା ନିମନ୍ତେ ପ୍ରତିଦିନ ପାଖପାଖ ଗାଆଁମାନଙ୍କୁ ଯାଉଥିଲେ-। ବରୀ ତାଲିମ-ଆଶ୍ରମରୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ତାଙ୍କୁ ସେହି ଅଞ୍ଚଳର ‘କପା ଚାଷ ଓ ଖଦୀ କାମ’ ଦେଖିବାପାଇଁ ପଠାଇଥିଲେ । ମାତ୍ର, ସେହି ପ୍ରାଥମିକ ପରିଚୟଟି ଫଳରେ ତାଙ୍କର ମନ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ସେଇଟି ହେଉଛି, ସିଧା ତାଙ୍କରି ଭାଷାରେ, “ଗାଆଁଲୋକେ ସେତେବେଳେ ଭୟଭୀତ, ତେଣୁ ସହଯୋଗ ସେମାନଙ୍କ ଠାରୁ ନମିଳିଲେ ମଧ୍ୟ, ପ୍ରଥମେ ମୁଁ ଲୋକଙ୍କ ମଧ୍ୟରୁ ଭୟ ଛଡ଼ାଇବା ପାଇଁ ଉଦ୍ୟମ କଲି । ଲୋକଙ୍କ ମଧ୍ୟରୁ ଭୟ କିପରି ଦୂର ହେବ, ସରକାରଙ୍କ ବିରୋଧରେ କହିବାକୁ କିପରି ସାହସ ହେବ, ସରକାରଙ୍କ ଅନ୍ୟାୟ, ଅସତ୍ୟ, ଜୁଲମ, ବେଠି, ଭେଟି ଆଦି ବିରୋଧରେ କହିବାକୁ କିପରି ସାହସ ହେବ, ସେହି ଉଦ୍ୟମରେ ଗାଆଁମାନ ବୁଲିଲି । କେଉଁ ଗାଆଁରେ ଆଶ୍ରୟ ନେବାକୁ ଚେଷ୍ଟା କରି ୨/୫ ଦିନ ରହିବା ପରେ ପୁଣି ମନା କରିବା ଦେଖି ଗୁଣପୁରରେ ରହି ଯିବାଆସିବା କଲି ।” ଦୂର କଟକ ଆଡ଼ୁ ଆସିଥିବା ଏହି ଯୁବକଙ୍କର କଥାଗୁଡ଼ିକୁ ସଲ ମଣୁଥିଲେ ବୋଲି ଯେ ଗାଆଁର ସେହି ବାସିନ୍ଦାମାନେ ତାଙ୍କୁ ନିଜ ଗ୍ରାମରେ ରଖିବାପାଇଁ ଇଚ୍ଛା କଲେ ନାହିଁ ସେକଥା ଆଦୌ ନୁହେଁ । ଯୁବକଟି ତ ନିରାଟ ବାସ୍ତବ କଥା ଗୁଡ଼ିକୁ ହିଁ କହୁଥିଲା । ସରକାରୀ ସ୍ଥାନୀୟ ମାନଙ୍କର ଅନ୍ୟାୟ ଏବଂ ଯାବତୀୟ ଉପଦ୍ରବ, ଏସବୁ ତ ଗୋଟାପଣେ ହିଁ ସତ ଘଟଣା ଓ ସତ କଥା । ମାତ୍ର, ସେସବୁର ବିରୋଧ କରି ହେବ କି ? ଏପରି ଅସଲ କଥା ଗୁଡ଼ିକୁ କେଡ଼େ ସଳଖ କରି କହି ଦେଉଥିବା ପରି ଏହି ଆଜ୍ଞାଟି ସେମାନଙ୍କ ଗାଆଁରେ ରହିଲେ ସେମାନଙ୍କୁ ସରକାରୀ ଅନାଚାରୀ ମାନଙ୍କର ଆହୁରି ଅଧିକ କୋପଦୃଷ୍ଟିରେ ପଡ଼ିବାକୁ ପଡ଼ିବ ନାହିଁ ତ ! ତେଣୁ ସେମାନେ ଥଙ୍ଗମଙ୍ଗ ହେଲେ ଏବଂ ମନା କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ ଗୋଟିଏ କଥା ଆମେ ଅବଶ୍ୟ ମନେ ରଖିବା ଯେ ଯୁବକ ବିଶ୍ଵନାଥ ପଟ୍ଟନାୟକ କାର୍ଯ୍ୟତଃ ଖାସ୍ ଯେଉଁ କପାଚାଷ ଏବଂ ଖଦୀକାମ କରିବାଲାଗି ବରୀରୁ ପଠା ହୋଇଥିଲେ, ସେବିଷୟରେ ଲୋକଙ୍କ ସହିତ କଥାବାର୍ତ୍ତା କଲେନାହିଁ । ଲୋକମାନଙ୍କର ସମ୍ପର୍କରେ ଆସୁ ଆସୁ ଯେଉଁ କଥାଟି ସବାଆଗ ତାଙ୍କ ଆଖିରେ ପଡ଼ିଲା, ସିଏ ସେହି କଥାଟି ବିଷୟରେ ଆଗ ଚିନ୍ତା କଲେ । ଏବଂ, ଶୋଷଣ ଏବଂ କୁଶାସନର ବିରୋଧ କରିବା ବିଷୟରେ ଲୋକମାନଙ୍କୁ ହେଜାଇ ଦେଇଥିଲେ ।

 

କୁଜେନ୍ଦ୍ରୀ ଶବରମାନଙ୍କର ଗାଆ । ସମସ୍ତେ ଗମାଙ୍ଗ । ସେହି କାଳକାଳର ସଂସ୍କାର ମାନଙ୍କ ଭିତରେ ଚଉକଷ ବାନ୍ଧି ହୋଇ ରହିଛନ୍ତି । ବିଶ୍ଵନାଥ ପଟ୍ଟନାୟକ ସବାଆଗ ଗମାଙ୍ଗ ମାନଙ୍କର ଭାଷା ଶିଖିଲେ । ଗାଆଁ ଦାଣ୍ଡରୁ ଘୁଷୁରିମଳ ସଫା କଲେ । ପ୍ରଥମେ ଗୋଟାସୁଦ୍ଧା ଏକାକୀ ଓ ନୂଆ ନୂଆ ପରିଚିତ ସ୍ଥାନୀୟ ମାନଙ୍କ ସହିତ ଏକତ୍ର ହୋଇ । ଆହୁରି କେତେ ଅନ୍ୟ କାର୍ଯ୍ୟକ୍ରମ । ଏଇଟି ସେମାନଙ୍କର ଆପଣାର ଗାଆଁ ଏବଂ ସେମାନେ ଏକାଠି ବାହାରିଲେ ସେହି ପରିବେଶ ବହୁଭାବେ ବଦଳିବ, ଅବଶ୍ୟ ବଦଳିବ । ଏଇଟି କ୍ରମେ ଆତ୍ମପ୍ରତ୍ୟୟ ପ୍ରଦାନ କଲା,-ତାହାହିଁ ଲୋକମାନଙ୍କର ଚିନ୍ତାରେ ମଧ୍ୟ ଅଧିକ ଦୂରକୁ ଦୂରକୁ ଅନାଇ ପାରିବାର ସାହସ ସଞ୍ଚାର କରିଥିଲା । ସେତେବେଳେ ଅଞ୍ଚଳଟି ଦୁଇ ମାଲିକଙ୍କର କବଳରେ : ଗୋଟିଏ ସରକାର ଏବଂ ଆଉ ଗୋଟିଏ ଜୟପୁର ଜମିଦାରୀର ବହୁ ହୃଦୟହୀନ ଅବ୍ୟବସ୍ଥାମାନ । ଦୁହେଁ ସେଇ ଗୋଟିଏ ଧାତୁର, ତେଣୁ ଦୁହିଁଙ୍କୁ ହିଁ ବାଟ ଛାଡ଼ି ନଦେଲେ କୌଣସି ଗତି ନାହିଁ । ଦୁହିଁଙ୍କର ଶାସନଛାୟା ତଳେ କେବଳ ଶୋଷଣର ହିଁ କଷଣ । ସଂପୂର୍ଣ୍ଣ ଜିଲ୍ଲାରେ ମୂଳ ଅଧିବାସୀରୂପେ ଦୀର୍ଘ କାଳରୁ ବାସ କରି ଆସୁଥିବା ସାତ ଲକ୍ଷ ଆଦିବାସୀ ଏବଂ ମୋଟେ ପ୍ରାୟ ଏକହଜାର ପରିବାର ସେମାନଙ୍କୁ ଶୋଷଣ କରି ଆସୁଛନ୍ତି । ସତେଅବା ସିଆଡ଼ୁ କେଉଁ ଭଗବାନଙ୍କର ବରାଦରେ । ବିଭିନ୍ନ ଉପାୟ ଏବଂ ଫିସାଦରେ । ଏବଂ, ପ୍ରାୟ ସବୁଯାକ ଆଇନ୍ ହେଉଛି ସେହି ଫିସାଦଟା ପକ୍ଷରେ ।

 

ଗୋତିପ୍ରଥା ପୁରୁଷ ପୁରୁଷ ଧରି ଆଦିବାସୀକୁ ଅକର୍ତ୍ତବ୍ୟ କରି ରଖିଥିବ; ଅଭାବରେ ପଡ଼ି ଥରେ ସାହୁକାର ଠାରୁ କରଜ କଲେ ମୁକୁଳିବାର କୌଣସି ସମ୍ଭାବନା ମଧ୍ୟ ନଥିବ । ଆପଣାର କଣେମାତ୍ର ଜମି ହଡ଼ପ ହୋଇଯିବ । ସେପାଖଟା ଅଣଆଦିବାସୀ, ସବୁ ଜମିର ନିଦକ ମାଲିକାନା ତାହାକୁ ହିଁ ସତେଅବା କୋଉ ଦୈବବଳେ ସମର୍ପିତ ହୋଇ ରହିଛି । ଆଦିବାସୀ ଶ୍ରମ କରୁଛି ଏବଂ ସାହୁକାର ପଟଟା ଭୋଗ କରୁଛି । ପୂରା ଧୋବଲୁଗା ପିନ୍ଧା ମଣିଷ, ଧୋବଧାଉଳିଆ ସତେଅବା ଆଖି ନପାଉଥିବା ଆଉ ଗୋଟାଏ ମୁଲକର ମଣିଷ । ସେହି ମଣିଷମାନଙ୍କୁ ରାସ୍ତାରେ ଦୂରରୁ ଦେଖି ଭୟାଳୁ ଆଦିବାସୀ ନିଜ ଭିତରେ ତତ୍‌କ୍ଷଣାତ୍ କୋଉଠି ଗୋଟାସୁଦ୍ଧା ଶଙ୍କି ଯାଉଛି; ତା’ ଆଗରେ ପଡ଼ିଯିବା ଆଗରୁ ହିଁ ପାର୍ଶ୍ଵବର୍ତ୍ତୀ ଜଙ୍ଗଲବୁଦାଟାଏ ପାଇଲେ ଆତ୍ମଗୋପନ କରିବାକୁ ଦଉଡ଼ି ପଳାଉଛି । ବିଶ୍ଵନାଥ ପଟ୍ଟନାୟକ ସେହି ଆଦିବାସୀର ହିଁ ପଟ ହୋଇ ଯାଇଥିଲେ । ତେଣୁ, ଅଲଗା କିସମର ବନ୍ଧୁଟିଏ ଇହାଦେ ଆସିଛି ବୋଲି ପ୍ରତ୍ୟୟ ଦେବାଲାଗି ଗାଆଁ ଗାଆଁ ବୁଲିଥିଲେ । ସିଏ ଯେ ସତକୁ ସତ ଆଦିବାସୀ ମାନଙ୍କର କଥା ବୁଝି ପାରିଛନ୍ତି, ଆଦିବାସୀ ମାନଙ୍କର ଅନୁଭବ ମଧ୍ୟରେ ସେହିଭଳି ପ୍ରତ୍ୟୟଟିଏ ସମ୍ଭବ କରି ଆଣୁଥିଲେ । ସେତେବେଳେ ବୃହତ୍ତର ଦେଶଟିର ସ୍ତରରେ ସତେଅବା ଏକ ଚୂଡ଼ାନ୍ତ ସ୍ଵାଧୀନତା-ସମରର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ମହାତ୍ମାଗାନ୍ଧୀ ବ୍ୟକ୍ତିଗତ ସତ୍ୟାଗ୍ରହର କାର୍ଯ୍ୟକ୍ରମଟିଏ ରଖିଥିଲେ । ଓଡ଼ିଶାର ଆଗଛାମୁଆ ନେତୃବର୍ଗ ଜେଲବରଣ କଲେ । ତାଲିକାରେ ବିଶ୍ଵନାଥଙ୍କର ନାଆଁ ନଥିଲା; ତଥାପି ତାଙ୍କରି ପରିଚାଳନାରେ ବେଠି ନଖଟିବାକୁ ଓ ଭେଟି ନଦେବାର ଏକ ସ୍ଥାନୀୟ ଆନ୍ଦୋଳନର ପ୍ରଚାର ହେଲା । ଅଧିକରୁ ଅଧିକ ସଚେତନ ହୋଇ ଆସୁଥିବା ଆଦିବାସୀ ମାନଙ୍କର ପୂର୍ଣ୍ଣ ସହଯୋଗରେ-। ଆଦିବାସୀମାନେ ରାଜାଙ୍କର ଦଶହରା ଭେଟି, ରଥ ଦଉଡ଼ି ଭେଟି ବନ୍ଦ କରିଦେଇଥିଲେ । ଏବଂ, ଏହି ଖାସ୍ ପଦକ୍ଷେପଟିର ଏକ ପ୍ରମାଣରୂପେ ବିଶ୍ଵନାଥ ପଟ୍ଟନାୟକ ରାଜାଙ୍କ କର୍ମଚାରୀ, ନାୟକ ଓ ପେଷଣିଆ ମାନଙ୍କୁ କହି ଦେଉଥାଆନ୍ତି : ଏ ଖବର ରାଜାଙ୍କୁ ଜଣାଇଦିଅ ଯେ ଆମେ ଭେଟି ଦେବା ବନ୍ଦ କରିଦେଇଛୁ ।

 

ସେପଟର କର୍ମଚାରୀମାନେ କଥା ଏତେଯାଏ ଯିବ ବୋଲି ଆଦୌ କଳ୍ପନା ହିଁ କରି ନଥିବେ । ତେଣୁ ବିଶ୍ଵନାଥ ପଟ୍ଟନାୟକଙ୍କୁ କିପରି ବା ସହ୍ୟ କରି ଥାଆନ୍ତେ ? ଆଦିବାସୀ ଗାଆଁମାନଙ୍କରେ ଚହଳ ପଡ଼ି ଯାଇଥିଲା । ସତେଅବା ଗୋଟିଏ ନୂଆ ହାଉଆର ସ୍ପର୍ଶ ଆସି ବାଜିଥିଲା । ଏତେଦିନ ଖାଲି ସହ୍ୟ କରି ଆସିଥିବା ମନୁଷ୍ୟମାନେ ନିଜ ଭିତରୁ ସତେଯେପରି ଏକ ଅନ୍ୟ ଆତ୍ମାର ଆଭାସ ପାଇଥିଲେ । ସମସ୍ତେ କୁଜେନ୍ଦ୍ରୀ ଆସିଲେ ବିଶ୍ଵନାଥଙ୍କୁ ଦେଖିବା ସକାଶେ । ତାଙ୍କ କଥା ଶୁଣିବା ସକାଶେ । ଏବଂ, ପ୍ରାୟ ସେତିକିବେଳେ ‘ଭାରତ ଛାଡ଼’ ଆନ୍ଦୋଳନର ଡାକରା ଆସି ପହଞ୍ଚିଗଲା । ରଚନାତ୍ମକ ନାନା କାମର ମାଧ୍ୟମରେ ଧର୍ମତଃ ସେହି ଆନ୍ଦୋଳନର ହିଁ ପ୍ରସ୍ତୁତି ଚାଲିଥାଏ । ଯୁଗଯୁଗ ଯାବତ୍ ଚରମ ଅବଜ୍ଞା ଏବଂ ଅବହେଳା ମଧ୍ୟରେ ରହି ଲୋକେ ତ ଅତ୍ୟାବଶ୍ୟକ ସର୍ବନିମ୍ନ ଆତ୍ମବିଶ୍ଵାସଟିକୁ ମଧ୍ୟ ହରାଇ ବସିଥାଆନ୍ତି । ନିଜେ କପାବାଡ଼ି କରି ନିଜେ ସୂତା କାଟିବା ଏବଂ ନିଜେ ସେହି ସୂତାରୁ ତିଆରି ହୋଇଥିବା ଲୁଗାକୁ ପିନ୍ଧିବା,-ନିଜ ଉପରେ ବିଶ୍ଵାସ ଆଣି ଦେବାରେ ସେଇଟି ପ୍ରକୃତରେ ଏକ ଅବ୍ୟର୍ଥ ଉତ୍‌ପ୍ରେରକ ରୂପେ ଅବଶ୍ୟ କାର୍ଯ୍ୟ କରିଥିବ । ବିଶ୍ଵନାଥଙ୍କର ଖଦୀକାମ ମଧ୍ୟ ସୁନିଶ୍ଚିତ ଭାବରେ ସେହି ଅଞ୍ଚଳର ଅରଣ୍ୟବାସୀର ଚିତ୍ତଚେତନା ଭିତରେ ବହୁ ଅର୍ଗଳ ହିଁ ଖୋଲି ଦେଉଥିଲା ଓ ତାହାରି ଫଳରେ ଲୋକମାନେ ସେମାନଙ୍କର ଏହି ନୂଆ ପଡ଼ୋଶୀଟିକୁ ଅଧିକ ସଂପୂର୍ଣ୍ଣ ଭାବରେ କ୍ରମେ ବୁଝି ବି ଆସୁଥିଲେ । ସେହିମାନଙ୍କ ମଧ୍ୟରୁ ହିଁ ବିଶ୍ଵନାଥଙ୍କ ସାଙ୍ଗକୁ ଆଉ କିଛି ଅନ୍ତରଙ୍ଗ ସହଚିତ୍ତ କର୍ମୀ ମଧ୍ୟ ତିଆରି ହୋଇ ଆସୁଥିଲେ । ସେଠାରେ ସର୍ବତ୍ର ଶୋଷକମାନେ ଶାସନର ପକ୍ଷରେ ଓ ଶାସନଟା ମଧ୍ୟ ଶୋଷକମାନଙ୍କ ପକ୍ଷରେ । ତେଣୁ, ସେହି ପରିସ୍ଥିତିରେ ସେଠାରେ ଏକାବେଳେକେ ଦୁଇଟିଯାକ ସକାଶେ ଆନ୍ଦୋଳନ : ଦେଶର ସ୍ଵାଧୀନତା ପାଇଁ ଓ ଶୋଷଣରୁ ମୁକ୍ତିପାଇବା ପାଇଁ । ଭାରତ ଛାଡ଼ ଆନ୍ଦୋଳନରେ କୁଜେନ୍ଦ୍ରୀ ଗାଆଁରୁ ବିଶ୍ଵନାଥଙ୍କ ସହିତ ସ୍ତ୍ରୀପୁରୁଷ ମିଶି ୫୬ ଜଣ କାରାବରଣ କରିଥିଲେ । ଆପଣାର ନିର୍ଦ୍ଦେଶିତ ମିଆଦଟି କଟାଇ ବିଶ୍ଵନାଥ ଯେତେବେଳେ ପୁନର୍ବାର ଆପଣାର କ୍ଷେତ୍ରଟିକୁ ଫେରି ଆସିଲେ, ସେତେବେଳେ ଶ୍ରୀ ଗୋପବନ୍ଧୁ ଚୌଧୁରୀ ଏବଂ ତାଙ୍କର ମାର୍ଗପ୍ରଦର୍ଶକ ଅନ୍ୟ ନେତାମାନେ ତଥାପି ଜେଲ ଭିତରେ ଥାଆନ୍ତି ।

 

ଜେଲ ଭିତରର ଅଭିଜ୍ଞତା, ମନନ, ଚିନ୍ତନ, ଆଗକୁ ଆଗକୁ ନକ୍ସା କାଟି ନାନା ପ୍ରକାରର ବିଚାର,-ଏହି ସବୁକିଛିର ଭୂମିଟି ଉପରେ ସେ ଯଥାସମ୍ଭବ ଅଧିକ ମୁକ୍ତ ଭାବରେ ଆପଣାର ଖାସ୍ କ୍ଷେତ୍ରଟିକୁ ନେଇ ଚିନ୍ତା କରିବାର ଏକ ପରିପୂର୍ଣ୍ଣ ସୁଯୋଗ ହୁଏତ ପାଇଥିଲେ ଏବଂ ସେହି ସ୍ଥାନରୁ ଇଙ୍ଗିତ ପାଇ ଅଞ୍ଚଳଟିର ଅଧିବାସୀମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରଚାରପତ୍ର ପ୍ରସ୍ତୁତ କରିଥିଲେ । ଆଦିବାସୀ ଜୀବନର ଯାବତୀୟ ଦୁର୍ଗତିର ଅବସାନ ନିମନ୍ତେ ଆଉ ଗୋଟିଏ ଗଣଆନ୍ଦୋଳନ ଆବଶ୍ୟକ ବୋଲି ସେଥିରେ ଆହ୍ଵାନ ଦିଆ ଯାଇଥିଲା । ଲେଖାଥିଲା, “ଅତ୍ୟାଚାରୀ ମାନଙ୍କର ସମ୍ପତ୍ତିକୁ ଲୋକମାନେ ବାଜ୍ୟାପ୍ତ କରିଦିଅନ୍ତୁ । ସେହି ସମ୍ପତ୍ତି ସମୁଦାୟ ସମାଜର, ସାହୁକାରମାନେ ସମାଜର ଅଧିକାଂଶ ଲୋକଙ୍କୁ ଠକି ନିଜର ସମ୍ପତ୍ତି ଠୁଳ କରିଥିବାରୁ ସେହି ସମ୍ପତ୍ତି ସମାଜକୁ ଫେରିଆସିବା ଉଚିତ । ଯଦି ସରକାର ଆମକୁ ସମର୍ଥନ କରିବେନାହିଁ, ତେବେ ଆମେ ସରକାରଙ୍କୁ ମଧ୍ୟ ବିରୋଧ କରିବୁ ।” ପ୍ରଚାରପତ୍ର ବିତରଣର ପ୍ରଭାବ ସ୍ୱରୂପ, କେତେକ ଆଦିବାସୀ ସାହୁକାରଙ୍କ ପାଖରେ ‘ଋଣ ପାଇଁ କମ୍ ସୁଧ ନିଅ, କାମ ପାଇଁ ଅଧିକ ମଜୁରି ଦିଅ’ ବୋଲି ଦାବୀ କରିଥିଲେ । ସେହି ପର୍ଯ୍ୟାୟରେ ଆଉଜଣେ ସାହୁକାରଙ୍କର ଧାନ ଜବତ କରା ଯାଇଥିଲା । ସେମାନେ ସାହୁକାରଙ୍କ ଘରୁ କେତେ ବସ୍ତା ଧାନ ଜବତ କରି ନେଇ ଯାଇଥିଲେ । ମାଲିକଙ୍କର ଆଦିବାସୀ ଗୋତିମାନେ କୌଣସି ବାଧା ଦେଇନଥିଲେ । ସ୍ଵୟଂ, ମାଲିକ ମଧ୍ୟ ଲୋକମାନଙ୍କର ଭୟରେ ପାଟି ଖୋଲି ପାରିନଥିଲେ । ଏହିପରି ଏକ ଘଟଣା ଘଟୁଥିବାର ଦେଖି ସିଏ ପୂରା ହତବାକ୍ ହୋଇ ଯାଇଥିଲେ । ଏପରି ଘଟଣାଟିଏ ପ୍ରକୃତରେ ଘଟିବ ବୋଲି ସେ ଧାରଣା ହିଁ କରି ନଥିବେ । ପୋଲିସ୍ ମଧ୍ୟ ଆଉ କିପରି ବା ନିଷ୍କ୍ରିୟ ହୋଇ ରହନ୍ତା ! ବିଶ୍ଵନାଥଙ୍କର ଆଶ୍ରମ ଘରର ତଲାସି ହୋଇଥିଲା । ପ୍ରଚାରପତ୍ରର ସନ୍ଧାନ ମିଳିବାରୁ ବିଶ୍ଵନାଥ ଗିରଫ ହେଲେ । ଗୋଟିଏ ବର୍ଷ ଜେଲଦଣ୍ଡ ଭୋଗ କରିଥିଲେ ।

 

ସଂଯୋଗବଶତଃ, ସେହି ସମୟରେ ଶ୍ରୀ ଗୋପବନ୍ଧୁ ଚୌଧୁରୀ, ଶ୍ରୀମତୀ ରମାଦେବୀ, ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀ,-ସେମାନେ ବାହାରେ ନଥିଲେ । ଜେଲ୍‌ରୁ ଖଲାସ ହୋଇ ନଥିଲେ । ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ନିଜର ବିବେକ ଦ୍ଵାରା ହିଁ ପରିଚାଳିତ ହୋଇ ଏହିପରି ପ୍ରଚାରପତ୍ରଟିଏ ବାହାରୁ ଏବଂ ଶୋଷିତ ସାଧାରଣବର୍ଗଟି ପାଖରେ ପହଞ୍ଚୁ ବୋଲି ନିଷ୍ପତ୍ତି କରିଥିଲେ । ଆପଣାର କ୍ଷେତ୍ରଟିକୁ ସିଏ ନିଜେ ହିଁ ସର୍ବୋତ୍ତମ ଭାବରେ ଜାଣିଥିଲେ । ତାଙ୍କୁ ପରଖି, ବଜାଇ ଗ୍ରହଣ କରି ନେଇଥିବା ସେହି ନିର୍ମଳ-ହୃଦୟ ମାନଙ୍କର ଉଦ୍ଧାରମାର୍ଗଟି ବସ୍ତୁତଃ କେଉଁଠାରେ ଓ କିପରି, ସେ ନିଜ ନିତିସମ୍ପର୍କର ଏହି ଏତେବର୍ଷ ମଧ୍ୟରେ ସଂପୂର୍ଣ୍ଣ ଭାବରେ ବୁଝି ନେଇ ପାରିଥିଲେ । ହଁ, ସବାଆଗ ଏକ ଗୁହାମୁକ୍ତି,–ଭୟରୁ ମୁକ୍ତି, ଆପଣା ଭିତରେ ଏକ ଅନ୍ୟ ଶକ୍ତିର ସନ୍ଧାନ ପାଇବାର ମାର୍ଗ । ଏପରି ଏକ ମାର୍ଗ, ଯିଏକି ମେରୁଦଣ୍ଡ ସିଧା କରି ଛିଡ଼ା ହୋଇ ପାରିବ, ମୋଟେ ତୁଚ୍ଛା ଜଡ଼ ହୋଇ ରହି ସହି ନେବନାହିଁ । ସିଏ ପ୍ରତିରୋଧ କରିବ,-ଅର୍ଥାତ୍ ନାହିଁ ବୋଲି କହିପାରିବ । ଏବଂ, ଏହିପରି ଭାବରେ ତ ସିଏ ଆଗାମୀପ୍ରାୟ ସ୍ଵାଧୀନ ଭାରତବର୍ଷକୁ ଜଣେ ସମ୍ମାନ ଥିବା ଭାରତୀୟ ରୂପେ ସ୍ଵୀକାର କରିନେଇ କି ପାରିବ । ବିଶ୍ଵନାଥ ପଟ୍ଟନାୟକ ସବାଆଗ ଖାସ୍ ଏହି ସ୍ଵତନ୍ତ୍ର ପରିଚୟରେ ତଥା ସୁନିଶ୍ଚିତ ଭାବରେ ଅଧିକତର ପ୍ରାସଙ୍ଗିକତାରେ ଆମ ସମସ୍ତଙ୍କର ଅବଶ୍ୟ ମନେ ରହିବେ । ସେହି କଥାଟିର ଏକ ସତ୍ୟତର ପ୍ରମାଣ ହେଉଛି ତାଙ୍କ ଦ୍ଵାରା କେତେକ ସଙ୍ଗୀଙ୍କୁ ସାଙ୍ଗରେ ନେଇ ପରିଚାଳିତ କୁଜେନ୍ଦ୍ରୀ ଅଞ୍ଚଳର ସେହି ଭୂସତ୍ୟାଗ୍ରହ । ଏହିସବୁ ଅସଲ ଗବାକ୍ଷରୁ ସାହାଯ୍ୟ ନେଇ ଆମେ ବିଶ୍ଵନାଥଙ୍କର ସେହି ସ୍ଵତନ୍ତ୍ର ପରିଚିତିଟିକୁ ଜାଣିବା । ସେତେବେଳକୁ ଭାରତବର୍ଷ ସ୍ଵାଧୀନ ହୋଇ ଯାଇଥିଲା । ଦିଲ୍ଲୀସ୍ଥ ତୁଙ୍ଗ ନେତାମାନେ ଜଣେ ଜଣେ ପହିଲିମାନ ଭଳି ବସି ଦେଶପାଇଁ ଯୋଜନା ବନାଉଥିଲେ । ସ୍ଵାଧୀନତା ପ୍ରାପ୍ତିର ମୋଟେ ପାଞ୍ଚ ବର୍ଷ ପରେ, ୧୯୫୨ ମସିହାରେ ।

 

ନୂଆ ନିର୍ବାଚନଟି ଫଳରେ ନୂଆ ନୂଆ ମୁହଁଗୁଡ଼ିକ । ପ୍ରତିନିଧିସଭାରେ ସେଇମାନଙ୍କର ନାନା ବାକ୍ୟ ଓ ବିତର୍କ । ନୂଆ ଗୋଟାଏ ମନ୍ତ୍ରୀମଣ୍ଡଳ । ମୁଖମୁଦ୍ରା ମାନଙ୍କରୁ ମନେ ହେଉଛି ସତେଯେପରି ଆମ ରାଜ୍ୟଟାଯାକର ଖବର ସେମାନଙ୍କର ଟିପଅଗରେ । ଗୋଟିଏ ସଂଗ୍ରାମ ଲଢ଼ିବା ଓ ଗୋଟିଏ ନୂଆ ଦେଶକୁ ମୂଳରୁ ହିଁ ମୂଳଦୁଆମାନ ପକାଇ ସୂତର କରି ଗଢ଼ିବା,–ଦୁଇଟିଯାକ ଯେ ଆଦୌ ଗୋଟିଏ କଥା ନୁହନ୍ତି, ସେହି ବିଷୟରେ କୌଣସି ହୋସ୍ ନାହିଁ । ସମସ୍ତେ ନେତା ଏବଂ ସମସ୍ତେ ନିର୍ମାତା । ନୂଆ ଡାଆଣୀମାନେ ଘୁଅ ଖାଇବାପରି ପୂର୍ଣ୍ଣ ଆଶାବାଦୀ । ଅନ୍ତତଃ ନିଜନିଜର ପାରିବାପଣ ବିଷୟରେ । ସେହି ସମୟରେ ବିଶ୍ଵନାଥ ପଟ୍ଟନାୟକଙ୍କର ଲେଖାଟିଏ ଏକ ସାପ୍ତାହିକ କାଗଜରେ ବାହାରିଲା । ପ୍ରଥମ ମୂଳଧାଡ଼ି ଅର୍ଥାତ୍ ବଡ଼ ବଡ଼ ଅକ୍ଷର, ଶୀର୍ଷଧାଡ଼ି ମାନଙ୍କରେ ଲେଖା ହୋଇଥିଲା : କୋରାପୁଟରେ ଖାଇବାକୁ ନପାଇ ଲୋକ ମଲେ । ‘ପେଜ, ପେଜ’ ବୋଲି କହୁ କହୁ ଦୁଇଟି ପିଲାଙ୍କର ପ୍ରାଣବାୟୁ ଉଡ଼ିଗଲା । ମାଆ ପିଲାଠାରୁ ଖାଦ୍ୟ ଛଡ଼ାଇ ନେଉଛି । ଡାଳପତ୍ର ଖାଇ ଅଧିକାଂଶ କନ୍ଧ ପ୍ରାଣ ବଞ୍ଚାଇଛନ୍ତି । ରାୟଗଡ଼ାରେ ହାଡ଼ମାଳର ଦୃଶ୍ୟ । ତା’ପରେ ଏକ ବିଶଦତର ବର୍ଣ୍ଣନାରେ, କୋଉ ମୁଠା ଏବଂ ଗାଆଁ ମାନଙ୍କରେ ଆହାରଅଭାବର ବିଭୀଷିକାଟି ଫଳରେ ଲୋକେ ଛଟପଟ ହେଉଛନ୍ତି ଓ ଅସହାୟ ଭାବରେ ମରୁଛନ୍ତି, ତାହାରି ବର୍ଣ୍ଣନାମାନ । ସରକାରୀ ଅମାରମାନଙ୍କରେ ଖାଦ୍ୟଶସ୍ୟ ରହିଛି ମାତ୍ର ଭୋକିଲାଙ୍କ ପାଖରେ ଯାଇ ପହଞ୍ଚି ପାରୁନାହିଁ ।

 

ଭୋକରେ ଆହାର ନପାଇ ଛଟପଟ ହୋଇ ମଣିଷମାନେ ମରିବା,-ସେଠା ସମ୍ବଳହୀନ ମାନଙ୍କର ଜୀବନରେ ଆଦୌ ନୂଆ ନୁହେଁ । ସେମାନେ ତ କାଳେକାଳେ ସେହିଗୁଡ଼ିକୁ ହିଁ ଅଙ୍ଗେ ନିଭାଇଛନ୍ତି ଓ ମରିଛନ୍ତି । ତେଣୁ ସରକାର ଯେତେ ଯାହା ହେଲେ ମଧ୍ୟ କ’ଣ ବା କରିଛନ୍ତି । ଲୋକମାନେ ସହି ନେଇ ଆସିଛନ୍ତି, ସରକାର ମାନଙ୍କର ସେତିକି ଯାହା ଆଶ୍ଵାସନା । କିନ୍ତୁ ଗାନ୍ଧୀ ସେବାସଂଘର କର୍ମୀ ବିଶ୍ଵନାଥ ପଟ୍ଟନାୟକ ଅନ୍ତତଃ ବିଗତ ବର୍ଷମାନଙ୍କରେ ଯାହାସବୁ କରି ଆସିଛନ୍ତି, ଏଣିକି ସତେଅବା ତାହାରି ହିଁ ପୁନରାବୃତ୍ତି ହେବାର ନଥିଲା । ସେମାନେ ଭୟ ଛାଡ଼ିଛନ୍ତି, ପ୍ରତିବାଦ କରି ଜାଣିଲେଣି । ବିରୋଧ ମଧ୍ୟ କରିବାର ଏକ ଅନ୍ୟ ସଚେତନତାର ସମର୍ଥ ହୋଇଛନ୍ତି । ଏତେବେଳେକେ ସେହି ଦଶବର୍ଷ ତଳେ ସେହି ଆତ୍ମବଳର ପରିଚୟ ପାଇଛନ୍ତି ଓ ଆତ୍ମପ୍ରତ୍ୟୟ ଲାଭ କରିଛନ୍ତି । ସେମାନଙ୍କର ଏତେଦିନର ସେହି ସାଥୀ ସେହି କଥାଟିକୁ ଖୁବ୍ ଭଲ କରି ଜାଣିଥିଲେ । ତେଣୁ ପ୍ରତିକାର ନିଶ୍ଚୟ ହେବ । ସମସ୍ତେ ଏକତ୍ର ବିଚାର କରି ଯେଉଁ ସିଦ୍ଧାନ୍ତଟିରେ ଯାଇ ପହଞ୍ଚିଥିଲେ, ସେଇଥିରୁ ହିଁ ଭୂସତ୍ୟାଗ୍ରହ ସମିତି ଜନ୍ମ ନେଲା । ସେହି ସମିତି ହିଁ ସତ୍ୟାଗ୍ରହ ତଥା ପ୍ରତିବାଦର ଖସଡ଼ାଟିଏ ପ୍ରସ୍ତୁତ କରିଥିଲା । ବିଶ୍ଵନାଥ ପଟ୍ଟନାୟକ ସାପ୍ତାହିକ ସେହି କାଗଜଟିରେ ଗୋଟିଏ ପୂରା ଲେଖା ଲେଖି ସଂପୃକ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ । ସେହି ସ୍ତମ୍ଭଲେଖଟିର ଶୀର୍ଷକଟି ଏହିପ୍ରକାରେ ଥିଲା : କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କ ଜମି ଆନ୍ଦୋଳନ,-ଛଡ଼ାଇ ନିଆ ଯାଇଥିବା ଜମି ଅବଶ୍ୟ ଫେରାଇ ଆଣିବେ । ଆମେ ବିସ୍ତାରିତ ଭାବରେ ସେଇଟିର ପରିଚୟ ଦେବା ପୂର୍ବରୁ ସେହି ଲେଖାଟିକୁ ତାହାର ପୂର୍ଣ୍ଣାବୟବରେ ଏଠାରେ ଉଦ୍ଧାର କରିବା । ସେଇଟି ସାପ୍ତାହିକ 'କୃଷକ’ ୩ୟ ବର୍ଷ ୪୯ଶ ସଂଖ୍ୟାରେ ପ୍ରକାଶିତ ହୋଇଥିଲା-

 

କୋରାପୁଟ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ । ତନ୍ମଧ୍ୟରୁ ରାୟଗଡ଼ା, ଗୁଣପୁର, ବିଷମକଟକ, ଗୁଡ଼ାରି ଆଦି ଅଞ୍ଚଳରେ କନ୍ଧ ଓ ସଉରା ଜାତିର ଆଦିବାସୀ କେବଳ ରହିଅଛନ୍ତି । ଆଉ କେତେକ ଅନ୍ୟ ଜାତିର ଲୋକେ ମଧ୍ୟ ଅଛନ୍ତି । ଏହି ଆଦିବାସୀଙ୍କ ଜମି ଅନେକ ବର୍ଷ ଧରି ବିଭିନ୍ନ ଉପାୟରେ ଅପହୃତ ହୋଇଯାଇଛି । ଖାଲି କାଗଜରେ ଟିପ ନେଇ ଯେତିକି କରଜ ଦିଆଗଲା ତା’ର ଦଶଗୁଣ ଲେଖି ସାହୁକାରମାନେ ଆଦିବାସୀମାନଙ୍କର ସମସ୍ତ ଜମି ହସ୍ତାନ୍ତରିତ କରି ନେଇଛନ୍ତି । ସାମାନ୍ୟ ଭୁଲକୁ କେନ୍ଦ୍ର କରି ଜୁଲମ ଓ ଗୁଣ୍ଡାମି ଦ୍ଵାରା ଜମି ସବୁ ହରଣ କରିଛନ୍ତି । ଏ ଅଞ୍ଚଳର ସମସ୍ତ ଜମି ଏହି ନିରୀହ ଅଶିକ୍ଷିତ ଆଦିବାସୀମାନଙ୍କର ହାଡ଼ଭଙ୍ଗା ପରିଶ୍ରମରୁ ତିଆରି ହୋଇଛି । ଏପରି ଉପାୟରେ ଆଦିବାସୀମାନଙ୍କ ଜମି ଚାଲିଯିବା କଥାକୁ ସାମ୍ରାଜ୍ୟବାଦୀ ଇଂରେଜ ସରକାର ମଧ୍ୟ ସ୍ଵୀକାର କରି ୧୯୧୭ ସାଲରେ ଏକ ‘ମାନ୍ଦ୍ରାଜ ଇଷ୍ଟେଟ୍ ଲାଣ୍ଡ୍ ଆକ୍ଟ୍‌’ କରାଇ ସରକାରଙ୍କ ବିନାନୁମତିରେ ବାହାର ଲୋକେ ଆଦିବାସୀଙ୍କ ସମ୍ପତ୍ତି ନେଇ ପାରିବେ ନାହିଁ ବୋଲି ଆଦେଶ କରିଥିଲେ । ଦୁଃଖର କଥା ବର୍ତ୍ତମାନର ସରକାର ୧୨ ବର୍ଷ ମଧ୍ୟରେ ହସ୍ତାନ୍ତରିତ ହୋଇଥିବା ସମ୍ପତ୍ତି ଆଦିବାସୀମାନଙ୍କୁ ଫେରାଇ ଦିଆଯିବ ବୋଲି ଆଇନ୍ ତିଆରି କରିବା ସମୟକୁ ସେମାନଙ୍କର ସମସ୍ତ ଜମି ୬୦/୭୦ ବର୍ଷ ଆଗରୁ ହସ୍ତାନ୍ତର ହୋଇ ଯାଇଥିଲା । ଅତଏବ ସରକାରଙ୍କର ଏହି ସହାନୁଭୂତିସୂଚକ ଆଇନ୍ ତାଙ୍କର କୌଣସି ହିତ କାମରେ ଆସିଲାନାହିଁ । ବରଂ ନ୍ୟସ୍ତସ୍ଵାର୍ଥ ଲୋକେ ବିଭିନ୍ନ ପ୍ରକାର ଆଇନ୍‌ର ଛିଦ୍ର ଅନୁସନ୍ଧାନ କରି ନିଜର କାଗଜପତ୍ରକୁ ସତର୍କତାର ସହିତ ନିର୍ବିବାଦ କରିନେବାରେ ସଫଳ ହେଲେ ।

 

ଏପରି ଭାବରେ ଏ ଅଞ୍ଚଳର କନ୍ଧ ସଉରା ଲୋକମାନେ ଜମିହୀନ ହୋଇ ପଡ଼ିଲେ । ଯେଉଁ କେତେଜଣ ଆଦିବାସୀଙ୍କର ଜମି କିଛି ପରିମାଣରେ ରହିଲା, ସେମାନେ ମଧ୍ୟ ଅତ୍ୟାଚାର କରିବାକୁ କୁଣ୍ଠାବୋଧ କଲେନାହିଁ । ୧୯୧୭ ଆଇନ ହେବା ପରେ ଏହି ନିଃସ୍ଵ ଆଦିବାସୀମାନେ କାଁ ଭାଁ କେତେକ ସ୍ଥଳରେ ଜମି ଫେରି ପାଇଲେ । ଏତଦ୍ଦ୍ୱାରା ଜନସାଧାରଣଙ୍କର ଆଖି କେତେକ ପରିମାଣରେ ଫିଟିଗଲା । ସେମାନେ ତ ଉପରିସ୍ଥ କର୍ମଚାରୀଙ୍କୁ ଭୟ କରନ୍ତି, ଅବିଶ୍ଵାସ କରନ୍ତି, କାରଣ ସେମାନେ ଜାଣନ୍ତି ଯେ, ସାହେବ ବା ହାକିମମାନେ, ପୋଲିସ୍ ଓ ଅମୀନମାନେ ସର୍ବଦା ସମ୍ପତ୍ତିବାନ୍‌ର ଅବୈଧ ସମ୍ପତ୍ତି ବଢ଼ାଇ ପାରନ୍ତି । ମାତ୍ର ଗରିବ ଲୋକର ଅପହୃତ ସମ୍ପତ୍ତିକୁ ଫେରାଇ ପାରନ୍ତି ନାହିଁ । ମୋଟରେ କହିଲେ, କନ୍ଧ, ସଉରା ଜାତି...ଅନ୍ୟର ଠକାମିରେ ଭୁଲିଯାଇ ନିଜ ଜମିକୁ ଦେଇ ପକାଇଛନ୍ତି ବୋଲି ଭାବିଲେ, ଯେଉଁ ଜମିକୁ ସାହୁକାରମାନେ ଜବରଦସ୍ତି ଟିପ କରାଇ ଅପହରଣ କରି ନେଇଛନ୍ତି ବୋଲି ଦେଖିଲେ, ମୋଟ୍‌ରେ ଯେଉଁସବୁ ଜମି ଅବୈଧ ଭାବରେ ଅପହୃତ ହୋଇଥିବାର ଜାଣିଲେ, ତାହା ଭିତରକୁ ନିଃସଙ୍କୋଚରେ ପ୍ରବେଶ କଲେ । ଏପ୍ରକାର ପ୍ରବେଶକୁ ନ୍ୟସ୍ତସ୍ଵାର୍ଥ ଲୋକମାନେ ଆଇନ୍ ଓ ଦଫାର ସୁଯୋଗ ନେଇ ଅର୍ଥସର୍ବସ୍ଵ ଓକିଲମାନଙ୍କ ପରାମର୍ଶରେ ବେଆଇନ୍ ପ୍ରମାଣ କରାଇ ଜମିରେ ପ୍ରବେଶ କରିଥିବା ନିରୀହ କନ୍ଧ ଓ ସଉରାମାନଙ୍କୁ ଜେଲ ଓ ଜରିମାନା ଦ୍ଵାରା ନିର୍ଯାତନା ଦେବାକୁ ଲାଗିଲେ । ମାତ୍ର ଏ ପ୍ରକାର ଦବାଇ ଦେଇ ବିଭିନ୍ନ ଭୂମିହୀନ ଲୋକର ହକ୍‌କୁ ଚାପି ରଖିବା ସମ୍ଭବ ହେଲାନାହିଁ । ବର୍ଷକୁ ବର୍ଷ ଜମି ପ୍ରବେଶ ଦ୍ଵାରା ଅପହୃତ ଜମି ଅଧିକାର କରିବା ଆଗ୍ରହ ଆଦିବାସୀମାନଙ୍କ ଭିତରେ ବଢ଼ି ଚାଲିଲା । କ୍ରମେ ସେମାନେ ଆପତ୍ତି ଅଭିଯୋଗ କରିବାର ବାଟ ଶିଖି ସରକାରଙ୍କୁ ଜଣାଇଲେ ସୁଦ୍ଧା ନ୍ୟାୟ ପାଇଲେ ନାହିଁ । ଅତଏବ ଆଜି ସତ୍ୟାଗ୍ରହ ପାଇଁ ସେମାନେ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି-

 

ଜମିହୀନ ହେବା ପରେ ନିଜଠାରୁ ଠକି ନେଇଥିବା ସାହୁକାରର ଜମିକୁ ଭାଗଚାଷରେ ପ୍ରତିବର୍ଷ ଆବାଦ କରିବା ଛଡ଼ା ଅନ୍ୟ ଉପାୟ ରହିଲା ନାହିଁ । ୧୯୪୮ ମସିହାଠାରୁ ସରକାର ‘ପ୍ରଜା ରକ୍ଷା ଆଇନ’ କରି ଭାଗଚାଷର କେତେକ ସୁବିଧା ଓ ଅଧିକାର ସାବ୍ୟସ୍ତ କଲେ । ମାତ୍ର ଏ ସାରା ଅଞ୍ଚଳର ନିରୀହ ଆଦିବାସୀମାନେ ୧୯୫୨ ମସିହା ପର୍ଯ୍ୟନ୍ତ ସେ ସମ୍ପର୍କରେ ଅଜ୍ଞ ଥିଲେ । ୧୯୫୨ ମସିହାରେ ତାହା ଜାଣି ସେ ଦିଗରେ ନିଜର ଦାବି ପାଇଁ ଜିଦ୍ ଧରିବାକୁ ଧନୀମାନେ ତାଙ୍କ ଉପରେ ଧମକ ଚମକ ଦେଖାଇଲେ, ମାଡ଼ ମରାଇଲେ, ମିଛ ମୋକଦ୍ଦମା କରି ହଇରାଣ କଲେ, ଶେଷରେ ଭୂମିରୁ ବଞ୍ଚିତ କଲେ ।

 

କରିବୁ ବା ମରିବୁ

 

ଚଳିତ ବର୍ଷ କୋରାପୁଟ ଜିଲ୍ଲାର ଉଲ୍ଲିଖିତ ଅଞ୍ଚଳ ମାନଙ୍କରେ ସେଟ୍‌ଲ୍‌ମେଣ୍ଟ୍ କାମ ମାନ୍ଦ୍ରାଜ-ଇଷ୍ଟେଟ୍-ଲ୍ୟାଣ୍ଡ୍-ଆକ୍ଟ ଅନୁଯାୟୀ ଆରମ୍ଭ କରାଗଲା । ଓଡ଼ିଶାର ପ୍ରଜାସତ୍ଵ ଆଇନ୍ ଓ ଜମିଜମା ସମ୍ପର୍କୀୟ ଆଇନ୍ ଥାଉ ଥାଉ ମାନ୍ଦ୍ରାଜ-ଇଷ୍ଟେଟ୍-ଲ୍ୟାଣ୍ଡ୍-ଆକ୍ଟ ଏଠାରେ ପ୍ରଯୁଜ୍ୟ କରିବା ଅତି ଦୁଃଖର ବିଷୟ । ଏହାଦ୍ଵାରା ଭାଗଚାଷୀ ମାନଙ୍କର ସିକିମୀ ସ୍ଵତ୍ଵ ବା sub-tenant-right ଠୁ ଲୋକମାନଙ୍କୁ ବଞ୍ଚିତ କରାଗଲା । ଏହି ସେଟ୍‌ଲ୍‌ମେଣ୍ଟ୍ ଆରମ୍ଭ ହେବା ହେତୁ ଭାଗଚାଷୀମାନେ ତାଙ୍କର ଦଖଲ-ସ୍ଵତ୍ଵ ପ୍ରମାଣ କରିବେ ବୋଲି ସାହୁକାରମାନେ ଭୟ କରି ସେହି ପରିସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ ଯାଇ ଭାଗଚାଷୀମାନଙ୍କ ଠାରୁ କେତେକ ସ୍ଥଳରେ ଜମି ଛଡ଼ାଇ–ନେଲେ । ସେଟ୍‌ଲ୍‌ମେଣ୍ଟ୍ ଓ ଭାଗଚାଷ ଆଇନ୍ ହେତୁ ଏପ୍ରକାର ଜମିରୁ ନିଃସ୍ଵ ଆଦିବାସୀଙ୍କୁ ବଞ୍ଚିତ କରିବାକୁ କ୍ରମେ ଗୋଟିଏ ସାମୂହିକ ପ୍ରତିରୋଧର ବାତାବରଣ ସୃଷ୍ଟି କଲା । ସମୂହ ଆଦିବାସୀ ଜନତା ଭାବିଲେ ଆଜି ଅନ୍ୟର ଅଧୀନରେ ଜମି ଥିବା ଯୋଗୁ ତାହାରି ଦୟାରେ ଆମକୁ ଚଷିବାକୁ ହେଉଛି, ପୁଣି ଛଡ଼ାଇ ନେଉଛି । ମାତ୍ର ଏପରି କରିବାଠୁଁ ମାରିବା ଶ୍ରେୟସ୍କର । ପୂର୍ବରୁ ଅପହୃତ ସମସ୍ତ ଜମି ଆମେ ସଂଗଠିତ ଉପାୟରେ ଚଷିବୁ ଏବଂ ଆମର ଦାବୀ ପ୍ରମାଣ କରିବୁ । ଯଦି ଏଥିହେତୁ ଜେଲ ମୃତ୍ୟୁ ଯାହା ଆସିବ ତାହା ସାଦରେ ବରଣ କରିନେବୁ ।

 

(ମରୁଡ଼ି ବର୍ଷାହାନି) ପ୍ରତିବର୍ଷ ଆସୁଛି ଓ ତାହାର ଆଗମନୀ ବାର୍ତ୍ତା ଦୁର୍ଭିକ୍ଷ ଦ୍ଵାରା ଶୁଣାଇ ଦେଇ ଯାଉଛି । ଉତ୍କଳର ଜନସାଧାରଣ ଜାଣିଥିବେ, ଗତବର୍ଷ ଗୁଣୁପୁର, ଗୁଡ଼ାରି, ବିଷମକଟକ ଲୋକଙ୍କୁ ବଞ୍ଚାଇବା ପାଇଁ ଶେଷରେ ସରକାରୀ ଓ ବେସରକାରୀ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଲୋକମୃତ୍ୟୁର ସମ୍ବାଦ ମଧ୍ୟ ପ୍ରକାଶ ପାଇଥିଲା । ଧାନଗୋଲା ସ୍ଥାନେ ସ୍ଥାନେ ଖୋଲି ସୁଦ୍ଧା, ରାସ୍ତା, କୂଅକାମ ଗ୍ରାମେ ଗ୍ରାମେ ଯୋଗାଇ ମଧ୍ୟ, ଅନ୍ନସତ୍ର ସ୍ଥାନେ ସ୍ଥାନେ ଚଳାଇ ସୁଦ୍ଧା ମଣିଷକୁ ରକ୍ଷା କରି ହେଲାନାହିଁ । ମାତ୍ର ଏ ଦୁର୍ଭିକ୍ଷ ତ ଗୋଟିଏ ବର୍ଷ ନୁହେଁ, ବର୍ଷ ବର୍ଷ ଧରି ଯେତେଦିନରୁ ଆଦିବାସୀମାନେ ଭୂମିହୀନ ହେଲେଣି, ସେତେଦିନରୁ ଏ ଦୁର୍ଭିକ୍ଷ ପଡ଼ି ଆସୁଛି । ଏବର୍ଷ ପ୍ରାରମ୍ଭରେ ଗତବର୍ଷର ସେ କରୁଣ ଚିତ୍ର ପୁଣି ଲୋକଙ୍କ ଆଖି ଆଗରେ ନାଚି ଉଠିଲା । ସରକାରଙ୍କ ଦୁର୍ଭିକ୍ଷ ସମୟର ଉଦାରତା ତାଙ୍କ ମନରେ ଶାନ୍ତି ଆଣି ପାରିଲାନାହିଁ । ଭୂମିବାଡ଼ିରୁ ବଞ୍ଚିତ ହୋଇ ପାହାଡ଼ ଓ ଜଙ୍ଗଲରେ ଚାଷ କଲେ ତାହାକୁ ବେଆଇନ୍ ବୋଲି କହି ପୁଣି ତାଙ୍କ ଉପରେ ଶହ ଶହ ମୋକଦ୍ଦମା ହେଉଛି ଓ ଅଧିକ ଜୋରିମାନା ନଦେଲେ ଜେଲଦଣ୍ଡ ଭୋଗିବାକୁ ପଡ଼ୁଛି । ଏସବୁ କଥାରେ ମଧ୍ୟ ‘ସତ୍ୟାଗ୍ରହ ଉପାୟରେ କରିବା ନୋହିଲେ ମରିବା’ ନୀତିକୁ ପସନ୍ଦ କରି ସେମାନେ ଏବେ ସଂଗଠିତ ଉପାୟରେ ଭୂମି ପ୍ରବେଶ କରିବାକୁ ବାଧ୍ୟ ହୋଇଛନ୍ତି । ଆଇନ୍ ଅଦାଲତରେ କେବଳ ପଇସାବାଲା ଏବଂ ଶିକ୍ଷିତ ଲୋକଙ୍କ ପାଇଁ ନ୍ୟାୟ ମିଳେ । ଅବୈଧ ଉପାୟରେ ଜମି ଅପହରଣକୁ ଅନ୍ୟାୟ ବୋଲି ପ୍ରମାଣିତ କରିବା ଅଶିକ୍ଷିତ ନିରନ୍ନ ଅଧିବାସୀ ପକ୍ଷରେ ଅସାଧ୍ୟ । ସରକାରଙ୍କୁ ବାରମ୍ବାର ଜଣାଇ, ଖବରକାଗଜକୁ ଲେଖି ଯେତେବେଳେ କିଛି ସ୍ଥାୟୀ ଫଳ ପାଇଲେନାହିଁ, ବିଭିନ୍ନ ରାଜନୈତିକ ଦଳ ଏ ଖବର ପାଇ ଆଖିରେ ଦେଖି ସୁଦ୍ଧା ଯେତେବେଳେ କିଛି ସ୍ଥାୟୀ ପ୍ରତିକାର କଲେନାହିଁ, ବିଭିନ୍ନ ସେବା ଅନୁଷ୍ଠାନ ଏ ଘଟଣା ଆଖିରେ ଦେଖି ସମାଧାନର ଚେଷ୍ଟା କରି ସ୍ଥାୟୀ ପ୍ରତିକାର କରିବାରେ ଅକ୍ଷମ ହେଲେ, ସେତେବେଳେ ଆଦିବାସୀ କନ୍ଧ ଓ ସଉରାମାନଙ୍କର ଭଗବାନଙ୍କ ଉପରେ ବିଶ୍ଵାସ ରଖି ଭୂମି ଓ ଖାଦ୍ୟ ପାଇଁ ମୃତ୍ୟୁ ମୁଖକୁ ଡେଇଁ ପଡ଼ିବା ପ୍ରଧାନ କର୍ତ୍ତବ୍ୟ ହୋଇ ପଡ଼ିଲା ।

 

ଭୂ-ସତ୍ୟାଗ୍ରହୀ ସମାଜ

 

“ଏହି ପରିସ୍ଥିତିରେ ନିଃସ୍ଵ ଆଦିବାସୀ ସର୍ବହରା ମାନଙ୍କର ହିଂସାକୁ ଆଶ୍ରୟ କରିବା ବା ହିଂସାତ୍ମକ ସଂଗଠନ ଉପରେ ବିଶ୍ଵାସ ରଖୁଥିବା କୌଣସି ଦଳ କଥାରେ ଭୁଲିଯିବା ସ୍ଵାଭାବିକ କଥା-। ମାତ୍ର ତନ୍ମଧ୍ୟରୁ ଅଧିକାଂଶ ବିନୋବା ଲୋକ ଓ ଯୁବକ କର୍ମୀ ରକ୍ତାକ୍ତ ସଂଗ୍ରାମକୁ ଅବିଶ୍ଵାସ କଲେ-। ତଥାପି ଆଗରେ ଏ ସମସ୍ୟାର ସମାଧାନ ଅହିଂସା ଉପାୟରେ କିପରି କରାଯାଇ ପାରିବ ଏ ପ୍ରଶ୍ନ ରହିଲା । ଗାନ୍ଧିଜୀଙ୍କ ସୁମହାନ୍ ଅହିଂସା ଓ ସତ୍ୟର ଆଦର୍ଶରେ ଅନୁପ୍ରାଣିତ କେତେକ କର୍ମୀ ଏକ ଭୂ-ସତ୍ୟାଗ୍ରହ ସମାଜର ପରିକଳ୍ପନା କଲେ ।

 

“ପ୍ରଥମେ ସତ୍ୟାଗ୍ରହୀ ସଂଗ୍ରହ, ଅପହୃତ ଜମିର ତାଲିକା ଏବଂ ଅପହୃତ କରି ନେଇଥିବା ବ୍ୟକ୍ତିଙ୍କର ଇତିହାସ ସଂଗ୍ରହ କରିବା କଥା ହେଲା । ଅପହରଣ କରିଥିବା ବ୍ୟକ୍ତିଙ୍କୁ ଜମି ଫେରାଇ ଦେବାକୁ ଏବଂ ସେ ନଦେଲେ ସରକାରଙ୍କୁ ଏହାର ବିହିତ ବ୍ୟବସ୍ଥା କରିବାକୁ ଅନୁରୋଧ କରିବା ପାଇଁ ଦ୍ଵିତୀୟ କଥା ସ୍ଥିର ହେଲା । ଏହାର ସମାଧାନ ଉଭୟ ତରଫରୁ ନହେଲେ ଠିକ୍ ସମୟରେ ନୋଟିସ୍ ଦେଇ ଅପହୃତ ଜମିରେ ସତ୍ୟାଗ୍ରହୀମାନେ ପ୍ରବେଶ କରିବେ ଓ ସେଥିପାଇଁ ଯାହା ନିର୍ଯାତନା ଭୋଗିବାର କଥା, ତାହା ଭୋଗିବା ପାଇଁ ପ୍ରସ୍ତୁତ ରହିବେ, ଶେଷରେ ସ୍ଥିର ହେଲା-। ଏହି କର୍ମୀମାନଙ୍କ ପାଇଁ କେତେକ ନିୟମ ମଧ୍ୟ ଗଢ଼ି ଦିଆଗଲା, ଯାହାକୁ ପାଳନ କଲେ ଆନ୍ଦୋଳନ ସତ୍ୟ ଓ ଅହିଂସା ଓ ସ୍ଵାବଲମ୍ବନ ଦିଗରେ ଗତି କରିବ ।

 

“ଧନୀମାନଙ୍କ ବିରୋଧ ଏକ ପକ୍ଷରେ ଏବଂ ଦୁର୍ଭିକ୍ଷର ଆଶଙ୍କା ଓ ସେଟ୍‌ଲ୍‌ମେଣ୍ଟ୍ ଦ୍ଵାରା ଚିରଦିନ ପାଇଁ ସତ୍ଵ ହସ୍ତାନ୍ତର ହେଉଥିବା ଦେଖି ନିରାଶ ହେବା ଗରିବ ଆଦିବାସୀମାନଙ୍କ ପକ୍ଷରେ ସ୍ଵାଭାବିକ କଥା । ମାତ୍ର ନିରାଶ ନହୋଇ ସେମାନେ ମନ୍ତ୍ରୀମଣ୍ଡଳ, ଜିଲ୍ଲା କର୍ତ୍ତୃପକ୍ଷ ଓ ସ୍ଥାନୀୟ କର୍ମଚାରୀ ଆଦିଙ୍କୁ ବିଜ୍ଞପ୍ତି ଦେଇ ମେ ଓ ଜୁନ୍ ମାସ ସୁଦ୍ଧା ଗୁଣୁପୁର, ଗୁଡ଼ାରି ଅଞ୍ଚଳରେ ୨୦/୩୦ ଖଣ୍ଡ ଗ୍ରାମର ପରୀକ୍ଷାମୂଳକ ଭାବରେ ଜମିରେ ପ୍ରବେଶ କରିଛନ୍ତି । ତନ୍ମଧ୍ୟରୁ ଏବେ ପର୍ଯ୍ୟନ୍ତ କୌଣସି ସ୍ଥାନରେ ହିଂସାତ୍ମକ କାଣ୍ଡ ସତ୍ୟାଗ୍ରହୀମାନଙ୍କ ପକ୍ଷରୁ ଘଟି ନାହିଁ । ବରଂ ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ କେତେକ ପଦ୍ମପୁର ଅଞ୍ଚଳରେ ମାଡ଼ ଖାଇଛନ୍ତି ।

 

“ଏସବୁ ହେଲାପରେ ଶ୍ରୀ ଭି. ରାମନାଥନ୍ ରେଭେନ୍ୟୁ ବୋର୍ଡ଼ ମେମ୍ବର, ସରକାରଙ୍କ ତରଫରୁ, ଜିଲ୍ଲା ମାଜିଷ୍ଟ୍ରେଟ୍, ଏସ୍.ଏ. ଏଜେଣ୍ଟ୍ ଓ ସମସ୍ଥାନମ୍‌ର ଦେବାନ୍‌ଙ୍କ ସହିତ ଆସି କୁଜେନ୍ଦ୍ରୀ ଠାରେ କର୍ମୀମାନଙ୍କ ସହିତ ଏ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । କିନ୍ତୁ ପ୍ରଧାନ ସମସ୍ୟା ଜମି ଅପହରଣ ବା ତା’ର ପ୍ରତିକାର ବିଷୟରେ କୌଣସି ଆଲୋଚନା କରିବାକୁ ମନା କଲେ । ଆବଶ୍ୟକ ସ୍ଥଳେ ଜଙ୍ଗଲ ଓ ବଞ୍ଜର ଜମି ପଟ୍ଟା, ଅନାବାଦୀ ଓ ଖାସ୍ ଜମିରେ ଜମିହୀନ ଲୋକଙ୍କୁ ବସାଇବା, କୃଷିଋଣ ଓ ଧାନଗୋଲା ଆଦିର ନୂଆ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ କଲେ, ସେ ଆଲୋଚନା କାର୍ଯ୍ୟକାରୀ ହୋଇନାହିଁ । ସରକାରଙ୍କ ତରଫରୁ କୌଣସି ଘୋଷଣା ମଧ୍ୟ ହୋଇନାହିଁ । …କରାଯାଇଛି ଓ ମିଲିଟାରୀ ପୋଲିସ୍ ଆଣି ଅଶାନ୍ତି ହେଲେ ଶାନ୍ତିରକ୍ଷାର ବ୍ୟବସ୍ଥା କରାଯାଇଛି ।

 

“ତା ୧୩.୦୬.୧୯୫୨ ରିଖ ଦିନ ଏସ.ଡି.ଏମ୍, ଏଜେଣ୍ଟ୍‌ମାନଙ୍କ ସହିତ ସ୍ପେଶାଲ ଅଫିସରଙ୍କ ଦାୟିତ୍ଵ ନେଇ ଜଣେ ବିଶିଷ୍ଟ କର୍ମଚାରୀ ଆସିଥିଲେ । ଭୂ-ସତ୍ୟାଗ୍ରହୀ ସମାଜ ତରଫରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଥିବା ଶେଷ ଚିଠିଖଣ୍ଡ ସାଙ୍ଗରେ ଆଣିଥିଲେ । ସେ ମିଳାମିଶା ଦ୍ଵାରା ସମାଧାନର ଉଦ୍ୟମ କରିବାରୁ ସତ୍ୟାଗ୍ରହୀ ସମାଜ ତାଙ୍କୁ ନମ୍ର ନିବେଦନ ଜଣାଇଛି ଯେ ୪ ମାସ ମଧ୍ୟରେ ଏକ କମିଟି ଗଢ଼ି ଅପହୃତ ଜମିମାନ ଆଦିବାସୀମାନଙ୍କୁ ଫେରାଇ ଦିଆଗଲେ ସମସ୍ତ ପ୍ରକାର ବିରୋଧ ବନ୍ଦ କରାଯିବ । ସେ ଏହି ପ୍ରସ୍ତାବ ଗ୍ରହଣ କରିଛନ୍ତି ଓ ସରକାର ଏହାର ସମାଧାନର ବାଟ ଖୋଜୁଛନ୍ତି ଦେଖି ସତ୍ୟାଗ୍ରହୀ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ।”

 

ସବାଆଗ ସେହି ପୀଡ଼ିତ ଅଞ୍ଚଳଟିର ବାସିନ୍ଦାମାନଙ୍କ, ଭୂ-ସତ୍ୟାଗ୍ରହୀ ସମାଜ ଯେ ପ୍ରତିନିଧିମୂଳକ ଭାବରେ ଏକାଠି ବସି ଆଲୋଚନା କରି ଆଗକୁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରିବା ଲାଗି କିଛି ବିଚାର କରୁଛି, ସେହି ସର୍ବମୂଳ ବାରତାଟିଏ ସମ୍ପୃକ୍ତ ସାଧାରଣଙ୍କର ଗୋଚର ନିମନ୍ତେ ଯେଉଁ ପ୍ରଚାରପତ୍ରଟି ପ୍ରସ୍ତୁତ କରାଯାଇଥିଲା, ଆମେ ସେଇଟିକୁ ଏଠାରେ ସଂପୂର୍ଣ୍ଣ ଭାବରେ ପାଠ କରିବା :

 

ନିବେଦନ

 

ଆପଣମାନେ ଜାଣନ୍ତି ଯେ, କୋରାପୁଟ ଜିଲ୍ଲାର ସମସ୍ତ ବାସିନ୍ଦା ହେଉଛନ୍ତି ଆଦିବାସୀ-। ଏ ଅଞ୍ଚଳର ସମସ୍ତ ଜମିଜମା ଦିନେ ଆଦିବାସୀ ମାନଙ୍କର ଥିଲା । ସେମାନେ ହିଁ ଥିଲେ ଏ ସମସ୍ତ ଜମିଜମାର ପ୍ରକୃତ ସତ୍ତ୍ଵାଧିକାରୀ । କାଳକ୍ରମେ ବାହାର ଲୋକ ଆସି ଆଦିବାସୀ ମାନଙ୍କର ସରଳତା ଓ ନିର୍ବୋଧତାର ସୁଯୋଗ ନେଇ ଅନ୍ୟାୟ ଓ ଅସତ୍ ଉପାୟରେ ସେମାନଙ୍କ ଠାରୁ ସମସ୍ତ ଜମି ଅପହରଣ କରି ନେଇଛନ୍ତି ଏବଂ, ଆଜି ଆଦିବାସୀମାନଙ୍କ ପରିବର୍ତ୍ତରେ ବାହାରୁ ଆସିଥିବା ଲୋକେ ହିଁ ହେଉଛନ୍ତି ସମସ୍ତ ଜମିର ମାଲିକ । ଫଳରେ ଏ ଅଞ୍ଚଳର ଆଦିବାସୀମାନେ ଆଜି ଭୂମିହୀନ । ନିଜ ଅଞ୍ଚଳରେ ଫସଲ ଆମଦାନୀ କରି ସୁଦ୍ଧା ସେହି ଫସଲକୁ ଭୋଗ କରିବାର ଅଧିକାର ସେମାନଙ୍କର ନାହିଁ ।

 

ସେମାନଙ୍କ ମଧ୍ୟରୁ ଅନେକ ଯେ ଖାଇବାକୁ ନପାଇ ମରିଛନ୍ତି ଓ ମରୁଛନ୍ତି ଏକଥା କାହାରି ଅଛପା ନୁହେଁ । ପ୍ରଧାନତଃ ବଣର ଫଳ ଓ କନ୍ଦା ଖାଇ ସେମାନେ ଜୀବନନିର୍ବାହ କରୁଛନ୍ତି ଅଥଚ ଏଣେ ପୋଡ଼ୁଚାଷ କରିବା ଅପରାଧରେ ଆଦିବାସୀମାନଙ୍କ ଉପରେ ପ୍ରତ୍ୟେକ ବର୍ଷ ହଜାର ହଜାର ମକଦ୍ଦମା ଦାୟର କରା ହେଉଛି ଏବଂ ସେଥିପାଇଁ ସେମାନେ ଜେଲ ମଧ୍ୟ ଭୋଗୁଛନ୍ତି । ତାହା ସହିତ ପୋଡ଼ୁଚାଷ ଆମଦାନୀ କରୁଥିବା ଫସଲକୁ ଜୋରିମାନା ସ୍ୱରୂପ ଦେଇ ସର୍ବସ୍ଵାନ୍ତ ହୋଇ ପୁଣି ସେହି ବଣୁଆ କନ୍ଦାର ଆଶ୍ରୟ ନେଉଛନ୍ତି । କିନ୍ତୁ କାହିଁକି ଯେ ସେମାନେ ଆଜି ନିର୍ବୋଧ ଭାବରେ ପୋଡ଼ୁଚାଷ କରୁଛନ୍ତି, ତା'ର ମୂଳ କାରଣ କେହି ଅନୁସନ୍ଧାନ କରୁନାହାନ୍ତି । ଏହାର ଏକମାତ୍ର କାରଣ ହେଉଛି ଯେ ସେମାନେ ଆଜି ଭୂମିହୀନ । ସେମାନେ କୋରାପୁଟ ଜିଲ୍ଲାର ସମସ୍ତ ଜମିର ମାଲିକ ହୋଇ ସୁଦ୍ଧା ନିଜର ସମସ୍ତ ସତ୍ତ୍ଵାଧିକାରରୁ ବଞ୍ଚିତ । ସେମାନଙ୍କ ପାଖରେ ଚଷିବା ପାଇଁ ଆଜି ଜମି ଥିଲେ ସେମାନେ ପୋଡ଼ୁଚାଷ କରନ୍ତେ ନାହିଁ ବା ଖାଇବାକୁ ନପାଇ ମରନ୍ତେ ନାହିଁ ।

 

ବଡ଼ ସୁଖର କଥା, ଏତେ ବର୍ଷ କାଳ ଅତ୍ୟାଚାର ନିର୍ଯାତନା ଓ ଅନାଟନରେ ସଢ଼ି ସଢ଼ି ଏବେ ସେମାନଙ୍କର ବୋଧଶକ୍ତି ଫେରି ଆସିଛି । ସେମାନେ ଆଜି ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ବଦ୍ଧପରିକର ହୋଇଛନ୍ତି । ଏହି ଘୋର ଅନ୍ୟାୟର ପ୍ରତିରୋଧ କରିବାର ଚେତନା ଆସିଛି ସେମାନଙ୍କ ପ୍ରାଣରେ, ଏବଂ ଏଥିପାଇଁ ସେମାନେ ବିପ୍ଳବ ଲୋଡ଼ୁଛନ୍ତି ।

 

ଏହି ଚେତନାର ବଳରେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ସେମାନେ ଆଜି ହିଂସାର ଆଶ୍ରୟ ନେବାକୁ ଯାଉଛନ୍ତି । ବେଳ ଥାଉଁ, ଆମେ (ଯେଉଁମାନେ କି ସେମାନଙ୍କର ଅବସ୍ଥା ବୁଝିଛୁ) ଯଦି ସେମାନଙ୍କୁ କୌଣସି ପନ୍ଥା ନଦେଖାଉଁ, ତେବେ ନିକଟ ଭବିଷ୍ୟତରେ ସେମାନେ ଯେ ହିଂସାର ଆଶ୍ରୟ ନେବେ, ଏଥିରେ କୌଣସି ସନ୍ଦେହ ନାହିଁ । ଫଳରେ ସାରା ଦେଶରେ ବିଶୃଙ୍ଖଳା ଓ ଅଶାନ୍ତି ବ୍ୟାପିଯିବ ।

 

ବହୁ ଚିନ୍ତା ଓ ଗବେଷଣା ପରେ ମନେ ହେଉଛି ଯେ, ଏହି ବିପ୍ଳବର ଏକାନ୍ତ ହିଁ ପ୍ରୟୋଜନ । କିନ୍ତୁ ହିଂସାକୁ ଏଡ଼ାଇବା ପାଇଁ ଏ ଧାରାକୁ ପରିବର୍ତ୍ତନ କରିବା ଦରକାର । ଏଯୁଗରେ ମହାମାନବ ମହାତ୍ମା ଗାନ୍ଧୀ ସତ୍ୟାଗ୍ରହର ଯେଉଁ ପନ୍ଥା ଦେଖାଇ ଯାଇଛନ୍ତି, ତାକୁ ଅନୁସରଣ କରିବା ଫଳରେ ଏହି ଅହିଂସକ ବିପ୍ଳବ ଓ ସତ୍ୟାଗ୍ରହ ସଫଳ ହୋଇ ପାରିବ । ଅନ୍ୟାୟର ବିରୋଧ କରିବା ଓ ଜମିର ପ୍ରକୃତ ସତ୍ତ୍ଵାଧିକାରୀକୁ ତା’ର ଜମି ଫେରସ୍ତ କରିଦେବାର ଦାବି ନେଇ ଆମେ ଗୋଟିଏ ସତ୍ୟାଗ୍ରହର ଆୟୋଜନ କରୁଛୁ । ଏଣୁ ନିବେଦନ କରୁ ଯେ ଆପଣ ଜାତି, ବର୍ଣ୍ଣ ନିର୍ବିଶେଷରେ ଏଥିରେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରି ଏ ସତ୍‌କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରନ୍ତୁ ।

 

ନିବେଦକ

୨୭ । ୧୧ । ୫୧

ଭୂ–ସତ୍ୟାଗ୍ରହୀ ସମାଜ

 

ପୋ.ଅ. କୁଜେନ୍ଦ୍ରୀ, ଜି. କୋରାପୁଟ

ଭୂ-ସତ୍ୟାଗ୍ରହୀ ସମାଜର କିଛି ନଥିପତ୍ର ବିସ୍ତାରିତ ଭାବରେ ‘ପରିଶିଷ୍ଟ’ରେ ରହିଛି । ଏଠାରେ ଏହି ସଙ୍କ୍ରାନ୍ତୀୟ କେତୋଟି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଚିଠି ଇତ୍ୟାଦି ରହିଛି । ଶ୍ରୀ ଗୋପବନ୍ଧୁ ଚୌଧୁରୀ, ଶ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ଶ୍ରୀ ମନମୋହନ ଚୌଧୁରୀଙ୍କ ପାଖକୁ ବିଶ୍ଵନାଥ ପଟ୍ଟନାୟକଙ୍କର ଚିଠି ତଥା କେତୋଟି ଉତ୍ତର ଓ ଅନ୍ୟ ବିଜ୍ଞପ୍ତି ।

ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କୁ :

କୁଜେନ୍ଦ୍ରୀ

୨୪ । ୧୧ । ୫୧

ଶ୍ରୀଚରଣେଷୁ,

ବାପା, ସୌରା ଓ କନ୍ଧ ଲୋକେ ତାଙ୍କ ଜମି ଯେଉଁସବୁ ଅନ୍ୟାୟଭାବେ ଅଣଆଦିବାସୀମାନେ ହସ୍ତାନ୍ତର କରି ନେଇଛନ୍ତି ବୋଲି ଅନୁଭବ କରୁଛନ୍ତି, ସେସବୁ ଜମିରେ ଏବର୍ଷ ପ୍ରବେଶ କରି ଜେଲ, ଜୋରିମାନା ଓ ମାଡ଼ରେ ନିର୍ଯାତନା ଭୋଗୁଛନ୍ତି । ଗରିବ ହେତୁ ଅଦାଲତର ନ୍ୟାୟ ମଧ୍ୟ ପାଉନାହାନ୍ତି । ତେଣୁ ଏକତରଫିଆ ହୋଇ ଏକ ଜାତିକୁ ସନ୍ତୋଷ କରିବାକୁ ବସି ନରହି ଏ ଅନ୍ୟାୟର ବିରୋଧ କରିବାପାଇଁ ମନରେ ଉଠୁଛି । ତେଣୁ ଏକ ସତ୍ୟାଗ୍ରହର ଆବଶ୍ୟକତା ଅନୁଭବ ହେଉଛି । ଏଥିପାଇଁ ପ୍ରାଥମିକ କାମ ସତ୍ୟାଗ୍ରହୀ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି । କିଏ ନଜାଣେ ଯେ ଏ ଜିଲ୍ଲାର ସମସ୍ତ ଜମି ଦିନେ ଆଦିବାସୀଙ୍କର ଥିଲା-। ବାହାରୁ ଲୋକେ ଆସି ଆଦିବାସୀଙ୍କର ସରଳତାର ଫାଇଦା ଉଠାଇଲେ ଏବଂ ଅନ୍ୟାୟଭାବେ ସେମାନଙ୍କର ଜମିସବୁ ନିଜର କରିନେଲେ । ବର୍ତ୍ତମାନ ଆଦିବାସୀଙ୍କ ଭିତରେ ଚେତନା ଆସିଛି-। ଅଣଆଦିବାସୀମାନେ ଜମି ଅପହରଣ କରି ନେଇଥିବା ସେମାନେ ବୁଝି ତା’ ପ୍ରତିକାରର ଆଶ୍ରୟ ଲୋଡ଼ୁଛନ୍ତି । ଏ ପରିସ୍ଥିତିରେ,–ଯେଉଁମାନେ ଅନ୍ୟାୟ ବିରୋଧକାରୀ ବୋଲି ଅନୁଭବ କରୁଛନ୍ତି, ବସି ନରହି, ଏ ଅନ୍ୟାୟର ବିରୋଧ ପାଇଁ ଆଦିବାସୀଙ୍କ ସହ ଲାଗିପଡ଼ିବା ଉଚିତ ବୋଲି ମନେ ହେଉଛି । ମୋ’ର ବିଶ୍ଵାସ ଆପଣଙ୍କର ସହଯୋଗରେ ବହୁ କଠିନ ପରିସ୍ଥିତିରେ ହେଲେ ମଧ୍ୟ ଏଥିରେ ନିଶ୍ଚୟ କୃତକାର୍ଯ୍ୟ ହେବୁ । ଶହ ଶହ ବର୍ଷର ବ୍ରିଟିଶ୍ ଓ ଗଡ଼ଜାତ ଅନ୍ୟାୟ ଶାସନ ଲୋପ ହୋଇ ପାରିଲା । ଏ ଅନ୍ୟାୟ ମଧ୍ୟ କାହିଁକି ଲୋପ ନହେବ ! ଏହାଦ୍ଵାରା ଦେଶପ୍ରେମୀକୁ ହେମତ ମଧ୍ୟ ମିଳିବ ଯେ, ଗରିବ ଓ ନିରୀହ ସାଧାରଣ ଲୋକଙ୍କ ମଧ୍ୟରେ ଦେଶାତ୍ମଭାବ ଆସିଲାଣି !

 

ଏ ସତ୍ୟାଗ୍ରହର କ୍ରମବିକାଶର କଳ୍ପନା ଏହିଭାବେ ମନରେ ଉଠୁଛି । ଯାହାସବୁ ମନରେ ଉଠୁଛି, ସେସବୁ ରତନ ଭାଇ ଓ ବ୍ୟାସଜୀଙ୍କ ଶହ ପରାମର୍ଶ କରିଛି । ପ୍ରଥମେ ହେବ ସତ୍ୟାଗ୍ରହୀ ସଂଗ୍ରହ, ସଙ୍ଗେ ସଙ୍ଗେ ଅପହୃତ ଜମିର ତାଲିକା ଓ ଅପହୃତ କରି ନେଇଥିବା ବ୍ୟକ୍ତିଙ୍କର ଇତିହାସ ସଂଗ୍ରହ । ଆଶାଜନକ ଭାବେ ସତ୍ୟାଗ୍ରହୀ ସଂଗ୍ରହ ପରେ ସତ୍ୟାଗ୍ରହୀମାନେ ଦଳଦଳ ହୋଇ ଅପହୃତ କରି ନେଇଥିବା ବ୍ୟକ୍ତିଙ୍କୁ ଜମି ଫେରାଇ ଦେବାକୁ କହିବେ । ସେ ତ ବୋଧେ କେବେ ଫେରାଇବେ ନାହିଁ, ତା’ପରେ ସରକାରଙ୍କୁ ଜମି କିପରି ଅପହୃତ ହେଲା ଜଣାଇ ନ୍ୟାୟ ଦୃଷ୍ଟିରୁ ଫେରାଇବାକୁ କୁହାଯିବ । ସରକାର ଅଦାଲତ ନିୟମ ଅନୁଯାୟୀ ତ ତାରିଖ ପକାଇବେ । ତାରିଖରେ ନିଜେ ଜମିମାଲିକ ନଯାଇ ଏକ ପ୍ରତିନିଧି ଦଳ ଯାଇ ଯୋଗ ଦେବେ । ସେଠାରେ ଏକ ଷ୍ଟେଟ୍‌ମେଣ୍ଟ୍ ଦେଇ ଆସିବେ । ପୁଣି ଦ୍ଵିତୀୟ ବାଇଦାକୁ ଯାଇ, ତା’ପରେ କୋର୍ଟ୍‌କୁ ଆଉ ନଆସିବା ହାକିମଙ୍କୁ କଥା ଶୁଣାଇ ଦେଇ ଆସିବେ । ତା’ପରେ ଅପହୃତ ଜମି ବ୍ୟକ୍ତିଙ୍କୁ ଓ ସରକାରଙ୍କୁ ଜଣାଇ ଅପହୃତ ଜମିରେ ସତ୍ୟାଗ୍ରହୀମାନେ ପ୍ରବେଶ କରିବେ । ସେଥିପାଇଁ ଯାହା ନିର୍ଯାତନା ଭୋଗିବେ । ଆସ୍ତେ ଆସ୍ତେ ମାସ୍ ସତ୍ୟାଗ୍ରହ ଆଡ଼କୁ ଗତି କରିପାରେ ।

 

ଶେଷରେ କୃତକାର୍ଯ୍ୟରେ ଜମି ଯାହା ଆସିବ-। ପ୍ରକୃତ ଜମିମାଲିକମାନେ ନିଜ ନିଜ ଜମି ସବୁ ଫେରି ପାଇବେ । ଏ କଳ୍ପନାକୁ ଆଗରେ ରଖି ସତ୍ୟାଗ୍ରହ ଆରମ୍ଭ ହେବ । ତେଣୁ ଏ ଆନ୍ଦୋଳନକୁ “ଭୂସତ୍ୟାଗ୍ରହୀ ସମାଜ” ନାମ ଦିଆଯାଇଛି-। ଏହାର ଉଦ୍ଦେଶ୍ୟ ହେଉଛି, ଯେଉଁ ଜମିଗୁଡ଼ିକ ଅନ୍ୟାୟ ଭାବରେ ଅପହରଣ କରାଯାଇଛି, ସେ ସବୁକୁ ସତ୍ୟ-ଅହିଂସା ଓ ସତ୍ ଉପାୟରେ ଫେରସ୍ତ ଆଣି ଜମିର ପ୍ରକୃତ ଅଧିକାରୀଙ୍କୁ ଫେରସ୍ତ କରିଦେବା । ଏବଂ ସତ୍ୟାଗ୍ରହୀଙ୍କ ପାଇଁ ନିମ୍ନ ଶପଥ ରଖାଯାଇଛି :

 

(୧) ସତ୍ୟ, ଅହିଂସା ଓ ନ୍ୟାୟ ବାଟରେ ସର୍ବଦା ଚାଲିବି ।

 

(୨) ମୁଁ ନିଜକୁ ସବୁପ୍ରକାର ପ୍ରଲୋଭନ ଠାରୁ ଦୂରରେ ରଖିବି ।

 

(୩) ମୋ’ର ବ୍ୟକ୍ତିଗତ ଜୀବନରେ ମୁଁ ଛୁଆଁ ଓ ଅଛୁଆଁ ବାରିବି ନାହିଁ ଓ ନିଶା ସେବନ କରିବି ନାହିଁ ।

 

(୪) ମୁଁ ସର୍ବଦା ଖଦି ପିନ୍ଧିବି ।

 

(୫) ମୁଁ ଅନ୍ୟାୟର ବିରୋଧ ପାଇଁ ଅକୁଣ୍ଠିତ ଚିତ୍ତରେ ଜେଲ୍ ଯିବାପାଇଁ ଏପରିକି ନିଜ ଜୀବନକୁ ବଳି ଦେବାପାଇଁ ପ୍ରସ୍ତୁତ ରହିବି ।

 

(୬) ମୋ’ର ଜେଲ ହୋଇଗଲେ ମୁଁ ମୋର ପରିବାର ଓ ଆଶ୍ରିତ କୁଟୁମ୍ବମାନଙ୍କର ଭରଣପୋଷଣ ପାଇଁ ଅନୁଷ୍ଠାନରୁ କୌଣସି ସାହାଯ୍ୟ ଚାହିଁବି ନାହିଁ ।

 

(୭) ଅନୁଷ୍ଠାନର ନିର୍ଦ୍ଦେଶ ଓ ନିୟମାବଳୀକୁ ମୁଁ ସବୁବେଳେ ପାଳନ କରିବି ।

 

(୮) ମୋ’ର ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ଅଟେ । ମୁଁ ସ୍ଵଇଚ୍ଛାରେ ଉପରୋକ୍ତ ସର୍ତ୍ତକୁ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସତ୍ୟାଗ୍ରହୀ ହେବାର ଇଚ୍ଛା କରି ନିମ୍ନରେ ମୋ'ର ସ୍ଵାକ୍ଷର କଲି ।

 

ଏହାପରେ ଏକ ଆହ୍ଵାନ ପ୍ରଚାରପତ୍ର ବାହାରିବ ଏବଂ ଅବସ୍ଥାକୁ ଦେଖି ଯେତେବେଳେ ଯାହା ସୁଝିବ ତାହା କରାଯିବ । ଆପଣ ଏହାର ନେତୃତ୍ଵ ନେଲେ ଏହାର ଗୁରୁତ୍ଵ ବଢ଼ିଯାନ୍ତା । ଏବଂ, ଶହ ଶହ ବର୍ଷର ଅନ୍ୟାୟ ଲୋପ ହୋଇ ପ୍ରକୃତ ଜମିମାଲିକକୁ ଜମି ମିଳି ଯାଆନ୍ତା ।

 

ଅନେକ ନିରୀହ ଲୋକ ଜମିବାଡ଼ି ନଥାଇ ଖାଇବାକୁ ନପାଇ ଯେମିତି ହୀନିମାନରେ ଜୀବନ କଟାଉଛନ୍ତି, ତାହା ଦୂର ହୋଇ ଯାଆନ୍ତା । ଏ ଦିଗରେ ଆପଣଙ୍କର ଆଶୀର୍ବାଦ, ନିର୍ଦ୍ଦେଶ ଓ ନେତୃତ୍ଵ ଭିକ୍ଷା କରେ । ମୋ’ର ଦେହ ଖରାପ ଥିବାରୁ ଅନ୍ୟ ଦ୍ଵାରା ଏହି ଚିଠି ଲେଖାଇଲି । କ୍ଷମା ଦେବେ ।

 

ଆଜ୍ଞାଧୀନ ସେବକ

ବିଶ୍ଵନାଥ

 

କୌଣସି କାରଣରୁ ଶ୍ରୀ ଗୋପବାବୁଙ୍କ ଠାରୁ ଉତ୍ତର ମିଳିବାରେ ବିଳମ୍ବ ହୋଇଥିଲା । ତେଣୁ, ଶ୍ରୀଯୁକ୍ତ ମନମୋହନ ଚୌଧୁରୀଙ୍କ ନାମରେ ସେ ନିମ୍ନୋକ୍ତ ଚିଠିଟିକୁ ପଠାଇଥିଲେ :

 

କୁଜେନ୍ଦ୍ରୀ

୮.୧୨.୫୧

 

ମାନନୀୟେଷୁ,

 

ସତ୍ୟାଗ୍ରହ ସମ୍ବନ୍ଧେ ବାପାଙ୍କ ଠାକୁ ଯେଉଁ ଚିଠି ଲେଖିଥିଲି, ସେଥିରେ ଊଣା ଅଧିକେ ଏହି ଭାବସବୁ ଥିଲା । ଯାହା ଦେଖାଯାଉଛି, ଅତି ମଫସଲର ଲୋକେ ଦେଶକୁ ନିଜ ଦେଶ ବୋଲି ଅନୁଭବ କରୁନାହାନ୍ତି, ବରଂ ପୂର୍ବ ସରକାରକୁ ପସନ୍ଦ କରୁଥିବା ମଧ୍ୟ ଦେଖା ଯାଉଛି । ଗରିବଶ୍ରେଣୀ କହନ୍ତି, ଯେ କୌଣସି ସରକାର ହେଉନା କାହିଁକି, ସମ୍ପତ୍ତିବାନ୍ ଲୋକେ ସମ୍ପତ୍ତି ବଢ଼ାଇ ଶତଗୁଣ ଉତ୍ସାହରେ ଜୀବନ କଟାଇ ଅଣାଉଥିବା, ଗରିବ ଶ୍ରେଣୀ ଯେମିତି ତଳେ ପଡ଼ିଛି ସେମିତି ପଡ଼ିଥିବ । ଏ ତ ଯୁଗର ଲକ୍ଷଣ, ଇତ୍ୟାଦି ।

 

ପ୍ରକୃତରେ ଦେଖାଯାଉଛି ସେୟା । ଖାଲି ସେତିକି ନୁହଁ, ଗରିବ ଉପରେ ପଇସାବାଲାର ନିର୍ମମ ଅତ୍ୟାଚାର ମଧ୍ୟ ଅଦାଲତରେ ନ୍ୟାୟ ପାଉଛି । ଗରିବ ପକ୍ଷରେ ନ୍ୟାୟ ଥାଇ ସୁଦ୍ଧା ଅଦାଲତରେ ନ୍ୟାୟ ମିଳୁନାହିଁ । ଏହାର ପ୍ରମାଣ ଆଖିଆଗରେ ଅନେକ ଦେଖିବାକୁ ମିଳୁଛି ।

 

ଅଣଆଦିବାସୀମାନେ ଆଦିବାସୀ ମାନଙ୍କର ସରଳତା ଓ ନିର୍ବୋଧତାର ସୁଯୋଗ ନେଇ ଯେଉଁସବୁ ଜମି ଅପହୃତ କରି ନେଇଛନ୍ତି, ସେସବୁ ଜମି ଫେରସ୍ତ ପାଇବାରେ ସରକାରଙ୍କ ଆଶ୍ରୟ ନେଇ ବିଫଳ ହୋଇ ନିଜ ନିଜ ଭୂମିରେ ପ୍ରବେଶ କରି ଜେଲ ଜୋରିମାନା ମାଡ଼ରେ ନିର୍ଯାତନା ଭୋଗୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ, ଜମିହୀନ ହେତୁ ନିଜର ଗୁଜରାଣ ମେଣ୍ଟାଇବାକୁ ଜଙ୍ଗଲ ଚାଷ କରିବାକୁ ଯାଇ ପ୍ରତିବର୍ଷ ହଜାର ହଜାର ମକଦ୍ଦମାରେ ଜମିହୀନ ଆଦିବାସୀ ଏ ନେଇ ଜରିମାନାରେ ସଢ଼ୁଛନ୍ତି । ଏପରି ଏତେ ମକଦ୍ଦମା କାହିଁକି ହେଉଛି କାହା ମନକୁ ଆସୁନାହିଁ । କି ପ୍ରତିକାରର ବ୍ୟବସ୍ଥା କିଛି କରା ଯାଉନାହିଁ । ଏସବୁ ଭାବିଲାବେଳେ ମୁଣ୍ଡ କଅଣ ହୋଇଯାଉଛି ।

 

ଏ ମଧ୍ୟରେ ଅପହୃତ ଜମିରେ ପ୍ରବେଶ କରିବାକୁ ଶହଶହ ଲୋକେ ମୋତେ ଆସି ପଚାରୁଛନ୍ତି । ମୁଁ ସେମାନଙ୍କୁ ଏସବୁ କଥା ନକରିବା ପାଇଁ ଅନୁରୋଧ କରି ବାପୁଜୀଙ୍କର ସତ୍ୟାଗ୍ରହ ପନ୍ଥାରେ ସଂଗଠିତ ହୋଇ ତାକୁ କାର୍ଯ୍ୟକାରୀ କରିବାପାଇଁ ଅନୁରୋଧ କରୁଛି । ଏଇଟା କିଛି ନୂଆ କଥା ନୁହେଁ । ବାପୁଜୀଙ୍କ ନେତୃତ୍ୱରେ ଦେଶର ନେତୃବୃନ୍ଦ ଏ ପନ୍ଥା ଗ୍ରହଣ କରି ଅନ୍ୟାୟ ଅତ୍ୟାଚାର ଶାସନ ଲୋପ କରି ଶୁଦ୍ଧ ଶାସନ ଗଢ଼ି ପାରିଛନ୍ତି । ତାହାକୁ ହିଁ ଅନୁସରି ଏ ଅନ୍ୟାୟର ବିରୋଧ-ଆନ୍ଦୋଳନ ଚାଲିବା ସମସ୍ତେ ଜାଣନ୍ତି । ଦିନେ ଏ ଜିଲ୍ଲାର ଅଧିବାସୀ ଆଦିବାସୀ ଥିଲେ । ଜମିର ପ୍ରକୃତ ଅଧିକାରୀ ହେଉଛନ୍ତି ସେମାନେ । ବାହାରରୁ ଲୋକେ ଆସି ତାଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କର ଜମି ସବୁ ଅପହୃତ କରି ନେଇଛନ୍ତି । ଏ ଅନ୍ୟାୟର ବିରୋଧ କରିବା ମନୁଷ୍ୟ ହିସାବରେ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ଅନୁଭବ ହେଉଛି । କେବଳ କେଇଜଣଙ୍କୁ ସନ୍ତୋଷ କରିବା ପାଇଁ ହଜାର ହଜାର ଲୋକଙ୍କୁ ପଶୁଭଳି କନ୍ଦା, ଶାଗ ମୁହଁରେ ଛାଡ଼ିଦେବା ଠିକ୍ ହୋଇନାହିଁ । ଏହି ବିଚାର ମନକୁ ଆସୁଛି : ସେଥିପାଇଁ ଏକ ସତ୍ୟାଗ୍ରହ ଆନ୍ଦୋଳନର ଆବଶ୍ୟକତା ଅନୁଭବ କରୁଛି । ଯେତେବେଳେ ଶହ ଶହ ବର୍ଷର ବ୍ରିଟିଶ ଓ ଗଡ଼ଜାତର ଅନ୍ୟାୟ ଶାସନ ସତ୍ୟାଗ୍ରହ ବଳରେ ଲୋପ ହୋଇ ଯାଇଛି, ଏହି ଅନ୍ୟାୟ ମଧ୍ୟ ସତ୍ୟାଗ୍ରହ ବଳରେ ଦୂର ହେବ । ଏହି ବିଶ୍ଵାସ ମନରେ ଉଠୁଛି । ଏହାଦ୍ୱାରା ଦେଶପ୍ରେମୀଙ୍କୁ ମଧ୍ୟ ହେମତ ମିଳିବ ଯେ ଗରିବ ଓ ନିରୀହ ଲୋକଙ୍କ ମଧ୍ୟରେ ଦେଶାତ୍ମଭାବ ଆସିଲାଣି ।

 

ଏ ସତ୍ୟାଗ୍ରହର କ୍ରମବିକାଶର କଳ୍ପନା ଏହିଭାବେ ମନରେ ଉଠୁଛି : ପ୍ରଥମେ ହେବ ସତ୍ୟାଗ୍ରହୀ ସଂଗ୍ରହ, ସଙ୍ଗେ ସଙ୍ଗେ ଅପହୃତ ଜମିର ତାଲିକା ଓ ଅପହୃତ କରି ନେଇଥିବା ବ୍ୟକ୍ତିଙ୍କର ଇତିହାସ ସଂଗ୍ରହ । ସତ୍ୟାଗ୍ରହୀ ସଂଗ୍ରହ ପରେ ନିର୍ଦ୍ଦେଶ ନେଇ ସତ୍ୟାଗ୍ରହୀମାନେ ଅପହୃତ କରି ନେଇଥିବା ବ୍ୟକ୍ତିଙ୍କୁ ଜମି ଫେରାଇ ଦେବାକୁ କହିବେ । ସେ ନଫେରାଇଲେ ଅପହୃତ ଜମିର ଇତିହାସ ଦେଇ ଜମି ଫେରାଇ ଦେବାପାଇଁ ସରକାରଙ୍କୁ ଅନୁରୋଧ କରାଯିବ । ସରକାର ଅଦାଲତ ଜରିଆରେ ଯଦି ବିଚାର କରନ୍ତି, ତାହାହେଲେ ପ୍ରକୃତ ଜମିମାଲିକ ଅଦାଲତକୁ ନଯାଇ ଏକ ପ୍ରତିନିଧିଦଳ ଅଦାଲତରେ ଯୋଗ ଦେଇ ଜମି ସମ୍ବଦ୍ଧରେ ବିବୃତ୍ତି ଦେଇ ଆସିବେ । ଅଦାଲତର ଦିନ ଗଡ଼ାଇବା ନୀତି ଥିବାରୁ ଦ୍ଵିତୀୟ ବାଇଦାଯାଏ ପ୍ରତିନିଧି ଦଳ ଯୋଗ ଦେବେ । ଅନ୍ୟ ଥର ପାଇଁ ଯୋଗ ନଦେବା କଥା ହାକିମଙ୍କୁ ଜଣାଇ ଦେଇ ଆସିବେ । ପରେ ସମୟ ଦେଇ ଅପହୃତ ଜମି ବ୍ୟକ୍ତିଙ୍କୁ ଓ ସରକାରଙ୍କୁ ଜଣାଇ ଦେଇ ଆସିବେ । ପରେ ସମୟ ଦେଇ ଅପହୃତ ଜମିରେ ସତ୍ୟାଗ୍ରହୀମାନେ ପ୍ରବେଶ କରିବେ । ସେଥିପାଇଁ ଯାହା ନିର୍ଯାତନା ଭୋଗିବାର ଭୋଗିବାକୁ ପ୍ରସ୍ତୁତ ରହିବେ । କ୍ରମେ ମାସ୍ ସତ୍ୟାଗ୍ରହ ଆଡ଼କୁ ଗତି କରିପାରେ । ପ୍ରକୃତ ଜମିମାଲିକମାନେ ନିଜ ନିଜ ଜମିସବୁ ଫେରି ପାଇଲେ ଶେଷକୃତ କାର୍ଯ୍ୟ ବୋଲି ଧରାଯିବ । ଏ କଳ୍ପନାକୁ ଆଖି ଆଗରେ ରଖି ସତ୍ୟାଗ୍ରହ ଆରମ୍ଭ ହେବ । ତେଣୁ ଏ ଆନ୍ଦୋଳନକୁ ‘‘ଭୂ-ସତ୍ୟାଗ୍ରହୀ ସମାଜ” ନାମ ଦେବା ଠିକ୍ ମନେ ହେଉଛି । ଏହାର ଉଦ୍ଦେଶ୍ୟ ହେଉଛି ଯେଉଁ ଜମିଗୁଡ଼ିକ ଅନ୍ୟାୟ ଭାବରେ ଅପହରଣ କରାଯାଇଛି ସେସବୁକୁ ସତ୍ୟ, ଅହିଂସା ଓ ସତ୍ ଉପାୟରେ ଫେରସ୍ତ ଆଣି ଜମିର ପ୍ରକୃତ ଅଧିକାରୀକୁ ଫେରସ୍ତ କରିଦେବା । ଏବଂ, ସତ୍ୟାଗ୍ରହୀଙ୍କ ପାଇଁ ନିମ୍ନ ଶପଥ ରଖାଯାଇଛି :

 

[ପୂର୍ବ ଚିଠି ମୁତାବକ ଆଠୋଟିଯାକ ଶପଥ]

 

ଏହାପରେ ଆହ୍ଵାନ ଓ ନିବେଦନ ଯେତେବେଳେ ଯାହା ସୁଝିବ, ତାହା କରାଯିବ । ମୁଁ ଯେତେଦୂର ଅନୁମାନ କରୁଛି, ବାପାଙ୍କର ଇଚ୍ଛା ବୋଧେ ଆଗରୁ ଜମି ମାଗିବା ପ୍ରଚାର ହେଉ । ତା’ ପରବର୍ତ୍ତୀ ଷ୍ଟେପ୍ ସତ୍ୟାଗ୍ରହ କଥା ଉଠିବ । କିନ୍ତୁ ଏ ଅଞ୍ଚଳ କଥା ତ ସ୍ଵତନ୍ତ୍ର । ଏଠାରେ ଜମି ମାଗିବା କଥା କାହିଁକି ଉଠିବ ? ମାଗିଲେ ମଧ୍ୟ ସ୍ଵତଃପ୍ରବୃତ୍ତ ହୋଇ ଦେବା ବହୁ କଷ୍ଟସାଧ୍ୟ । ଦିନେ ତ ଜମି ସବୁ ଆଦିବାସୀଙ୍କର ଥିଲା । ବାହାରୁ ଲୋକେ ଆସି ସେମାନଙ୍କର ସରଳତା ଓ ନିର୍ବୋଧତାର ସୁଯୋଗ ନେଇ ଜମି ସବୁ ଅପହରଣ କରି ନେଇଛନ୍ତି ।

 

ଆଶା ଥିଲା ସରକାର ଏକ ଅନୁସନ୍ଧାନ କମିଟି ବସାଇ ଅପହୃତ ଜମିର ତାଲିକା ନେଇ ପ୍ରକୃତ ଜମିମାଲିକଙ୍କୁ ଜମିସବୁ ଫେରାଇଦେବେ । ଏଥିପାଇଁ ସରକାରଙ୍କୁ ବହୁବାର ଅନୁରୋଧ କରି ଆସିଛି । ଫଳ ଓଲଟା ହୋଇଛି ଯେ ଆଗରୁ ୧୯୧୭ ପରେ ସରକାରଙ୍କ ବିନାନୁମତିରେ ଆଦିବାସୀ ଜମି ଅଣଆଦିବାସୀମାନେ ଖରିଦ କରୁଥିଲେ । ଜମି ନେବା ଲୋକ ଆଡ଼ୁ ଆପତ୍ତି ଉଠିଲେ ଫେରସ୍ତ ମିଳୁଥିଲା । ବର୍ତ୍ତମାନ କମି ବାର ବରଷ ରହିଛି । ଏହା ଫଳରେ କାଁ ଭାଁ ଯାହାକିଛି ଜମି ଫେରସ୍ତ ପାଇଥିଲେ, ସେଥିରୁ ମଧ୍ୟ ଆଦିବାସୀ ବଞ୍ଚିତ ଥିଲେ । ପ୍ରତିବର୍ଷ ଜଙ୍ଗଲଚାଷ ନେଇ ହଜାର ହଜାର ମକଦ୍ଦମା, ଆଦିବାସୀଙ୍କ ଉପରେ ହେଉଛି । ଏହାର ପ୍ରତିକାର ପାଇଁ ମନ୍ତ୍ରୀ ଓ ମାଜିଷ୍ଟ୍ରେଟ୍ ଏବଂ ଏଷ୍ଟେଟ୍‌ର କ୍ଷମତାପନ୍ନ ବ୍ୟକ୍ତିଙ୍କ ଠାରୁ ଥରକୁ ଥର ସେହି ମକଦ୍ଦମା ଉଠାଇବା ଏବଂ ଜରିମାନା କମ୍ କରିବାକୁ ଖୁସାମତ କରିବା ଇତ୍ୟାଦିରେ ପ୍ରତି ବରଷ ସମୟ ଦେବାକୁ ପଡ଼ୁଛି । ଏବଂ ଅପହୃତ ଜମିରେ ପ୍ରକୃତ ଜମିମାଲିକ ପ୍ରବେଶ କରିବା ଫଳରେ ପ୍ରତିବରଷ ବାଡ଼ିଆପିଟା ଜେଲ ଓ ଜରିମାନା ଏବଂ କାଁ ଭାଁ ମର୍ଡ଼ର ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି; ଏବଂ ଲୋକଙ୍କ ବିକଳ୍ପ କାକୁତି ବିନତି ସହି ନପାରି ପରୋକ୍ଷରେ ଅନେକ ସମୟରେ ନ୍ୟାୟଦୃଷ୍ଟିରୁ ଜମିରେ ପ୍ରବେଶ ନେଇ ଉତ୍ସାହିତ ବାଧ୍ୟ ହୋଇ ଦେଇ ଆସୁଛି । ତେଣୁ ଅନ୍ୟାୟ କାମକୁ ପ୍ରଶ୍ରୟ ଦେଇ ଅସ୍ଥାୟୀ ଉପକାର ପାଇଁ ସରକାର ଓ ଏଷ୍ଟେଟ୍‌ର କ୍ଷମତାପନ୍ନ ବ୍ୟକ୍ତିଙ୍କ ପଛରେ ବରାବର ଦୌଡ଼ି ଖୁସାମତ କରିବା ଇଚ୍ଛା ଆଉ ବଳୁନାହିଁ । ତେଣୁ ସତ୍ୟାଗ୍ରହୀର ଅହିଂସା ଆନ୍ଦୋଳନ କରିବା ଉଚିତ ମନେହେଉଛି । କାମ ତ ଅତି ବଡ଼ କଠିନ । କାହିଁକି ନା ପୁଞ୍ଜିପତି ଓ ସରକାରଙ୍କ ବିରୋଧରେ ହିଁ ପ୍ରକୃତ ଲଢ଼େଇ ହେବ । ଏଥିରେ ଭଗବାନଙ୍କର ଓ ଆପଣଙ୍କର ଆଶୀର୍ବାଦ ପାଇ ଯଶସ୍ଵୀ ହେବୁ ଏହି ବିଶ୍ଵାସ ହେଉଛି । ତେଣୁ ଏ କାମରେ ଆପଣଙ୍କର ନିର୍ଦ୍ଦେଶ ଓ ପରାମର୍ଶ ଭିକ୍ଷା କରୁଛୁ ।

 

ପୁନଶ୍ଚ,-ଆପଣ ପଢ଼ି ସାରି ବାପାଙ୍କୁ ମଧ୍ୟ ଏ ଚିଠିଖଣ୍ଡକ ପଢ଼ିବାକୁ ଦେବେ, କାହିଁକିନା ଭିନ୍ନ ଭିନ୍ନ ଥର ଚିଠି ଲେଖିଲାବେଳେ ଅନେକ ନୂଆ କଳ୍ପନା ଯାହା ମନରେ ଉଠୁଛି ଭିନ୍ନ ଭାବରେ ଚିଠିରେ ଜଣାଉଛି । ତେଣୁ ବାପାଙ୍କୁ ଏ ଚିଠିଟି ପଢ଼ିବାକୁ ଦେବାକୁ ଅନୁରୋଧ । ଯଦି ସମ୍ଭବ ହେବ ତ ମୋଟାମୋଟି କଥାଟା “ଗ୍ରାମସେବକ”ରେ ଦେଲେ କେମିତି ହୁଅନ୍ତା ।

 

ଆପଣଙ୍କର

ବିଶ୍ଵନାଥ

 

“ଗ୍ରାମସେବକ” ପତ୍ରିକାରେ ମୋଟାମୋଟି କ’ଣ ବାହାରିଥିଲା, ସେହି ବିଷୟରେ କୌଣସି କାଗଜ ମୋ’ ପାଖରେ ନାହିଁ । କିନ୍ତୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କ ପାଖରୁ ଯେଉଁ ସାନ ଉତ୍ତରଟି ସମ୍ଭବତଃ ଶ୍ରୀ ପଟ୍ଟନାୟକଙ୍କ ଦ୍ଵାରା ପ୍ରେରିତ ପତ୍ରଟିର ଜବାବରେ ଲେଖା ହୋଇଥିଲା, ସେଇଟି ହେଉଛି :

 

ସ୍ନେହର ବିଶ୍ଵନାଥ,

 

ତମର ଚିଠି ପାଇଲି । ପରିସ୍ଥିତି ପ୍ରକୃତରେ ଜଟିଳ ହେବାକୁ ଦେବା ଠିକ୍ ନୁହଁ । ଅପରର ଜମି ଜବରଦସ୍ତି ଚଷିଯିବାଟା ସତ୍ୟାଗ୍ରହର ବାଟ ନୁହଁ । ହଜାର ହଜାର ଜେଲ୍ ବାହାରିଲେ ମଧ୍ୟ ତାହା କଦାପି ସଫଳ ହେବନାହିଁ ବୋଲି ମୋ’ର ଦୃଢ଼ ମତ । ବରଂ, ଜମି ନଚଷିବା ଓ ଜମିବାଲାଙ୍କର ଜମିକୁ ପଡ଼ିଆ ପକାଇଦେବା’ ଭଳି ଅସହଯୋଗ ଆନ୍ଦୋଳନ ଅଧିକ ଭଲ ଓ ନ୍ୟାୟଯୁକ୍ତ ।

 

ତେବେ, ଯେଉଁମାନେ ଭାଗଚାଷୀ ଥିଲେ, ସେମାନଙ୍କୁ ମାଲିକ ବେଦଖଲ କରିବାକୁ ବସିଲେ ସେମାନେ ଜମି ଦଖଲ ନଦେଇ ଜବରଦସ୍ତ ଚଷି ନିଜର ସତ୍ତ୍ଵ ବଜାଏ ରଖିବାକୁ ସତ୍ୟାଗ୍ରହ କରିପାରନ୍ତି । କିନ୍ତୁ ଅନ୍ୟଥା ଯେଉଁ ଜମିରେ କୌଣସି ପ୍ରକାର ସତ୍ତ୍ଵ ନାହିଁ, ସେ ଜମିକୁ ଦଖଲ କରିବାକୁ ବସିବା ସତ୍ୟାଗ୍ରହ ହୋଇ ନପାରେ । ଅଯଥା ଗୁଡ଼ିଏ ଲୋକ କଷ୍ଟ ପାଇବେ ଓ ଫଳ କିଛି ହେବ ନାହିଁ ବୋଲି ତତେ ଲେଖୁଛି ।

 

ଗୋପବନ୍ଧୁ

 

ଅଳ୍ପବହୁତ ପ୍ରାୟ ସେହି ସମୟରେ ଶ୍ରୀଯୁକ୍ତ ଚୌଧୁରୀଙ୍କର ସ୍ଵାକ୍ଷର ଥାଇ ଏକ ଛାପା କାଗଜଟିଏ ବିତରିତ ହୋଇଥିବାର ସୂଚନା ମିଳେ, ଯେଉଁଟିରେ ସେ ଏହି ଜମିସଂକ୍ରାନ୍ତୀୟ ସମସ୍ୟାଟି ବିଷୟରେ ନିଜର ଏକ ଦୃଷ୍ଟିଭଙ୍ଗୀକୁ ଲୋକସାଧାରଣଙ୍କର ସମକ୍ଷକୁ ଆଣିବାକୁ ଇଚ୍ଛା କରିଥିଲେ :

 

ଜମି ଚାଷ କରୁଥିବା ଲୋକଙ୍କଠାରୁ ଜମି ଛଡ଼ାଇନେବା :

ମା’ଠାରୁ ପୁଅକୁ ଅଲଗା କରିନେବା ପରି ନିର୍ମମ ଅଟେ

 

ସ୍ଥାନରୁ ସ୍ଥାନାନ୍ତରରେ ବୁଲିବା ବେଳେ କାନରେ ପଡ଼ୁଛି ଜମିମାଲିକମାନେ ଭାଗଚାଷୀଙ୍କୁ ବେଦଖଲ କରୁଛନ୍ତି । ଭୂମିହୀନଙ୍କୁ ଭୂମିଦାନ ଦେବା ଉଦ୍ୟମ ବେଳେ ପୁଣି ଭୂମିହୀନ କରିବାରେ ଉଦ୍ୟମ ଶୋଭା ପାଏନାହିଁ, ମଙ୍ଗଳକର ମଧ୍ୟ ନୁହେଁ ।

 

ଚିଠିପତ୍ରରୁ ମଧ୍ୟ ଶୁଣୁଛି, ସରକାର ସେହିପରି ବେଦଖଲ ଉଦ୍ୟମ ସମ୍ବଲପୁର ଜିଲ୍ଲାରେ କରୁଛନ୍ତି । ସରକାର ହୁଅନ୍ତୁ ବା ଅନ୍ୟ ଭୂମିମାଲିକ ହୁଅନ୍ତୁ, ସେମାନଙ୍କ ଦୃଷ୍ଟି ମୁଁ ବିନୋବାଜୀଙ୍କ ତଳଲିଖିତ ନିବେଦନ ପ୍ରତି ଆକର୍ଷଣ କରୁଛି ।

 

“ଯେଉଁମାନଙ୍କୁ ଜମିରୁ ବେଦଖଲ କରାହେଉଛି, ସେମାନଙ୍କୁ ମୁଁ କହୁଛି ଯେ ଏଭଳି ବେଦଖଲ ହୁଅନାହିଁ । ଆପଣା ଆସ୍ଥାନ ମାଡ଼ି ବସ । ମାଡ଼ ଖାଇବ ତ ଶାନ୍ତିରେ ସହିଯାଅ । ଏ ବି ଗୋଟାଏ ପ୍ରକାରର ଥଣ୍ଡା ଶକ୍ତି । ଜାଣିରଖ ଯେ....ତା’ ହାତ ବି ଥକି ଯିବ । ଦୁଃଶାସନର ହାତ ବି ଥକି ଯାଇଥିଲା । ମୁଁ ଏକଥା ଆଗରୁ ବି କହିଛି, କିନ୍ତୁ ଏଣିକି ଯେଉଁଠି ଯେଉଁଠିକି ଯିବି, ସେଠି ଏକଥା ବୁଝାଇବି ।”

 

ସରକାରକୁ ଲକ୍ଷ୍ୟ କରି ସେ କହିଲେ, “ଆପଣଙ୍କ ପ୍ରଦେଶରେ ଭୂଦାନଯଜ୍ଞ ଯୋଗୁଁ ଏକ ହାୱା ସୃଷ୍ଟି ହୋଇଛି । ତା’ର ବିପରୀତ ବାୟୁମଣ୍ଡଳ ସୃଷ୍ଟି ହେବାକୁ ଦେବା କାହାରି ସ୍ଵାର୍ଥ ଦୃଷ୍ଟିରୁ ଠିକ୍ ନୁହେଁ । ଏ ଭୂମି-ସମସ୍ୟା ଅତ୍ୟନ୍ତ ସୌହାର୍ଦ୍ଦ୍ୟ ଓ ସୌଜନ୍ୟର ସହିତ ସମାଧାନ ହୋଇପାରେ-। କିନ୍ତୁ ଏ ବେଦଖଲ ଭଳି କାରବାର କଲେ ତ କାହାରି ମଙ୍ଗଳ ଦୃଷ୍ଟିରୁ ତାହାର ପରିଣାମ ଭଲ ହେବନାହିଁ । ଶାନ୍ତି, ପ୍ରେମ ଓ ନ୍ୟାୟର ସହିତ ଏସବୁ କଥାର ସମାଧାନ ହେବା ଚାହିଁ । ସରକାରକୁ ମୁଁ କହେ ଯେ,…ଏ ବେଦଖଲି ଚାଲିବ ଓ ଏଭଳି ବୀର୍ଯ୍ୟହୀନତା କୁହନ୍ତୁ ବା ବ୍ୟବସ୍ଥାହୀନତା କୁହନ୍ତୁ, ଦେଖିବାକୁ ଭଲ ଲାଗିବନାହିଁ ।"

 

ବେଦଖଲକାରୀ ଚାଷୀଙ୍କୁ ସେ କହିଲେ–

 

“ମୁଁ ତ ଏଣେ ନ’ମାସ ହେଲା ବୁଲୁଛି । ପ୍ରାୟ ତିନି ଲକ୍ଷ ତେସ୍ତରୀ ହଜାର ଏକର ଜମି ମତେ ଏଠି ମିଳିଛି, ଯାହା ଫଳରେ ଏକ ବାୟୁମଣ୍ଡଳ ତିଆରି ହୋଇଛି । ମୁଁ ବିଚାରୁଛି ଯେ ଜମିଦାରୀ ଉଚ୍ଛେଦଟାକୁ ସେ ଜମିଦାରମାନେ ଅବରୋଧର ମନୋଭାବ ନେଇ ସହରରେ...ଏ ଭୂଦାନଯଜ୍ଞର ବି କିଛି ପ୍ରଭାବ ଅଛି । ଯାହା ହେଉ, ଏଣେ ତ ସେମାନେ ଭୂମିଦାନ ଦେଲେ ଆଉ ତେଣେ ନୂଆ ଭୂମିହୀନ ସୃଷ୍ଟି ହୋଇ ବୁଲିବେ, ଏ ବଡ଼ ଚିନ୍ତାର କଥା । କେବଳ ମୋ’ ପକ୍ଷରେ ନୁହେଁ ସମସ୍ତଙ୍କ ପକ୍ଷରେ ଚିନ୍ତାର କଥା । ମୁଁ ଯାହା କରୁଛି ସମସ୍ତଙ୍କ ପାଇଁ କରୁଛି, ସେଥିପାଇଁ ଏହା ସମସ୍ତଙ୍କର ଚିନ୍ତାର ବିଷୟ, ସରକାରର ମଧ୍ୟ । ବେଦଖଲ ହେବା ଲୋକଙ୍କ ପକ୍ଷରେ ଚିନ୍ତାର ବିଷୟ ତ ନିଶ୍ଚୟ, କିନ୍ତୁ ବେଦଖଲ କରିବା ଲୋକଙ୍କ ପକ୍ଷରେ ବି ଚିନ୍ତାର ବିଷୟ । ସେଥିପାଇଁ ତ ମୁଁ ସର୍ବପ୍ରଥମେ ସେହିମାନଙ୍କୁ ପ୍ରାର୍ଥନା କରିବି ଯେ ଭାଇମାନେ, ଆପଣ ଅନ୍ୟକୁ ତ ନିଜର ସମାନ ସେତିକିବେଳେ ମଣିବେ ଯେତେବେଳେ ଭଗବାନ ଆପଣଙ୍କ ଉପରେ କୃପା କରିବେ; କିନ୍ତୁ ଯେ ବର୍ଷ ବର୍ଷ ଧରି ଜମିର ସେବା କରୁଛନ୍ତି, ସେମାନଙ୍କୁ ଜମିରୁ ତଡ଼ନାହିଁ । ତାକୁ ସେ ଜମିର ସେବା କରିବାକୁ ଦିଅ । ସେ ତ ସେହି ଭୂମିର ପୁତ୍ର । ତା’ର ଜମିରୁ ଉଚ୍ଛେଦ ତ ମାଆ ପୁଅଙ୍କର ବିଚ୍ଛେଦ ପରି । ଏବଂ ମାଆ ପୁଅଙ୍କୁ ଭିନେ କରିବାଠୁଁ ବଳି ବଡ଼ ପାପ ଆଉ କ’ଣ ଥାଇପାରେ ! ଯଦି ସେମାନେ ଏ ବେଦଖଲ ବନ୍ଦ କରିଦେବେ ତ ସେମାନେ ମତେ ବହୁତ ଜମି ଦାନ ଦେଲେ ବୋଲି ମୁଁ ବିଚାରିବି । ଯଦି ମୁଁ ଜାଣିପାରିବି ଯେ ଅମୁକ ଲୋକ ମତେ ଭୂଦାନ ଦେଇଛି ଓ ସେଇ କେତେ ବେଦଖଲ ବି କରେଇଛି ତେବେ ସେ ଦାନ ମୁଁ ନେବିନାହିଁ । ବରଂ ମୁଁ ତାକୁ ଜ୍ଞାନ ଦାନ କରିବି, ତାକୁ ବୁଝେଇବି ଯେ ଏଭଳି ବେଦଖଲ କରିବା ତା’ର ସ୍ଵାର୍ଥ-ଅନୁକୂଳ ନୁହେଁ । ମୋ’ ଠେଇଁ ଯେତେ ପ୍ରେମଶକ୍ତି ଅଛି, ସବୁ ଖଟେଇ ମୁଁ ତାକୁ ବୁଝେଇବି । ମୋ’ର ବିଶ୍ଵାସ, ମୋ’ କଥା ସେମାନଙ୍କ କାନରେ ପଡ଼ିବ ତ ସେମାନେ ମୋ’ କଥା ବୁଝିବେ ।

 

ମୁଁ ତାଙ୍କୁ କହିବି ଯେ ସେମାନେ ସେ ଜମି ମତେ ଦେଇ ଦିଅନ୍ତୁ; ତାକୁ ଯେଉଁମାନେ ଆଗରୁ ଚଷୁଥିଲେ, ସେହିମାନଙ୍କୁ ମୁଁ ଦେଇଦେବି । ମୋ’ର ବିଶ୍ଵାସ ଯେ ଚାଷୀମାନେ ଅଜ୍ଞାନତାବଶତଃ ନବୁଝି ବିଚାରି ଏକଥା କହୁଛନ୍ତି । କାରଣ, ପ୍ରଜାକୁ ହଇରାଣ କରିବାଦ୍ଵାରା କାହାରି ସ୍ଵାର୍ଥସିଦ୍ଧି ହେବନାହିଁ, ଗରିବକୁ କଷ୍ଟ ଦେବାଦ୍ଵାରା କାହାରି ଉଦ୍ଦେଶ୍ୟ ସଫଳ ହେବନାହିଁ । ଯେଉଁ ମୂଳଦୁଆ ଉପରେ ଆମେ ଠିଆ ହୋଇଛୁ, ତାକୁ ଭାଙ୍ଗିଲେ ଆମେ ହିଁ ପଡ଼ିବୁ । ସନ୍ତୁଳିତ ଦୃଷ୍ଟିରେ ଦେଖିଲେ ପଡ଼ିବୁ ନାହିଁ । ତେଣୁ ଦୀର୍ଘ ଦୃଷ୍ଟି ଦରକାର ।”

 

–ଗୋପବନ୍ଧୁ ଚୌଧୁରୀ

 

ଛାପାକାଗଜର ଛାପାଟା ବଡ଼ ଅସ୍ପଷ୍ଟ । ତେଣୁ ନିର୍ମଳ ଭାବରେ ମୋଟେ ପଢ଼ି ହେଉନାହିଁ । କିନ୍ତୁ ଆମେ ତ ସେହି ବିଷୟରେ ଘଟଣାବଳୀର କୌଣସି ନିକିଟା ଆଲୋଚନା କରିବାକୁ ଇଚ୍ଛା କରୁନାହୁଁ, ବରଂ ସେଗୁଡ଼ିକର ଆବର୍ତ୍ତଟି ମଧ୍ୟରେ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କୁ ଆବିଷ୍କାର କରିବାକୁ ଚାହିଛୁ । ସେହି ଅବସରରେ, ଏହାପରେ ଆମେ ଶ୍ରୀ ଚୌଧୁରୀ “କୁଜେନ୍ଦ୍ରୀ ଅଞ୍ଚଳର କର୍ମୀମାନଙ୍କ ପ୍ରତି” ଶିରୋନାମାରେ ପ୍ରକାଶ କରିଥିବା ଆଉ ଗୋଟିଏ ଛାପାକାଗଜକୁ ଆମେ ଏହାପରେ ପାଠ କରିବା :

 

କୁଜେନ୍ଦ୍ରୀ ଅଞ୍ଚଳର କର୍ମୀମାନଙ୍କ ପ୍ରତି

 

ତମେମାନେ ସମ୍ଭବତଃ ଆଜ୍ଞା (ବିଶ୍ଵନାଥ ପଟ୍ଟନାୟକ)ଙ୍କ କଥାରେ ଏଠାକୁ ଆସିଛ । ତାଙ୍କରି ସଙ୍ଗେ ପରାମର୍ଶ କରି ସବୁ କରିବ । ତୁମକୁ ଯାହା ଖରାପ ଲାଗିବ ବା ଅଡ଼ୁଆ ଲାଗିବ, ତମେ ତାଙ୍କୁ ଜଣାଇବ, ତାଙ୍କ ସଙ୍ଗେ ଆଲୋଚନା କରିବ, ତାଙ୍କର ଭୁଲ ହେଉଛି ବୋଲି ମନେ ହେଲେ ତାଙ୍କୁ ଜଣାଇବ । ମୁଁ ଏଠାକାର ଅନ୍ୟ ସମସ୍ୟା ଦେଖିବି ବୋଲି ଆସିଛି । ତା’ର ପ୍ରତିକାର କ’ଣ ମତେ ଜଣାଥିଲେ ମୁଁ ସେକଥା ଆଶ୍ରମରୁ କହି ପଠାଇଥାନ୍ତି, ମାତ୍ର ମତେ ତାହା ଜଣାନାହିଁ । ମୁଁ ଏଠି ଆସି ଶୁଣିଲି ତମେମାନେ ବସି ଗୋଟିଏ ବାଟ କାଢ଼ିଛ । ସେକଥା ମତେ ଆଗରୁ ଜଣାଇଥିଲେ ମୁଁ ତରବରରେ ଆସିନଥାନ୍ତି । ଏବେ ମୁଁ ସେକଥା ଜାଣି ପାରି ତମ ସେପାଖରେ ବୁଲିବା ବନ୍ଦ କଲି । ତମେ ଗୋଟାଏ କଥା ବିଚାରୁଥିବ, ମୁଁ ଆଉ ଗୋଟାଏ କଥା ଲୋକଙ୍କୁ କହୁଥିବି, ଏହା ଠିକ୍ ହେବନାହିଁ । ତମେ ନିଜ ଭିତରେ ବସି ବିଶ୍ଵନାଥ ସଙ୍ଗେ ପରାମର୍ଶ କରି ଯାହା କରିବାର ଭଲ ତାହା କର । ମୁଁ ଜଣେ ବିଶ୍ଵନାଥଙ୍କ ପରାମର୍ଶରେ ତମେ ଅନେକ ଗାନ୍ଧୀକାମ କରିଛ ଓ କରୁଛ, ତମେ ନିଶା ଛାଡ଼ିଛ ଓ ଛାଡ଼ୁଛ, ତମେ ସୂତା କାଟି ଲୁଗା ପିନ୍ଧୁଛ, ତମେ ଅଳସୁଆ ହୋଇ ବସୁନାହଁ, ତମେ ପରିଷ୍କାର ପରିଚ୍ଛନ୍ନ ରହୁଛ, ତମେ ସତକୁ ମାନୁଛ, ମିଛକୁ ଅନ୍ୟାୟକୁ କରୁନାହଁ, ନିଜ ଭିତରେ କଳିକଜିଆ ତୁଟାଇ କରି ନିଜର ମେଳ ବଢ଼ାଉଛ । ଅହିଂସା ଶାନ୍ତିର ବାଟରେ ନିଜେ କେମିତି ଟାଣ ହେବ, ତାହା କରୁଛି । ମୋ’ର ବିଶ୍ଵାସ ତମେ ଯାହା କରିବ, ଗାନ୍ଧୀ ନୀତିରେ ତଉଲି କରିବ । ଆମେ ନିଜେ କଷ୍ଟ ସହି ଲୋକଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ ବଦଳାଇବା । ଆମେ ଇଂରେଜଙ୍କୁ ଏଠାରୁ ସେହିପରି ବିଦାୟ ଦେଲୁ । ସେମାନେ ନିଜ ଇଚ୍ଛାରେ ଚାଲିଗଲେ । ରାଜାମାନେ ମଧ୍ୟ ଆପଣା ରାଜ୍ୟ ଲେଖି ଦେଇ ଚାଲିଗଲେ । ନିଜ ଇଚ୍ଛାରେ ସେମାନେ ଗଲେ ବୋଲି ସେମାନଙ୍କ ସଙ୍ଗେ ଲୋକଙ୍କର ଭଲଭାବ ବଢ଼ିଛି । ସେହିପରି ଜଣାପଡ଼ୁଛି ଜମିଦାରମାନେ ନିଜ ଇଚ୍ଛାରେ ଜମି ଛାଡ଼ିଦେବେ । ପାଠୁଆ ଲୋକେ ନିଜର ଅହଙ୍କାର ବା ସ୍ଵାର୍ଥଚିନ୍ତା ଛାଡ଼ିଦେବେ । ସେଥିପାଇଁ ତାଙ୍କ ସଙ୍ଗେ ସତ୍ୟାଗ୍ରହ ଦରକାର ପଡ଼ିପାରେ, ତାଙ୍କ ସହ ଅସହଯୋଗ କରିବାକୁ ପଡ଼ିପାରେ; ତାଙ୍କ ଅନ୍ୟାୟର ସାଥି ହୋଇ ରହିବାକୁ ହେବନାହିଁ । ସେହି ସମ୍ବନ୍ଧରେ ତମେ ସବୁ କ’ଣ ବିଚାରୁଥିବ ମୁଁ ଜାଣେନାହିଁ । ଏଭଳି ସତ୍ୟାଗ୍ରହ ହେଲେ ଆଗରୁ ସଂଗଠନ ଲୋଡ଼ା, ରଚନାତ୍ମକ କାମ ଦରକାର ।

 

ଏସବୁ କାମ ପାଇଁ ମେଳ ଓ ସାହସ ଆବଶ୍ୟକ । କର୍ମୀମାନଙ୍କର ତ୍ୟାଗ ଦେଖିଲେ ଲୋକଙ୍କର ସାହସ ହେବ । ଯଦି କର୍ମୀମାନଙ୍କର ଜମିବାଡ଼ି ନିଲାମ ହେବନାହିଁ, ତାଙ୍କୁ ମାଡ଼ ହେବନାହିଁ, ସେ ଜେଲ ଯିବେନାହିଁ, ତାଙ୍କଠାରେ ଆଞ୍ଚ ଲାଗିବନାହିଁ, ତେବେ ଲୋକେ ଏସବୁକୁ ଡରିବେ । ଓଲଟା ଲୋକଙ୍କ ବିଶ୍ଵାସ ତୁଟିଯିବ । କର୍ମୀମାନଙ୍କର କଷ୍ଟ ସହିବା ଆଗ ଦେଖିଲେ ଲୋକେ ସେହିବାଟେ ଯିବେ । ତେଣୁ ଲୋକଙ୍କୁ କଷ୍ଟ ମୁହଁକୁ, ମାଡ଼ ମକଦ୍ଦମା ମୁହଁକୁ ଠେଲି ଦେବା ପୂର୍ବରୁ ନିଜେ କିଛି କରିବା ଦରକାର । ଏହି ନୀତିରେ ଗାନ୍ଧିଜୀ ସତ୍ୟାଗ୍ରହ କରୁଥିଲେ ।

 

କର୍ମୀମାନେ ଏହିପରି ନିଜର ଶକ୍ତି ସଞ୍ଚୟ କଲା ସମୟରେ ଲୋକଙ୍କୁ କିଛି ସଂଗଠନ କାମ କରିବାକୁ କହିବା ଦରକାର । ତାହାଦ୍ଵାରା ଲୋକଙ୍କର ତାଲିମ ହୁଏ, ପରୀକ୍ଷା ମଧ୍ୟ ହୋଇଯାଏ; ପ୍ରକୃତରେ କେତେଦୂର ଲଢ଼ିବାକୁ ପ୍ରସ୍ତୁତ ତାହା ମଧ୍ୟ ଜଣାପଡ଼ିଯାଏ, ନିଶା ଛାଡ଼ିବା ସେହିପରି ଏକ କାମ ହୋଇପାରେ । ଗାନ୍ଧୀ ତ ସୂତାକଟା ଓ ମିଲ୍‌ଲୁଗା ଛାଡ଼ିବାଟାକୁ ଏହିପରି ଏକ ସର୍ତ୍ତ କରୁଥିଲେ ।

 

ଏ ଉଦ୍ଦେଶ୍ୟରେ ଆଗରୁ ଏକ ସଂଗଠନ ଆବଶ୍ୟକ । କର୍ମୀମାନେ ଅଞ୍ଚଳ ବାଣ୍ଟି ନେଇ ଲୋକଙ୍କୁ ସାହସ ଦିଅନ୍ତୁ । ଗରିବଲୋକ ହାଟରେ ବାଟରେ ଠକରେ ପଡ଼ୁଛନ୍ତି । ଠିକ୍ ଦାମ୍, ମୂଲ ପାଉନାହାନ୍ତି । ମିଛରେ ଟିପଚିହ୍ନ ଦେଉଛନ୍ତି, ଜମି ବନ୍ଧା ପକାଉଛନ୍ତି; ଜମି ମିଳୁଛି, ପୁଣି ବନ୍ଧା ଦେଇ ହରାଉଛନ୍ତି । ଏସବୁ କାମ ବୁଝେଇ ଲୋକଙ୍କର ଶୋଷଣ ବନ୍ଦ କରନ୍ତୁ । ଏବଂ ସାହସ ବଢ଼ାନ୍ତୁ ।

 

ଏ ଅଞ୍ଚଳର କର୍ମୀମାନେ ଭୁଲ ବୁଝିଛନ୍ତି । ଏଠାକାର ପ୍ରଶ୍ନ–(୧) ଆଦିବାସୀ ଅଣଆଦିବାସୀ ନୁହେଁ । ଆଦିବାସୀ ଲୋକ ବି ଆଦିବାସୀ ଲୋକଙ୍କୁ ଜୁଲମ କରୁଛନ୍ତି । ଏହା ଧନୀ ଦରିଦ୍ର ଜୁଲମ, ଏହା ଟଙ୍କା ପଇସାର ସଇତାନୀ ଲୀଳା । (୨) ଏଥିରେ କେବଳ କୁମୁଟୀ ଦୋଷୀ ନୁହନ୍ତି । ତେଲେଙ୍ଗା ଓଡ଼ିଆ ପ୍ରଶ୍ନ ଏଠି ନାହିଁ । ବହୁତ ଓଡ଼ିଆ ଏ ସଂପର୍କରେ ଦୋଷୀ । (୩) ଆଦିବାସୀଙ୍କୁ ଜମି ଫେରାଇଦେବା ଯେ ଆଇନ୍ ଉପରେ ନିର୍ଭର କରୁଛନ୍ତି ସେ ଆଇନ୍‌ରେ ଫାଙ୍କି ଦେବାର ବହୁତ ବାଟ ଅଛି । ସେ ଆଇନ୍‌ଠାରୁ ବଳି ଅଧିକ ଜୋରଦାର ଆଇନ୍ ଦରକାର । ନ ଠକେଇ, ଜମି କିଣି ନେଇ ଯେ ଲୋକ ବେଶୀ ଜମି ଜମା କରୁଛି ଏବଂ ତା’ ଫଳରେ ସାଇପଡ଼ିଶା ଲୋକ ଉପାସ ପଡ଼ୁଛନ୍ତି, ସେ ଲୋକ ମଧ୍ୟ ଚୋର ଠକ । ଏ ଅସ୍ତେୟ ରୀତି ଶିକ୍ଷିତ ଓ ଧନୀଲୋକେ ବର୍ତ୍ତମାନ ସ୍ଵୀକାର କରିବାକୁ ନାରାଜ । ତାକୁ ସ୍ଵୀକାର କଲାଭଳି ଆଇନ୍ ଓ ଶାସନରୀତି ଆବଶ୍ୟକ । (୪) କେହି କେହି ବିଚାରୁଛନ୍ତି ସତ୍ୟାଗ୍ରହ ଆରମ୍ଭ କରିଦେଲେ ନିଶାଖିଆ ଆପେ ଆପେ ଛାଡ଼ିଯିବ, ମଦଖିଆ କମିଯିବ । ମଦକୁ ରଖି କରି ଯେଉଁ ଆନ୍ଦୋଳନ କରାଯିବ ତାକୁ ସତ୍ୟାଗ୍ରହ କୁହାଯିବ ନାହିଁ । ସତ୍ୟାଗ୍ରହ ଶବ୍ଦର ଯେ ସ୍ରଷ୍ଟା, ସେ ସତ୍ୟାଗ୍ରହ ସଙ୍ଗେ ଆତ୍ମଶୁଦ୍ଧିର ଓ ଆତ୍ମବଳର ସ୍ଵାଭାବିକ ସଂବଧ ଉପରେ ଜୋର ଦେଇଛନ୍ତି । ସେ ନିଶା ଖାଉଛି ବା ମଦ ଖାଉଛି, ତା’ ଠାରୁ ବୁଦ୍ଧି ଓ ବିବେକର ସହିତ ଅନ୍ୟାୟର ପ୍ରତିରୋଧ ଆଶା କରିବା ଅସମ୍ଭବ କଥା; ବରଂ ମଦୁଆର ସାହସ ବୋଲି କିଛି ନଥାଏ, ମେଳର ଅର୍ଥ ସେ ବୁଝେନାହିଁ, ହିଂସା ଅହିଂସାର ବିଚାର ତା’ର ରହେନାହିଁ । (୫) ଆଉ ଗୋଟିଏ କଥା ଯାହା ମୋ' ଦୃଷ୍ଟିକୁ ଭଲ ଦିଶୁନାହିଁ ତାହା ହେଉଛି ସରକାରୀ କାମରେ ଜଡ଼ିତ ହେବା । ଯଦି ସତ୍ୟାଗ୍ରହ ଦ୍ଵାରା ବର୍ଷ ବର୍ଷ ଧରି ସଞ୍ଚିତ ଅନ୍ୟାୟର ପ୍ରତିରୋଧ କରିବାକୁ ହେବ, ତା’ହେଲେ ସେହିପରି ସଂଗଠନ ଓ ତ୍ୟାଗ କର୍ମୀମାନଙ୍କୁ କରିବାକୁ ହେବ । ଗୋଟିଏ ଉଦାହରଣ ଦେଲେ ବୁଝିପାରିବ । ଗାଁରେ ଗୋଟିଏ ସରକାରୀ ସ୍କୁଲ ହେଲା, କର୍ମୀ ତା'ର ଯଦି କିଛି ଦାୟିତ୍ଵ ମୁଣ୍ଡାନ୍ତି ତା’ହେଲେ ତାଙ୍କୁ ଅଡ଼ୁଆରେ ପଡ଼ିବାକୁ ହେବ । କେହି ଯଦି ଖରାପ ଲୋକ ଶିକ୍ଷକ ହୋଇ ଆସେ ଏବଂ ଗାଁ’ ରେ ମନ୍ଦକଥା ଶିଖାଏ, ତାକୁ ତଡ଼ିବା କର୍ମୀ ପକ୍ଷରେ ସମ୍ଭବ ନୁହଁ । ଲେଖାଲେଖି କରି ତଡ଼ୁ ତଡ଼ୁ ସେ ତାଙ୍କର ମନ୍ଦକାମ ଅଧିକ ଅଧିକ କରି ଯାଇଥାନ୍ତି ଏବଂ ଦଳ ମଧ୍ୟ ସୃଷ୍ଟି କରିଥାନ୍ତି । ସରକାରୀ ମହଲରେ କର୍ମଚାରୀମାନଙ୍କର ଚରିତ୍ର ପ୍ରତି ଦୃଷ୍ଟି ଦେବାପାଇଁ କୌଣସି ନିୟନ୍ତ୍ରଣ ନାହିଁ । ଚୋରି, ବ୍ୟଭିଚାର ଆଜିକାଲି ମକଦ୍ଦମା କରି ପ୍ରମାଣ କରିବା ତ ସହଜ କଥା ନୁହଁ । ଉପରୁ ନିୟନ୍ତ୍ରଣ କିଛି ନଥିଲେ ଅତି କଦର୍ଯ୍ୟ କଥାମାନ ଘଟି ଚାଲୁଛି-। କର୍ମୀମାନେ ତେଣୁ ସରକାରୀ ଅନୁଷ୍ଠାନର ଦାୟିତ୍ଵ ମୁଣ୍ଡାଇବା ଠିକ୍ ନୁହଁ, ସମ୍ପର୍କ ରଖି ପାରନ୍ତି-। ସତ୍ୟାଗ୍ରହ ମନୋଭାବ ପାଇଁ ଅସହଯୋଗ ଆବଶ୍ୟକ । ଲୋକେ ମଧ୍ୟ ସରକାରୀ ପଇସା ବା ବୃତ୍ତି ଲୋଭରେ ପଡ଼ିଗଲେ ସହଜରେ କୌଣସି ସରକାରୀ ଅନୀତି ବିରୁଦ୍ଧ କାମରେ ହାତ ଦେବାକୁ କୁଣ୍ଠିତ ହୋଇଥାନ୍ତି ।

 

–ଗୋପବନ୍ଧୁ ଚୌଧୁରୀ

 

ଏହି ଛାପା ପରିପତ୍ରଟିରେ କୌଣସି ତାରିଖ ନାହିଁ । ତଥାପି, ପାଠଗୁଡ଼ିକରୁ ଅନୁମାନ କରି ହେଉଛି, ସେତେବେଳକୁ ଶ୍ରୀଯୁକ୍ତ ଚୌଧୁରୀଙ୍କ ନିକଟକୁ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ପଠାଇଥିବା ଚିଠି ସେ ପାଇ ସାରିଥିଲେ । ଶ୍ରୀଯୁକ୍ତ ମନମୋହନ ଚୌଧୁରୀଙ୍କୁ ଲିଖିତ ପତ୍ରଟି ମଧ୍ୟ ଯଥାସମୟରେ ପହଞ୍ଚି ଯାଇଥିବ ଏବଂ ସେଇଟିକୁ ମଧ୍ୟ ଶ୍ରୀ ଗୋପବନ୍ଧୁ ଅବଶ୍ୟ ପଢ଼ି ସାରିଥିବେ । ଅର୍ଥାତ୍, ସେହି ପତ୍ର ଦୁଇଟିର ପ୍ରତ୍ୟୁତ୍ତର ରୂପେ ଏହି ପରିପତ୍ରଟି । ‘କୁଜେନ୍ଦ୍ରୀ ଅଞ୍ଚଳର କର୍ମୀମାନଙ୍କ ପ୍ରତି’ ଲିଖିତ ଏହି ଛାପା ପ୍ରତିକ୍ରିୟାଟି ସର୍ବବିଧ ସନ୍ଦର୍ଭରେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କ ନିମନ୍ତେ ଉଦ୍ଦିଷ୍ଟ । ଭାରି ସ୍ଵାଭାବିକ ହୋଇଥାନ୍ତା ଯଦି ସେ ଶ୍ରୀ ପଟ୍ଟନାୟକ ଏବଂ ଭୂ-ସତ୍ୟାଗ୍ରହର କାର୍ଯ୍ୟକ୍ରମରେ ତାଙ୍କର ସହଯୋଗୀ ଅନ୍ୟ କର୍ମୀମାନଙ୍କୁ ପାଖକୁ ଡାକି ବା ଆପେ କୁଜେନ୍ଦ୍ରୀରେ ସମସ୍ତଙ୍କୁ ଏକାଠି ବସାଇ ଆବଶ୍ୟକ କଥାଗୁଡ଼ିକର ଆଲୋଚନା କରିଥାନ୍ତେ । ବସ୍ତୁତଃ ଭାରି ଭୟଙ୍କର ଏହି ଛାପା ପରିପତ୍ରଟି ।

 

ମନେ ହେଉଛି, ସେହି ପରିପତ୍ରଟିର ଉତ୍ତର ଦେଇ ଲିଖିତ ଦୁଇଟି ପତ୍ରର ନକଲ ଦେବା ଏଠାରେ ଅତ୍ୟନ୍ତ ପ୍ରାସଙ୍ଗିକ ହୋଇପାରେ :

 

Unknown

କୁଜେନ୍ଦ୍ରୀ

୧୭ । ୪ । ୫୨

 

ଶ୍ରୀଚରଣେଷୁ,

 

ବାପା-ତୁମୁଲିପେଣ୍ଠରୁ ଆପଣଙ୍କଠାରୁ ନିର୍ଦ୍ଦେଶ ନେଇ ଫେରିବା ପରେ ଆପଣଙ୍କ ନିର୍ଦ୍ଦେଶକୁ କାମରେ ଲଗାଇବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି । ବିଶେଷ କରି ଭାଗଚାଷ ସଂପର୍କରେ ବିଶେଷ ଜୋର ଦେବା ଫଳରେ ସାହୁକାରମାନେ ଏକଜୁଟ ହୋଇ କର୍ମୀଙ୍କ ନାମରେ ମିଛ ମକଦ୍ଦମା ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି । ଏହିଭଳି ଏକ ମକଦ୍ଦମା ସତର ଜଣଯାଏ ଚାଷୀ ଓ କର୍ମୀଙ୍କ ଉପରେ ହୋଇ ପ୍ରଥମ ତାରିଖ ଯାଇ ଦ୍ଵିତୀୟ ତାରିଖ ୨୯ । ୪ କୁ ରହିଛି । ଆମେ ଠିକ୍ କରିଛୁ ଚାରୋଟି ବାଇଦାରେ ନିୟମ ମୁତାବକ ଶେଷ ନିଷ୍ପତ୍ତି ହେବା କଥା । ଯଦି ନହୁଏ, ଆଉ କୋର୍ଟରେ ଯୋଗ ଦେବେନାହିଁ । ତୃତୀୟ ବାଇଦାରେ ଏକ ବିବୃତ୍ତି ଦେଇ ଚତୁର୍ଥ ବାଇଦାରେ ଯୋଗ ଦେଇ ବନ୍ଦ କରିବେ । ପରିଣାମ ଯାହା ହେବ ଭୋଗ କରିବାକୁ ପ୍ରସ୍ତୁତ ରହିବେ । ଏହା ଛଡ଼ା ସେଟଲ୍‌ମେଣ୍ଟ୍ କାମରେ ଏକ ଦୃଢ଼ ସଂଗଠନର ଆବଶ୍ୟକତା ପଡ଼ୁଛି । ଏଠାରେ ମାନ୍ଦ୍ରାଜ ସେଟଲ୍‌ମେଣ୍ଟ୍ ନିୟମରେ ସେଟଲ୍‌ମେଣ୍ଟ୍ ହେଉଛି । ଯାହା ଫଳରେ କି ସ୍ଥାୟୀ ଭାବେ ଏକ ଦୁର୍ଭିକ୍ଷ ଅଞ୍ଚଳ କରି ରଖିବା ମତଲବ ସରକାରଙ୍କର ବୋଧେ ରହିଛି । ମାନ୍ଦ୍ରାଜ ଏଷ୍ଟେଟ୍ ଲାଣ୍ଡ୍ ପ୍ରକୃତରେ । ଜଣେ ଜଣେ ଲୋକ ହଜାର ହଜାର ଜମିର ସତ୍ଵ ନିଜ ଅଧିକାରରେ ରଖିପାରିବେ । ....ବା ସିକିମ୍....ବ୍ୟବସ୍ଥାକୁ ମନା କରାଯାଉଛି ।

 

ଓଡ଼ିଶାରେ ସବ୍‌ଟେନାଣ୍ଟ୍ରୀ ବା ସିକିମ୍....ବ୍ୟବସ୍ଥା ରହିଛି । ଯାହାଫଳରେ କି ପ୍ରଜାସତ୍ଵ ଆଇନ୍ ଅନୁଯାୟୀ ତେତିଶି ଏକରରୁ ବେଶୀ ଜମି ଜଣେ ପରିବାର ରଖି ପାରିବନାହିଁ । .....ଏବଂ ତେତିଶି ଏକରରୁ କମ୍ ଜମି ଥିବା ବ୍ୟକ୍ତିର ଜମି ଯଦି ଅନ୍ୟ ଚାଷୀ ଏକକାଳୀନ ବାର ବର୍ଷ ଚାଷ କରି ଆସୁଥାଏ, ତା’ ହେଲେ ମଧ୍ୟ ସବ୍‌ଟେନାଣ୍ଟ୍ ବା....ଏ ସଂପର୍କରେ ଆପଣ ବୁଝି ମଝିରେ ବିବୃତ୍ତି ଦେଲେ ଏ ଅସଲ....ବ୍ୟବସ୍ଥା ସୁଧରି ଯାଆନ୍ତା । ସୁଧରି....ଦୃଢ଼ ସଂଗଠନ ଦ୍ଵାରା ହେଲେ ହେଁ ସୁଧାରିବାକୁ ଚେଷ୍ଟା କରିବା ଉଚିତ ମନେ ହେଉଛି । ଏ ବିଚାରରେ ଭୁଲ ଥିଲେ ସୁଧାରି ଦେବାକୁ ପ୍ରାର୍ଥନା ।

 

ଆଣ୍ଠୁ...କମି ଆସିଥିଲା । ପୁଣି କାଲିଠାରୁ ବଢ଼ିଛି । ପାଦ ବେଶୀ ଦରଜ,.....ଚାଲି ହେଉନାହିଁ । ଯେତେ ପାରାଯାଏ, ସମସ୍ତ ଚିକିତ୍ସାର ବ୍ୟବସ୍ଥା ହେଉଛି । ମା କଟକରେ ଚିକିତ୍ସା ହେବାକୁ ରାମଚନ୍ଦ୍ରପୁର ଯିବାକୁ ଲେଖିଥିଲେ । ଏଆଡ଼େ ଅନ୍ୟ କାମରେ ହାତ ଦେଇ ସେଆଡ଼େ ଯାଇ ଚୁପ୍ ହୋଇ ବସିରହିଲେ ଲୋକେ ଭୁଲ ବୁଝିବେ । ସ୍ଵାଭାବିକ ହୋଇ ପଡ଼ିବ । ମନୁଷ୍ୟ ପକ୍ଷରେ ଏଭଳି ଦୈହିକ କଷ୍ଟ ମଝିରେ ମଝିରେ ଥାଏ । ଏଥିପାଇଁ ଦୁଃଖ କରିବାର କ’ଣ ଅଛି ?

 

ଆଜ୍ଞାଧୀନ ସେବକ

ବିଶ୍ଵନାଥ

 

ଏବଂ, ଦ୍ଵିତୀୟ ଚିଠିଟି ଠିକ୍ ତା’ର ପରଦିନ ଲେଖା ହୋଇଛି :

 

ଗୁଣପୁର

୨୫ । ୪ । ୫୨

 

ଶ୍ରୀଚରଣେଷୁ,

 

ବାପା–ଆପଣଙ୍କର ଧାରଣା ଯେ ମୁଁ ଜଣେ ସାଂପ୍ରଦାୟିକବାଦୀ । ତେଣୁ ତେଲୁଗୁ ଓଡ଼ିଆ ଭେଦ ମୋ’ ମନରେ ସବୁବେଳେ ରହିଛି । ଅବଶ୍ୟ ମୋ’ନିଜ ଦୋଷ ମୁଁ ଜାଣି ପାରୁନାହିଁ ବୋଧେ, କିନ୍ତୁ ମୁଁ ନିଜକୁ ସବୁବେଳେ ନିଜ ଦୃଷ୍ଟିକୋଣରୁ କୌଣସି କଥା ବିଚାର କରିବାକୁ ଦେଇନାହିଁ । ଅବଶ୍ୟ ମୋ’ର ବିଚାରର କୌଣସି ମୂଲ୍ୟ ନଥିଲେ ମଧ୍ୟ ନିଜର ସନ୍ତୋଷ ପାଇଁ ଏବଂ ଆପଣମାନଙ୍କ ଆଦର୍ଶକୁ ଅନୁସରି ଚାଲିବାକୁ ମୋ’ର କ୍ଷୀଣ ଚେଷ୍ଟାରେ ମଧ୍ୟ କାଳେ ଖିଲାପ ହୋଇଯିବ, ଏହି ଡରରେ ମଧ୍ୟ ଲକ୍ଷ୍ୟ ରଖି ଚାଲିଲେ ସୁଦ୍ଧା ମୁଁ କେଭେଁ ତେଲୁଗୁ ଓଡ଼ିଆ ବ୍ୟକ୍ତି ଆକ୍ଷେପର କଥା ଉଠାଇନାହିଁ । ଅନ୍ୟାୟ ସହିତ ବିରୋଧ କରିବା କଥା । ତେଣୁ ଏ ଅଞ୍ଚଳରେ କୁମୁଟିମାନେ ବଡ଼ ଶୋଷକ ଅଟନ୍ତି । ଏକଥା ବରାବର କହିଆସିଛି । ତେଲୁଗୁ ମଧ୍ୟରେ ତେଲଙ୍ଗା....ସୁନାରି, ଭଣ୍ଡାରି, କମା, ଧୋବା ଇତ୍ୟାଦି ମଧ୍ୟ ତ ରହିଛନ୍ତି । ଏବଂ, ଜମିମାଲିକ ମଧ୍ୟରୁ ବେଶୀ ହେଉଛନ୍ତି ଓଡ଼ିଆ ବ୍ରାହ୍ମଣ । .....ସମସ୍ତ ଜାତି ଅଭାବରେ ପଡ଼ି ବାହାରୁ ସମସ୍ତେ ଆସିଥିଲେ-। ବ୍ରାହ୍ମଣ, ତେଲଙ୍ଗା ଭୂସଂପତ୍ତିର ମାଲିକ ହୋଇ ବସିଗଲେ । କୁମୁଟିମାନେ ପ୍ରତ୍ୟେକ କ୍ଷେତ୍ରରେ ଶୋଷିବାକୁ ଲାଗିଲେ । ବ୍ରାହ୍ମଣ ତେଲେଙ୍ଗା ନିଜର ଅଭାବ ବେଶୀ ପରିମାଣରେ ବଢ଼ାଇ ନଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଶୋଷଣ ନକରି ନିଶ୍ଚଳ ଜାଗାରେ ବସି ଶୋଷିଲେ । କୁମୁଟିମାନେ ପ୍ରତ୍ୟେକ କ୍ଷେତ୍ରରେ ରହି ଶୋଷିବା ଦ୍ଵାରା ତାଙ୍କର ଅତ୍ୟାଚାରଟା ସବୁବେଳେ ଆଖିଆଗରେ ପଡ଼ିଲା । ସେ ଦୃଷ୍ଟିରୁ ସମସ୍ତ ଅତ୍ୟାଚାର ଭିତରେ ଯେଉଁଟା ବେଶୀ ମନେ ହେଉଥିଲା, ତା’ କଥାଟା ଆଗେ ଉଠୁଥିଲା । ଅନ୍ୟମାନଙ୍କ କଥା....ଗୁରୁତ୍ଵ ଭାବେ ଉଠୁଥିଲା । ....ସେତେବେଳେ ତ ଜମି ପ୍ରଶ୍ନ ହିଁ ଉଠୁ ନଥିଲା । କର୍ମୀଙ୍କୁ ନିଜ ସୀମାବଦ୍ଧ ଗଣ୍ଡି ଭିତରେ ହିଁ ଚଳିବାକୁ ହେଉଥିଲା । ତଥାପି ଆଞ୍ଚଳିକ ଅବସ୍ଥା ଦୃଷ୍ଟିରୁ ଅନେକଟାକୁ ଗ୍ରହଣ କରିବାକୁ ହେଉଥିଲା । ନିର୍ବୁଦ୍ଧିଆ ଲୋକ ସବୁ ଗଣ୍ଡଗୋଳର ମୂଳ କାରଣ,-ନିଜ ଭିତରକୁ ନିରୀକ୍ଷଣ କରି ଦେଖୁଛି ମୁଁ ସେୟା ହୋଇ ପଡ଼ୁଛି । ଏହାର ପ୍ରାୟଶ୍ଚିତ୍ତ କ’ଣ ହୋଇପାରେ ସେ ଚିନ୍ତା ସବୁବେଳେ ଘାରୁଛି । ଏ ଆଡ଼େ ପୂର୍ବ ଭଳି ବିଶେଷ ପରିଶ୍ରମ ଦେହ ସହୁନାହିଁ । କୌଣସି ନା କୌଣସି ରୋଗ ଆସି ତା’ପରକୁ ତା’ପର....ହୋଇଯାଉଛି ।

 

ମା’ ଲେଖିଛନ୍ତି, ରାମଚନ୍ଦ୍ରପୁର ଯିବାକୁ ଏବଂ କଟକ ଯିବାକୁ । ଏହାର ପ୍ରାୟଶ୍ଚିତ୍ତ ତ ଏହାଦ୍ଵାରା ଦେଖୁନାହିଁ । ଦେଖୁଛି କୌଣସିଥିରେ ଆସକ୍ତ ନରହି ଲକ୍ଷ୍ୟ କଥା କହି ବୁଲିବା । ବେମାର ପଡ଼ିଲେ ନିଜ କେନ୍ଦ୍ରକୁ ଫେରିବା, ନଚେତ୍ ଭଗବାନଙ୍କ ଇଚ୍ଛା । ଯେଉଁଠି ଯେମିତି ମୋ’ ଭଳି କଳଙ୍କକୁ ଦୂର କରାଇବା କଥା କରିବେ । ସେଥିପାଇଁ ମୁଁ ଭାବୁଛି ଖଦୀମଣ୍ଡଳ ମୋ’ ଜରିଆରେ ଏ ଅଞ୍ଚଳର ଯାହାସବୁ ଦାୟିତ୍ଵ ନେଇଛି ଏବଂ ଯାହାକିଛି କରିବାକୁ ନିର୍ଦ୍ଦେଶ ଦେଉଛି, ସେସବୁ କାମ ନିମାଇଁ ଭାଇ, ସୁଧାଂଶୁ ଭାଇ କିମ୍ବା ରତନ ଭାଇ ଭଳି ବୁଦ୍ଧିଆ କର୍ମୀଙ୍କ ଦ୍ଵାରା ଚାଳିତ ହେଲେ ଭଲ । ମୁଁ ଆପଣମାନଙ୍କ ଦ୍ଵାରା ହିଁ ଯାହାକିଛି ମନୁଷ୍ୟସ୍ତରକୁ ଆସିଛି । ତେଣୁ ଆପଣମାନଙ୍କର ଯାହାକିଛି ନିର୍ଦ୍ଦେଶକୁ ସବୁବେଳେ ଶିରୋଧାର୍ଯ୍ୟ କରିନେବି । ....ମୋ’ ଦ୍ଵାରା ଯେତେବେଳେ କୌଣସି ଦାୟିତ୍ଵ କାମ ହେବନାହିଁ ବୋଲି ସମସ୍ତଙ୍କର ଅନୁଭବ ହେଉଛି, ମୋ’ ବୁଦ୍ଧିବୃତ୍ତିରୁ ମୁଁ ଆଉ ଅଧିକା ଆଶା କରିବା ମଧ୍ୟ ବୃଥା । ମୁଁ ଯେତିକିରେ ଅଛି ସେତିକିରେ ହେଲେ ଠିକ୍ ରଖି ଭଗବାନ୍ ମୁକ୍ତି କରିଦିଅନ୍ତୁ ଏହାହିଁ କେବଳ ପ୍ରାର୍ଥନା । ଆପଣମାନଙ୍କ ଠାରେ ଅବିଶ୍ୱାସୀ ହୋଇ ବଞ୍ଚି ରହିବା ଠିକ୍ ମନେ କରେନାହିଁ । ଏହାକୁ ଛଳନା ବୋଲି ଭାବିବା ବର୍ତ୍ତମାନ ହାଉଆରେ ଠିକ୍ ହୋଇପାରେ । କିନ୍ତୁ ଅନ୍ତରର କଥା ଅନ୍ତର୍ଯାମୀ ହିଁ ଜାଣନ୍ତି । ଡାକ୍ତରଖାନାରୁ ଏ ଚିଠି ଲେଖୁଛି-। ଭଲ ହେଲିଣି । ଚାରିଦିନ ପରେ ଡାକ୍ତରଖାନା ଛାଡ଼ିବି ।

 

ଆଜ୍ଞାଧୀନ ସେବକ

ବିଶ୍ଵନାଥ

 

ପ୍ରକୃତରେ ମର୍ମନ୍ତୁଦ । ଏବଂ, ଭୟାନକ । ମୂଳ ନକଲରେ ଯେଉଁ ଥାନଗୁଡ଼ିକୁ ପଢ଼ି ହୋଇନାହିଁ ସେଠାରେ....ଦ୍ଵାରା ସୂଚିତ କରି ଦିଆଯାଇଛି । ୨୦୦୪ ମସିହାରେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ମୋ' ପାଖକୁ ଲିଖିତ ତାଙ୍କର ଗୋଟିଏ ଚିଠିରେ ଲେଖିଥିବା କେତେକ କଥା ଏହି ଅବସରରେ ପ୍ରାସଙ୍ଗିକ ବୋଲି ମନେ ହେଉଛି :

 

ବନବାସୀ ସେବା ସମିତି,

ବାଲିଗୁଡ଼ା, ଜିଲ୍ଲା-କନ୍ଧମାଳ

ପିନ୍–୭୬୨୧୦୩

ତା–୦୩.୧୨.୦୪

 

ଶ୍ରଦ୍ଧେୟ ଚିତ୍ତଭାଇ,

 

ଗତକାଲି ଆପଣଙ୍କ ଚିଠିର ଉତ୍ତର ଦେଇଥିଲି । ଆପଣ ବିଶେଷ କରି ଭୂ-ସତ୍ୟାଗ୍ରହ ସଂପର୍କରେ ଲେଖିବାପାଇଁ କହିଥିଲେ ।

 

ବାପା ଗୋପବାବୁ ଏବଂ ମା’ ରମାଦେବୀ ଓଡ଼ିଶା ପଦଯାତ୍ରାରେ ଯେତେବେଳେ ବାହାରିଲେ, (୧୯୫୦-୫୧ ରେ) ଟାଇଁସି ବ୍ରଜଭାଇଙ୍କ କେନ୍ଦ୍ରରୁ ପ୍ରଥମେ ଯାତ୍ରା ଆରମ୍ଭ କଲେ । ପ୍ରଥମରେ ମୁଁ ନଥିଲି, ମୁଁ ଗଞ୍ଜାମରୁ ତାଙ୍କ ସହ ରହିଲି । ସେତେବେଳେ ଗଜପତି ଜିଲ୍ଲା ଆରମ୍ଭ ହୋଇନଥିଲା । ଗଞ୍ଜାମ ମାଳରେ ରାସ୍ତାଘାଟ ବିଶେଷ ନଥିଲା । ଚଲା ବାଟରେ ଗିରିସୋଲା ଦେଇ ଚିକିଟି ନୂଆଗାଁ ଆଦି ଦେଇ ନୂଆପଡ଼ାରେ ଆମେ ପହଞ୍ଚିଲୁ । ସେଠୁ ରାତ୍ର ନୂଆପଡ଼ାରେ ରହି ଗଉଡ଼ ଗାଁ, ଭ୍ରମରପୁର, ଡରୁବୁଡ଼ି ଆଦି ଗାଁ ଦେଇ ସିଆଳିଲଟିରେ ପହଞ୍ଚିଲୁ । ଏହିପରି ଭିନ୍ନ ଭିନ୍ନ ଅଞ୍ଚଳରେ ବସା କରି ଛେଳିଗଡ଼ରେ ପହଞ୍ଚିଲୁ । ସେତେବେଳେ ଗୋପବାବୁ ନିୟମ କରିଥିଲେ ସାଙ୍ଗରେ ଖାଦ୍ୟ ଜିନିଷ କିଛି ରହିବ ନାହିଁ । ପଦଯାତ୍ରାବେଳେ ଯେଉଁଠାରେ ରହଣି ହେବ, ସେହି ଗାଁରୁ ଚାଉଳ ଡାଲି ଆଦି ସଂଗ୍ରହ କରି ରୋଷେଇ କରି ଖାଇବେ । ତରକାରୀ ପ୍ରାୟ ହେଉ ନଥିଲା । ଡାଲି ପରିବା ଆଦି ଯାହା ମିଳିବ ତାକୁ ଚାଉଳରେ ପକାଇ ଖେଚୁଡ଼ି ଭଳି ରାନ୍ଧି ତାକୁ ଖାଇ ପଦଯାତ୍ରା କରୁଥିଲେ । ବସାଜାଗା ମାନଙ୍କରେ ରାତ୍ର ଶୋଇଥିବା ବେଳେ ବାଘ ମଧ୍ୟ ଗର୍ଜନ କରିବାର ଶୁଣା ଯାଉଥିଲା । (ଏପରିକି ବିନୋବାଙ୍କ ପଦଯାତ୍ରା ବେଳେ ମଧ୍ୟ ତାଙ୍କ ଉଦୟଗିରି ରହଣି ବେଳେ ବାଘ ଗର୍ଜନ ହେତୁ ତାଙ୍କ କ୍ୟାମ୍ପ୍ ଚାରିପଟେ ନିଆଁ ଲଗାଇ ଗାଁଲୋକେ ଏବଂ କର୍ମୀମାନେ ରହିଥିଲେ ।)

 

ମୁଁ ସେତେବେଳେ ନବଜୀବନ ମଣ୍ଡଳର କେନ୍ଦ୍ର ଦେଖିବା ପାଇଁ ସକାଳ ଛଅଟାରେ କୁଜେନ୍ଦ୍ରୀରୁ ବାହାରି ଚାରିଟାରେ ଉଦୟଗିରିରେ ପହଞ୍ଚି ସେଠୁ ଲିଅବ ଯାଇ ମଧୁ ବଡ଼ରଇତଙ୍କ ଘରେ ରହୁଥିଲି ।

 

ଭୂ-ସତ୍ୟାଗ୍ରହ ଆରମ୍ଭ କରିବାର କାରଣ ହେଲା-ଗୁଣପୁର ଅଞ୍ଚଳରେ ଦୁର୍ଭିକ୍ଷ ପଡ଼ିଲା । ଲୋକେ ଖାଇବାକୁ ନପାଇ ମଲେ । ସେ ସମ୍ପର୍କରେ ଖବରକାଗଜରୁ ଯାହାସବୁ ପାଇଥିଲି କାଟି ରଖିଛି । ....ସେତେବେଳେ ମହତାବ ବାବୁ ଏହାର ବିରୋଧ କରି ‘ପ୍ରଜାତନ୍ତ୍ର’ରେ ଲେଖିଲେ । ଟି. ସାଙ୍ଗାନା ସେତେବେଳେ ମନ୍ତ୍ରୀ ଥିଲେ । ସ ମଧ୍ୟ ପ୍ରତିବାଦ କଲେ ।

 

ପଦଯାତ୍ରା ସମୟରେ କୁଉଲି ରହଣିରେ ସଂଗ୍ରହ କରା ଯାଇଥିବା କିଛି ଖାଦ୍ୟଜିନିଷ ସାଙ୍ଗରେ ଧରି ଚାଲିବାରୁ ଗୋପବାବୁ ସେଥିରେ ବିରକ୍ତ ହେଲେ ଏବଂ ସମସ୍ତ ଜିନିଷ ବାହାର କରିଦେଲେ । ଏମିତିକି କିଛି କମଳା ମଧ୍ୟ । ତେଣୁ ବାଧ୍ୟ ହୋଇ ସଂଗ୍ରହ ହୋଇଥିବା ଜିନିଷ ସେ ଗାଁ ଲୋକଙ୍କୁ ଫେରାଇ ଦେଇ ଆସିବାକୁ ହେଲା ।

 

ମା’ଙ୍କୁ ଅସୁବିଧା କଥା କହିବାରୁ ସେ ପରବର୍ତ୍ତୀ ରହଣି ପାଇଁ ଖାଦ୍ୟଜିନିଷ ସଂଗ୍ରହ ପାଇଁ ରାଜି ହେଲେ କିନ୍ତୁ ଗୋପବାବୁ ଏହିପରି କଲେ ସମୟ ନଷ୍ଟ ହେବ କହି ମନା କଲେ । ତେଣୁ ପର ରହଣିକୁ ରୋଷେଇ କରିବା ଡେରି ହେଲା କାରଣ ରହଣି ଗାଁରୁ ଚାଉଳ ଡାଲି ଆଦି ସଂଗ୍ରହ କରିବା ପରେ ରୋଷେଇ କରାଗଲା ।

 

ପଦଯାତ୍ରାରେ ମା’ ରମାଦେବୀ, ଗୋପବାବୁ, ଜଣେ ଭାରୁଆ, ଜଣେ ସ୍ଥାନୀୟ କର୍ମୀ ଏବଂ ମୁଁ ରହୁଥିଲୁ । ପଦଯାତ୍ରାରେ ଗୁମ୍ମା ଘାଟିରେ ମିସ୍ ମନ୍‌ରୋଙ୍କ ଠାରେ ପହଞ୍ଚିଲୁ । ସେ ଜଣେ ନାମକରା M.L.A. ଥିଲେ । ତାଙ୍କ ନିକଟରେ ରାତ୍ର ରହି ତା’ ପରଦିନ ଗୁମ୍ମା ଘାଟି ଓହ୍ଲାଇଲୁ । ଏବଂ ରାସ୍ତାରେ ଜଣେ ଈଶାଇ ଧର୍ମାବଲମ୍ବୀ ଗାଁରେ ରାତ୍ର ରହି ତା’ ପରଦିନ କୋରାପୁଟ ଜିଲ୍ଲାର ଜଳତାରଠାରେ ପହଞ୍ଚିଲୁ । ସେଦିନ ଜଳତାର ଗାଁରେ ହାଟ । ସେ ହାଟକୁ ରମାଦେବୀ ଏବଂ ଗୋପବନ୍ଧୁ ବାବୁଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ କୋରାପୁଟ ଜିଲ୍ଲାର ଏକ ହଜାରରୁ ଅଧିକ କର୍ମୀ ଆସି ପହଞ୍ଚିଲେ । ସେଠାର ଗୋପବାବୁ ଜାଣିଲେ ଯେ ଏମାନେ ନିଜର ଅପହୃତ ଜମି ଛଡ଼ାଇ ନେବାପାଇଁ ଆନ୍ଦୋଳନ ସକାଶେ ପ୍ରସ୍ତୁତ ହୋଇ ଆସିଛନ୍ତି । ସେଠୁ ଗୋପବାବୁ ଏବଂ ରମାଦେବୀଙ୍କର ବିଚାର ବଦଳିଗଲା । ସେ କହିଲେ, “ବିନୋବା ହୃଦୟ-ପରିବର୍ତ୍ତନ କରି ଜମି ମାଗି ଭୂମିହୀନ ଲୋକଙ୍କୁ ଦେଇ ଅବସ୍ଥା ବଦଳାଇବାକୁ ଚାହୁଛନ୍ତି । କିନ୍ତୁ ଏମାନେ ଜମି ଜବରଦସ୍ତି ଛଡ଼ାଇ ଆନ୍ଦୋଳନ କରିବାକୁ ଚାହୁଛନ୍ତି । ଜଳତାର ସଭାକୁ ରତନ ଭାଇ, ସୁଧାଂଶୁ ଭାଇ, ବ୍ୟାସଜୀ ମଧ୍ୟ ଯାଇଥିଲେ ବୋଲି ମୋ’ର ମନେ ହେଉଛି । ଗୁଣପୁର ତାଲୁକାର ଅଧିକାଂଶ ଆଦିବାସୀ ଯାଇଥିଲେ । ଜଳତାରରୁ ଗୁଣପୁର ଆସି ରାତ୍ର କୁଜେନ୍ଦ୍ରୀରେ ରହି ଗୋପବାବୁ ଏବଂ ରମାଦେବୀ ପଦଯାତ୍ରା ବନ୍ଦ କରି ସିଧା କଳାହାଣ୍ଡି ଆସିଯିବା ପାଇଁ ଯୋଜନା କଲେ । ପୂର୍ବରୁ ପଦଯାତ୍ରା ବେଳେ ଯେଭଳି ଭିତର ଗାଁଗୁଡ଼ିକୁ ଯିବାର ଯୋଜନା ଥିଲା ସେହିଭଳି ନକରି ଏବେ ଗୋପବାବୁ ସିଧା ରେଳରାସ୍ତାରେ କଳାହାଣ୍ଡି ଯିବାକୁ ପ୍ରୋଗ୍ରାମ୍ କଲେ । ମୋତେ ମଧ୍ୟ ସାଙ୍ଗରେ ନେବାକୁ ମନା କଲେ । ସାଥୀରେ କୁଜେନ୍ଦ୍ରୀ ଅଞ୍ଚଳର ଜଣେ ଆଦିବାସୀ ଲୋକ ଜିନିଷ ବୋହିବା ପାଇଁ ରହିଲା । ଡଙ୍ଗରିଗୁଡ଼ାରେ ଏକ କସ୍ତୁରବା କେନ୍ଦ୍ର ଥାଏ । ସେଠାରେ ମାଳତୀ ବିଶ୍ଵାଳ, କେତକୀ ମହାନ୍ତି କସ୍ତୁରବା ମେମୋରିଆଲ୍ ଟ୍ରଷ୍ଟର କର୍ମୀ ଥିଲେ । ଗୋପବାବୁ ଓ ରମାଦେବୀ ସେଠାରେ ପହଞ୍ଚିଥିଲେ । ସେଠାକୁ ମୁଁ କର୍ମୀମାନଙ୍କୁ ସଙ୍ଗରେ ନେଇ ଆସିଲି । କୁଜେନ୍ଦ୍ରୀରୁ ଡଙ୍ଗରିଗୁଡ଼ା ୨୨ ମାଇଲ ରାସ୍ତା ହେବ । ସେ ରାସ୍ତା ଜଙ୍ଗଲପୂର୍ଣ୍ଣ । ସେ ରାସ୍ତାରେ ମୋତେ ଥରେ ବାଘ ନେବାପାଇଁ ଝାମ୍ପ ମାରୁଥିଲା, କିନ୍ତୁ ମୁଁ ଟିକିଏ ଆଗକୁ ଚାଲି ଯାଇଥିବାରୁ ମୋତେ ନେଇ ପାରିଲାନାହିଁ । ରାସ୍ତାର ଆରପଟକୁ ଡେଇଁ ଲାଙ୍ଗୁଡ଼ ହଲାଇ ହଲାଇ ଚାଲିଗଲା । ନିକଟ ଗାଁ ଲୋକଙ୍କୁ ଏକଥା କହିବାରେ ସେମାନେ କହିଲେ, “ତୋର ବାସ୍ନା ବାରି ତୋତେ ବାଘ ନେଲାନାହିଁ । ବୁଲି କରି ଚାଲି ଯା । ବାଘ ଅନ୍ୟ ବାଟରେ ଚାଲିଯିବ ।”

 

ସଙ୍ଗରେ ଯାଇଥିବା କର୍ମୀମାନେ ଗୋପବାବୁଙ୍କୁ ଫେରିବାକୁ ଅନୁରୋଧ କଲେ । କିନ୍ତୁ ଗୋପବାବୁ ଆଉ ଫେରିବାକୁ ରାଜି ହେଲେ ନାହିଁ । ଡଙ୍ଗରିଗୁଡ଼ାରୁ ଗୋପବାରୁ ଏବଂ ମା’ ରମାଦେବୀ ରେଳରାସ୍ତା କଡ଼େ କଡ଼େ ଭବାନୀପାଟଣା ଚାଲିଗଲେ ।

 

ପଦଯାତ୍ରାରୁ ଫେରି ଖଦୀମଣ୍ଡଳ ବୈଠକ ଡକାଗଲା । ସେଥିରେ ଗୋପବାବୁ ମୋତେ କହିଲେ, “ତୁମର ଯଦି ଭୂ-ସତ୍ୟାଗ୍ରହ କାମ କରିବାର ଥିଲା ତାହାହେଲେ ଖଦୀମଣ୍ଡଳରୁ ଇସ୍ତଫା ଦେଇ କାମ କଲେ ଭଲ ହୁଅନ୍ତା ।” ସେତେବେଳେ ମୁଁ ଖଦୀମଣ୍ଡଳରୁ ଇସ୍ତଫା ଦେଲି । ଖଦୀମଣ୍ଡଳର ଗୋଟିଏ ବୈଠକରେ ମୋ’ର ଇସ୍ତଫାପତ୍ର ଗ୍ରହଣ କରିବାପାଇଁ କହିବାରୁ ଗୋପବାବୁ କହିଲେ, “ସେ ଯାହା ବୁଝିଛି ସେଇଆ । ସେ ଇସ୍ତଫା ପ୍ରତ୍ୟାହାର କରୁନାହିଁ । ତା’ର ଇସ୍ତଫା ଗ୍ରହଣ କରିନିଅ ।” ତେଣୁ ମୋ’ର ଇସ୍ତଫା ଗ୍ରହଣ କରାଗଲା । ମୁଁ ଇସ୍ତଫା ଦେଇଥିଲେ ମଧ୍ୟ ଖଦୀ ମଣ୍ଡଳର ସମସ୍ତ ବୈଠକକୁ ମୋତେ ଡକା ଯାଇଥିଲା । ମୁଁ ସମସ୍ତ ବୈଠକରେ ଯୋଗ ଦେଇଥିଲି । ଏବଂ ପ୍ରୋସିଡ଼ିଂ ବହିରେ ନିମନ୍ତ୍ରିତ ଭାବରେ ଦସ୍ତଖତ କରୁଥିଲି । ବୋଧେ ଭାବିଥିଲେ ମୁଁ ଇସ୍ତଫାପତ୍ର ଫେରାଇନେବି ।

 

ଖଦୀମଣ୍ଡଳର ସଭାପତି ଥିଲେ ଗୋପବାବୁ, ସମ୍ପାଦକ ଥିଲେ ମନମୋହନ ଚୌଧୁରୀ-। ଆଚାର୍ଯ୍ୟ ହରିହର ଦାସ, ମା’ ରମାଦେବୀ, ନନ୍ଦକିଶୋର ଦାସ, ନୀଳାମ୍ବର ଦାସ, କୃପାସିନ୍ଧୁ ହୋତା, ଈଶ୍ଵରଲାଲ ବ୍ୟାସ, ସୁନାମଣି ଦେବୀ, ରାଜକୃଷ୍ଣ ବୋଷ ଓ ମୁଁ ସଭ୍ୟ ଥିଲୁ-। ଖଦୀମଣ୍ଡଳରେ ପ୍ରଥମେ ଏମାନେ ସବୁ ଥିଲେ ବୋଲି ମୋର ମନେ ହେଉଛି । ସେତେବେଳେ ଖଦୀମଣ୍ଡଳ ହିଁ ସମସ୍ତ କାମର ଦାୟିତ୍ଵ ନେଇଥିଲା । ସର୍ବସେବା ସଂଘର ସମ୍ମିଳନୀ ଅନୁଗୁଳରେ ହେଲା । ତା’ପରେ ପୁରୀରେ ମଧ୍ୟ ହେଲା । ଏସବୁ କାମର ନିୟନ୍ତ୍ରଣ ଖଦୀମଣ୍ଡଳ ହିଁ କଲା-। ଗାନ୍ଧୀ, ବିନୋବା ତଥା କିଶୋରଲାଲ ମସୁରୱାଲା ଆଦିଙ୍କ ବିଷୟରେ ବହି ଲେଖି ଖଦୀମଣ୍ଡଳ ହିଁ ପ୍ରକାଶ କରୁଥିଲା । ବେରବୋଇରେ ଯେଉଁ ସମ୍ମିଳନୀ ହେଲା, ସେଥିରେ ଗାନ୍ଧିଜୀ ଆସିଥିଲେ-। ସାତଦିନ ଧରି ସମ୍ମିଳନୀ ହେଲା । କିଶୋରଲାଲ ମସୁରୱାଲା, ଆଚାର୍ଯ୍ୟ କୃପାଳାନି, ସର୍ଦାର ପଟେଲ, ଅବଦୁଲ ଗଫୁର ଖାଁ, ଠକ୍କରବାପା, ସୁଚେତା କୃପାଳାନି, ଏହିପରି ବିଶିଷ୍ଟ ଗାନ୍ଧୀବାଦୀ ଲୋକମାନେ ପ୍ରତି ପ୍ରଦେଶରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

 

ସେତେବେଳେ ଗାନ୍ଧୀ ସେବାସଂଘ କାମରେ ଏକ ଅନୁଷ୍ଠାନ ଚାଲୁଥିଲା । ତା’ର ମୁଖ୍ୟ ଥିଲେ ଗୋପବାବୁ, ଆଚାର୍ଯ୍ୟ ହରିହର ଇତ୍ୟାଦି । ସେମାନେ ବେରବୋଇ ସମ୍ମିଳନୀର କାମ ଚଳାଇଲେ । ଏହାପରେ ଗାନ୍ଧୀ ସେବା ସଂଘ ଆଉ ରହିଲାନାହିଁ । କାରଣ ଗାନ୍ଧିଜୀ ତାଙ୍କ ନାମରେ କୌଣସି ଅନୁଷ୍ଠାନ କରିବାକୁ ମନା କଲେ । ଅନୁଷ୍ଠାନଗୁଡ଼ିକୁ ରଚନାତ୍ମକ କାର୍ଯ୍ୟ ଆଧାରିତ ନାମ ଦେବାକୁ କହିଲେ ।

 

....ତାଙ୍କୁ (ଶ୍ରୀ ଗୋପବନ୍ଧୁ ଚୌଧୁରୀଙ୍କୁ) ଲେଖିଥିଲି ମୋ’ର ବୁଦ୍ଧି କମ୍ । ରତନ ଭାଇ, ସୁଧାଂଶୁ ଭାଇ କିମ୍ବା ନିମାଇଁ ଭାଇଙ୍କୁ କୋରାପୁଟର ଦାୟିତ୍ଵ ଦେଇ ମୋତେ ମୁକ୍ତି ଦିଅନ୍ତୁ । ମୁଁ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କୋରାପୁଟରେ ରହି ଆଦିବାସୀଙ୍କ ମଧ୍ୟରେ କାମ କରିବି । ସେତେବେଳେ ପଇସାର ମୂଲ୍ୟ ବେଶୀ ହେତୁ ଆମେ କମ୍ ସାହାଯ୍ୟ ନେଉଥିଲୁ । ମୋ’ର ଦରମା କୋରାପୁଟରେ ରହୁଥିବାରୁ ୧୫ ଟଙ୍କା ନେଉଥିଲି । ରତନ ଭାଇ ସୁଧାଂଶୁ ଭାଇ ଏମାନେ ଟିକେ ବେଶୀ ପାଉଥିଲେ ବୋଲି ମନେ ହେଉଛି । ୭୫ ଟଙ୍କା ହେବ । ଲୋକ ଆଧାରରେ କାମ କରିବାପାଇଁ ଆଲୋଚନା ହେବାରୁ ମୁଁ ସାହାଯ୍ୟ ମାସକୁ ୧୨ ଟଙ୍କା କରି ନେଲି । ଶେଷରେ ୧୨ ଟଙ୍କା ମଧ୍ୟ ନନେଇ ଲୋକଆଧାରରେ ଚଳିଲି । ମୁଁ ବେମାର ପଡ଼ିଲେ ଗୋପବାବୁ ବରୀ ଡକାଇ ନେଇ ମୋତେ ଚିକିତ୍ସା କରାଇ ପଠାଉଥିଲେ । ଗାନ୍ଧୀ ସେବାସଂଘର ସେକ୍ରେଟରୀ ଶ୍ରୀଯୁକ୍ତ ରଘୁନାଥ ଶ୍ରୀଧର ଧୋତ୍ରେ ଥାଆନ୍ତି । ମୋର ବେମାର ଖବର ପାଇଲେ କିଛି ପଇସା ପଠାଇ ଦିଅନ୍ତି । ଦୁଧ ରୀତିମତ ଖାଇବାକୁ ସେ କୁହନ୍ତି । ଦୁଧ ଘିଅ ମଧ୍ୟ ସେତେବେଳେ ଶସ୍ତା ଥିଲା । ଘିଅ ୧ କି.ଗ୍ରା ପ୍ରତି ୨ ଟଙ୍କା (କଟକୀ) ଓ ବାଲେଶ୍ଵରୀ ୧ ଟଙ୍କା ଏବଂ ଦୁଧ ୨ ଅଣା । ଆମ ବରୀ କେନ୍ଦ୍ରର ପରିଚାଳକ ଶ୍ରୀଯୁକ୍ତ ବ୍ରଜମୋହନ ସିଂ (ଚାଟୁବାବୁ) ଶିକ୍ଷାର୍ଥୀମାନଙ୍କୁ ଦୁଧ ଘିଅ ଖାଇବାକୁ ବାଧ୍ୟ କରୁଥିଲେ । ଭୂ-ଦାନ ସମୟରେ ଯେଉଁ ଗୁରୁଜନମାନେ ସାହାଯ୍ୟ ପାଉଥିଲେ, ତାହା ସେମାନେ ମଧ୍ୟ ନେଲେ ନାହିଁ । ଗୋପବାବୁ ୫୦ ଟଙ୍କା, ରମା ଦେବୀ ୧୫ ଟଙ୍କା, ଆଚାର୍ଯ୍ୟ ମହାଶୟ ୧୨ ଟଙ୍କା, ବ୍ୟାସଜୀ ୧୨ ଟଙ୍କା, ଚାଟୁବାବୁ ୧୫ ଟଙ୍କା, ମଙ୍ଗଳା ସେନଗୁପ୍ତା ୧୦ ଟଙ୍କା, ଏପରି ସବୁ କମ୍ କମ୍ ସାହାଯ୍ୟ ନିଆ ଯାଉଥିଲା । ମୋତେ ଯେତେବେଳେ କୋରାପୁଟ ପଠାଗଲା ୧୯୪୦-୪୧ ଆରମ୍ଭରେ ୪୦ ଟଙ୍କା ଦେଇ ଗୋପବାବୁ ପଠାଇଲେ । ସେଥିରୁ ୯ ଟଙ୍କା ଆଠ ଅଣା ରାସ୍ତାଖର୍ଚ୍ଚ କରି ଅବଶିଷ୍ଟ ଟଙ୍କା ଅଗ୍ରୀମ ଭାଉଚର ଦେଇ ରଖିଲି । ଆବଶ୍ୟକ ମତେ ଖର୍ଚ୍ଚ କରି ପରେ ଖଦୀମଣ୍ଡଳକୁ ହିସାବ ପଠାଇଲି । ସେତେବେଳେ ହୋଟେଲ୍‌ରେ ଆଜିକାଲି ଭଳି ପ୍ଲେଟ୍ ଭାତ ନଥିଲା । ୪ ପଇସା ଦେଲେ ପାରୁଶ ଭାତ ମିଳୁଥିଲା । ସେଥିରେ ପେଟ ପୂରି ଯାଉଥିଲା । ସେତେବେଳେ ଯାତ୍ରୀମାନେ ରେଳ ଷ୍ଟେସନ୍‌ରେ ଓହ୍ଲାଇଲେ ୨ ଅଣା ୬ ପଇସାରେ ଖାଇବାକୁ ଦେବାକୁ କହି ହୋଟେଲ୍‌ବାଲା ଟାଣି ନେଉଥିଲେ ।

 

ଏସବୁ ଲେଖୁ ଲେଖୁ ଅନ୍ୟଆଡ଼େ ଚାଲିଗଲା । ଆପଣ ଭୂ-ଦାନ କଥା ଲେଖିବାକୁ କହିଥିଲେ । ମୋ’ର ସାଙ୍ଗମାନଙ୍କର ବିରୋଧରେ ବା ତାଙ୍କ ସଂପର୍କରେ କିଛି ଟୀକା ଟିପ୍ପଣୀ ମୁଁ ଦେଇଛି ବୋଲି ମୋ’ର ମନେ ହେଉନାହିଁ । ବ୍ୟକ୍ତିଗତ ଭାବେ କେବେ ଦେଖା ହେଲେ ଆପଣଙ୍କୁ କହିବା ଉଚିତ ମନେ କଲେ କହିବି ।

 

ଆଶା ସୁସ୍ଥ ଥିବେ ।

 

ଈଶ୍ଵର ଆପଣଙ୍କୁ ସୁସ୍ଥ ସବଳ ରଖନ୍ତୁ । ଆପଣଙ୍କର ଲେଖନୀ ଅମର ରହୁ । ଏହି ମୋ’ର ପ୍ରାର୍ଥନା ।

 

ବିଶ୍ଵନାଥ

୨ । ୧୨ । ୦୪

 

ଏଯାଏ ଉତାରି ଅଣା ଯାଇଥିବା ଏସବୁ ଚିଠି ଓ ଚିଠିର ଉତ୍ତରଗୁଡ଼ିକର ଆମେ ଏଠାରେ କୌଣସି ତର୍ଜମା କରିବାନାହିଁ । ଏହାପରେ ଆଉ ମାଳେ ଚିଠି ଓ ସେଗୁଡ଼ିର ଉତ୍ତର ନିମ୍ନରେ ପାଠ କରିବାକୁ ମିଳିବ । ପରବର୍ତ୍ତୀ ଅଧ୍ୟାୟଟିର ତାତ୍ପର୍ଯ୍ୟଟିକୁ ବୁଝିବାରେ ଏହି ପତ୍ରମାନେ ଖୁବ୍‌ସମ୍ଭବ କିଛି ଭୂମିକା ମଧ୍ୟ ଯୋଗାଇଦେବେ ।

 

ପ୍ରଥମଟି ୧୯୫୨ ମସିହା ମାର୍ଚ୍ଚ ୨୭ ତାରିଖର,-ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ :

 

ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ, ଓଡ଼ିଶା ସରକାର,

ସମୀପେଷୁ,

ମହାଶୟ,

ତା ୨୪.୩.୫୨ ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ରାଇଗଡ଼ ସବ୍‌ଡ଼ିଭିଜନ୍‌ର ଗୁଣପୁର ଗୁଡ଼ାରୀ, ଦୁର୍ଗା ଆଦି ଅଞ୍ଚଳର ଏକ ପ୍ରତିନିଧିମୂଳକ ରଇତ ସଭା ଶ୍ରୀ ନୀଳକଣ୍ଠ ଗମାଙ୍ଗଙ୍କ ସଭାପତିତ୍ଵରେ ହୋଇଥିଲା । ଏଥିରେ ଅନେକ ଗ୍ରାମ ତରଫରୁ କର୍ମୀମାନେ ଆସି ସ୍ଥାୟୀ ଭାବରେ ଖାଦ୍ୟାଭାବ ଦୂରୀକରଣ ଓ ଜମିସମସ୍ୟାର ସମାଧାନ ଆଦି ସଂପର୍କରେ ଆଲୋଚନା କରି ସର୍ବସମ୍ମତିରେ ଯେଉଁ ପ୍ରସ୍ତାବ ଧାର୍ଯ୍ୟ କରିଛନ୍ତି, ଆପଣଙ୍କର ଅବଗତି ଓ ସୁବିଚାର ସକାଶେ ପଠାଇଲୁ । ଲୋକହିତକାରୀ ସରକାର ଏ ଦୀନହୀନ ଆଦିବାସୀଙ୍କର ଗୁହାରି ଶୁଣିବେ ବୋଲି ଆଶା କରୁ ।

ଏ ଅଞ୍ଚଳର ସୌରା ଓ କନ୍ଧ ଇତ୍ୟାଦି ତଳ ଓ ଗରିବ ଶ୍ରେଣୀର ଲୋକ ଧନୀ କୁମୁଟି, ବ୍ରାହ୍ମଣ, ସୁଣ୍ଢି, କରଣ ଆଦିଙ୍କ ଦ୍ଵାରା କିପରିଭାବେ ଅତ୍ୟାଚାରିତ ହେଉଛନ୍ତି, ଏକଥା ଆପଣଙ୍କୁ ଅଜଣା ନୁହେଁ । ଧନୀ ସାହୁକାର ଆଦିଙ୍କ କୂଟକପଟରେ ଚଳିବା ଦିନକୁ ଦିନ ଅସହ୍ୟ ହେଉଛି । ପୂର୍ବରୁ ପ୍ରତ୍ୟେକ ଗ୍ରାମରୁ ଆଦିବାସୀ ମାନଙ୍କର ଅପହୃତ ଜମି ଫେରାଇବା ସଂପର୍କରେ ରେଜିଷ୍ଟର ଓ ଅନ୍‌ରେଜିଷ୍ଟର ଡାକରେ ଦରଖାସ୍ତ ଯାଇଅଛି, ତା’ର ସୁବିଚାର ହେଉ ।

ସରକାର ଗରିବମାନଙ୍କ ସପକ୍ଷରେ ଯେତିକି କି ଆଇନ୍ ଗଢ଼ୁଛନ୍ତି, ତାହା ସର୍ବସାଧାରଣରେ ପ୍ରଚାରିତ ହୋଇ ନଥିବା ଯୋଗୁଁ, ସର୍ବସାଧାରଣ ମୂର୍ଖ ଥିବା ଯୋଗୁଁ, ଧନୀମାନେ ନିଜର ସୁବିଧା ପାଇଁ ସେସବୁ ଆଇନ୍ ନମାନି ମନଇଚ୍ଛା କାରବାର ଚଲାଉଛନ୍ତି । ଭାଗଚାଷ ଆଇନ୍ ଆଜିକୁ ୩ ବର୍ଷ ହେଲା ପ୍ରଣୟନ ହେଲାଣି । ଅଥଚ ଏହା ସର୍ବସାଧାରଣ ଭାବରେ ମଫସଲ ମାନଙ୍କରେ ପ୍ରଚାର ହୋଇନାହିଁ । ସେହି ପୂର୍ବ ପରି ଅଧା ଅଧା ଭାଗ ଏ ଅଞ୍ଚଳର ଚାରିଆଡ଼େ... । ଏ ଭାଗଚାଷ ସଂପର୍କରେ ଆଇନ ଗୁଣପୁର, ଗୁଡ଼ାରି, ବିଷମକଟକ ରାୟଗଡ଼ ମଫସଲ ଅଞ୍ଚଳରେ ଧେଣ୍ଡୁରା ଦ୍ଵାରା ପ୍ରଚାର କରି ଦିଅନ୍ତୁ । ଏବଂ ଏହା ଫଳରେ ଚାଷୀଙ୍କ ଠାରୁ ସାହୁକାର ଭୂମି ଛଡ଼ାଇ ନେବାକୁ ବସିଲେ, ଯେପରି ଛଡ଼ାଇ ନନେବେ, ତା’ର ବ୍ୟବସ୍ଥା କରି ଦିଅନ୍ତୁ ।

 

କୌଣସି ପରିବାରରେ ୩୩ ଏକରରୁ ଊର୍ଦ୍ଧ୍ୱ ଜମି ରହିବନାହିଁ । ସରକାର ଏ ସଂପର୍କରେ ଯେଉଁ ଆଇନ୍ କରିଛନ୍ତି, ତାହା ଚଞ୍ଚଳ କାର୍ଯ୍ୟକାରୀ କରନ୍ତୁ । ସରକାର ଖରଚକୁ ଡରି ଏ ଆଇନ୍ କାର୍ଯ୍ୟକାରୀ କରିବାରେ ହେଳା କରନ୍ତୁନାହିଁ ।

 

କେତେକ ଲୋକଙ୍କର ଅନେକ ଅଧିକ ଜମି ଥିବାରୁ ପଡ଼ିଆ ରହି ଯାଉଅଛି । ଏଷ୍ଟେଟର ଅନେକ ବଞ୍ଜାରି ଜମି ମଧ୍ୟ ରହିଛି । ଏସବୁକୁ ଜମିହୀନ ଲୋକଙ୍କୁ ଚାଷ କରିବାକୁ ଦିଆଯାଉ । ଏବଂ, ଆବଶ୍ୟକ ସ୍ଥଳେ ଜଙ୍ଗଲ ବଞ୍ଜାରି ମଧ୍ୟ ଚାଷ କରିବାକୁ ଦିଆଯାଉ ।

 

ଖାଲି କାଗଜରେ ଟିପ ଦେଇ ରଇତକୁ ଜମିରୁ ଉଚ୍ଛେଦ କରାଇବା ଏବଂ ଭାଗଚାଷୀ ମାନଙ୍କଠାରୁ ପୂର୍ବ ପ୍ରକାର ଧାନ ଅଧା ଅଧା ପାଇବାପାଇଁ ଚଷିବାକୁ କହିବା ଆଗରୁ ହେଣ୍ଡ୍‌ନୋଟ୍ କରି ନେଉଛନ୍ତି । ଏହାର ତଦନ୍ତ ହୋଇ ଆଇନ୍‌ଗତ ବ୍ୟବସ୍ଥା ହେଉ ।

 

ଏ ସବ୍‌ଡ଼ିଭିଜନ୍‌ର ବହୁ ଅଞ୍ଚଳର ଗାଁକୁ ଲାଗି ରିଜର୍ଭ୍ ଫରେଷ୍ଟ ରହିଥିବାରୁ ଗାଁରୁ ପଶୁ ଯାଇ ରିଜର୍ଭ ଜଙ୍ଗଲକୁ ଚରିଯିବା ଫଲରେ ଗରିବ କନ୍ଧ ସୌରା ମାହାସୁଲ୍ ଦିଅନ୍ତି ଓ ନିର୍ଯ୍ୟାତନା ଭୋଗନ୍ତି । ତେଣୁ ଗାଁକୁ ଲାଗି ରହିଥିବା ରିଜର୍ଭ୍ ଫରେଷ୍ଟ୍ ଉଠାଇ ନିଆଯାଉ ।

 

ଏ ଅଞ୍ଚଳର ଆଦିବାସୀଙ୍କର ପ୍ରାୟ ସମସ୍ତ ଜମି ଅଣଆଦିବାସୀଙ୍କ ହାତକୁ ଚାଲିଯିବା ଫଳରେ ବହୁ ଆଦିବାସୀ ପୋଡ଼ୁ ଚାଷ ଉପରେ ନିର୍ଭର କରି ପେଟ ପୋଷନ୍ତି । ଏହି ସଂକ୍ରାନ୍ତରେ ପ୍ରତି ବରଷ ହଜାର ହଜାର ମକଦ୍ଦମା ହୋଇ ଜେଲ ଜରିମନା ଭୋଗିବାକୁ ପଡ଼ୁଛି । ଆଶ୍ଚର୍ଯ୍ୟ କଥା ହେଉଛି, ଏକ ପରିବାରକୁ ଲଗାତାର ପ୍ରତି ବରଷ ସେହି କାର୍ଯ୍ୟ କରି ଜେଲ୍ ଜରିମାନା ଭୋଗୁଥିଲେ ମଧ୍ୟ କାହିଁକି ଓ କେଉଁ ଅଭାବରୁ ଏସବୁ ହେଉଛି, ତା'ର ପ୍ରତିକାର ସରକାର ନକରି କେବଳ ଜେଲ୍ ଜରିମାନା କରିଦେଲେ । କର୍ତ୍ତବ୍ୟ ଦୋଷ ମନେ କରନ୍ତି, ଏହା ବଡ଼ ଦୁଃଖର କଥା । ତେଣୁ, ଜୀବନଧାରଣ ପାଇଁ ଜମି ନପାଇଲା ପର୍ଯ୍ୟନ୍ତ ପୋଡ଼ୁଚାଷରେ ଯେଉଁମାନେ ଜୀବନ ଧାରଣ କରୁଛନ୍ତି, ସେମାନଙ୍କୁ ସେ ସୁଯୋଗ ଦିଆଯାଉ । ନତୁବା ଜମିର ବ୍ୟବସ୍ଥା କରି ଦିଆଯାଉ ।

 

କେଉଁ କେଉଁଠାରେ ପୋଡ଼ୁଚାଷ ନକରିଥିବା ବ୍ୟକ୍ତିଙ୍କୁ ସୁଦ୍ଧା ଜେଲ ଜରିମାନା ଭୋଗିବାକୁ ପଡ଼ୁଛି, ଏହା ଅତି ଖରାପ କଥା । ଏ ଦିଗରେ ଅନୁସନ୍ଧାନ ହୋଇ ଗରିବଙ୍କୁ ଯେମିତି ଆଇନ୍ ଲାଗୁ ହୋଇଛି ସେପରି ହେଉ ।

 

ବହୁ ଅଞ୍ଚଳରେ ଖାଇବା ପାଣିର ଅଭାବ ରହିଛି । କଷ୍ଟ ଦୂର ଦିଗରେ ସରକାର ବ୍ୟବସ୍ଥା କରନ୍ତୁ ।

 

ଗତବର୍ଷ ପରି ଏବର୍ଷ ମଧ୍ୟ ଖାଦ୍ୟ ଅଭାବର ଆଭାସ ଦେଖା ଯାଇଛି । ଲୋକ ହାତରେ ଖରଦିକୁ ପଇସା ନାହିଁ । ଲୋକଙ୍କ କ୍ରୟଶକ୍ତି ବଢ଼ାଇବା ଦିଗରେ ଜଳଯୋଜନା ଇତ୍ୟାଦି ଦିଗରେ କାମ ଦିଆଯାଉ । ଏବଂ ସ୍ଥଳେ ସ୍ଥଳେ ଧାନଗୋଲା ଖୋଲି କଣ୍ଟ୍ରୋଲ୍ ରେଟ୍‌ରେ ଧାନ ମାଣ୍ଡିଆ ଆଦି ଯୋଗାଇବାର ବ୍ୟବସ୍ଥା ହେଉ ।

 

ବିନୀତ

ସ୍ଵା. ନୀଳକଣ୍ଠ ଗମାଙ୍ଗ

ସଭାପତି

ତା ୨୪ । ୩ । ୫୨ ସନ୍ଧ୍ୟା ସମ୍ମିଳନୀ

କୁଜେନ୍ଦ୍ରୀ (ଗୁଣପୁର)

୨୭ । ୩ । ୫୨

 

ରାଜସ୍ଵମନ୍ତ୍ରୀ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ପଠାଯାଇଛି ।

 

ସମାଜକୁ ମଧ୍ୟ ଲେଖାଯାଇଛି ।

 

ଏହାପରେ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନିକଟକୁ ଗୋଟିଏ ବ୍ୟକ୍ତିଗତ ଚିଠି :

 

କୁଜେନ୍ଦ୍ରୀ

୧୬ । ୫ । ୫୨

 

ଶ୍ରୀଚରଣେଷୁ,

 

ବାପି,-ଅପହୃତ ଜମିରେ ପ୍ରବେଶ ସଂପର୍କରେ କୁଜେନ୍ଦ୍ରୀର ଯେଉଁ ବାଇଶି ଜଣ ଗିରଫ ହୋଇ ଜାମିନରେ ଆସିଛନ୍ତି, ସେମାନଙ୍କ ତରଫରୁ ପୋଲିସ୍ କେସ୍ ଉଠାଇ ନିଆଯିବ ବୋଲି କହିଥିଲେ । କାହିଁ ଆଜିଯାଏ କିଛି ହେଲା ନାହିଁ । ....ଆମେ ଚାହୁଥିଲୁ ....କୌଣସି ସଂଘର୍ଷ ନହୋଇ ପ୍ରକୃତରେ ଯେଉଁମାନେ....ସରକାର ଭାବୁଛି ...ଧନୀ....ଶୋଷଣ ନୀତିକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏଆଡ଼େ ଗରିବ ଲୋକ ଉପରେ ଯେଚ୍ଛା ତାଇ ଅତ୍ୟାଚାର ହେଲେ ମଧ୍ୟ ଆଖି ବୁଜି ଦେଇ ଧନୀ ମହାଜନଙ୍କ ପଇସା ମୋହରେ ସବୁ ପାର କରି ଦିଆଯାଉଛି । ଏୟା ଯଦି ସରକାରଙ୍କର ନୀତି ହୁଏ, ତାହାହେଲେ ଗରିବର ସ୍ଥାନ କେଉଁଠାରେ । ଏ ମନୋଭାବରେ ଗରିବ ଲୋକଙ୍କ ଭାଳେଣି ପଡ଼ିଛି । ଏମଧ୍ୟରେ....ଓ ଆଉ କେଉଁ କେଉଁ ଜାଗାରେ ଧନୀ ମହାଜନମାନେ ଗୁଣ୍ଡାଙ୍କ ସାହାଯ୍ୟରେ ନିରୀହ ସୌରା ଉପରେ ଅତ୍ୟାଚାର କରିଛନ୍ତି । ତାଙ୍କର କଥା ଶୁଣୁଛି କିଏ । ଯେଉଁମାନଙ୍କୁ ଗୁହାରି କଲେ ସବୁ... । ବରଂ ଏହାଦ୍ଵାରା ଲାଭ ହେଉଛି ସରକାରୀ କର୍ମଚାରୀଙ୍କର । ସରକାର ଯଦି ଧନୀ ମହାଜନ ମାନଙ୍କର କେବଳ ବିଶ୍ୱାସଭାଜନ ହେବାକୁ ଚାହାନ୍ତି....ବେଠି ମାହାସୁଲ ଅନ୍ୟାୟ ୟାକୁ ମଧ୍ୟ ଯଦି ବନ୍ଦ କରିବାକୁ ସାହସ ନକରନ୍ତି, ତାହାହେଲେ ଦେଶର ଉଜ୍ଜ୍ୱଳ ଆଶା କିଭଳି ଆଶା କରାଯାଉଛି, ମୋ’ ଭଳି ମୋଟାବୁଦ୍ଧିଆ ପକ୍ଷରେ ଜାଣିବା କଷ୍ଟକର ହେଉଛି । ସରକାର ଏହାର....ଫଳ ବର୍ତ୍ତମାନ ଦେଖି ପାରୁନାହାନ୍ତି । ....କେତେ ବଡ଼ ବିପଦଜନକ ଏକଥା ପ୍ରତ୍ୟେକ ଲୋକ ଅନୁମାନ କରୁଛନ୍ତି । ଅନୁଷ୍ଠାନକୁ ବଜାୟ ରଖିବାକୁ ସମସ୍ତ ଅନ୍ୟାୟ ଅତ୍ୟାଚାରକୁ ପ୍ରଶ୍ରୟ ଦେଇ ଜାତିକୁ ମାରିବାକୁ ବସିବା ଅର୍ଥ ଅନୁଷ୍ଠାନକୁ ଦୁର୍ବଳ କରିବା ହେବ ବୋଲି ମୋ’ ଭଳି ମୋଟାବୁଦ୍ଧିଆର ମତ । ଆପଣ ଏଥିପାଇଁ ଯାହା ଭୁଲ ଭାବନ୍ତୁ ନା କାହିଁକି ଯାହା ଅନୁଭବ କରୁଛି ଲେଖିଦେଲି । ସେ ଯାହାହେଉ ଅପହୃତ ଜମି ସଂପର୍କ ମକଦ୍ଦମା ନେଇ ଯାହାକିଛି ବ୍ୟବସ୍ଥା ତା ୨୫ ରିଖ ଭିତରେ କରିଦେଲେ ଭଲ ହୁଅନ୍ତା । ତା’ ନହେଲେ ମାସ ଶେଷଯାଏ ଅପେକ୍ଷା କରି ନିର୍ଦ୍ଦିଷ୍ଟ ଦିନ ଠିକ୍ କରି ଆପଣମାନଙ୍କୁ ଜଣାଇ ଶୋଷକଙ୍କ କାରସାଦିରେ ସରକାରଙ୍କ ଦ୍ଵାରା ଧରା ହୋଇ ଜାମିନରେ ଛାଡ଼ି ଯାଇଥିବା ବ୍ୟକ୍ତି ମାନେ ଥାନାରେ ଯାଇ ଆତ୍ମସମର୍ପଣ କରିବେ । ଏଥିପାଇଁ ଆପଣଙ୍କର ଉତ୍ତର ଅପେକ୍ଷା କରେ ।

 

ଆଜ୍ଞାଧୀନ ସେବକ

ସ୍ୱା–ବିଶ୍ଵନାଥ

 

ଟିପା ନକଲଟିକୁ ପାଠ କରିବା ପ୍ରକୃତରେ ସମ୍ଭବ ହେଲାନାହିଁ । ତେଣୁ ଯେଉଁ ସ୍ଥାନଗୁଡ଼ିକ ସ୍ପଷ୍ଟ ଜାଣି ହେଲାନାହିଁ, ସେଗୁଡ଼ିକୁ ଚିହ୍ନ ଦେଇ ସୂଚିତ କରି ଦିଆଯାଇଛି । ଏବଂ, ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯେଉଁ ଉତ୍ତରଟି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପାଖକୁ ଆସିଲା, ସେଇଟି ପାଠ କରିବାରେ ଆଦୌ କିଛି ଅସୁବିଧା ହେବା ଉଚିତ ନୁହେଁ । ମୁଖ୍ୟମନ୍ତ୍ରୀଙ୍କର ନିଜ ସରକାରୀ ପ୍ୟାଡ଼୍‌ରେ ଲିଖିତ ଏବଂ ମୁଖ୍ୟମନ୍ତ୍ରୀଙ୍କର ହସ୍ତାକ୍ଷରରେ :

 

କଟକ

୧ । ୬ । ୫୨

 

ସ୍ନେହର ବିଶ୍ଵନାଥ,

 

ତମର ଚିଠି ପାଇଛି । ମୋ’ ପ୍ରତି ତମର ସ୍ନେହ ମତେ ସବୁବେଳେ ଅଭିଭୂତ କରିଥାଏ-। ପରସ୍ପର ପ୍ରତି ସ୍ନେହ ଗୋଟିଏ କଥା, ସାଧାରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାମ କରିବା ଆଉ ଗୋଟିଏ କଥା । ସେପରି କାମ କଲାବେଳେ ନିଜର ବୁଦ୍ଧି ଓ ବିବେକ ଅନୁସାରେ ଭଲ ମନ୍ଦ ଓ ଆଗପଛ ବିଚାରି କାମ କରିବାକୁ ପଡ଼େ । ପ୍ରତ୍ୟେକ ଲୋକର ବୁଦ୍ଧି ବିବେକ ଅନୁସାରେ କାମ ଭିନ୍ନ ଭିନ୍ନ ହୁଏ ।

 

ମୁଁ ତମକୁ ବୁଝାଇ କହିଥିଲି ଆଇନ୍ ଅମାନ୍ୟ କରି ଅନ୍ୟର ଜମି ଦଖଲ କରି ଜମି ପୁନର୍ବଣ୍ଟନ ସମସ୍ୟାର ସମାଧାନ କରି ହେବନାହିଁ । ଯେଉଁଠାରେ ଜଣେ ଜଣେ ଲୋକ ହଜାର ପାଞ୍ଚଶହ ଏକର୍ ଜମି ନିଜେ ଚାଷ ନକରି ରଖିଛନ୍ତି, ସେଠିକା କଥା ସ୍ଵତନ୍ତ୍ର । ସେଠି ମଧ୍ୟ ଜବରଦସ୍ତି ବିନା କ୍ଷତିପୂରଣରେ ତାଙ୍କର ଜମି ନେଇ ହେବନାହିଁ । ଆମର ଶାସନ, ବିଧାନ ନବଦଳିବା ଯାଏ ରୟତି ଜମି ପାଇଁ ପୂରାମୂଲ୍ୟ କ୍ଷତିପୂରଣ ଦେବାକୁ ପଡ଼ିବ ।

 

ଅଥଚ ବରଂ ମୂଲ୍ୟ ଦେଇ ଯେଉଁଦିନ ଏପରି ଭାବରେ ମିଳିବ, ତାହା ବାଣ୍ଟିଦେଲେ ଅତି ଅଳ୍ପ ଜମିହୀନ ଲୋକ ୪ । ୫ ଏକର ଲେଖା ଜମି ପାଇପାରିବେ । ତେଣୁ ଅନ୍ୟ ନୂଆ ଜମି ଖୋଜି ବାହାର କରିବା ଓ ଅନ୍ୟ କାମ ଯୋଗାଇଦେବା ହେଉଛି ଏକମାତ୍ର ଉପାୟ ଦାରିଦ୍ର୍ୟ ଦୂର କରିବାପାଇଁ ।

 

ସେପରି ବହୁତ ଜମି ମିଳିପାରିବ; କିନ୍ତୁ ଲୋକମାନଙ୍କୁ ନେଇ ସେଠି ବସାଇବା ଗୋଟିଏ ବଡ଼ କାମ ଯାହା ଆମକୁ କରିବାକୁ ହେବ । ତମେମାନେ ସେ କାମ ହାତକୁ ନେଲେ ବହୁସଂଖ୍ୟକ ଲୋକଙ୍କର ସ୍ଥାୟୀ ଭାବରେ ଅବସ୍ଥା ବଦଳାଇ ପାରନ୍ତ ।

 

ତା’ଛଡ଼ା ରାସ୍ତା, ବନ୍ଧ, ପ୍ରଭୃତି କାମ ପାଇଁ ଚାରିଆଡ଼େ ବହୁତ ଲୋକ ଦରକାର । କନ୍ଧ ଓ ସଉରାମାନଙ୍କୁ ନେଇ ଶ୍ରମିକ ଦଳ ଗଢ଼ି ଏ କାମସବୁ ହାତକୁ ନେଲେ ସେମାନେ ବହୁତ ଉପାର୍ଜନ କରିପାରିବେ । ସେ ଦିଗରେ ମଧ୍ୟ ତମେମାନେ ଆଦୌ ଧ୍ୟାନ ଦେଇନାହଁ । ସେଦିଗରେ ହାତରେ ଟଙ୍କା ଥିଲେ ସୁଦ୍ଧା ସ୍ଥାନୀୟ ଅଫିସରମାନେ କାମ ପୂରା କରି ପାରୁନାହାନ୍ତି । ମୁଁ ତମକୁ କହୁଛି ଚା ବଗିଚାରେ କାମ କରିବାପାଇଁ ଆସାମ ଭଳିଆ ଦୂର ଦେଶକୁ ଯଦି ଆଦିବାସୀ ମାନଙ୍କୁ ନିଆଯାଇ ପାରୁଛି, ଓଡ଼ିଶା ଭିତରେ ତାଙ୍କୁ ନେଇ ନିଶ୍ଚୟ କାମରେ ଲଗାଇ ହୁଅନ୍ତା ଯଦି ସେଥିପାଇଁ ସଂଗଠିତ ଉଦ୍ୟମ କରାଯାନ୍ତା । ସରକାରୀ ଅଫିସରଙ୍କ ଦ୍ଵାରା ଏକାମ ହେବା କଷ୍ଟକର । –ଚା ବଗିଚା ପାଇଁ ବଗିଚା ମାଲିକମାନେ ଲାଭ ଉଦ୍ଦେଶ୍ୟରେ ଏ କାମ କରି ଆସୁଛନ୍ତି । “ଲାଭ ଉଦ୍ଦେଶ୍ୟ” ପରିବର୍ତ୍ତେ “ଦେଶସେବା ବ୍ରତ" କେବଳ କାର୍ଯ୍ୟକାରୀ ହୋଇପାରେ । –ସରକାରୀ ଚାକିରି ନୁହେଁ ।

 

ଯାହା ହେଉ, ରାୟଗଡ଼ା ପ୍ରଭୃତି ଅଞ୍ଚଳ ପାଇଁ ମୁଁ ଜଣେ ଖୁବ୍ ଭଲ ସହାନଭୂତି ସଂପନ୍ନ ଅଫିସର ପଠାଉଛି ଯେ ସରକାରୀ ଅଫିସର ଦ୍ଵାରା ଯେତେଦୂର ଯାହା କରାଯାଇ ପାରିବ କରିବ । ତମେମାନେ ୨ । ୪ ମାସ ତାକୁ ପରୀକ୍ଷା କରି ଦେଖିଲେ ଭଲ ହିଁ ହୁଅନ୍ତା । ତା’ ନକରି ଯଦି ତମେମାନେ ଅସହଯୋଗ ଓ ସତ୍ୟାଗ୍ରହ କର ତା’ହେଲେ ମୁଁ ନିରୁପାୟ । ସତ୍ୟାଗ୍ରହର ଅର୍ଥ ତ ହେଉଛି ଆଇନ୍ ଅମାନ୍ୟ କରି ଜାଣି ଶୁଣି ଦଣ୍ଡ ବରଣ କରିବା । –ସେୟା ହେବ ।

 

ଆଇନ୍ ଅନୁସାରେ ଦଣ୍ଡ ଦେବାପାଇଁ ଯେଉଁମାନେ ଅଛନ୍ତି, ସେମାନେ ତାହା ଦେବେ । ମୁଁ ଯେଉଁ ଅଫିସରକୁ ପଠାଉଛି ସେ ଚେଷ୍ଟା କରିବେ ଆଦିବାସୀଙ୍କ ଉପରେ ଯେଉଁ ବେଆଇନ୍ ଜୁଲୁମ ଅତ୍ୟାଚାର ଓ ଶୋଷଣ ହେଉଛି ତାକୁ ବନ୍ଦ କରିବାପାଇଁ ।

 

। ଇତି ।

ସ୍ନେହାଧୀନ

ନବକୃଷ୍ଣ ଚୌଧୁରୀ

 

[ଖୁବ୍ କଉତୁକିଆ ଚିଠିଟିଏ । ସରକାରୀ ଅଶୋକଚକ୍ର ଚିହ୍ନିତ କାଗଜ ଉପରେ ସ୍ଵୟଂ ମୁଖ୍ୟମନ୍ତ୍ରୀ ନିଜହାତରେ ଲେଖିଛନ୍ତି । ଚିଠିଟି ବ୍ୟକ୍ତିଗତ ଏବଂ ସରକାରୀ ଉଭୟ ବ୍ୟଞ୍ଜନା ବହନ କରୁଥିବା ପରି ବୋଧ ହେଉଛି । ହିସାବ କରି ଦେଖିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଚୌଧୁରୀ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କ ଠାରୁ ବାର ତେର ବର୍ଷ ବଡ଼ ହେବେ । କିନ୍ତୁ, ଚିଠିଟିକୁ ଇତି କରି ସେ ‘ସ୍ନେହାଧୀନ’ ନବକୃଷ୍ଣ ଚୌଧୁରୀ ବୋଲି ଲେଖିଛନ୍ତି । ଆଉଗୋଟିଏ ଲକ୍ଷ୍ୟଣୀୟ ବ୍ୟାପାର ହେଉଛି ଯେ, ଚିଠିର ଶେଷରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ନାମ ଦସ୍ତଖତ କରିନାହାନ୍ତି । ଶ୍ରୀମତୀ ମାଳତୀ ଚୌଧୁରୀ ତାଙ୍କ ନିଜ ହାତରେ ହିଁ “ଇତି, ସ୍ନେହାଧୀନ ନବକୃଷ୍ଣ ଚୌଧୁରୀ” ବୋଲି ଲେଖିଛନ୍ତି । ଶ୍ରୀ ପଟ୍ଟନାୟକ ଉଭୟଙ୍କର ହାତଅକ୍ଷର ସହିତ ସୁପରିଚିତ ଥିଲେ । ତେଣୁ, ଏପରି ବ୍ୟାପାରଟିଏ ଏଥିରେ ରହିଛି ବୋଲି ଚିଠିଟିକୁ ପଢ଼ି ଶେଷ କରିବା ସମୟରେ ନିଶ୍ଚୟ ଜାଣି ପାରିଥିବେ ।]

 

ଏହାପରେ ଅର୍ଥାତ୍ ଉପରେ ଉଦ୍ଧୃତ ଚିଠିଟିକୁ ଖୁବ୍‌ସମ୍ଭବ ପାଇବା ପରେ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ଭୂ-ସତ୍ୟାଗ୍ରହୀ ସମାଜ ତରଫରୁ ପତ୍ରଟିଏ ଦେଇଥିଲେ । ଏଥର ‘ବାପା’ଙ୍କୁ ନୁହେଁ କିମ୍ବା ଶ୍ରୀ ନବକୃଷ୍ଣ ଚୌଧୁରୀ’ଙ୍କୁ ନୁହେଁ, ସଂପୂର୍ଣ୍ଣ ଔପଚାରିକ ଭୀତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିକଟକୁ । ଆମେ ମନେ କରି ପାରିବା ଯେ ସ୍ଵାଧୀନତା ପରବର୍ତ୍ତୀ ସେହି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଭାବରେ ‘ପ୍ରଧାନମନ୍ତ୍ରୀ’ ବୋଲି କୁହା ଯାଉଥିଲା । ଏବେ ତ ପଦଟି କେବଳ ‘ମୁଖ୍ୟମନ୍ତ୍ରୀ’କୁ ରୂପାନ୍ତରିତ ହୋଇ ସାରିଲାଣି । କେବଳ ଜାମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଯାହା ଏକ ବିଶେଷ ଆବଶ୍ୟକତା ହେତୁ ‘ପ୍ରଧାନମନ୍ତ୍ରୀ’ ହୋଇ ରହିଛନ୍ତି ।

 

ପତ୍ରଟି ଏହିପରି :

 

ମାନନୀୟ ପ୍ରଧାନମନ୍ତ୍ରୀ, ଓଡ଼ିଶା

 

ଉଦାରଚରିତେଷୁ,

 

ପୂଜ୍ୟ ମହାଶୟ,

 

ବିନୀତ ନିବେଦନ ଏହିକି, ଗତ ନଭେମ୍ବର ୨୪ ତାରିଖ ଠାରୁ ଏ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆପଣଙ୍କୁ ବାରମ୍ବାର ଜଣାଇ ଆସିଛି । ଖାଇବା ବିନା ଏ ଅଞ୍ଚଳରେ ଲୋକେ ମରିବା ଖବର ତ ଆପଣ ଜାଣନ୍ତି । ବର୍ଷ ବର୍ଷ ଧରି ଲୋକେ ଖାଇବା ବିନା ହଇରାଣ ହୋଇ ବଣ ଜଙ୍ଗଲର ମହୁଲ, ସଲପଚୂନା, ତେନ୍ତୁଳି ମଞ୍ଜି ନାନା ପ୍ରକାର ପତ୍ର ଖାଇ ମୃତ୍ୟୁ ଆଡ଼କୁ ଟାଣି ହୋଇ ଯାଉଛନ୍ତି । ଓଲଟି ଧନୀ ଜମିଦାର, ସାହୁକାର ମାନଙ୍କର ଅତ୍ୟାଚାର କ୍ରମଶ ବଢ଼ିବାରେ ଲାଗିଛି । ତାହାର ପ୍ରତିକାର ପାଇଁ ଆପଣମାନଙ୍କୁ ଜଣାଇ ମଧ୍ୟ କୌଣସି ଫଳ ମିଳିଲାନାହିଁ । ବରଂ ଧନୀମାନଙ୍କର ଅସୁବିଧା ଓ ବିପଦ ଶୁଣିବାମାତ୍ରେ ଆପଣଙ୍କର କର୍ମଚାରୀମାନେ ଯେଉଁଭଳି ଭାବରେ ତତ୍ପରତା ପ୍ରକାଶ କରିବାର ଦେଖାଗଲା, ଗରିବମାନଙ୍କ ପାଇଁ ତାହା ହେଲାନାହିଁ । ପ୍ରତିବର୍ଷ ଏହିପ୍ରକାରେ ଅତ୍ୟାଚାର ବଢ଼ି ବଢ଼ି ଯେତେବେଳେ ତାହା ସହ୍ୟ ହେଲାନାହିଁ ଓ ସେ ଦିଗରେ ଆପଣମାନେ କୌଣସି ବିଚାର କଲେନାହିଁ, ଲୋକମାନଙ୍କ ମଧ୍ୟରେ ନିଜର ଭାଗ୍ୟର ନିଷ୍ପତ୍ତି ପାଇଁ ବିଚାର ପଡ଼ିଲା ଓ ସେମାନେ ଏକତ୍ରିତ ହୋଇ ଏସମସ୍ତ ଅନ୍ୟାୟ ଓ ଅଧର୍ମର ପ୍ରତିରୋଧ କରିବା ପାଇଁ ସଂଘବଦ୍ଧ ଉଦ୍ୟମ କରିବାକୁ ସ୍ଥିର କଲୁ ଓ ଭୂ-ସତ୍ୟାଗ୍ରହୀ ସମାଜ ନାମକ ଏକ ଅନୁଷ୍ଠାନ ଗଢ଼ିଲୁ । ଅନୁଷ୍ଠାନର ଉଦ୍ଦେଶ୍ୟ ହେଲା ଏ ଅଞ୍ଚଳର ସମସ୍ତ ପ୍ରକାର ଅନ୍ୟାୟର ପ୍ରତିରୋଧ କରିବା ଓ ସର୍ବପ୍ରଥମେ ଅଞ୍ଚଳବ୍ୟାପୀ ବ୍ୟାପକ ଅନ୍ୟାୟ, ଯାହା ଫଳରେ କି ସାରା ମୁଲକର ଶତକରା ୯୫ ଲୋକ ଖାଇବା ବିନା ହନ୍ତସନ୍ତ ହେଉଛନ୍ତି, ତାହାର ପ୍ରତିକାର କରିବାକୁ ଠିକ୍ କଲୁ । ସମାଜର ପ୍ରସ୍ତାବ ମତେ ଆପଣମାନଙ୍କ ସହିତ ପତ୍ର ବିନିମୟର କ୍ଷମତା ମୋତେ ଦିଆ ଯାଇଥିଲା ଓ ସେସବୁ ସମୟରେ ଏ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଅନ୍ୟାୟ ଆପଣଙ୍କୁ ଜଣାଇ ତାହାର ପ୍ରତିକାର ଲାଗି ସବିନୟ ଅନୁରୋଧ କରିଆସୁଛି । କିନ୍ତୁ ଦୁଃଖର କଥା ଆପଣ କୌଣସିଟିର ଉତ୍ତର ଦେଲେନାହିଁ । ନିମ୍ନଲିଖିତ ସମସ୍ୟାଗୁଡ଼ିକ ବିଷୟରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରାଯାଇ ଥିଲା ।

 

(୧) ଜମିବ୍ୟବସ୍ଥା–ଏ ଅଞ୍ଚଳର ଶତକରା ୯୫ ଜଣ ଲୋକ ଭୂମିରୁ ବଞ୍ଚିତ । ଦିନେ ଏ ମୁଲକର ସମସ୍ତ ଭୂମି ସେମାନଙ୍କର ଥିଲା କାରଣ ସେମାନେ ହିଁ ଏଠାରେ ସ୍ଥାୟୀ ବାସିନ୍ଦା ରୂପେ ଶହଶହ ବର୍ଷ ହେଲା ରହି ଆସିଛନ୍ତି । ଅନ୍ୟମାନେ ଯେଉଁମାନେ କି ବର୍ତ୍ତମାନ ଶହଶହ ଏକର ଜମିର ମାଲିକ ହୋଇ ବସିଛନ୍ତି, ସେମାନଙ୍କର ବଂଶ ଇତିହାସ, ବ୍ୟବସାୟ ଅନୁସନ୍ଧାନ କଲେ ସ୍ପଷ୍ଟ ଜଣାଯିବ ଯେ ସେମାନେ ଏ ଲୋକମାନଙ୍କର ସରଳତା ଓ ଅଜ୍ଞତାର ସୁଯୋଗ ନେଇ ଏ ଜମିସବୁ ନେଇ ଯାଇଛନ୍ତି । ଇଂରେଜ ସରକାର ନିଜେ ଏକଥା ସ୍ଵୀକାର କରି ସରକାରଙ୍କ ବିନାନୁମତିରେ ବାହାର ଲୋକେ ଆଦିବାସୀଙ୍କର ଜମି ଖରିଦ କରିପାରିବେ ନାହିଁ ବୋଲି ୧୯୧୭ରେ ଏକ ଆଇନ କଲେ, ଏଥିରେ କାଁ ଭାଁ କେହି କେହି ଜମି ଫେରସ୍ତ ପାଇଥିଲେ । କିନ୍ତୁ ସ୍ଵାଧୀନ ସରକାର ତା’ର ସମୟ ବଢ଼ାନ୍ତେ କ’ଣ ତାକୁ ୧୨ ବର୍ଷ ମଧ୍ୟରେ ଜମି ଫେରାଇବାର ବ୍ୟବସ୍ଥା କରୁଥିବା ବେଳେ ଜମିସବୁ ୧୦୦ ବର୍ଷ ତଳେ ହସ୍ତାନ୍ତର ହୋଇ ଯାଇଛି । ତେଣୁ ସରକାର ସେମାନଙ୍କ ହିତ ପାଇଁ ଯେଉଁ ଆଇନ୍ କଲେ ତାହା ତାଙ୍କର କୌଣସି କାମରେ ଆସିଲାନାହିଁ । ତେଣୁ ସେ ଆଇନକୁ ପରିବର୍ତ୍ତନ କରି ୧୨ ବର୍ଷକୁ ୧୦୦ ବର୍ଷ କରିବାକୁ ଅନୁରୋଧ କରି ବିଫଳ ହେଲୁ ।

 

(ଖ) ଭାଗଚାଷ ଆଇନ ପ୍ରକାର ହିତ ପାଇଁ ୧୯୪୮ ମସିହା ଠାରୁ ପ୍ରଚଳନ କରାଗଲେ ହେଁ ଏ ଅଞ୍ଚଳର ଲୋକମାନଙ୍କ ଭିତରେ ତାହା ପ୍ରଚାର ହୋଇ ନଥିବାରୁ ଲୋକମାନେ ୧୯୫୨ ପର୍ଯ୍ୟନ୍ତ ତାହା ଜାଣିନଥିଲେ । ୧୯୫୨ ରେ ତାହା ଜାଣି ସେଦିଗରେ ନିଜର ଭାଗ ପାଇଁ ଅଡ଼ି ବସିବାରୁ ଧନୀମାନେ ତାଙ୍କ ଉପରେ ଧମକଚମକ ଦେଖାଇ ମାଡ଼ ମରାଇ ଓ ମିଛ ମୋକଦ୍ଦମା କରି ହଇରାଣ କଲେ । ଏ ବିଷୟରେ ଆପଣଙ୍କର ତଥା ଆପଣଙ୍କର ପ୍ରତିନିଧିରୂପେ ପ୍ରତିଷ୍ଠିତ ସ୍ଥାନୀୟ ଅଫିସର ମାନଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ କୌଣସି ଫଳ ପାଇଲୁନାହିଁ । ଓଲଟି ଫଳ ହେଲା ଯେ, ଧନୀମାନେ ଗୋଷ୍ଠୀ ବାନ୍ଧି ଡିବିରିସିଙ୍ଗି, ଆମ୍ବାବାଡ଼, କୁଜେନ୍ଦ୍ରୀ, ଲକ୍ଷ୍ମୀପୁର ଇତ୍ୟାଦିର ୧୭ ଜଣଙ୍କୁ ଚୋରି ମୋକଦ୍ଦମାରେ ପକାଇଲେ । ଗୁଡ଼ାରି ଗ୍ରାମର ଜଣେ ଲୋକକୁ ମାଡ଼ ଦେଲେ ଓ ପଦ୍ମପୁରକୁ ଲୋକଙ୍କୁ ଡାକି ନେଇ ମାଡ଼ ଦେଲେ । ସରକାର ଏଠାରେ ମାନ୍ଦ୍ରାଜ ଏଷ୍ଟେଟ୍ ରେଗୁଲେଶନ୍ ଅନୁସାରେ ବନ୍ଦୋବସ୍ତ କଲେ, ଯାହା ଫଳରେ ଭୂମିହୀନ ଲୋକଙ୍କର ଅବସ୍ଥାର କୌଣସି ପରିବର୍ତ୍ତନ ହେବାର ଆଶା ନାହିଁ । ଯେଉଁମାନେ ଶହଶହ ଏକର ଜମିର ମାଲିକ ହୋଇ ରହିଛନ୍ତି, ସେମାନେ ସେ ଜମିର ହକ୍ ପାଇବେ ଓ ଅନ୍ୟମାନେ ଜମି ହକ୍‌ରୁ ବଞ୍ଚିତ ହୋଇ ରହିବେ । ଏ ଦିଗରେ ଆମେ ଆପଣଙ୍କୁ ଅନୁରୋଧ କରୁ ଯେ ଓଡ଼ିଶା ଲ୍ୟାଣ୍ଡ୍ ଆକ୍ଟ୍ ଅନୁସାରେ କରନ୍ତୁ । କିନ୍ତୁ ତାହା ହେଉନାହିଁ ।

 

(୨) ପୋଡ଼ୁଚାଷ–ଭୂମିବାଡ଼ରୁ ବଞ୍ଚିତ ହୋଇ ପାହାଡ଼ ଉପରେ ଦାନାପାଣି ନିର୍ଭର କରି ଆସୁଥିବା ଆଦିବାସୀଙ୍କୁ ପ୍ରତି ବରଷ ହଜାର ହଜାର ମକଦ୍ଦମା ଜେଲ ଜରିମାନା ଭୋଗିବାକୁ ପଡ଼ୁଛି ଏବଂ ଫରେଷ୍ଟ୍ କର୍ମଚାରୀଙ୍କ ଦ୍ଵାରା ନିର୍ଯାତନା ଭୋଗୁଥିଲେ ସୁଦ୍ଧା ବାରମ୍ବାର ଅନୁରୋଧ କରି ଏହାର କୌଣସି ପ୍ରତିକାର କରାଗଲାନାହିଁ, କେବଳ....ଦେଇ ଜରିମାନା କରିଦେଲେ କର୍ତ୍ତବ୍ୟ ଶେଷ ହେଲା ବୋଲି ସରକାର ଭାବିନେଲେ ଅଥଚ ଅବସ୍ଥା ଓ ପେଟର ଦୁଃଖ ବୁଝିଲେ ନାହିଁ ।

 

ଯେତେବେଳେ ବାରମ୍ବାର ଆପତ୍ତି ସତ୍ତ୍ୱେ ଆପଣମାନେ ଆମ ନିଜର ଲୋକ ହୋଇ ମଧ୍ୟ ଆମ ଦୁଃଖ ଗୁହାରି ଶୁଣିଲେ ନାହିଁ ବା ଆମପାଇଁ କିଛି କଲେନାହିଁ । ଅଧିକନ୍ତୁ ଧନୀକ ଶ୍ରେଣୀ ସରକାରୀ କର୍ମଚାରୀ ମାନଙ୍କର ଦୌରାତ୍ମ୍ୟ ବଢ଼ିବାରେ ଲାଗିଲା; ସେତେବେଳେ ଅନନ୍ୟୋପାୟ ହୋଇ ଆମେ ଭଗବାନଙ୍କ ନାମ ନେଇ ସତ୍ୟ ଓ ଅହିଂସା ଉପାୟରେ ଏସବୁର ପ୍ରତିକାର କରିବାକୁ ବାହାରିଲୁ । ସର୍ବପ୍ରଥମେ ପେଟକୁ ଦାନା ଯୋଗାଇବା ପାଇଁ ଆମର ଉଦ୍ୟମ ଆରମ୍ଭ ହେଉଛି । ଭୂମିରେ ସମସ୍ତଙ୍କର ସମାନ ଅଧିକାର ଏହି ସତ୍ୟର ପାଳନ ପାଇଁ ଯେଉଁ ମାଟି ଭୂମି ମାଆକୁ ଅନ୍ୟମାନେ ଜବରଦସ୍ତି ଅଧିକାର କରି ବସିଛନ୍ତି, ସେମାନଙ୍କୁ ନାନା ଅନୁନୟ ପରେ ନ୍ୟାୟ ନପାଇ ସରକାର ଓ ସାହୁକାରଙ୍କୁ ଜଣାଇ ଭୂମିରେ ପ୍ରବେଶ କରିବାକୁ “ଭୂ-ସତ୍ୟାଗ୍ରହୀ ସମାଜ” ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେଉଛି ।

 

ଆପଣମାନଙ୍କର ଆଇନ୍ ଆମକୁ ସାହାଯ୍ୟ କରି ପାରିଲାନାହିଁ । ତେଣୁ ଭଗବାନଙ୍କ ନାମ ଧରି ସତ୍ୟ ଓ ଅହିଂସା ବାଟରେ ଆମେ ଏ ଉଦ୍ୟମ ଆରମ୍ଭ କରୁଛୁ ।

 

ତେଣୁ ଆମର ବିନୀତ ଅନୁରୋଧ ଯେ ସତ୍ୟ ଧର୍ମର ରକ୍ଷା ପାଇଁ ଆମର ଏ ଉଦ୍ୟମରେ ଆପଣ ଆମକୁ ସହାୟ ହୋଇ ବାଧିତ କରିବେ ।

 

ଭୂ–ସତ୍ୟାଗ୍ରହୀ ସମାଜ

ଆପଣଙ୍କର

ପୋ.ଅ.କୁଜେନ୍ଦ୍ରୀ

ବିଶ୍ଵନାଥ ପଟ୍ଟନାୟକ

ଭାୟା–ଗୁଣପୁର

 

କୋରାପୁଟ, ୪ । ୬ । ୫୨

 

 

ଏହି ପତ୍ରଟିକୁ ଲେଖି ଶେଷ କଲାବେଳେ ବହୁ ଭାବନା ମନ ଭିତରେ ଆସୁଛି । ଏହି ଦେଶ ଗୋଟିଏ ସଂଗ୍ରାମ ଦ୍ଵାରା କ’ଣ ପାଇଁ ସ୍ଵାଧୀନ ହୋଇଥିଲା ବୋଲି ପ୍ରଶ୍ନଟିଏ ଆପେ ଜାଗୃତ ହୋଇ ଉଠୁଛି । ସ୍ଵାଧୀନତା-ପ୍ରାପ୍ତିର ପ୍ରାୟ ପନ୍ଦରବର୍ଷ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ଗୋଟିଏ ବାର୍ଷିକ ଅଧିବେଶନରେ ସ୍ଵୟଂ ପଣ୍ଡିତ ଜବାହରଲାଲ ନେହରୁ ଏକ ପ୍ରସ୍ତାବର ମାଧ୍ୟମରେ ଘୋଷଣା କରିଥିଲେ ଯେ, ସ୍ଵାଧୀନ ଭାରତରେ ଭୂମିସଂସ୍କାର ହିଁ କ୍ଷମତାସୀନ ସରକାରଙ୍କର ସର୍ବପ୍ରଥମ କାର୍ଯ୍ୟ ହେବ । ଅର୍ଥାତ୍, ପ୍ରକୃତରେ ଚଷୁଥିଲା ଲୋକେ ହିଁ ଜମିର ସତ୍ତ୍ଵାଧିକାରୀ ହେବେ-। ଭୂତ-ମାଲିକାନାର ଲୋପ ହେବ । ପଣ୍ଡିତ ନେହରୁଙ୍କ ସରକାର ବ୍ୟତୀତ ଆହୁରି ଚିଡ଼ିଆ ଇସିକା କେତେ କମର ସରକାର ଆସନରେ ଆସି ବସିଛନ୍ତି, କିନ୍ତୁ କେହି ଗୋଟିଏ ସରକାର ମଧ୍ୟ ଭୂମିସଂସ୍କାରକୁ ନଜର ଦେଇନାହାନ୍ତି । ସେମାନେ ତାହାକୁ ଧର୍ମତଃ ଭୟ କରିଛନ୍ତି କି ? ଏବେ ତ ସରକାରଙ୍କ ଶାସନରେ ଭୂମିସଂସ୍କାର କହିଲେ ଚକବନ୍ଦୀକୁ ବୁଝାଉଛି । ଭୂତ-ମାଲିକାନାଟା ଅଧିକ ସ୍ଥୂଳ ହେବାର ସୁଯୋଗ ଲାଭ କରିଛି ଏବଂ ପ୍ରକୃତ ଚଷିବା ମଣିଷମାନଙ୍କୁ କୃଷିଶ୍ରମିକ ବୋଲି କୁହାଯାଉଛି । ଉତ୍ପାଦନ ବଢ଼ୁଛି, କୃଷକ ହାରି ହାରି ଯାଉଛି । କୃଷକ କହିଲେ ସମ୍ଭ୍ରାନ୍ତମାନଙ୍କର ଚଳନ୍ତି ଭାଷାରେ ସେହି ଜମିମାଲିକଙ୍କୁ ବୁଝାଉଛି ।

 

କୁଜେନ୍ଦ୍ରୀର ଭୂ-ସତ୍ୟାଗ୍ରହ ଏବେ ଷାଠିଏ ବର୍ଷର ହେବାକୁ ବସିଲାଣି । କ’ଣ ପାଇଁ ପଚାରିବାକୁ ମନ ହେଉଛି ଯେ ସେତେବେଳେ ଗୋଟିଏ ଗୋଟିଏ ରାଜନୀତିକ ଦଳରୂପେ ଓଡ଼ିଶାରେ ସମାଜବାଦୀ ଏବଂ କମ୍ୟୁନିଷ୍ଟମାନେ ରହିଥିଲେ । ସେମାନେ କ’ଣ କୁଜେନ୍ଦ୍ରୀର ସେହି ଖବରଟାକୁ ପାଇନଥିବେ ? ହଁ, ଅବଶ୍ୟ ପାଇଥିବେ, ଖୁବ୍ ପାଇଥିବେ । ନିଜ ନିଜ ଦଳର କାଗଜରେ ସେଠା ଘଟଣାଗୁଡ଼ିକୁ ନିଶ୍ଚୟ ଏଡ଼େ ଏଡ଼େ ଅକ୍ଷରରେ ଛାପାଇଥିବେ । ତଥାପି ବସ୍ତୁତଃ ତଟସ୍ଥ ହୋଇ ରହିଥିବେ । ସବୁ ବିପ୍ଳବ ତ ସେତେବେଳେ ଯାଇ ପ୍ରକୃତ ବିପ୍ଳବ, ଯେତେବେଳେ ତାହା ନିଜର ପାର୍ଟି ନେତୃତ୍ଵରେ ହୁଏ । ସମାଜବାଦୀ ଏବଂ କମ୍ୟୁନିଷ୍ଟ ନ୍ୟାୟତଃ ସେଇଥିଲାଗି ଏଇଟିରୁ ଏକ ଦୂରତା ରକ୍ଷା କରି ରହିଗଲେ କି ? ଏପରି ଦୃଷ୍ଟାନ୍ତ ସମଗ୍ର ଭାରତବର୍ଷରେ ଏକାଧିକ ଅବସରରେ ଘଟିଛି । କେରଳର ଗୋଟିଏ ଲୋକ-ଉତ୍‌ଥାନମୂଳକ କାର୍ଯ୍ୟ ଜଣେ ସେହି ବ୍ରତ ନେଇ ନିଜ ଗ୍ରାମରେ ପ୍ରୟାସଟିଏ ଆରମ୍ଭ କରିଥିଲେ, ସେତେବେଳେ ରାଜନୀତିଦାଣ୍ଡର ପାର୍ଟିନେତାମାନେ ତାଙ୍କୁ ସେହି ପଇତାଟାକୁ ପିନ୍ଧି ସକଳ କାର୍ଯ୍ୟ କରିବାକୁ ଆସି ଫୁସୁଲେଇ ଥିଲେ, ଉସ୍‌କେଇ ଥିଲେ ଓ ଧମକାଇ ଥିଲେ । ଏପରିକି ତାଙ୍କୁ ବାଟକୁ ଆଣିବାକୁ ତାଙ୍କ ଉପରେ ମାଡ଼ ମଧ୍ୟ ହୋଇଥିଲା । ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କର ନେତୃତ୍ଵ ତଥା ତାଙ୍କୁ ମଝିରେ ଥାପି ଭୂସତ୍ୟାଗ୍ରହୀ ସମାଜଟି ତେବେ ତତ୍କାଳୀନ କେଉଁ ପଇତାଟିକୁ ପରିଧାନ କରିଥାନ୍ତେ ? ପୁରୁଷ ପୁରୁଷ ଧରି ଜୀବନଯାକ ଖଟି ତଥାପି ପେଟର ଶାନ୍ତି କରି ପାରୁନଥିବା ସେହି ଗାଆଁମଣିଷମାନେ ରାଜନୀତିକ ଦଳମାନଙ୍କ ବିଷୟରେ କାହିଁକି କ’ଣ ବା ଜାଣିବେ ? ତୁଚ୍ଛା ପେଟର ଭୋକ ସହି ନପାରି ଅନ୍ୟାୟର ପ୍ରତିବାଦ କରିହୁଏ ବୋଲି ଯେତେବେଳେ ବୁଝି ଏକ ଜନଗୋଷ୍ଠୀ ନିଜ ଶକ୍ତିର ଆବାଜ ପାଇ ପ୍ରତିବାଦ କରି ବାହାରେ, ସେତେବେଳ ତାହାକୁ ସତକୁ ସତ କେଉଁ ରାଜନୀତିକ ସିଦ୍ଧାନ୍ତ ବୋଲି ବି କୁହାଯିବ ? ଅର୍ଥାତ୍, କୁଜେନ୍ଦ୍ରୀର ସେହି ଅଙ୍ଗେ ନିଭା ମଣିଷମାନଙ୍କର ସେହି କ୍ରିୟାଶୀଳ ହେବା ପଛରେ ସଂପୂର୍ଣ୍ଣ ଭାବରେ ସେହିମାନେ ହିଁ ଥିଲେ । ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ସେମାନେ କେତେ ଆଗରୁ ହିଁ ସେମାନଙ୍କୁ ଭିତରର ଜଣେ ବୋଲି ବୁଝି ସାରିଥିଲେ । କପାଚାଷ ଓ ଖଦୀକାମକୁ ଯେତେ ବୁଝିଥିଲେ, ବିଶ୍ଵନାଥ ପଟ୍ଟନାୟକଙ୍କୁ ତା’ଠାରୁ ଅଧିକ ସତ୍ୟ ବୋଲି ବୁଝିଥିଲେ ।

 

ବିଶ୍ଵନାଥ ପିଲାଟି ଦିନରୁ ସେବାକାର୍ଯ୍ୟ ଆଡ଼କୁ ଆକୃଷ୍ଟ ହୋଇଥିଲେ । ଦୁର୍ଗତ ଏବଂ ବିପନ୍ନ ମନୁଷ୍ୟମାନଙ୍କର ସେବା । ପୁରୀରେ ସେବାକାର୍ଯ୍ୟ ହିଁ କରିଥିଲେ, ବିହାର ଭୂମିକମ୍ପରେ ବିପନ୍ନମାନଙ୍କର ସେବାପାଇଁ ଯାଇ ପାରିଲେନାହିଁ ବୋଲି ନିଜ ମନରେ ସିଏ ଖୁବ୍ ଦୁଃଖିତ ମଧ୍ୟ ହୋଇ ପଡ଼ିଥିଲେ । ଗାନ୍ଧୀକାମକୁ ସମ୍ଭବତଃ ଏକ ସେହିପରି ସେବାକାର୍ଯ୍ୟ ପ୍ରାୟ ମନେ କରି ସେ ତାଲିମ ନେଲେ । ଏବଂ, ତାଲିମ ପରେ ସିଏ ସେହି ଗାନ୍ଧୀକାମର ପ୍ରସାର ମାଧ୍ୟମରେ ଦୁର୍ବଳ ନିରୀହ ଆଦିବାସୀ ମାନଙ୍କ ମଧ୍ୟରେ ସେବା କରିବାଲାଗି ହିଁ କୁଜେନ୍ଦ୍ରୀ ପଠା ଯାଇଥିଲେ । ଏବେ ମଧ୍ୟ ଭାରତବର୍ଷରେ ଅଧିକାଂଶ ଗାନ୍ଧୀକାମ ପ୍ରାୟ ସକଳ ଅର୍ଥରେ ଗୋଟିଏ ସେବାକାର୍ଯ୍ୟ ହିସାବରେ ହୁଏତ କରାଯାଉଛି । ଦେଶର ସରକାରଟା ମଧ୍ୟ ସେହି ସେବାକାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ଖରଚ ହେବାର ବ୍ୟବସ୍ଥା କରିଛି । ତାଲିମ ସମୟରେ ଯେଉଁ ଅଗ୍ରବର୍ତ୍ତୀମାନେ ତାଙ୍କୁ ସେହି ସେବାବ୍ରତର କାର୍ଯ୍ୟକ୍ରମ ଗୁଡ଼ିକୁ ଶିଖାଇଥିଲେ, ସେମାନଙ୍କୁ ସେ କେତେ ନା କେତେ ମୁଗ୍ଧ ଭାବରେ ବାପା ଓ ମାଆ ବୋଲି କହିଲେ । ଏକ ନିର୍ମଳ ଓ ସମର୍ପିତ ହୃଦୟଦୃଷ୍ଟି ଦ୍ଵାରା ପରିଚାଳିତ ହୋଇ ସେହିମାନଙ୍କର ଅନୁବ୍ରତୀ ହେବାକୁ ନିଜ ଭିତରୁ ତଥା ସେମାନଙ୍କର ଜୀବନରୁ ବହୁତ ପ୍ରେରଣା ବି ଲାଭ କରିଥିଲେ । ସମ୍ଭବତଃ ସେହିପରି ଏକ ସରଳ ନିଷ୍ଠା ବଳରେ ପରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀଙ୍କୁ ବାପି ଏବଂ ନୁମା ବୋଲି ଗ୍ରହଣ କରି ନେଇଥିଲେ । ଏକ ବୃହତ୍ତର ପାରିବାରିକତାର ସେହି ବେଢ଼ ତାଙ୍କୁ ବସ୍ତୁତଃ କେତେ ନା କେତେ ନୈକଟ୍ୟ ଦେଇ ଏକାଠି ବାନ୍ଧି ରଖିଲା । ସିଏ ଆପଣାକୁ ଅବଶ୍ୟ ଧନ୍ୟ ହିଁ ମନେ କରିଥିବେ ।

 

ସେହି ପ୍ରଥମ ପାରିବାରିକତା ଅର୍ଥାତ୍ ପାରସ୍ପରିକତାର ଜଣେ ହୋଇ ବିଶ୍ଵନାଥ ପଟ୍ଟନାୟକ କୋରାପୁଟ ଓ କୁଜେନ୍ଦ୍ରୀକୁ ଆସିଥିଲେ । ସେବାକାର୍ଯ୍ୟ କରିବାର ଏକ ନିର୍ଦ୍ଦେଶ ନେଇ ସଉରା ଓ କନ୍ଧଙ୍କ ମୁଲକରେ ଯାଇ ପହଞ୍ଚିଥିଲେ । ସେଠାରେ ସତେଅବା ସେହି ଗୋଟିଏ ଅନ୍ତର୍ଗତ ସାଧୁତା ଦ୍ଵାରା ଆକର୍ଷିତ ହୋଇ ଏକ ଦ୍ଵିତୀୟ ପାରସ୍ପରିକତା ସହିତ ଛନ୍ଦି ହୋଇ ଯାଇଥିଲେ, ସେଠାରେ ମଧ୍ୟ ଗୋଟିଏ ପାରିବାରିକ ଆତ୍ମୀୟତା ତାଙ୍କୁ ସେହି ସେଠା ଜଗତଟି ସହିତ କେଡ଼େ ତ୍ଵରାର ସହିତ ବାନ୍ଧି ନେଇ ପାରିଥିଲା । ତାହାକୁ ସତେଅବା ଏକ ଦ୍ଵିତୀୟ ଜନ୍ମ ବୋଲି କାହିଁକି ବା କୁହାଯାଇ ନପାରିବ ! ସିଏ ଯେଉଁମାନଙ୍କର ସେବା କରିବାକୁ ଯାଇଥିଲେ, ସେହିମାନଙ୍କର ହୋଇଗଲେ । ଭିତରେ ସେହିପରି ଏକ ଖାସ୍ ଉନ୍ମେଷଣା ଏହିପରି ଭାବରେ ମନୁଷ୍ୟମାନଙ୍କର ନିକଟବର୍ତ୍ତୀ କରି ଆଣିଥାଏ କି ? ଭିତରର ଅସଲ ମଣିଷଟି ତା’ପରେ କେଡ଼େ ଚଟ୍ କଲେ ଅନ୍ୟ ମନୁଷ୍ୟମାନଙ୍କୁ ମଧ୍ୟ ଜଣେ ଜଣେ ମନୁଷ୍ୟ ଭାବରେ ଆବିଷ୍କାର କରିବାକୁ ସମର୍ଥ ହୁଏ ! କୁଜେନ୍ଦ୍ରୀରେ ସେହିପରି କିଛି ଅବଶ୍ୟ ଘଟିଲା । ଦୁର୍ବଳ ନିରୀହମାନେ ତଥାପି ମଣିଷ ଭାବେ ଦୃଷ୍ଟିଗୋଚର ହେଲେ । ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ପ୍ରକୃତରେ ତରିଗଲେ । ସିଏ ସେଠା ଶକ୍ତିହୀନଙ୍କ ମଧ୍ୟରେ ଶକ୍ତିର ପରିଚୟ ପାଇଲେ, ଭାଗ୍ୟହୀନଙ୍କ ମଧ୍ୟରେ ଭାଗ୍ୟର ପରିଚୟ ଲାଭ କଲେ । ବାହାରକୁ ଏଡ଼େ ନିଃସ୍ଵ ହୋଇ ରହିଥିବା କନ୍ଧ ଓ ସଉରାଙ୍କ ମଧ୍ୟରେ ଜଣେ ଜଣେ ସାଙ୍ଗର ପରିଚୟ ପାଇଲେ । ସାଙ୍ଗ ହୋଇଗଲେ । ଭୂ-ସତ୍ୟାଗ୍ରହର ଉତ୍ସ ଖୋଜି ଖୋଜି ଆମେ ହୁଏତ ସେହିପରି ଏକ ବିନ୍ଦୁରେ ଯାଇ ଖୁବ୍ ପହଞ୍ଚି ପାରିବା ।

 

ଏହି ପରିପ୍ରେକ୍ଷୀରେ ଆମେ ଶ୍ରୀଯୁକ୍ତ ପଟ୍ଟନାୟକ, ଶ୍ରୀ ଗୋପବନ୍ଧୁ ଚୌଧୁରୀ ଏବଂ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପାଖକୁ ଲେଖିଥିବା ଚିଠିଗୁଡ଼ିକର ଅବଶ୍ୟ ବିଚାର କରିପାରିବା । କେଡ଼େ ଆବେଗପୂର୍ଣ୍ଣ ଜଣେ ମଣିଷ-ପ୍ରତିନିଧିର ସେହି ଚିଠିଗୁଡ଼ିକ, ଅଥଚ କେଡ଼େ ମମତାହୀନ ଓ ନିର୍ମମ ସେଗୁଡ଼ିକର ଉତ୍ତର ! ବାପା ଓ ବାପିମାନେ କ’ଣ ସବୁ ଅନ୍ତର୍ଗତ ଜଞ୍ଜାଳରେ ପଡ଼ି ଏପରି ଉତ୍ତର ଦିଅନ୍ତି କେଜାଣି ! ଆରମ୍ଭରୁ ଶେଷଯାଏ ଶ୍ରୀ ପଟ୍ଟନାୟକ ସିନା ଧର୍ମତଃ ବହୁତ ଭରସା କରି ସେମାନଙ୍କୁ ଆତ୍ମୀୟବତ୍ ଆମ ନିଜ ଲୋକ ବୋଲି କହିଛନ୍ତି । କିନ୍ତୁ ଉତ୍ତରଗୁଡ଼ିକ ମୋଟେ କୌଣସି ଆମ ଲୋକ ପାଖରୁ ଆସିଥିବା ପରି ମନେ ହେଉନାହିଁ । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ସତ୍ୟାଗ୍ରହର ତତ୍ତ୍ଵବ୍ୟାଖ୍ୟା ମଧ୍ୟ କରିବାର ଚେଷ୍ଟା କରିଛନ୍ତି । ଲବଣ ସତ୍ୟାଗ୍ରହ ସମୟରେ ଯେତେ ହଜାର ହଜାର ସ୍ଵାଧୀନତାକାମୀ ମଣିଷ ସମୁଦ୍ରତଟରେ ଲୁଣ ମାରିଥିଲେ, ସେତେବେଳେ କେଉଁ ପରୀକ୍ଷକ ସେଠି ମହଜୁଦ ଥିଲା ଓ ସତ୍ୟାଗ୍ରହୀମାନଙ୍କର ଯୋଗ୍ୟତା-ଅଯୋଗ୍ୟତାକୁ ପରୀକ୍ଷା କରି ଦେଖୁଥିଲା ! ୧୯୪୦-୪୧ ର ବ୍ୟକ୍ତି-ସତ୍ୟାଗ୍ରହରେ ମଧ୍ୟ ସେହି ନିର୍ବାଚିତ ମାନଙ୍କର ଚରିତ୍ର-ପଞ୍ଜିକାର ସଦର-ମଫସଲକୁ ତଉଲି ଦେଖୁଥିଲା ? ପୀଡ଼ିତ ଆଦିବାସୀମାନେ ଆଗ ମଦ ଛାଡ଼ନ୍ତୁ ଓ ତା’ପରେ ଯାଇ ସେମାନେ ସେମାନଙ୍କ ଉପରେ କାଳକାଳରୁ ଚାଲି ଆସିଥିବା ଅନ୍ୟାୟର ପ୍ରତିବାଦ କରିବେ, ଅବକାରୀ ବିଭାଗର ଉଚ୍ଚରୁ ଆହୁରି ଉଚ୍ଚ କୌଣସି ହାକିମ ମଧ୍ୟ କେବେହେଲେ ସେପରି କ୍ରୁର ଆଚରଣ ଦେଖାଇବ ନାହିଁ ।

 

ଠିକ୍ ସେହିପରି ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ତାଙ୍କ ସରକାରୀ ମୋହର ଥିବା ଚିଠିରେ ବିଶ୍ଵନାଥ ପଟ୍ଟନାୟକଙ୍କ ନାମରେ ପଠାଇଥିବା ତାଙ୍କ ଚିଠିର ଫେରନ୍ତା ଉତ୍ତରଟି । ଆଇନ୍‌ରେ ନାହିଁ, ତେଣୁ ଏସବୁ ସମସ୍ୟାର ସମାଧାନ ଏପରି ସତ୍ୟାଗ୍ରହ ବଳରେ ହୋଇ ପାରିବନାହିଁ । ଲବଣ ସତ୍ୟାଗ୍ରହ ଏବଂ ଏପରିକି ୧୯୪୭ ଅଗଷ୍ଟର ସ୍ଵାଧୀନତା ସଂଗ୍ରାମ କ’ଣ ତତ୍କାଳୀନ ଇଂରେଜୀ ସରକାରଙ୍କ ଆଇନ୍‌କୁ ତା’ର ମାନ୍ୟତା ଦେଇ କରା ହୋଇଥିଲା ! ଆଦିବାସୀ ମାନଙ୍କର ଶୋଚନୀୟ ଆର୍ଥିକ ଜୀବନରେ କିଛି ସୁଧାର ଆଣିବା ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ଚୌଧୁରୀ ପୁଣି କେତେକ ଅନ୍ୟ ସୁଧାର-ଉପାୟର ମଧ୍ୟ ସୁପାରିଶ କରିଛନ୍ତି । ଭୂ-ସତ୍ୟାଗ୍ରହ ବିଷୟରେ ପଦୁଟିଏ ବି ଉଚ୍ଚାରଣ କରିନାହାନ୍ତି । ଆଦିବାସୀଙ୍କ ପ୍ରତି ଯୁଗଯୁଗ ଧରି ହୋଇ ଆସିଥିବା ଏକ ପ୍ରତ୍ୟକ୍ଷ ଅନ୍ୟାୟ ବିଷୟରେ ଦେଶ ସ୍ଵାଧୀନତା ଲାଭ କରିବାର ପାଞ୍ଚବର୍ଷ ପରେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସରକାର ଯେ ସେଦିଗରେ କିଛି କରିନାହାନ୍ତି, ବରଂ ସେଥିଲାଗି ଦୁଃଖିତ ନହୋଇ କିଛି ତାତ୍କାଳିକ ଅର୍ଥାଗମର ପରାମର୍ଶ ପ୍ରଦାନ ଯେ କରିଛନ୍ତି, ତାହାକୁ ଆମେ ସତକୁ ସତ କ’ଣ ବୋଲି କହିପାରିବା ? ଆପଣାର ସେହି ପତ୍ରଟିର ଶେଷ ଭାଗରେ ସତେଅବା ଗୋଟିଏ ସାନ ପିଲାକୁ ବୁଝାଇ ସୁଝାଇ ଆୟତ୍ତ କରିପାରିବା ଭଳି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସିଏ “ଜଣେ ଖୁବ୍ ଭଲ ସହାନୁଭୂତି-ସଂପନ୍ନ ଅଫିସରଙ୍କୁ” ପଠାଉଛନ୍ତି, “ଯିଏ ଚେଷ୍ଟା କରିବେ ଆଦିବାସୀଙ୍କ ଉପରେ ଯେଉଁ ବେଆଇନ୍ ଜୁଲୁମ ଅତ୍ୟାଚାର ଓ ଶୋଷଣ ହେଉଛି ତାକୁ ବନ୍ଦ କରିବା ପାଇଁ” । ‘ବେଆଇନ୍’ ଶବ୍ଦଟିକୁ ନିଜେ ମୁଖ୍ୟମନ୍ତ୍ରୀ ତଳେ ଦୁଇଟା ଗାର ଦେଇ ବିଶେଷ ଭାବରେ ଚିହ୍ନିତ କରି ଦେଇଛନ୍ତି । ଅର୍ଥାତ୍, ସରକାରଙ୍କ ଆଇନ୍ ଅନୁସାରେ ଯାହା ବେଆଇନ୍ । ଯେଉଁ ସରକାର ପୁରୁଷ ପୁରୁଷ ଧରି ହୋଇ ଆସୁଥିବା ସିଧା ପ୍ରତାରଣା ଗୁଡ଼ିକୁ ତଥାପି ଆଖି ବୁଜି ଦିଅନ୍ତି ଏବଂ କାର୍ଯ୍ୟତଃ ପ୍ରତାରକମାନଙ୍କର ପକ୍ଷଟିକୁ ସୁହାଇଲା ପରି ଆଚରଣ କରୁଥାଆନ୍ତି, ସେହି ସରକାରଙ୍କର କଥାକଥିତ ଆଇନ୍‌ଗୁଡ଼ିକୁ ମଧ୍ୟ କେତେଦୂର କ’ଣ ବୋଲି କୁହାଯିବ ?

 

ଏହାର ଉତ୍ତର ସ୍ୱରୂପ, ବିଶ୍ଵନାଥ ପଟ୍ଟନାୟକ ଯେଉଁ ପତ୍ରଟି ଲେଖି ପଠାଇଥିଲେ, ତାହା ପୂର୍ବର ସେହି ଶୈଳୀଟିର ଅନୁସରଣ କରି ଆଉ ‘ବାପି’ଙ୍କୁ ନୁହେଁ, ସିଧା ‘ମାନନୀୟ ପ୍ରଧାନମନ୍ତ୍ରୀ ଉଦାରଚରିତେଷୁ’ଙ୍କ ପାଖକୁ । ଆଉ ‘ଆଜ୍ଞାଧୀନ ସେବକ ବିଶ୍ଵନାଥ’ଙ୍କ ପାଖରୁ ନୁହେଁ, ପୂର୍ଣ୍ଣ ଔପଚାରିକ ଭାବରେ ‘ଭୂ-ସତ୍ୟାଗ୍ରହୀ ସମାଜ’ର ଜଣେ ସଦସ୍ୟ ବିଶ୍ଵନାଥ ପଟ୍ଟନାୟକ’ଙ୍କ ଠାରୁ । ସତେଅବା ଏକ ଅନ୍ୟ ଭାବରେ ଏବଂ ବେଦନାରେ, ଅନ୍ୟ ଶକ୍ତି ତଥା ସଚେତନତାରେ ମନ୍ତୁରା ହୋଇ ସାରିଥିବା ପୂର୍ଣ୍ଣ ନିର୍ଭର କରି ହେଉଥିବା ଜଣେ ସାଥୀଙ୍କ ଠାରୁ । ଏହି ହିସାବରେ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ହେଉଛନ୍ତି ସେଠା ଗୋଟା ଅଞ୍ଚଳର ନିଷ୍ପେଷିତ ମାନଙ୍କର ‘ଆଜ୍ଞା’ । ଗୋଟାପଣେ ଯେଉଁମାନଙ୍କୁ ନିଜର ନିତ୍ୟ ଜୀବନସାଧନାରେ ସେ ଆପଣାର ‘ଆଜ୍ଞା’ ବୋଲି ଗ୍ରହଣ କରିଛନ୍ତି, ସେହିମାନଙ୍କର ‘ଆଜ୍ଞା’ । ଏବେ ସିଏ ନାନା ସେବା-ଅନୁଚର୍ଯ୍ୟାର ନାନାବିଧ କର୍ମକରଣାର ଜାଲରେ ବାହାରକୁ ଦେଖିବାକୁ ସିନା ଛନ୍ଦିହୋଇ ରହିଥିବା ପରି ଦିଶୁଛନ୍ତି, ତାଙ୍କ ଭିତରେ ସେହି ଅସଲ ଶକ୍ତିମତ୍ତା ଏବଂ ଅସଲ ପ୍ରତୀକ୍ଷାର ସ୍ଫୂଲିଙ୍ଗମାନେ ତଥାପି ଜଳୁଛନ୍ତି । ଏକ ବୃହତ୍ ସ୍ଵପ୍ନ,-କେବେ ଏହି ଧରଣୀ ସକଳ ମନୁଷ୍ୟଙ୍କୁ ନ୍ୟାୟ ଦେଇପାରିବ, ମନୁଷ୍ୟୋଚିତ ସମ୍ମାନବୋଧ ପ୍ରଦାନ କରିବ । ପେଟର ଭୋକ ଦୂର ହୋଇ ଜୀବନର ପରବର୍ତ୍ତୀ ଅନ୍ୟ ଯାବତୀୟ ଭୋକ ନିମନ୍ତେ ମଧ୍ୟ ପଥ ଦେଖାଇଦେବ । ଏକ ଅନ୍ୟ ଉଦବେଳନ, ଏବଂ ତାହାରି ଫଳରେ ଏକ ଅନ୍ୟ ଭାରତବର୍ଷ ଓ ଅନ୍ୟ ପୃଥିବୀ । ଏବଂ, ସର୍ବୋପରି, ପୁରୁଣାମାନେ ନପାରିଲେ ମଧ୍ୟ ତଥାପି ନୂଆମାନେ ଆସିବେ, ନୂଆ ନୂଆ ବେଗର ସଞ୍ଚାର କରାଇବେ,-ରାତିଟା ପାହି ସକାଳ ହେବ । ଲୋକୋଦୟ କହିଲେ ବିଶ୍ଵନାଥ ପଟ୍ଟନାୟକଙ୍କର ଆତ୍ମାଟି ପ୍ରକୃତରେ ସେହିଭଳି କିଛି ବୁଝି ଆସିଛି କି ?

 

କୁଜେନ୍ଦ୍ରୀର ଭୂ-ସତ୍ୟାଗ୍ରହ ସଫଳ ହେଲା ନା ଉପରୁ ଅନ୍ୟ ତାଗିଦାଟାଏ ପାଇ କ୍ରମେ ଶୀତଳ ହୋଇଗଲା ? ସେତିକିବେଳେ ଭୂଦାନ ଆନ୍ଦୋଳନ ଆସି ପହଞ୍ଚିଗଲା ଏବଂ ଉତ୍ସାହଗୁଡ଼ିକ ଏକ ଅନୁକୂଳ ପବନର ଭରସା ପାଇବାପରି ସେଇଆଡ଼େ ବଙ୍କେଇ ଯାଇଥିଲେ । ଏବଂ, କୋରାପୁଟ ସତକୁ ସତ କମାଲ ହିଁ ଦେଖାଇଲା । ଭୂଦାନ ଗ୍ରାମଦାନରେ ପରିଣତ ହେଲା, ଗ୍ରାମଦାନ ସଂପୂର୍ଣ୍ଣ ଜିଲ୍ଲା ଦାନରେ । ଆଦିବାସୀ ଭୂଦାନର ସନ୍ଦେଶମାନଙ୍କୁ କେତେଦୂର କ’ଣ ବୁଝିଥିଲେ କେଜାଣି, ସେମାନେ ବିଶ୍ଵନାଥ ପଟ୍ଟନାୟକଙ୍କୁ ବୁଝିଥିଲେ । ଖୁବ୍‌ସମ୍ଭବ ତାହାହିଁ ଯଥେଷ୍ଟ ହେଲା । ଏ ପାହାଡ଼ର ନିଆଁ ସେ ପାହାଡ଼କୁ ଲାଗିଗଲା । ତା’ପରେ ବାହାରର ଉପକାରୀମାନେ ନବନିର୍ମାଣ ନାମକ ଆଉ ଫର୍ଦ୍ଦେ କାଗଜରେ ମାତିଗଲେ । ବିଶେଷଜ୍ଞମାନେ କୁଆଡ଼ୁ କୁଆଡ଼ୁ ଆସି ପହଞ୍ଚିଗଲେ ଏବଂ ଆପଣାର ମଥାଟା ଭିତରେ ରହିଥିବା ବିଚକ୍ଷଣତା ମାନଙ୍କୁ ଖଟାଇ ଏଠା ଆଟବିକ ମାନଙ୍କ ନିମନ୍ତେ ବହୁ ସୁଖସ୍ଵାଚ୍ଛନ୍ଦ୍ୟର ସଦନମାନ ସତେଅବା ଚାହୁଁ ଚାହୁଁ ଗଢ଼ି ଥୋଇଦେବେ ବୋଲି ଲାଗି ପଡ଼ିଲେ । ଅସଲ କଣାଟିଏ ସବୁଠାରେ ରହିଗଲା ଯେ, ଯାହାଲାଗି ବିଶାରଦମାନେ ଏତେ ଏତେ ତତ୍ପରତା ଦେଖାଇଲେ, ଏହି ଅଭିନବ ଉତ୍ସର୍ଗଟିରେ ତାକୁ ପ୍ରାୟ କୌଣସି ପ୍ରକାରେ ସଂପୃକ୍ତ କରା ଗଲାନାହିଁ । ଏହିପରି ଏକ ଅବଜ୍ଞାଭାବ ଅର୍ଥାତ୍ ଅସଦ୍‌ଭାବ ହିଁ ସେହି କ୍ଷେତ୍ରରେ ପ୍ରାୟ ସବୁକିଛିକୁ ପଣ୍ଡ କରି ଦେଇଥିଲା କି ? କେଡ଼େ କେଡ଼େ ବଦାନ୍ୟ ବ୍ୟକ୍ତି ସେହି କାମଟିରେ ଆସି ସାମିଲ ହୋଇଥିଲେ; କିନ୍ତୁ ପ୍ରଧାନତଃ ନିଜ ସୁଖ ଅର୍ଥାତ୍ ଆତ୍ମତୃପ୍ତି ପାଇଁ, ଅନ୍ୟ ଦୁସ୍ଥମାନଙ୍କ ଲାଗି ସେମାନେ ଯେ ଏସବୁ କରିବା ଲାଗି ଏଠାକୁ ଆସିଛନ୍ତି, ସେହିଭଳି କୌଣସି ଖାସ୍ ଆନନ୍ଦ ପାଇଁ । କିମ୍ବଦନ୍ତୀ ଅନୁସାରେ, ଏଭଳି ଜଣେ ଖାସ୍ ବ୍ୟକ୍ତିଙ୍କର କଥା ମଧ୍ୟ କୁହାଯାଏ, ଯିଏକି ନିଜ ରାଜ୍ୟରେ ଥିବା ନିଜର ବ୍ୟବସାୟରୁ ଯେଉଁ ପଇସା ରୋଜଗାର କରୁଥିଲେ, ତାହାରି ଏକ ଅଂଶକୁ ଏଠି କୋରାପୁଟରେ ରହି ନିଜର ତତ୍ତ୍ଵାବଧାନରେ ଗ୍ରାମଦାନ ଗାଆଁଗୁଡ଼ିକର କଲ୍ୟାଣ ନିମନ୍ତେ ବ୍ୟୟ କରୁଥିଲେ । ଏହି ଯେଉଁ ଉପକାରୀ ପଲଟଣଟି, ସେମାନେ ନିଜେ ସର୍ବୋଦୟରେ ବିଶ୍ଵାସ କରୁଥିଲେ ତ ! ଏବଂ, ଆହୁରି ଅଧିକ ଗମ୍ଭୀର କଥାଟିଏ ହେଉଛି, ସତକୁ ସତ ବ୍ୟକ୍ତିଗତ ମାଲିକାନାର ଲୋପ ହୋଇ ଜମିମାନ ସଂପୂର୍ଣ୍ଣ ସମୁଦାୟର ସମ୍ପତ୍ତି ହେଉ ବୋଲି ସେମାନେ ଇଚ୍ଛା କରୁଥିଲେ ତ ! ଭୂମିକୁ ଚଷୁଥିବା ଲୋକେ ହିଁ ଭୂମିର ମାଲିକ ହୋଇ ରହନ୍ତୁ ବୋଲି ଚାହୁଥିଲେ ତ ! ପ୍ରକୃତ ଘଟଣା ହେଉଛି, ଆପଣାର ସଂସାରଟିକୁ ସେଇ ପୁରାତନ ନିରାପତ୍ତା ମଧ୍ୟରେ ରଖି ସେମାନେ ଏଠାରେ ନୂଆ ସମାଜର ଗୋଟାଏ ରିଲଫ୍ ତିଆରି କରିବାକୁ ତେବ କାହିଁକି ଆସିଥିଲେ କେଜାଣି !

 

ସ୍ଥାନୀୟ ଅଧିବାସୀ ମାନଙ୍କର ଜୀବନର ଚେରଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସଂସ୍କାର–ପରିମଳ ଦ୍ଵାରା ପୁଷ୍ଟ ହୋଇ ଆସିଥିଲା । ଜୀବନନାମକ ସେମାନଙ୍କର ସେହି ଆୟତନଟି ସକଳ ଦାରିଦ୍ର୍ୟ ଓ ପ୍ରବଞ୍ଚନା ସତ୍ତ୍ୱେ ଏକ ଖାସ୍ ବିବେକଦ୍ଵାରା କାଳକାଳରୁ ପରିଚାଳିତ ହୋଇ ଆସୁଥିଲା । ତେଣୁ ସେମାନେ ମଧ୍ୟ ସାଙ୍ଗରେ ବସିଥାନ୍ତେ, ଆଗକୁ ଆଗକୁ ଯାବତୀୟ ନବବିଧାନରେ ସେହିମାନେ ଅକଲ ଦେଇଥାନ୍ତେ ଓ ବହିରାଗତ ବାବୁମାନେ ସେମାନଙ୍କୁ ସେମାନଙ୍କର ନିଜ ଧାରାରେ ହିଁ ଯାହାକିଛି ସହାୟତା ପ୍ରଦାନ କରିଥାନ୍ତେ । ବାବୁମାନେ ସଚରାଚର ସେପରି କରି ପାରନ୍ତିନାହିଁ । ସେମାନେ ଆୟତ୍ତ କରିଥିବା ଦୁଷ୍ଟ ବିଦ୍ୟାଟା ମଧ୍ୟ ସେହିଭଳି ଅସମର୍ଥ ହୋଇ ରହିବାରେ ସେମାନଙ୍କୁ ସର୍ବଦା ସହାୟତା କରେ । କୋରାପୁଟର ନିର୍ମାଣ-କାର୍ଯ୍ୟରେ ଗ୍ରାମଗୁଡ଼ିକର ସତ ଅଧିବାସୀମାନେ ସାଙ୍ଗରେ ବସିଥିଲେ ଗ୍ରାମର ଏକାଧିକ ହିତସାଧନରେ ତାହା ବହୁତ ସହାୟକ ହୋଇ ପାରିଥାନ୍ତା । ଗ୍ରାମରେ ପାରମ୍ପରିକ ଗ୍ରାମସଭାମାନ ଥିଲା ସତ, ମାତ୍ର ସେମାନଙ୍କୁ ପ୍ରଧାନତଃ ନିର୍ଦ୍ଦେଶ ହିଁ ଦିଆଗଲା । ନିଷ୍ପତ୍ତିମାନେ ତେଣୁ ବାବୁମାନଙ୍କ ତରଫରୁ ଆସୁଥିଲା । ତେଣୁ ସବୁକିଛି ସେହି ହାୱାରେ ହାୱାରେ ରହିଗଲା କି ? ଏବଂ, ସେହି ନାଟଟା ଉପର ଆଡ଼ୁ ଭାଙ୍ଗି ଆସିବା ସଙ୍ଗେ ସଙ୍ଗେ ଗାଆଁର ଉତ୍ସାହଟା ମଧ୍ୟ ଯୋଉଠି ସେଇଠି ରହିଗଲା । ସେହି ପୁରୁଣା ଯମମାନେ ବ୍ୟାପାରଟା ମଉଳି ଆସିବାର ଗନ୍ଧ ପାଇ ପୁଣି ଆସି ପହଞ୍ଚି ଯାଇଥିଲେ । ରେଭିନିଉ, ପୋଲିସ୍ ଓ ଜଙ୍ଗଲ ବିଭାଗର ସେହି ଜଙ୍ଗଲି ମିନିଦୂତମାନେ । ଶୋଷଣମୁକ୍ତ ହେବା, ନିଡ଼ର ହୋଇ ରହି ସରକାରୀ ଅନ୍ୟାୟପକ୍ଷଟା ଆଗରେ ଅଣ୍ଟା ଟାଣ କରି ଠିଆ ହୋଇ ପାରିବା,–ଯାବତୀୟ ଅନୁଗ୍ରହପ୍ରାପ୍ତିରୁ ମିଳି ଯାଉଥିବା ସେହି ତଥାକଥିତ ସମ୍ପନ୍ନତାଗୁଡ଼ିକର ତୁଳନାରେ ଆତ୍ମନିର୍ଭରଶୀଳତା ଓ ସ୍ଵାବଲମ୍ବନ ନିମନ୍ତେ ଯେ ସେଗୁଡ଼ିକ ଆଗ ଦରକାର, ବହିରାଗତ ବଦାନ୍ୟମାନେ ସେକଥାଟିକୁ କଦାପି କହି ପାରିନଥାନ୍ତେ ।

 

ତେଣେ ମୁକ୍ତିମଣ୍ଡପରେ ମଧ୍ୟ ସଙ୍କଟ ଉପୁଜିଲା । ଭୂଦାନ-ପକ୍ଷ ଏବଂ ନିର୍ମାଣ-ପକ୍ଷ ଆଉ ପରସ୍ପର ପାଖରେ ରାଜି ହୋଇ ପାରିଲେନାହିଁ । କିଛି ଆର୍ଥିକ ବୈଷମ୍ୟ ମଧ୍ୟ ଦୃଷ୍ଟିଗୋଚର ହେଲା । ସତେଅବା ନୀତି ମିଳିଲାନାହିଁ । ତେଣୁ ମନମାନେ ଚିଟା ବି ହୋଇ ଆସିଥିଲେ । ବାହାରର ନିର୍ମାଣବାଦୀ ନେତୃତ୍ଵଟି ରାଜ୍ୟ-ନେତୃତ୍ଵଟିର ଭୂଦାନବାଦୀ ମତଗୁଡ଼ାକୁ ଅଗ୍ରାଧିକାର ଦେଲାନାହିଁ । ତେଣୁ ବାହାରଟା ଆଗ ବିମୁଖ ହୋଇ ଯେଉଁଠାରୁ ଆସିଥିଲା, ସେଠାକୁ ବାହୁଡ଼ି ଯାଇଥିଲା । ନିର୍ମାଣପର୍ବରେ କୌଣସି ଗୋଟିଏ ଗାଆଁରେ ମଧ୍ୟ ସଂପୃକ୍ତ କାହାରି ମାୟା ହୁଏତ ଆଦୌ ଲାଗିନଥିଲା, ଯାହାଫଳରେ ତାହାରି ଆକର୍ଷଣରେ ସିଏ ସେହି ଗାଆଁଟିରେ ରହି କିଛି ନା କିଛି ଚାଲୁ ରଖିବା ନିମନ୍ତେ ଉଚିତ ମନେ କରି ପାରିଥାନ୍ତା । ସବୁଠାରୁ ଅଧିକ ବିଚିତ୍ର ଘଟଣାଟି ହେଉଛି ଯେ, ଏହି ସଂକ୍ରାନ୍ତରେ ସ୍ଵୟଂ ଗ୍ରାମବାସୀଟିଏ ବା ଗ୍ରାମବାସୀମାନେ କିପରି କ’ଣ ବିଚାର କରୁଛନ୍ତି, ଉପରର ଆପଣମାନେ ସେକଥା ଜାଣିବାଲାଗି କୌଣସି ପ୍ରୟୋଜନ ରହିଛି ବୋଲି ଅନୁଭବ ହିଁ କରିନଥିଲେ । ଏପକ୍ଷ ନୁହେଁ ଅଥବା ସେପକ୍ଷଟି କୌଣସିଟି ମଧ୍ୟ ନୁହେଁ । ପ୍ରମାଣ ହୋଇଗଲା ଯେ, ଯେଉଁମାନଙ୍କ ନିମନ୍ତେ ଏହି ବିପୁଳ ପ୍ରୟାସ ଇତ୍ୟାଦି କରା ଯାଉଥିଲା, ସେମାନଙ୍କ ଦ୍ଵାରା କିଛି ହେଉ ନଥିଲା । ଅର୍ଥାତ୍, ଏକ ଅବେଳ ପରି କିଛି ଆସି ପହଞ୍ଚିବା ମାତ୍ରକେ ଥାଟମାନେ ଚାଲିଗଲେ ଏବଂ ଯୋଉ ଗାଆଁକୁ ସେଇ ଗାଆଁମାନେ ରହିଗଲେ । ବାବୁମାନଙ୍କର ହାବଭାବ ଦେଖି ସ୍ଥାନୀୟ ସେହି ମନୁଷ୍ୟମାନଙ୍କୁ ଅବଶ୍ୟ କେମିତି କେମିତି ନିଶ୍ଚୟ ଲାଗିଥିବ । ଭୂମି ମାଗିବାର ପ୍ରକ୍ରିୟାଟାକୁ ଏକ ଭୂକ୍ରାନ୍ତିର ଝଲଝଲ ଔଜ୍ଜ୍ଵଲ୍ୟ ଦେଇ ପ୍ରଚାର କରୁଥିବା କର୍ମୀମାନଙ୍କର ମଧ୍ୟ ଅବଶ୍ୟ କିଛି ମୋହଭଙ୍ଗ ହୋଇଥିବ । ସନ୍ଥ ବିନୋବା ଦେଶର ଯେଉଁଆଡ଼େ ଯାଉଥାନ୍ତି, ବର୍ଷାଟା ସତେଅବା ସେଇଆଡ଼େ ହିଁ ବୁଲି ଯାଉଥିଲା । କୁଜେନ୍ଦ୍ରୀର ଭୂ-ସତ୍ୟାଗ୍ରହୀ ସମାଜଟି ଏପରି ଦେଖି କ’ଣ କିପରି ଭାବିଥିବ କେଜାଣି ! ସ୍ଵୟଂ ବିଶ୍ଵନାଥ ପଟ୍ଟନାୟକ ମଧ୍ୟ କ’ଣ ଭାବିଥିବେ ?

 

ତଥାପି କୁଜେନ୍ଦ୍ରୀ ସତ୍ୟାଗ୍ରହ ଏକ ଖାସ୍ ଘଟଣା ହୋଇ ରହିଗଲା । ସ୍ଵାଧୀନ ଭାରତବର୍ଷରେ ଖୁବ୍ ସମ୍ଭବ ଏହି ପ୍ରକାରର ଏକମାତ୍ର ଦୃଷ୍ଟାନ୍ତ ହୋଇ ରହିଲା । ଆଜ୍ଞା ଯେ ଜଙ୍ଗଲ ଭିତରକୁ ଏକଦା ଦୂର ଉପକୂଳ ଅଞ୍ଚଳରୁ ଯାଇଥିଲେ, ସିଏ ତଥାପି ସେମାନଙ୍କୁ ଛାଡ଼ି ଚାଲି ଗଲେନାହିଁ । ଚାଲ ଚିନ୍ତା କରି କହିବା ତ, କୁଜେନ୍ଦ୍ରୀର ସତ୍ୟାଗ୍ରହ ବିଫଳ ହୋଇଗଲା ବୋଲି ସେ ତଥାପି କ୍ଷଣକ ନିମନ୍ତେ ଭାବିଥିବେ କି ? ଏବେ ଏତେବର୍ଷ ପରେ ମଧ୍ୟ ସିଏ ପଛକୁ ଅନାଇ ସେହି ଉଦ୍‌ବେଳନଟିକୁ ମନେ ପକାଇ କୌଣସି ଖେଦର ବଶବର୍ତ୍ତୀ ହୋଇ ସିଏ ଆଦୌ ସେପରି ଅନୁଭବ କରୁଥିବେ କି ? କୁଜେନ୍ଦ୍ରୀରୁ କନ୍ଧମାଳ,-ଭୂ-ସତ୍ୟାଗ୍ରହରୁ ଏଠି ବାଲିଗୁଡ଼ାର ବନବାସୀ ସେବା ସମିତି,–ଆଜ୍ଞାଙ୍କୁ ତଥାପି କୌଣସି ପରାଜୟବୋଧ ଗ୍ରାସ କରିନାହିଁ । ଏଠି କୋଡ଼ିଏରୁ ଅଧିକ ସେବାକେନ୍ଦ୍ର-ସତେଅବା ସେହି ଗୋଟିଏ ସ୍ଵପ୍ନ ଅର୍ଥାତ୍ ବିଶ୍ଵାସକୁ ନେଇ: ଏଠି ମଧ୍ୟ ରାତି ପାହିବ,–ହୁଏତ ଏହି ସବାତଳୁ ହିଁ ଆଗ ରାତି ପାହିବ ଏବଂ ତେଣେ କୋଟି କୋଟି ମନୁଷ୍ୟଙ୍କୁ ଅନ୍ଧାର ମଧ୍ୟରେ ପକାଇ ରଖିଥିବା ବାବୁମାନଙ୍କୁ ଏଥର ଫରଚା ହୋଇ ଆସିଲାଣି ବୋଲି ଚେତାଇଦେବ । ତଥାପି ଯେତିକି ହୋଇଛି, ତା’ଠାରୁ ଅବଶ୍ୟ ଅଧିକ ହୋଇ ପାରିଥାନ୍ତା ଏବଂ ପାରୁଥାନ୍ତା ବୋଲି ଏକ ଅବଶୋଷ ପରି କିଛି ରହିଛି । ନାନା ଅକାରଣରୁ ତାହା ହୋଇ ପାରିନାହିଁ-। ତେଣୁ, ବାହାରଟାକୁ ଦୋଷ ନଦେଇ ସିଏ ତଥାପି ଆପଣାର ଏକ ଅନ୍ତରଙ୍ଗ ମେଳକୁ ସାଙ୍ଗରେ ନେଇ ଚାଲିଛନ୍ତି । ଏକ ଅବସରରେ ସେ ଏହିପରି ମନ୍ତବ୍ୟଟିଏ ପ୍ରକାଶ କରି କହିଛନ୍ତି :

 

“ଯେଉଁ ଶ୍ରେଣୀ ପାଇଁ ଆମେ କାମ କଲୁ, ସେହି ଶ୍ରେଣୀ ମଧ୍ୟରୁ କେତେକ ଆଗୁଆ ଚିନ୍ତାଧାରାର ଲୋକ ସାମନା ଧାଡ଼ିକୁ ଆଣିବା ଆମର ଲକ୍ଷ୍ୟ ରହିଲା । ଆମେ ପ୍ରଥମେ ଭାବୁଥିଲୁ ଏହି ଆଗୁଆ ଲୋକେ ନିଜେ ଶୋଷଣର ଚାପାରେ କଷ୍ଟ ପାଉଥିବାରୁ ଲଢ଼େଇବେଳେ ନିଷ୍ଠାର ସହ କାମ କରିବେ । କିନ୍ତୁ ସେ ଧାରଣା ଠିକ୍ ବୋଲି ପ୍ରମାଣିତ ହେଲାନାହିଁ । ଦଳିତ ଶ୍ରେଣୀ ମଧ୍ୟରୁ ଯେଉଁମାନଙ୍କୁ ଶିକ୍ଷାର ସୁଯୋଗ ମିଳିଲା, ଚାକିରିର ସୁଯୋଗ ମିଳିଲା, ସେମାନେ ନିଜ ଶ୍ରେଣୀରୁ ଅଲଗା ହୋଇଯିବାକୁ ଇଚ୍ଛା କଲେ । ସେମାନେ ନିଜ ଶ୍ରେଣୀର ଲୋକଙ୍କଠାରୁ ଅଧିକ, ଏହା ପ୍ରମାଣ କରିବାକୁ ବ୍ୟାକୁଳ । ଅନେକ ସମୟରେ ଦଳିତ ଲୋକ ଠକାମିରେ ପଡ଼ିଲେ କିମ୍ବା ହଇରାଣରେ ପଡ଼ିଲେ ଏହି ଆଗୁଆଲୋକେ ପ୍ରତିବାଦ କରୁନାହାନ୍ତି । ବୋଧହୁଏ ସେମାନେ ଭାବନ୍ତି ଆମ ପ୍ରତିବାଦକୁ କେହି ନଜର ଦେବେନାହିଁ ଅବା ପ୍ରତିବାଦ କଲେ ଆମେ ତଥାକଥିତ ସଭ୍ୟ ସମାଜରୁ ଅଲଗା ହୋଇଯିବୁ ।” ଆଜ୍ଞା, ସତ କରି କହିଲେ, ଦଳିତ ମଣିଷମାନେ ଆପଣାର ସେହି ସବାଆଗ ମନୁଷ୍ୟ-ପରିଚୟରେ ସଚେତନ ହୁଅନ୍ତୁ ବୋଲି ଆମ ଶିଷ୍ଟ ମହଲର ତଥାକଥିତ ଶୁଭଚିନ୍ତକମାନେ ଇଚ୍ଛା କରୁଛନ୍ତି କି ! କେଡ଼େ ଭାବପ୍ରବଣତା ସହିତ ତିଆରି ଆଶ୍ରମ ଏବଂ ସେବାଶ୍ରମ ଇସ୍କୁଲ ମାନଙ୍କରେ କେତେଜଣ ଶିକ୍ଷକ ଅଛନ୍ତି, ଯେଉଁମାନେ ଆଦିବାସୀ ସମାଜରୁ ଆସିଛନ୍ତି ! କେତେ ଶିକ୍ଷକ ସେହି ଅନୁଷ୍ଠାନରେ ଆବାସିକ ଭାବେ ରହିଥିବା ପିଲାଙ୍କ ନିଜ ଭାଷାରେ କଥା ହୋଇ ପାରୁଛନ୍ତି ! ସେମାନଙ୍କୁ ତ କେତେ ପ୍ରକାର ଅଙ୍କାବଙ୍କା ଆଳରେ ପ୍ରାୟ ଶିକ୍ଷାଦାତା ମାନଙ୍କର ପ୍ରୀତ୍ୟର୍ଥେ ସେବାରେ ନିୟୋଜିତ କରି ରଖାଯାଇଛି । ଆଦିବାସୀ ମଡ଼େଲ ସ୍କୁଲ ନାମରେ ଖାସ୍ ପ୍ରତିଭାସମ୍ପନ୍ନ ବୋଲି ପରୀକ୍ଷା କରି ଯେଉଁମାନଙ୍କୁ ଛାଣି ନିଆଯାଉଛି, କି ଆଣ୍ଟ ସହିତ ସେମାନଙ୍କୁ ଇଂରାଜୀ ଭାଷାର ମାଧ୍ୟମରେ ବହୁବିଧ ଅଶିକ୍ଷାରେ ଗଦ ହିଁ କରାଯାଉଛି । ଗୋଟିଏ ଗୋଟିଏ ଦୟାଳୁ ପ୍ରତିଷ୍ଠାନ ତ ଏପରି ରହିଛନ୍ତି, ଯେଉଁଠାରେ ସେମାନଙ୍କୁ ସଂପୂର୍ଣ୍ଣ ନିଃଶୁଳ୍କ ବହୁ ପ୍ରଲୋଭନ ମଧ୍ୟରେ ନେଇ ପକାଇ ଦିଆ ଯାଉଛି । ଯିଏ ସଚେତନ ହେବ, କେବଳ ସେଇ ପ୍ରତିବାଦ କରିପାରିବ । କେବଳ ଜଣେ ଜଣେ ଆଦିବାସୀ ହିସାବରେ ନୁହେଁ, ଜଣେ ଜଣେ ଆଲୋକ-ବିଶ୍ଵାସୀ ମନୁଷ୍ୟରୂପେ । ଏଠି ସହରରେ ହିଁ ବିକ୍ଷୋଭ ପ୍ରଦର୍ଶନ କରି ନୁହେଁ, ସେହି ଅରଣ୍ୟ ମଧ୍ୟରୁ ପ୍ରତିବାଦ କରି ।

 

ଏସବୁ ସମ୍ଭବତଃ ଖୁବ୍ ଦେଖି ପାରୁଛନ୍ତି ବୋଲି ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଆଉଠାଏ ମଧ୍ୟ କହିଛନ୍ତି : “ଏ ସବୁରେ ବିଚିତ୍ରତା କିଛି ନାହିଁ । ଇଂରାଜୀ ଭାଷା ଓ ପାଶ୍ଚାତ୍ୟ ସଂସ୍କୃତିର ମୋହ ଯଦି ସମସ୍ତଙ୍କୁ ଘାରୁଛି, ସେମାନଙ୍କୁ (ଆଦିବାସୀମାନଙ୍କୁ) ଘାରିଲେ କ୍ଷତି କ’ଣ ? କୌଣସି ରୁଦ୍ଧଦ୍ଵାର ଶିକ୍ଷାରେ ମୁଁ ବିଶ୍ଵାସ କରେନାହିଁ । ଆମ ଦେଶର ସବୁଠାରୁ ତଳେ ଥିବା ଲୋକ ଜାଣୁ ଭାରତୀୟ ସଂସ୍କୃତିରେ କି ମହତ୍ତ୍ଵ ଓ କୁସଂସ୍କାର ରହିଛି । ପାଶ୍ଚାତ୍ୟ ସଂସ୍କୃତିରେ କି ପ୍ରକାର ବୈଜ୍ଞାନିକ ଦୃଷ୍ଟିକୋଣ ଓ ବସ୍ତୁବାଦୀ ଚିନ୍ତାଧାରା ରହିଛି । ଏ ଦୁଇଟି ଜିନିଷ ଜାଣିଲା ପରେ ସେ ହୁଏତ ବିଜ୍ଞାନସମ୍ମତ ମାନବବାଦ ଗ୍ରହଣ କରିବ । ସତ୍ୟ କ’ଣ ମିଥ୍ୟା କ’ଣ ଏହା ନିଜେ ଅନୁଭବ କରିବାର ଅଧିକାର କ’ଣ ଆଦିବାସୀର ନାହିଁ ? ସେ ପଚାରୁଛି, ଆମ ପାଇଁ ଏ ଭୋଗସାମଗ୍ରୀ ଗୁଡ଼ାକ ମନା କାହିଁକି ? ବେସିକ୍ ଶିକ୍ଷା ଯଦି ପ୍ରଚଳନ ହୁଏ, ତେବେ ସବୁ ସ୍ତରରେ ଏହା କାର୍ଯ୍ୟକାରୀ ହେଉ । କେବଳ ଆଦିବାସୀ ପିଲାଏ ଧନ୍ଦାମୂଳକ ଶିକ୍ଷା ନପାଆନ୍ତୁ । ସ୍ଵାଧୀନତା ପରେ ଯେଉଁ ଶିକ୍ଷା ପଦ୍ଧତିର ପରିକଳ୍ପନା ଓ ସୀମିତ ପ୍ରୟୋଗ ହୋଇଥିଲା, ତାହା ଯଦି ସମଗ୍ର ଦେଶରେ ପ୍ରଚଳନ ହୋଇଥାନ୍ତା, ଆଜିର ବେକାର ସଂଖ୍ୟା ପାଇଁ ସରକାର ଯେଉଁ ବ୍ୟସ୍ତ ହେଉଛନ୍ତି, ତାହା ହେବାକୁ ପଡ଼ିନଥାନ୍ତା । ଲୋକେ ଧନ୍ଦାମୂଳକ ଶିକ୍ଷାଦ୍ଵାରା ନିଜର ଗୁଜରାଣ ମେଣ୍ଟାଇଥା’ନ୍ତେ । ତେଣୁ, ବର୍ତ୍ତମାନ ଆଦିବାସୀ ହରିଜନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟରେ ଯେଉଁପ୍ରକାର ଆଧୁନିକ ଶିକ୍ଷା ଦିଆଯାଉଛି, ତାହାକୁ ବିରୋଧ କରିବା ଉଚିତ ନୁହେଁ । ଯଦି ବିରୋଧ ହେବ, ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାର ସଂସ୍କାର ପାଇଁ ଚେଷ୍ଟା କରାଯାଉ ।”

 

ଏହି ଉକ୍ତିଟିର ପ୍ରକୃତରେ ପଟାନ୍ତର ନାହିଁ । ଆମ ଜାଣିବାରେ ରାଜ୍ୟର ତଥା ସମ୍ଭବତଃ ଏହି ଦେଶର କୌଣସି ସେବା-ଅନୁଷ୍ଠାନ ଏପରି ମନ୍ତବ୍ୟଟିଏ କେବେହେଲେ ଦେଇନଥିବ । ଦେବାଲାଗି ସାହସ କରିନଥିବ । ଦେଶର ପ୍ରାୟ ସବୁ ଅନୁଷ୍ଠାନ ତ ନିଜର ଢୋକ ପାଇଁ ସରକାରୀ ଅନୁଦାନ ଉପରେ ନିର୍ଭର କରୁଛନ୍ତି । ତେଣୁ, ଦାତାକୁ ନସୁହାଇଲା ପରି ମତ ବ୍ୟକ୍ତ କରିବା ନିମନ୍ତେ ବ୍ୟାବହାରିକ କିଛି ବି ହେତୁ ରହିଥିବା କୌଣସି ସେବାରତ ସଂସ୍ଥା ସେହିପରି ଭାବୁଥିଲେ ମଧ୍ୟ ମୁହଁ ଫିଟାଇ କିଛି କହିବା ସକାଶେ ସାହସ କରିବନାହିଁ । କିନ୍ତୁ, ଅନ୍ୟପକ୍ଷରେ, ସରକାରୀ ଯେକୌଣସି ଆଶ୍ରମ ବିଦ୍ୟାଳୟରେ ପ୍ରତ୍ୟେକ ବାଳକବାଳିକା ନିଶ୍ଚୟ ଠିକ୍ ସେହିପରି ହିଁ ଭାବୁଥିବେ । ପ୍ରତ୍ୟେକ ଆଦିବାସୀ ବାପାମାଆ ମଧ୍ୟ ସେହିକଥା ଭାବୁଥିବେ । ବହୁ ସଂଶୟରେ କୁହୁଳି ଉଠୁଥିବେ ସିନା, ତୁଣ୍ଡ ଫିଟାଇ କିଛି କହି ପାରୁନଥିବେ । ଏକ ସ୍ଵାଭାବିକ ଆତ୍ମଦହନ ଭିତରେ ସତେଅବା ସନ୍ତାପିତ ହେବାରେ ଲାଗିଥିବେ । ହଁ, କ’ଣ ପାଇଁ ଏହି ରୁଦ୍ଧଦ୍ୱାର ଶିକ୍ଷା, ଏତିକି ଟିକିଏ ସାଧୁତାର ଯୋଗ୍ୟ ହୋଇଥିଲେ ଆମେ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କ ସହିତ ସମସ୍ଵର ହୋଇ ନିଶ୍ଚୟ ସେହି ପ୍ରଶ୍ନଟିକୁ ପଚାରି ପାରିବା ଏବଂ, ନିଜ ଗୋଡ଼ତଳେ ଦେଶନାମକ ସେହି ମାଟିଟିକୁ ସତକୁ ସତ ଅନୁଭବ କରୁଥିଲେ, ପ୍ରଶ୍ନଟିର ନେକ ଉତ୍ତର ଦାବି କରିବା, ଅର୍ଥାତ୍ ପ୍ରତିବାଦ କରିପାରିବା ।

 

ମୋ’ ଘରର ଝରକାମାନେ ଏହି ପୃଥିବୀର ସବୁ ପବନମାନଙ୍କ ଆଡ଼କୁ ଖୋଲା ହୋଇ ଅବଶ୍ୟ ରହିବେ, ମାତ୍ର ଏଣେ ମୋ’ ଗୋଡ଼ଗୁଡ଼ିକ ମଧ୍ୟ ମୋ’ ନିଜ ଘରର ମାଟିଟିରେ ହିଁ ଟାଣ ହୋଇ ରହିଥିବ,-ମହାତ୍ମା ଗାନ୍ଧୀ ଏକଦା ଏହିପରି କଥାଟିଏ କହିଥିଲେ । ରୁଦ୍ଧଦ୍ଵାର ଶିକ୍ଷା ଆମର ଏଠାରେ ଅବିବେକୀ ମାନଙ୍କର ଏକ ଖାସ୍ କୃପାରୁ ଆମ ନଜରଘରର ଝରକାମାନଙ୍କୁ ବନ୍ଦ କରି ରଖିଛି ଏବଂ ଯୁଗପତ୍ ଭାବରେ ଆମର ଗୋଡ଼ମାନେ ଯେପରି ପୂର୍ଣ୍ଣ ପ୍ରତ୍ୟୟ ସହିତ ମୂଳଭୂତ ପରିଚିତ ଗୁଡ଼ିକର ମାଟିଟି ଉପରେ ମୋଟେ ରହି ନପାରିବେ, ସେଥିଲାଗି ଏକ ଷଡ଼ଯନ୍ତ୍ର ମଧ୍ୟ ଖୁବ୍ ହେଉଛି । ନାଇଁ, ନାଇଁ,–ବିଶ୍ଵନାଥ ପଟ୍ଟନାୟକ କହୁଛନ୍ତି, ଆଧୁନିକ ଏହି ବହୁବିଧ ହାୱାରୁ ଆମେ ଆଦିବାସୀ ଏବଂ ହରିଜନ ପିଲାମାନଙ୍କୁ କଦାପି ଦୂରବର୍ତ୍ତୀ କରି କିଳି ରଖିବାନହିଁ । ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କର ବିଚାରରେ ଆଦିବାସୀ ପିଲାମାନେ ପାଶ୍ଚାତ୍ୟ ଜଗତର ବୈଜ୍ଞାନିକ ଦୃଷ୍ଟିକୋଣ ତଥା ବସ୍ତୁବାଦୀ ଚିନ୍ତାଧାରାର ମର୍ମଗୁଡ଼ିକୁ ବୁଝିବେ । ଏବଂ ତେବେଯାଇ ସେହି ବିଜ୍ଞାନସମ୍ମତ ମାନବବାଦର ବିଶ୍ଵମୟ ବୃହଦାକାଂକ୍ଷାଟିକୁ ମଧ୍ୟ ହୃଦୟଙ୍ଗମ କରିବେ ଏବଂ ସେହି ଅନୁସାରେ ଏହି ପୃଥିବୀ ନାମକ ବୃହତ୍ତର ବିଦ୍ୟାଳୟଟି ନିମନ୍ତେ ଆପଣାକୁ ସୁଗଠିତ କରି ନେଇପାରିବେ । ତେବେଯାଇ ତ ସେମାନେ ଏହି ଅସୁସ୍ଥ ପୃଥିବୀଟାର ନ୍ୟସ୍ତସ୍ଵାର୍ଥ ଥୋକେ ଉଗ୍ରମନ୍ୟଙ୍କର ବିତ୍ପାତ ଦ୍ଵାରା ବାଧ୍ୟ ହୋଇ ଆପେ ହୀନମନ୍ୟ ହୋଇ ରହିବାର ଏହି ହୀନଦଶାଟାରୁ ନିଜକୁ ବଞ୍ଚାଇ ରଖି ପାରିବେ । ସତ ମଣିଷ ହେବେ । ସେହି ତାଙ୍କରି ଭାଷାରେ, ସତ୍ୟ କ’ଣ ମିଥ୍ୟା କ’ଣ ଏହା ନିଜେ ଅନୁଭବ କରିବାର ଅଧିକାର ସବୁ ମଣିଷଙ୍କ ପରି ଜଣେ ଆଦିବାସୀର ମଧ୍ୟ ଅବଶ୍ୟ ରହିଛି । ଇଉରୋପରେ ମୂଳତଃ ସେହି ଅଧିକାରବୋଧରୁ ହିଁ ଆଧୁନିକ ଲୋକତନ୍ତ୍ର ଜନ୍ମଗ୍ରହଣ କରିଛି । ପୁରୁଣା ଧର୍ମଗୁଳାମାନେ ଧିସା ବଦଳାଇଛନ୍ତି । ରଜାମାନେ ଯାଇଛନ୍ତି, ଯାବତୀୟ ଅବସରବାଦର ଫିସାଦମାନେ ଧରା ପଡ଼ିଛନ୍ତି ଓ ସବୁ ମଣିଷ ମଥା ଉଚ୍ଚ କରି ଏହି ପୃଥିବୀରେ ବାଟ ଚାଲିବାକୁ ସାହସୀ ବି ହୋଇଛନ୍ତି ।

 

ପୁନଶ୍ଚ, ସେଇ ବିଶ୍ଵନାଥ ଆଜ୍ଞାଙ୍କର ବିଚାରରେ, ଆମ ପିଲାମାନେ ନିଜର ଏହି ଭାରତୀୟ ସଂସ୍କୃତିର ଗୃହପରିମଳଟିକୁ ମଧ୍ୟ ଜଣାଇବେ । ଭାରତୀୟ ସଂସ୍କୃତିରେ କି ମହତ୍ତ୍ଵ ଓ କି କୁସଂସ୍କାର ରହିଛି, ସେଗୁଡ଼ିକ ବିଷୟରେ ପୂର୍ଣ୍ଣ ଅବଗତ ହେବେ । ପୃଥିବୀର ଏହି ପୂରା ହାଟଟାରେ ଆମର ଭାରତୀୟ ସଂସ୍କୃତିଟା ଯେ ସକଳ ତଉଲରେ ସର୍ବଶ୍ରେଷ୍ଠ, ଏପରି କହି ମସ୍ତି କରୁଥିବା ଏକଜିଦିଆମାନେ ଏପରି ଏକ ଉକ୍ତିରେ ହୁଏତ ଫଟ୍ କରି କ୍ରୋଧାନ୍ଵିତ ହୋଇ ଉଠିବେ । ଆମେ ଭାରତରେ ଜନ୍ମଲାଭ କରିଛୁ ଏବଂ ତେଣୁ ଭାରତୀୟ ସଂସ୍କୃତି ହେଉଛି ଆମ ସଂସ୍କୃତି; ସେଇଟି ଯେହେତୁ ଆମ ସଂସ୍କୃତି, ତେଣୁ ତାହା ପୃଥିବୀର ସର୍ବଶ୍ରେଷ୍ଠ ସଂସ୍କୃତି ,–ଏତିକି ବ୍ୟତୀତ ସେହି ଖାସ୍‌ମାନଙ୍କଠାରେ ଆଉ ଅନ୍ୟ କୌଣସି ଯୁକ୍ତି ନଥାଏ ବୋଲି ଆମ ପ୍ରବଳମାନେ ଏପରି ଉଗ୍ର ହୋଇଥାନ୍ତି କି ? ତେବେ, ଜାତିଭେଦରେ ବିଶ୍ଵାସ କରୁଥାନ୍ତି, ନାନା ଲଜ୍ଜାକର ଅସମାନତା ଦ୍ଵାରା ଆପେ ଲାଭବାନ୍ ମଧ୍ୟ ହୁଅନ୍ତି, ଏବଂ ସବୁଠାରେ ସବୁ ସୁଯୋଗ ତଥା ସବୁଯାକ ସୁଖର ସିଂହଭାଗ ଗୁଡ଼ିକ ଝାମ୍ପି ନେଉଥାନ୍ତି । କୋଟି କୋଟି ବଞ୍ଚିତମାନଙ୍କ ପ୍ରତି ପ୍ରତି ଦୟା ଦେଖାଇ କୃତକୃତ୍ୟ ହୁଅନ୍ତି-। ଶ୍ରୀ ବିଶ୍ଵନାଥ ପଟ୍ଟନାୟକ କହିବେ ଯେ, ଆମେ ଆମ କୁସଂସ୍କାରଗୁଡ଼ିକୁ ଅବଶ୍ୟ ଜାଣିବା-। ନହେଲେ ଆମ ସାମୂହିକ ଜୀବନର ଏହି ପାରମ୍ପରିକ ପୋଖରୀମାନଙ୍କର ଆଉ କିପରି ଭାବରେ କୌଣସି ପଙ୍କୋଦ୍ଧାର ସମ୍ଭବ ହୋଇ ପାରିବ ? ଜଣେ ଜଣେ ଭାରତୀୟ ହିସାବରେ ଭାରତୀୟ ପଙ୍କୋଦ୍ଧାର ସମ୍ଭବ ହୋଇ ପାରିବ ? ଜଣେ ଜଣେ ଭାରତୀୟ ହିସାବରେ ଭାରତୀୟ ସଂସ୍କୃତିକୁ ଜଣାଇଲେ ଏବଂ ସେଇଟି ଦ୍ଵାରା ସତକୁ ସତ ଉଦ୍‌ବୁଦ୍ଧ ହେଲେ କୁସଂସ୍କାର ଗୁଡ଼ିକ ତ ବସ୍ତୁତଃ ଆପେ ଆପେହିଁ ସାମନାକୁ ଆସିଯିବେ । ସେହିପରି, କୁସଂସ୍କାରଗୁଡ଼ିକୁ କୁସଂସ୍କାର ବୋଲି ଅନୁଭବ କଲେ ଯାଇ ସିନା ଆମେ ଆମ ସଂସ୍କୃତିର ଖାସ୍ ମହତ୍ତ୍ଵଗୁଡ଼ିକୁ ମହତ୍ତ୍ଵରୂପେ ଚିହ୍ନି ନେଇ ପାରିବା-!

 

ନୃତତ୍ତ୍ଵବିଜ୍ଞାନୀମାନେ କହିଥାନ୍ତି ଯେ, ‘ଆମେ ଯେତିକି ଯେତିକି ଏକ ସମଗ୍ର ଶ୍ରଦ୍ଧା ଦେଇ ବାହାରର କୌଣସି ଏକ ସଂସ୍କୃତିକୁ ଜାଣିବା, ନିଜର ସଂସ୍କୃତିକୁ ମଧ୍ୟ ଅଧିକ ସୁସ୍ଥ ଅର୍ଥାତ୍ ମୋହମୁକ୍ତ ଭାବରେ ଜାଣିବା ସକାଶେ ତାହା ଆମକୁ ସେତିକି ଅଧିକ ପରିମାଣରେ ନିର୍ମଳ ଆଖିଗୁଡ଼ିକୁ ଆଣି ଯୋଗାଇଦେବ । ପାଶ୍ଚାତ୍ୟ ସଂସ୍କୃତିକୁ ଜାଣିବାର କ୍ଷେତ୍ରରେ ଆମର ନାନାବିଧ କୁଣ୍ଠା ଏବଂ କୃପଣତା ରହିଆସିଛି ବୋଲି ଆମେ ନିଜ ସଂସ୍କୃତିର ସବାଆଗର ନିର୍ଭରଗୁଡ଼ିକୁ ନେଇ ବଞ୍ଚିବାର କ୍ଷେତ୍ରରେ ନାନାବିଧ ଆବୁରୁକାବୁରୁ ଭିତରେ ପଡ଼ି କଲବଲ ହେବାରେ ଲାଗିଛୁ କି ? ଭାରତୀୟ ସଂସ୍କୃତି ବିଷୟରେ ଏହି ଗତ ପ୍ରାୟ ଦେଢ଼ଶହ ବର୍ଷର ଯେଉଁ ଜାଗରୂକତା, ସେଇଟି ମଧ୍ୟ ପ୍ରାୟ ସକଳ ବାସ୍ତବତାରେ ପାଶ୍ଚାତ୍ୟ ସଂସ୍କୃତିର ସମ୍ପର୍କରେ ଆସି ହିଁ ଏଠାରେ ଆମର ତତ୍‌କାଳୀନ ଅଗ୍ରବରିଷ୍ଠ ମାନଙ୍କୁ ଏକ ଅଭୂତପୂର୍ବ ଆତ୍ମଆବିଷ୍କାରର ଉଦ୍‌ବୋଧନ ଆଣି ଯୋଗାଇ ଦେଇଥିଲା । ତଥାପି ସଂସ୍ରବଟି ମଧ୍ୟରେ ପରବର୍ତ୍ତୀ ବର୍ଷଗୁଡ଼ିକ ମଧ୍ୟରେ ଖୁବ୍ କିଛି ଅପାରଗତା ଆସି ପ୍ରବେଶ କଲା, ଯାହାଦ୍ୱାରା ଆମ ଦେଶର ସମ୍ଭ୍ରାନ୍ତମାନେ ବାଉଳା ହୋଇଗଲେ, ବାହ୍ୟଗୁଡ଼ାକରେ ଆଗ ଭଳିଗଲେ ଏବଂ ସ୍ଵାଧୀନ ଭାରତରେ ପ୍ରାୟ ସକଳ ନିଷ୍ପତ୍ତିଗ୍ରହଣରେ ଅସଲ ସ୍ଥଳଗୁଡ଼ିକରେ ରହି ଯୁଗଟିକୁ ହୁଡ଼ାଇନେଲେ ଏବଂ କାଳତାକୁ ବାଉଳା କରିନେଲେ । ସେଇଥିପାଇଁ ପାଶ୍ଚାତ୍ୟ ନାମରେ ପ୍ରଧାନତଃ ଖାଦଗୁଡ଼ାକର ହିଁ ପ୍ରଚାର ହେଲା ଏବଂ ଏସବୁରେ ମଙ୍ଗଗୁଡ଼ିକରେ ବସି ନାଆଟିକୁ ଚଳାଉଥିବା ସେହି ବୀରମାନେ ହିଁ ନିଜକୁ ପ୍ରାୟ ସେହି ଭୂମିକାରେ ଟାଣ କରି ରଖିବାରେ ଲାଗିଗଲେ । ସ୍ଵାଧୀନତା ପୂର୍ବରୁ ଇଂରେଜୀ ଶାସକମାନେ ଏଠି ଯେଉଁ ଭୂମିକାରେ ରହି ଆମକୁ ଶାସନ କରୁଥିଲେ, ସେହି ଶନିଶାସନଟା ଇହାଦେ ମଧ୍ୟ ଚାଲିଛି । କେବଳ ଶାସନରେ ଦୁହେଁ, ଶିକ୍ଷାରେ ମଧ୍ୟ । ଏକସିଙ୍ଗିଆ ଉଚ୍ଚମାନ ଆମର ଭାରତୀୟ ସଂସ୍କୃତି କହି ବାହୁସ୍ପୋଟ ମାରୁଛନ୍ତି, ଅଥଚ, ଭାରତୀୟ ସଂସ୍କୃତିରେ ନାହାନ୍ତି । ବାସ୍ତବ ଅର୍ଥରେ ସେମାନେ କୌଣସି ସଂସ୍କୃତିରେ ନାହାନ୍ତି ।

 

ପ୍ରାୟ ସିଧା ତାହାରି ଫଳରେ ଭାରତବର୍ଷ ଭିତରେ ମଧ୍ୟ ନୀଚ ଉଚ୍ଚ ନାନା ଭାବନା ଓ ବାଛବିଚାର । ସେହି ବାଛବିଚାରକୁ ସବାମଝିରେ ରଖି ହିଁ ଏଠାରେ ନାନା କୁସଂସ୍କାରକୁ ପ୍ରଶ୍ରୟ ଦିଆଯାଉଛି । ଏବଂ ସେଇଥିପାଇଁ ସମ୍ପନ୍ନ ଓ ଅସମ୍ପନ୍ନ ବିଚାରରେ ସେମାନଙ୍କ ନିମନ୍ତେ ଅଲଗା ଅଲଗା ପ୍ରକାରର ଶିକ୍ଷା । ବିଜ୍ଞାନକୌଶଳ ଅନ୍ୟାୟତଃ ଥିଲାବାଲାଙ୍କ ପାଇଁ, କାରଣ ସେମାନେ ସଲାମୀମାନ ଦେଇ ପାରୁଛନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣ କୋଉଠିହେଲେ ନାହିଁ । ଏହିପରି ଏକ ଅସୁସ୍ଥ ହାଉଆ ଭିତରେ ହନ୍ତସନ୍ତ ଏବଂ ଅନ୍ୟମନସ୍କ ହୋଇ ଆଦିବାସୀ ପିଲାଟାଏ ମଧ୍ୟ ବଜାରର ବାବୁମାନଙ୍କ ପରି ହେବାକୁ ବା ଅନ୍ତତଃ ଦିଶିବାକୁ ମନ କରିବା-ସେହି କଥାଟିକୁ ଖୁବ୍ ବୁଝି ହେଉଛି-। ବିଶ୍ଵନାଥ ପଟ୍ଟନାୟକ ମଧ୍ୟ ସେହି କଥାଟିକୁ ବୁଝି ପାରୁଛନ୍ତି । ତେଣୁ ସବୁ ବ୍ୟର୍ଥ ହୋଇଗଲା ବୋଲି ଆଦୌ ରୋଦନ କରୁନାହାନ୍ତି । ସକଳ ଦୁର୍ଲକ୍ଷଣ ସତ୍ତ୍ୱେ ତଥାପି ନିରାଶ ନହେବା ଅର୍ଥାତ୍ ଆଶା ରଖିଥିବାର ଏହି ଯେଉଁ ଅନ୍ୟ ଶିକ୍ଷାଟି, ସେହି ଆଦିବାସୀଙ୍କ ପକ୍ଷରୁ ହିଁ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ସେଇଟିକୁ ନିଶ୍ଚୟ ପାଇଥିବେ । ଆଦିବାସୀ ତଥାପି ବଞ୍ଚି ରହିଛି; ପ୍ରତିବର୍ଷ ହିଁ ଅନାହାରରେ ଏବଂ ରୋଗରେ ନିର୍ଯାତିତ ହେଉଛି, ବାବୁମାନେ ତା’ ଜମିକୁ ଭଣ୍ଡାଇ ନେଇଛନ୍ତି, ସରକାରମାନେ କାଳ ହୋଇ ରହିଛନ୍ତି-ତଥାପି ଆଦିବାସୀ ଲୁପ୍ତ ହୋଇ ଯାଇନାହିଁ । ଆଜ୍ଞା ଏକଦା ଆମ ଏପଟୁ ତେଣେ ଯାଇଥିଲେ ସେମାନଙ୍କର ସେବା କରିବାକୁ । ଖାସ୍ ଖାସ୍ ସେବା କାର୍ଯ୍ୟର ବରାଦ ନେଇ । କର୍ତ୍ତାମାନଙ୍କର ଏପଟ ବରାଦଟି ଅନୁସାରେ ସେମାନଙ୍କୁ ଶିକ୍ଷା ଦେବାକୁ, ଆମ ମାର୍ଗରେ ସେମାନଙ୍କର ଉଦ୍ଧାର କରିବାକୁ । କର୍ମୀ ବିଶ୍ଵନାଥ ପଟ୍ଟନାୟକ ସେହି ସେବାକାର୍ଯ୍ୟରେ କେବେହେଲେ କୌଣସି ଶିଥିଳତା ଦେଖାଇ ନାହାନ୍ତି । କପାଚାଷ ଓ ଖଦୀକାମ କରିଛନ୍ତି । ଦାଣ୍ଡରୁ ଘୁଷୁରିଘୁଅ ସଫା କରିଛନ୍ତି । ମାତ୍ର, ଶିଖାଇ ନାହାନ୍ତି ଯେତେ, ତା’ଠାରୁ ନିଶ୍ଚୟ ଅଧିକ ଶିଖିଛନ୍ତି-। ସତେଯେପରି କିଛି ଅନ୍ୟ ବାଗିର୍ ହୋଇ ଯାଇଛନ୍ତି । ଏବଂ, କିଏ ଏକଥା ଅସ୍ଵୀକାର ବି କରିପାରିବ ଯେ ସେହି କାରଣରୁ ହିଁ ସିଏ ଏହି ସଂସ୍କୃତିକୁ ପ୍ରାୟ ବିଡ଼ମ୍ବିତ କରି ରଖିଥିବା କୁସଂସ୍କାରଗୁଡ଼ିକ ଆଡ଼କୁ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣ ବିଷୟରେ କହିଛନ୍ତି । ବିଜ୍ଞାନସମ୍ମତ ମାନବବାଦ କଥା ମଧ୍ୟ କହିଛନ୍ତି ।

 

ତେଣୁ, ଏବେ ପରିଶେଷରେ ଆମେ କିଞ୍ଚିତ୍ ବିଚାର କରି କହିବା, ଯେଉଁ ଭାରତସ୍ତରୀୟ ପ୍ରତିଷ୍ଠାନଟି ଶ୍ରୀଯୁକ୍ତ ବିଶ୍ଵନାଥଙ୍କର ସେବାଲାଗି ଉତ୍ସର୍ଗୀକୃତ ଜୀବନକୁ ସ୍ଵୀକୃତି ଦେଇ ତାଙ୍କୁ ପୁରସ୍କାର ସ୍ଵରୂପ ଏକ ବୃହତ୍ ଅର୍ଥରାଶି ପ୍ରଦାନ କରୁଛି, ଯେଉଁ ଉଚ୍ଚଶିକ୍ଷାର ଉଚ୍ଚ ଡିହଟା ତାଙ୍କୁ କୌଣସି ବଡ଼ ଡିଗ୍ରୀଉପାଧି ଦେଇ ଏକ ଅନୁଷ୍ଠାନରେ ବସାଇ ସମ୍ମାନିତ କରୁଛି, ସେମାନେ ତାଙ୍କର ଅସଲ ଆତ୍ମାଟିକୁ ଏବଂ ଆକୂତିଗୁଡ଼ିକୁ ପ୍ରକୃତରେ କେତେଦୂର କ’ଣ ବୁଝିଥିବେ ! ଭୟଙ୍କର ଭାବରେ ମୁଗ୍ଧ ହୋଇ ତାଙ୍କୁ ସରକାରୀ ପଦ୍ମ ପୁରସ୍କାରରୁ ମଧ୍ୟ କ’ଣ ଗୋଟାଏ ମିଳିବା ନିତାନ୍ତ ଉଚିତ ବୋଲି ଆଉ କିଏ ଅଭିଯୋଗ ମଧ୍ୟ କରୁଛି । କିଏ କହୁଛି ସିଏ ଅନାଥର ନାଥ, ସିଏ ଜଣେ ମହାପୁରୁଷ, ଏବଂ ଆହୁରି କେତେ କ’ଣ । ଏସବୁ କହିବା ପଛରେ ଆଦୌ କୌଣସି ଅସାଧୁତା ନିଶ୍ଚିତ ଭାବରେ ନାହିଁ । ପାଠକମାନଙ୍କୁ ତାହା ଅବଶ୍ୟ ପରିପୂର୍ଣ୍ଣ ନ୍ୟାୟରେ ଆପ୍ୟାୟିତ ମଧ୍ୟ କରୁଥିବ । ଏପରି ଗୋଟିଏ ଚମମାଂସର ମଣିଷ ଆମ ଭିତରେ ଯେ ରହିଛନ୍ତି, ସେକଥା ଜାଣି ହୁଏତ ନିଜକୁ ମଧ୍ୟ କେଡ଼େ ପବିତ୍ର ମନେ ହେଉଥିବ । କିନ୍ତୁ, ସବୁକଥା କ’ଣ ପ୍ରକୃତରେ ସେତିକି ? ନାଇଁ, ସବୁକଥା ମୋଟେ ସେତିକି ନୁହେଁ । ଯେଉଁ କୁଜେନ୍ଦ୍ରୀ ଗ୍ରାମାଞ୍ଚଳରେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ନିଜକୁ ‘ଛନ୍ଦି’ ରଖି ଏବଂ ସେଠାକାର ମନୁଷ୍ୟମାନଙ୍କୁ ପ୍ରତିବାଦର ରାସ୍ତାଟିଏ ରହିଛି, ଅବଶ୍ୟ ବୋଲି କେଡ଼େ ବିଶ୍ଵସ୍ତ ଭାବରେ ବୁଝାଇଦେଇ ପାରିଥିଲେ, କେବଳ ସେହି କୁଜେନ୍ଦ୍ରୀ ନୁହେଁ, ସମଗ୍ର ଆଦିବାସୀ ସମାଜ ସେହିଁ କଥାଟିକୁ କଦାପି ଭୁଲିଯିବ ନାହିଁ । ଏବଂ, ଏକାନ୍ତ ଭାବରେ ଏକ ସତକଥା ଯେ ସେହି ଆଦିବାସୀମାନେ କେବେହେଲେ ସହରର ସମ୍ଭ୍ରାନ୍ତମାନଙ୍କୁ ଡାକି ତାଙ୍କୁ କୌଣସି ସଭାରେ ସମ୍ବର୍ଦ୍ଧିତ କରିବା ପାଇଁ ଇଚ୍ଛା କରିବେ ନାହିଁ । ଏକାବେଳେ-କତିର ମଣିଷଟାକୁ କିଏ ପ୍ରକୃତରେ ସଭାରେ ବସାଇ ମୁଁ ତାଙ୍କର କତିରେ ଅବଶ୍ୟ ରହିଛି ବୋଲି ପ୍ରତିପାଦିତ କରିବାକୁ ମନ କରିବ ? ବରଂ, ଆହୁରି କତି ହେବାକୁ ମନ କରିବ ଓ ତାଙ୍କୁ ଅଧିକରୁ ଅଧିକ ସମଗ୍ରତା ଦେଇ ଆବିଷ୍କାର କରୁଥିବ ଓ ସେହି ଆବିଷ୍କାର କରିବା ସହିତ ଆଗକୁ ଆଗକୁ ବାଟ ବି ପାଇ ଯାଉଥିବ ।

 

ହଁ, ଏବେ ଠିକଣା ମନୁଷ୍ୟମାନେ ପ୍ରକୃତରେ ବାଟମାନଙ୍କୁ ପାଇ ଯାଉଛନ୍ତି । ବାଟମାନେ ଦିଶି ଦିଶି ଯାଉଛନ୍ତି । କେବଳ କୁଜେନ୍ଦ୍ରୀରେ ନୁହେଁ, ତମାମ ଭାରତବର୍ଷରେ, ଆଫ୍ରିକାରେ ଏବଂ ଦକ୍ଷିଣ ଆମେରିକାରେ । ଏକାବେଳେକେ ସେହି ତଳୁ । ଅସଲ ନେତୃତ୍ଵଗୁଡ଼ିକ ସେଇ ଅଙ୍ଗେ ନିଭାଉଥିବା ସବାତଳୁ ହିଁ ଜନ୍ମଲାଭ କରୁଛି । ଜଙ୍ଗଲ ଭିତରୁ ରାସ୍ତା, ଏକାବେଳେକେ ପୃଥିବୀ ଭିତରକୁ । ବର୍ତ୍ତମାନର, ନାଇଁ, ଯୁଗଯୁଗର ଜଙ୍ଗଲ ଭିତରୁ ଏକ ନୂଆ ଫର୍ଚାର ପୃଥିବୀ ଭିତରକୁ । ସରକାର ଓ ସାହୁକାରମାନଙ୍କର ଜଙ୍ଗଲ ଭିତରୁ ଏକ ଖିଳ ମନୁଷ୍ୟ-ମହାଖଣ୍ଡକୁ ରାସ୍ତା । ନାନାବିଧ ରାସ୍ତା, ମାତ୍ର ସେହି ଗୋଟିଏ ସାଧୁତାଦ୍ଵାରା ହିଁ ପ୍ରେରିତ ହୋଇ । ନାନା ପଥ, ନାନା ନେତୃତ୍ଵ,-ଆଜ୍ଞାମାନେ ଭଳିକୁ ଭଳି । ମାତ୍ର ବିବେକ ସେହି ଗୋଟିଏ । ପ୍ରଜ୍ଞାମାନେ, ମତଲବୀ ସିଦ୍ଧାନ୍ତମାନେ ତାଟକା ହୋଇ ଚାହିଛନ୍ତି । ପୁରୁଣା ଯୁଦ୍ଧଗୁଡ଼ାକ ଆଉ ମୋଟେ କାମ ଦେଉନାହାନ୍ତି । ସୌଦାଗରମାନଙ୍କର ବୁଦ୍ଧି ପାଉନାହିଁ । କୃଷ୍ଣଭିସାରୀମାନେ ଧରା ପଡ଼ି ଯାଉଛନ୍ତି । ଏକାଧିକ କ୍ଷେତ୍ରରେ ତ ସେମାନେ ଜଣେ ଆଉଜଣକୁ ଧରା ପକାଇ ଦେଉଛନ୍ତି । ଏକ ଅନ୍ୟ ସମାଜ ଏବଂ ସଂହତି । ଏବଂ ସେହି ଅନୁସାରେ ଏକ ସମ୍ପୃକ୍ତି ଏବଂ ଅନ୍ୟ ଜାଗୃତି । ସମ୍ଭବତଃ ଇତିହାସରେ ଏପରି ଆଗରୁ କେବେ ହୋଇନଥିଲା । ପୁରୁଣାମାନେ ମୋଟେ ବିଶ୍ଵାସ କରି ପାରୁନଥିବେ । ବଦଳିବାକୁ ଏବଂ ମଙ୍ଗିବାକୁ ତଥାପି ମନ କରୁନଥିବାମାନେ ତଥାପି ବଦଳିବେ । ତଥାପି ମଙ୍ଗିବେ-। ଆମେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ଆମର ନମସ୍କାର ଜଣାଇବା ।

Image

 

Unknown

ତୃତୀୟ ଅଧ୍ୟାୟ

ଲୋକମୁକ୍ତିର ଦୁଇଟି ଆନ୍ଦୋଳନ,-ଓଡ଼ିଶାରେ

 

ସ୍ଵାଧୀନତା ସକାଶେ ସଂଗ୍ରାମଟିଏ ଲାଗିଥିବା ସମୟରେ ଦେଶରେ ଜାତୀୟ କଂଗ୍ରେସ ଏକ ମାତ୍ର ମଞ୍ଚ ଥିଲା । ଏଠାରୁ ବିଦା ହୋଇ ଗଲାବେଳେ ଇଂରେଜ ସରକାର ସେହି କଂଗ୍ରେସ ହାତରେ ହିଁ ଆମ ଏପାଖ ଖଣ୍ଡଟିକୁ ଦେଇ ଯାଇଥିଲେ । ସମଗ୍ର ଆନ୍ଦୋଳନର ସର୍ବସ୍ଵୀକୃତ ସ୍ରଷ୍ଟା ଓ ଦ୍ରଷ୍ଟା ମହାତ୍ମା ଗାନ୍ଧୀ ମଧ୍ୟ ଅଚାନକ ଦେଶରୁ ବିଦା ହୋଇ ଯାଇଥିଲେ । ଏକ ସ୍ଵାଧୀନ ଦେଶର ଯାବତୀୟ ନବନିର୍ମାଣ କଂଗ୍ରେସ ହାତରେ ହିଁ ରହିଲା । ବହୁ ବର୍ଷ କାଳ ସରକାର କହିଲେ କଂଗ୍ରେସ ସରକାରକୁ ବୁଝାଇଲା । ମାତ୍ର ବିଚରା ବଡ଼ ଦୟନୀୟ ଭାବରେ ଧରା ପଡ଼ିଗଲା । ନେତୃବୃନ୍ଦ ଦେଶକୁ ନଦେଖି ସବାଆଗ ନିଜର ଭାଗ୍ୟଟିକୁ ଦେଖିଲେ । ସେହି ନିଜସ୍ଵାର୍ଥଗୁଡ଼ାକୁ ନିଠ କରି ଉପରେ ଦେଶଟାର ମାମଲତ ବୁଝୁ ବୁଝୁ ଆପଣା ଭିତରେ କନ୍ଦଳ ଲଗାଇଲେ ଓ ହାସ୍ୟାସ୍ପଦ ହେଲେ । ଦେଶବାସୀଙ୍କର ଆସ୍ଥା ହରାଇଲେ । ଇତିମଧ୍ୟରେ କଂଗ୍ରେସ ଦଳରେ କେତେ କ’ଣ କଳେବର ବଦଳା ହେଲାଣି । ବେଳେବେଳେ ଗୋଟାଏ ଗୋଟାଏ ନୂଆ ଛାତ ମଧ୍ୟ ପଡ଼ିଲାଣି । ଲୋକମାନେ ତଥାପି ପରଖି ଦେଖୁଛନ୍ତି । ପୁରୁଣାମାନେ ମଞ୍ଚ ଛାଡ଼ି ଚାଲିଯିବାକୁ ମୋଟେ ସମ୍ମତ ହେଉନାହାନ୍ତି । ନୂଆମାନେ ହୁଏତ କିଛି ଅନ୍ୟଭଳି ଇଚ୍ଛା କରୁଥିଲେ ମଧ୍ୟ ତଥାପି ଘରଟା ଭିତରେ ପୂରା ପଶି ପାରୁନାହାନ୍ତି । ଏହିପରି ନାନା ଭାଙ୍ଗ ହେବାର ଷାଠିଏ ବର୍ଷ ପରେ ମଧ୍ୟ ତଥାପି ସେହି ପୋଖତ ନେତାମାନେ ଜଣେ ଜଣ ଯଖ ପରି ଆପଣାର ବିତ୍ତସମ୍ପତ୍ତି ଗୁଡ଼ିକୁ ବହୁଗୁଣ ବଢ଼ାଉଛନ୍ତି । ଦେଶଟାକୁ ପୋଲା କରି ଦେଉଛନ୍ତି । ରାଜନୀତିରୁ ଗୋଟାସୁଦ୍ଧା ହୁଡ଼ିଛନ୍ତି । ଏସବୁ ବଦଳିଲେ ସିନା ସେମାନଙ୍କର ସତକୁ ସତ ଆଦୌ କୌଣସି ଧାତୁ ପରିବର୍ତ୍ତନ ସମ୍ଭବ ହେବ !

 

୧୯୩୨ ରେ ଯେତେବେଳେ ମହାତ୍ମା ଗାନ୍ଧୀ ଅସହଯୋଗୀ ଆନ୍ଦୋଳନକୁ ସ୍ଥଗିତ ରଖି ଏଣିକି ହରିଜନ ଆନ୍ଦୋଳନ ଓ ଖଦୀପ୍ରସାର ପ୍ରଭୃତି କାର୍ଯ୍ୟରେ ଅଧିକ ମନୋନିବେଶ କରିବାକୁ ହେବ ବୋଲି ଜାତୀୟ କଂଗ୍ରେସରେ କହିଲେ, ସେତେବେଳେ ଦେଶର ତରୁଣ ନେତୃସ୍ଥାନୀୟମାନେ ମହାତ୍ମାଙ୍କର ନେତୃତ୍ଵରେ ଭାରତବର୍ଷ ଶୀଘ୍ର ସ୍ଵାଧୀନତା ପାଇବ ବୋଲି ଆଉ ଆସ୍ଥା ରଖି ପାରିଲେ ନାହିଁ । ଏହି ସଂଶୟଟାରୁ ହିଁ ସେମାନେ କଂଗ୍ରେସ ଭିତରେ ଥାଇ ମଧ୍ୟ ନିଜର ଗୋଷ୍ଠୀଟିକୁ ଅଲଗା ବୋଲି ଅନୁଭବ କଲେ । ଓଡ଼ିଶାରେ ମଧ୍ୟ ତାହାହିଁ ହୋଇଥିଲା । ସେତେବେଳେ ଭାରତୀୟ କମୁନିଷ୍ଟ ପାର୍ଟି ବେଆଇନ୍ ଘୋଷିତ ହୋଇ ରହିଥିବାରୁ ଓଡ଼ିଶାରେ କମୁନିଷ୍ଟ ଚିନ୍ତାଧାରାର ସେମାନେ ଆନୁଷ୍ଠାନିକ ଭାବରେ କଂଗ୍ରେସ ରହିଥିଲେ । ଆପଣାର ଏକ ଖାସ୍ ସାହିତ୍ୟ-ପତ୍ରିକା ବାହାର କରୁଥିଲେ । ଆଉ କେତେ, ଯେଉଁମାନେ ଆପଣାକୁ କମୁନିଷ୍ଟବାଦ ଆଡ଼େ ରାଜି କରାଇନେଇ ପାରୁନଥିଲେ, ସେମାନେ ନିଜକୁ ସମାଜବାଦୀ ବୋଲି ପରିଚିତ କରାଇଥିଲେ । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ସେମାନଙ୍କର ମାର୍ଗ-ପରିଦର୍ଶକ ହୋଇ ରହିଥିଲେ । ଶ୍ରୀ ଚୌଧୁରୀ ଆହୁରି ଆଗରୁ ଆପଣାର ଏକ କୃଷିକେନ୍ଦ୍ରରେ ସମଭାବାପନ୍ନ କେତେକ ଉତ୍ସାହୀଙ୍କୁ ନେଇ ଏକ ସମାଜବାଦୀ କର୍ମୀସଙ୍ଘ ଗଠନ କରି ସାରିଥିଲେ ଏବଂ ଆପଣାର ଖାସ୍ ପତ୍ରିକାଟିଏ ମଧ୍ୟ ବାହାର କରୁଥିଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଯେତେବେଳେ ଘଟଣାକ୍ରମେ କମୁନିଷ୍ଟ-ତନ୍ତ୍ର ରୁଷିଆ ଇଂଲଣ୍ଡ ଓ ପଶ୍ଚିମ ଇଉରୋପର ପକ୍ଷଟି ମଧ୍ୟରେ ଏକତ୍ର ଗୁନ୍ଥାହୋଇ ରହିଲା, ସେତେବେଳେ କମୁନିଷ୍ଟ ପାର୍ଟି ତାହାକୁ ମୁକ୍ତିଯୁଦ୍ଧ ବୋଲି ଘୋଷଣା କଲା ଏବଂ ବ୍ରିଟିଶ୍ ସରକାରଙ୍କ ପକ୍ଷରେ ରହିଲା । ତେଣୁ, ୧୯୪୨ର ଭାରତଛାଡ଼ ଆନ୍ଦୋଳନରେ ନ୍ୟାୟତଃ କୌଣସି ଭାଗ ନେଇନଥିଲା ।

 

କଂଗ୍ରେସର ନେତାମାନେ ଜେଲ୍ ଭିତରେ ବନ୍ଦୀ ହୋଇ ରହିବାରୁ ଯାବତୀୟ ଅର୍ଥରେ ଦେଶତମାମ ସମାଜବାଦୀ ହିଁ ଆନ୍ଦୋଳନରେ ଅଗ୍ରନେତୃତ୍ଵ ନେଇଥିଲେ । ଓଡ଼ିଶାରେ ମଧ୍ୟ ତାହାହିଁ ଘଟିଥିଲା । ଶ୍ରୀ ନବକୃଷ୍ଣ ଚୌଧୁରୀ ଜେଲ୍‌ରେ ଅଟକବନ୍ଦୀ ଥିଲେ । ମାତ୍ର ସମାଜବାଦୀ ତାଙ୍କର ଅନ୍ୟ ସାଥୀବୃନ୍ଦ ହିଁ ବହୁ ସାହସିକତା ଏବଂ ସଂକଳ୍ପ ସହିତ ସଂଗ୍ରାମରେ ଭାଗ ନେଇଥିଲେ । ଶ୍ରୀଯୁକ୍ତ ଚୌଧୁରୀଙ୍କର ବ୍ୟକ୍ତିତ୍ଵ ତଥା ନେତୃତ୍ଵରୁ ହିଁ ସମାଜବାଦୀ ଆହ୍ଵାନଗୁଡ଼ିକ ବିଷୟରେ ପ୍ରେରଣା ପାଇଥିଲେ ସେମାନେ ସମସ୍ତେ । ଜେଲ୍‌ରୁ ମୁକ୍ତ ହୋଇ ସେ ସେମାନଙ୍କୁ ଆଗକୁ ଆଗକୁ ନେଇଯିବେ ବୋଲି ସେମାନେ ବହୁ ପ୍ରତୀକ୍ଷା ରଖିଥିଲେ । ଶ୍ରୀ ଚୌଧୁରୀ ବାହାରକୁ ଆସି କଂଗ୍ରେସ ଶିବିରରେ ଯାଇ ଯୋଗ ଦେଲେ । ସମସ୍ତଙ୍କୁ ଅବାକ୍ କଲେ । ତା’ପରେ ଏହି ବିଗତ ପଚାଶ ବର୍ଷ ଭିତରେ କଂଗ୍ରେସ ଦଳର କେତେ ନା କେତେ କାୟାପଲଟ ହୋଇଗଲାଣି । ଏକଦା ଗଣତାନ୍ତ୍ରିକ ବିଧିରେ ସମାଜବାଦର ଥାପନା ସିନା ତାହାର ଧ୍ୟେୟ ଥିଲା; ଏବେ ତ ସେହି ପୁରୁଣା ନାମର ସେହି ମଞ୍ଚଟାରେ କୌଣସି ଗଣତନ୍ତ୍ର ହିଁ ନାହିଁ, ଏବଂ ତେଣୁ ସମାଜବାଦ ପାଇଁ କୌଣସି ଅବକାଶ ରହିବାର ଆଉ ଆଦୌ କୌଣସି ପ୍ରଶ୍ନ ମଧ୍ୟ କାହିଁକି ରହିବ ? ଓଡ଼ିଶାରେ ସଂପୂର୍ଣ୍ଣ ପ୍ରକାରେ ସମତାଳ ରଖି ସେହି ଅନୁଷ୍ଠାନର କେବଳ ଚେହେରା ନୁହେଁ, ବସ୍ତୁତଃ ସଂଜ୍ଞାଟା ବି ବଦଳି ଯାଇଛି । ପୁନଶ୍ଚ, ସମ୍ଭବତଃ ଏହି ରାଜ୍ୟର ଏକାଧିକ କ୍ରିୟାଶୀଳ ମୁଖ୍ୟ ଦଳ ଅନ୍ୟ ଏକାଧିକ ନାମରେ ସେହି କଂଗ୍ରେସରୁ ହିଁ ତଳି ସଂଗ୍ରହ କରି ନିଜ ନିଜ ସ୍ଵତନ୍ତ୍ର କ୍ଷେତଗୁଡ଼ିକର ଗୁଜରାଣ ମେଣ୍ଟାଉଛନ୍ତି । ପାର୍ଥକ୍ୟମାନେ ଆଦୌ ରାଜନୀତିକ ନୁହନ୍ତି, ଏକାନ୍ତ ପରିପାଟୀରେ ସ୍ଵାର୍ଥଗତ, କ୍ଷମତା ହାସଲ କରିବାର ସେହି ନିରୋଳା ରଣନୀତିଟି ଅନୁସାରେ । ଅତୀତ ବିଷୟରେ ଆଦୌ କୌଣସି ଉତ୍ତରଦାୟିତ୍ଵ ନାହିଁ । ଭବିଷ୍ୟତ ଯାଏ ଭାବିବାଲାଗି ହାତରେ କୌଣସି ପରିପକ୍ଵତା ମଧ୍ୟ ନାହିଁ । ଲୋକମାନେ ଯେତେ ଆଶା କରୁଥିଲେ କ’ଣ ହେବ, ନିଜ ଆଚରୁଥିବା ଅସମଞ୍ଜତା ଗୁଡ଼ିକ ହେତୁ କଂଗ୍ରେସ ଦଳ ଏବେ କେବଳ ଏଠି ସାତଟା କି ସତରତା ଦଳ ଭିତରେ ଗୋଟାଏ ଦଳ ହୋଇ ରହିଛି । କେବଳ ରାଜନୀତି କରୁଛି ।

 

କମୁନିଷ୍ଟମାନଙ୍କର ସେହି ପ୍ରଥମ ଦଳଟା କାଳକ୍ରମେ ବିଦା ହୋଇ ପରଲୋକକୁ ଚାଲିଗଲେଣି । ସେମାନେ ଆପଣାର ସେହି ଥିବା ସମୟରୁ ଭାରତୀୟ ସ୍ତରରୁ ହିଁ ଦୁଇ ସାହୀ ହୋଇ ଯାଇଛନ୍ତି । ଦଳୀୟ କର୍ମୀମାନେ ଜଣେ ସ୍ଥାନୀୟ ନିଜ ପସନ୍ଦର ନେତାଙ୍କର ଅନୁଗତ ରହି କାର୍ଯ୍ୟ କରୁଛନ୍ତି ଓ ଜାତୀୟ ସ୍ତରର ଦ୍ଵିବିଭାଜନଟାର କାରଣ ବିଷୟରେ ଅଧିକ କିଛି ଜାଣିବାକୁ ସମ୍ଭବତଃ ପ୍ରୟୋଜନ ବୋଲି ଭାବିନାହାନ୍ତି । ସମସ୍ତେ କମ୍‌ରେଡ଼୍, ଋଷିଆର ଭାଷାରେ ସମସ୍ତେ ତୋଭାରିସ୍, ମାତ୍ର କେବଳ ସେହି ଉପରିସ୍ଥ ଖାସ୍ ତୋଭାରିସ୍‌ମାନେ ହିଁ ନିଷ୍ପତ୍ତି କରିବେ ଏବଂ ଆଉ ସମସ୍ତେ ସେଗୁଡ଼ିକର ପାଳନ କରିବେ । ଖୁବ୍ ସମ୍ଭବ ସେହି ମୂଳାଧାର ସ୍ଵରୂପ ରୁଷିଆ ଦେଶରେ ଅକ୍ଟୋବର ବିପ୍ଳବର ସମୟରୁ, ଯେତେବେଳେ ବଲ୍‌ଶେଭିକ୍‌ମାନେ ରାଷ୍ଟ୍ରୀୟ ରାଜକ୍ଷମତାରେ ଆସି ଆସୀନ ହୋଇଥିଲେ, ସେହି ସମୟରୁ । ସାମ୍ୟବାଦର ଆଦିମନ୍ତ୍ରଦାତା ମାର୍କ୍‌ସ୍‌ଙ୍କର ହିସାବ ଅନୁସାରେ ଏକ କମୁନିଷ୍ଟ ରାଷ୍ଟ୍ରଶାସନ ସିନା ଆପଣାର ଭୂମିକାଗୁଡ଼ିକୁ କ୍ରମଶଃ ଅଧିକରୁ ଅଧିକ ଗୌଣ କରିନେଇ ଲୋକାଧାର ଅର୍ଥାତ୍ ଲୋକଶାସନର ଭୂମିଟିକୁ ମଜବୁତ କରି ଆଣିଥାନ୍ତା, ମାତ୍ର ସତେଅବା ଏକ ଅନ୍ୟଆଡ଼େ ବଙ୍କା ହୋଇ ଯାଇ ସବୁକିଛି ଅନ୍ୟ ଭଳି ହୋଇଗଲା । ବିଜୟୀ ଲେନିନ୍ ହୁଏତ ଆଉକିଛି ଭାବୁଥିଲେ, କିନ୍ତୁ ତାଙ୍କର ହାବିଲ୍‌ଦାରମାନେ କ୍ରମେ ନିଜନିଜର ଧିସା ତଥା ନିଶା ଅନୁସାରେ ଅଧିକ ଉତ୍ସାହରେ ମାତିଗଲେ । ଲେନିନ୍ ଅସୁସ୍ଥ ଥିଲେ, ଏଗୁଡ଼ିକୁ ଆଉ ରୋକିବା ଅବସ୍ଥାରେ ନଥିଲେ । ତତ୍କାଳୀନ ଜର୍ମାନୀର ଜଣେ ଅଗ୍ରଣୀ ନେତ୍ରୀ ଶ୍ରୀମତୀ ରୋଜା ଲୁକ୍ପୁମ୍‌ବେଆର୍ଗ୍ ସେତେବେଳେ ଏକ ପତ୍ରରେ ଲେନିନ୍‌ଙ୍କୁ ଚେତାଇ ଦେଇଥିଲେ ଏବଂ, ସର୍ବହରାର ଡିକ୍ଟେଟର୍‌ଶିପ୍ ବଦଳରେ ନୂଆ ରୁଷିଆରେ କାହିଁକି ପାର୍ଟିର ଡିକ୍ଟେଟର୍‌ଶିପ୍‌ର ଯୁଆଳିଟାଏ ଆଣି ଲଦିଦିଆ ଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ । ମାତ୍ର, ପାର୍ଟି ହିଁ କ୍ରମଶଃ ଅଧିକରୁ ଅଧିକ ବଳୁଆ ହେଲା । ଲୋକେ ରହିଗଲେ । ସେହି ଅନାଚାରଟା ହିଁ ବୃଦ୍ଧି ପାଇଲା ଏବଂ ପରିଶେଷରେ ସେଠାରେ ସେଠାରେ ଏକ ଦୁର୍ଗପତନର କାରଣ ହେଲା ।

 

ମୁଖ୍ୟତଃ ତାହାରି ଆଧାରରେ ଏହି ଦ୍ୱିବିଭାଜନ ଏକାବେଳେକେ ଆମ ଓଡ଼ିଶା ଯାଏ । ଯେଉଁଠି ନେତା ଆଜ୍ଞା ଯୁଆଡ଼େ ମୁହାଁଇବେ ବୋଲି ସୈଦ୍ଧାନ୍ତିକ ଭାବରେ ପସନ୍ଦ କଲେ, ଆନମାନେ ମଧ୍ୟ ସେହି ଅନୁସାରେ ଏ ସାହୀ ଅଥବା ସେ ସାହୀ ହୋଇ ରହିଲେ । ସାହୀ ଦୁଇଟା, ସୁତରାଂ ନାମକରଣ ମଧ୍ୟ ଦ୍ଵିବିଧ । ଖୁବ୍ ମନେପଡ଼ୁଛି, ଦେଶ ସ୍ଵାଧୀନତା ହାସଲ କରିବା ପୂର୍ବରୁ ରାଜ୍ୟର ଏହି ଦଳର କିଛି ଲୋକସ୍ତରୀୟ କାର୍ଯ୍ୟକ୍ରମ ତଥାପି ରହିଥିଲା-ଶୋଷଣ ଓ ସାମନ୍ତବାଦୀ ଏକାଚାର ମାନଙ୍କର ବିରୋଧ କରା ଯାଉଥିଲା । ସ୍ଥାନୀୟ ଲୋକଙ୍କର ସହଯୋଗରେ ରାଜ୍ୟସ୍ତରୀୟ ନେତୃତ୍ଵ ନ୍ୟାୟ ତଥା ଲୋକଜାଗରଣର ସଙ୍ଗୀତ ଗାଇ କିଛି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଉଥିଲା । କ୍ରମେ ସେସବୁକୁ ଆଉ ବଳ ନପାଉଥିବା ପରି ପାର୍ଟିର ପତାକା ଧରି ରାଜଧାନୀରେ କିଛି ବିକ୍ଷୋଭ-ପ୍ରଦର୍ଶନର ମାଧ୍ୟମରେ ଯାହା ବେଳେବେଳେ ଆପଣାର ଅସ୍ତିତ୍ଵ ବିଷୟରେ ଆଦୌ କୌଣସି ସୂଚନା ଦେଇ ହେଉଛି । ରାଜ୍ୟର ଏହି ରାଜନୀତିକ ଯନ୍ତର-ମନ୍ତରଟାର ହାଟରେ କମୁନିଷ୍ଟମାନେ ନିଜକୁ ଏବେ ବାମଦଳ ବୋଲି କହିଲେଣି । ରାଜ୍ୟର ତାତ୍କାଳିକ ତାମସା ଗୁଡ଼ାକରେ ମେଣ୍ଟମାନଙ୍କରେ ବି ଭର୍ତ୍ତି ହେଲେଣି । ଇତର ଦଳଗୁଡ଼ିକୁ ବେଶ୍ ଚଳନ୍ତି ବଜାରଟାର କାଇଦାରେ ବୋଲୁଅମାନ ବି ମାରିଲେଣି । ଏକ ନୂଆ ସମାଜନିର୍ମାଣକୁ ମୂଳ କରି ନୂତନ ପାରସ୍ପରିକତା ସମ୍ଭବ କରି ଆଣିବାର ସେହି କମୁନିଷ୍ଟ ମୂଳାପ୍ରେରଣାଟି ଏକାଳେ କାହିଁକି କୁଆଡ଼େ ଚାଲିଗଲା କେଜାଣି ? ମନେ ହେଉଛି, ଲୋକମାନେ ମଧ୍ୟ ଏହି କମୁନିଷ୍ଟ ଦଳଟାର ସତକୁ ସତ ଏକ ଖାସ୍ ବୈପ୍ଳବିକ ସ୍ଵପ୍ନ ରହିଛି ବୋଲି ଆଉ ସେପରି କୌଣସି ପ୍ରମାଣ ପାଉନାହାନ୍ତି । ଅର୍ଥାତ୍ ରାଜନୀତି ନାମକ ଆମର ଏହି ସାଂପ୍ରତିକ ତାମସାଟି ଭିତରେ କମୁନିଷ୍ଟମାନେ ଯେ ତଥାପି ଏକ ଅଲଗା ପ୍ରତ୍ୟୟର ତଥା ପ୍ରେରଣାର, ଲୋକେ ଆଉ ସେକଥାଟିକୁ ସେତେ ଠଉରାଇ ମଧ୍ୟ ପାରୁନାହାନ୍ତି । ଏବଂ, ଲୋକମାନଙ୍କ ସ୍ତରରୁ ମୂଳଟିକୁ ହରାଇ ରାଜଧାନୀର ଏହି ହାସ୍ୟାସ୍ପଦ ଘୋଡ଼ାନାଟ-ପ୍ରଦର୍ଶନରେ ସର୍ବବିଧ ଲକ୍ଷଣରେ ସବୁ କେଉଟଙ୍କ ପରି ଦିଶିବା, ସମ୍ଭବତଃ ସେହି କଥାଟି ଆମ ରାଜ୍ୟରେ ସେହି ଶିବିର ପରିଚିତ-କ୍ଷେତ୍ରରେ ଅଧିକ କ୍ଷତି ହିଁ ଘଟାଉଛି ।

 

ଦଳଟି ତରଫରୁ ବିଚାର କରି ଦେଖିଲେ, ଗୋଟିଏ ଭଲ କଥା ହୋଇଛି ଯେ, କମୁନିଷ୍ଟ୍ ପାର୍ଟି ଦେଶର ଅନ୍ତତଃ ଗୋଟିଏ ରାଜ୍ୟରେ ଶାସନର ଦାୟିତ୍ଵରେ ରହିଛି । ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ଵାରା ଗଠିତ ସେହି ଶାସନ ଏକାଧିକ ବର୍ଷ ହେଲା ସେଠାରେ ସରକାର ଗଠନ କରି ରହିଛନ୍ତି । ଆପଣାର କିଛି ନା କିଛି ଆର୍ଥିକ ଏବଂ ସାମାଜିକ ନକ୍ସାକୁ କାର୍ଯ୍ୟକାରୀ କରି ପାରିଛନ୍ତି ଏବଂ ପାରୁଛନ୍ତି । ସେତିକି ହୋଇ ନଥିଲେ ସେମାନେ କଦାପି ରାଜ୍ୟବାସୀ ଅଧିକାଂଶଙ୍କର ଆସ୍ଥାଭାଜନ ହୋଇ ପାରୁନଥାନ୍ତେ । ବହୁ ବହୁ ଦଳୀୟ ସ୍ଵାର୍ଥର ଅନୁକ୍ଷଣ ବଳ କଷାକଷି ମଧ୍ୟରେ ଏହି ବାମପନ୍ଥୀ ଶିବିରଟି ଯେ ତଥାପି ସରକାର ଚଳାଇବା ଭଳି ସମର୍ଥନ ପାଇପାରୁଛି, ତାହାହିଁ ଦଳଟିକୁ ଏକ ଦୃଢ଼ ପ୍ରାମାଣିକତା ଆଣି ଦେଇ ପାରୁଛି । ଚୀନ ଦେଶରେ ଏକଦା ଘଟିଥିବା ସେହି ଉଦାହରଣଟି ଏଠାରେ ମନେ ପଡ଼ିଯାଉଛି । ଯେତେବେଳେ ମାଓ-ଜେ–ଡଙ୍ଗ୍‌ଙ୍କର ପାର୍ଟିର ଅସ୍ତିତ୍ଵଟାକୁ ହିଁ ଏକାବେଳେକେ ଲୋପ କରି ଦେବାପାଇଁ ଶାସନସ୍ଥ କୁଓ-ମିନ୍-ଟାଙ୍ଗ୍ ସରକାରର ମୁଖ୍ୟ ଚିଆଙ୍ଗ୍-କାଇ-ସେକ୍‌ଙ୍କ ସେନାବାହିନୀ ସେମାନଙ୍କର ପିଛା ଧରି ଧାଇଁଥିଲେ, ସେତେବେଳେ ସେହି ଏକାଧିକ ବର୍ଷର ସାମରିକ ନିର୍ମମତା ଫଳରେ ସେହି ଧାଇଁବାର ଅବଧିଟି ସମୟରେ ହଜାର ମନୁଷ୍ୟଙ୍କର ପ୍ରାଣହାନି ଘଟିଥିଲା । କମୁନିଷ୍ଟ ମାନଙ୍କୁ ଘଉଡ଼ାଇ ଘଉଡ଼ାଇ ସରକାରୀ ସୈନ୍ୟବଳ ଶେଷରେ ସେମାନଙ୍କୁ ଦୁଇଟା ରାଜ୍ୟ ମଧ୍ୟକୁ ହିଁ ଆବଦ୍ଧ କରି ଆଣିଥିଲା ଏବଂ ସେତିକି ଆକ୍ରାନ୍ତରେ ସେମାନେ ଏଣିକି ଅବଶ୍ୟ ସଙ୍କୁଚିତ ହୋଇ ରହିବେ ଓ ତେଣୁ ଦେଶଲାଗି କୌଣସି ଆପଦର କାରଣ ହୋଇ ପାରିବେ ନାହିଁ ବୋଲି ଭାବି ସେମାନଙ୍କୁ ଛାଡ଼ି ବାହୁଡ଼ି ଆସିଲା । ନେତା ମାଓ ତାହାକୁ ହିଁ ଗୋଟିଏ ଅତ୍ୟନ୍ତ ଅନୁକୂଳ ସୁଯୋଗ ବୋଲି ବିଚାରିଥିଲେ ଓ ସେହି ଦୁଇଟି ରାଜ୍ୟର ସୀମା ମଧ୍ୟରେ ନିଜ କମୁନିଷ୍ଟ ଦଳର ସମାଜ-ପରିବର୍ତ୍ତନ-ମୂଳକ କାର୍ଯ୍ୟକ୍ରମ ଗୁଡ଼ିକୁ ହାତକୁ ନେଇଥିଲେ । ନିରକ୍ଷରତା ଦୂରୀକରଣ, ଭୂମି-ସଂସ୍କାର ଏବଂ ଆହୁରି କେତେସବୁ କାର୍ଯ୍ୟ । ଲୋକମାନେ ସତକୁ ସତ ଦେଖିଲେ ଏବଂ ଚାକ୍ଷୁଷ ପ୍ରମାଣ ପାଇଥିଲେ । ସମ୍ଭ୍ରାନ୍ତ ମାଲିକବର୍ଗଟି ଅବଶ୍ୟ ବିରୋଧ କଲା; କିନ୍ତୁ ଲୋକମାନଙ୍କର ଏହି ଚାକ୍ଷୁଷ ପ୍ରତ୍ୟୟଟି ସମ୍ମୁଖରେ ମଥା ନୂଆଁଇଥିଲା । କିଛି ହିଂସାତ୍ମକ ଘଟଣା ମଧ୍ୟ ଘଟିଲା, କିନ୍ତୁ ସେଗୁଡ଼ିକୁ ବଞ୍ଚିତ ବର୍ଗଟି ତରଫରୁ ଆଚରିତ ହେଉଥିବା କୌଣସି ପ୍ରତିଶୋଧମୂଳକ ହିଂସା ବୋଲି କଦାପି କୁହା ଯିବନାହିଁ । ହାୱାଟି ଆଗରେ ସବୁ ବିରୋଧ ହାର ମାନିଥିଲା । ଏବଂ, ପରେ ଯେତେବେଳେ ସମଗ୍ର ଦେଶରେ ଶ୍ରୀଯୁକ୍ତ ମାଓ କମୁନିଷ୍ଟ ବିପ୍ଳବର ଆହ୍ଵାନ ଦେଲେ, ସେତେବେଳେ ଲୋକମାନେ କୋଟି କୋଟି ସଂଖ୍ୟାରେ ତାଙ୍କ ସହିତ ଆସି ଯୋଗଦେଲେ ଏବଂ ବିଜୟ ସମ୍ଭବ ହେଲା । ଲୋକେ ଦେଖିଲେ, ବିଶ୍ଵାସ କଲେ ଏବଂ ନୂଆ ଉଦ୍‌ବେଳନଟିକୁ ସ୍ଵାଗତ କଲେ । ସେମାନଙ୍କୁ ମୋଟେ ମୋଟା ମୋଟା ବୋଲିଗୁଡ଼ାକୁ ଦେଇ ବୁଝାଇବାକୁ ପଡ଼ିଲାନାହିଁ । ଏବଂ, ଆମେ ଚାହୁ ବା ନଚାହୁ, ଏକ ଗଣତନ୍ତ୍ରରେ ମଧ୍ୟ ସର୍ବଦା ତାହାହିଁ ହୋଇଥାଏ ।

 

ଭାରତୀୟ ସମାଜବାଦୀ ରାଜନୀତିକ ଦଳଟିର କାହାଣୀ ଗୋଟିଏ ପୂରାପଣେ ବିରସ ନାଟକ ପରି । ଓଡ଼ିଶାରେ ମଧ୍ୟ ତାହାରି ଏକ ସ୍ଥାନୀୟ ଅନୁରୂପ ଖୁବ୍ ଦେଖିବାକୁ ମିଳିଯାଏ । କେଡେ ବଡ଼ ବଡ଼ ବ୍ୟକ୍ତିତ୍ଵ, ଉଭୟ ପ୍ରଜ୍ଞାସମ୍ପନ୍ନ ଓ ଉତ୍ସର୍ଗୀକୃତ । ଅସାଧୁତାର ଅବକାଶ ନାହିଁ । କ୍ଷମତାଲୋଭର ଆଦୌ କୌଣସି ବିକଟାଳତା ବି ନାହିଁ । ଭାରତ ଛାଡ଼ ଆନ୍ଦୋଳନରେ ସେଇମାନେ ହିଁ ପୂର୍ଣ୍ଣ ବୀରୋଚିତ ପ୍ରକାରେ ସକଳ କ୍ରିୟାଶୀଳତାର ପଛେ ପଛେ ବାରୁଦ ପରି ହୋଇ ରହିଥିଲେ । ଓଡ଼ିଶାରେ ଅସଲ ନେତାଜଣକ କ’ଣ ପାଇଁ ଘରୁ ସିନା ବାହାରିଗଲେ ଏବଂ କାହିଁକି ଯେ ଗଲେ କାହା ଆଗରେ କହିଲେ ବି ନାହିଁ, ସେ ବିଷୟରେ ପଦେ ଲେଖିଲେ ବି ନାହିଁ । କଂଗ୍ରେସ ଭିତରକୁ ଯାଇ ସେ ପ୍ରଥମରୁ ହିଁ ସିଏ ରାଜସ୍ୱ ମନ୍ତ୍ରୀ ହେଲେ, ମୁଖ୍ୟମନ୍ତ୍ରୀ ହେଲେ । ତେଣେ ଥିଲେ ସିନା, ତଥାପି ତାଙ୍କ ଦୃଷ୍ଟିଭଙ୍ଗୀଗତ ଅସଲ ଡୋରଗୁଡ଼ିକ ସମାଜବାଦୀ ମାନଙ୍କ ସହିତ ଲାଗି ରହିଥିଲା । ସତେଅବା ଗୋଡ଼ଦୁଇଟା ଏଣେ ଥିଲା ଓ ହୃଦୟଟା ଯାଇ ତେଣେ ଥିଲା । କଂଗ୍ରେସର ଉଚ୍ଚ ଗହଣଟା ଭିତରେ ସେ ଆପଣାକୁ ସତେ ଯେପରି ସର୍ବଦା କିଞ୍ଚିତ୍ ଏକୁଟିଆ ଅନୁଭବ କରୁଥିଲେ । ସରକାରଙ୍କ ପଟୁ ସିଏ ଯେତ ଯେତେ ପ୍ରଗତିଶୀଳ ବିଧେୟମାନ ଆଗତ କରାଇଥିଲେ, ହୁଏତ ତାଙ୍କ ଦଳସ୍ଥ ତୁଙ୍ଗମାନେ ଉପରେ କିଛି ନକହିଲେ ମଧ୍ୟ ଭିତରେ ବେଶ୍ ଫଣଫଣ ହେଉଥିଲେ, ମାତ୍ର ଅପର ପକ୍ଷରେ ସମାଜବାଦୀ ଦଳର ଏକଦା ତାଙ୍କର ସହଚରମାନେ ତାଙ୍କୁ ବରଂ ଅଧିକ ନିଷ୍କପଟ ଭାବରେ ସମର୍ଥନ କରୁଥିଲେ । ସମାଜବାଦୀଙ୍କ ସହିତ ଭୋଟ୍ ବେଳେ ତାଙ୍କର ପ୍ରତିଦ୍ୱନ୍ଦିତା ହେଉଥିଲା, ମାତ୍ର କାର୍ଯ୍ୟତଃ ସେତେବେଶୀ ବିଚାରପାର୍ଥକ୍ୟ ହୁଏତ ତଥାପି ନଥିଲା । ଏବଂ, ଏହିପରି ଏକ ଅଶ୍ଵସ୍ତି ମଧ୍ୟରେ ରହି ଶ୍ରୀ ନବକୃଷ୍ଣ ଚୌଧୁରୀ ନିଜ ପାଖରେ, ନିଜର ଅସଲ ଜାଗାଗୁଡ଼ିକରେ ସତେଅବା ହାରି ହାରି ଯାଉଥିଲେ । ନିଜ ଭିତରେ ଆପଣାର ସତ ପ୍ରଭୁଟିର ସାମନାରେ ସିଧା ହୋଇ ଛିଡ଼ା ହୋଇ ପାରୁନଥିଲେ । ବାହାର ଆଚାର ମାନଙ୍କରେ କେତେ ଆଦର୍ଶସ୍ଥାନୀୟ ଥିଲେ, ଦେବତୁଲ୍ୟ ଥିଲେ; ତଥାପି କ’ଣ ଗୋଟାଏ ପାଖରୁ ଭାରି ଲୁଚି ଲୁଚି ବୁଲୁଥିଲେ । ସମ୍ଭବତଃ ଆପଣାକୁ ଧିକ୍ ଧିକ୍ ବୋଲି କହୁଥିବେ ।

 

ଓଡ଼ିଶାରେ ସ୍ଵାଧୀନ ଦେଶର ସେହି ପ୍ରଥମ କେତେ ବର୍ଷ ସମାଜବାଦୀ ଦଳ ସକଳ ଅର୍ଥରେ ଏକ ସଂକଳ୍ପସଚେତ ସୁହୃତ୍‌ମେଳ ହୋଇ ରହିଥିଲା । ସତେଅବା ପରସ୍ପରକୁ ସାଙ୍ଗରେ ନେଇ ବାଟ ଚାଲୁଥିଲା । ନେତୃତ୍ଵମାନେ ଅବଶ୍ୟ ଥିଲେ, କିନ୍ତୁ ସେହି ନେତୃତ୍ଵର କାରଣରୁ ଆଦୌ କୌଣସି ଅନ୍ତଃପୁରଗତ ଈର୍ଷାଭାବ ନଥିଲା । ହୁଏତ ସବାଆଗ ସେହି କାରଣରୁ ସେମାନେ ରାଜନୀତିର ସ୍ତରରେ ଜଣକୁ ଜଣେ ଆପଣାର ସର୍ବୋତ୍ତମ ପରିଚୟଟିକୁ ଦେଇ ପାରୁଥିଲେ । ରାଜଧାନୀର ପାର୍ଲିଆମେଣ୍ଟ୍ ସ୍ତରରେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେଜଣ ଖୁବ୍ ବାରି ହୋଇ ପଡ଼ୁଥିଲେ ଏବଂ ସରକାରୀ ପକ୍ଷର ଦୃଷ୍ଟି ଆକର୍ଷଣ କରୁଥିଲେ । ଗଣତନ୍ତ୍ରର ଦେଶଶାସନରେ ଯେ ବିରୋଧୀ ଦଳର ମଧ୍ୟ ସର୍ବଦା ଏକ ସକାରାତ୍ମକ ଅବଦାନ ରହିଛି, ସେହି ସତ୍ୟଟିର ପ୍ରତିପାଦନ କରି ପାରୁଥିଲେ । ମାତ୍ର, ତା’ ପରେ କ୍ରମେ ଏକ ଅନ୍ୟ ମେଘ ଘୋଟି ଆସିବା ପରି, ଗୋଟାଏ ଅନ୍ୟଭଳି ପର୍ଯ୍ୟାୟ ଆସି ପହଞ୍ଚିଲା କେଜାଣି କାହିଁକି ? ଶାସନରେ ବସିଥିବା କଂଗ୍ରେସ ଦଳରେ ଆଦୌ ସେପରି କିଛି ଘଟି ନଥିଲା, ଯାହାକୁ କି ଏହିସବୁ କିଛି ଅନ୍ୟ ବାଗିର୍ ହୋଇ ଆସିବାର କାରଣ ବୋଲି କୁହାଯିବ । ଏହି ମାନ୍ଦା ଅନ୍ୟ ପର୍ଯ୍ୟାୟଟା ଆଗ ସାରା ଭାରତ ସ୍ତରରେ ଆସିଲା ଓ ତାହାରି ଶୃଙ୍ଖଳାକୁ ମାନୁଥିବା ପରି ରାଜ୍ୟର ଏହି ଅନୁମଣ୍ଡଳଟି ତାହାର ଅନୁସରଣ କରିଥିଲା ବୋଲି ମଧ୍ୟ ଆଦୌ କୁହା ଯିବନାହିଁ । ହଁ, ଆଗୁଆ ନେତାମାନେ କ୍ରମେ ବୟସରେ ବୁଢ଼ା ହୋଇ ଆସୁଥିଲେ ଏବଂ ଆଉ କେତେଦିନ ଧରି ସେମାନେ ତୁଚ୍ଛା ସରକାରଙ୍କର ବିରୋଧ କରୁଥିବେ ଏବଂ ସେମାନଙ୍କର ସକାରାତ୍ମକ ଭାବରେ କ୍ଷମତା ଭିତରକୁ ଆସି କିଛି କରିବାର ଅବଶ୍ୟ ରହିଛି ବୋଲି ଦେଶବାସୀଙ୍କୁ କିଛି ଦେଖାଇ ଦେଇ ପାରିବେନାହିଁ, ସେହି ଧନ୍ଦାଟି କ୍ରମେ ଚିଟା ଲାଗିଲା ଏବଂ ଅବସାଦ ଆଣି ଦେଇଥିଲା । ନାଇଁ, ଚାଲ ଏଥର ସରକାର ଭିତରକୁ ଯିବା, ସରକାରୀ ହେବା ଏବଂ ନାନା ଶ୍ଳଥତା ହେତୁ କଂଗ୍ରେସ ଦଳ ଯାହା କରି ପାରୁନାହିଁ, କଂଗ୍ରେସରେ ଯୋଗ ଦେଇ ଆମେ ଏକକ ଭାବରେ ଅନ୍ୟଭଳି ପ୍ରକୃତରେ କିଛି କରିବା ଓ ଦେଶବାସୀଙ୍କର ଦୃଷ୍ଟି ଆକର୍ଷଣ କରିବା । ଏହିପରି ଭାବରେ ଆମେ କଂଗ୍ରେସ ଭିତରେ ଥାଇ କଂଗ୍ରେସ ଉପରେ ବିଜୟଲାଭ କରିବା ଏବଂ ଦୃଶ୍ୟପଟଟିକୁ ଆଉପ୍ରକାରେ କରିଦେଇ ପାରିବା । ଏହିପରି କିଛି ନୂଆ ସିଦ୍ଧାନ୍ତ କେତେକଙ୍କୁ ସତେଅବା ଏକ ନୂତନ ଉତ୍ସାହ ଓ ଆଶାବାଦୀ ସାହସ ଆଣି ଦେଇଥିଲା, ଏକ ନୂଆ ପ୍ରତ୍ୟୟର ପ୍ରେରଣା ଦାନ କରିଥିଲା । ଖୁବ୍ ସମ୍ଭବ ଜାତୀୟ ସ୍ତରରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ କିଛି ଥୋପ ମଧ୍ୟ ପକାଇଥିବେ । ସବାଆଗ ଶ୍ରୀ ଅଶୋକ ମେହେଟା କଂଗ୍ରେସରେ ଯୋଗ ଦେଲେ, ମନ୍ତ୍ରୀ ହେଲେ । ସେହି ପ୍ରବାହରେ ରାଜ୍ୟରେ ମଧ୍ୟ ଏକ ଅନୁରୂପ ପ୍ରତିଫଳନ ପଡ଼ିଥିଲା । କେତେଜଣ ମନ୍ତ୍ରୀ ହେଲେ । ଆଉ କେହି ଆଉ କ’ଣ ସବୁ ହେଲେ । ଏକ ନୂତନ ଆହବ ମଧ୍ୟରେ ପ୍ରବେଶ କରିଥିଲେ ।

 

ହଁ, ସମସ୍ତେ ନୁହନ୍ତି, କେତେ ଜଣ । ଜାତୀୟ ଓ ରାଜ୍ୟ ଉଭୟ ସ୍ତରରେ । ଏବଂ ଅନ୍ୟମାନେ ରହିଗଲେ । ମଙ୍ଗି ପାରି ନଥିଲେ । ସେହି ଅନ୍ୟମାନେ ଚାଲିଯିବା ପରେ ଏହି ଆଗ ଘରଟି ମଧ୍ୟରେ ରହିଥିବା ଆଜ୍ଞାମାନେ ଆପଣାକୁ ପ୍ରକୃତ ସୋସିଆଲିଷ୍ଟ ବୋଲି ଘୋଷଣା କଲେ । ଭାରତୀୟ ସ୍ତରରେ ମଧ୍ୟ ସବାବଡ଼ମାନେ ତଥାପି ସେହି ପୁରୁଣା ପଇତାଟି ପକାଇ ସରକାରୀ ଶିବିରର ବିରୋଧ କଲେ । ଆପଣାର ଆଗସାଥୀମାନଙ୍କୁ ବିଶ୍ଵାସଘାତକ ବୋଲି କହି ଉଲୁଗୁଣାମାନ ଦେବାକୁ ଆଉ କ’ଣ ପାଇଁ କୌଣସି ବାଧା ରହିଥାନ୍ତା ! ଗୋଟାଏ ଘରର ଭାଇମାନେ ଭିନେ ହେଲେ ଯେପରି ଅସୂୟାମାନେ ପ୍ରାୟ ପୂରା କୌଣସି ସତ୍ୟକୁ ମାନି ପରସ୍ପରର ଗଇ ଖୋଜନ୍ତି, ଅନେକ ଅର୍ଥରେ ସେହିପରି । ବାହାରର ଏକ ଆବରଣ ପରି କାମରେ ଲାଗିବାକୁ ତଥାକଥିତ ସୈଦ୍ଧାନ୍ତିକ ପାର୍ଥକ୍ୟ ନିଶ୍ଚୟ କିଛି ଥିଲା, ତଥାପି ନ୍ୟାୟତଃ ବ୍ୟକ୍ତିସ୍ତରୀୟ ରୋଷଟା ହିଁ ଭାରି ପଦାରେ ପଡ଼ି ଯାଉଥିଲା । ଯିଏ ଗଲେ, ସେମାନେ ଜାତି ହରାଇଲେ,-ଆମେ ହିଁ କୁଳର ହୋଇ ଯାହା ରହିଛୁ । ସଂଶୟଟା ଅଧିକରୁ ଅଧିକ ଗାଢ଼ ହୋଇ କିଛି ଏହି କୁଳରେ ରହିଥିବା ବ୍ୟକ୍ତିମାନେ ଅନ୍ୟ ଯୂଥଟିକୁ ସେମାନେ ହୁଏତ ଲୋଭରେ ପଡ଼ି ଯାଇଛନ୍ତି ବୋଲି ଭାବିବାଲାଗି ଉତ୍ସାହିତ ହେଲେ । ଏହିପରି ଭାବରେ ଦୂରତାଗୁଡ଼ିକ ଆହୁରି ଆହୁରି ବୃଦ୍ଧି ପାଇବା ନିମନ୍ତେ ମଧ୍ୟ ଖୁବ୍ ମୁହଁପାଇ ଯାଇଥିବେ । ପୁଣି, ଅମାର୍ଗରେ ପଡ଼ି ଯାଇଥିବା କଂଗ୍ରେସକୁ ଅସଲ ଲକ୍ଷ୍ୟପୂରଣର ମାର୍ଗକୁ ଆଣିବାରେ କ’ଣ ବା ସଫଳ ହେଲେ । ସେମାନେ ବରଂ ସେଇ ପୁରୁଣାଟି ଭିତରେ ହିଁ ନିଜକୁ ମନାଇନେଲେ । ବହୁ ବାସ୍ତବତା ଭିତରେ ଥଙ୍ଗମଙ୍ଗ ହେଉ ହେଉ କେତେବେଳେ ଯେ ସେଇଟି ମଧ୍ୟକୁ ମଙ୍ଗୁଳା ହୋଇଗଲେ, ସେକଥାଟିକୁ ହୁଏତ ଆପେ ମଧ୍ୟ ଜାଣି ପାରିଲେ ନାହିଁ । ଅଥବା, ଜାଣି ଜାଣିଲେ ନାହିଁ ।

 

ଓଡ଼ିଶାରେ ମଧ୍ୟ ସେହି ଆକୁଳ-ବ୍ୟାକୁଳ ଘଟଣାମାନଙ୍କର ପୁନରାବୃତ୍ତି କାହିଁକି ବା ନହୋଇଥାନ୍ତା । ଯେଉଁ ଉପର ମାର୍କାର ସାଥୀମାନେ କଂଗ୍ରେସ ପଟକୁ ଚାଲି ଯାଇଥିଲେ, ସେମାନେ ହୁଏତ ଏକ ପ୍ରକାର ତରିଗଲେ ଅର୍ଥାତ୍ ଅନ୍ୟନିଷ୍ଠ ହୋଇ ରହିଲେ । ମାତ୍ର ଯେଉଁମାନେ ଘରେ ରହିଲେ, ସେମାନେ ମଧ୍ୟ ଏକମେଳ ଏକମନ ହୋଇ ବା କୁଆଡ଼ୁ ରହିପାରିଲେ ! ତା’ ଭିତରୁ ମଧ୍ୟ କ୍ରମଶଃ ନିଜକୁ ଖାସ୍ ବଡ଼ ଅର୍ଥାତ୍ ଖାସ୍ ଅରିଜିନାଲ୍ ପରି ମଣିଲେ ଏବଂ ଆପଣାର କେତେ ପାଖ ଅର୍ଥାତ୍ ଅନୁଗତଙ୍କୁ ନେଇ ଅଲଗା ଗୋଟିଏ ଗୋଟିଏ ଡିହ ସକିଲ୍ କରି ନେଇଥିଲେ-। ଏହିପରି ଭାବରେ ସମାଜବାଦୀ ସକ୍ରିୟତାର ସମଗ୍ର ମଣ୍ଡଳଟି ଭିତରେ ସାନ ସାନ ମଠଗୁଡ଼ିକ ଜନ୍ମଲାଭ ମଧ୍ୟ କଲା କି ? ଏବଂ, କୁଆଡ଼େ ଗଲା ସମାଜବାଦ ଓ ସମାଜବାଦୀ ସାଧୁତାର ସେହି ମୋଟା ଅତିସହଜ ମାର୍ଗଟି । ରାଜନୀତିର ସବାମୂଳ ପାଞ୍ଜିଟା ଯାହା ଅବଶ୍ୟ କହିବ, ସମାଜବାଦୀ ଯାବତୀୟ କଳ୍ପନାରେ ତ ମନୁଷ୍ୟମାନେ ପରସ୍ପରକୁ ଲୋଡ଼ିବେ ଏବଂ ଯାହାକିଛି ହେବ, ସେଥିରେ ସମସ୍ତଙ୍କୁ ଲୋଡ଼ାଯିବ ଏବଂ ସମସ୍ତଙ୍କୁ ଏକତ୍ର ଗୋଟିଏ ନିୟତି ମଧ୍ୟରେ ସମ୍ଭାରି ରଖି ଯାହାକିଛିର ଯୋଜନା ବା ଜଳ୍ପନା କରାଯିବ । ସମାଜବିଜ୍ଞାନର ସର୍ବମୂଳ କଥାଟି ମଧ୍ୟ ସବୁବେଳେ କହିବ ଯେ, ଜଣେ ବ୍ୟକ୍ତି ଯେତିକି ଅଧିକ ସୁସ୍ଥ ଓ ସମଗ୍ର ଭାବରେ ଆପଣାକୁ ଜଣେ ବ୍ୟକ୍ତିରୂପେ ଆବିଷ୍କାର କରିବ, ସିଏ ତା’ ଚାରିପାଖର ସହମଣିଷ ମାନଙ୍କୁ ସେତିକି ଅଧିକ ଲୋଡ଼ିବ, ଏବଂ ସେହି ସମସ୍ତଙ୍କ ନିମନ୍ତେ ନିଜକୁ ସେତେ ଉତ୍ତରଦାୟୀ ବୋଲି ଅନୁଭବ ମଧ୍ୟ କରିବ । ତେଣୁ, ଜଣେ ନେତା ଆପଣାକୁ ଜଣେ ସ୍ଵତନ୍ତ୍ର ବ୍ୟକ୍ତି ବୋଲି ଅନୁଭବ କଲେ ସିଏ ଯେ ସେହି କାରଣରୁ ଏକସିଙ୍ଗିଆ ହେବ, ତାହାର ଆଦୌ କାରଣ ରହିବା ଉଚିତ ନୁହେଁ-। ଯଦି ଜୀବନରେ ନହୁଏ, ତେବେ ରାଜନୀତିରେ ମଧ୍ୟ କାହିଁକି ହେବ ? ପୁନଶ୍ଚ, ସମାଜବାଦ ନାମକ ଏକ ଆଲୋକମୟ ଭବିଷ୍ୟର ଉତ୍‌ପ୍ରେରଣା ଆଣି ଦେଉଥିବା ବିଚାରଦର୍ଶନରେ ବିଶ୍ଵାସ କରୁଥିବା ଆମ ଖାସ୍ ମହୋଦୟମାନେ କେଉଁ ଦୁଃଖ ବା ଦୁର୍ଭାଗ୍ୟ ହେତୁ ଏତେଟିକିଏ ନିଜ ମନ ନମିଳୁଥିବା ପରି ଘ୍ରାଣ କରିବା ମାତ୍ରକେ ନିଜର ଗୋଟିଏ ଅଲଗା ଖଳା କରିନେଇ ତାହାରି ଭିତରେ ବେଙ୍ଗଳା ବୁଲିବା ସକାଶେ ପ୍ରକୃତରେ କାହିଁକି ବା ମନ କରିବେ ?

 

ହଁ, ଆମ ରାଜନୀତିର ଖଳାଟିରେ ସତେଅବା କେବଳ ଆପଣାର ଗଉଣୀ ଓ ପସୁରିଗୁଡ଼ିକୁ ଭରିବାରେ ଲାଗିଥିବା ଏହି ମନୁଷ୍ୟମୂର୍ତ୍ତି ମାନଙ୍କୁ ପ୍ରକୃତରେ ମୋଟେ ବୁଝି ହୁଏନାହିଁ । ସମାଜବାଦକୁ ବୁଝିହୁଏ ସିନା, ମାତ୍ର ସମାଜବାଦୀ ଆଜ୍ଞାମାନଙ୍କୁ ବୁଝୁ ହୁଏନାହିଁ । ଠିକ୍ ଯେପରି ରାଜନୀତିକୁ ହୁଏତ ବୁଝିହୁଏ, କିନ୍ତୁ ରାଜନୀତିସ୍ଥ ସାହୁକାରମାନଙ୍କୁ ବୁଝି ହୁଏନାହିଁ । ନିଷ୍ଠାର ଅଭାବ ନଥାଏ, ତ୍ୟାଗର ଅଭାବ ନଥାଏ,-ତଥାପି ଏକୁଟିଆ, ଏକାଚାରୀ; ତେଣୁ ଅତିଚାରୀ । ଏହାହିଁ ଠିକ୍, ଏକମାତ୍ର ଏଇଟି । ପ୍ରାୟ ଏକ ଦୁରାଗ୍ରହୀ ଅନମନୀୟତା ସେମାନଙ୍କୁ ଏକାବେଳେକେ ଜାବୁଡ଼ି ରଖିଥିଲା ପରି ସେମାନେ କେବଳ ଏଡେବଡ଼ ଆକାଶଟାରେ ସତେଅବା ଗୋଟିଏମାତ୍ର ତାରାକୁ ହିଁ ଦେଖିପାରନ୍ତି । ସତେଅବା ତାରାଟିକୁ ହିଁ ସମଗ୍ର ଆକାଶ ବୋଲି ଦେଖୁଥାନ୍ତି କି ? ଏଡ଼େବଡ଼ ପୃଥିବୀଟିରେ ଯଦି ପ୍ରକୃତରେ କୌଣସି ନବରଚନା ହେବ, ତେବେ ତାହା କେବଳ ଜଣକର ବ୍ୟାଖ୍ୟାଦ୍ଵାରା ଯେ କେବେହେଲେ ହେବନାହିଁ, ଏହି ସାଧାରଣ ସାମାନ୍ୟ କଥାଟିକୁ ଆମ ଶିଷ୍ଟ ଏବଂ ସମ୍ମାନନୀୟମାନେ ଯେ ସହଜରେ ବୁଝନ୍ତିନାହିଁ, ସେହି କାରଣରୁ ବିଚରା ଆମ ପୃଥିବୀଟାକୁ ପ୍ରାୟ ସକଳ ଅବସରରେ ତୁଚ୍ଛା କୁହୁଡ଼ି ପହଁରିବାକୁ ପଡ଼ିଥାଏ କି ? ବାରମ୍ବାର ହିଁ ଧୋକା ହୋଇ ଯାଉଥାଏ, ଚକଗୁଡ଼ିକ ବଦଳି ପାରନ୍ତିନାହିଁ । ଏହି ନେତାମାନେ ମଧ୍ୟ କୋଉ ଅମର ହୋଇ ରହନ୍ତି-? ଚାଲ କହିବା ତ କୋଉସବୁ କାରଣରୁ ଏପରି ହୁଏ ? ସତ୍ୟମାନେ ଓ ସ୍ଵପ୍ନମାନେ କାହିଁକି ମାଡ଼ ଖାଇ ଯାଉଥାନ୍ତି ? କିଛି ନା କିଛି ମୋହଭଙ୍ଗ ଅବଶ୍ୟ ହେଉଥିବ । ମାତ୍ର, ସେହି ମୋହଭଙ୍ଗମାନ ଆମ ଆଗୁଆ ଏହି ପ୍ରବୀଣମାନଙ୍କୁ ଆଉକୌଣସି ଅନ୍ୟ ମୋହରେ ନେଇ ପକାଇ ଦେବାରେ ଲାଗିଥାଏ କି ? ଏବଂ, ସତକୁ ସତ ଯେପରି ହୋଇଥାଉ ପଛକେ, କୌଣସି ବିଧାତା ଯେ ପ୍ରତିହିଂସାପ୍ରଣୋଦିତ ହୋଇ ପୃଥିବୀକୁ ଏହିପରି ଚେଙ୍ଖ ପରେ ଚେଙ୍ଖ ଦେବାରେ ଆନନ୍ଦ ଲାଭ କରୁଥିବ, ସେକଥା ମୋଟେ ସତ ନୁହେଁ । ବିଧାତା ତ ବରଂ ଅନ୍ୟପକ୍ଷରେ ଅନୁକ୍ଷଣ ଏହିପରି ଏକ ଆଶାରେ ଅପେକ୍ଷା କରି ରହିଥିବେ ଯେ, ପୃଥିବୀର ମନୁଷ୍ୟମାନେ ସବୁଦିନ ଲାଗି ଅସମର୍ଥ ଶିଶୁଟିଏ ପରି ନେତା ନିର୍ଭର ହୋଇ ରହିବାଲାଗି କଦାପି ଇଚ୍ଛା କରିବେନାହିଁ; ଅର୍ଥାତ୍ ଏକ weaning ଅବଶ୍ୟ ଘଟିବ ଏବଂ, ସେମାନେ ନେତାମାନଙ୍କ ଅପେକ୍ଷା ମେଳଟି ଉପରେ ଅଧିକ ବିଶ୍ଵାସ ରଖିବେ । ଆଗ ମେଳ, ତା’ପରେ ନେତା । ମେଳଟି ପାଇଁ ନେତୃତ୍ଵ । ତା’ନହେଲେ ସବୁକିଛି ବିଗିଡ଼ି ଯିବ । ଖାଲି ନାନା ଅପୂର୍ଣ୍ଣତାରେ ଭରା ଏହି ମର୍ତ୍ତ୍ୟରେ ନୁହେଁ, ସ୍ଵର୍ଗରେ ମଧ୍ୟ ।

 

ଗୋଟାଏ ବ୍ୟାଖ୍ୟା କେଉଁପରି ଏକମାତ୍ର ଠିକ୍ ବ୍ୟାଖ୍ୟା ବୋଲି ନିଜକୁ ଦାବି କରିପାରିବ ଏବଂ ଗୋଟାଏ ମାର୍ଗ ମଧ୍ୟ କିପରି ଆପଣାକୁ ଏକମାତ୍ର ଠିକ୍ ମାର୍ଗ ବୋଲି ଦାବି କରି ପାରିବ ? ପୃଥିବୀର ଇତିହାସରେ ଯେତେବେଳେ ଏପରି ଦାବିମାନ କରାହୋଇଛି, ସେତେବେଳେ ତାହା କୌଣସି ସୁସ୍ଥ ବିବେକ ଅନୁସାରେ ନୁହେଁ, ଅହନ୍ତା ବଳରେ ହୋଇଛି । ରାଷ୍ଟ୍ରୀୟ ଜୀବନକୁ ଏକଛତ୍ରବାଦ ମାଡ଼ିବସିଛି । ଏବଂ ସେହିପରି କିଛି କାରଣରୁ ଦୁଇଜଣ ନେତା ଏକାଠି ରହିନପାରି ଏକ ଅନ୍ୟ କୋପନର ବଶବର୍ତ୍ତୀ ହୋଇ ଦୁଇଟା ଟାପୁରେ ଅଲଗା ଅଲଗା ସର୍ବଚକ୍ରବର୍ତ୍ତୀ ହୋଇ ରହିବାକୁ ଇଚ୍ଛା କରିଛନ୍ତି । ଆମ ସାଂସ୍କୃତିକ ଭାବପ୍ରବଣତାର ସଂସାର ଭିତରେ ଯାହାକୁ ଖୁବ୍ ପୁଲକ ସହିତ ବୀରପୂଜା ବୋଲି ଅନେକ ସମୟରେ କୁହାଯାଇଛି, ସେଥିଲାଗି ଆମେ ପ୍ରକୃତରେ କାହାକୁ ଧନ୍ୟବାଦ ଦେବା ? ଅସଲ ବୀରମାନେ କେବେହେଲେ ଅନ୍ୟମାନେ ଯେଉଁଠି ସେଇଠି ଯେପରି ସେହିପରି ହୋଇ ରହନ୍ତୁ ଏବଂ ମୋତେ ପୂଜା କରୁଥାନ୍ତୁ ବୋଲି କଦାପି ଇଚ୍ଛା କରିନଥିବେ । ସେମାନେ ତ ପ୍ରତ୍ୟେକ ମନୁଷ୍ୟ ଭିତରେ ସତକୁ ସତ ଏକ ବୀରର ହିଁ ଆବିଷ୍କାର କରିଥିବେ ଏବଂ ସେଇଟି ମଧ୍ୟ ବାହାରକୁ ଉତ୍‌ପ୍ରେରିତ ହୋଇ ଆସୁ ବୋଲି ପ୍ରୟାସ କରିଥିବେ । ରାଜନୀତି କ୍ଷେତ୍ରରେ ମଧ୍ୟ କ’ଣ ପାଇଁ ସେହିପରି ନହୋଇ ପାରିବ । ପୃଥିବୀରୁ ଯହୁଁ ଯହୁଁ ରାଜାମାନେ ବିଦା ହୋଇ ଯାଇଛନ୍ତି ଏବଂ ଲୋକତନ୍ତ୍ରର ବାସନାମାନ ଆସି ବାଜିଛି, ପ୍ରକୃତରେ ତହୁଁ ତହୁଁ ସତେଅବା ଯାବତୀୟ ବ୍ୟବସ୍ଥାର ଚକଟି ପୂରା ଆଉଗୋଟିଏ ଅନ୍ୟ ଆକାଂକ୍ଷା ଆଡ଼କୁ ମୋଡ଼ି ହୋଇ ଯାଇଛି । ବରଂ, ଏପରି ଅଧିକ ନିର୍ଭୁଲ ଭାବରେ କୁହାଯିବା ଉଚିତ ଯେ, ମନୁଷ୍ୟ ଚେତନାର ଗର୍ଭଗୃହରେ ଏପରି ଏକ ଶକ୍ତିମତ୍ତା ଜନ୍ମଲାଭ କରିଛି, ଯାହାକି ସକଳ ଅର୍ଥରେ ଏକାବେଳେକେ ତା’ କାଳଟି ଠାରୁ ଅନ୍ୟ ଏକ ଉଦ୍‌ବୋଧନ ପାଇଛି ଏବଂ ରାଜସତ୍ତାକୁ ହଟାଇ ଦେଇଛି ।

 

ଗଣତନ୍ତ୍ର ଅର୍ଥାତ୍ ଲୋକଶାସନର କ୍ରମବିକଶମାନତାର ପ୍ରକ୍ରିୟାରେ ସମାଜବାଦର ଆବିର୍ଭାବ ହୋଇଛି । ପ୍ରାଥମିକ ଅବସ୍ଥାରେ ତ ଗଣତନ୍ତ୍ର ତଥାପି ଅଧିକ ଅଳପଙ୍କର ହାତରେ କ୍ରୀଡ଼ନକପ୍ରାୟ ହୋଇ ରହିଥିଲା । ବେଶ୍ ରାଜକୀୟ ଏକଧାରାରେ ଚାଲିଥିଲା । ପୁଞ୍ଜିବାଦ ଥିଲା, ଶୋଷଣ ମଧ୍ୟ ରହିଥିଲା, ଏବଂ ନୂତନ ବିଜ୍ଞାନକୌଶଳ ଗୁଡ଼ିକ ମାତ୍ର ଅଳପଙ୍କର ଅଧିକ ସୁଯୋଗପ୍ରାପ୍ତି ନିମନ୍ତେ ବ୍ୟବହୃତ ହେଉଥିଲା । ଇଉରୋପର ଗଣତନ୍ତ୍ରୀ ଦେଶମାନେ ତେଣୁ ଉପନିବେଶ ମାନଙ୍କରେ ନାନାବିଧ ନୃଶଂସତା ଅର୍ଥାତ୍ ଅମାନବୀୟତା କାରଣ ହୋଇ ରହିଥିଲେ । ସମାଜବାଦ ତାହାକୁ ଏକ ଅନ୍ୟ ଆହ୍ଵାନ ଦେଇ ଆବିର୍ଭୂତ ହେଲା : ସବୁ ମଣିଷଙ୍କର ମୁକ୍ତିର କଥା କହିଲା,–ଶ୍ରମିକମାନଙ୍କ କଥା କହିଲା; ଅର୍ଥାତ୍ ଶ୍ରମିକକୁ ସର୍ବାଧିକ ମର୍ଯ୍ୟାଦା ଦେଇ ଏକ ଅନ୍ୟ ଅର୍ଥନୀତି ଓ ଅନ୍ୟ ରାଜନୀତି କଥା କହିଥିଲା । ସେଇ ଅନ୍ୟ ବାସ୍ତବାୟନ ନିମନ୍ତେ ସମ୍ମାନ-ସଚେତନ ହୋଇ ଏକ ସଂଗ୍ରାମରେ ଏକତ୍ର ହୋଇ ବାହାରିବା ସକାଶେ ଏପର୍ଯ୍ୟନ୍ତ ବଞ୍ଚିତ ଓ ବିସ୍ମୃତ ହୋଇ ରହି ଆସିଥିବା ମନୁଷ୍ୟମାନଙ୍କୁ ବଳ ଆଣି ଦେଲା । ଏକ ସର୍ବମାନବୀୟ ବିଶ୍ଵଚେତନାର ଉଦ୍‌ବେଳନ ଘଟାଇଥିଲା । ଜାତୀୟତାବାଦକୁ ତଦ୍ଦ୍ଵାରା ଖୁବ୍ ଅଳପ ବୋଲି ଘୋଷଣା କଲା । ଭାରତବର୍ଷ ନାମକ ଏହି ବୃହତ୍ ଉପନିବେଶଟିରେ ସେଥିଲାଗି ୧୯୪୨ ମସିହା ଅଗଷ୍ଟରେ ଯେଉଁ ସଂଗ୍ରାମଟି ବିଦେଶୀ ଆଧିପତ୍ୟ ବିରୋଧରେ ହେଲା, ସେଥିରେ ଦେଶର ସମାଜବାଦୀ ଶିବିରଟି ହିଁ ଏତେ ଆଗୁଆ ହୋଇ ବାହାରି ଆସିଥିଲା । ଏବଂ, ଦେଶର ମଣିଷମାନଙ୍କୁ ସବାଆଗ ମନୁଷ୍ୟର ମର୍ଯ୍ୟାଦା ଦେଇ ସ୍ଵୀକାର କରୁଥିବାରୁ ଦେଶବିଭାଜନର ସେହି ଅରାଜନୀତିଟାକୁ ମଧ୍ୟ ମୋଟେ ମାନି ନେଇ ନଥିଲା ।

 

ଏଡ଼େ ପ୍ରତିଭାଧାରୀ ସମାଜବାଦୀ ଆନ୍ଦୋଳନ ଅର୍ଥାତ୍ ଆହ୍ଵାନଟି ଶେଷରେ କାହିଁକି ପୁଣି ଏତେସରି ହେଲା ? ସାରା ଦେଶରେ ଏବଂ ଆମର ଏହି ରାଜ୍ୟରେ । ସବାଆଗର ବୀର ଜୟପ୍ରକାଶଙ୍କ କଥା ଆମେ କିଞ୍ଚିତ୍ ପରେ ପକାଇବା । ଭାରତବର୍ଷ ନାମକ ଆମର ଏହି ଦେଶରେ ସମାଜବାଦ ହିଁ ପଥ ବୋଲି ପ୍ରତିପାଦିତ କରି ରାଜନୀତିର ସଂହିତାଟିକୁ ଲେଖି ସଂପୂର୍ଣ୍ଣ ଦେଶର ଦୃଷ୍ଟି ଆକର୍ଷଣ କରିଥିବା ଜୟପ୍ରକାଶ କ’ଣ ପାଇଁ ଅର୍ଥାତ୍ କେଉଁ ଗରଜରେ ପଡ଼ି ନିଜ ଭିତରୁ ହିଁ ଅନ୍ୟମନସ୍କ ହେଲେ ଏବଂ ସଂଶୟବାଦୀଟିଏ ପରି ବାର ଏଣେତେଣେ ହେଲେ, ସିଏ ତା’ପରେ ହୁଏତ ପୂର୍ଣ୍ଣ ପ୍ରତ୍ୟୟ ଦେଇ ନିଜକୁ ମଧ୍ୟ ବୁଝାଇ ଦେଇ ପାରିନଥିବେ । ସେହି ଅଖିଳ ଭାରତୀୟ ସ୍ତରର ତାଙ୍କର ଆଉ କେତେଜଣ ନେତା ମଧ୍ୟ ନିଜ ନିଜ କାଇଦାରେ ବାବାଜୀ ହେଲେ । ରାଜନୀତି ନିମନ୍ତେ ପୂରା ହଜିଗଲେ । ଏବଂ, ଓଡ଼ିଶାରେ ଆଗୁଆଗଣ ସେମାନଙ୍କ ଗହଣରୁ ଖସିଯାଇ କଂଗ୍ରେସରେ ଯୋଗଦେଲେ ଏବଂ କଂଗ୍ରେସକୁ ସମାଜବାଦୀ ବନାଇବେ ବୋଲି କହି ବସ୍ତୁତଃ କଂଗ୍ରେସରୂପକ ସେହି ବିମ୍ବରଟା ଭିତରେ ଦେଖୁଁ ଦେଖୁଁ ଖପି ଯାଉଦେବାର ଦେଖି ସମ୍ଭବତଃ କେବଳ ନିଜକୁ ଛାଡ଼ି ଆଉ କାହାକୁ ବିଶ୍ଵାସ କରି ପାରିଲେ ନାହିଁ ଓ ଅଲଗା ଅଲଗା ନାମରେ ଡିହ ମାରି ସେଇଟିକୁ ହିଁ ଏକମାତ୍ର ରେଜେଷ୍ଟ୍ରୀଭୂତ ସମାଜବାଦୀ ଆସ୍ଥାନ ବୋଲି ଘୋଷଣା କରିଥିଲେ । ପରିପୂର୍ଣ୍ଣ ନିଷ୍ଠାରେ ଏବଂ ଏକ ପରିପୂର୍ଣ୍ଣ ସୈଦ୍ଧାନ୍ତିକ ଶୁଦ୍ଧତାଜ୍ଞାନରେ । ସେମାନେ ଖୁବ୍ ଆତ୍ମସନ୍ତୋଷ ଯେ ଅବଶ୍ୟ ଲାଭ କଲେ ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଖୁବ୍ ଏକୁଟିଆ ହୋଇଗଲେ । ଏକୁଟିଆ ହୋଇଯିବାରୁ ସମ୍ଭବତଃ ସର୍ବାଧିକ ଆତ୍ମସନ୍ତୋଷ ଲାଭ କରିଥିବେ । ଅନେକ ନିଷ୍ଠାପର ସିଦ୍ଧାନ୍ତସଚ୍ଚା ବ୍ୟକ୍ତି ପୃଥିବୀରେ ସବୁବେଳେ ଥାଆନ୍ତି, ଯେଉଁମାନେ କି ନିରଙ୍କୁଶ ହୋଇପାରିଲେ ଯାଇ ଆତ୍ମସନ୍ତୋଷ ଲାଭ କରନ୍ତି । ଇପ୍ସିତ ଆଦର୍ଶଟାର ଏକମାତ୍ର ସଚ୍ଚା ମାର୍ଗପ୍ରଦର୍ଶକ ହୋଇ ପରିଚର୍ଯ୍ୟା କରୁଛନ୍ତି ବୋଲି ନିଶ୍ଚୟ ଭାବି ଆନନ୍ଦ ପାଆନ୍ତି ଏବଂ ଆତ୍ମସନ୍ତୋଷ ଲାଭ କରନ୍ତି । ଆଦର୍ଶର ପରିଚର୍ଯ୍ୟା କରିବା ଦ୍ଵାରା ସେମାନେ ବସ୍ତୁତଃ ନିଜର ହିଁ ପରିଚର୍ଯ୍ୟା କରୁଥାନ୍ତି କି ? ଆଦୌ କୌଣସି ସାମାଜିକ ଆଦର୍ଶକୁ ସମ୍ମୁଖରେ ଥାପି ବାଟ ଚାଲୁଥିବା ଚେତନାଟିଏ ତ ସବାଆଗ ଅନ୍ୟ ସାଥୀମାନଙ୍କୁ ଖୋଜିବ ଏବଂ ଆହୁରି ବହୁତଙ୍କ ସହିତ ନିମିତ୍ତ ହୋଇ ଏକ ବୃହତ୍ତର କ’ଣଟିଏ ପାଇଁ ଜୀବନ ବଞ୍ଚୁଛି ବୋଲି କେଡ଼େ ଆଶ୍ଵସ୍ତ ମଧ୍ୟ ଅନୁଭବ କରିବ-। ସିଏ ଖୁସି ହୋଇ ଅନ୍ୟ ସେହି ସାଥୀମାନଙ୍କ ପାଇଁ ଏକାଧିକ ଅର୍ଥରେ ନିମିତ୍ତଟିଏ ହେବାରେ ମଧ୍ୟ କଦାପି କୁଣ୍ଠିତ ହେବନାହିଁ । ଆମର ସମାଜବାଦୀ ଏହି ବିଶିଷ୍ଟମାନେ ତେଣୁ ଆପଣାର ରାଜନୀତିକ ମେଳଟିରେ ହୁଏତ ପ୍ରତ୍ୟେକ ଜଣେ ଜଣେ ରାଜା ସଦୃଶ ହୋଇ ଆଉ କିଛି ମନାସ ରଖିଥିଲେ କି ? ଏବଂ, ଗୋଟାଏ ବୃତ୍ତ ଭିତରେ ଏକାବେଳେକେ ଏତେଏତେ ରାଜାଙ୍କ ଲାଗି ଥାନ ହୋଇ ପାରିଲାନାହିଁ ବୋଲି ଗୋଟିଏ ବାଧ୍ୟ ହୋଇ ବିଭାଜିତ ହେଲା ଓ ବିଭାଜିତ ହୋଇ ବହୁ ଖଞ୍ଜାରେ ପରିଣତ ହୋଇଗଲା କି ?

 

ଓଡ଼ିଶାରେ ଏହି ସୁମାରିରେ ଦ୍ଵିତୀୟ ପୀଠଟି ହେଉଛି ସର୍ବୋଦୟର ମାର୍ଗଟି । ଆହ୍ଵାନ ଓ ଆନ୍ଦୋଳନଟି ଲୋକଶକ୍ତିର ଜାଗରଣରେ ଏକ ଶକ୍ତିସଂକ୍ରମଣର ସଚେତନତା ଏବଂ ତାହାକୁ ମୂଳ କରି ଗୋଟିଏ ଆହ୍ଵାନ ଏବଂ ଆନ୍ଦୋଳନ । ଏବଂ, ତାହାରି ବଳରେ ଏକ ଅନ୍ୟ ସମାଜ, ଏକ ଅନ୍ୟ ଅଧ୍ୟାତ୍ମ ଏବଂ ଅନ୍ୟ ସଂହତି । ଏବଂ, ନ୍ୟାୟତଃ ତଳୁ,-ଏକାବେଳେକେ ଏକ ଅନ୍ତ୍ୟୋଦୟ ଏବଂ ଅନ୍ତ୍ୟୋଦୟ ଦ୍ଵାରା ସର୍ବୋଦୟ । ମୂଳଦୁଆଟି ହିଁ ଏଥିରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ନେତାମାନେ ଅବଶ୍ୟ ରହିବେ,-ମାତ୍ର ସେହି ଉପରେ ଥାଇ ଡେଣା ବିସ୍ତାର କରି ତଥାକଥିତ ଅବରମାନଙ୍କୁ ମୋଟେ ଗିଳିପକାଇ ନୁହେଁ । ସେହି ଦୃଷ୍ଟିରୁ କହିଲେ, ଆମର ଏହି ଚଳନ୍ତି ରାଜନୀତିଟାରେ ଯେପରି ନେତାମାନେ ହିଁ ଆଗତୁରା ଅଲଗା ବସି ପନ୍ଥାଗୁଡ଼ିକର ନିର୍ଣ୍ଣୟ କରିଦିଅନ୍ତି ଏବଂ ଅନୁଗାମୀ ନିମ୍ନସ୍ତରଟି ତାହାକୁ କାର୍ଯ୍ୟକାରୀ କରନ୍ତି, ସର୍ବୋଦୟରେ ସେପରି ନୁହେଁ । ସମସ୍ତେ ନେତା ଏବଂ ସମସ୍ତେ କର୍ମୀ । ସେହି ହିସାବରେ ହିଁ ଏକ ପାରସ୍ପରିକତା ଏବଂ ପାରସ୍ପରିକତାକୁ ମୂଳ କରି ଧରି ହିଁ ଯାହା କିଛି କ୍ରିୟାଶୀଳତା । ଏକ ଅନ୍ୟ ବୁଝାମଣା, ଅନ୍ୟ ସହନଶୀଳତା । ଅଧିକ ଯୋଗ୍ୟ ଅବଶ୍ୟ ରହିବେ, ମାତ୍ର ଖାସ୍ ସେଇଥିପାଇଁ ଅଧିକ ସହନଶୀଳ ହେବେ । ଅଧିକ ଜାଣିଥିବାମାନେ ଅଧିକ ବୁଝିବେ, ଅଧିକ ଗ୍ରହଣଶୀଳ ହେବେ । ବୁଝାଇବେ । ନହେଲେ ସର୍ବୋଦୟର ସେହି ମେଳଟିରେ କୌଣସି ପରଭା ଅର୍ଥାତ୍ ଉଜ୍ଜ୍ଵଳତା ହିଁ ରହିବନାହିଁ । ନେତା ରହିବେ, ଅବଶ୍ୟ ରହିବେ, କିନ୍ତୁ ଆପଣା ସହନଶୀଳତାର ଏବଂ ଅନ୍ୟ ସମସ୍ତଙ୍କୁ ଅଧିକ ଧୈର୍ଯ୍ୟର ସହିତ ବୁଝି ସାଙ୍ଗରେ ନେଇ ପାରୁଥିବାର ଗୁଣଟି ଦ୍ଵାରା କାର୍ଯ୍ୟତଃ ଆପେ ଆପେ ବାଛି ହୋଇଯିବେ । ବାରି ହୋଇଯିବେ ତଥା ସମ୍ମାନ ପାଇବେ । ସର୍ବୋଦୟରେ ନେତା ନେତା ଭିତରେ କୌଣସି ପ୍ରତିଯୋଗିତା ହୋଇ ପାରିବନାହିଁ । ଜଣେ ଆଉଜଣକୁ ଟପି ଯାଇ ଆଗକୁ ଚାଲିଯିବା ଲାଗି କୌଣସି ଅପଚେଷ୍ଟା କରିବନାହିଁ । ସେଇଥି ସକାଶେ ତ ପରିପୂର୍ଣ୍ଣ ବିବେକରେ ସର୍ବୋଦୟ ଗୋଟିଏ ପରିବାର ହୋଇ ପାରିବ । ସର୍ବୋଦୟର ସମାଜକଳ୍ପନାଟି ମଧ୍ୟ ଧର୍ମତଃ ଏକ ପରିବାର, ଅର୍ଥାତ୍ ସହଯୋଗୀ ପରସ୍ପର-ନିର୍ଭରତାର ନକ୍ସା ପ୍ରଦାନ କରୁଥିବାରୁ ସର୍ବୋଦୟ ଲାଗି ଏହି ଯାବତୀୟ ପ୍ରୟାସସ୍ତରରେ ମଧ୍ୟ ସେଇଟି ହିଁ ମୁଖ୍ୟ ନିର୍ଣ୍ଣାୟକ ହୋଇ ରହିଥିବ ।

 

ଦୁଇଶହରୁ କିଛି ଅଧିକ ବର୍ଷ ତଳର ଫରାସୀ ବିପ୍ଳବର କଥା ଏଠାରେ ସ୍ମରଣକୁ ଆସିଯାଉଛି । ଜନ୍ମମୁକ୍ତିର ଇତିହାସରେ ଏବେ ମଧ୍ୟ ସମଗ୍ର ପୃଥିବୀରେ ତାହା ହୁଏତ ସବୁଦିନ ନିମନ୍ତେ ଗୋଟିଏ ବିଶେଷ ଘଟଣା ହୋଇ ରହିଥିବ । ପ୍ରଜାମାନେ ଆଉ ରାଜତନ୍ତ୍ରର ଅବଜ୍ଞାକୁ ସହି ପାରିଲେନାହିଁ । ସେହି କ୍ରୋଧ ହିଁ ସେମାନଙ୍କ ଲାଗି ଆବଶ୍ୟକ ନେତୃତ୍ଵଟିଏ ସମ୍ଭବ କରି ଆଣିଥିଲା-। ଲକ୍ଷ୍ୟ ତିନୋଟି ଥିଲା । ସମାନତା, ମୁକ୍ତି ଏବଂ ଭ୍ରାତୃତ୍ଵ । ରାଜତନ୍ତ୍ରର ବିଲୋପ ହେଲା-। ସକଳ ଅର୍ଥରେ ଗୋଟିଏ ଯୁଗରେ ଅବସାନ ଘଟିଥିଲା । ତା’ପରର ବିଗତ ଦୁଇଶହ ବର୍ଷରେ ପୃଥିବୀଯାକ ମୁକ୍ତି ଏବଂ ସମାନତାର ସଂଗ୍ରାମଯାତ୍ରା ଲାଗି ରହିଛି । ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ବି ହୋଇଯାଉଛି ଯେ, ଆଉ ମନୁଷ୍ୟମାନେ ମୋଟେ ପଛକୁ ଫେରିବେନାହିଁ । ହଁ, ପରାଧୀନତା ଯାଉଛି, ଅସମାନତା ମଧ୍ୟ ଯାଉଛି । ରାଜନୀତିକ ଆର୍ଥିକ ତଥା ସାମାଜିକ ଏହି ତିନୋଟିଯାକ କ୍ଷେତ୍ରରେ । ମାତ୍ର ଭ୍ରାତୃତ୍ଵ କାହିଁ ? ସେହି ବିପ୍ଳବଟିର ଅବ୍ୟବହିତ ପରେ ମଧ୍ୟ ବିପ୍ଳବର ଅଗ୍ରଣୀ ବିଜୟୀମାନେ ସେମାନଙ୍କର ପତାକାର ସେହି ତୃତୀୟ ସ୍ଲୋଗାନ୍‌ଟିକୁ ସତେଅବା ଚାହୁଁ ଚାହୁଁ ଭୁଲି ଯାଇଥିଲେ ଏବଂ ଏତେ ଏତେ ଟିକିଏମାତ୍ର ଅମେଳ ଏବଂ ମତପାର୍ଥକ୍ୟ ହେତୁ ପରସ୍ପରକୁ ହାଣିବାରେ ଲାଗି ଯାଇଥିଲେ-। ଏବର ବିଶ୍ଵବ୍ୟବସ୍ଥାଟିରେ ମଧ୍ୟ ଭ୍ରାତୃତ୍ଵ କ’ଣ କେତେଦୂର ପ୍ରକୃତରେ ଦୃଷ୍ଟିଗୋଚର ହୋଇ ପାରୁଛି-? ଉପନିବେଶ–କାଳର ଶାସନ ତଥା ଶୋଷଣ ଚାଲିଯିବା ପରେ ମଧ୍ୟ ନୂଆ ନୂଆ ପରିଚ୍ଛଦ ପରିଧାନ କରି ସେହି ଔପନିବେଶିକ ବଳାତ୍କାରମାନ ଲାଗି ରହିଛି-। ଉଭୟ ରାଜନୀତିକ ଏବଂ ଆର୍ଥିକ ବଳାତ୍କାର । ସେହି ଖାସ୍ ନଜରଗୁଡ଼ିକୁ ପୂରା ବଜାୟ ରଖି ନୂଆ ନୂଆ ମେଣ୍ଟ ଗଢ଼ି ଉଠୁଛି । ବିଶ୍ଵବିତ୍ତର ବଣ୍ଟନରେ ହିଁ ନ୍ୟାୟଅଂଶଟା ଯାଇ କେଉଁଠାରେ ରହିଛି-। ତଥାକଥିତ ବିକଶିତ ରାଷ୍ଟ୍ରପୁଞ୍ଜ କମ୍‌ ବିକଶିତ ରାଷ୍ଟ୍ରଗୁଡ଼ିକୁ ଅଧିକ ପାରଙ୍ଗମ ଭାବରେ ଅସମର୍ଥ କରି ରଖିବାର ଅଭିପ୍ରାୟରେ ମେଣ୍ଟ ବାନ୍ଧୁଛନ୍ତି । ସେହି ବଡ଼ମାନେ ବାଟ ଛାଡ଼ୁନାହାନ୍ତି ବୋଲି ସମଗ୍ର ମାନବସମାଜକୁ ଏକତ୍ର କରି ସମସ୍ତଙ୍କର କ୍ଳେଶମୋଚନ କରିବାଲାଗି ଦ୍ଵିତୀୟ ମହାଯୁଦ୍ଧ ପରେ ଗଢ଼ା ଯାଇଥିବା ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଖାସ୍ ସଂସ୍ଥାଗୁଡ଼ିକ ମଧ୍ୟ ଆପଣାକୁ ଯୋଜନା ମୁତାବକ ସକ୍ରିୟ କରି ପାରୁନାହାନ୍ତି ।

 

ତେଣୁ, ଭ୍ରାତୃତ୍ଵ କାହିଁ ? ଭ୍ରାତୃତ୍ଵ ଉପରେ ପ୍ରତିଷ୍ଠିତ ରାଜନୀତିଟିଏ ମଧ୍ୟ କାହିଁ ? ପୃଥିବୀର ସବୁଠାରୁ ଅଧିକ ପଇସା ଯୁଦ୍ଧର ପ୍ରସ୍ତୁତିକ୍ଷେତ୍ରରେ ଖରଚ କରାଯାଉଛି । ସର୍ବାଧିକ ସଂଖ୍ୟାର କୁଶଳୀ ଓ ବିଜ୍ଞାନୀମାନେ ସେହି ସାମରିକ ସିରସ୍ତାମାନଙ୍କରେ ନିଯୁକ୍ତ ହୋଇ ରହିଛନ୍ତି । କାରଣ ସେହି ମାହାଲଟି ହିଁ ସେମାନଙ୍କୁ ସର୍ବାଧିକ ବେତନ ଦେଇପାରୁଛି । ଅଥଚ, ଅଭାବ, ଅସ୍ଵାସ୍ଥ୍ୟ ଏବଂ ଅଶିକ୍ଷାର ଅପସାରଣ ନିମନ୍ତେ ସରକାରମାନେ ଯଥେଷ୍ଟ ଅର୍ଥ ଦେଇ ପାରୁନାହାନ୍ତି । ପୃଥିବୀରେ ଭୟ ବଢ଼ୁଛି । ଖାଲି ଯୁଦ୍ଧର ଭୟ ନୁହେଁ, ଦୁର୍ଭିକ୍ଷ ଏବଂ ମରୁଡ଼ି ଆଦି ଦୁର୍ବିପାକର ଭୟମାନ । ଆମଠାରୁ ଆହୁରି ପ୍ରବଳମାନେ ଆମକୁ ଶେଷ କରିଦେବାର ଯେଉଁ ଖାସ୍ ଆତଙ୍କ, ସେଇଥିରୁ ଆମର ଏହି ଉପସ୍ଥିତ କାଳଟିରେ କିସମ କିସମର ଆତଙ୍କବାଦମାନେ ଜନ୍ମଗ୍ରହଣ କରୁନାହାନ୍ତି ତ ? ପୃଥିବୀର ସକଳ ସମସ୍ୟାକୁ ସେଇ ଆତଙ୍କବାଦଟା ଦ୍ଵାରା ହିଁ ରୋକାଯାଇ ପାରିବ ବୋଲି ନାନା ନ୍ୟସ୍ତସ୍ଵାର୍ଥର ଅବିବେକଟା ଅଧିକ ପରିମାଣରେ ଭାବିଲାଣି । ସରକାରୀ ତଥା ବେସରକାରୀ ଉଭୟ ଆତଙ୍କବାଦୀମାନେ ସତେଅବା କେଡ଼େ ଅନନ୍ୟୋପାୟ ହୋଇ ସେହିପରି ଚିନ୍ତା କରୁଛନ୍ତି । ଏବଂ, ପୃଥିବୀର ସାଧାରଣ କୋଟି କୋଟି ମନୁଷ୍ୟ ବକା ହୋଇ ଅନାଇଛନ୍ତି । ତେଣୁ ଭ୍ରାତୃତ୍ଵ କାହିଁ ? ଭ୍ରାତୃତ୍ଵର ଭାବନା ଅର୍ଥାତ୍ ସବୁ ମନୁଷ୍ୟଙ୍କୁ ସତକୁ ସତ ଏକତ୍ର ସୁମାରିକୁ ନେଇ ସେହି ଭାବନାଟି, ସମସ୍ତଙ୍କୁ ସଂପୃକ୍ତି କରି ଓ କରାଇ । ଅର୍ଥାତ୍, ତଳଟି ହିଁ କ୍ରିୟାଶୀଳ ହେବ, ଅସଲ ପ୍ରଜ୍ଞାଟିକୁ ଯୋଗାଇଦେବ ଓ ସେହି ଅନୁସାରେ ଉପରଟା ଚାଲିବ । ସେଇଟି ସର୍ବୋଦୟ,-ଏବଂ ତାହା ଅନ୍ତ୍ୟୋଦୟର ଭୂମିଟି ଉପରେ ହିଁ ଚାଲିବ । ଉପରବାଲାମାନେ ତଳମାନଙ୍କ ପାଇଁ ମୋଟେ ଆପଣା ମନରୁ ବାଟଗୁଡ଼ାକୁ ବାହାର କରି ତଳଟି ଉପରେ ଲଦି ଦେବେନାହିଁ । ମୋଟେ ଦୟାପ୍ରଦର୍ଶନ କରିବେନାହିଁ । ହୃଦୟ ଓଦା କରି ଆଦୌ ଆହା ବୋଲି କହି କାମ ସାରି ଦେବେନାହିଁ । ତ୍ୟାଗ ଇତ୍ୟାଦିର ଆଦର୍ଶ ହୋଇ ରହିବେନାହିଁ । ଧର୍ମତଃ ସାଥୀ ହୋଇ ରହିବେ । ତେବେ ଯାଇ କର୍ତ୍ତୃତ୍ଵର ଏହି ଏବ ଜମାନାଟା ହଟିବ ଏବଂ ନେତୃତ୍ଵର ସେହି ବିକଳ୍ପ ପରିମଳଟିର ପ୍ରତିଷ୍ଠା ହୋଇ ପାରିବ ।

 

ଊନବିଂଶ ଶତାବ୍ଦୀର ମଧ୍ୟଭାଗ୍ୟରେ ଇଂଲଣ୍ଡରେ ଶ୍ରୀଯୁକ୍ତ ଚାର୍ଲସ୍ ଡାର୍‌ଉଇନ୍‌ଙ୍କର ସେହି ଭୂମି-ପରିବର୍ତ୍ତନକାରୀ ପୁସ୍ତକଟିରୁ ହିଁ ବିବର୍ତ୍ତନବାଦର ଚିନ୍ତାଧାରାଟି ତତ୍କାଳୀନ ଇଉରୋପୀୟ ଜଗତଟାକୁ ସତେଅବା ପୂରା ଅକ୍ତିଆର କରିନେବାକୁ ଆସି ପହଞ୍ଚି ଯାଇଥିଲା । ଇଉରୋପୀୟ ପୁଞ୍ଜିବାଦ ଏବଂ ସାମ୍ରାଜ୍ୟବିସ୍ତାରକୁ ପ୍ରାୟ ଏକ ଆସୁରିକ ଉତ୍ସାହ ପ୍ରଦାନ କରିଥିଲା-। ଉକ୍ତ ମତଟି ଅନୁସାରେ ଜୀବଜଗତରେ ଜୀବମାନଙ୍କ ମଧ୍ୟରେ ଏକ ନିରନ୍ତର ସଂଗ୍ରାମ ଓ ସଂଘର୍ଷ ହିଁ ଲାଗି ରହିଛି । ଅଧିକବଳ ଜିତୁଛି, ଅଳ୍ପବଳକୁ ଗିଳି ପକାଉଛି । ଅଧିକବଳ ଜିତୁଛି, ଅଳ୍ପବଳମାନେ ବିଲୁପ୍ତ ହୋଇ ଯାଉଛନ୍ତି । ତେଣୁ, ପ୍ରକୃତିବିଧାତାର ସେହି ନିୟମ ଅନୁସାରେ ଜୀବ ଜୀବ ମଧ୍ୟରେ ଏହି ପୃଥିବୀପୃଷ୍ଠରେ ଏକ ସଦା–ପ୍ରତିଦ୍ୱନ୍ଦିତା ଲାଗିରହିଛି,–ଉକ୍ତ ପ୍ରତିଦ୍ୱନ୍ଦିତାରେ ଅନ୍ୟ ଜୀବଜାତି ମାନଙ୍କୁ ହରାଇ କେବଳ ଯୋଗ୍ୟତମଗୁଡ଼ିକ ହିଁ ତିଷ୍ଠି ରହି ପାରିଛନ୍ତି । ହଁ, ତୀବ୍ର ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବା,–ତାହାହିଁ ଏଠି ଜୀବମାନଙ୍କର ଏହି ଆତଯାତ ହେବାର କ୍ଷେତ୍ରରେ ସେହିଁ ଅକାଟ୍ୟ ବିଧାନଟି । ଶ୍ରୀ ଡାର୍‌ଉଇନ୍ ମୁଖ୍ୟତଃ ଇତରପ୍ରାଣୀ ମାନଙ୍କର ଜଗତର ଦୃଷ୍ଟାନ୍ତମାନ ଦେଇ ନିଜର ସିଦ୍ଧାନ୍ତଟିକୁ ପ୍ରତିଷ୍ଠିତ କରିଥିଲେ । ମନୁଷ୍ୟମାନଙ୍କ ବିଷୟରେ ପ୍ରାୟ ନିଷ୍ପତ୍ତିମୂଳକ ଭାବରେ କିଛି କହିନଥିଲେ । ହଁ, ପରସ୍ପର ସହିତ ପ୍ରତିଯୋଗିତା ସାଙ୍ଗକୁ ସିଏ ପରସ୍ପର ସହିତ ସହଯୋଗିତାକୁ ମଧ୍ୟ ସଂସାରରେ ତିଷ୍ଠି ରହିବାର କ୍ଷେତ୍ରରେ ଏକ ଦ୍ଵିତୀୟ ତତ୍ତ୍ଵରୂପେ ସ୍ଵୀକାର କରିଥିଲେ । ମାତ୍ର, ପୁଞ୍ଜିବାଦୀ ବିତ୍ତବାଣିଜ୍ୟିକ ଉନ୍ମାଦଟା ପ୍ରଧାନତଃ ତାଙ୍କର ପ୍ରତିଦ୍ୱନ୍ଦିତାର ତତ୍ତ୍ଵଟାକୁ ଗୋଟିଏ ପୂର୍ଣ୍ଣତତ୍ତ୍ଵ ବୋଲି ସ୍ଵୀକାର କରିନେଲା ଏବଂ ସହଯୋଗିତାର ଅନ୍ୟ ତତ୍ତ୍ଵାନୁମାନଟି ତାହା ଫଳରେ ଏକାବେଳେକେ ପଛକୁ ରହିଗଲା । ଇଉରୋପୀୟ ପୁଞ୍ଜିବାଦୀ ସଂସ୍ଥାଟା ଆପଣାକୁ ଅନ୍ୟସବୁ ମନୁଷ୍ୟଗୋଷ୍ଠୀଙ୍କ ଠାରୁ ଯୋଗ୍ୟତମ ଓ ଏପରିକି ଏକମାତ୍ର ଯୋଗ୍ୟ ବୋଲି ବିଶ୍ଵାସ କରି ପକାଇଲା । ଇଉରୋପୀୟ ଗୋରା ସଭ୍ୟତା, ସଂସ୍କୃତି, ଧର୍ମ,-ଏମାନେ ସତେଅବା କୌଣସି ଦୈବବାଣୀ ଶୁଣିଥିବା ପରି ପୃଥିବୀଟାର ପ୍ରାୟ ଏକମାତ୍ର ସୌଦାଗର ହୋଇ ବାହାରି ପଡ଼ିଥିଲେ ଏବଂ ଅବଶିଷ୍ଟ ପୃଥିବୀଟାକୁ ଗିଳି ପକାଇଥିଲେ । ଇତିହାସଟାକୁ ଏକଚାଟିଆ କରି ରଖିଲେ ।

 

ଭ୍ରାତୃତ୍ଵ ଆଡ଼କୁ ନଜର ନଦେଇ ଯେତେବେଳେ ସମାନତା ଏବଂ ସ୍ଵାଧୀନତା କେବଳ ପୃଥ୍ଵୀଜୀବନର ନିୟନ୍ତ୍ରଣ–କ୍ଷେତ୍ରରେ ସତେଅବା ଆମ ସାମାଜିକ ବୋଧର ଦୁଇ ଏକମାତ୍ର ଶିଙ୍ଗ ହୋଇ ବାହାରି ପଡ଼ନ୍ତି, ସେତେବେଳେ ମଣିଷମାତ୍ରକେ ଆମ ସମସ୍ତଙ୍କୁ ପ୍ରକୃତରେ ବହୁ ହୀନସ୍ତା ଏବଂ ଆତଙ୍କର କବଳରେ ପଡ଼ିବାକୁ ହୋଇଥାଏ । ସେତେବେଳେ କେତେକ ଅଧିକ ବଳୁଆ ଆମ ଗାଦୀଗୁଡ଼ାକୁ ଆସି ମାଡ଼ିବସନ୍ତି ଏବଂ ସବୁ ମଣିଷଙ୍କୁ ମଧ୍ୟରେ ନିଜକୁ ସବାଆଗ ବୋଲି ଘୋଷଣା କରନ୍ତି । ‘ଭ୍ରାତୃତ୍ଵ’ ନାମକ ସେହି ଅନ୍ୟ ସତ୍ୟଟି ହିଁ ମଣିଷକୁ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ଅବଶ୍ୟ ଜାଗା ବାହାର କରିବାକୁ ହେବ ବୋଲି ଅନ୍ୟ ବିବେକଟିଏ ଆଣି ଦେଇଥାଏ । ତା’ ନହେଲେ ଆମ ମହାଭାରତରେ ବର୍ଣ୍ଣିତ ମତ୍ସ୍ୟନ୍ୟାୟଟା ହିଁ ରାଜତ୍ଵ କରିବାରେ ଲାଗିଥାଏ । ସେତେବେଳେ ବଡ଼ମାଛମାନେ ସାନମାଛ ମାନଙ୍କୁ ଖାଇ ଯାଉଥାଆନ୍ତି । ଠିକ୍ ଆମର ଏହି ତଥାକଥିତ ସମାଜଟାର ଏବର ଅବସ୍ଥାଟା ପରି । ଅର୍ଥାତ୍, ଯେଉଁମାନଙ୍କ ହାତରେ କାଳକାଳରୁ ସ୍ଵୀକୃତ ହୋଇ ଆସିଥିବା ନାନା ଅରୀତି ହେତୁ ଅଧିକ ସୁଯୋଗ, ଅଧିକ ବୁଦ୍ଧି ଏବଂ ଅଧିକ ବିତ୍ତ ରହିଛି, ସେମାନେ ଅଳପ ପକ୍ଷଟିକୁ ନାନାଭାବେ ଗିଳି ପକାଇବାକୁ ହିଁ ଏକ ସଂସାରଗତ ଧର୍ମ ପରି ମାନି ନେଇଥାନ୍ତି । ସବର୍ଣ୍ଣଗଣ ଅସବର୍ଣ୍ଣଙ୍କୁ କାବୁ କରି ରଖିଥାନ୍ତି, ସରକାର ନାମକ ସେହି ପ୍ରାୟ ସର୍ବବିଧ କ୍ଷମତାର ବାବୁଘରଟା ପ୍ରଜାମାନଙ୍କୁ ଅକିଞ୍ଚନ ବୋଲି ଭାବି ସେମାନଙ୍କ ଉପରେ ସବାର ହୋଇ ବସିଥାଏ, ପାଠୁଆ ମଣିଷଟା ଅନ୍ୟ ଅପାଠୁଆ ବହୁପକ୍ଷଟାକୁ ଆପଣାର ପ୍ରିୟ ଖାସ୍ ସ୍ଵାର୍ଥଗୁଡ଼ିକୁ ବଜର କରି ରଖିବ ବୋଲି ବୋକା କରି ରଖିଥାଏ; ସାହୁକାର ପ୍ରଜାସାଧାରଣଙ୍କୁ ଗିଳି ପକାଇଥାଏ, ନେତାମାନେ କର୍ମୀମାନଙ୍କୁ ଗିଳି ପକାନ୍ତି ଓ ଭାଗ୍ୟବାନ୍ ପକ୍ଷଟା ଭାଗ୍ୟହୀନମାନଙ୍କର ପକ୍ଷଟାକୁ ବହୁ ଅବଜ୍ଞାର ଉଗ୍ରତା ଦ୍ଵାରା ନଚାଇବାରେ ଲାଗିଥାଏ । ତେଣୁ, ଭ୍ରାତୃତ୍ଵ ମଧ୍ୟ ରହିଥିବା ଏକାନ୍ତ ଆବଶ୍ୟକ । ସହଯୋଗିତା ଥିବା ଆବଶ୍ୟକ । ତେବେଯାଇ ଆମ ପୃଥିବୀରେ ସୁସ୍ଥ ସମାନତା ଏବଂ ସୁସ୍ଥ ସ୍ଵାଧୀନତା ବି ସମ୍ଭବ ହେବ ।

 

ଏହିପରି ଏକ ଅନ୍ୟ ବିବେକର ଆଖି ନେଇ ଅଗ୍ରସର ହୋଇ ପାରିଲେ ଆମେ ଚାର୍ଲସ୍ ଡାର୍‌ଉଇନ୍‌ଙ୍କର ଠିକ୍ ସମାନ୍ତର ଭାବରେ ସେହି ଇଉରୋପରେ ରୁଷିଆର ଶ୍ରୀ କ୍ରୋପ୍‌ଟକିନ୍‌ଙ୍କୁ ଯାଇ ଭେଟିବା । ଡାର୍‌ଉଇନ୍ ତ ପ୍ରତିଦ୍ୱନ୍ଦିତା ଓ ସହଯୋଗିତା ଉଭୟର କଥା କହିଥିଲେ; କିନ୍ତୁ ତାଙ୍କର ସେହି କାଳର ପୁଞ୍ଜିବାଦୀ ମିଜାଜଟା କେତେ ନୈପୁଣ୍ୟ ଦେଖାଇ ପ୍ରଥମଟିକୁ ହିଁ ନିଜ କାର୍ଯ୍ୟରେ ଲାଗି ପାରୁଥିବା ଏକମାତ୍ର ସତ୍ୟ ବୋଲି ଗ୍ରହଣ କରି ନେଇଥିଲା ଏବଂ ତୁଚ୍ଛା ଗିଳିବା ନିମନ୍ତେ ସାରା ପୃଥିବୀଟା ଭିତରକୁ ଖେଦିଯାଇ ଆମ ସମସ୍ତଙ୍କ ନିମନ୍ତେ ନାନା ନୂଆ ନୂଆ ପ୍ରମାଦର ସୃଷ୍ଟି କଲା । କ୍ରୋପ୍‌ଟକିନ୍ ସହଯୋଗିତାର କଥା କହିଥିଲେ । ବିବର୍ତ୍ତନର ମାର୍ଗରେ ଆଗକୁ ଆଗକୁ ଯାଇ ଜୀବମାନଙ୍କର ସଂସାରରେ କିପରି ପ୍ରତିଦ୍ୱନ୍ଦିତାର ସ୍ଥାନରେ ପାରସ୍ପରିକ ସହଯୋଗିତା ହିଁ ସର୍ବଦା ମୁଖ୍ୟ ଅବଲମ୍ବନ ହୋଇ ଆସିଛି ଏବଂ ମନୁଷ୍ୟମାନଙ୍କର ସ୍ତରକୁ ଆସି ତାହା ଅଧିକରୁ ଅଧିକ ପରିମାଣରେ ସ୍ପଷ୍ଟ ହୋଇଯାଉଛି, ସଂପ୍ରତି କେତେ ସମାଜବିଜ୍ଞାନୀ ମଧ୍ୟ ସେହି କଥାଟିକୁ କହିଲେଣି । ମାତ୍ର, ମନୁଷ୍ୟର ସ୍ତରକୁ ଆସି ନୁହେଁ, କ୍ରୋପ୍‌ଟକିନ୍‌ଙ୍କର ପ୍ରତିପାଦନ ଅନୁସାରେ ମନୁଷ୍ୟେତର ଅନ୍ୟ ଜୀବଗଣଙ୍କର ବିବର୍ତ୍ତନ-ପ୍ରକ୍ରିୟାରେ ମଧ୍ୟ ପ୍ରତିଦ୍ୱନ୍ଦିତା ନୁହେଁ, ସହଯୋଗିତା ହିଁ ଅଧିକ ଫଳପ୍ରଦ ହୋଇ ଆସିଛି । ଯେଉଁସବୁ ଜୀବଜାତି, କୀଟପତଙ୍ଗଙ୍କ ଠାରୁ ଆରମ୍ଭକରି ଶ୍ଵାପଦ ସ୍ତନ୍ୟପାୟୀ ମାନଙ୍କ ପର୍ଯ୍ୟନ୍ତ ପ୍ରାଣୀମାନେ ଅଧିକତଃ ଏକ ସମୂହରୂପେ ଜୀବନ–ସଂଗ୍ରାମରେ ସଫଳତା ଲାଭ କରିଛନ୍ତି, ସେମାନେ ବସ୍ତୁତଃ ପରସ୍ପର ସହିତ ସହଯୋଗିତା କରି ପାରୁଥିବାର ବଳରେ ହିଁ ତିଷ୍ଠିଛନ୍ତି । ଏବଂ, ଅନ୍ୟ ପକ୍ଷରେ, ମୁଖ୍ୟତଃ ପ୍ରତିଦ୍ୱନ୍ଦିତାର ଆଶ୍ରୟ ନେଇଥିବା ଅପରମାନେ ଲୁପ୍ତ ହୋଇ ଯାଇଛନ୍ତି ।

 

ସେହି ଭ୍ରାତୃତ୍ଵର ବିଚାରଟି ସର୍ବୋଦୟର ବିଚାର । ସର୍ବୋଦୟ ତେଣୁ ସବାଆଗ ଏକ ସମାଜକଳ୍ପନା । ଏପରି ଏକ ସମାଜର ସମ୍ଭାବିତ ନକ୍ସା, ଯେଉଁଟିରେ ବଡ଼ ମାଛମାନେ ସାନ ମାଛମାନଙ୍କୁ ଖାଇ ଗୋଡ଼ାଇ ନଥିବେ । ସମସ୍ତଙ୍କ ନିମନ୍ତେ ସ୍ଥାନ ଥିବ, ସମସ୍ତଙ୍କର ସମ୍ମାନ ଥିବ,-ସର୍ବୋଦୟ ଏକ ସହଯୋଗିତା, ଏକ ସହଭାଗିତା ଏବଂ ସହଚାରିତା । ଆର୍ଥିକ ତଥା ରାଜନୀତିକ କ୍ଷେତ୍ରରେ ନ୍ୟାୟତଃ ସବାଆଗ । ବଡ଼ ସାନକୁ ଦାବି ରଖିବାକୁ ଚେଷ୍ଟା କରିବନାହିଁ, ସାନମାନେ ମଧ୍ୟ ବଡ଼ ମାନଙ୍କୁ ଭୟ କରିବେନାହିଁ । କେହି ଶୋଷଣ କରିବେନାହିଁ, କେହି ଶୋଷଣ ସହି ଯିବେନାହିଁ । ଦୃଷ୍ଟିରେ ପାର୍ଥକ୍ୟ ରହିଥିବ, ମତରେ ମଧ୍ୟ ପାର୍ଥକ୍ୟ ରହିବ, ମାତ୍ର ତଥାପି ସମସ୍ତେ ଗୋଟିଏ ମେଳ ହୋଇ ବସି ପାରୁଥିବେ ଏବଂ ଏକତ୍ର ବସି ସାମୂହିକ ନିଷ୍ପତ୍ତିଗୁଡ଼ିକୁ ଗ୍ରହଣ କରି ପାରୁଥିବେ । କେହି କେବଳ ନେତା ନଥିବେ କିମ୍ବା କେହି କେବଳ କର୍ମୀ ନଥିବେ । କେହି ଉପରୁ ଥାଇ ମାଡ଼ି ଦେବେନାହିଁ କିମ୍ବା କେହି ବାଧ୍ୟ ହୋଇ ମାନି ନେବେନାହିଁ । ସର୍ବୋଦୟର ଅବଶ୍ୟ ଏକ ଅର୍ଥନୀତି ରହିଛି ଓ ତେଣୁ ଗୋଟିଏ ରାଜନୀତି ମଧ୍ୟ ରହିଛି । କିନ୍ତୁ ସେଥିଲାଗି ତାହାକୁ ଯେ ଚଳନ୍ତି ଅର୍ଥରେ କେବଳ ଏକ ରାଜନୀତି ଅଥବା କେବଳ ଏକ ଅର୍ଥନୀତି ବୋଲି କୁହାଯାଇ ପାରିବ, ସେକଥା ଆଦୌ ନୁହେଁ । ସମାନତା ତଥା ସ୍ଵାଧୀନତାକୁ ଭ୍ରାତୃତ୍ଵର ଭୂମି ଉପରେ ଏକାଠି ରଖି ବିଚାର କଲେ ଯେପରି ସେହି ସମାନତା ଓ ସ୍ଵାଧୀନତାକୁ ତୁଚ୍ଛା ରାଜନୀତି ଅଥବା ତୁଚ୍ଛା ଅର୍ଥନୀତି ବୋଲି କୁହାଯାଇ ପାରିବନାହିଁ, ସର୍ବୋଦୟ ବେଳକୁ ମଧ୍ୟ ସେହିପରି । ତେଣୁ, ସର୍ବୋଦୟର ସର୍ବବିଧ କ୍ରିୟାଶୀଳତାକୁ ଆମେ ସେହି ଭ୍ରାତୃତ୍ଵର ଭୂମିପ୍ରସାର ସହିତ ହିଁ ସବୁବେଳେ ଅନୁଭବ ମଧ୍ୟ କରି ପାରୁଥିବା । ମନୁଷ୍ୟ ଭିତରେ, ପ୍ରତ୍ୟେକ ମନୁଷ୍ୟ ଭିତରେ ଏପରି କ’ଣ ଗୋଟିଏ ମହିମା ରହିଛି, ଯାହାକୁ ସବାଆଗ ସ୍ଵୀକାର ନକଲେ ଆମେ ସର୍ବୋଦୟକୁ ତାହାର ପରିପୂର୍ଣ୍ଣ ବ୍ୟଞ୍ଜନାରେ କଦାପି ହୃଦୟଙ୍ଗମ କରି ପାରିବାନାହିଁ । ସେହି ଦୃଷ୍ଟିରୁ ସର୍ବୋଦୟକୁ ଆମେ ସଂପୂର୍ଣ୍ଣ ପ୍ରାସଙ୍ଗିକତା ଦେଇ ଏକ ଅଧ୍ୟାତ୍ମ ବିଚାର ବୋଲି ଖୁବ୍ ବିଚାର କରି ପାରିବା । ଏବଂ, ତେଣୁ ଏହି କଥାଟିକୁ ମଧ୍ୟ ଖୁବ୍ ଭଲ ଭାବରେ ଜାଣିଥିବା ଯେ, ସର୍ବୋଦୟରେ କର୍ତ୍ତୃତ୍ଵ ମୋଟେ ରହିବନାହିଁ । ଯାହା ଅବଶ୍ୟ ରହିଥିବ, ତାହାକୁ ନେତୃତ୍ଵ ବୋଲି କହିବାକୁ ଇଚ୍ଛା କଲେ ମଧ୍ୟ ତଥାପି ଆମ ପ୍ରତ୍ୟେକଙ୍କ ଭିତରେ ଏପରି ଦୃଢ଼ ପ୍ରତ୍ୟୟଟିଏ ରହିଥିବ ଯେ, ସେହି ନେତୃତ୍ଵ ସର୍ବଦା ହିଁ ଭ୍ରାତୃତ୍ଵ ଉପରେ ପ୍ରତିଷ୍ଠିତ ହୋଇଥିବ । ନିଜ ଭିତରେ ଜଣେ ଅସଲ ଭାଇ ବିଦ୍ୟମାନ ରହିଛି ବୋଲି ଏକ ଖାସ୍ ପ୍ରତ୍ୟକ୍ଷ ସମ୍ଭବ ହୋଇ ପାରୁନଥାଏ ବୋଲି ବହୁତ ବହୁତ ମନୁଷ୍ୟ ଅନ୍ୟ ମନୁଷ୍ୟଟି ଭିତରେ ମଧ୍ୟ ଜଣେ ଅସଲ ଭାଇ ଅବଶ୍ୟ ରହିଛି ବୋଲି ଅନୁଭବ କରି ପାରନ୍ତିନାହିଁ ।

 

ଭାରତବର୍ଷରେ ସ୍ଵାଧୀନତା ନିମନ୍ତେ ସେହି ସଂଗ୍ରାମଟି ଚାଲିଥିବା ସମୟରୁ ହିଁ ମହାତ୍ମା ଗାନ୍ଧୀ ଦେଶବାସୀଙ୍କ ଆଗରେ ସେହି ସର୍ବୋଦୟର ନକ୍ସାଟିଏ ଆଣି ଉପସ୍ଥାପିତ କରିଥିଲେ । ଅର୍ଥାତ୍, ସ୍ଵାଧୀନତା ନାମକ ଦେଶର ସଂଗ୍ରାମଟି କେବଳ ଏକ ଶାସନ-ପରିବର୍ତ୍ତନର ସଂଗ୍ରାମ ନୁହେଁ-। ତା’ପରେ ଏକ ନିର୍ଦ୍ଦିଷ୍ଟ ପ୍ରସ୍ଥମାନ ଦେଇ ଗୋଟିଏ ଅନ୍ୟଭଳି ଭାରତବର୍ଷ ଗଠନ କରିବାକୁ ହେବ-। ସେଇଟିକୁ ସେ ବହୁତ ସମୟରେ ଦେଶର ଅସଲ ସଂଗ୍ରାମ ବୋଲି କହୁଥିଲେ । ସେଇଟି ନିମନ୍ତେ ମହାତ୍ମା ଗାନ୍ଧୀ ସ୍ଵାଧୀନ ଭାରତବର୍ଷରେ ମହଜୁଦ ରହି ପାରିନଥିଲେ ଏବଂ ଗାନ୍ଧୀବାଦୀ ଆଭିମୁଖ୍ୟଟି ମଧ୍ୟ ପରବର୍ତ୍ତୀ ପଥଟି ବିଷୟରେ ସେପରି କିଛି ନିଶ୍ଚିତ ନେତୃତ୍ଵ ଦେଇ ପାରୁନଥିଲା-। ଏକ ନୂତନ ବାରତା ଆସି ପହଞ୍ଚିଲା ସନ୍ଥ ବିନୋବା ଭାବେଙ୍କର ଭୂମିଯାତ୍ରା ହେବାଦ୍ୱାରା, ଭୂମିକ୍ରାନ୍ତିକୁ ମାଧ୍ୟମ କରି ଏକ ମୂଳଭୂତ ସାମାଜିକ କ୍ରାନ୍ତି ଦ୍ଵାରା । ତାହା ସର୍ବୋଦୟ ବିଚାରକୁ ମଧ୍ୟ ଏକ ନୂତନ ଗତିଶୀଳତା ଆଣି ଦେଇଥିଲା । ମହାତ୍ମା ଗାନ୍ଧୀଙ୍କର କଳ୍ପନାଗୁଡ଼ିକରେ ଏକ ନୂତନ ଜୀବନ୍ୟାସ ହେଲା ପରି ଅନୁଭବ ହେଲା । ଏକ ନୂତନ ସନ୍ଦେଶର ପ୍ରତ୍ୟୟ ଦେଇ ସନ୍ଥ ଏବଂ ତାଙ୍କର ଶିବିରଟି ଗାଆଁ ଗାଆଁ ବୁଲି ଏକ ପୂର୍ଣ୍ଣ ସକାରାତ୍ମକ ଭବିଷ୍ୟଗଠନର ପ୍ରତିଶ୍ରୁତି ଆଣି ଦେଇଥିଲେ । ଦେଶ–ବିଭାଜନର ନୈରାଶ୍ୟଟାଏ ଦେଶଟାଯାକ ଭୂତ ପରି ପ୍ରାୟ ସବୁକିଛିକୁ ମାଡ଼ି ବସିଥିବା ପରି ଲାଗୁଥିବା ସମୟରେ ଏବଂ ଏପରିକି ସ୍ଵାଧୀନ ଭାରତର ସରକାରଟି ମଧ୍ୟ ଆଗକୁ ବହୁତ ଦୂରଯାଏ ଯେ ଦେଖି ପାରୁନାହାନ୍ତି ଏବଂ ସେଥିପାଇଁ ପ୍ରାୟ ବାହାରୁ କିଛି କିଛି ମଡେଲ୍‌ର ଅନୁକରଣ କରି ନାନା ସଂଶୟ ସହିତ ମୁଖ୍ୟତଃ ବାଡ଼ି ବୁଲାଇବାରେ ଲାଗିଛନ୍ତି ବୋଲି ଲାଗୁଥିବା ସମୟରେ ଏହି ନୂତନ ତରଙ୍ଗଟାଏ ଆସି ସାରା ଦେଶକୁ ସତେଅବା ତା’ ସ୍ଵଧର୍ମର ଏକ ମାର୍ଗକୁ ଆଣି ଚିହ୍ନାଇ ଦେଇଥିବା ପରି ଉପଲବ୍ଧି ହୋଇଥିଲା । ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କଲା । ଭିତରେ ଯିଏ ଯାହା ଭାବୁଥାନ୍ତୁ ପଛକେ, ଅନେକ ଉପରେ ଏହି କ୍ରାନ୍ତିକୁ ସ୍ଵାଗତ କଲେ । କେରଳ ଠାରୁ କାମରୂପ ପର୍ଯ୍ୟନ୍ତ ପଦଯାତ୍ରା,–ସତକୁ ସତ ଉତ୍ସର୍ଗୀକୃତ ସହସ୍ର କର୍ମୀଙ୍କର ମେଳଟିଏ ସୃଷ୍ଟି କରି ଏକ କ୍ରାନ୍ତିଯାତ୍ରା । ଭାରତବର୍ଷ ପୁନର୍ବାର ଗୋଟାଏ ହୋଇଗଲା ପରି ବହୁ ପ୍ରତୀତି ଆଣି ଦେଲା । ମହାତ୍ମା ଗାନ୍ଧୀଙ୍କର ସେନାପତିତ୍ଵରେ ଏକଦା ଚାଲିଥିବା ତଥା ଲକ୍ଷ୍ୟ ହାସଲ କରିଥିବା ସଂଗ୍ରାମଟି କେବେହେଲେ କେବଳ ଗୋଟିଏ ରାଜନୀତିକ୍ଷେତ୍ରର ଆନ୍ଦୋଳନ ବୋଲି କୌଣସି ଧାରଣା ଆଣି ଦେଇନଥିଲା, ଏହି ସର୍ବୋଦୟର ନୂତନ କ୍ରିୟାଶୀଳତାଟି ଯେ କେବଳ କତିପୟ ଜମିବାଲାଙ୍କ ଠାରୁ ବଳକା ଜମି ମାଗି ଆଣି ଭୂମିହୀନମାନଙ୍କୁ ବାଣ୍ଟିବାର ଏକ କାର୍ଯ୍ୟକ୍ରମମାତ୍ର ନୁହେଁ, ସେହି କଥାଟି ସ୍ପଷ୍ଟ ହୋଇ ଆସୁଥିଲା । ସରକାରୀ ହାତୀଶାଳର ବୃହତ୍–ଅବୟବ କ୍ଷମତାସୀନମାନଙ୍କ ଉପରୁ ବଞ୍ଚିତ ବର୍ଗଟାର ଆସ୍ଥା ତୁଟି ତୁଟି ଯାଉଥିବା ସମୟରେ ସନ୍ଥ ବିନୋବାଙ୍କର ଏହି ନୂଆ ଚେତନାର ଫଉଜଟି ସେମାନଙ୍କୁ କେତେ ଅନ୍ୟପରି ଅବଶ୍ୟ ଲାଗିଥିବ-। ଆମ ଗାଆଁ ବଦଳିବ, ସରକାରୀ ସାନଡ଼ଗରମାନେ ଆଉ ଜବରଦସ୍ତି ଗାଆଁରେ ପଶି ଉତ୍ପାତ କରିବେନାହିଁ, ଆମ ଜମିର ଆମେ ସମସ୍ତେ ମାଲିକ ହେବା, ସମସ୍ତେ ଶ୍ରମ କରିବା, ପୂରା ଗାଆଁର ସମସ୍ତଙ୍କ ଲାଗି ଏକାଠି ବସି ଯୋଜନା କରିବା,-ଇତ୍ୟାଦି, ଇତ୍ୟାଦି । ଗାଆଁ ଗାଆଁ ହୋଇ ବୁଲୁଥିବା କର୍ମୀମାନେ ସେମାନଙ୍କୁ ସେହିପରି କଥାମାନ କହୁଥିଲେ । ସେମାନଙ୍କର ନେତାମାନଙ୍କ ଠାରୁ ସେମାନେ ସେହିପରି କଥାଗୁଡ଼ିକୁ ଶୁଣୁଥିଲେ ବୋଲି ସିନା ସେମାନେ ପରିପୂର୍ଣ୍ଣ ବିଶ୍ଵାସ ସହିତ ସାଧାରଣ ମଣିଷମାନଙ୍କୁ ମଧ୍ୟ ସେହି ଅନୁସାରେ ପ୍ରତ୍ୟୟମାନ ଆଣି ଦେଉଥିଲେ-!

 

ଭୂମିଭିକ୍ଷା-ଆନ୍ଦୋଳନର ଅଭିନବତା ହିଁ ସେହି ପର୍ଯ୍ୟାୟରେ ଭାରତୀୟ ଜନମାନସକୁ ପ୍ରକୃତରେ ଚଞ୍ଚଳ କରି ପକାଇଥିଲା । ରାଜନୀତିବାଲାଙ୍କୁ ମଧ୍ୟ ଏହାଫଳରେ ଗୋଟାଏ ବାଟ ମଧ୍ୟ ମିଳି ଯିବା ପରି ଲାଗିଥିଲା କି ? ସତେଅବା କିଛି ଫରଚା ହୋଇ ଆସୁଥିବା ପରି ବୋଧ ହେଲା । ସମାଜବାଦୀ ରାଜନୀତି-ପକ୍ଷଟିର ଶ୍ରୀ ଜୟପ୍ରକାଶ ନାରାୟଣ ସମ୍ଭବତଃ ବିଶେଷ ଭାବରେ ସେଇଟିଦ୍ଵାରା ଅଭିଭୂତ ହୋଇ ପଡ଼ିଲେ । ସବା ତଳସ୍ତରର ଜନଗଣଙ୍କୁ ଉପରର ଶୋଷକବର୍ଗଟା ବିଷୟରେ ସଚେତନ କରାଇ ଏକ ଲୋକସଂଘର୍ଷ ସମ୍ଭବ କରିଆଣିବା ଅପେକ୍ଷା ଯଦି ଉପରୁ ଉପରୁ ହିଁ ଅମଙ୍ଗ ହିମଖଣ୍ଡଟା ଏପରି ତରଳିବାକୁ ଆରମ୍ଭ କରିବ, ଯଦି ସେମାନଙ୍କର ବିବେକଗୁଡ଼ିକୁ ଉଦ୍‌ବୋଧନ ଦେଇ ସେମାନଙ୍କୁ ସତକୁ ସତ ବଦଳାଇ ଦେଇହେବ, ତେବେ ସମାଜବାଦୀ ହୋଇ ମଧ୍ୟ ସିଏ କାହିଁକି ଏହି ଅନ୍ୟଭଳି ଉଦ୍‌ବେଳନଟି ମଧ୍ୟରେ ଆସି ସାମିଲ୍ ନହେବେ ! ଯଦି ଭୂସ୍ଵାମୀମାନେ ଆପଣା ରାଜିରେ ଭୂମିଚାଷୀମାନଙ୍କୁ ନିଜର କିଛି କିଛି ଜମି ଦେଇଦେବେ, ତେବେ ଆଉ ସ୍ଵତନ୍ତ୍ର ଭାବରେ ଏକ କୃଷକ ଆନ୍ଦୋଳନର ମଧ୍ୟ କାହିଁକି କି ଆବଶ୍ୟକତା ରହିବ ? ଠିକ୍ ସେହିପରି, କାରଖାନାର ମାଲିକମାନେ ନିଜ କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କୁ ବି ସାଙ୍ଗରେ ନେଇ ବସାଇବେ ଓ ଉଭୟ ପଟର ରାଜିରେ ଯଦି କାରଖାନାମାନେ ଚାଲିବେ, ତେବେ ଶ୍ରମିକ-ଆନ୍ଦୋଳନ ବୋଲି ଆଉ ଗୋଟାଏ ଅଲଗା କାର୍ଯ୍ୟକ୍ରମ କ’ଣ ପାଇଁ ରହିବ ? ଶ୍ରୀଯୁକ୍ତ ଜୟପ୍ରକାଶ ଏହିପରି ଆହୁରି ଆହୁରି କେତେ ଆଗକୁ ନିଶ୍ଚୟ ଦେଖି ପାରିଥିବେ । ସେ ଏହି ନୂତନ ପ୍ଳାବନଟିରେ ଆସି ସାମିଲ୍ ହୋଇ ଯାଇଥିଲେ । ଏବଂ, ତାଙ୍କ ସହିତ ତାଙ୍କର ଅନୁଗତ ଅଥବା ତାଙ୍କ ପ୍ରତି ଅନୁରକ୍ତ ବହୁସଂଖ୍ୟକ ସାଥୀ ଏବଂ କର୍ମୀ-। ଭୂଦାନ ଆନ୍ଦୋଳନକୁ ତଦ୍ଦ୍ଵାରା ବହୁତ ଅନୁକୂଳତା ଯେ ମିଳିଥିବ, ସେଥିରେ କୌଣସି ସନ୍ଦେହ ନାହିଁ ।

 

ଉତ୍ସାହର ସେହି ବନ୍ୟାଟି ସହିତ ନୂଆ ନୂଆ ଶବ୍ଦମାନଙ୍କର ମଧ୍ୟ ବନ୍ୟା । ଜୟପ୍ରକାଶ ହିଁ ଏକ ସର୍ବଭାରତୀୟ ଭୂଦାନ ସମ୍ମିଳନୀରେ ଆପଣାକୁ ଜୀବନଦାନୀ ବୋଲି ଘୋଷଣା କରିଥିଲେ-। ସବୁ ଛାଡ଼ି ଏହି ଯଜ୍ଞଟିରେ ଆସି ସାମିଲ ହେବା ଏବଂ ତାହାକୁ ହିଁ ନିଜ ଜୀବନଯାକର ଏକମାତ୍ର ମାର୍ଗସମାଧାନ ବୋଲି ଗ୍ରହଣ କରିବା,–ତାହାରି ନାମ ହେଉଛି ଜୀବନଦାନ । କହିବା ବାହୁଲ୍ୟ, ସେହି ଉଚ୍ଛ୍ଵାସଟାର ବଶବର୍ତ୍ତୀ ହୋଇ ଜୀବନଦାନୀ ମାନଙ୍କ ତାଲିକାଟା ମଧ୍ୟ ବେଶ୍ ଚଟ୍‌ଚଟ୍ ବେଗରେ ଲମ୍ବା ବି ହୋଇ ଯାଇଥିଲା । ପୂରା ଦେଶଟାଯାକ । ସ୍ଵୟଂବିନୋବା ମଧ୍ୟ ନିଶ୍ଚୟ ତାଟକା ହୋଇ ଯାଇଥିବେ । ଏବଂ, ଜୀବନଦାନ ସହିତ ବୁଦ୍ଧିଦାନ, ସମ୍ପତ୍ତିଦାନ, ସମୟଦାନ ଓ ଆହୁରି କେତେ କେତେ ଦାନର ଘୋଷଣା କରୁଥିବା ଆକର୍ଷଣୀୟ ସେହି ନାମଗୁଡ଼ିକ । ତା’ପରେ ପୂରା ପଦନ ପାଇ ଭୂଦାନର ଜୟଯାତ୍ରା ଚାଲିବାକୁ ଆରମ୍ଭ କଲା । ଭୂଦାନରୁ ଗ୍ରାମଦାନ, ଗ୍ରାମଦାନରୁ ଜିଲ୍ଲାଦାନ ଏବଂ ଜିଲ୍ଲାଦାନରୁ ପ୍ରାନ୍ତଦାନ । ତ୍ଵରାଟିକୁ ଆହୁରି ସତ୍ଵରତା ଆଣି ଦେବା ନିମନ୍ତେ ବିନୋବାଜୀ ମଝିରେ ଏକ ସୁଲଭ ଗ୍ରାମଦାନର ନୂଆ ଅଭିଧାକୁ ଆଣି ମଧ୍ୟ ଯୋଗ କରିଥିଲେ-। ଗ୍ରାମଦାନର ଘୋଷଣା ପରେ ଗ୍ରାମଗୁଡ଼ିକର ନିର୍ମାଣ । ଏବଂ ସେଥିଲାଗି ପୂରା ସତେଅବା ଅନ୍ୟ ଏକ ପୃଥିବୀରୁ ହିଁ ସ୍ଵତନ୍ତ୍ର ଉତ୍ସାହୀମାନେ ବାହାରି ଆସିଥିଲେ । ଏବଂ, ସେହି ଭୂମିହୀନ, ଆଗକୁ ପ୍ରାୟ କୌଣସି ଦିଗ୍‌ବଳୟ ଦେଖି ପାରୁନଥିବା କୋଟି କୋଟି ଅବର ଅଳ୍ପସମ୍ବଳ ସହଜ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତରେ କ’ଣ ସବୁ ପ୍ରତିକ୍ରିୟା ଜାତ ହୋଇଥିବ ? ଆଗରୁ ଯେଉଁ ପାର୍ଟିବାବୁମାନେ ଆସି ସେମାନଙ୍କୁ କେତେ କ’ଣ ପୂର୍ଣ୍ଣ ସୁଖ ତଥା ପୂର୍ଣ୍ଣ ଉଦୟର ଭରସାମାନ ଦେଇ ଆସିଥିଲେ, ଠିକ୍ ତାଙ୍କରି ପରି ବହିରାଗତ ଏହି ବାବୁମାନେ ମଧ୍ୟ ସେହିମାନଙ୍କ ଭଳି ହୋଇଥିବେ କି ? ବାହାରକୁ ଦେଖିବାକୁ ତ ସେମାନେ ଗୋଟାପଣେ ବାବାଜୀଙ୍କ ପରି ଦିଶୁଛନ୍ତି, କଥାଗୁଡ଼ିକ ମଧ୍ୟ ପ୍ରାୟ ବାବାଜୀ ଓ ଧର୍ମାତ୍ମାମାନଙ୍କ ସଦୃଶ । ସେମାନେ ନିଶ୍ଚୟ ସେହିସବୁ ଅଲଗା ଅଲଗା ଦେଖି ଖୁବ୍‌ସମ୍ଭବ ସେମାନଙ୍କୁ ଆଗମାନଙ୍କ ତୁଳନାରେ ଅଲଗା ବୋଲି ଅନୁମାନ କରି ନେଇଥିବେ । ନାଇଁ, ଏଥର ପ୍ରକୃତରେ କୌଣସି ଧୋକା ହେବନାହିଁ ବୋଲି ବିଶ୍ଵାସ କରିଥିବେ-। ତେଣୁ ସେମାନଙ୍କୁ ଗୋଟାସୁଦ୍ଧା ନିଜ ହୃଦୟଗୁଡ଼ିକରେ ନିଶ୍ଚୟ ଥାନ ଦେଇଥିବେ । କର୍ମୀମାନେ ସେହି ଅସଲ ପ୍ରମାଣପତ୍ରଟିକୁ ଧରି ପ୍ରକୃତରେ ଆହୁରି ଆଗକୁ କ’ଣ ସବୁ ଭାବିଥିବେ କେଜାଣି-?

 

ସକଳ ସନ୍ଦର୍ଭରେ ପୂରା ସଙ୍କେତ ଅବଶ୍ୟ ମିଳିଯାଉଛି ଯେ ସ୍ଵୟଂ ବିନୋବାଜୀ ଏହି ଲୋକମାନଙ୍କର ତରଫରେ ରହିଥିଲେ । ଭୂଦାନଯାତ୍ରାରେ ସବୁବେଳେ ସେହିମାନଙ୍କ କଥା ହିଁ ବାରମ୍ବାର କହୁଥିଲେ । ଭୂମାଲିକମାନଙ୍କ ଠାରୁ ଭୂମି ମାଗୁଥିଲେ ସତ, କିନ୍ତୁ ପ୍ରତିଦିନର ପ୍ରାର୍ଥନାସଭାରେ ସେ ଆପଣାର ସବୁକିଛି କଥା ସେହି ଲୋକମାନଙ୍କୁ ଶୁଣାଇବା ନିମନ୍ତେ ହିଁ ଇଚ୍ଛା କରୁଥିଲେ । ଭୂମିମାଗଣର ଏହି ଅଭିଯାନଟି ଦ୍ଵାରା ସେଇ ସାଧାରଣଙ୍କ ଚିତ୍ତରେ ହିଁ କ’ଣ ଗୋଟାଏ ଶ୍ଲଥତା ଓ ଶୀତଳତା ଭାଙ୍ଗିଯିବ, ସେମାନେ ଜଣେ ଜଣେ ମନୁଷ୍ୟାତ୍ମା ରୂପେ ଆପଣାର ସଂଘଶକ୍ତିକୁ ଆବିଷ୍କାର କରିବେ ଏବଂ ତାହାରିଦ୍ଵାରା ହିଁ ଅସଲ ଭାରତବର୍ଷଟି ଆଗକୁ ଖୋଜ କାଢ଼ି ବାହାରିଯାଇ ପାରିବ, ସତେଅବା ସେହି ସନ୍ଦେଶଟି ତାଙ୍କୁ ପରିପ୍ରେରିତ କରି ରଖିଥିଲା । ତାଙ୍କ ପ୍ରାର୍ଥନାସଭା ଗୁଡ଼ିକରେ ମଧ୍ୟ ସେହି ସାଧାରଣ ସମୁଦାୟଟି ମଧ୍ୟ ସର୍ବଦା ଅଧିକତର ସଂଖ୍ୟାରେ ଆସି ଯୋଗ ଦେଉଥିଲେ । ବିନୋବାଜୀଙ୍କ ଦ୍ଵାରା ଉଚ୍ଚାରିତ ଶବ୍ଦଗୁଡ଼ିକୁ ସମ୍ଭବତଃ ସେତେ ବେଶୀ ବୁଝି ପାରୁନଥିଲେ ମଧ୍ୟ ତାଙ୍କ ଅନ୍ତସ୍କରଣର ଆବେଦନଟିକୁ ଖୁବ୍ ବୁଝୁଥିଲେ । ଏହି ବିନୋବା ଯେ ସେହିମାନଙ୍କ ତରଫର ହୋଇ ଦେଶଯାକ ବୁଲୁଛନ୍ତି, ସେହି କଥାଟିକୁ ଖୁବ୍ ଠଉରାଇ ନେଇ ପାରୁଥିଲେ । ବିହାରର ଗୋଟିଏ ପ୍ରାର୍ଥନାସଭାରେ ଉଦାହରଣ ସ୍ୱରୂପ ଶ୍ରୀ ବିନୋବା କହିଥିଲେ, “ବିଗତ ଅଠର ବର୍ଷରେ ଏହି କଥାଟି ସ୍ପଷ୍ଟ ହୋଇ ଗଲାଣି ଯେ ଦିଲ୍ଲୀ ଉପରେ ନିର୍ଭର କରି ଦେଶ ମୋଟେ ଏକ ଦୃଢ଼ ଓ ସ୍ଥାୟୀ ମୂଳଦୁଆ ଉପରେ ଛିଡ଼ା ହୋଇ ପାରିବନାହିଁ । ଦିଲ୍ଲୀ ତ ସବୁବେଳେ ଦିଲ୍ଲୀ ହୋଇ ରହିବ । ଗାଆଁ ଗାଆଁ ବୁଲି ଗ୍ରାମସ୍ଵରାଜ୍ୟର ଥାପନା ହିଁ କରିବାକୁ ହେବ । ତେବେ ଯାଇ ଉତ୍ପାଦନ ବଢ଼ିବ । ଯଦି ଖାଲି କଥା କହିଲେ ହିଁ ଉତ୍ପାଦନ ବଢ଼ି ଯାଉଥାନ୍ତା, ତେବେ ତ ଏହି ଅଠରବର୍ଷ ମଧ୍ୟରେ କେତେ କ’ଣ ସମୃଦ୍ଧି ହୋଇ ଯାଆନ୍ତାଣି ?” ଏବଂ ଠିକ୍ ତା’ପରେ, “ମୂଲିଆ ମଜୁରିଆ ମାନଙ୍କୁ ଉପେକ୍ଷା କରି ଉତ୍ପାଦନ କେବେହେଲେ ବଢ଼ିବନାହିଁ ।”

 

ଏହିସବୁ କଥା ଜମିମାଲିକ ମାନଙ୍କୁ ମୋଟେ ଭଲ ଲାଗିବନାହିଁ । ଏପରିକି, ଭୂଦାନରେ ଯେଉଁମାନେ ନିଜେ ମଧ୍ୟ କିଛି ଜମି ଦାନ କରିଥିବେ, ସେମାନଙ୍କୁ ମୋଟେ ଭଲ ଲାଗିନଥିବ । ସେତେବେଳେ ଚୀନ୍ ତରଫରୁ ଭାରତ ଆକ୍ରମଣ ହୋଇ ସାରିଥାଏ ଏବଂ ସରକାର ସେହିପରି ଏକ ଅଚାନକ ଘଟଣା ଫଳରେ ପ୍ରାୟ ସ୍ତମ୍ଭିତ ହୋଇ ରହିଥାଏ । ସେଇ ଘଟଣାଟିକୁ ପୃଷ୍ଠଭୂମିରେ ରଖି ବିନୋବାଜୀ କହିଥିଲେ : “ଆମକୁ ଖୁବ୍ ଭଲଭାବରେ ଏହି କଥାଟିକୁ ବୁଝିବାକୁ ପଡ଼ିବ ଯେ, ବାହାରୁ ନୁହେଁ, ଚୀନର ବିପଦ ଏହି ଭିତରଟିରୁ ହିଁ ରହିଛି । ...ଯେଉଁସବୁ ସ୍ଥାନରେ ଲୋକେ ଭୋକରେ ରହିଛନ୍ତି, ସେଠାରେ ମଧ୍ୟ ସେହି ବିପଦଟିକୁ ବଳ ମିଳିବ । ତେଣୁ ଏହି ଦାରିଦ୍ର୍ୟକୁ ହିଁ ଦୂର କରିବାକୁ ପଡ଼ିବ ।” ଏବଂ, ତା’ପରେ ସବୁଠାରୁ ବଡ଼ ସଫା ସେହି କଥାଟି : “ଏଇଟି କେବେହେଲେ ଆମର କାମ ନୁହେଁ ଯେ, ଆମେ ଗରିବମାନଙ୍କର ସେବା କରୁଥିବୁ ଓ ଦେଶରେ ଦାରିଦ୍ର୍ୟଟା ସ୍ଥାୟୀ ହୋଇ ରହିଥିବ । ଦାରିଦ୍ର୍ୟ ଦୂର କରିବାକୁ ହେବ ଅର୍ଥାତ୍ ଅତିକମ୍‌ରେ ଜୀବନର ମୂଳଭୂତ ଆବଶ୍ୟକତା ଗୁଡ଼ିକ ପ୍ରତ୍ୟେକ ବ୍ୟକ୍ତି ପାଖରେ ଯେପରି ଉପଲବ୍ଧ ହୋଇ ପାରିବ, ତାହାର ବ୍ୟବସ୍ଥା କରିବାକୁ ପଡ଼ିବ । ଆମେ ଦାରିଦ୍ର୍ୟକୁ ଦେଶରେ ସ୍ଥାୟୀ କରି ରଖିଥିବା ଏବଂ ତେଣେ କିଛି ଦାନଧର୍ମ କରୁଥିବା, ଏପରି ଆଦୌ ଚଳିବନାହିଁ ।” ସନ୍ଥ ବିନୋବାଙ୍କର ଏହି କଥାଟିକୁ ତାଙ୍କ କଥା ରଖି ସତେଅବା କିଛି ଦାନଧର୍ମ କଲାପରି କିଛି ଭୂମି ଦାନ କରୁଥିବା ଜମି–ମାଲିକମାନେ ପ୍ରକୃତରେ କେତେ କ’ଣ ବୁଝୁଥିବେ । ଏବଂ, ଭୂଦାନକାର୍ଯ୍ୟରେ ବହୁ ନିଷ୍ଠା ଓ ସଦିଚ୍ଛା ସହିତ ସଂପୃକ୍ତ ହୋଇ ରହିଥିବା ନେତା ଏବଂ କର୍ମୀମାନେ ମଧ୍ୟ ଉକ୍ତ କଥାଟିର ମର୍ମକୁ ବୁଝିବାପାଇଁ ଚେଷ୍ଟା କରିଥିବେ ତ ! ଏବଂ ବାବା ଏପରି ଯେଉଁ କଥାଟିକୁ କହିଲେ, ସେଇଟିକୁ ନେଇ ନିଜ ଭିତରେ ଏବଂ ଏପରିକି ନିଜର ନେତାମାନଙ୍କୁ ନେଇ ଆଲୋଚନା କରିଥିବେ ତ ।

 

କ୍ରାନ୍ତିଯାତ୍ରାର ସେହି କ୍ରମରେ ବିନୋବାଜୀ ୧୯୫୫ ମସିହାର ପ୍ରଥମାର୍ଦ୍ଧରେ ଆସି ଓଡ଼ିଶାରେ ପହଞ୍ଚିଥିଲେ । ରାଜ୍ୟର ଉତ୍ତର ସୀମାରେ ତାଙ୍କୁ ଓଡ଼ିଶା ତରଫରୁ ଏକ ଭବ୍ୟ ଅଭ୍ୟର୍ଥନା ଦିଆ ଯାଇଥିଲା । ରାଜ୍ୟର ସରକାର ଏବଂ ଭୂଦାନ–ଆନ୍ଦୋଳନ ଉଭୟଙ୍କ ତରଫରୁ ଏକ ଅଭ୍ୟର୍ଥନା । ସେଠାରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ସମ୍ଭବତଃ ଆଉ କିଛି ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ ଏବଂ ସରକାରଙ୍କର ବିଧି ଅନୁସାରେ ରକ୍ଷୀ ଏବଂ ଆରକ୍ଷୀମାନେ । ରୀତିମତ ଗୋଟିଏ ଉତ୍ସବର ପୂର୍ଣ୍ଣ ସନ୍ତର୍ପଣରେ । ସ୍ଥାନୀୟ ଅଧିବାସୀମାନଙ୍କର ଅବଶ୍ୟ ବହୁତ ଉତ୍କଣ୍ଠା ଥିବ ଯେ ଏମିତି କିଏ ଜଣେ ସନ୍ଥ ଆସି ଏଠାରେ ପାଦ ଦେଇଛନ୍ତି, ଯିଏକି ଦରିଦ୍ରଙ୍କ ନିମନ୍ତେ ଭୂମି ସଂଗ୍ରହ କରିବାକୁ ଆସିଛନ୍ତି ଏବଂ ସରକାରୀ ବେସରକାରୀ ରାଜ୍ୟଯାକର ଏତେ ଏତେ ବିଶିଷ୍ଟ ଲୋକ ତାଙ୍କର ସ୍ଵାଗତ କରିବା ଲାଗି ଏଠାରେ ଆସି ପହଞ୍ଚିଛନ୍ତି । ଓଡ଼ିଶାର ସେହି ଭୂମି-ଆନ୍ଦୋଳନରେ ଏହି ଖାସ୍ କଥାଟି ଆଦ୍ୟରୁ ପ୍ରାୟ ଅନ୍ତିମଯାଏ ସେଥିପାଇଁ ଯୁଗପତ୍ ଭାବରେ ଏକ ଖାସ୍ ଗୋଳିଆମୋଳିଆ ଘଟଣା ହୋଇ ରହିଗଲା କି ? ହଁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସରକାରଙ୍କର ଏକନମ୍ବର ମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଏହି ଆନ୍ଦୋଳନଟି ଆଡ଼କୁ ଆକୃଷ୍ଟ ହୋଇଥିଲେ । ଏହିପରି ଗୋଟାଏ କିଛି ଘଟୁ ଏବଂ ଯୋଉ କ୍ଷେତ୍ରରେ ସତେଅବା ଫଳଦାୟକ ଭାବରେ ମୋଟେ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇ ପାରୁନାହିଁ, ସେଥିରେ କିଛି ନା କିଛି ସମାଧାନର ପ୍ରତୀତି ଦେଇପାରିଲା ଭଳି ଅବଶ୍ୟ ଗଣ୍ଠି ଫିଟୁ ବୋଲି ସେ ପୂର୍ଣ୍ଣ ନିଷ୍ଠାରେ ଇଚ୍ଛା କରୁଥିଲେ । ତାଙ୍କ ମନ୍ତ୍ରୀମଣ୍ଡଳର ଆଉ କେହି ସଦସ୍ୟ ତାହା କାର୍ଯ୍ୟତଃ ଇଚ୍ଛା କରୁନଥିବେ । ଏବଂ, ସ୍ଵୟଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ଭବତଃ ବିନୋବାଜୀଙ୍କ ପ୍ରତି ଯେତେ ଆକର୍ଷଣ ଅନୁଭବ କରୁନଥିଲେ, ଭୂମିମାଲିକାନାରେ ଗୋଟାଏ କିଛି ପରିବର୍ତ୍ତନ ଘଟୁ ବୋଲି ସେ ତା’ଠାରୁ ଅଧିକ ଆକାଂକ୍ଷା ରଖୁଥିଲେ । ଏକଦା ମହାତ୍ମା ଗାନ୍ଧୀଙ୍କର କାର୍ଯ୍ୟକ୍ରମରେ ସେପରି କିଛି ଘଟିବ ବୋଲି ପ୍ରତ୍ୟୟ ନପାଇବାରୁ ସେ ଅଗ୍ରନେତୃତ୍ଵଟିଏ ପ୍ରଦାନ କରି ଓଡ଼ିଶାରେ ସମାଜବାଦୀ କେତେ ସାଥୀଙ୍କୁ ସାଙ୍ଗରେ ନେଇ ଅଲଗା ମେଳଟିଏ ଗଠନ ବି କରିଥିଲେ । ତା’ପରେ ଉକ୍ତ ସାଥୀମାନଙ୍କୁ ବିସ୍ମିତ କରି କଂଗ୍ରେସରେ ଯୋଗ ଦେଲେ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେଲେ । ତଥାପି, ତାଙ୍କୁ ଦଳର ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀ କରି ବାଛିଥିବା ସେହି ଜ୍ଞାତିଟା ମଧ୍ୟରେ ଆପଣାର ଖାସ୍ କଳ୍ପନାଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେପରି କୌଣସି ହାର୍ଦ୍ଦିକ ସମର୍ଥନ ନପାଇବାରୁ ବଡ଼ ଅତୃପ୍ତି ଅନୁଭବ କରୁଥିଲେ । ଏହି ଭୂଦାନ ଆନ୍ଦୋଳନଟି ଆସି ତାଙ୍କୁ ସେଥିପାଇଁ କିଛି ଉତ୍ସାହ ମଧ୍ୟ ଆଣି ଦେଇଥିଲା କି ?

 

ପଦରେ ଥାଇ ମଧ୍ୟ ସେ ଭୂଦାନ-ପ୍ରଚାରରେ ଏକାଧିକ ସ୍ଥାନକୁ ଯାଉଥିଲେ । ଭୂଦାନର ଦାନଦିଗଟି ଠାରୁ ତାହାର ଲୋକଜାଗରଣମୂଳକ କ୍ରାନ୍ତିଦିଗଟିକୁ ନିର୍ଣ୍ଣୟ ଅଧିକ ସ୍ପଷ୍ଟ ଭାବରେ ବୁଝୁଥିଲେ । ଏପରିକି ରାଜ୍ୟର ତୁଙ୍ଗ ସର୍ବୋଦୟ ଓ ଗାନ୍ଧୀକାମର ପ୍ରାୟ ସବୁ ନେତା ପ୍ରଥମଟି ବିଷୟରେ ଲୋକମାନଙ୍କୁ ଅଧିକ ଆବେଦନ ସହିତ କହୁଥିଲେ ମଧ୍ୟ ସିଏ ଅନ୍ୟପ୍ରକାରେ ହିଁ ଏହି ନୂତନ ଜାଗରଣଟିର ବ୍ୟାଖ୍ୟା କରୁଥିଲେ । ତାଙ୍କର ନିଷ୍ଠା ତଥା ବ୍ୟାକୁଳତାରେ ଆଦୌ କୌଣସି ଖାଦ ନଥିଲା ସିନା, ମାତ୍ର ଆମ ସମାଜର ସଂସ୍କାରଗତ ଜଳବାୟୁଟିରେ ଯାହା ଅବଶ୍ୟ ହୁଅନ୍ତା, ସରଳ ଲୋକପକ୍ଷଟି ତାଙ୍କୁ ସବାଆଗ ରାଜ୍ୟର ମୁଖ୍ୟମନ୍ତ୍ରୀରୂପେ ହିଁ ଦେଖୁଥିଲା । ତାଙ୍କ ଗସ୍ତକ୍ରମର ବରାଦକାରୀ ସରକାରୀ ପକ୍ଷଟା ମଧ୍ୟ ଆଗରୁ ସେହିସବୁ ସ୍ଥାନକୁ ଯାଇ ଲୋକଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସେଠାକୁ ଆସୁଛନ୍ତି ବୋଲି ହିଁ କହୁଥିବେ । ମୁଖ୍ୟମନ୍ତ୍ରୀ ଆପଣାର ଭାଷଣ ମାନଙ୍କରେ ଭୂମିଦାନର ଏହି ନୂଆ ପବନଟିକୁ ଏକ ଲୋକକ୍ରାନ୍ତିର ଦ୍ୟୋତକ ବୋଲି ଲୋକମାନଙ୍କୁ ଯେତେ ନିର୍ଦ୍ଦିଷ୍ଟ ଭାବରେ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଲୋକବିବେଚନାରେ ସିଏ ଜନଗୋଷ୍ଠୀ ଗୁଡ଼ିକ ଲାଗି କେଡ଼େ ସ୍ପଷ୍ଟତର ଭାବରେ ପ୍ରାୟ ଗୋଟାସୁଦ୍ଧା ମୁଖ୍ୟମନ୍ତ୍ରୀ ରୂପେ ହିଁ ଦେଖା ଯାଇଥିବେ । ଭୂଦାନର କର୍ମୀମାନେ ଏଡ଼େ ବଡ଼ ଜଣେ ପ୍ରବୀଣ ବ୍ୟକ୍ତିଙ୍କୁ ନିଜ ସହିତ ପାଇ କେତେ ନା କେତେ ଉଶ୍ଵାସ ହୁଏତ ଅନୁଭବ କରୁଥିବେ ସତ, କିନ୍ତୁ ଲୋକଙ୍କର ଅନ୍ଦାଜରେ ନିଶ୍ଚୟ ସବୁ ଅନ୍ୟପ୍ରକାର ହିଁ ଦିଶୁଥିବ । ଏବଂ, ସେମାନେ ସେହି ଅନୁମାନରେ ଏହି ସର୍ବୋଦୟଟିକୁ ମଧ୍ୟ ସରକାରଙ୍କର ଏକ କାର୍ଯ୍ୟକ୍ରମ ବୋଲି ଅନୁଭବ କଲେ ଆମେ ସେମାନଙ୍କୁ କାହିଁକି ବୃଥା ଦୋଷ ବି ଦେବା ? ସେହି ସମୟରେ ଏପରି ମଧ୍ୟ ସରକାରୀ ଆଦେଶଟିଏ ବିଶେଷ କରି ଦିଆ ଯାଇଥିଲା ଯେ, ଭୂଦାନ ଆନ୍ଦୋଳନର ସବା ବରିଷ୍ଠ ନେତୃବୃନ୍ଦ ଇଚ୍ଛା କଲେ ସରକାରୀ ଡାକବଙ୍ଗଳା ଗୁଡ଼ିକର ସୁଯୋଗ ମଧ୍ୟ ନେଇପାରିବେ ଓ ସେଗୁଡ଼ିକରେ ରାତ୍ରିଯାପନ କରିପାରିବେ । ଡାକବଙ୍ଗଳା ମାନଙ୍କରେ ରାତ୍ରିଯାପନ କରିବାଦ୍ୱାରା ସେହି ବରିଷ୍ଠମାନଙ୍କର ଗୋଡ଼ ଯେ କୌଣସି ପ୍ରକାରେ ଖସି ଯାଇଥିବ, ସେକଥା ଆଦୌ ନୁହେଁ । ତଥାପି, ଜଣେ ବିଶିଷ୍ଟ ଅଭ୍ୟାଗତ ହିସାବରେ ସେମାନଙ୍କର ଖବର ବୁଝିବାକୁ ଏବଂ କଦର କରିବାକୁ ଯେତେବେଳେ ସରକାରୀ ଆଚାର ମାନି ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ପାଳମାନେ ସେଠାରେ ଆସି ଉପସ୍ଥିତ ମଧ୍ୟ ହେଉଥିବେ, ସେତେବେଳେ ଲୋକସ୍ତରର ପ୍ରତିକ୍ରିୟାମାନ ନିଶ୍ଚୟ ନାନା ଅନ୍ୟଭଳି ହେବାପାଇଁ ପ୍ରଲୁବ୍ଧ ହୋଇ ଯାଉଥିବ । ସକଳ ଆନ୍ଦୋଳନ ତ ସରକାରଙ୍କର ବିରୋଧରେ ହିଁ ହୁଏ । ତେଣୁ ଆଖିଆଗରେ ତାହାର ଏହିଭଳି ଏକ ବ୍ୟତିକ୍ରମ ଦେଖି ସେମାନେ ବେଳେବେଳେ ଢେର ବିଡ଼ମ୍ବନାରେ ମଧ୍ୟ ପଡ଼ି ଯାଉଥିବେ । କର୍ମୀମାନେ ମଧ୍ୟ ଅବଶ୍ୟ ସେହିପରି କିଛି କଳ୍ପନା ମଧ୍ୟ କରୁଥିବେ । କିନ୍ତୁ ଗୁରୁଜନମାନଙ୍କ ସହିତ ମେଳରେ ବସି କଦାପି ସେପରି ଚର୍ଚ୍ଚାଟିଏ ଆଦୌ ହୋଇନଥିବ ।

 

ଏଣେ ଏକ ଅଭୂତପୂର୍ବ ଲୋକସଚେତନ ମହତ୍ ଆକାଂକ୍ଷା ସହିତ ଏକ ଦେଶବ୍ୟାପୀ କ୍ରିୟାଶୀଳତା ଏବଂ ତେଣେ ଦିଲ୍ଲୀରେ ଏକ ଅତିଚକିତକାରୀ ଅଘଟଣ । ପ୍ରାୟ ଏକ ବ୍ୟକ୍ତିଗତ ତ୍ରାସର ବଶବର୍ତ୍ତୀ ହୋଇ ଦେଶର ପ୍ରଧାନମନ୍ତ୍ରୀ ଗୋଟାଏ ଖାସ୍ ଜରୁରୀଅବସ୍ଥା ଜାରି କରି ଦେଇଥିଲେ । ଆପଣାର ସ୍ଥିତିକୁ ନେଇ ସମ୍ଭବତଃ ଏପରି ଅନିଶ୍ଚିତ ହୋଇ ପଡ଼ିଲେ ଏବଂ ନିଜ ରାସ୍ତାରେ ଯାହାକୁ ପ୍ରତିବନ୍ଧକ ବୋଲି କିଛି ସନ୍ଦେହ କଲେ, ତାକୁ ଜେଲକୁ ଧରିନେଲେ । ସେହି ଧରପଗଡ଼ରେ ଲୋକନାୟକ ଜୟପ୍ରକାଶ ମଧ୍ୟ ବନ୍ଦୀ ହେଲେ । ଭୂମିକ୍ରାନ୍ତିରେ ଯେଉଁ ଫାଳଟା ବିନୋବାଜୀଙ୍କ ଅପେକ୍ଷା ଜୟପ୍ରକାଶଙ୍କୁ ଆପଣାର ନେତା ବୋଲି ଅନୁଭବ କରୁଥିଲା, ସେମାନଙ୍କୁ ସଭିଙ୍କୁ ଧରି ନିଆ ଯାଇଥିଲା । ଜରୁରୀ ଅବସ୍ଥାର ଏହି ଛାନିଆପର୍ବଟିକୁ ଶ୍ରୀଯୁକ୍ତ ବିନୋବା ଅନୁଶାସନ-ପର୍ବ ବୋଲି କହିଲେ । ଘରଟା ପୂରା ଦୁଇଭାଗ ହୋଇଗଲା । ତା’ପରେ ଲଢ଼େଇଟା ଦୁଇ ନେତାଙ୍କ ଅନୁସାରେ ଦୁଇଟା ସାହୀରେ ପରିଣତ ହୋଇ ବି ଗଲା । ଗୋଟିଏ ପକ୍ଷ ଜେଲ୍‌ରେ ଏବଂ ଅପର ପକ୍ଷଟା ବାହାରେ ସରକାରଙ୍କ ଆଡ଼େ । ନ୍ୟାୟତଃ ସମୁଦାୟ କ୍ରାନ୍ତିଟା ସକଳ ଅର୍ଥରେ ସେହିଦିନଠାରୁ ସଂପୂର୍ଣ୍ଣଭାବେ ପ୍ରଭା ହରାଇଲା । ସନ୍ଥ ବିନୋବା ବୁଢ଼ା ହୋଇ ଆସୁଥିଲେ । ଏକ ସୂକ୍ଷ୍ମ କର୍ମଯୋଗ ନାମକ ଚତୁର୍ମାସ୍ୟା ପାଳନ କରି ସିଏ ନିଜର ଆଶ୍ରମରେ ସ୍ଥଳସନ୍ନ୍ୟାସ ଗ୍ରହଣ କଲେ । ଶ୍ରୀ ଜୟପ୍ରକାଶ ଜେଲ୍‌ରୁ ମୁକୁଳି ଆଉ ବହୁତ କିଛି କଲେ ସତ, ମାତ୍ର ଭୂମିକ୍ରାନ୍ତିର ସେହି ଖାସ୍ ସଦନଟିକୁ ଫେରିଲେ ନାହିଁ । ମଝିରେ ଥରେ ସଂପୂର୍ଣ୍ଣ କ୍ରାନ୍ତିର ଡାକରା ଦେଲେ, ତା’ପରେ କଂଗ୍ରେସକୁ ଶାସନରୁ ହଟାଇବା ନିମନ୍ତେ ମଧ୍ୟ ସବା ଉପରର ନେତାରୂପେ ଏକ ଭୂମିକା ଗ୍ରହଣ କରି ସଫଳ ମଧ୍ୟ ହୋଇଥିଲେ । ଭାରତୀୟ ରାଜନୀତିକୁ କେତେ ନୂଆ ଭଙ୍ଗ ଏବଂ ବିଭଙ୍ଗ ଆଣି ଦେଇଥିଲେ । ତଥାପି, ବେଳଟି ଯେ ଗତ ହୋଇ ଯାଉଛି, ଅଧିକରୁ ଅଧିକ ତାହାରି ସୂଚନା ଦେଉଥିଲେ । ନିଜ ଉପରେ ନିଜ ଗଭୀରତମ ପ୍ରତୀତି ଗୁଡ଼ିକର ସ୍ତରରେ ହୁଏତ ବେଶ୍ ଉତ୍ତପ୍ତ ହୋଇ ରହିଥିବା ପରି କେତେ କେତେ ଖିଆଲରେ ପ୍ରାୟ ନିଜ ବିଷୟରେ ସତେ ଯେପରି ଅଣଅକ୍ତିଆର ମଧ୍ୟ ହୋଇ ପଡ଼ୁଥିଲେ ।

 

ଥରେ ଫଇସଲା କଲେ ଯେ, ଜଣେ ନେତାର ଭୂମିକାରେ ଆପଣାକୁ ଅବସ୍ଥାପିତ କରି ସିଏ ଆଉ ଲୋକ–କୋଳାହଳ ମଧ୍ୟରେ ଗ୍ରସ୍ତ ହୋଇ ରହିବେନାହିଁ । ସେହି ଅନୁସାରେ ବିହାରର ମୁଙ୍ଗେର ଜିଲ୍ଲାର ଗୋଟିଏ ଗ୍ରାମରେ ଆପଣାର କର୍ମଭୂମିଟିଏ ନିର୍ମାଣ କରିବେ ଏବଂ ସେହି ସାନ ସମୁଦାୟଟିକୁ ଯଥାସମ୍ଭବ ଏକ ନୂତନ ଧାରାରେ ଗଢ଼ିହୋଇ ଆସିବାରେ ସେଠା ଅଧିବାସୀମାନଙ୍କୁ ସାହାଯ୍ୟ କରିବେ । ଅନୁଚରମାନେ ତତ୍‌କ୍ଷଣାତ୍ ଆବଶ୍ୟକ ବରାଦମାନ କରି ଦେଇଥିଲେ । ବିଚରା ଉକ୍ତ ଗ୍ରାମର ବାସିନ୍ଦାମାନେ ମଧ୍ୟ କେତେ କ’ଣ ଉଲ୍ଲସିତ ହୋଇ ନଥିବେ । ଜୟପ୍ରକାଶଜୀ ସେହି ଗାଆଁକୁ ଯାଇ ନିଜର ଡେରାଟିକୁ ପକାଇଲେ । ମାତ୍ର, କୌଣସି ଅନ୍ତର୍ଗତ ବୈରାଗ୍ୟ ହେତୁ ସିନା ଲୋକନାୟକ ଏତେ ଏତେ କୋଳାହଳ ମଧ୍ୟରୁ ବାହାରକୁ ବାହାରି ଯିବାକୁ ମନ କଲେ, ମାତ୍ର କୋଳାହଳ ବିଚରା ତାଙ୍କୁ ପ୍ରକୃତରେ ଯେଉଁପ୍ରକାରେ ଛାଡ଼ିଥାଆନ୍ତା ! କାହିଁକି ବା ଛାଡ଼ିଥାନ୍ତା । ସିଏ ଏପରି ଗୋଟିଏ ନିଷ୍ପତ୍ତି କରିଛନ୍ତି ବୋଲି ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିଥିଲା । କେହି କେହି ସମ୍ପାଦକୀୟ ସ୍ତମ୍ଭରେ ଘଟଣାଟିର ସମୀକ୍ଷା ମଧ୍ୟ କରିଥିଲେ । ଏବଂ, ତେଣେ ସାମ୍ବାଦିକମାନେ ଯାଇ ସେହି ଗାଆଁରେ ବି ଗହଳି ଲଗାଇ ଦେଇଥିଲେ । ଜୟପ୍ରକାଶ ସେହି ସାନ ଗାଆଁଟିରେ ମଧ୍ୟ ଶାନ୍ତିରେ ରହି ପାରିନଥିଲେ । ରାଜଧାନୀର ରାଜନୀତିକ ବଡ଼ନେତାଏ ତାଙ୍କର ପରାମର୍ଶ ନଲୋଡ଼ି କିପରି ଥୟ ହୋଇ ରହିପାରନ୍ତେ ! ଏବଂ, ଜୟପ୍ରକାଶ ମଧ୍ୟ କିପରି ନିଜର ପୁରାତନ ଡୋରଗୁଡ଼ିକ ବିଷୟରେ ଅସଂପୃକ୍ତ ହୋଇ ବି ରହିପାରିଥାନ୍ତେ ! ତେଣୁ ସିଏ ପୁନର୍ବାର ନିଜର ସେହି ଆଗ ଭୂମିକା ମଧ୍ୟକୁ ଫେରି ଆସିଥିଲେ । ଏହି ଆଖ୍ୟାନଟି ବିଷୟରେ କେବଳ ଏତିକି କହିଲେ ଅବଶ୍ୟ ଯଥେଷ୍ଟ ହେବ ଯେ, କାଳର ବିଧି ଅନୁସାରେ ଉଭୟ ବିନୋବାଜୀ ଏବଂ ଶ୍ରୀ ଜୟପ୍ରକାଶ ନାରାୟଣ ଆମ ଭିତରୁ ସେପୁରକୁ ଇତିମଧ୍ୟରେ ଚାଲି ଗଲେଣି, ମାତ୍ର ଦୁଇଭାଗ ହୋଇ ଯାଇଥିବା ସର୍ବୋଦୟର ସେହି ଗୋଟିଏ ଶିବିର ଏବେ ମଧ୍ୟ ଦୁଇ ଖଣ୍ଡ ହୋଇ ରହିଛି । ଏବଂ, ଭାରତବର୍ଷରେ ଭୂମିସମସ୍ୟାଟା ସେହିପରି ଅସମାହିତ ହୋଇ ରହିଛି । ସରକାରମାନେ ଧର୍ମତଃ ଭୂମିର ମାଲିକମାନଙ୍କ ପଟରେ ରହିଛନ୍ତି ।

 

ଆମର ଏହି ରାଜ୍ୟଟିରେ ମଧ୍ୟ ଦୁଇଭାଗ । ଏକତ୍ର ବସି ସମ୍ମୁଖସ୍ଥ ଅବସ୍ଥାଗୁଡ଼ିକ ବିଷୟରେ କିଛି ଚର୍ଚ୍ଚା କରିବା ଏବଂ ଚତୁର୍ଦ୍ଦିଗସ୍ଥ ଆହ୍ଵାନମାନଙ୍କର ସମ୍ମୁଖୀନ ହେବା,–କୌଣସି ଗୋଟିଏ ପଟ ମଧ୍ୟ ସେହି ବିଷୟରେ ଆଉ ବିଚାର କରି ପାରିନାହିଁ । ସେ ପୁରୁଷର ଖାସ୍ ଉଚ୍ଚମାନେ କ୍ରମେ ବିଦା ହୋଇ ଯାଉଛନ୍ତି ଏବଂ ପଛଧାଡ଼ିରେ ସତେ ଯେପରି କେହି ନାହାନ୍ତି । ଏକଦା ଅପେକ୍ଷାକୃତ ଅଧିକ କନିଷ୍ଠମାନ ସେହି ଆଗ ସମୟଟାରୁ ହିଁ ଜ୍ୟେଷ୍ଠମାନଙ୍କର ନିର୍ଦ୍ଦେଶ ମୁତାବକ ସବୁ କାର୍ଯ୍ୟ କରିବାରେ ଏପରି ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ନିଜେ ସତକୁ ସତ କିଛି ଚିନ୍ତା କରିବା ଏବଂ ସେହି ଅନୁସାରେ ନୂଆ ପ୍ରକାରେ ଆଗକୁ ହୁଏତ କୌଣସି ପାଦ ପକାଇବା ନିମନ୍ତେ ସେମାନଙ୍କର କୌଣସି ଆଖି ନାହିଁ । ସମ୍ଭବତଃ, ଅଧିକ ନିର୍ଭୁଲ ଭାବରେ କହିଲେ, ଆଗ୍ରହ ହୁଏତ ଅଛି, କିନ୍ତୁ ଆଖି ନାହିଁ । ନାନାଭାବେ ସେହି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି ଏବଂ ପୁରୁଣା ଧରସାମାନେ ବଦଳନ୍ତୁ ବୋଲି ଯେତେ ମନ ହୁଏତ ରହିଥିଲେ ମଧ୍ୟ ତଥାପି ମନ ମାରି ରହି ଯାଉଛନ୍ତି । ପ୍ରାୟ ପାଞ୍ଚବର୍ଷ ତଳେ ଯେତେବେଳେ ରାଜ୍ୟରେ ପୂରା ଦେଶଟାର ସର୍ବୋଦୟୀ ମାନଙ୍କର ସମ୍ମିଳନୀଟିଏ ଡକା ଯାଇଥିଲା, ଏହି ନୂଆ କେତେଜଣ ଭାରି ଆଶା କରିଥିଲେ ଯେ ସେମାନେ ଏଭଳି ଗୋଟିଏ ଅବସରର ସୁଯୋଗ ନେଇ ଅନ୍ତତଃ ରାଜ୍ୟର ଦୁଇଟିଯାକ ଗୋଷ୍ଠୀକୁ ଏକତ୍ର କରାଇବେ ଏବଂ, ଅନ୍ତତଃ ଏତିକି ହୋଇ ପାରିଲେ ସମ୍ଭବତଃ ଆଗକୁ ଆଗକୁ କ୍ରମେ ବାଟ ଫିଟିଯିବ । ସେତିକି ମଧ୍ୟ ସମ୍ଭବ ହେଲାନାହିଁ । ଜୟପ୍ରକାଶ ପଟ କହିଲେ ଯେ ଅପର ପଟଟିକୁ ଏହି ସମ୍ମିଳନୀକୁ ଡାକିଲେ ସେମାନଙ୍କର ପଟଟା ଅସହଯୋଗ କରିବ ଓ ଆଦୌ ଏହି ସମ୍ମିଳନୀକୁ ଆସିବ ନାହିଁ । ସେମାନେ ଜରୁରୀ ଅବସ୍ଥା ସମୟର ଦଗାଟାକୁ ତଥାପି ଭୁଲିନଥିଲେ ଓ ସେହି ସମୟଟିର ଉଲୁଗୁଣା ଦେଇଥିଲେ ।

 

ଅବଶ୍ୟ ଗୋଟାସୁଦ୍ଧା ସତ କଥା ଯେ, ଜରୁରୀ ଅବସ୍ଥା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଏ ତାଙ୍କର ଖାସ୍ ବିରୋଧୀ କେତେଜଣଙ୍କୁ ଜେଲ ଭିତରକୁ ଧରିନେଇ ଖୁବ୍ କଷ୍ଟ ଦେଇଥିଲେ; ସତେଅବା ତାଙ୍କର ନାନା ବ୍ୟକ୍ତିଗତ କ୍ରୋଧର ଏକ ଅପପ୍ରେରଣାର ବଶବର୍ତ୍ତୀ ହୋଇ ସିଏ ତାହାରି ପ୍ରତିଶୋଧ ନେଉଥିଲେ । ଏବଂ, ସେତେବେଳେ ଜରୁରୀ ଅବସ୍ଥାକୁ ସମର୍ଥନ କରୁଥିବା ସର୍ବୋଦୟ ଶିବିରର ଅପର ଫାଳଟା ସରକାରଟାକୁ ଏକାଧିକ ପ୍ରକାରେ ସାହାଯ୍ୟ ମଧ୍ୟ କରୁଥିଲା । ସେହି ରାଗଟାକୁ ସେମାନେ ଆଦୌ ଭୁଲି ପାରିନଥିଲା । ଏଠାରେ ଆମେ ଜରୁରୀ ଅବସ୍ଥାବେଳେ ଜେଲ୍ ଭିତରେ ନାନା ନିର୍ଯ୍ୟାତନା ଭୋଗ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ବିଷୟରେ ହୁଏତ କିଞ୍ଚିତ୍ ଆଲୋଚନା କରିପାରିବା । ଜରୁରୀ ଅବସ୍ଥା ପରେ ସିଏ ଅତି ତୀବ୍ରଭାବେ ବିନୋବାଙ୍କର ବିରୋଧୀ ହୋଇଗଲେ । ଏପରିକି କେତେ ସାଧାରଣ ଆଲୋଚନାରେ ତାଙ୍କୁ ଗାଳି କଲାପରି ବହୁ କଥା କହି ଯାଉଥିଲେ । ଶ୍ରୀ ଚୌଧୁରୀ ସ୍ଵାଧୀନତା ସଂଗ୍ରାମ ସମୟରେ ଏବଂ ସ୍ଵାଧୀନତା ପରେ କେତେ ନା କେତେ ଆଗକୁ ଚିନ୍ତା କରି ଆପଣାକୁ ଉଦ୍‌ବୁଦ୍ଧ କରି ରଖିଥିଲେ । ଗାନ୍ଧୀଜୀଙ୍କ କେତେ କାର୍ଯ୍ୟ ତାଙ୍କୁ ଭାରି ରକ୍ଷଣଶୀଳ ମନେ ହେଲା ବୋଲି ସେ ସମାଜବାଦୀ କର୍ମୀସଂଘର ସ୍ଥାପନା କରିଥିଲେ । ସ୍ଵାଧୀନତା ପରେ ନିଜେ ବିଶେଷ ଅଗ୍ରାଧିକାର କିଛି ଦେଇ ହୁଏତ କେତେ କଥା ଅବଶ୍ୟ କରିପାରିବେ ବୋଲି ଭରସା ପୋଷି କଂଗ୍ରେସକୁ ଆସିଲେ ଓ ମନ୍ତ୍ରୀ ହେଲେ । ଚତୁରମାନଙ୍କର ଚକ୍ରାନ୍ତରେ ପଡ଼ି ସରକାରରୁ ବାହାର ହୋଇଗଲେ । ତା’ପରେ ବିନୋବାଜୀଙ୍କର ଭୂମି–ଆନ୍ଦୋଳନ । ତା’ପରେ ଶ୍ରୀଯୁକ୍ତ ଜୟପ୍ରକାଶଙ୍କର ପଟ, ଯେଉଁଟି ତାଙ୍କୁ ଅଧିକ ପ୍ରତିଶ୍ରୁତିପୂର୍ଣ୍ଣ ପରି ଲାଗିଥିଲା । ସେହି ସମାଜବାଦୀ କାଳରୁ ତ ସିଏ ତାଙ୍କୁ କେତେ ଅନୁରାଗ ସହିତ କେତେ ନିକଟର ବୋଲି ଅନୁଭବ କରି ଆସିଥିଲେ । ତା’ପରେ କଂଗ୍ରେସ ହଟାଓ-। ଏବଂ, ଏହି ସବୁକିଛି ମଉଳନ ପଡ଼ି ଆସିବାର ଦେଖି ଏକ ଦାରୁଣ ଆତ୍ମକ୍ରୋଧ । ସମସ୍ତେ ନିଜ ନିଜ ସୂତରରେ ମଞ୍ଚରୁ ବିଦାୟ ନେଇ ଚାଲିଯିବା ପରେ ଯେଉଁମାନଙ୍କର ତଥାପି କିଛି କରୁଛନ୍ତି ବୋଲି ନିଜର ହୃଦ୍‌ବୋଧ ହେଉଥିଲା, ଏକ ପରାହତ ବିବେକରେ ସେ “ମୁଁ ଚାରୁ ମଜୁମଦାର ହେବି, ମୁଁ କାନୁ ସାନ୍ୟାଲ ହେବି” ବୋଲି ମଧ୍ୟ କହିଲେ । ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ସେ କେବେହେଲେ ସେମାନଙ୍କ ପରି ହୋଇ ପାରିବେନାହିଁ ବୋଲି ନିଜର ଅନ୍ତର୍ନାଡ଼ୀ ମାନଙ୍କରେ ଖୁବ୍ ଭଲଭାବରେ ଜାଣିଥିଲେ । ସମୁଚିତ ପ୍ରତ୍ୟୟ ତଥା ସମୁଚିତ ମାର୍ଗଗୁଡ଼ିକର କ୍ଷେତ୍ରରେ ସର୍ବଦା ସଚେତନ ହୋଇ ରହିଥିବା ସେହି ଏକମାତ୍ର ନେତାଙ୍କ ବିଷୟରେ ଆମର ଏହି ରାଜ୍ୟଟି ଏବେ ମଧ୍ୟ ଇଚ୍ଛା କଲେ କେତେ କ’ଣ ବୁଝି ପାରନ୍ତା ଏବଂ କେତେ ନା କେତେ ପ୍ରେରଣା ଅବଶ୍ୟ ଲାଭ କରି ପାରନ୍ତା ।

 

ଏବଂ, ତା’ପରେ ଆମର ଏହି ଉପସ୍ଥିତ କାଳଟିରେ ରାଜ୍ୟର ସର୍ବୋଦୟୀ ବର୍ଗଟି ନାନା ସେବାକାର୍ଯ୍ୟରେ ନିମଗ୍ନ ହୋଇ ରହିଛି । ବିପନ୍ନମାନଙ୍କ ସକାଶେ ତ୍ରାଣସରଞ୍ଜାମ ବାଣ୍ଟୁଛି । ଆମ ରାଜ୍ୟରେ ଯାହାକୁ ଶାସକମାନେ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହନ୍ତି, ସେଗୁଡ଼ିକ ନ୍ୟାୟତଃ ବହୁ ପରିମାଣରେ ମନୁଷ୍ୟକୃତ ନୁହେଁ କି ? ତେଣୁ, ବାତ୍ୟା, ବନ୍ୟା, ମରୁଡ଼ି ରହିଥାଏ । କୌଣସି ସ୍ଥାୟୀ ପ୍ରତିକାର ଆଡ଼େ ଆମ ନ୍ୟସ୍ତସ୍ଵାର୍ଥ କେବେହେଲେ ମନ ଦିଏନାହିଁ । ସରକାରୀ ତଥା ବେସରକାରୀ ଦୁଇଟାଯାକ ମାହାଲର ଏହି ଗଉଁତିଆମାନେ । ତେଣୁ ବିପନ୍ନମାନଙ୍କର ସେବା କରାଯାଏ । ତ୍ରାଣକାର୍ଯ୍ୟର ଅବସର ଗୁଡ଼ିକରେ ତିନିଚଉଠ ପଇସା ନିୟମତଃ ଶିବଭଗବାନଙ୍କର ଜଟା ଭିତରେ ରହିଯାଏ । ଦୁଃଖଦ୍ଵାରା ପୀଡ଼ିତ ଭୂଇଁଟି ଯାଏ ଆସି ପାରେନାହିଁ । ସେବାବିତରଣର ସରକାରୀ ମହକୁମା ମାନଙ୍କରେ ମଧ୍ୟ ସେ ଉଦ୍‌ଭଟ ଅରୀତିଗୁଡ଼ାକର ଖୋଲା ଅଭିନୟ ଲାଗି ରହିଥାଏ । ସର୍ବୋଦୟ ଶିବିରଟିର କ୍ଷେତ୍ରରେ ଏତିକି ଅବଶ୍ୟ ହୁଏ ଯେ, ସେଠାରେ ତ୍ରାଣ ତଥା ସେବାମାନେ ଯେଉଁଠାରେ ଯାଇ ପହଞ୍ଚିବା ଉଚିତ, ସେଯାଏ ଯିବାଲାଗି ତାହା ଯଥାସମ୍ଭବ ନିଶ୍ଚୟ ଆଖି ରଖିଥିବ-। ଆମ ଦେଶରେ ପଛୁଆ ବର୍ଗ, ଦଳିତ ଏବଂ ଦରିଦ୍ରମାନଙ୍କ ପାଇଁ ଏବେ ତ ବାହାଦୁର ଆମ ସରକାର ମାନଙ୍କର ମଧ୍ୟ କେତେ ବିଭାଗୀୟ ସୂତ୍ରମାନ ଖୋଲା ଗଲାଣି । ସେମାନେ ଆର୍ଥିକ ଅନୁଦାନମାନ ଦେଇ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମାଧ୍ୟମ କରି କ୍ରମେ ଭଳି ଭଳି ସାହୁକାରୀ ବି କଲେଣି । ସର୍ବୋଦୟର ଶିବିରଟି ମଧ୍ୟ ସେଥିରେ ସାମିଲ ହୋଇଛି । ବିଚରା ସରକାରଙ୍କର ପ୍ରଜାହିତକାରୀ କାର୍ଯ୍ୟଗୁଡ଼ିକୁ ପ୍ରଧାନତଃ ଏକ ସହାୟକାରୀ ହାତ ବଢ଼ାଇ କିଛି ପୂରଣ କରାଇବାର ଆକାଂକ୍ଷା ହେତୁ ଶିବିରସ୍ଥ ନେତୃତ୍ଵଟି ସେଥିରେ ଯାଇ ନିଜକୁ ସଂପୃକ୍ତ କରିଛି, କିମ୍ବା ନିଜ ପାଇଁ ସତକୁ ସତ ଆଉ କୌଣସି କର୍ମସୂଚୀ ଏବେ ହାତରେ ନାହିଁ ବୋଲି ଯେକୌଣସି ପ୍ରକାରେ ତିଷ୍ଠି ରହିବାକୁ ଅଳ୍ପ ବହୁତ ବାଧ୍ୟ ହୋଇ ସେପରି ମାର୍ଗଟିଏ ବରଣ କରିଛି, ସେକଥା ସେହି ଘରର ବେବର୍ତ୍ତାମାନେ ନିଶ୍ଚୟ ଅତ୍ୟୁତ୍ତମ ଭାବରେ ଜାଣିଥିବେ । କିନ୍ତୁ ଏକଥା ମଧ୍ୟ ସତ ଯେ, ଏକ ମେଳରେ ବସିଥିବାର ଅବସର ଗୁଡ଼ିକରେ ସେମାନେ ସେହି କଥାଟିକୁ ଚର୍ଚ୍ଚାକୁ ଆଣନ୍ତି ନାହିଁ । ସମ୍ଭବତଃ ସମସ୍ତେ ସ୍ପଷ୍ଟ ଅଗତ୍ୟାପଣ ଗୁଡ଼ିକୁ ଖୁବ୍ ଜାଣିଥାନ୍ତି ଓ ତେଣୁ ସେଥିରୁ ଭୋଗିବାକୁ ପଡ଼ୁଥିବା ପାପପୁଣ୍ୟ ଆଦିକୁ ସଂପୂର୍ଣ୍ଣ ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ଉପରେ ଛାଡ଼ି ଦେଇଥାନ୍ତି । ରିଲିଫ୍ କାର୍ଯ୍ୟଟିକୁ ମଧ୍ୟ ସେହି ଗୋଟିଏ ପ୍ରକାରେ କାହିଁକି ବିଚାର କରୁନଥିବେ !

 

ମହାତ୍ମା ଗାନ୍ଧୀ ମଧ୍ୟ ତାଙ୍କ କାଳେ ରଚନାତ୍ମକ କାର୍ଯ୍ୟସୂଚୀ କଥା କହିଥିଲେ । ସମଗ୍ର ସେବାରେ ଏକ ଆଲୋଡ଼ନକାରୀ ଦୃଶ୍ୟପଟକୁ ସେ ଦେଶବାସୀଙ୍କ ସମକ୍ଷରେ ଉନ୍ମୋଚିତ କରି ଦେଇଥିଲେ । ଭାରତବର୍ଷର ସ୍ଵରାଜ ସୂତାଖିଅରେ ଝୁଲୁଛି ବୋଲି ଘୋଷଣା କରିଥିଲେ । ଏସବୁ ଘୋଷଣା ପଛରେ ରାଜନୀତି ଏବଂ ଅର୍ଥନୀତିର ଏକ ସୁସ୍ପଷ୍ଟ ମୂଲ୍ୟଗତ ଆହ୍ଵାନ ରହିଥିଲା । ଏହିସବୁ କାର୍ଯ୍ୟକ୍ରମ ଦେଶର ସ୍ଵାଧୀନତା ସଂଗ୍ରାମକୁ ଏକ ପୂର୍ଣ୍ଣବଳ ଲୋକସମର୍ଥନ ଆଣି ଯୋଗାଇ ଦେଇଥିଲା । ଏବେ ତ ଏକ ସରକାରୀ ସାହେବୀ ବିଭାଗର ତତ୍ତ୍ଵାବଧାନରେ ଖଦୀକାମ ହେଉଛି । ଖାମିନ୍ଦମାନେ ଏକ ବାଣିଜ୍ୟିକି ଅନ୍ୟବୁଦ୍ଧିରେ ଖଦୀର କାର୍ଯ୍ୟଗୁଡ଼ିକୁ ସର୍ବବିଧ ପ୍ରକାରେ ଏକ ଅନ୍ୟ ଅପରିମଳରେ ଦୂଷିତ କରି ରଖିଛନ୍ତି । ସେହିପରି କୁଟୀରଶିଳ୍ପ, ସମବାୟ, ଦଳିତ ଉପଜାତି ଓ ଜନଜାତି ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସିରସ୍ତାମାନ,-ସତେ ଯେପରି ଶ୍ଵଶୁରଘରଟା କୋଉ ଗାଆଁରେ ନଜାଣି ଗୋଟାଏ ବର ତଥାପି ବାଦଶାହ ପରି ବେଶ ହୋଇ ବାହା ହେବାକୁ ବାହାରିଛି । ଏବଂ, ସେହି କାଇଦାରେ ସରକାରୀ ଅନୁଦାନରେ ଅକ୍ଷମ, ଅଳ୍ପକ୍ଷମ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସେବାଗୃହମାନ ଖୋଲି ସେମାନେ ଆପଣାକୁ କାର୍ଯ୍ୟରତ କରି ରଖିଛନ୍ତି । ମାତ୍ର ଅଳପଙ୍କର ଉଦୟକୁ ଧର୍ମବତ୍ ଗ୍ରହଣ କରିନେଇ ଅଧିକ ଧନୀ ହୋଇଥିବା ସେହି ପାରମ୍ପରିକ ଶ୍ରେଣୀଟା ଠାରୁ ଅର୍ଥଭିକ୍ଷା କରି ଆଣି ସମ୍ମିଳନୀ କରୁଥିବା ସର୍ବୋଦୟ-ମଣ୍ଡପର ଉତ୍ତମମାନେ ଯେପରି ଆମ ସାମୂହିକ ଜୀବନର ମୂଳ ଅଭିଳାଷଗୁଡ଼ିକୁ ମୁଖ୍ୟତଃ ନାନା କୁହୁଡ଼ି ଭିତରେ ଆଚ୍ଛନ୍ନ କରି ରଖିଛନ୍ତି,-ଏହି ସେବାଧନ୍ଦା ସେହିପରି ପ୍ରାୟ ଗୋଟିଏ କୌତୁକ ହୋଇ ରହିଯାଉଛି । ଅନ୍ଧାର ଠାରୁ ଅନୁଦାନ ମାଗି ଅନ୍ଧାରକୁ ଦୂର କରିବାର ଉଦ୍ୟମଟିଏ ହିଁ ହେଉଥିବା ପରି କାହିଁକି ବା ଲାଗୁନଥିବ ! ଅସଲ ଆକାଶଟା କୁଆଡ଼େ କୋଉ ପଛରେ ଯାଇ ରହିଲା ବୋଲି ଝିଙ୍ଗାସି ହେବାକୁ ପଡ଼ୁଥିବ । ତଥାପି ନିଜର ଅସଲ ମେଳଟି ସହିତ ପାଖ ପାଖ ହୋଇ ବସି ସେହି ଅନୁଭୂତ ଖେଦଟି ବିଷୟରେ ମୋଟେ କୌଣସି କଥା ପଡ଼େନାହିଁ କାହିଁକି କେଜାଣି ? ଦୂରତାମାନେ ବଢ଼ିବାରେ ଲାଗିଥାନ୍ତି । ପରଚର୍ଚ୍ଚାମାନେ ମଧ୍ୟ କାହିଁକି ନବଢ଼ୁଥିବ !

 

ଆମେ ଖୁବ୍ ଲକ୍ଷ୍ୟ କରି ପାରିବା ଯେ, ଏହି ତଥାକଥିତ ସେବାକାର୍ଯ୍ୟ ନିମନ୍ତେ ହିଁ ସଂପ୍ରତି ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କ ସମେତ ସର୍ବୋଦୟୀ ସେହି ଗୋତ୍ରଟିର ଅନ୍ୟମାନଙ୍କୁ ସମ୍ମାନିତ କରାଯାଉଛି । ମାନବସେବା ହିଁ ମାଧବସେବା ବୋଲି ଅପବାଦଟି ତ ପୂର୍ବରୁ ଥିଲା । ଏବେ ଆଦିବାସୀ-ସେବାକୁ ମାଧବସେବା ବୋଲି ମଧ୍ୟ କୁହାଗଲାଣି । ବିଶ୍ଵନାଥ ଭାଇଙ୍କୁ ତ ଏତେ ଗୁଣଗ୍ରାହୀ ଅନାଥର ନାଥ ବୋଲି କହିଲେଣି । ଯେଉଁମାନେ ସେବାର ଧାର ଧାରନ୍ତିନାହିଁ, ବିଶ୍ୱବିଦ୍ୟାଳୟର ରସିକମାନେ ତାଙ୍କୁ ଉଚ୍ଚଡ଼ିଗ୍ରୀର ଖଣ୍ଡୁଆମାନ ପିନ୍ଧାଇ ଦେଇ ବହୁତ ଆପ୍ୟାୟିତ ହେଉଛନ୍ତି । ପୁରସ୍କାର ପ୍ରଦାନ କରି ସେମାନେ ପୁରସ୍କୃତମାନଙ୍କୁ ହୁଏତ ସେମାନଙ୍କର ମାର୍ଗରୁ ଖସାଇ ନେବାକୁ ମନ କରୁଛନ୍ତି । କାରଣ, ଯେଉଁମାନେ ଆପଣାର ଜୀବିକାରାଜ୍ୟରେ ସବୁପ୍ରକାର ଅସେବାରେ ଆପଣାକୁ ହିଁ ବିକି ଦେଇଛନ୍ତି, ପରୋକ୍ଷରେ ଅଥବା ପ୍ରତ୍ୟେକ୍ଷରେ ବହୁ ନିର୍ଦ୍ଦୟତାର କାରଣ ହୋଇଛନ୍ତି, ସେମାନେ ଏପରି ମଉକାଟାଏ ପାଇ ଯାଇଥିବା ପରି ଏହି ଖାସ୍ କାର୍ଯ୍ୟମାନ କାହିଁକି କରନ୍ତେ ? ଏବଂ, ସର୍ବୋଦୟର ସେହି ଅନ୍ୟ ସାମୂହିକ ଆହ୍ଵାନଟିକୁ ତ ସେମାନେ ନିଶ୍ଚୟ ଆତଙ୍କପ୍ରାୟ ମଣୁଥିବେ । ସର୍ବୋଦୟ ଆମର ଚଳନ୍ତି ହିସାବଟା ଅନୁସାରେ ମୋଟେ ଗୋଟିଏ ସେବାକାର୍ଯ୍ୟ ନୁହେଁ । ଏକ ଅନ୍ୟ ମଧ୍ୟାତ୍ମ ଅର୍ଥାତ୍ ସାର୍ବଜନୀନ ଜୀବନକୁ ଆଗରେ ରଖି ଏକ ଲୋକଜାଗରଣରେ ନିମିତ୍ତ ହେବା । ଏବଂ, ଆହୁରି ଅଧିକ ମୂଳର କଥାଟି ହେଉଛି ଯେ, ସବାଆଗ ସେହି ଧ୍ୟେୟଟି ଅନୁସାରେ ଆପେ ଏକ ଜୀବନ ମଧ୍ୟ ବଞ୍ଚିବା । ଉପରେ ଥାଇ କର୍ତ୍ତୃତ୍ଵ କରିବା ନୁହେଁ, ଏପରିକି ଗୋଷ୍ଠୀଟି ମଧ୍ୟରେ ନାନା ଅକାରଣକୁ ଆଳ କରି ନେତା ନାମକ ଏକ ଅନ୍ୟ–ଆତ୍ମା ବନି ରହିବା ମଧ୍ୟ ନୁହେଁ । ତେଣୁ, ସାଙ୍ଗକୁ ଆସିବା, ସଙ୍ଗୀ ହେବା । ବୋଲ ବତାଇ ଅଡ଼ାଇନେବା ନୁହେଁ, ସାଙ୍ଗ ହୋଇ ବାଟ ଚାଲିବା । ସଉରାମାନଙ୍କର ବୁଆରୁ ଘୁଷୁରିଗୁହ ସଫା କରିବା ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କ ସକାଶେ ଆମ ଅନେକଙ୍କ ଅର୍ଥରେ ଆଦୌ କେବଳ ଗୋଟାଏ ସେବାକାର୍ଯ୍ୟ ନଥିଲା । ସକଳ ଅର୍ଥରେ ଏକ ଆମନ୍ତ୍ରଣ ହିଁ ଥିଲା । ଆସ, ଆମେ ଏକାଠି ହେବା, ଏକ ଅନ୍ୟ ସ୍ଵପ୍ନ ଦେଖିବା,–ଆମ ଗାଆଁକୁ ନେଇ, ପରସ୍ପରକୁ ନେଇ, ଏହି ପୃଥିବୀକୁ ନେଇ । ଏଣୁ ଗୁରୁଜନମାନଙ୍କ ପାଖରୁ କିଛି କାର୍ଯ୍ୟକ୍ରମର ନିର୍ଦ୍ଦେଶ ନେଇ ସେ କେବଳ ସେହିଗୁଡ଼ିକର ପାଳନକୁ ହିଁ ସବୁକିଛି ବୋଲି ମାନି ନେଇ ନଥିଲେ । ସେହି ଦୂର ଅଞ୍ଚଳଟିରେ ସିଏ ସେଠା ମନୁଷ୍ୟମାନଙ୍କୁ ସେମାନଙ୍କର ନିତିଜୀବନର ପରିଚୟରେ ଆବିଷ୍କାର କଲେ । ଆପେ ବିସ୍ତାରିତ ହୋଇ ଯାଇଥିଲେ-। ବାହାରୁ ଯେଉଁମାନଙ୍କର ସେବା କରିବାକୁ ଆସିଥିଲେ, ସେହିମାନଙ୍କ ସହିତ ଘର ବାନ୍ଧିଲେ-। ସେମାନଙ୍କ ମଧ୍ୟରେ ଗୋଟିଏ ଗୋଟିଏ ମନୁଷ୍ୟାତ୍ମାର ସନ୍ଧାନ ପାଇଲେ । ଏହି ପୃଥିବୀରେ ଯିଏ ଦୁର୍ଗତମାନଙ୍କୁ ଦୟା ଦେଖାଉଥାଏ, ସିଏ ନିଜ ଭିତରେ ମଧ୍ୟ ରହିଥିବା ସେହି ଅନ୍ତରସ୍ଥ ମଣିଷଟିର ସନ୍ଧାନ ପାଇଥାଏ ତ !

 

ହଁ, ଶ୍ରୀ ପଟ୍ଟନାୟକ ମଧ୍ୟ ଏଣୁ ସେଠି ଜଙ୍ଗଲ ଭିତରକୁ ଯାଇଥିଲେ । ଜଣେ ଯେକୌଣସି କର୍ମୀ ପରି ସେ ସେଠାରେ ବାସ କରୁଥିବା ନିତାନ୍ତ ଦୟନୀୟ ମାନଙ୍କୁ ଦୟା କରିଥାନ୍ତେ, ଏଣୁ କାର୍ଯ୍ୟକ୍ରମମାନ ନେଇ ସେଠାରେ ଲୋକମାନଙ୍କ ଭିତରେ କାର୍ଯ୍ୟ କରିଥାନ୍ତେ । ହୁଏତ ପୁନର୍ବାର ନିର୍ଦ୍ଦେଶ ପାଇଥିଲେ ସେଠା ଛାଡ଼ି ଏହି ରାଜ୍ୟରେ ଆଉ କେଉଁ ଜଙ୍ଗଲ ଭିତରକୁ ଯାଇଥାନ୍ତେ । ସେହି ଏକା କାମମାନ କରିଥାଆନ୍ତେ । କର୍ମୀମାନଙ୍କର ସେହି ଫଉଜଟାଏ ଏବେ ମଧ୍ୟ ରହିଛି । ଏଣୁ ନିର୍ଦ୍ଦେଶ ପାଇ କର୍ମୀମାନେ ଜଙ୍ଗଲ ଭିତରକୁ ଯାଉଛନ୍ତି । ସ୍ଵାଧୀନତା ପରେ ଆମ ଦେଶରେ ସେହିପରି କେତେ କାର୍ଯ୍ୟକ୍ରମ ଲାଗି ରହିଛି । ଅନେକ ସମୟରେ ତାହାକୁ ଗାନ୍ଧୀ କାମ ବୋଲି କୁହାଯାଉଛି । ବିଶ୍ଵନାଥ ପଟ୍ଟନାୟକ ସେହି କାର୍ଯ୍ୟଗୁଡ଼ିକୁ କରିବାରେ ଆଦୌ କୌଣସି କାର୍ପଣ୍ୟ କରିନଥିଲେ । କିନ୍ତୁ, ସକଳ ଅର୍ଥରେ ସିଏ ଆହୁରି କିଛି ମଧ୍ୟ କଲେ, ଯାହା ଫଳରେ ସେହି ଅଞ୍ଚଳଟିର ମନୁଷ୍ୟମାନେ ଆଉକିଛିର ସନ୍ଧାନ ମଧ୍ୟ ପାଇ ପାରିଥିଲେ । ସେମାନେ ଏହି ନୂଆ ଆଜ୍ଞାଟିଙ୍କ ଠାରୁ ସତେଅବା ଏକ ନୂଆ ସ୍ପର୍ଶ ପାଇଲେ, ନୂଆ ଉଦ୍‌ବୋଧନ ପାଇଲେ ଏବଂ ଏକ ଗୋଷ୍ଠୀଗତ ବଳ ବିଷୟରେ ମଧ୍ୟ ସଚେତନ ହୋଇ ଆସିଥିଲେ । ନିଜର ସ୍ଥିତିଗୁଡ଼ିକୁ ସେମାନେ ଅଧିକ ଫରଚା ହୋଇ ବୁଝିବାରେ ସମର୍ଥ ହେଲେ । ଆମ ଆଖି ଚାରିପାଖରେ ପ୍ରସାରିତ ହୋଇ ରହିଥିବା ଏହି କ୍ଷେତମାନେ ଆମର ବୋଲି ବୁଝିଲେ । ଆମକୁ କେଉଁସବୁ ଅନ୍ୟ ଲୋକ ବାହାରୁ ଆସି ପ୍ରତାରଣା କରିଛନ୍ତି ବୋଲି ଜାଣିଲେ । ସେହି ଜାଣିବାରୁ ଏକ ସଂଘଶକ୍ତି ମଧ୍ୟ ଅନୁଭବ କରିଥିଲେ । ଏବଂ, ଏକ ଯଥାର୍ଥ ସଂଘଶକ୍ତି ତ ମନୁଷ୍ୟମାନଙ୍କୁ ଗୋଟିଏ ପ୍ରତ୍ୟୟପୂର୍ଣ୍ଣ ଆତ୍ମଶକ୍ତି ଆଣି ଦେଇଥାଏ; ଏବଂ ସେଇଥିରୁ ହିଁ ଭୂ-ସତ୍ୟାଗ୍ରହର ସେହି ଖାସ୍ ରାସ୍ତାଟିର ଉନ୍ମୋଚନ ସମ୍ଭବ ହୋଇଥିଲା । ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ଓ କେତେକ ଅନ୍ୟ ବହିରାଗତ ସାଥୀ ସେଥିରେ ନିମିତ୍ତ ହେଲେ । ଏହି ଜଙ୍ଗଲଟା ଭିତରୁ କ’ଣ ଗୋଟାଏ ଅନ୍ୟ ଆଘ୍ରାଣ ପାଇଥିବାରୁ ସିନା ସେମାନେ ଆପଣାକୁ ଆଉ ବହିରାଗତ ବୋଲି ଅନୁଭବ କରି ପାରିଲେନାହିଁ ।

 

ଆମେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ସେହିପରି ଗୋଟିଏ ନିମିତ୍ତ ରୂପେ ଦେଖିବା । ସିଏ ଏଣୁ ଯାଇଥିଲେ ସିନା, ମାତ୍ର କ’ଣସବୁ ଚେତନା ଦ୍ଵାରା ପରିଚାଳିତ ହୋଇ ସିଏ ସେହି ଜଙ୍ଗଲଟିର ସଂସାର ଭିତରେ ହିଁ ପ୍ରସାରିତ ହୋଇଗଲେ ଏବଂ ଜଣେ କର୍ମୀର ପରିଚିତ ଶୃଙ୍ଖଳାଗୁଡ଼ିକ ମାନି ଆଦୌ ଅଟକି ରହି ପାରିଲେନାହିଁ । କପାଚାଷ ଏବଂ ଖଦୀକାମ ଠାରୁ ଏହି ଭୂମି–ସତ୍ୟାଗ୍ରହର କାର୍ଯ୍ୟକ୍ରମଟି ଅଧିକ ଜରୁରୀ ବୋଲି ଉପଲବ୍ଧି କଲେ । ନିଜ ଗୁରୁଜନମାନଙ୍କ ପାଖରେ ନାଆଁ ପକାଇଥିଲେ । ମୁକ୍ତିମଣ୍ଡପର ତାତମାତମାନେ ତାଙ୍କୁ ଜଣେ ଦ୍ରୋହୀ ବୋଲି ମଧ୍ୟ କାହିଁକି ଭାବିନଥିବେ । ଏତେ ଏତେ କର୍ମୀ ଯାହା କଦାପି କରିନଥାନ୍ତେ, ବିଶ୍ଵନାଥ ପଟ୍ଟନାୟକ ସେଇଟିକୁ କ’ଣ ପାଇଁ କଲେ କେଜାଣି ? ସମ୍ଭବତଃ ତାହାର ଏକମାତ୍ର କାରଣ ହେଉଛି ଯେ, ସିଏ କାର୍ଯ୍ୟକ୍ରମ ଗୁଡ଼ିକ ଠାରୁ ମନୁଷ୍ୟମାନଙ୍କୁ ଅଧିକ ମାନ୍ୟତା ଦେଇ ଦେଖିଥିଲେ । ଧର୍ମତଃ, ଏହି ଯାବତୀୟ କାର୍ଯ୍ୟକ୍ରମ ହେଉଛି ଅବହେଳିତ ମନୁଷ୍ୟମାନଙ୍କର ସେହି ସବାମୂଳରେ ରହିଥିବା ମନୁଷ୍ୟବୋଧଟିକୁ ହିଁ ଜାଗୃତ କରି ଆଣିବା । ଯେଉଁଠାରେ କାର୍ଯ୍ୟକ୍ରମଟିକୁ କ’ଣ ସବୁ କାରଣରୁ ଅଗ୍ରାଧିକାର ଦେଇ ସେହି ଅନ୍ୟଟିକୁ ଗୌଣ ବୋଲି ବିଚାର କରାଯାଏ, ସେଠାରେ ହୁଏତ ଏକାଧିକ ବାସ୍ତବତାରେ ଏକ ଅସତ୍ୟକୁ ହିଁ ଅଗାଧିକାର ପ୍ରଦାନ କରା ଯାଇଥାଏ । ଏବଂ, ସେହି ଅନ୍ୟ ଅଧିକ ଜରୁରୀଟିକୁ ପ୍ରାୟ କିଞ୍ଚିତ୍ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ଏଡ଼ି ଦେବାର ଇଚ୍ଛା ରହିଥିବା ହେତୁ ସେଭଳି କରା ଯାଉଥାଏ କି ? ସ୍ଵାଧୀନ ଭାରତବର୍ଷରେ ସବୁକିଛି ଏପରି ତରବର ଭାବରେ ବଦଳି ଯାଉ ବୋଲି ଅଗ୍ରଗ ଗରିଷ୍ଠମାନେ ସେତେ ବେଶୀ ଇଚ୍ଛା କରୁନଥିଲେ ଏବଂ, ସର୍ବୋଦୟ ଖଞ୍ଜାଟିର ମାନ୍ୟମାନେ ମଧ୍ୟ କାହିଁକି କୌଣସି ଅନ୍ୟପ୍ରକାରେ ଇଚ୍ଛା କରିଥାନ୍ତେ ! ତେଣୁ ସେମାନେ କୌଣସି ଅନ୍ୟ ଆଶଙ୍କାରେ ପଡ଼ି ବରଂ ସବୁକିଛି ଆମ ତଥାକଥିତ ଶାନ୍ତିପୂର୍ଣ୍ଣ ଭାବରେ ଚାଲୁ ବୋଲି ଅଡ଼ି ବସିଥିଲେ କି ? ସ୍ଵାଧୀନତା ଆସିବା ପରେ ଭାରତବର୍ଷରେ ଏକ ସାମାଜିକ ବିପ୍ଳବର ପର୍ବଟିଏ ଆସିବ ବୋଲି ମହାତ୍ମା ଗାନ୍ଧୀ କେତେ ଚିନ୍ତା ନକରିଥିଲେ । ବିଗତ ଷାଠିଏ ବର୍ଷରେ ସେଇଟିକୁ ଉପେକ୍ଷିତ କରି ରଖାଯାଇଛି । ପ୍ରାୟ ଅପରିମିତ ନାନା ବୁଦ୍ଧିମତ୍ତା ସହିତ ଭାରତବର୍ଷର ଦରବାରମାନେ ତାହାକୁ ଗଡ଼ାଇ ଗଡ଼ାଇ ଆସିଛନ୍ତି । ଏବେ ମଧ୍ୟ ସବୁ ପ୍ରଧାନତଃ ଗଡ଼ି ଗଡ଼ି ଆସୁଛି । ଗାନ୍ଧୀଶିବିରର ଅଗ୍ରୋତ୍ତମମାନେ କାର୍ଯ୍ୟତଃ ସେଥିରେ ସହଯୋଗ ହିଁ କରୁଛନ୍ତି । ସତେଅବା ନାନା ଅନ୍ୟଭଳି ମିଛବିଚାରର ଦଉଡ଼ିରେ ଲୋକମାନଙ୍କର ଅଣ୍ଟାଗୁଡ଼ାକୁ ବାନ୍ଧି ଏସବୁ ଚାଲିଛି । ସର୍ବୋଦୟ ଏକ ଧର୍ମକାର୍ଯ୍ୟରେ ପରିଣତ ହୋଇଛି । ସର୍ବୋଦୟର ଏହି ନେତୃତ୍ଵଟି ମନୁଷ୍ୟର ଅସଲ ବିବେକଗୁଡ଼ିକୁ ନାନା କାରଣରୁ ଭୟ ବି କରୁଛି କି ? ନା ବୋଲି କହିବାକୁ ଭୟ କରୁଛି, ରହ ବୋଲି କହିବାକୁ ଡରୁଛି । କୁଜେନ୍ଦ୍ରୀ ଅଞ୍ଚଳରେ ସମାଜସେବା କରିବା ସକାଶେ ତେଣୁ ଆସି ପହଞ୍ଚିବା ବିଶ୍ଵନାଥ ପଟ୍ଟନାୟକ ଲୋକମାନଙ୍କର ମେଳରେ ରହି ମାତ୍ର ଦଶଟା ବର୍ଷ ମଧ୍ୟରେ କ’ଣ ସବୁ କାରଣରୁ ଅନ୍ୟଭଳି ଦେଖିଲେ ଏବଂ ଏକ ଅନ୍ୟପ୍ରକାରେ ଆପଣାକୁ ଦୀକ୍ଷିତ କରି ନେଇଥିଲେ, ସେଇଟି ବିଷୟରେ ଅନେକ ଅଧିକ ଚର୍ଚ୍ଚା ହୋଇ ପାରନ୍ତା । କେବଳ କୁଜେନ୍ଦ୍ରୀନାମକ ସେହି ଗୋଟାଏ ମଣ୍ଡଳର ଶବରମାନଙ୍କୁ ମଝିରେ ରଖି ନୁହେଁ, ସମଗ୍ର ଭାରତବର୍ଷକୁ ମଝିରେ ରଖି-। ଏକ ବହୁତ ଉଲ୍ଲେଖଯୋଗ୍ୟ ଘଟଣାଟି ହେଉଛି ଯେ, ନିଜର ଆଉ କେତେଜଣ ସେବକକର୍ମୀଙ୍କୁ ମଧ୍ୟ ସେ ନିଜ ସହିତ ପାଇ ପାରିଥିଲେ । ଖୁବ୍ ସମ୍ଭବ ଏବେ ମଧ୍ୟ ଉକ୍ତ ଶିବିରର କିଛି କର୍ମରତ ସେବକ ସେହିପରି ନିଶ୍ଚୟ ଚିନ୍ତା କରୁଥିବେ ଏବଂ, ଯେଉଁ ପାରମ୍ପରିକ ଧିସାର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସେମାନଙ୍କୁ ସଂପୃକ୍ତ କରି ରଖା ଯାଇଛି, ସେଗୁଡ଼ିକ ବିଷୟରେ ନିଜ ଭିତରେ କିଞ୍ଚିତ୍ ଅସନ୍ତୁଷ୍ଟ ହୋଇ ରହିଥିବେ । ବଡ଼ ଯନ୍ତ୍ରଣାଦାୟକ ସ୍ଥିତି ସେଇଟା : ବାଧ୍ୟ ହୋଇ ବୋଲ ମାନୁଥିବା ଓ ଭିତରୁ ସେଥିଲାଗି ସେପରି କୌଣସି ସମର୍ଥନ ପାଇ ପାରୁନଥିବା ।

Image

 

Unknown

ଚତୁର୍ଥ ଅଧ୍ୟାୟ

ହିଂସା ଓ ଅହିଂସା

-ନୀତି ଅନୀତିର ଦ୍ଵନ୍ଦ୍ଵ

 

ଆମ ଧର୍ମମାନଙ୍କର ପରମ୍ପରାରେ ଜୀବବଧ ନକରିବାକୁ ହିଁ ମୋଟାମୋଟି ହିଂସା ବୋଲି କୁହାଯାଇଛି । ସେକାଳେ ଇହୁଦୀ ଧର୍ମରେ ଏକ ଅନ୍ୟତମ ଆଜ୍ଞାରୂପେ Do not kill ବୋଲି ରହିଥିବା ପରାମର୍ଶଟିକୁ ଖୁବସ୍‌ମ୍ଭବ ମନୁଷ୍ୟ–ହତ୍ୟାକୁ ଏକ ଧର୍ମବହିର୍ଭୂତ ମନ୍ଦକାର୍ଯ୍ୟ ବୋଲି ନିର୍ଦ୍ଦେଶିତ କରି ଦିଆହୋଇଥିଲା । ଭାରତବର୍ଷର ଜୈନ ଧର୍ମରେ ମନୁଷ୍ୟହତ୍ୟା ସାଙ୍ଗକୁ ଇତର ଜୀବମାନଙ୍କର ହତ୍ୟା କରିବାକୁ ମଧ୍ୟ ଗର୍ହିତ ବୋଲି କହି ନିନ୍ଦା କରାଯାଇଛି । ବୌଦ୍ଧ ଧର୍ମ ଗ୍ରହଣ କରି ଜଣେ ଚଣ୍ଡାଶୋକ ଧର୍ମାଶୋକ ନାମରେ ପରିବର୍ତ୍ତିତ ହୋଇ ଆପଣା ଯୁଦ୍ଧାଭିଯାନରୁ ବିରତ ହୋଇଥିଲେ ମଧ୍ୟ ଯେତେବେଳେ ମଙ୍ଗୋଲିଆ, ଚୀନ ଏବଂ ଜାପାନ ପର୍ଯ୍ୟନ୍ତ ବୌଦ୍ଧଧର୍ମ ବିସ୍ତାରିତ ହୋଇ ଯାଇଛି, ସେତେବେଳେ ସ୍ଥାନୀୟ ସାଂସ୍କୃତିକ ପ୍ରୟୋଜନମାନଙ୍କ ଦ୍ଵାରା ରଙ୍ଗା ହୋଇ ସେହି ଧର୍ମଟି କେତେ ପ୍ରକାରେ ଅନ୍ୟଭଳି ମଧ୍ୟ ହୋଇ ଯାଇଛି । କିମ୍ବଦନ୍ତୀ ଅନୁସାରେ ଚେଙ୍ଗିଜ୍‍ ଖାଁ ମଧ୍ୟ ବୌଦ୍ଧଧର୍ମାବଲମ୍ବୀ ଥିଲେ । ଚୀନ ଓ ଜାପାନ ଦୁଇଟିଯାକ ଦେଶରେ ବୌଦ୍ଧଧର୍ମରେ ହିଁ ଅଧିକତମ ସଂଖ୍ୟାର ମନୁଷ୍ୟମାନେ ଏବେ ମଧ୍ୟ ରହିଛନ୍ତି । ଆଧୁନିକ ପୃଥିବୀରେ ଆମ ଆଗୁଆ ସଭ୍ୟଦେଶ ମାନଙ୍କରେ ଲୋକହତ୍ୟା ନକରିବାର ସେହି ଅନୁଜ୍ଞାଟା ବହିମାନଙ୍କରେ କାଳେ କାଳେ ଲେଖାହୋଇ ସିନା ରହିଛି ଏବଂ ତଥାପି ସେଠାରେ ରାଷ୍ଟ୍ରମାନେ କି ନିର୍ମଳ ବିବେକ ସହିତ ଅଧିକରୁ ଅଧିକ ହତ୍ୟାସାମର୍ଥ୍ୟ ଥିବା ବୋମାମାନ ତିଆରି କରୁଛନ୍ତି । ଇତିହାସର ନାମୀ ଧର୍ମଗୁରୁମାନେ ରାଜାମାନଙ୍କୁ ଧର୍ମଦ୍ରୋହୀ ମାନଙ୍କୁ ହତ୍ୟା କରିବା ନିମନ୍ତେ ସବୁବେଳେ ସତ୍‌ପରାମର୍ଶ ଦେଇ ଆସିଛନ୍ତି । ଜାତୀୟତା ନାମକ ସେହି ଅଧୁନାତନ ଆଦର୍ଶଟା ନାନା ନ୍ୟସ୍ତସ୍ଵାର୍ଥ ତଥା ଅଳ୍ପଜନସ୍ଵାର୍ଥ ଦ୍ଵାରା ଆଖି ହରାଇ ନାନାବିଧ ହତ୍ୟାକୁ ପ୍ରଶୟ ହିଁ ଦେଇଛି । ସେହି ଉତ୍ସାହଟାରେ ମାତି କ୍ଷମତାପନ୍ନମାନେ ଲୋକମାରଣର ଏକାଧିକ ଅବକାଶ ସୃଷ୍ଟି କରି ପୃଥିବୀଟାକୁ ଏବେ ମଧ୍ୟ ହତ୍ୟାଦ୍ଵାରା ହିଁ ତ୍ରସ୍ତ କରି ରଖିଛନ୍ତି । ଏସବୁକୁ ବୁଝି ପାରୁଥିଲେ ଆମେ ମହାତ୍ମା ଗାନ୍ଧୀଙ୍କର ଅହିଂସାକୁ କଦାପି ପୂର୍ବର ସେହି ତଥାକଥିତ ଅହିଂସାଚାର ଗୁଡ଼ିକ ସହିତ ଗୋଳାଇ ମିଶାଇ ପକାଇବାକୁ ଆଦୌ ମନ କରି ପାରିବାନାହିଁ । ତେବେଯାଇ ତାଙ୍କୁ ଯଥାର୍ଥତର ପ୍ରକାରେ ବୁଝିବାକୁ ସମର୍ଥ ହେବା । ଏବଂ, ତଦ୍ଦ୍ଵାରା ଏକାଧିକ ମିଛବାଉଳାରୁ ମଧ୍ୟ ଆପଣାକୁ ମୁକ୍ତ ରଖି ପାରିବା ।

 

ଗାନ୍ଧୀଦୃଷ୍ଟିର ସେହି ପୂର୍ଣ୍ଣବୃତ୍ତଟି ମଧ୍ୟରେ ଏକାବେଳେକେ ଦୁଇଟି ଆବେଦନ । ସତ୍ୟ ଓ ଅହିଂସା । କୋଉଟି ଆଗ ଓ ତେଣୁ କୋଉଟି ପଛ । ଗୋଟିଏକୁ ଆଗ ବୋଲି କହିଲେ ସମ୍ଭବତଃ ସେହି ଅନୁସାରେ ହିଁ ଆରଟି ପଛ । ତଥାପି, ସତ୍ୟ ଅନୁସାରେ ହିଁ ଅହିଂସା ଅଥବା ହିଂସାର ଆଦୌ ଏକ ସରହଦ ମଧ୍ୟ ନିରୂପଣ କରାଯାଇ ପାରିବ ! ପୃଥିବୀରେ କୋଉ ଧର୍ମ କିମ୍ବା ସଂପ୍ରଦାୟ, ବାଦ ତଥା ବିଶ୍ଵାସ ରହିଛି, ଯାହାକି କୌଣସି ସତ୍ୟ ଉପରେ ଅବଲମ୍ବିତ ହୋଇ ନରହିଛି ବୋଲି ସ୍ଵୀକାର କରିବାକୁ ମନ କରିଛି ? ତେଣୁ, ଗାନ୍ଧୀସତ୍ୟ ଏବଂ ଜୈନ ବା ବୌଦ୍ଧଧର୍ମର ଘୋଷିତ ସତ୍ୟ ମଧ୍ୟରେ ଏକ ପ୍ରଭେଦ ଅବଶ୍ୟ ରହିବ । ଗାନ୍ଧିଜୀ ସତ୍ୟକୁ ନେଇ ଜୀବନଯାକ, ତାଙ୍କ ନିଜ ଭାଷାରେ କହିଲେ, ଧର୍ମତଃ ଏକ ପ୍ରୟୋଗ ହିଁ କରୁଥିଲେ । ଏପରି ଗୋଟିଏ ଦୃଷ୍ଟାନ୍ତ ଆମକୁ ବସ୍ତୁତଃ ପୂରା ପୃଥିବୀର ଇତିହାସରେ ମିଳିବନାହିଁ । ତେଣୁ, ଗାନ୍ଧୀସତ୍ୟଟିର ମର୍ମଟିକୁ ଅନୁଭବ କରିବାକୁ ଇଚ୍ଛା କଲେ ଆମେ କଦାପି ତାଙ୍କୁ ଅନ୍ୟ ସତ୍ୟନ୍ଧର ମାନଙ୍କ ସହିତ ଗୋଳାଇ ମିଶାଇ ପକାଇବା ନାହିଁ । ସତ୍ୟରେ ରହିବାର ଦୀକ୍ଷାଟିକୁ ସେ ନିଜର ପରିବାରଟି ଠାରୁ ସର୍ବପ୍ରଥମେ ଅବଶ୍ୟ ପାଇଥିଲେ ଏବଂ ପୂରା ଜୀବନ ସେହି ଦୀକ୍ଷାରେ ସୁପ୍ରତିଷ୍ଠିତ ହୋଇ ରହିଥିଲେ ସତ, ମାତ୍ର ଜୀବନର ଦିଗ୍‌ବଳୟମାନେ ବଦଳି ଯାଉଥିବା ସଙ୍ଗେ ସଙ୍ଗେ ତାଙ୍କର ଜୀବନରେ ଆଚରିତ ସତ୍ୟର ଦୈର୍ଘ୍ୟପ୍ରସ୍ଥ ଗୁଡ଼ିକ ମଧ୍ୟ ବଦଳି ଯାଉଥିଲା । ମୋଟେ ଅଙ୍କ କଷି ଅଥବା ତତ୍ତ୍ଵ ସାଧି ନୁହେଁ, ନିଜ ଜୀବନରୁ ପ୍ରାପ୍ତ ସତ୍ୟବିଷୟକ ଅନୁଭବ ଗୁଡ଼ିକ ହେତୁ । ସିଏ ଅଙ୍ଗେ ନିଭାଇଥିବା ଏକ ଉଦାହରଣ ଦେଇ କହିଲେ, ପ୍ରଥମ ପର୍ଯ୍ୟାୟରେ ଗାନ୍ଧିଜୀ ଭଗବାନଙ୍କୁ ହିଁ ସତ୍ୟ ବୋଲି ମାନୁଥିଲେ । God is Truth ବୋଲି ମାନୁଥିଲେ । କିଛି ବର୍ଷ ପରେ Truth is God ବୋଲି ଘୋଷଣା କଲେ । ମୋ’ ଜୀବନର ଉପଲବ୍ଧ ସତ୍ୟଗୁଡ଼ିକ ଅନୁସାରେ ମୋ’ ର ଭଗବାନ୍ । ଈଶ୍ଵରବେତ୍ତା ମାନଙ୍କର ମାପକାଠି କିଛି ପକାଇ ଦେଖିଲେ ସତକୁ ସତ ଏକ ଘୋର ବିଶୃଙ୍ଖଳା । ଚାଲ, ଚିନ୍ତା କରି କହିବା ତ, ଯେଉଁ ଅନ୍ୟଗୋତ୍ରୀ ଧର୍ମସ୍ଥମାନେ ଈଶ୍ଵରଙ୍କର କୌଣସି ନିର୍ଦ୍ଦିଷ୍ଟ ମଡ଼େଲ ହାତ ଉପରେ ଧରି ରୀତିମତ ଏକ ଉପନ୍ୟାସ ରଚନା କରୁଥିବା ପରି ସଂସାରରେ ବାଦ୍ୟବୃନ୍ଦ ଧରି ବାହାରି ଥାଆନ୍ତି, ଗାନ୍ଧୀଙ୍କର ଏହି ଉକ୍ତିଟି ସେମାନଙ୍କୁ କେତେ ବିଚଳିତ କରିନଥିବ !

 

ଯେଉଁ ମନୁଷ୍ୟମାନଙ୍କର ନିଜ ଜୀବନରେ ଉପଲବ୍ଧି ବୋଲି ସେମାନେ ଅନୁଭବ କରିଥିବା ପରି କିଛି ନଥାଏ, ଯେଉଁମାନେ ଗୋଟାଏ ଧର୍ମୀୟ ଛାଞ୍ଚ ଅନୁସାରେ ଅମୁକ ଭେଶଟାଏ ପିନ୍ଧିଥାଆନ୍ତି କିମ୍ବା କୌଣସି ଗୋଟିଏ ପୁସ୍ତକକୁ ମହାପବିତ୍ର ପ୍ରାୟ ମାନନ୍ତି, ଏହି ମର୍ତ୍ତ୍ୟଭୂବନରେ ରହିଥିବା ସମୟରୁ ହିଁ ସ୍ୱର୍ଗତ ଏକ ମନୋମତ ବାସଟିଏ ପାଇପାରିବେ ବୋଲି ଭଳି ଭଳି କାଷ୍ଠା କରନ୍ତି, ଆମେ ସେମାନଙ୍କୁ ନ୍ୟାୟତଃ ନାସ୍ତିକ ନା ଆସ୍ତିକ କ’ଣ ବୋଲି କହିବା ? ଗାନ୍ଧୀ ଆମ ସମସ୍ତଙ୍କର ଏହି ଅଭ୍ୟସ୍ତ ଧର୍ମଗୁଡ଼ିକୁ କଦାପି ଅସ୍ୱୀକାର କରୁନଥିଲେ; ତଥାପି There is a religion underlying all religions ବୋଲି କହୁଥିଲେ । ଏବେ ତ ପୃଥ୍ୱୀ–ଅଧ୍ୟାତ୍ମର ସତେଅବା ସେହି ଅଭିନବ କାଳଟିଏ ଆସି ଉପଗତ ହେଉଥିବା ପରି ଘ୍ରାଣ କରି ଧର୍ମ-ସମୀକ୍ଷକମାନେ God beyond gods ବୋଲି କହିଲେଣି । ସେହି ଇଶ୍ୱର ମୋ’ ପାଇଁ ସର୍ବପ୍ରମାଣ୍ୟ ଇଶ୍ୱର, ଯାହାଙ୍କୁ ମୁଁ ଅନୁଭବ ଦ୍ୱାରା ପାଇଛି ଓ ପାଇବାରେ ଲାଗିଛି, ଯାହାକୁ ଲୋଡ଼ୁଛି ଏବଂ ଲୋଡ଼ିବାରେ ଲାଗିଛି । ଆପଣା ଅନୁଭବଗୁଡ଼ିକରୁ ପ୍ରାପ୍ତ ବିବେକଟିରୁ ପାଉଛି,–ପରସ୍ପର ମନୁଷ୍ୟ-ସାନିଧ୍ୟରୁ ପାଉଛି; ଏପରିକି ଏହି ପୃଥିବୀରେ ଘଟି ଯାଉଥିବା ଘଟଣାମାନଙ୍କରୁ ପାଉଛି । ମୋ’ ର ବେଦନା ତଥା ସମ୍ବେଦନା ଗୁଡ଼ିକରୁ ଲାଭ କରୁଛି । ଖିଅମାନେ ଛିଣ୍ଡି ଯାଉଛନ୍ତି ଓ ନୂଆ ଖିଅମାନେ ଲାଗି ଯାଉଛନ୍ତି । ସେହି ପୁରୁଣା ଆଖିମାନେ ତଥାପି ନୂଆ ନୂଆ ନିବିଡ଼ତାରେ ପୃଥିବୀଟାକୁ ଦେଖି ସତେଅବା ଏକାଧିକ ନୂଆ ପ୍ରୀତିରେ ଈଶ୍ୱରପ୍ରତ୍ୟକ୍ଷ କରିବାରେ ଲାଗିଛନ୍ତି । କିଛି ଛାଡ଼ିଆସିଲି ବୋଲି ମୋଟେ ମନେ ହେଉନାହିଁ, ତଥାପି ପ୍ରୀତିଗୁଡ଼ିକ ପ୍ରସାରିତ ହେବାରେ ଲାଗିଛନ୍ତି । ଏବଂ, ପ୍ରୀତିମାନେ ବଢ଼ିବା ସଙ୍ଗେ ସଙ୍ଗେ ଆମ ପ୍ରତ୍ୟେକଙ୍କର ଈଶ୍ୱରଧାରଣାମାନ ଯେ ବଦଳିବ, ସେଥିରେ ସନ୍ଦେହର ଅବକାଶ ହିଁ ନାହିଁ । ପୁନଶ୍ଚ, ଆମ ପ୍ରତ୍ୟେକ ଧର୍ମରେ ଆନୁଷଙ୍ଗିକ ପ୍ରାୟ ଗୋଟିଏ କ୍ରୋଡ଼ାଙ୍କ ପରି ଗୋଟିଏ ଗୋଟିଏ ନୀତିଶାସ୍ତ୍ର ମଧ୍ୟ ସେଇ କୋଉ କାଳରୁ ରହିଆସିଛି । ଧର୍ମାବଲମ୍ବୀମାନେ ତାହାକୁ ସର୍ବକାଳ ନିମନ୍ତେ ସତେଅବା ଏକ ଅକାଟ୍ୟ ମୋହମୁଦ୍‌ଗର ପରି ମାନି ଆସିଛନ୍ତି । ପ୍ରକାର ପ୍ରକାରର ମୋହକୁ ପ୍ରକାର ପ୍ରକାରର ମୋହ–ମୁଦ୍‌ଗର । ଏହି ଏକାଳରେ ମଧ୍ୟ ଯେତେବେଳେ ଭିନ୍ନ ଭିନ୍ନ ଧର୍ମଘରର ବ୍ରହ୍ମା ଓ ବେବର୍ତ୍ତାମାନେ ଅନ୍ୟଧର୍ମରୁ ମନୁଷ୍ୟମାନଙ୍କୁ ଧରି ଆଣି ନିଜର ଧର୍ମରେ ଦୀକ୍ଷିତ କରାଇ ନେଉଛନ୍ତି ଓ ତଦ୍ଦ୍ୱାରା ଏମାନଙ୍କର ଆତ୍ମାମାନେ ଏକ ଘୋର ଦୁର୍ଗତି ଭିତରୁ ଉଦ୍ଧାର ପାଇଗଲେ ବୋଲି ଦାଣ୍ଡରେ କହିବାରେ ଲାଗିଛନ୍ତି, ସେତେବେଳେ ସେମାନେ କାର୍ଯ୍ୟତଃ ପୁଳାଏ ନୀତି ଓ ବିଧିକୁ ଛାଡ଼ି ଆଉପୁଳାଏ ନୀତି ଏବଂ ବିଧିର ପାଳନ କରାଇବାକୁ ହିଁ ସବୁକିଛି ବୋଲି ବୁଝୁଛନ୍ତି ।

 

ମହାତ୍ମା ଗାନ୍ଧୀ ମୋଟେ ସେଭଳି ବୁଝୁ ନଥିଲେ । ନାଇଁ, ତାଙ୍କର ଜୀବନ-ବିବେକଟି ଅନୁସାରେ, ଆମ ପୃଥିବୀରେ ସବୁ ମନୁଷ୍ୟଙ୍କର ଆଚରଣ ନିମନ୍ତେ ଏକ ନୀତିଗୁଚ୍ଛ ରହିଛି, ଯାହାକୁ ଆମେ ମନୁଷ୍ୟମାନେ ପ୍ରତ୍ୟେକେ ସାରଣୀରୂପେ ଗ୍ରହଣ କରିପାରିବା ଏବଂ ତେବେଯାଇ ପୃଥିବୀରେ ନୀତି ବୋଲି ପ୍ରକୃତରେ କିଛି ରହିବ । ବର୍ତ୍ତମାନ ତ ଧର୍ମ ନାମରେ ଗୁଡ଼ାଏ ମିଛ ପ୍ରତିଯୋଗିତା ଲାଗିଛି ଓ ଏକ ତୁଚ୍ଛା ସମ୍ମୋହନମାନ ସୃଷ୍ଟି କରି ଗୁଡ଼ାଏ ବିଡ଼ମ୍ବନାକୁ ହିଁ ବାଟ ଛାଡ଼ିଦିଆ ଯାଇଛି । ଯିଏ ଯେଝା ଧର୍ମରେ ଅଛନ୍ତି ଏବଂ ପୃଥିବୀରେ ତୁଚ୍ଛା ଅରାଜକତାମାନ ରାଜତ୍ୱ କରୁଛି । ମୋ’ ଧର୍ମ ଓ ମୋ’ ନୀତିର ବାର ବଚସା ଦେଖାଇ ଭ୍ରାନ୍ତ ମଣିଷଟାଏ ଈଶ୍ୱରଦୀକ୍ଷାକୁ ନେଇ ସତେଅବା ଏଠା ହାଟମାନଙ୍କରେ ସଉଦା କରିବାକୁ ବୀରବେଶ ପିନ୍ଧି ବାହାରି ପଡ଼ିଛି । ଭଗବାନ ମାଳ ମାଳ, ମଠ ଓ ମହନ୍ତମାନେ ମାଳ ମାଳ,–ସେହି ଅନୁସାରେ ନାନା ଅତିରିକ୍ତତା ଏବଂ ଅପରିମଳର ପ୍ରଦର୍ଶନ ଗୁଡ଼ାଏ,–ଏବଂ ତେଣେ ମଣିଷଟା ଆଉଜଣେ ମଣିଷକୁ ସଙ୍ଗୀ ବୋଲି ଗ୍ରହଣ କରି ପାରୁନାହିଁ, ସବୁଯାକ ବାଟ ସେହି ଗୋଟିଏ ମନ୍ଦିରକୁ ପଡ଼ିଛି ବୋଲି ନିଜ ଧର୍ମପୁସ୍ତକଟିରୁ ଜାଣିଥିଲେ ମଧ୍ୟ ସେ ବାଟମାନଙ୍କୁ ନେଇ ଏକକାମୁକ ଭାବରେ ଏପରି କଳହ କରିବାରେ ଲାଗିଛି ଯେ, ବାଟ ଶେଷରେ ମନ୍ଦିରଟିଏ ରହିଛି ବୋଲି ସିଏ ଆଉ ମନେ ବି ରଖି ପାରୁନାହିଁ । ବନ୍ଧୁ, ସବୁ ବାଟକୁ ସାର୍ଥକ କରି ମନ୍ଦିରଟିଏ ଅବଶ୍ୟ ରହିଛି । ସବୁଧର୍ମକୁ ଅତିକ୍ରମ କରି ଧର୍ମଟିଏ ମଧ୍ୟ ରହିଛି । ସକଳବିଧ ନୈତିକତା ଉପରେ ନିଦାନ ପରି ହୋଇ ନୀତିଟିଏ ସବୁବେଳେ ରହିଛି । ପୁନଶ୍ଚ, ମୁଁ ବାଟ ଚାଲୁଥିବା ସଙ୍ଗେ ସଙ୍ଗେ ମୋ’ ପାଇଁ ମୋ’ ମନ୍ଦିରର ସଂଜ୍ଞା, ମୋ’ ନୀତିର ସଂଜ୍ଞା ଏବଂ ତେଣୁ ଏହି ପୃଥିବୀର ସଂଜ୍ଞା ମଧ୍ୟ ବଦଳି ଯାଉଛି । ମୁଁ ବାଟ ଚାଲୁଥିବା ସହିତ ମୋ’ ଆଖି ନିଶ୍ଚୟ ଅଧିକ ଦେଖୁଛି, ଅଧିକ ସମର୍ଥ ହେଉଛି ଅର୍ଥାତ୍ ଅଧିକ ଚିହ୍ନିନେଇ ପାରୁଛି । ଅଧିକ ପାଖ ପାଖ ହୋଇ ଆସୁଛି, ଏବଂ, ସେହି ଅନୁଭବସୂତ୍ରଟି ଅନୁସାରେ ମୋ’ ଭଗବାନ ମଧ୍ୟ ବଦଳି ବଦଳି ଯାଉଛନ୍ତି । ମୋ’ ଆସ୍ତିକତାର ପରିଧି ଓ ପ୍ରସ୍ଥ ବଦଳି ବଦଳି ଯାଉଛି ।

 

ମଣିଷମାନେ ସତ୍ୟଟିଏ ପାଇବା ଲାଗି ହୁଏତ କୌଣସି ଅମୁହାଁ ଘରେ ଯାଇ ପଶି ଯାଇଥାନ୍ତି ବୋଲି ଭଗବାନଙ୍କୁ ମଧ୍ୟ କେବଳ ଏଇଟି ବା କେବଳ ସେଇଟି ବୋଲି ଗ୍ରହଣ କରି ନେଇଥାନ୍ତି । କାଳେ ସେହି କଳ୍ପନାଟି ବଦଳିଯିବ ଏବଂ ସେମାନଙ୍କୁ କିଛି ଅସିବିଧାରେ ମଧ୍ୟ ପକାଇଦେବେ ବୋଲି ଭୟ କରି ସେମାନେ ଉକ୍ତ ଅମୁହାଁ ଘରଟିକୁ ଛାଡ଼ି ବାହାରକୁ ଚାଲି ଆସି ପାରନ୍ତିନାହିଁ । ନିଜର ପୁରୁଣା ପ୍ରଚକ୍ଷୁଟିକୁ ଦେଇ ପୃଥିବୀକୁ ଦେଖନ୍ତି । ପୃଥିବୀଟି ଯେ ଅନୁକ୍ଷଣ ବଦଳି ଯାଉଛି ଏବଂ ଅନୁକ୍ଷଣ ନୂତନ ଆହ୍ୱାନଗୁଡ଼ିକୁ ଦେଇ ଆମକୁ ପ୍ରଶିକ୍ଷିତ କରି ନେଉଛି, ସେମାନେ ସେହି ଜ୍ଞାନଟିରୁ ଆପଣାକୁ ବଞ୍ଚିତ କରି ରଖନ୍ତି । ଭାରି ଦରିଦ୍ର ହୋଇ ରହନ୍ତି, ଦୟନୀୟ ହୋଇ ରହିଥାନ୍ତି । ଏବଂ, ଦୟନୀୟ ହୋଇ ରହିଛନ୍ତି ବୋଲି ଭିତରୁ କୌଣସି ଝିଙ୍ଗାସ ପାଇବା ହେତୁ ସେମାନେ ପରସ୍ପର ସହିତ କଳହରତ ହୋଇ ରହିଥାନ୍ତି କି ? ଆପେ ଠିକ୍ ବୋଲି ପ୍ରମାଣିତ କରିବାକୁ ବଡ଼ ବିକଳ ଏବଂ କଲବଲ ହୋଇ ସେମାନେ ପରସ୍ପରର ଉପରକୁ ଅସ୍ତ୍ର–ଉତ୍ତୋଳନ କରି ବାହାରି ଥାଆନ୍ତି । ମହାତ୍ମା ଗାନ୍ଧୀ କେବେହେଲେ ଆପଣାକୁ ବିକଳ ଏବଂ କଲବଲ ବୋଲି ବିଚାର କରି ନଥିବେ । ତେଣୁ, କାହିଁକି ଆଦୌ କୌଣସି ବୋଲୁଅ ମଧ୍ୟ ଫିଙ୍ଗିଥାଆନ୍ତେ ! ସିଏ ବାଟ ହିଁ ଚାଲୁଥିଲେ । ଭିତରୁ ବାରତା ପାଇ ବାହାରେ ବାଟ ଚାଲୁଥିଲେ ଏବଂ ବାହାରୁ ବାରତା ପାଇ ଭିତରେ ମଧ୍ୟ ବାଟ ଚାଲୁଥିଲେ । ତାଙ୍କ ଉପଲବ୍ଧିର ସେହି ଅନ୍ତରଙ୍ଗ ଆଲୋକନକ୍ଷେତ୍ରଟିରେ ସତ୍ୟର ଦୈର୍ଘ୍ୟପ୍ରସ୍ଥମାନ ବଦଳି ଯାଉଥିଲେ । ବରଂ, ଅଧିକ ନିର୍ଭୁଲ ଭାବରେ କହିଲେ, ସର୍ବଦା ପ୍ରସାରିତ ହୋଇ ହିଁ ଯାଉଥିଲେ । କେବେ ସଙ୍କୁଚିତ ହୋଇଯିବାର ପ୍ରଶ୍ନ ହିଁ ନଥିଲା । ଆମ ଖୋଜିବାର ବାଟରେ ଅର୍ଥାତ୍ ବାଟ ଚାଲିବାର ପ୍ରକ୍ରିୟାଟିରେ ଅଧ୍ୟାତ୍ମର ସହଯୋଗଟିଏ ରହିଥିଲେ ପ୍ରାୟ ଏକ ନିୟମ ମାନି ସତ୍ୟର ସଂଜ୍ଞାମାନେ ସତତ ପ୍ରସାରିତ ହୋଇ ଯାଆନ୍ତି ଏବଂ ତେଣୁ ସେହି ଅନୁସାରେ ଆମ ସମ୍ବେଦନା ଦ୍ୱାରା ପୂର୍ଣ୍ଣ ଆଖିମାନଙ୍କୁ ଈଶ୍ୱର–କଳ୍ପନାଟି ମଧ୍ୟ ଅଧିକରୁ ଅଧିକ ପ୍ରସାରିତ ହୋଇ ଯାଉଥିବା ପରି ଦୃଶ୍ୟ ହୋଇ ଆସୁଥାଏ । ମନ୍ଦିରମାନେ ସବୁଠାରେ ଦୃଶ୍ୟମାନ୍‌ ହୁଅନ୍ତି ।

 

ସତ୍ୟ ହେଉଛି ଆହ୍ୱାନ ଏବଂ ହିଂସା ତଥା ଅହିଂସା ହେଉଛନ୍ତି ନୀତି । ହିଂସାର ପକ୍ଷସମର୍ଥକମାନେ ଯେପରି ଅହିଂସାର ମାର୍ଗଟିକୁ ଶୁଣୁ ଶୁଣୁ ହସରେ ଉଡ଼ାଇ ଦିଅନ୍ତି, ଅହିଂସାର ପକ୍ଷସମର୍ଥକମାନେ ଠିକ୍ ସେହିପରି କଲେ ନିଜର ସେହି ଅହିଂସା ପ୍ରତି ମଧ୍ୟ ବହୁତ ଅବିଚାର କରିବେ । ପୃଥିବୀର ଆସ୍ପୃହାଗୁଡ଼ିକୁ ହିଂସାର ପଥଟି ମଧ୍ୟ ଏକାଧିକ ପ୍ରକାରେ ଆଗେଇ ଆଣିଛି । ଫରାସୀ ବିପ୍ଳବ ହିଂସାକୁ ଅସ୍ତ୍ରରୂପେ ଗ୍ରହଣ କରିଥିଲା । ରୁଷିଆର ବିପ୍ଳବ ମଧ୍ୟ ସେହିପ୍ରକାରେ ଏକ ଅବିସ୍ମରଣୀୟ ଦ୍ୱାର–ଉନ୍ମୋଚନ ଘଟାଇଛି । କେବଳ ସେହି ସଂପୃକ୍ତ ଗୋଟିଏ ଗୋଟିଏ ଦେଶ ସକାଶେ ନୁହେଁ, ସମୁଦାୟ ପୃଥିବୀର ମନୁଷ୍ୟସମୂହ ଲାଗି କେତେ ଉନ୍ମୀଳନର କାରଣ ହୋଇଛି । ଏବଂ, ହିଂସାରେ ସମ୍ଭବ ହୋଇଥିବା ପରିବର୍ତ୍ତନ ଗୁଡ଼ିକୁ ଆମକୁ ଇପ୍ସିତ ସଂପୂର୍ଣ୍ଣ ସଫଳତାମାନ ଆଣି ଦେଇ ପାରିବନାହିଁ ବୋଲି ଅହିଂସାପକ୍ଷଟି ଯେଉଁ ସତ ଆପତ୍ତିଟିକୁ ଏବେ କରୁଛି, ହିଂସାର ପ୍ରୟୋଗକ୍ଷେତ୍ରଗୁଡ଼ିକୁ ମୂଳତଃ ବିଶ୍ଳେଷଣ କରି ତ ସେଇଟିକୁ କରିପାରୁଛି ! ହିଂସାରେ କରା ଯାଇଥିବା ବିଶ୍ୱଆଲୋଡ଼ନକାରୀ ବିପ୍ଳବ ମାନଙ୍କର ବୀରମାନଙ୍କୁ ତେଣୁ ସେମାନେ ବୀରତ୍ୱର ପରିଚୟ ଦେଇନାହାନ୍ତି ବୋଲି ଆଦୌ କୁହାଯାଇ ପାରିବନାହିଁ । ଅହିଂସାର ଶିବିରମାନଙ୍କରେ ତ ଭୀରୁମାନେ ମଧ୍ୟ ରହିଥିବେ । ଏକ ଅବଶ୍ୟ ପରିବର୍ତ୍ତନ ଅତ୍ୟାବଶ୍ୟକ ବୋଲି ଖୁବ୍ ଭଲ ଭାବେ ଜାଣିଥିଲେ ମଧ୍ୟ ସେମାନେ ମୁହୂର୍ତ୍ତଗୁଡ଼ିକୁ ଗଡ଼ାଇ ଦେଇଛନ୍ତି । ବରଂ ସେହିମାନଙ୍କୁ ହିଁ ଆମେ ଭୀରୁ ବୋଲି କହିପାରିବା । ସେମାନେ ମଧ୍ୟ ନିଜର ପ୍ରକୃତ ମନ୍ଦିରଟି ଭିତରେ ପ୍ରବେଶ କରିବାରେ ତଥାପି ସମର୍ଥ ହୋଇନାହାନ୍ତି । ଦେବତାଙ୍କର ଦର୍ଶନ କରିବା ତ ଆହୁରି ଅଧିକ ଦୂରର ହିଁ କଥା । ନିଜର ଦେବତାଟିକୁ ଠାବ କରି ଓ ତାଙ୍କର ମନ୍ଦିରଟିକୁ ଚିହ୍ନି ବାଟଟିଏ ଚାଲିପାରିବାର ଯେଉଁ ଅନ୍ୟଭଳି ବାସ୍ତବ ସତ୍ୟଟି, ସେଥିଲାଗି କ’ଣ ବସ୍ତୁତଃ କମ୍ ସାହସ ଲୋଡ଼ା ? ହିଂସା ଏବଂ ଅହିଂସା ଦୁଇଟିଯାକ ପଥ ଲାଗି ? ପୁନଶ୍ଚ, ଆପଣାର କୌଣସି ଅସମ୍ମତି ହେତୁ ଏକ ସମର ଅବଶ୍ୟ କରାଯିବା ଆବଶ୍ୟକ ବୋଲି ଜାଣୁଥିଲେ ମଧ୍ୟ କାଳେ ହିଂସା ହୋଇଯିବ ବୋଲି ଅହିଂସା ନୀତିର ଯେଉଁ ସମର୍ଥକମାନେ ପ୍ରାୟ ଉଦାସୀନ ରହି ସମରଟିକୁ ଏଡ଼ି ଦେଇଛନ୍ତି, ସତ୍ୟଟି ପାଖରେ କ’ଣ ସେମାନେ କମ୍ ଅପରାଧ କରିଛନ୍ତି ।

 

ନୀତିଟି ଆଗ ନୁହେଁ, ଆହ୍ୱାନଟି ଆଗ । ଆହ୍ୱାନଟିର ସମ୍ମୁଖୀନ ହେବା ଲାଗି ଏକାଧିକ ପଥ ଅବଶ୍ୟ ଥାଇପାରେ । ସଂପୃକ୍ତ ଆମ ସମସ୍ତଙ୍କୁ ତେଣୁ ବାଛିବାକୁ ହେବ । କିନ୍ତୁ ନୀତିର ଦ୍ୱାହି ଦେଇ ଆହ୍ୱାନଟିକୁ ଏଡ଼ି ଦେବା ଏବଂ ଜନଗଣ ମୁଁ ଇଚ୍ଛା କରୁଥିବା ନୀତିଟି ଦୃଷ୍ଟିରୁ ଯୋଗ୍ୟ ହୋଇନାହାନ୍ତି ବୋଲି ତାତ୍ତ୍ୱିକ ବ୍ୟାଖ୍ୟାମାନ ଦେଉଥିବା, ତାହା ଆଦୌ ଜଣେ ବିବେକୀର କାର୍ଯ୍ୟ ନୁହେଁ । କୌଣସି ନେତୃତ୍ୱ ଭଳି ନେତୃତ୍ୱର ମଧ୍ୟ ଧର୍ମ ନୁହେଁ । ଯେଉଁମାନେ ନାନା ବ୍ୟକ୍ତିଗତ ବକ୍ରତାକୁ ଛାଡ଼ି ପାରୁନଥାନ୍ତି ବୋଲି ଏକ ଆହ୍ୱାନକୁ ତା’ର ଉଚିତ ମର୍ଯ୍ୟାଦା ନଦେଇ ତଥାକଥିତ ନୀତିକୁ ଜାବୁଡ଼ି ଧରିଥାନ୍ତି ଏବଂ ସେହି ସୁଯୋଗରେ ଥମ୍ବି ରହିଯାଆନ୍ତି, ସେମାନେ ଯେକୌଣସି କାଳର ପ୍ରକୃତରେ ପ୍ରଭୂତ କ୍ଷତି ହିଁ କରନ୍ତି । ବହୁ ଆହ୍ୱାନକୁ ଧୋକା ଦିଅନ୍ତି । ସ୍ୱରାଜ୍ୟ ଆନ୍ଦୋଳନ ସମୟରେ ଗାନ୍ଧିଜୀ ତାଙ୍କରି ନେତୃତ୍ୱରେ ଏକ ଅସହଯୋଗ ଆନ୍ଦୋଳନର ଆହ୍ୱାନ ଦେଇଥିବା ବେଳେ ଉତ୍ତର ଭାରତର ଗୋଟିଏ ସ୍ଥାନରେ ଉତ୍ତେଜିତ ଏକ ଜନତା ଥାନାର ପୋଲିସ କର୍ମକର୍ତ୍ତା କେତେଜଣଙ୍କୁ ହତ୍ୟା କରିଥିବାରୁ ସମସ୍ତ ଆନ୍ଦୋଳନଟିକୁ ବନ୍ଦ କରି ଦେଇଥିଲେ । ତା’ପରେ ୧୯୪୨ ମସିହାର ଅଗଷ୍ଟ ଆନ୍ଦୋଳନ ଅର୍ଥାତ୍ ‘ଭାରତ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାର ପ୍ରାକ୍‌କାଳରେ, ଯେତେବେଳେ ସେ ଭାରତବାସୀ ପ୍ରତ୍ୟେକଙ୍କୁ ‘କର ବା ମର’ ଡାକରା ଦେଇଥିଲେ, ସେତେବେଳକୁ ଜାତୀୟ କଂଗ୍ରେସର ସେହି ସ୍ମରଣୀୟ ଅଧିବେଶନରେ ଏକଧିକ ପ୍ରଶ୍ନ ମଧ୍ୟରେ ଏ ପ୍ରଶ୍ନଟି ମଧ୍ୟ ପଚରା ଯାଇଥିଲା : ଚୌରିଚୌରାର ସେହି ହିଂସା ଆଚରଣ ପରେ ଆପଣ ଯେପରି ସଂପୂର୍ଣ୍ଣ ଆନ୍ଦୋଳନଟିକୁ ତତ୍‌କ୍ଷଣାତ୍ ପ୍ରତ୍ୟାହାର କରି ନେଇଥିଲେ, ଏଥର ମଧ୍ୟ ଉତ୍ତେଜନାରେ ପଡ଼ି ଜନଗଣ କୌଣସି ହିଂସାର ଘଟଣା ଘଟାଇଲେ ଆପଣ କ’ଣ ଏହି ‘ଭାରତ ଛାଡ଼’ ଆନ୍ଦୋଳନଟିକୁ ପ୍ରତ୍ୟାହାର କରି ବି ନେଇଯିବେ ? ମହାତ୍ମାଗାନ୍ଧୀ ‘ନାହିଁ ’ ବୋଲି ଉତ୍ତର ଦେଇଥିଲେ ।

 

ତାହାର ମୋଟେ ଅର୍ଥ ନୁହେଁ ଯେ ଗାନ୍ଧିଜୀ ଇତିମଧ୍ୟରେ ଅହିଂସାର ମାର୍ଗକୁ ଛାଡ଼ି ହିଂସାର ସେହି ଅନ୍ୟ ମାର୍ଗଟିକୁ ଗ୍ରହଣ କରି ନେଇଥିଲେ । ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ ଯେ, ଇଂରେଜ ସରକାର ତାଙ୍କୁ ସେହିଦିନ ରାତି ପାହୁ ପାହୁ ବନ୍ଦୀ କରି ନ ନେଇଥିଲେ ସେଇ ଆମର ସେହି ଜାତୀୟ ଆନ୍ଦୋଳନଟିର ନିର୍ଦ୍ଦେଶନା ଦେଇଥାନ୍ତେ ଏବଂ ତାହା ନ୍ୟାୟତଃ ଅହିଂସା ମାର୍ଗରେ ହିଁ ଚାଲିଥାଆନ୍ତା । ଗାନ୍ଧିଜୀ ଏପରି କହିଛନ୍ତି ବୋଲି ବାଇଆ ହୋଇ ଲୋକମାନେ ମଧ୍ୟ ହାତରେ ହତିଆର ଇତ୍ୟାଦି ଧରି ହତ୍ୟା କରିବାରେ ଲାଗି ଯାଇ ନଥାନ୍ତେ । ତଥାପି, ଯଦି କିଛି ବ୍ୟତିକ୍ରମ ଘଟିଥାନ୍ତା, ତେବେ ସେ କଦାପି ଆନ୍ଦୋଳନଟିକୁ ପ୍ରତ୍ୟାହାର କରି ନେଇ ନଥାନ୍ତେ । ଜଣେ ପ୍ରକୃତ ନେତା ତା’ର ଅନୁଗାମୀ ଜନଗଣଙ୍କୁ ସର୍ବଦା ପୂର୍ଣ୍ଣ ସହାନୁଭୂତି ସହିତ ଅବଶ୍ୟ ବୁଝେ-। ହିଂସାକୁ ମୂଳରୁ ହିଁ ମାର୍ଗ ବୋଲି ଗ୍ରହଣ କରି ନେଇଥିବା ଅନ୍ୟ ନେତୃତ୍ୱଟି ସିନା ଅହିଂସା ଦ୍ୱାରା ଆଦୌ କୌଣସି ମାର୍ଗରେ ଶତ୍ରୁ ସହିତ କୌଣସି ଯୁଦ୍ଧ ଲଢ଼ାଯାଇ ପାରିବ ବୋଲି କେତେବେଳେ ହେଲେ ଏକ ଧାରଣା ହିଁ କରି ପାରେନାହିଁ, ମାତ୍ର ଅହିଂସା ପକ୍ଷର ନେତୃତ୍ୱଟି ହିଂସା ପକ୍ଷଟିକୁ ଖୁବ୍ ବୁଝିଥାଏ, ଏବଂ ତେଣୁ ହିଂସା ଅହିଂସାର ତରାଜୁରେ ପକାଇ ସିଏ ହିଂସାଚାରୀମାନଙ୍କର ସାଧୁତା ଉପରେ କେବେହେଲେ ସନ୍ଦେହ ବ୍ୟକ୍ତ କରେନାହିଁ । ମୋ’ ବାଟଟି ଧର୍ମତଃ ଯେପରି, ଅନ୍ୟମାନଙ୍କର ବାଟମାନେ ସେହିପରି ନୁହନ୍ତି ବୋଲି ମୁଁ ସେମାନଙ୍କର ମୂଳଭୂତ ସାଧୁତାକୁ କାହିଁକି ପ୍ରକୃତରେ ସନ୍ଦେହ କରିବି ? ନିଜର ବାଟ ବୋଲି ଘୋଷଣା କରିବା ପଛରେ ଯଦି ସମ୍ଭବତଃ କିଛି ଅସାଧୁତା ରହିଥିବ, ଅର୍ଥାତ୍ ସେଇଟି ସମ୍ବନ୍ଧରେ ଯଦି ମୁଁ କୌଣସି କାରଣରୁ ଦୋ’ଦୋ’ପାଞ୍ଚ ହେଉଥାଏ, ତେବେ ଯାଇ ଆଉମାନଙ୍କର ଅନ୍ୟ ବାଟଗୁଡ଼ିକୁ ଦେଖି ସେମାନଙ୍କର ବାଟ ମୋ’ ବାଟଠାରୁ କିଞ୍ଚିତ୍ ଅଲଗା ହୋଇଥିବାରୁ ହୁଏତ ମୁଁ ସେମାନଙ୍କୁ ଅସାଧୁ ବୋଲି କହେ କି ଓ ସେମାନଙ୍କର ବାଟ ଠିକ୍ ନୁହେଁ ଏବଂ ମୋ’ବାଟଟି ଠିକ୍ ବୋଲି ଧରିନେଇ ଏକ ପ୍ରକାରର ଆତ୍ମଶ୍ଳାଘା ଅନୁଭବ କରୁଥାଏ କି ?

 

ଏପାଖରେ ହିଂସା, ସେପାଖରେ ଅହିଂସା । ଏବଂ, ସର୍ବପ୍ରକାର ବାସ୍ତବତାରେ ସେଇ ଦୁଇଟିଯାକକୁ ଗୌଣ କରି ରଖି ମନୁଷ୍ୟମାନଙ୍କର ଭୀରୁତା । ଭୀରୁତା ହିଂସା ଏବଂ ଅହିଂସା ସମ୍ଭବତଃ ଦୁଇଟିଯାକ ଅପେକ୍ଷା ଅଧିକ ବୁଦ୍ଧିମାନ । କୋଉଠି ଥିବ, ମୋଟେ ଜାଣି ହେବନାହିଁ । ହାଲ୍ ପୃଥିବୀର ରାଷ୍ଟ୍ରବୃନ୍ଦ ପ୍ରାୟ ଧର୍ମତଃ ଭୀରୁ ହୋଇ ରହିଥାନ୍ତି ବୋଲି ଅସ୍ତ୍ରବଳ ବ୍ୟତୀତ ସେମାନଙ୍କ ପାଖରେ ପରସ୍ପରର ସାମନା କରିବା ନିମନ୍ତେ ଆଉ କୌଣସି ବଳ ନଥାଏ କି ? ଆମ ସରକାରମାନେ ଆପଣା ମେଦ ଏବଂ ମଜ୍ଜାର ସ୍ତରରେ ଭୀରୁ ହୋଇ ରହିଥାଆନ୍ତି ବୋଲି ଜନଗଣଙ୍କର ସାମନା କରିବାକୁ ଯାଇ କେବଳ ବନ୍ଧୁକ ଦେଖାଇବାର ଧମକ ଦେବାରେ ଲାଗିଥାଏ-। ପ୍ରଜା-ଅସନ୍ତୋଷକୁ ଭୟ କରେ ଏବଂ ତେଣୁ ଅସନ୍ତୋଷର କାରଣଗୁଡ଼ିକୁ ଦେଖିବାଲାଗି ଇଚ୍ଛା କରୁନଥାଏ ବୋଲି ବନ୍ଧୁକର ଧମକ ଦେଖାଏ । ଆପଣା ଭିତରେ ଚୋର ହୋଇ ରହିଥାଏ-। ମହତ୍ମା ଗାନ୍ଧୀ ଭୀରୁତାକୁ ଦୁଇଗଣ ଅଧିକ ପ୍ରକୋପଯୁକ୍ତ ହିଂସା ବୋଲି କହିଛନ୍ତି-। ବରଂ, ହିଂସାର ବାଟ ଗ୍ରହଣ କରା ଯାଇପାରିବ ସିନା, କିନ୍ତୁ ଭୀରୁତା ବହୁ ସତ୍ୟାନାଶର କାରଣ ହିଁ ହେବ-। ଭୀରୁତା ତେଣୁ ଅହିଂସାର ପାଖ ହିଁ ମାଡ଼ିବନାହିଁ । ହୁଏତ, ଏପରି ଏନେକ ମନୁଷ୍ୟ ରହିଥିବେ, ଯେଉଁମାନେ ଭୀରୁ ହୋଇଥିବା ହେତୁ ଅହିଂସାର କଥା କହିବେ, ହିଂସାକୁ ଅଧର୍ମ ବୋଲି କହିବେ ଏବଂ ତେଣୁ ଯାବତୀୟ ସାହସପ୍ରେରିତ ପଦକ୍ଷେପକୁ ହିଂସା ହୋଇଯିବ ବୋଲି କହି ଗଡ଼ାଇ ଦେବାରେ ଲାଗିଥିବେ । ଏବଂ ସେହିପରି କରି ଲାଭବାନ୍ ହେଉଥିବେ-। ନିଜର ନ୍ୟସ୍ତସ୍ୱାର୍ଥ ମାନଙ୍କୁ ମୋଟେ ଛାଡ଼ି ପାରୁନଥିବେ । ଏପରିକି, ଛା‌‌‌ଡ଼ିବାକୁ ଇଚ୍ଛା ବି କରୁନଥିବେ-। ଏକ ନିପୀଡ଼ିତ ପ୍ରଜାପକ୍ଷ ଯେତେ ଯାହା ତଥାକଥିତ ହିଂସା-ଆଚରଣ କରୁପଛକେ, ତାହା କଦାପି ଆପଣାକୁ ଏକମାତ୍ର ବଳବାନ୍ ବୋଲି ଭାବୁଥିବା ରାଷ୍ଟ୍ରର ହିଂସାକୁ ଆଦୌ ଟପିଯାଇ ପାରିବ ନାହିଁ-। ସେହି କ୍ରମରେ ସରକାରମାନଙ୍କର ତରଫରୁ ହେଉଥିବା ଆତଙ୍କବାଦ ସହିତ ଅନ୍ୟ କୌଣସି ଆତଙ୍କବାଦର ତୁଳନା କରାଯାଇ ପାରିବନାହିଁ ବୋଲି ମଧ୍ୟ ମହତ୍ମା ଗାନ୍ଧୀ ସ୍ମରଣ କରାଇ ଦେଇଛନ୍ତି ।

 

ଫରାସୀ ବିପ୍ଳବରେ ହିଂସା ହିଁ ବିପ୍ଳବୀମାନଙ୍କର ସଂଗ୍ରାମଟିର ମାଧ୍ୟମ ହୋଇ ରହିଥିଲା-। କିନ୍ତୁ, ବିପ୍ଳବ ପୂର୍ବରୁ ବହୁ ବର୍ଷକାଳ ସିଂହାସନରେ ଆସୀନ ସମ୍ରାଟଙ୍କର ତରଫରୁ ଯେଉଁ କୁଶାସନ ଜାରି ହୋଇ ରହିଥିଲା, ସେଥିରେ ତ ହିଂସା ହିଁ ରାଜାଧିରାଜ ହୋଇ ରହିଥିଲା-। ପ୍ରଜାମାନେ ଆଉ ସହ୍ୟ କରିପାରିଲେ ନାହିଁ, ପୀଡ଼ିତ ଜୀବନର ଅସନ୍ତୋଷମାନ ଆଉ ନୀରବ ହୋଇ ମାନି ନେଇ ପାରିଲାନାହିଁ ଏବଂ ନିଆଁଟାଏ କୁହୁଳି ଉଠି ଏକ ବିପ୍ଳବରେ ପରିଣତ ହେଲା । ରୁଷିଆର ଜାରମ୍‌ହୋଦୟ ବଂଶଟା କ’ଣ କମ୍‌ ଅତ୍ୟାଚାର କରୁଥିଲା ? ଏବଂ ସେହି ଅତ୍ୟାଚାରଜନିତ ଅସନ୍ତୋଷଟି ହିଁ କ୍ରମେ ଏକ ବିପ୍ଳବର ଆକାର ଧାରଣ କରିଥିଲା; ସାରା ପୃଥିବୀକୁ ଏକ ସମ୍ଭାବନାର ପ୍ରତ୍ୟୟପତ୍ର ଯୋଗାଇ ଦେଇ ଭବିଷ୍ୟତର ବହୁ ବହୁ ଶତାବ୍ଦୀ ଲାଗି ନେତ୍ରଟିଏ ପ୍ରଦାନ କରିଥିଲା । ଜଣେ ସଚେତନ ମଣିଷ କାହିଁକି ସହିବ ? ସଚେତନ ସମାଜଟିଏ ମଧ୍ୟ କାହିଁକି ସହିବ ? ଗଞ୍ଜଣା ଦେବା ଯେପରି ଏକ ନିତାନ୍ତ ନିକୃଷ୍ଟ ପ୍ରକାରର ତାମସିକତା, ଗଞ୍ଜଣାମାନଙ୍କୁ ସହ୍ୟ କରିବା ମଧ୍ୟ ସେହିପରି ଏକ ତାମସିକତା । ମନୁଷ୍ୟ ପରି ଏକ ପରସ୍ପର–ସଚେତନ ପ୍ରାଣୀଲାଗି ଏକ ଅଯୋଗ୍ୟତା ତଥା ଅସୁନ୍ଦରତା । ଏକ ସୁସ୍ଥ ବିବେକସମ୍ପନ୍ନ ମନୁଷ୍ୟଗୋଷ୍ଠୀ ଅନନ୍ତକାଳ ନିମନ୍ତେ କେବଳ ସହିଯିବାକୁ ହିଁ ଆପଣାର ନିୟତିସଦୃଶ ମୋଟେ ମାନିନେବ ନାହିଁ । ପୃଥିବରୀ-ଇତିହାସର ସର୍ବମାନ ଗୁରୁମାନେ ମଧ୍ୟ ତାହାକୁ ମୋଟେ ମାନିନେଇ ନଥିଲେ । ସକ୍ରେଟିସ୍ ବା ବୁଦ୍ଧ ମାନିନେଇ ନ ଥିଲେ, ଯୀଶୁ ମାନିନେଇ ନଥିଲେ । ଅସଲ ଧର୍ମର ଅଧ୍ୟାତ୍ମଭାଗଟା କେବେହେଲେ ତାହାକୁ ମାନିନେଇ ପାରେନାହିଁ । ସିଏ ପ୍ରତିବାଦ କରେ-। ଅନ୍ୟାୟର ଏବଂ ଉତ୍ପୀଡ଼ନର ପ୍ରତିବାଦ କରେ । ବ୍ୟବସ୍ଥାଟାର ପ୍ରତିବାଦ କରେ । ସେହି ଉଦ୍‌ବୋଧନଟିକୁ ନିଜ ଭିତରୁ ପାଇ ସଂପୂର୍ଣ୍ଣ ଜନଗୋଷ୍ଠୀମାନେ ପ୍ରତିବାଦ କରନ୍ତି । ଏକ ମିଳିତ ପ୍ରତିବାଦ ଦ୍ୱାରା ହିଁ ସଂଘବଳ ପ୍ରତିବାଦ କରେ । ସଂଗଠିତ ହିଂସାର ବିରୋଧରେ ସଂଘଚେତନା ପ୍ରତିବାଦ କରେ । ପ୍ରତିବାଦରୁ ଶକ୍ତି ଲାଭ କରେ । ତେଣୁ, ସବାଆଗ ଅବଶ୍ୟ ପ୍ରତିବାଦ କରି ବାହାରିବାର ଏକ ନିଷ୍ପତ୍ତି ଏବଂ ଆଗ ସେହି ନିଷ୍ପତ୍ତିଟିକୁ ଗ୍ରହଣ କରି ସାରିବାପରେ ଯାଇ ହିଂସାଅହିଂସାର ବିଚାର । ପୁନଶ୍ଚ, ସତକୁ ସତ କେଉଁ ମାର୍ଗଟିକୁ ଗ୍ରହଣ କରାଯିବ, ସେଇଟି ମଧ୍ୟ ସମସ୍ତେ ସମ୍ମିଳିତ ଭାବରେ ନିଷ୍ପତ୍ତି କରିବେ । କିନ୍ତୁ, ଅନ୍ୟ ପକ୍ଷରେ କାଳେ ହିଂସା ହୋଇଯିବ ବୋଲି ଆଶଙ୍କା କରି ଯଦି ଆମେ କେବେ ପ୍ରତିବାଦ କରିବାର କ୍ଷେତ୍ରରେ ମଧ୍ୟ କୌଣସି ନିଷ୍ପତ୍ତି ନେବାନାହିଁ, ତେବେ ଆମେ ଖୁବ୍ ଅନ୍ୟାୟ କରିବା । ଭୀରୁ ବୋଲି ପ୍ରତିପାଦିତ ହେବା ।

 

ମହାତ୍ମା ଗାନ୍ଧୀଙ୍କର ଅହିଂସା–ବିଚାରରେ ସେଥିଲାଗି ପ୍ରତିବାଦ କରିବାର ମୂଳ ଉଦ୍‌ବୋଧନଟି ସବୁବେଳେ ରହି ଆସିଛି । ଅସତ୍ୟ ବିରୋଧରେ ସତ୍ୟର ପ୍ରତିବାଦ । ତେଣୁ, ଦୁର୍ବଳର ଅହିଂସା ଏବଂ ସବଳର ଅହିଂସା । ମହାତ୍ମାଜୀ କେଡ଼େ ସଂଶୟରହିତ ଭାବରେ ସେହି ଦୁଇଟି ମଧ୍ୟରେ ସବୁବେଳେ ରହିଥିବା ପାର୍ଥକ୍ୟଟିକୁ ଦର୍ଶାଇ ଦେଇଛନ୍ତି । ହଁ, ଅହିଂସା ମାର୍ଗରେ ପ୍ରତିବାଦ ଏବଂ ପ୍ରତିରୋଧ କରୁଥିବା କୌଣସି ବ୍ୟକ୍ତି ବା ଗୋଷ୍ଠୀ ହିଂସାର ଅବଲମ୍ବନ କରି ମଧ୍ୟ ତାହା ଖୁବ୍ କରିପାରନ୍ତା । କିନ୍ତୁ, ତାହାକୁ ସେତେ ବେଶୀ ଫଳପ୍ରଦ ନୁହେଁ ବୋଲି ବୁଝିଥିବାରୁ ହିଁ ସିଏ ଅହିଂସାର ପଥଟିକୁ ଗ୍ରହଣ କରିଥିବ । ଆକ୍ରମଣ କରିବନାହିଁ, କିନ୍ତୁ ପ୍ରତିବାଦ କରି ଅନ୍ୟ ପକ୍ଷଟିର ସକଳ କ୍ରୋଧ ଓ କୋପକୁ ସ୍ୱୟଂ ବରଣ କରିନେବ । ପ୍ରତିବାଦ କରିବ, ମାତ୍ର ପ୍ରତିଘାତ କରିବନାହିଁ । ଏହାଦ୍ୱାରା ସେପାଖରୁ ଯେତେ କଷଣ ସହିବାକୁ ହେଉଥିବ, ସିଏ ସତ୍ୟର ହିଁ ଅବଶ୍ୟ ବିଜୟ ହେବ ବୋଲି ଏକ ଅଟଳ ବିଶ୍ୱାସ ସହିତ ତାହାକୁ ବରଣ କରିନେବ । ବେତ ଓ ଲାଠିମାଡ଼ ଖାଇବ, କାରାବରଣ କରିବ, ଫାଶୀ କାଠରେ ମଧ୍ୟ ଝୁଲିବ, କିନ୍ତୁ ପ୍ରତିବାଦ କରିବ ହିଁ କରିବ । ସତ୍ୟ ପକ୍ଷରୁ ଅସତ୍ୟର ପ୍ରତିରୋଧ କରୁଥିବ । ଗାନ୍ଧୀ-ନେତୃତ୍ୱରେ ଯେଉଁ ନିର୍ଭୀକ ଯୋଦ୍ଧାମାନେ ଭାରତର ସ୍ୱାଧୀନତା ସଂଗ୍ରାମରେ ମାଡ଼ ଖାଇଥିଲେ, କାରାବରଣ କରିଥିଲେ, ପ୍ରାଣବଳି ଦେଇଥିଲେ, ସେମାନଙ୍କୁ ଆମେ ପ୍ରକୃତରେ ସେହି ମର୍ଯ୍ୟାଦା ଦେଇ ବୁଝିବା । ଭାରତର ସେହି ସଂଗ୍ରାମ ସେତେବେଳେ ବିଶ୍ୱବାସୀଙ୍କୁ ବିସ୍ମିତ କରି ଦେଇଥିଲା । ମାଲିକପକ୍ଷ ସମରଟିକୁ ସ୍ୱୀକାର କରିଥିଲା ଏବଂ ବିଦାୟ ନେଲା । ଦୁର୍ବଳର ଅହିଂସା ଭୀରୁମାନଙ୍କ ଅହିଂସା । ଏକ ବୃହତ୍ତର ସ୍ୱାର୍ଥକୁ ସବୁମନ୍ତେ ଅସ୍ୱୀକାର କରି ଯିଏ ତଥାକଥିତ ନିଜ ସ୍ୱାର୍ଥର ନାନା ମିଥ୍ୟା ଭିତରେ ଲୋସଡ଼ି ରହିଥାଏ, ସକଳ ଦେଶରେ ଓ ସକଳ ଯୁଗରେ ସେଇ ହେଉଛି ସବାବଡ଼ ଭୀରୁ । ସେହି ଭୀରୁମାନେ ସ୍ଥିତାବସ୍ଥାଟାକୁ ସ୍ଥାୟୀ କରି ରଖିବେ ବୋଲି ଶାସନର ଫିସାଦମାନ ମେଲି ଦେଇ ବସି ଯାଇଥାନ୍ତି । ପୁରୁଣା ଅନ୍ୟାୟଗୁଡ଼ାକୁ ପରମ୍ପରା ବୋଲି କହନ୍ତି ଏବଂ ସେହି ପରମ୍ପରାଟିକୁ ସୁରକ୍ଷିତ କରି ରଖିବା ହିଁ ସମସ୍ତଙ୍କର ପରମ କର୍ତ୍ତବ୍ୟ ବୋଲି ପ୍ରଚାର କରନ୍ତି । ଯେଉଁମାନେ ସବୁ ବୁଝନ୍ତି ଏବଂ ତଥାପି ପ୍ରତିବାଦ କରନ୍ତିନାହିଁ ଏବଂ ତେଣୁ ପବନଟାକୁ ଭଣ୍ଡାଇ ରଖିବାକୁ ଅହିଂସାପକ୍ଷରେ ଅଛନ୍ତି ବୋଲି ମିଛ ସାନ୍ତ୍ୱନାମାନ ଲାଭ କରନ୍ତି, ସେମାନଙ୍କର ସେହି ମାନିନେବାଟା ଦୁର୍ବଳର ଅହିଂସା, ବିରାଡ଼ି ଆଗରେ ସେଇଟା ମୂଷାର ଅହିଂସା । ସମ୍ଭବତଃ ଏପରି କାହିଁକି ନହେଉଥିବ ଯେ, ଏହି ଭୀରୁ ଅହିଂସା ପକ୍ଷର ମୁଖପାତ୍ରମାନେ ଉକ୍ତ ସ୍ଥିତାବସ୍ଥାରୁ ଏକାଧିକ ପ୍ରକାରେ ତଥାପି ଉପକୃତ ହେଉଥାଆନ୍ତି ବୋଲି ଗାର ନଡ଼େଇଁ ଶାନ୍ତିଟାକୁ ଅବ୍ୟାହତ ରଖିବାକୁ କେଡ଼େ ଗମ୍ଭୀର ହୋଇ ପରାମର୍ଶ ଦେବାରେ ଲାଗିଥାନ୍ତି !

 

ସତ୍ୟର ପକ୍ଷରେ ଥାଇ ପ୍ରତିଷ୍ଠିତ ଅସତ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ସେଥିପାଇଁ ସ୍ୱେଚ୍ଛାପ୍ରେରିତ ହୋଇ ଯାବତୀୟ କଷଣକୁ ବରିନେବା, ତାହାରି ନାମ ସତ୍ୟାଗ୍ରହ । ସତ୍ୟାଗ୍ରହକୁ ଛାଡ଼ି ଗାନ୍ଧୀ–ସଂଗ୍ରାମମାର୍ଗର କୌଣସି କଳ୍ପନା କରାଯାଇ ପାରିବନାହିଁ । ତେଣୁ ଗାନ୍ଧୀମାର୍ଗର ଅହିଂସା ନାମକ ସେହି କଥାଟିକୁ ମୋଟେ ବୁଝି ହେବନାହିଁ । ତତ୍ତ୍ୱରେ ଶାସ୍ତ୍ର ବଖାଣିହେବ, କିନ୍ତୁ ଅନ୍ୟାୟକୁ ଅନ୍ୟାୟ ବୋଲି ଜାଣି ମଧ୍ୟ ତାହାର ପ୍ରତିବାଦ କରି ହେବନାହିଁ । ସତ୍ୟାଗ୍ରହକୁ ଇଂରେଜ ଶାସନ ସହିତ ଆପଣାର ସଂଗ୍ରାମରେ ଗୋଟିଏ ଅସ୍ତ୍ରରୂପେ ହିଁ ବ୍ୟବହାର କରାଯାଉଛି ନା ସ୍ୱାଧୀନ ଭାରତବର୍ଷରେ ତାହାର ଆଦୌ କୌଣସି ପ୍ରାସଙ୍ଗିକତା ରହିବ ବୋଲି ଜଣେ ସାମ୍ବାଦିକଙ୍କର ପ୍ରଶ୍ନର ଉତ୍ତର ଦେଇ ମହାତ୍ମା ଗାନ୍ଧୀ ଏକଦା କହିଥିଲେ ଯେ, ସ୍ୱାଧୀନ ଭାରତରେ ମଧ୍ୟ ଅନ୍ୟାୟ ରହିବ, ଅନାଚାର ମଧ୍ୟ ରହିବ । ତେଣୁ ସତ୍ୟାଗ୍ରହର ଆବଶ୍ୟକତା ସେତେବେଳେ ମଧ୍ୟ ଥିବ । ଆମେ ସ୍ୱାଧୀନତା ପାଇ ପାଉ ତ ଗାନ୍ଧୀ ଆମର ନେତୃତ୍ୱ ଦେବାଲାଗି ଆଉ ରହିପାରିଲେ ନାହିଁ । ମାତ୍ର, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସିଏ ଆମ ଭିତରେ ରହିଥିଲେ ସ୍ୱାଧୀନ ଜାତୀୟ ସରକାରଙ୍କର ଯାବତୀୟ ପଥଚ୍ୟୁତିର ପ୍ରତିବାଦ କରିଥାଆନ୍ତେ ଏବଂ ଏଥିରେ ମଧ୍ୟ ସନ୍ଦେହର ଅବକାଶ ରହିବା ଉଚିତ ନୁହେଁ ଯେ, ସେଦିନୁଁ ଅବହେଳିତ ଏବଂ ଉପେକ୍ଷିତ ହୋଇ ରହିଥିବା ଦେଶର ବହୁପକ୍ଷଟି ମଧ୍ୟ ତାଙ୍କର ସେହି ଆହ୍ୱାନଗୁଡ଼ିକର ଅନୁସ୍ପନ୍ଦନ ବ୍ୟକ୍ତ କରିଥାନ୍ତା । ଏବଂ, ସକଳ ବିବେକଦ୍ୱାରା ପରିଚାଳିତ ହୋଇ ଆମେ ପୂର୍ଣ୍ଣ ନିଃଶଙ୍କ ଭାବରେ ଏବେ ମଧ୍ୟ ଆଶା କରିପାରିବା ଏବଂ କରିବା ଯେ ଗାନ୍ଧୀଙ୍କ ପରେ ତାଙ୍କର ସରଣୀଗୁଡ଼ିକୁ ଗ୍ରହଣ କରିଥିବା ସର୍ବୋଦୟ ଶିବିରଟି ତାହା କରିଥାନ୍ତା । ମହାତ୍ମା ଗାନ୍ଧୀଙ୍କର ତିରୋଧାନ ପରେ ଉକ୍ତ ଶିବିରଟି ଯେ ହତବାକ୍‌ପ୍ରାୟ ହୋଇଯାଇ ଥିବ, ସେହି କଥାଟିକୁ ନିଶ୍ଚୟ ବୁଝି ହେଉଛି । ତେଣୁ ପ୍ରାୟ ଏକ ନିଷ୍କ୍ରିୟତା ସହିତ ଆଉ କିଛି ଆସିବ ବୋଲି ପ୍ରତୀକ୍ଷା ମଧ୍ୟ କରା ଯାଇଥିଲା । ବିନୋବା ଭାବେଙ୍କର ଭୂମିକ୍ରାନ୍ତି ଏକାଧିକ ଅର୍ଥରେ ଏକ ସକ୍ରିୟତା ଆଣି ଦେଲା । ଅପେକ୍ଷମାଣ ଶିବିରଟି ସଚଳ ହେଲା, ରାସ୍ତାଟିଏ ମିଳିଗଲା ବୋଲି ପ୍ରତୀତିଟିଏ ଆସିଲା । ଜନମାନସରେ ନାନା ନୂଆ ପ୍ରତ୍ୟୟକୁ ଉଦ୍‌ବୁଦ୍ଧ କରିଥିଲା । ତରୁଣମାନଙ୍କୁ ମଧ୍ୟ କେଡ଼େ ସାବଲୀଳତା ସହିତ ଆକର୍ଷିତ କରି ଆଣିଥିଲା । ଜୟପ୍ରକାଶ ନାରାୟଣଙ୍କର ଯୋଗଦାନ ପରେ ସଂପୂର୍ଣ୍ଣ କ୍ରାନ୍ତି କଥା କୁହା ବି ଗଲା । ମାତ୍ର ସତ୍ୟାଗ୍ରହ ଅପଚରା ହୋଇ ରହିଲା ।

 

ସନ୍ଥ ବିନୋବା ସତ୍ୟାଗ୍ରହ ପଟେ ନଥିଲେ । ତାଙ୍କ ଭିତରେ ଗାନ୍ଧିଜୀଙ୍କର ପ୍ରୟାଣ ଅନ୍ତେ କେଉଁଠି କି କୁଣ୍ଠା ସତେଅବା ସବୁବେଳେ ଲୁଚି ରହିଥିଲା କେଜାଣି, ସେ ଏକ ସତ୍ୟାଗ୍ରହ ଆବଶ୍ୟକ ବୋଲି ଜାଣିଥିଲେ ମଧ୍ୟ ତଥାପି ସେଥିରେ ଲିପ୍ତ ହେବାକୁ ଇଚ୍ଛୁକ ହୋଇ ପାରୁନଥିଲେ । ତାହାର ଗୋଟିଏ ଉଦାହରଣ ଦିଲ୍ଲୀର ଏକ ଶରଣାର୍ଥୀ ଶିବିରରେ ସିଏ ସାହାଯ୍ୟକାର୍ଯ୍ୟ କରୁଥିବା ସମୟରୁ ଏଠାରେ ଦିଆଯାଇ ପାରିବ । ପାକିସ୍ତାନରୁ ବାହାରି ଆସିଥିବା ପଞ୍ଜାବୀ ଶରଣାର୍ଥୀଗଣଙ୍କୁ ସ୍ଥାୟୀ ଥଇଥାନ ଯୋଗାଇ ଦେବାକୁ ଆବଶ୍ୟକ ଜମି ଯୋଗାଇ ଦେବାଲାଗି ଏପଟେ ଭାରତର ଅନ୍ତର୍ଭୁକ୍ତ ହୋଇ ରହିଥିବା ପୂର୍ବ–ପଞ୍ଜାବର ସରକାର ରାଜୀ ହୋଇଥିଲେ । ଏହିପରି ଗୋଟିଏ ପ୍ରତିଶ୍ରୁତି ପାଇବାରେ ସ୍ୱୟଂ ବିନୋବାଜୀଙ୍କର ମଧ୍ୟ ଏକ ଭୂମିକା ରହିଥିଲା । ପୁଣି କ’ଣ ଅସୁବିଧା ହେଲା ଅଥବା କେଁ ଆସି ପଶିଲା, ସେହି ରାଜ୍ୟର ସରକାର ଆଉ ସେଥିପାଇଁ ରାଜୀ ହେଲେନାହିଁ-। ଚୁକ୍ତିଭଙ୍ଗ କଲେ । ଶରଣାର୍ଥୀ–ପରିବାରମାନେ ପୁନର୍ବାର ବିନୋବାଙ୍କର ହିଁ ଶରଣାପନ୍ନ ହୋଇଥିଲେ । ବର୍ତ୍ତମାନ ସତ୍ୟାଗ୍ରହ ଏକମାତ୍ର ଉପାୟ ବୋଲି ବିନୋବାଜୀ ସେମାନଙ୍କୁ କହିଥିଲେ ସିନା, କିନ୍ତୁ ସିଏ ନିଜେ ସତ୍ୟାଗ୍ରହରେ ସଂପୃକ୍ତ ହେବେନାହିଁ ବୋଲି ସେଇ ମୂଳରୁ ହିଁ ମନା କରି ଦେଇଥିଲେ । କହିବା ବାହୁଲ୍ୟ, ସନ୍ଥ ଯେତେବେଳେ ଏପରି କହିଲେ, ସେତେବେଳେ ସତ୍ୟାଗ୍ରହର ପ୍ରଶ୍ନଟି ମଧ୍ୟ ସେତିକିରେ ରହି ଯାଇଥିଲା । ଶ୍ରୀ ବିନୋବା ଭାବେ ଯେତେବେଳେ ଓଡ଼ିଶାରେ ତାଙ୍କର ଭୂମିଦାନ ପଦଯାତ୍ରାରେ କୂଜେନ୍ଦ୍ରୀ ଅଞ୍ଚଳକୁ ଆସିଥିଲେ ଏବଂ ଦୁଇ ଥରଯାକ ମିଶାଇ ମୋଟ ସପ୍ତାଏ ଯାଏ ରହିଥିଲେ, ସେତେବେଳେ ସେଠାରେ ଚାରି ପାଞ୍ଚବର୍ଷ ପୂର୍ବେ ହୋଇ ଯାଇଥିବା ଭୂ-ସତ୍ୟାଗ୍ରହର ଘଟଣାଟି ତାଙ୍କ କାନରେ ନିଶ୍ଚୟ ପଡ଼ିଥିବ । ସିଏ ସେଥିରେ କିପରି ପ୍ରତିକ୍ରିୟା ବ୍ୟକ୍ତ କରିଥିବେ କେଜାଣି ? ସେତେବେଳେ କୁଜେନ୍ଦ୍ରୀରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଭୂଦାନଯଜ୍ଞର ତୁଙ୍ଗ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଭୂ-ସତ୍ୟାଗ୍ରହ ବିଷୟରେ ବିନୋବା ସେମାନଙ୍କୁ ଯଦି କିଛି ପ୍ରଶ୍ନ ପଚାରିଥିବେ, ତେବେ ସେମାନେ ମଧ୍ୟ କ’ଣ ସବୁ ଜବାବ ଦେଇଥିବେ ? ଖୁବ୍ ସମ୍ଭବ, ସେହି ସତ୍ୟାଗ୍ରହ କାହାଣୀଟି ଶୃଙ୍ଖଳା ଦୃଷ୍ଟିରୁ ବସ୍ତାନିବନ୍ଧା ହୋଇ ରହି ସାରିଥିଲା । କୁଜେନ୍ଦ୍ରୀ ଗାଆଁର କୌଣସି ଶବର ଭାଇଙ୍କୁ ଡକାଇ ବିନୋବା ଯେ ସବୁ ବୃତାନ୍ତଟି ଜାଣିବାକୁ ଇଚ୍ଛା କରି ନଥିବେ, ସେକଥା ମଧ୍ୟ ନୁହେଁ । କିନ୍ତୁ, ସେହିଭଳି ଅବସରଟିଏ ସୃଷ୍ଟି ହୋଇ ପାରିବା ନିମନ୍ତେ ମଧ୍ୟ ତାଙ୍କୁ ରାଜ୍ୟର ସର୍ବୋଦୟୀ ବରିଷ୍ଠମାନଙ୍କର ସାହାଯ୍ୟ ଗ୍ରହଣ କରିବାକୁ ହୋଇଥାନ୍ତା ।

 

ବିନୋବାଜୀଙ୍କର ଓଡ଼ିଶାରେ ସେହି ପଦଯାତ୍ରା ସମୟର ବିବରଣୀ-ପୁସ୍ତକରେ ଭୂ-ସତ୍ୟାଗ୍ରହ ବିଷୟରେ ନିମ୍ନୋକ୍ତ ଏତିକିମାତ୍ର ପାଠ କରିବାକୁ ମିଳିଥାଏ : “ନିରୀହ ଆଦିବାସୀଙ୍କର ଯେଉଁ ଶୋଷଣ ଶହ ଶହ ବର୍ଷ ଧରି ଚାଲି ଆସିଥିଲା, ସେଥିପ୍ରତି କ୍ରମେ ସେମାନଙ୍କର ଆଖି ଫିଟିଲା, ଅସନ୍ତୋଷ ବଢ଼ିଲା । ସେମାନଙ୍କର ଯେଉଁସବୁ ଜମି ମହାଜନମାନେ ନାନାପ୍ରକାର ବାହାନାରେ ଅତି ସାମାନ୍ୟ ମୂଲ୍ୟରେ ହସ୍ତଗତ କରିଥିଲେ, ତାକୁ ଫେରି ପାଇବାପାଇଁ ‘ଭୂ-ସତ୍ୟାଗ୍ରହ’ ନାମରେ ଏକ ଆନ୍ଦୋଳନ ୧୯୫୧ ବେଳକୁ ଆଜ୍ଞାଙ୍କ ନେତୃତ୍ୱରେ ଆରମ୍ଭ ହେଲା । ଲୋକେ ଶାନ୍ତିପୂର୍ଣ୍ଣ ଭାବରେ ଆସି ଜମି ଦଖଲ କରିବା ଆରମ୍ଭ କଲେ । ଏହା ଫଳରେ ଓଡ଼ିଶା ସରକାର ଏ ସମସ୍ୟାର ଅନୁସନ୍ଧାନ ପାଇଁ ଏକ ଖାସ୍ ଅଫିସରଙ୍କୁ ପଠାଇଲେ ଓ କୋର୍ଟ୍‌ଜରିଆରେ ବହୁ ଆଦିବାସୀଙ୍କୁ ଜମି ଫେରସ୍ତ ମିଳିଲା । କିନ୍ତୁ ଅଳ୍ପଦିନ ଭିତରେ ଆଜ୍ଞା ଓ ତାଙ୍କ ସହକର୍ମୀମାନେ ଅନୁଭବ କଲେ ଯେ, ସରକାର ଓ ଅଫିସରମାନେ ଯେତେ ସହାନୁଭୂତିଶୀଳ ହେଲେ ବି ଆଇନ୍ କାନୁନର ସାମର୍ଥ୍ୟ ସୀମାବଦ୍ଧ । ଗରିବଲୋକ ପକ୍ଷରେ ସେ ବାଟରେ ନ୍ୟାୟପାଇବା ଡାମ୍ଫଣ ମୁନରେ ଘିଅ ଉଠାଇଲା ପରି କଠିନ । ଭୂଦାନ ଯଜ୍ଞର ବିପୁଳ ସମ୍ଭାବନା ସେମାନେ ଉପଲବ୍ଧି କରି ସେ କାମରେ ପୂର୍ଣ୍ଣ ପ୍ରାଣରେ ଲାଗି ପଡ଼ିଲେ ।” ଆଜ୍ଞାଙ୍କର ଜଣେ ଜୀବନୀଲେଖକ ମଧ୍ୟ ପ୍ରାୟ ସେହିପରି ଭାବରେ ଲେଖିଛନ୍ତି : “ସେହିପରି ଯୋଜନାବଦ୍ଧ ଭାବରେ ୧୯୫୧ ରେ ଗୁଣପୁର ଅଞ୍ଚଳରେ ଅହିଂସ ଭୂମି–ଆନ୍ଦୋଳନର ସୂତ୍ରପାତ କଲେ ବିଶ୍ୱନାଥ ଆଜ୍ଞା । ଆଦିବାସୀମାନେ ଆଜ୍ଞାଙ୍କ କଥାରେ ନିଆଁକୁ ଡେଇଁବାକୁ ପ୍ରସ୍ତୁତ ହେଲେ । ସାହୁକାର ଓ ସରକାର ଭୟଭୀତ ହୋଇ ପଡ଼ିଲେ । ଗୋପବନ୍ଧୁ ଚୌଧୁରୀ ଆଜ୍ଞାଙ୍କୁ ସେଥିରୁ କ୍ଷାନ୍ତ କରିବାକୁ ଚେଷ୍ଟା କଲେ । କିନ୍ତୁ … ଜମିସମସ୍ୟା ସହୃଦୟତା ସହିତ ବିଚାର କରିବାପାଇଁ ସରକାର ଗୋପୀନାଥ ମହାନ୍ତିଙ୍କୁ ସ୍ୱତନ୍ତ୍ର ଅଧିକାରୀ ରୂପେ ନିଯୁକ୍ତି ଦେଲେ । ଫଳରେ ଆଦିବାସୀମାନେ ନ୍ୟାୟ ପାଇଲେ ।” ଏହି ଦୁଇଟିଯାକ ଉଦ୍ଧୃତିର ଉତ୍ତରରେ ଶ୍ରୀ ଆଜ୍ଞାଙ୍କର ଜଣେ ଅନ୍ତରଙ୍ଗ କର୍ମୀବନ୍ଧୁ ଶ୍ରୀଯୁକ୍ତ ମହମ୍ମଦ ବାଜୀ ଏହି ୨୦୦୯ ମସିହାରେ ସେହି ‘ବନବାସୀ’ ପତ୍ରିକାରେ ଯାହା ଲେଖିଛନ୍ତି, ସେତିକି କହିଲେ ହିଁ ଯଥେଷ୍ଟ ହେବ । ସିଏ ଲେଖିଛନ୍ତି, “ସ୍ୱରାଜ୍ୟର ଏତେବର୍ଷ ପରେ ମଧ୍ୟ ନିରୀହ ଜନତାର ସେହି ଆବଶ୍ୟକତା (ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ଔଷଧ)ର ପୂରଣ ହୋଇ ପାରିଲାନାହିଁ ।” ସ୍ୱୟଂଆଜ୍ଞା ମଧ୍ୟ ସହୃଦୟ କୌଣସି ସରକାର ଦ୍ୱାରା ଏସବୁ ସମ୍ଭବ ହୋଇଯିବ ବୋଲି କେବେହେଲେ ଭାବୁନଥିବେ ।

 

ଓଡ଼ିଶା ରାଜ୍ୟରେ ସେହି ପଦଯାତ୍ରା ସମୟରେ ଅଖିଳ ଭାରତ କଂଗ୍ରେସ କମିଟିର ଯେଉଁ ଆନୁଷ୍ଠାନିକ ଅଧିବେଶନ ବସିଥିଲା, ସନ୍ଥ ବିନୋବାଙ୍କୁ ମଧ୍ୟ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ନିମନ୍ତେ ସେଠାକୁ ଡକା ଯାଇଥିଲା । ସେତେବେଳେ କେନ୍ଦ୍ର ତଥା ଓଡ଼ିଶା ଉଭୟ ସ୍ତରରେ ହିଁ କଂଗ୍ରେସର ଶାସନ ଥାଏ । ସ୍ୱୟଂ ଜବାହାରଲାଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଅଳ୍ପଦିନ ପୂର୍ବରୁ ଜାତୀୟ କଂଗ୍ରେସ ଭାରତବର୍ଷରେ ଏକ ସମାଜବାଦୀ ଢାଞ୍ଚାର ସମାଜ ଗଠନ କରିବ ବୋଲି ଘୋଷଣା କରିଥାଏ । ବିନୋବା ନେତାମାନଙ୍କୁ ସମ୍ବୋଧନ କରି ସେହି ଅବସରରେ କହିଥିଲେ ଯେ, ସାରା ପୃଥିବୀଯାକ କ୍ରମେ ବ୍ୟାପକ ଭାବରେ ଭୟଭାବନା ଘୋଟି ଯାଉଛି ଏବଂ “ଏହି ଭୟ ଦୂର କରି ନିର୍ଭୟତା ଆଣିବାପାଇଁ ହେଲେ ଅସ୍ତ୍ରବଳ ବଢ଼ାଇବା ଦ୍ୱାରା କାମ ହେବନାହିଁ । ଯିଏ ଅସ୍ତ୍ରବଳ ଉପରେ ନିର୍ଭର କରୁଥିବ, ସିଏ ତ ତା’ଠୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ଦେଖିଲେ ଡରିଯିବ । ପୁଣି, କେବଳ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବା ଆରମ୍ଭ କରିଦେଲେ ବି ନିର୍ଭୟତା ଆସିବନାହିଁ । ଏଥିପାଇଁ ମଣିଷର ମନ ଆଜିଯାଏ ଯେପରି ଗଢ଼ାହୋଇ ଆସିଛି, ସେଥିରେ ପରିବର୍ତ୍ତନ କରିବାକୁ ହେବ । ଜୀବନ ବଦଳାଇବାକୁ ହେବ ।” କଂଗ୍ରେସର ଆବାଡ଼ି ପ୍ରସ୍ତାବକୁ ସ୍ୱାଗତ କରି ସେ କହିଲେ, “ଏ ପ୍ରସ୍ତାବକୁ ଯେଉଁମାନେ ଗ୍ରହଣ କଲେ, ସେମାନଙ୍କ ଜୀବନ ତାହା ପୂର୍ବରୁ ଯେପରି ଥିଲା, ପ୍ରସ୍ତାବ ଗୃହୀତ ହେବା ପରେ ସେଥିରେ ସେମାନେ କିଛି ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି ନା ନାହିଁ ? ତାହା ଯଦି ନହେବ, ତେବେ ଏ ସମାଜବାଦୀ ଢାଞ୍ଚା ନାମକ ଶବ୍ଦଦ୍ୱାରା ବଳ ବଢ଼ିବନାହିଁ, ଏହାଦ୍ୱାରା ଭାରତରେ ବା ଦୁନିଆରେ କୌଣସି ଚାମତ୍କାରିକ ଘଟଣା ଘଟିବ ବୋଲି ଆଶା କରାଯାଇ ପାରିବନାହିଁ ।”

 

ତା’ପରେ ଏହି ପ୍ରାୟ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ସତେଅବା ଶବ୍ଦମାନେ ହିଁ ସର୍ବାଧିକ ଚମତ୍କାର ଦେଖାଇ ଆସିଛନ୍ତି ଏବଂ ସର୍ବୋଦୟର ଶିବିରପକ୍ଷଟି ମଧ୍ୟ ସେହି ଦଉଡ଼ରେ ଆଦୌ ପଛୁଆ ହୋଇ ରହି ଯାଇନାହିଁ । ସିଦ୍ଧାନ୍ତୀମାନେ ଗାନ୍ଧୀବିଚାରକୁ ନେଇ ପାଶ୍ଚାତ୍ୟର କେତେ କେତେ ଦେଶକୁ ଯାଇଛନ୍ତି, ବହିମାନ ଲେଖିଛନ୍ତି ଏବଂ ସେହି ପାଖଟାର ବସ୍ତୁବାଦୀ ଜଟିଳତା ଗୁଡ଼ିକ ସକାଶେ ଗାନ୍ଧୀବଚନ ହିଁ ଉପଯୁକ୍ତ ପ୍ରତିକାର ଯୋଗାଇଦେବ ବୋଲି ଦାବି କରିଛନ୍ତି । ଏବଂ, ଏଣେ ଏହି ନିଜ ଦେଶ ଭାରତବର୍ଷରେ ଯେ କାହିଁକି ବସ୍ତୁବିହୁନେ ପ୍ରାୟ ଅଧେ ମଣିଷ ନିପୀଡ଼ିତ ହେଉଛନ୍ତି, ପଶୁବତ୍ ସହ୍ୟ କରୁଛନ୍ତି ଏବଂ ତୁଚ୍ଛା ଶୋଷଣଗୁଡ଼ାକୁ ଆଦରି ନେଇଥିବା ପରି ପ୍ରତିବାଦ କରୁନାହାନ୍ତି, ଆପଣା ଦେଶରେ ସେସବୁ ବିଷୟରେ ପ୍ରାୟ ପାଟି ବନ୍ଦ କରି ରଖିଛନ୍ତି-। ଦେଶରେ ସବୁ ମଣିଷଙ୍କ ନିମନ୍ତେ ଅଙ୍ଗୀକାରବଦ୍ଧ ହୋଇ ରହିଥିବା ସରକାରମାନେ କାହିଁକି ଦେଶରେ ଉପଲବ୍ଧ ହୋଇ ରହିଥିବା ସମ୍ବଳ ଓ ସମ୍ଭାବନା ଗୁଡ଼ିକୁ କାମରେ ଲଗାଇ ପାରୁନାହାନ୍ତି, ବହୁ ଅସମାନତାର ଅନୀତିଗୁଡ଼ାକର କବଳରେ ପଡ଼ି ଭାରତବର୍ଷର ଉତ୍ପାଦନ ତଥା ବିତରଣ-ପ୍ରକ୍ରିୟା ଗୁଡ଼ିକ ସବୁ ମଣିଷଙ୍କ ଆଖି ସମକ୍ଷରେ ରଖି ବଦଳି ପାରୁନାହିଁ ଏବଂ କ୍ଷମତାର ସବୁଯାକ ସ୍ଥାନ କାହିଁକି କେବଳ କତିପୟଙ୍କ ଦ୍ୱାରା ସେହି କତିପୟଙ୍କର ଉଭା ଓ ପୋତା ନାନା ମତଲବକୁ ବଳବତ୍ତର କରି ରଖିବା ନିମନ୍ତେ ସର୍ବଦା ତତ୍ପର ହୋଇ ରହିଛି, ସେସବୁ ପ୍ରସଙ୍ଗ ବିଷୟରେ ସର୍ବୋଦୟ–ଘରର ଋଷିପ୍ରତିମ ପ୍ରଖ୍ୟାତମାନେ କିଛି କହିନାହାନ୍ତି । ଧୋବ ସାମନ୍ତମାନଙ୍କ ପାଖରେ ସେମାନେ ସତ୍ୟ ଏବଂ ଅହିଂସାର କଥା କହୁଛନ୍ତି, ପ୍ରାୟ ପରୀଗଳ୍ପମାନ କହିବା ପରି ବିଷ୍ଣୁଶର୍ମାଙ୍କ ବେଶ୍ ପରିଧାନ କରି ଗାନ୍ଧୀକଥା ଗୁଡ଼ିକୁ ଶୁଣାଉଛନ୍ତି । ହଁ, ମହାତ୍ମା ଗାନ୍ଧୀ କିପରି ଦକ୍ଷିଣ ଆଫ୍ରିକାରୁ ଆରମ୍ଭ କରି ଭାରତବର୍ଷର ସ୍ୱାଧୀନତା-ସଂଗ୍ରାମ ଯାଏ ଅସହଯୋଗ ତଥା ସତ୍ୟାଗ୍ରହର ବାର୍ତ୍ତା ଶୁଣାଇ ସହସ୍ର ସହସ୍ର ସାଧାରଣ ମଣିଷଙ୍କର ସହଯୋଗରେ ପ୍ରତିଷ୍ଠିତ ଅନ୍ୟାୟର ଭାଡ଼ିଗୁଡ଼ାକୁ ଟଳାଇ ଦେଇଥିଲେ ଏବଂ ବିଶ୍ୱବାସୀଙ୍କୁ ଅବାକ୍‌ କରିଦେବା ସହିତ ସମଗ୍ର ପୃଥିବୀର ବଞ୍ଚିତମାନଙ୍କ ନିମନ୍ତେ କିପରି ଗୋଟିଏ ବହୁ ପ୍ରତିଶ୍ରୁତି ରହିଥିବା ବିକଳ୍ପ ଆଣି ଦେଇଥିଲେ, ସେମାନେ ସେଗୁଡ଼ିକର କାହାଣୀ କହି ନିଜ ଶ୍ରୋତାମାନଙ୍କୁ ବିଭୋର କରି ଦେଉଛନ୍ତି-। ମାତ୍ର ଏହି ଉପସ୍ଥିତ ତୁମ ଆମ ଭାରତବର୍ଷରେ ପଦେ ପଦେ ସାମନା କରୁଥିବା ଏହି ନାନା ଉପେକ୍ଷା ଏବଂ ଅବଜ୍ଞାର ପ୍ରତିକାର ଲୋଡ଼ି ଯେ ଏକ ସତ୍ୟାଗ୍ରହ କରାଯାଇ ପାରନ୍ତା ଏବଂ ପୀଡ଼ିତ ମନୁଷ୍ୟମାନେ ଯେ ସେମାନଙ୍କ ସହିତ ନାନା ପ୍ରତିବାଦ ତଥା ପ୍ରତିରୋଧ କରିବା ଲାଗି ବାହାରି ବି ଆସି ପାରନ୍ତେ, ସେମାନେ ସେକଥାଟିକୁ କାହିଁକି କହି ପାରୁନାହାନ୍ତି କେଜାଣି ? ସତ୍ୟାଗ୍ରହର କଥା କହିଲେ ଏବର ଏହି ଶ୍ରୋତାମାନେ ନାନା ଅନ୍ୟ ଶଙ୍କାର ବଶବର୍ତ୍ତୀ ହୋଇ ଆଉ ମୋଟେ ସାଙ୍ଗକୁ ଆସନ୍ତେ ନାହିଁ ବୋଲି ସେମାନେ ଅଳ୍ପବହୁତ ଆଶଙ୍କା ହୁଏତ କରୁଥିବେ ।

 

ଏବେ ଶାନ୍ତିସେନାର ଜଣେ ସେକାଳର ପ୍ରଖ୍ୟାତ ମୁଖ୍ୟ ବ୍ୟକ୍ତି ଆମ ରାଜ୍ୟକୁ ‘ଗାନ୍ଧୀକଥା’ ଶୁଣାଇବା ନିମନ୍ତେ ଆସିଥିଲେ । ସେ କାଳର ଶାନ୍ତିସେନା ଆଉ ନାହିଁ । ଗାନ୍ଧିଜୀଙ୍କ ଯୋଜନାର ସେହି ଶାନ୍ତିସେନା ତ ଏକ ସତ୍ୟାଗ୍ରହୀ ସେନା । ଏବେ ମଧ୍ୟ ଶାନ୍ତିସେନା ନିମନ୍ତେ ଶତସହସ୍ର ଆହ୍ୱାନ ରହିଛି । ଏକାବେଳେକେ ଆମ ଗାଆଁଗୁଡ଼ିକ ଠାରୁ ଆରମ୍ଭ କରି ଆମର ଏହି ମଣିମାଣିକ୍ୟ ଦ୍ୱାରା ଉଜ୍ଜ୍ୱଳ ରାଜଧାନୀଟା ପର୍ଯ୍ୟନ୍ତ । କିନ୍ତୁ ଶାନ୍ତିସେନାମାନେ କାହାନ୍ତି ? ସେକାଳର ଅଗ୍ରଣୀ ତଥା ଅଗ୍ରଜମାନେ ଆଉ କ’ଣ ସବୁ ମୁସ୍କିଲରେ ପଡ଼ି ପଛଧାଡ଼ି ଗୁଡ଼ିକୁ ତିଆରି କରିନାହାନ୍ତି-! ସେହି କାରଣରୁ ଯଥାସମ୍ଭବ ଲୋକପ୍ରିୟ ଭାବରେ ଏହି ଗାନ୍ଧୀକଥାର ଅନ୍ୟ ଭିଆଣଟିଏ କରାଯାଇଛି କି ? ବିଗତ ଏହି କେତୋଟି ବର୍ଷ ମଧ୍ୟରେ ନାନା ଧାତୁର ନାନାପ୍ରେମୀ ମନୁଷ୍ୟ ଗାନ୍ଧୀଙ୍କର ସେହି ଅନନ୍ୟ ଜୀବନଟିର ଏକାଧିକ ଆଭାସରୂପ ଦେବାକୁ ଚେଷ୍ଟା କରିଛନ୍ତି । ବହୁ କଳାତ୍ମକ ପରୋକ୍ଷ ଉତ୍ସାହଗୁଡ଼ିକର ପ୍ରୟୋଗ ଦ୍ୱାରା । ଗାନ୍ଧୀପୁରାଣଟିଏ ସେହି କୋଉ କାଳେ ଯାଇ ଓଡ଼ିଶାରେ ଲେଖା ହୋଇଥିଲା । ସେଥିରେ ତଥାପି କିଛି ରଞ୍ଜକ ଅବଶ୍ୟ ଥିଲା । ତା’ ପରେ ପିଲାମାନଙ୍କ ଲାଗି ଗାନ୍ଧୀକାହାଣୀମାନ ଲେଖା ହେଲା । ଗାନ୍ଧୀନାମକ ଏହି ଦୋସରା କିସମର ବ୍ୟକ୍ତିଟିକୁ ଥୋକେ ପାଠକଙ୍କର ଗ୍ରହଣଯୋଗ୍ୟ କରି ଗାନ୍ଧୀ-ମଣିଷ ମଧ୍ୟ ରଚିତ ହେଲା । ତା’ପରେ ଗାନ୍ଧୀଗିରି ନାମକ ସତେଅବା ଗୋଟାଏ ମଳୟପବନ ଆସି କେତେ ଅଭାବନୀୟ ପ୍ରକାରେ ମୋହିତ କରିଦେଲା । ଆମେ ଅନେକେ ଗାନ୍ଧୀକୁ ଗୋଟାସୁଦ୍ଧା ବୁଝି ପାରିଲୁ ବୋଲି ଗୋଟିଏ ପ୍ରତୀତି ଆଣି ଦେଇଥିଲା । ତା’ପରେ ଗାନ୍ଧୀ କଥା ବନ୍ଧୁ ସଙ୍ଖୋଳି ଆସି ପହଞ୍ଚିଗଲା । ସେଥିରେ ସତ୍ୟାଗ୍ରହ କଥା ମଧ୍ୟ ପଡ଼ିଲା; ମାତ୍ର କେବଳ ପଛକୁ ଅନାଇ । ଆମର ଉପସ୍ଥିତ ଭାରତବର୍ଷରେ ଯେ ତାହାର କୌଣସି ଆହ୍ୱାନ ରହିଛି, ସେକଥା ବକ୍ତା କହିଲେ ନାହିଁ କିମ୍ବା ଶ୍ରୋତାମାନେ ମଧ୍ୟ କୌଣସି ପ୍ରଶ୍ନ ଉତ୍‌ଥାପନ କରିନଥିଲେ । ହଁ, ଗାନ୍ଧୀ କ୍ରମେ ଆମର ଅଯୋଗ୍ୟତା ଏବଂ ଅଚେତନାର କାରଣରୁ କେଡ଼େ ସତ୍ୱରତା ସହିତ ଏକ କଥାରେ ହିଁ ପରିଣତ ହୋଇ ଆସିଲେଣି । ଧୁଆ ଅଧୁଆ ସମସ୍ତଙ୍କୁ ବହୁତ ଆନନ୍ଦ ଦେଲେଣି-

 

ଏହିପରି ଗୋଟିଏ ଉଜାଣିରେ ପଡ଼ି ଏଠି ଭାରତବର୍ଷରେ ଗାନ୍ଧୀ-ସତ୍ୟର ଅସଲ ଆହ୍ୱାନଗୁଡ଼ିକ ହାଉଲେ ହାଉଲେ ଅନ୍ତରାଳ ହୋଇ ରହି ଯାଉଛନ୍ତି କି ? ମହାତ୍ମା ଗାନ୍ଧୀ ଏହି ଆମ ଭାରତବର୍ଷରେ ଜନ୍ମଗ୍ରହଣ କରି ଆପଣାର ମହିମାଦ୍ୱାରା ସାରା ପୃଥିବୀରେ ଯେ ବହୁଶ୍ରୂତ ହୋଇପାରିଲେ, ସେହି ଘଟଣାଟିକୁ ପୁଞ୍ଜି କରି ଜଣେ ଜଣେ ଭାରତୀୟ ହିସାବରେ ଆମେ କେତେ କ’ଣ ଛାତି ଫୁଲାଇ କହିବାକୁ ଆରମ୍ଭ କଲୁଣି । ମହାତ୍ମାଙ୍କର ଜନ୍ମ ତାରିଖକୁ ମିଳିତ ଜାତିସଂଘର ସେହି କେଡ଼େ ଉଚ୍ଚ ପିଣ୍ଡାଟାରେ ଏଣିକି ବର୍ଷକୁ ବର୍ଷ ‘ଅହିଂସା ଦିବସ’ ରୂପେ ପାଳିତ ହେବାର ପ୍ରସ୍ତାବ କରାଯାଇ ଥିବାରୁ ଆମେ ତାହାକୁ ସମଗ୍ର ଦେଶଟି ନିମନ୍ତେ ଏକ ସମ୍ମାନବୃଦ୍ଧି ବୋଲି ବି ବିଚାର କାହିଁକି ନକରିଥିବା ! ଏବଂ, କୁଆଡ଼େ ଗଲେ ଗାନ୍ଧୀ ଆମର ଏହି ସାମୂହିକ ନିତ୍ୟଜୀବନରୁ-? ଆମ ସରକାର ମାନଙ୍କରୁ, ଆମ ନେତାମାନଙ୍କର ନେତୃତ୍ୱରୁ, ଏପରିକି ଆମ ସର୍ବୋଦୟର ହିରୋମାନଙ୍କର ନକ୍ସାଗୁଡ଼ିକରୁ ? ଏତେ ଏତେ ଅନ୍ୟାୟ, ଏତେ ଏତେ ଅଭିନୟ ଏବଂ ଏତେ ଏତେ ଉପେକ୍ଷା,–ସମସ୍ତେ ସତେଅବା କେଉଁ ମାଲ୍ୟାଣୀଟାର ଫୁଲ ସୁଙ୍ଘି ମେଣ୍ଢା ହୋଇ ରହିଥିବା ପରି ଅନାଇ ରହିଛନ୍ତି । ସତ୍ୟାଗ୍ରହ ହିଁ ପ୍ରତିବାଦ କରନ୍ତା । ସର୍ବୋଦୟ ପ୍ରତିବାଦ କରନ୍ତା । ଏବଂ, ଯେଉଁମାନେ ସତ୍ୟାଗ୍ରହର ଡାକରା ଦେଇ ଏହି ଦେଶବ୍ୟାପୀ ଜଡ଼ତାର ନିଦ୍ରାଭଙ୍ଗ କରନ୍ତେ, ସେମାନେ ତ ‘କଥା’ ଶୁଣାଇ ଆମ ସଭାଘର ମାନଙ୍କରେ ସଖୀନାଚ କରିବାରେ ବ୍ୟସ୍ତ ହୋଇ ରହିଛନ୍ତି ! ଯେଉଁ ନିଷ୍ଠାପରମାନେ ମହାତ୍ମା ଗାନ୍ଧୀ ପୁଣି କେବେ ଏହି ଦେଶରେ ଜନ୍ମଗ୍ରହଣ କରିବେ ଏବଂ ତେବେଯାଇ ଏଠାରେ ରାତି ପାହିବ ବୋଲି ଆମ ଆଗରେ ଆସି କହୁଛନ୍ତି, ସେମାନେ ନିଜନିଜର ଛାତିଗୁଡ଼ାକ ତଳେ ଗାନ୍ଧୀଙ୍କର ସେହି ସହଜ ଆହ୍ୱାନମାନଙ୍କୁ କାହିଁକି ଅନୁଭବ କରି ପାରୁନାହାନ୍ତି ? ସର୍ବୋଦୟ ହେଉଛି କାର୍ଯ୍ୟତଃ ଏକ ଅଧ୍ୟାତ୍ମ,–ଯେଉଁଟିରେ ରାଜନୀତି ରହିଛି, ଅର୍ଥନୀତି ରହିଛି, ଏକ ବିକଳ୍ପ ସମାଜ ଅର୍ଥାତ୍ ସଂପୃକ୍ତିର ଆବେଦନ ମଧ୍ୟ ରହିଛି-। ତାହାର ସବାମୂଳ ଚେରଗୁଡ଼ିକ ଆମ ପ୍ରତ୍ୟେକଙ୍କର ସଂକଳ୍ପ ଗୁଡ଼ିକରେ, ଆମ ଗାଆଁରେ, ଆମର ସାନ ଓ ବଡ଼ ସର୍ବବିଧ ମେଳରେ । ଆମ ଭିତରର ସେହି ବୀରଟି ଭିତରେ, ଆମ ପାରସ୍ପରିକତା ଗୁଡ଼ିକର ସଦାନୁଭବଟିରେ । ସତକୁ ସତ ଭବିଷ୍ୟ ଉପରେ ଏକ ଅପ୍ରତିରୋଧ୍ୟ ବିଶ୍ୱାସରେ । ସେହି ପାରସ୍ପରିକତା ଗୁଡ଼ିକ ନାନା ଧୃଷ୍ଟତା ହେତୁ ଦୁର୍ବଳ ହୋଇ ଆସିଲେ ସିନା ଏକାଧିକ ପ୍ରକାରର ଜଡ଼ତାମାନେ ଆସି ଆମକୁ ଅକ୍ତିଆର କରିନିଅନ୍ତି, ଏବଂ ଆଉ ମେଳ ବୋଲି ଧର୍ମତଃ ସତେଅବା କିଛି ରହେନାହିଁ । ତ୍ୟାଗମାନେ ଅଲୋଡ଼ା ହୋଇ ପଡ଼ି ରହିଥାନ୍ତି । ଉପର ଥାକରେ ନେତାଏ ଥାଆନ୍ତି ଓ ତଳକୁ ତଳ ହୋଇ କର୍ମୀମାନେ । ଅଥବା, ନିଜ ନିଜ ଆକ୍ରାନ୍ତଟି ଭିତରେ ପ୍ରତ୍ୟେକେ ନେତା, କେହି କର୍ମୀ ନୁହନ୍ତି । ସତ୍ୟ ନାମରେ ଧ୍ୱଜା ଉଡ଼ୁଥାଏ, ଅହିଂସା ନାମରେ ଧ୍ୱଜା ଉଡ଼ୁଥାଏ ଏବଂ ସତ୍ୟାଗ୍ରହ ପାଖରେ ସମସ୍ତେ ଚାହାଳୀଚୋର ହୋଇ ରହିଥାନ୍ତି ।

 

ଶାସ୍ତ୍ରର ସତ୍ୟବାକ୍ୟ ଗୁଡ଼ିକୁ ଅଯଥେଷ୍ଟ ବୋଲି ହୃଦୟଙ୍ଗମ କରି ସମାଜର ଆଗୁଆମାନେ ଏହି ବାସ୍ତବ ଜୀବନଭୂମିରେ ଗୋଟିଏ ଗୋଟିଏ ସତ୍ୟ ଅନୁସାରେ କିଛି ସତକୁ ସତ ସମ୍ଭବ କରିବାର ପ୍ରୟାସଗୁଡ଼ିକୁ ଯହୁଁ ଯହୁଁ ଆରମ୍ଭ କଲେ, ସେହି ସମୟରୁ ହିଁ ସାଧ୍ୟ ଏବଂ ସାଧନ ନାମକ ସେହି ଦୁଇଟିକୁ ଆଧାର କରି ଆଲୋଚନା ଗୁଡ଼ିକର ସୂତ୍ରପାତ ହେଲା । ଗୋଟିଏ ପକ୍ଷରେ ସାଧ୍ୟ, ଅର୍ଥାତ୍ ଯେଉଁ ସତ୍ୟଟିକୁ ଆମେ ଏକ ବାସ୍ତବ ଅବୟବ ଦେବାକୁ ଇଚ୍ଛା କରୁଛୁ ଏବଂ ସାଧନ, ଅର୍ଥାତ୍ ଉକ୍ତ ବାସ୍ତବ ରୂପାୟନ ସକାଶେ ଆମେ ଯେଉଁ ପଥଟିକୁ ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଇଛୁ । ଗୋଟିଏ ସତ୍ୟଲାଗି ଆସ୍ପୃହା ଏବଂ ଏକ ନିର୍ଦ୍ଦିଷ୍ଟ ପଥରେ କ୍ରିୟାଶୀଳ ହୋଇ ତାହାର ବାସ୍ତବାୟନ । ଭିନ୍ନ ଭିନ୍ନ ସାଧ୍ୟ ଏବଂ ଭିନ୍ନ ଭିନ୍ନ ସାଧନା । ଭିନ୍ନ ଭିନ୍ନ ସତ୍ୟ ଏବଂ ଭିନ୍ନ ଭିନ୍ନ ମାର୍ଗ-। ଯେଉଁମାନେ ତେଣୁ ସତେଅବା ଆଉ କ’ଣ ସବୁ ଭାବି ପ୍ରାୟ ଆଗତୁରା ଭାବରେ ସାଧନ ବା ମାର୍ଗଟିକୁ ପବିତ୍ର ବୋଲି କହନ୍ତି, ସେମାନେ ନିଜ ଭିତରେ ନିଶ୍ଚୟ କ’ଣ ସବୁ କାରଣରୁ ବଙ୍କା ହୋଇ ପଡ଼ୁଥିବେ କିମ୍ବା ମୋଟେ କୌଣସି ବାସ୍ତବାୟନ ଲାଗି ଇଚ୍ଛୁକ ନଥିବେ ବୋଲି ସେପରି କରିଥାଆନ୍ତି କି ? ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଯଦି ମୋ’ର ଲକ୍ଷ୍ୟରୂପୀ ସତ୍ୟଟିକୁ ମୁଁ ସର୍ବୋଚ୍ଚ ତଥା ଏକମାତ୍ର ଆଦର୍ଶ ବୋଲି ବିଚାରୁଥିବି ଏବଂ ତେଣୁ ସେଥିଲାଗି ପୂର୍ଣ୍ଣ ଉତ୍ସାହ ସହିତ ଯେକୌଣସି ସାଧନକୁ ମାର୍ଗରୂପେ ଗ୍ରହଣ କରିନେବି, ତେବେ ତାହା ମୋତେ ବହୁତ ପ୍ରମାଦରେ ପକାଇବ ଓ ପୂରା ପୃଥିବୀଟିକୁ ମଧ୍ୟ ଏକାଧିକ ପ୍ରମାଦ ମଧ୍ୟକୁ ଟାଣି ନେଇଯିବ । ତେଣୁ, ଇଂରାଜୀରେ ଥିବା ସେହି ପରିଚିତ ଉକ୍ତିଟି ଅନୁସାରେ : An end does not justify the means; ସତ୍ୟଟି ଅନୁସାରେ ହିଁ means-, ଲକ୍ଷ୍ୟଟି ମୁତାବକ ମାର୍ଗଟି । ଏଥିରେ ଆମେ ହୃଷ୍ଟ ହୋଇ ପଡ଼ି ଯେତେବେଳେ ଉଚିତ ସାଧନଟିଏ ସମ୍ଭବ ନହେବାଯାଏ ଲକ୍ଷ୍ୟଟି, ସତ୍ୟଟି ବିଷୟରେ ଗୋଟାସୁଦ୍ଧା ନିଷ୍କ୍ରିୟ ହୋଇ ବସିଯିବା ଓ ଘାଟିଟିକୁ ଏଡ଼ିଦେଇ ହେଲା ବୋଲି କିଞ୍ଚିତ୍ ଆଶ୍ୱସ୍ତ ଅନୁଭବ କରୁଥିବା, ତେବେ ସ୍ୱୟଂ ସତ୍ୟଟି ହିଁ ହୁଏତ ଭାରି ତାଜୁବ ହୋଇଯିବ । ସତ୍ୟ ହେଉଛି ଲକ୍ଷ୍ୟ,–ଅହିଂସା ହେଉଛି ମାର୍ଗ । ସମାଜରେ ସବୁ ମଣିଷଙ୍କର ଉଦୟ ହେଉଛି ଲକ୍ଷ୍ୟ, ଏବଂ ସେଥିଲାଗି ଅହିଂସା ହେଉଛି ଆମର ବିବେକ–ସମର୍ଥିତ ମାର୍ଗ । ତେଣୁ ଅସତ୍ୟ ଏବଂ ଅନ୍ୟାୟର ପ୍ରତିବାଦ ଏବଂ ପ୍ରତିରୋଧ ଅବଶ୍ୟ କରାଯିବ,–ଅହିଂସ ମାର୍ଗରେ ପ୍ରତିବାଦ ଏବଂ ଅସହଯୋଗ କରାଯିବ । ନାନା ଅନ୍ୟ ବକ୍ରତାର ସୈଦ୍ଧାନ୍ତିକତା ଦେଖାଇ ଆମେ ନୀରବ ହୋଇ ରହିଗଲେ ସେହି ଲକ୍ଷ୍ୟଟି ହିଁ ଅବହେଳିତ ହୋଇ ରହିଯିବ ।

 

ଆଘାତ ପହଞ୍ଚାଇବ ନାହିଁ, ନିଜେ ସବୁ ଆଘାତ ସହ୍ୟ କରିବ,–ହିଂସାର ବଦଳରେ ଏଇଟି ହେଉଛି ଅହିଂସା-ମାର୍ଗର ପ୍ରତିବାଦ । ଅର୍ଥାତ୍ ସତ୍ୟାଗ୍ରହ । ଏବେ ସତ୍ୟ ଓ ଅହିଂସାର ବୟାନ୍ କରି କିଏ ଇଂରାଜୀରେ ବହିସବୁ ଲେଖୁଛି ଏବଂ ଆଉ କିଏ ଘୋଡ଼ାନାଟ କରି ବାହାରୁଛି । କିନ୍ତୁ ସେମାନଙ୍କର ସେହି ଅଷ୍ଟାଦଶ ପୁରାଣର ସର୍ବବିଧ ପ୍ରଜ୍ଞାପନ ଭିତରେ କେହି ସତ୍ୟାଗ୍ରହ କଥା କହୁନାହାନ୍ତି । ମହାତ୍ମାଜୀ ଆଗରୁ କରିଥିବା ସତ୍ୟାଗ୍ରହ ଗୁଡ଼ିକୁ ବଖାଣି ରୋମାଞ୍ଚମାନ ସୃଷ୍ଟି କରାଯାଉଛି ସିନା, ଇହାଦେ ଏହି ମୁହୂର୍ତ୍ତ ମାନଙ୍କରେ ଯେ କାଳର ଆତ୍ମାଟା ଯେଉଁ ସତ୍ୟାଗ୍ରହ ଲାଗି ଅପେକ୍ଷା କରି ରହିଛି, ସେଇଟି ବିଷୟରେ ଆମ ପ୍ରବରମାନେ ଆଦୌ କିଛି କହୁନାହାନ୍ତି । ଏହି କଥାଟି ଆକସ୍ମିକ ବୋଲି ଯଦି କେହି କହେ, ତେବେ ସିଏ ସମ୍ଭବତଃ ଆପେ ହିଁ ଧରା ପଡ଼ି ଯାଆନ୍ତା-। ବିଗତ ତିନିକୋଡ଼ି ବର୍ଷ ହେଲା ଆମ ଦେଶରେ ତେବେ ସେହି ଆକସ୍ମିକଟା ହିଁ ସତେଅବା କୌଣସି ହେତୁ ନଥାଇ ଘଟି ଆସିଛି । ଗାନ୍ଧୀଙ୍କର ଦେଶରେ ଯାହା ମୋଟେ ଘଟିବା ଉଚିତ ନୁହେଁ ଏବଂ ଗାନ୍ଧିଜୀ ସ୍ୱାଧୀନ ଭାରତରେ ବଞ୍ଚି ରହିଥିଲେ ଯାହା କଦାପି କରାଇ ଦେଇ ନଥାନ୍ତେ, ତାହାହିଁ ଘଟିଛି । ଅନ୍ତତଃ ତାଙ୍କର ଅନୁଗାମୀବର୍ଗଙ୍କର ମାହଲଟା ଭିତରେ ଦେଶରେ ଘଟୁଥିବା ଅଘଟଣା ଅର୍ଥାତ୍ ବର୍ବରତା ଗୁଡ଼ିକ ବିଷୟରେ ଖୋଲାମନ ଆଲୋଚନା କରା ଯାଇଥାଆନ୍ତା । କେବଳ ଏଠି ହତ୍ୟା ଅଥବା ସେଠି ହିଂସା ବିଷୟରେ ନୁହେଁ, ଦେଶରେ ଏତେସବୁ ବିଜ୍ଞାନସମ୍ପଦ ତଥା ପ୍ରାକୃତିକ ଭିତ୍ତିଭୂମି ମହଜୁଦ ରହିଥିଲେ ମଧ୍ୟ ଏବଂ ସରକାରମାନଙ୍କର ତହବିଲରୁ ଅଜସ୍ର କୋଟି କୋଟି ଖରଚ ହେଉଥିଲେ ମଧ୍ୟ ତଥାପି କାହିଁକି ପ୍ରାୟ ଏକ କପାଳଲିଖନ ପରି ବନ୍ୟା, ବାତ୍ୟା, ମରୁଡ଼ିମାନେ ଲାଗି ରହିଛନ୍ତି, ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ଲାଗି ରହିଛି, ସର୍ବୋଦୟ ଘରର ସତ୍ୟ ଏବଂ ଅହିଂସାର ଦାୟାଦମାନେ ସେହି ଅଡ଼ୁଆଟାକୁ ନେଇ ଆଲୋଚନା କରି ପାରନ୍ତେ ଏବଂ, ପୁନଶ୍ଚ, ଏତେ ଏତେ ଦୁର୍ଗତିକୁ ଦୁର୍ଗତ ଏତେ ଏତେ ସଂଖ୍ୟାର ଜୀଅନ୍ତା ମନୁଷ୍ୟ କ’ଣ ସବୁ କାରଣରୁ ତଥାପି ସହି ଯାଉଛନ୍ତି, ସେକଥାଟିର ମଧ୍ୟ ପ୍ରକୃତ ତଥ୍ୟଗୁଡ଼ିକୁ ସମ୍ମୁଖରେ ଧରି ଆଲୋଚନା କରା ଯାଉଥାନ୍ତା ଏବଂ, ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ପରିସ୍ଥିତି ଗୁଡ଼ିକ ସମ୍ବନ୍ଧରେ ସର୍ବୋଦୟ ପକ୍ଷଟିର ବିଚାରମାନ ଏହିପରି ବୋଲି ନିଷ୍କର୍ଷଗୁଡ଼ିକ ଦୁର୍ଗତମାନଙ୍କ ପାଖରେ ଯାଇ ପହଞ୍ଚି ପାରୁଥାନ୍ତା । ଏପରି ଏକ ଦୁର୍ବିପାକ ସମୟରେ ମହାତ୍ମାଗାନ୍ଧୀ ମହଜୁଦ ରହିଥିଲେ କ’ଣ ସବୁ ଅବଶ୍ୟ କରିଥାନ୍ତେ, ସେହି କଥାଟିକୁ ଘରଟି ଦରଫରୁ ସେହି ସଦାଛଟପଟ ଦୁଃଖୀମାନଙ୍କର ଗୋଚରକୁ ଆଣିବାର ଯେଉଁ ଅନ୍ୟ କଥାଟି, ଘରର ମୁରବୀମାନେ କିଞ୍ଚିତ୍‌ ସାହସ ସଞ୍ଚୟ କରି ତାହା ସତକୁ ସତ କହି ପାରନ୍ତେ ଟି !

 

ଚାଲ, ଟିକିଏ ଚିନ୍ତା କରି କହିବା ତ, ଖାଲି ହତିଆରଟାଏ ଧରି ହାଣି ବାହାରିଲେ କ’ଣ ହିଂସା ହୋଇଯାଏ ? ହତିଆରମାନ ହାତରେ ଧରି ବିଚରା ଲୁଚି ଲୁଚି ଯେଉଁମାନେ ଆମ ସମାଜର ଖାସ୍ ଏଠି ବା ସେଠି ମାନଙ୍କରେ ହିଂସାକାଣ୍ଡ ଗୁଡ଼ାକୁ ଭିଆଉଛନ୍ତି, ମୋଟେ ମଣିଷ ନହାଣି ତଥାପି ଏଡ଼େ ସୁନିରୂପିତ ଭାବରେ ଦେଶଟାକୁ ହାତମୁଠା ଭିତରେ ଜବତ କରି ରଖି କୋଟି କୋଟି ମଣିଷଙ୍କର ଜୀବନ ଗୁଡ଼ିକୁ ବରବାଦ କରିବାରେ ସତେଅବା ଭାବିଚିନ୍ତି ବର୍ବରତା ଆଚରଣ କରିବାକୁ ଆପଣାର ଏକ ଧନ୍ଦାପ୍ରାୟ ଧରିଛନ୍ତି, ସେମାନେ ହିଂସାଆଚରଣର ସର୍ବବିଧ ଖାତାରେ ସେହି ଅନ୍ୟ ହିଂସାଚାରୀ ମାନଙ୍କର ତୁଳନାରେ କେତେ ନା କେତେ ଉପରେ ଯାଇ ସବୁବେଳେ ରହିବେ ! ଦେଶର ଅଧେ ସମ୍ପତ୍ତି ଏଠାରେ ଯେ କେତେ ଅସୁନ୍ଦର ଫିସାଦରେ ବସ୍ତୁତଃ ଶତକଡ଼ା ପାଞ୍ଚ ବା ସାତଭାଗ ମଣିଷଙ୍କର ଆୟତ୍ତରେ ରହିଛି, ସେଇଟା ହିଂସା ନା ଅହିଂସା ? ଦେଶରେ ଉପଲବ୍ଧ ହେଉଥିବା ଯାବତୀୟ ସୁଯୋଗ,-ଶିକ୍ଷାରେ, ସ୍ୱାସ୍ଥ୍ୟବ୍ୟବସ୍ଥାରେ, କର୍ମଯୋଗାଣରେ ଏବଂ ଏପରିକି ଏହି ଦେଶର ଏହି ଗଣତନ୍ତ୍ରର ଗଣିତଟାରେ ଯେଉଁମାନଙ୍କର କପାଳକୁ ଶିକାଗୁଡ଼ାକ ସତେଅବା କେଉଁ ବିଧାତାଙ୍କର ଦୟାରୁ ଆଗ ଛିଣ୍ଡୁଛି, ସେହି ପୂରା ଚଳଣିଟା ପ୍ରକୃତରେ ହିଂସା ନା ଅହିଂସା ? ଦେଶର ଶହେରେ ନବେ ମଣିଷ ଯେଉଁ ଭାଷାରେ କାରବାର ହୋଇ ଆସିଛନ୍ତି, ତାହାକୁ ମଫସଲର ପୋଇଲୀ କରି ରଖି ଯେ ଆଉଗୋଟାକରେ ଶାସନ ଚାଲିଛି, ତାହା ହିଂସା ନା ଅହିଂସା-? ତେଣେ ଗଣତନ୍ତ୍ରର ହରିବୋଲିଆ ରଥଟାଏ ଆମ ଶିଷ୍ଟମାନଙ୍କର ଏହି ରାଜଦଣ୍ଡ ମାନଙ୍କରେ ଘିଡ଼ି ଘିଡ଼ି ହୋଇ ଚାଲୁଥିବା ବେଳେ ଯେ ଦେଶଟାକୁ ଜାତିଭେଦର ବହୁ ବ୍ୟବଧାନ ପୂରା ଅକଳ କରି ରଖିଛି ଏବଂ ତେଣୁ ଅଧିକପାରୁଆ ବୃହନ୍ନଳାମାନେ ତାହାର ପରିପୂର୍ଣ୍ଣ ସୁଯୋଗ ନେଇ ଯାଉଛନ୍ତି, ତାହା ହିଂସା ନା ଅହିଂସା ? ପୁନଶ୍ଚ, କେତେ ଲକ୍ଷ ଉଚ୍ଚପାଠୁଆମାନେ ଗୋଟାଏ ହାକିମତନ୍ତ୍ରକୁ ଜାରି କରି ରଖି କେତେ କେତେ ଅଶିଷ୍ଟ ସ୍ୱାଭାବିକତାରେ ଦେଶଟାକୁ ଅର୍ଥାତ୍ ଦେଶର ଜନଗଣଙ୍କୁ ଯେ ଭୋଗ କରିବାରେ ଲାଗିଛନ୍ତି, ତାହାକୁ ଆମେ ହିଂସା ନା ଅହିଂସା କ’ଣ ବୋଲି କହିବା ?

 

ଧୈର୍ଯ୍ୟ ରଖି ଆହୁରି ମର୍ମ ଭିତରକୁ ଯାଇ ହାତ ବୁଲାଇ ଆଣିବାକୁ ଚେଷ୍ଟା କଲେ, ଭାରତବର୍ଷରେ ଏତେ ଏତେ କମିଟି ଓ କମିଶନ ବସି ଆମର ଶିକ୍ଷାବ୍ୟବସ୍ଥାମାନ କେଉଁଭଳି ହେବ, ସେହି ବିଷୟରେ ମହାର୍ଘ ଛପା ରିପୋର୍ଟମାନ ଦେଇଥିଲେ ମଧ୍ୟ ଏବେ ମଧ୍ୟ ଶହେରେ ଚାଳିଶି ପିଲାଙ୍କ ପାଇଁ ଯେ ସାମାନ୍ୟତମ ଶିକ୍ଷା ଉପଲବ୍ଧ ହୋଇ ପାରିନାହିଁ, ତାହା ହିଂସା ନା ଅହିଂସା ? ଶହେରେ ପାଞ୍ଚଜଣ ଥିଲାଘର ପିଲାଙ୍କୁ ଗୋଟାଏ ଗୋଟାଏ ସାହାବ ବନାଇ ରଖିବାରେ ହୀନବୁଦ୍ଧିରେ ରଜାଘର ପରି ଏଠି ନାନା ଶିକ୍ଷା–ଅୟସକୁ ଆଣି ଖଞ୍ଜି ଦିଆଯାଉଛି । ଏବଂ, ଗାଆଁମାନଙ୍କରେ ଇସ୍କୁଲ ପାଇଁ ମାଷ୍ଟର ନାହାନ୍ତି, ଏକଥା ହିଂସା ନା ଅହିଂସା ? ବର୍ତ୍ତମାନର ଯାବତୀୟ ବଡ଼ଲୋକୀ ଉପେକ୍ଷା ବିଷୟରେ ବଞ୍ଚିତ ମାନଙ୍କୁ ଅନବଗତ କରି ରଖି ତେଣେ ଉଚ୍ଚ ଚଉକୀମାନଙ୍କ ଉପରେ ବସିଥିବା ସାଆନ୍ତମାନେ ଆମ ଦେଶ ସେହି ଏତେହଜାର ବର୍ଷ ତଳେ ଏପରି ଏପରି କେତେ କ’ଣ ଥିଲା ଏବଂ ତେଣୁ ବର୍ତ୍ତମାନର ଲଜ୍ଜାକର ତଥା ଅକିଞ୍ଚନ ସ୍ଥିତିରେ ରହିଥିଲେ ମଧ୍ୟ ଆମେ ତଥାପି ସେହି ଅତୀତ ପାଇଁ ଗର୍ବ ଅନୁଭବ କରିବା ବୋଲି ଯାହା ଫୁସୁଲେଇବାରେ ଲାଗିଛନ୍ତି, ତାହା ହିଂସା ନା ଅହିଂସା ? ଏହିପରି କାହାଣ କାହାଣ ଉଦାହରଣ ଖୁବ୍ ଦିଆଯାଇ ପାରିବ । ଯାହାକିଛି କେତେଜଣ କିମ୍ବା ଜଣେ ନେତା ସ୍ଥିର କରିବ, କର୍ମୀମାନେ ସେଗୁଡ଼ିକର ପାଳନ କରିବେ, ମୋଟ୍ ପାଟି ଫିଟାଇବେ ନାହିଁ, ରାଜନୀତି ଠାରୁ ଆରମ୍ଭ କରି ସର୍ବୋଦୟର ଏହି ନୀତିବାଦୀ ଅପରମ୍ପରାଟି ଯାଏ ଏହି ଯେଉଁ ଅପରାଧ ଗୁଡ଼ାକ, ତାହା ହିଂସା ନା ଅହିଂସା ? ଆଲୋଚନା ନାସ୍ତି, ବିଚାର-ବିନିମୟ ନିମନ୍ତେ ଉପରଟାର ମୋଟେ ବେଳ ନାହିଁ, କେହି କିଛି ମେଳ ନଖାଉଥିବା ପରି କିଛି ତୁଣ୍ଡ ଖୋଲି କହିଲେ ସିଏ ବଗମାନଙ୍କର ଅର୍ଥାତ୍ ବାଧ୍ୟମାନଙ୍କର ମେଳରେ ଗୋଟାଏ କାଉ ପରି ଖୁମ୍ପା ହିଁ ଖାଇବ,–କେବଳ ନିଜର ମତଟିକୁ ଠିକ୍ ମତ ବୋଲି ମାନି ନେଇଥିଲେ ଜଣେ ନେତା ତାହାକୁ ମୋଟେ ହିଂସା ବୋଲି ମାନିବ ନାହିଁ ।

 

ସନ୍ଥ ବିନୋବା ସନ୍ଥ ଥିଲେ, ମହାପଣ୍ଡିତ ତଥା ଶାସ୍ତ୍ରଜ୍ଞ ମଧ୍ୟ ଥିଲେ ଏବଂ ଯେହେତୁ ସେ ଏହି ଭୂମିସଂଗ୍ରହର ବାରତାଟିକୁ ଆଣି ଦେଶରେ ଏକ ଜାଗରଣ ଆଣି ବାହାରିଛନ୍ତି, ତେଣୁ ଆଉ ଭାବିବା ଲାଗି, ବୁଝିବା ଲାଗି କୌଣସି ପ୍ରୟୋଜନ ରହିବା ଉଚିତ ନୁହେଁ । ବିନୋବାଜୀ ସର୍ବୋଚ୍ଚ ସ୍ତରରେ ଏବଂ ତେଣୁ ଆମେ ତୁମ ଶିବିରର ଗୁରୁଜନମାନେ ଏଠି ରାଜ୍ୟ ସ୍ତରରେ । ଆମେ ତେଣୁ ନିର୍ଦ୍ଦେଶମାନଙ୍କୁ ରାଜ୍ୟକୁ ବହନ କରି ଆଣିବୁ ଏବଂ ତୁମେମାନେ ମାନିବ । ମୁଖ୍ୟତଃ ଏହିପରି ଏକ ଅତ୍ୟନ୍ତ ଅଶ୍ୱସ୍ତିକର ଆନୁଗତ୍ୟ ଓ ଆଜ୍ଞାପାଳନର ଖାସ୍ ଅସୁନ୍ଦରତାରେ ଏହି ଭୂମିଆନ୍ଦୋଳନର ମାହଲମାନ ଚାଲୁଥିଲା କି ? ଯେତେ ଉଚ୍ଚସ୍ତରୀୟ କମିଟି, ସବୁଗୁଡ଼ିକରେ ସେଇ କେତୋଟି ମଥା ହିଁ ଏକାଠି ହେଉଥିଲେ । କମିଟିମାନଙ୍କର ବୈଠକରେ ମଧ୍ୟ ଜଣେ ବା ଦେଢ଼ଜଣ ସବୁ କଥା କହୁଥିଲେ । ସେମାନେ ତେଣୁ ଆସିଥିବା ବରାଦଗୁଡ଼ାକୁ ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ସତେଅବା ଫତୁଆଟାଏ ଶୁଣାଇ ଦେଉଥିଲେ ଓ ସେହି ଅନୁସାରେ ଏକ କୋଟାର ପୂରଣ ହେବ ବୋଲି କର୍ମୀମାନଙ୍କୁ ଲାଗି ପଡ଼ିବା ସକାଶେ ନିବେଦନ କରୁଥିଲେ । ଏହି ରୀତି ହିଁ ସକଳ ଦିଗରୁ ଏକମାତ୍ର ରୀତି ବୋଲି ଗୃହୀତ ହୋଇ ରହିଥିଲା,–ସବା ଉପରୁ ସବାତଳ ଯାଏ । ସର୍ବୋଦୟର ବିଚାର ହେଉଛି ଆମ ସାମୂହିକ ଜୀବନର ଏକ ପୂର୍ଣ୍ଣାଙ୍ଗ ଚିତ୍ରକୁ ନକ୍ସାରୂପେ ଥାପନା କରି ଏକ ତଦନୁରୂପ କାର୍ଯ୍ୟକ୍ରମର ଜନନୀ ସ୍ୱରୂପ । ଏଥିରେ ଏକ ଅର୍ଥନୀତି ରହିଛି, ରାଜନୀତି ରହିଛି, ସମାଜବିବେକ ରହିଛି ଓ ସର୍ବୋପରି ଏକ ବହୁପ୍ରଶସ୍ତ ଜୀବନଦର୍ଶନ ମଧ୍ୟ ରହିଛି । ପୂରାପଣେ ଗୋଟିଏ ଗୋଷ୍ଠୀର ସ୍ୱପ୍ନ, ଗୋଷ୍ଠୀର ଦାୟୀତ୍ୱ ଓ ଗୋଷ୍ଠୀଗତ ପାରସ୍ପରିକତା । ଯେକୌଣସି ଗୋଷ୍ଠୀ ପରି ଏହି ଗୋଷ୍ଠୀଟିରେ ମଧ୍ୟ ଅଧିକ ବୁଝୁଥିବା ଏବଂ ଅଧିକ ଦେଖିପାରୁଥିବା କେତେକ ବ୍ୟକ୍ତି ସର୍ବଦା ହିଁ ରହିଥିବେ । କିନ୍ତୁ, ଯେଉଁମାନେ ପ୍ରକୃତରେ ଅଧିକ ଦେଖି ପାରୁଥିବେ, ସେମାନେ ନ୍ୟାୟତଃ ଅଧିକ ଧୈର୍ଯ୍ୟଶୀଳ ହେବେ ଅର୍ଥାତ୍ ଗୋଷ୍ଠୀରେ ରହିଥିବା ଅନ୍ୟମାନଙ୍କ ଉପରେ ବିଶ୍ୱାସ ରଖିଥିବେ । ସେମାନେ ସେହି ଅନ୍ୟ ଅବଶିଷ୍ଟଙ୍କୁ ତିଆରି ବି କରି ନେଉଥିବେ । ଏହାହିଁ ଆଚାର ଏବଂ ଏହାହିଁ ଶୃଙ୍ଖଳା । ସର୍ବୋଦୟର ଲକ୍ଷ୍ୟଟି ପରି ଏହାହିଁ ସର୍ବୋଦୟର ସୁସ୍ଥ ବିଧିଟି । ପୁନଶ୍ଚ, ଗୋଟିଏ ସୁସ୍ଥ ମେଳେରେ ସମସ୍ତେ କାହିଁକି ମଥାର କ୍ଷେତ୍ରରେ ହିଁ ତଥାକଥିତ ପ୍ରବୀଣତା ଗୁଡ଼ିକର ଅଧିକାରୀ ହୋଇଥିବେ । ଆହୁରି କେତେକ ଅନ୍ୟ କ୍ଷେତ୍ର ଅବଶ୍ୟ ଥିବ, ଯେଉଁଠି ଅନ୍ୟମାନେ ଅଧିକ ଯୋଗ୍ୟ ହୋଇଥିବେ ଏବଂ ଖାସ୍ ମଥାମାନ ସେହି କଥାଟିକୁ ଅବଶ୍ୟ ସ୍ୱୀକାର କରିବେ ଓ ସ୍ୱୀକୃତି ଦେବେ । ନହେଲେ, ଉପରକୁ ସମସ୍ତେ ଅହିଂସ ଓ ଉଦାର ଦେଖା ଯାଉଥିଲେ ମଧ୍ୟ ସମ୍ବନ୍ଧ ଗୁଡ଼ିକର କ୍ଷେତ୍ରରେ ଏକ ଅରାଜକତା ହିଁ ସନ୍ତାପ ଦେବ ହିଁ ଦେବ ।

 

ଏହି ପ୍ରସଙ୍ଗରେ ବିନୋବାଜୀ ବହୁତ ସମୟରେ ‘ସର୍ବେଷାଂ ଅବିରୋଧେନ’ ବୋଲି ଗୋଟିଏ କଥା କହୁଥିଲେ । ଅର୍ଥାତ୍, ଗୋଷ୍ଠୀରେ ଯେତେବେଳେ ଯାହା କିଛି ନିଷ୍ପତ୍ତି ହେବ, ସେହି ଗୋଷ୍ଠୀରେ ଥିବା ସଦସ୍ୟମାନେ ତାହାର ବିରୋଧ କରୁନଥିବେ । ତାହାର ଅର୍ଥ ଆଦୌ ଏହିପରି ନୁହେଁ ଯେ ତଥାକଥିତ ଗୋଷ୍ଠୀରେ ଖାସ୍ ଜଣେ ହୋଇ କିଏ ଥିବେ, ସତେଅବା ଏକ ପରିବାରର patriarch ହୋଇ ରହିଥିବେ ଏବଂ ସିଏ ଯାହା ଯାହା କହିବେ, ତାହାକୁ ଅନ୍ୟମାନେ ପାଳନ ହିଁ କରିବେ । ଓଡ଼ିଶା ସର୍ବୋଦୟୀ ଗୋଷ୍ଠୀରେ ଯେଉଁ କେତେଜଣ ସବାଉପରେ ଥିଲେ, କାର୍ଯ୍ୟତଃ ସେମାନେ ମଧ୍ୟ ବିଶେଷ କିଛି ଚିନ୍ତା କରୁନଥିଲେ । ଉପରୁ ସନ୍ଥଙ୍କ ମୁହଁରୁ ଯେତେବେଳେ ଯାହା କିଛି ନିର୍ଦ୍ଦେଶନାମା ଆସୁଥିଲା, ତାହାହିଁ କର୍ମୀମାନଙ୍କୁ ଶୁଣାଇ ଦିଆ ଯାଉଥିଲା । ତୁଚ୍ଛା କାର୍ଯ୍ୟକ୍ରମଗୁଡ଼ିଏ, ଭଳି ଭଳି ନାମରେ । ପ୍ରାୟ ସବୁବେଳେ ନୂଆ ନୂଆ ନାମକରଣରେ । ଭାରି ନୂଆ ନୂଆ ଲାଗୁଥିଲା ଏବଂ ସମ୍ଭବତଃ ସେଇଥିରୁ ହିଁ ଆମର ଏହି ପବିତ୍ର ଆନ୍ଦୋଳନରେ ଆଗକୁ ଆଗକୁ ଅବଶ୍ୟ କିଛି ଘଟୁଛି ବୋଲି ପ୍ରତୀତିଟିଏ ସମ୍ଭବ କରୁଥିଲା । ସେହି ଧାରାରେ ଗ୍ରାମଦାନ ସହିତ ସୁଲଭ-ଗ୍ରାମଦାନ ଏବଂ ଆଉ ଆଉ ଶାଖାପ୍ରଶାଖା ଆଡ଼କୁ ଉଦ୍‌ବୋଧନ ଦେଇ ସମ୍ପତ୍ତିଦାନ, ସମୟଦାନ ତଥା ଜୀବନଦାନର ଦାଣ୍ଡି ଦେଇ ନିଧିମୁକ୍ତି, ସଂସ୍ଥାମୁକ୍ତି, ଶାନ୍ତିସେନା ଏବଂ ସର୍ବୋଦୟ-ପାତ୍ର ପର୍ଯ୍ୟନ୍ତ । ପ୍ରତ୍ୟେକଟିକୁ ନେଇ ଏକ ସର୍ବଭାରତୀୟ କମିଟି ଏବଂ ତା’ପରେ ଖୁବ୍ ବେଶୀ ହେଲେ ଜଣେ ଜଣେ ରାଜ୍ୟସ୍ତରୀୟ ଭାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି । ସେଇ କେବଳ ଅନ୍ଦାଜ୍ ଲଗାଇ ଓ ନିଜର ଖୁବ୍ ପରିଚିତ ଗହଣିଆ ମାନଙ୍କ ମଧ୍ୟରୁ । ନାଇଁ, ନାଇଁ,-ସର୍ବେଷାଂ କହିଲେ ଜଣ ଜଣ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝାଏ । ପ୍ରତ୍ୟେକଙ୍କୁ ନେଇ ସମସ୍ତେ । ସେହି ‘ପ୍ରତ୍ୟେକମାନେ ତ କର୍ମଭାରଟିକୁ ଗ୍ରହଣ କରିବେ । ଯାବତୀୟ ସଫଳତା ବସ୍ତୁତଃ ସେହିମାନଙ୍କର ପ୍ରୟାସ ଉପରେ ନିର୍ଭର କରିବ । ଅର୍ଥାତ୍, ପ୍ରୟାସଟି ପଛରେ ସେମାନଙ୍କର ଏକ ସ୍ପଷ୍ଟ ପ୍ରତ୍ୟୟ ରହିଥିବ, ଯଥାସମ୍ଭବ ସ୍ପଷ୍ଟ ଯୁକ୍ତିସମ୍ବଳିତ ବିଶ୍ୱାସଟିଏ ରହିଥିବ । ସେମାନେ ଜଣେ ଜଣେ ବୋଲକରାମାତ୍ର ହୋଇ ସବୁକିଛି କରୁଥିଲେ ଉପରେ ଏକ କ୍ରାନ୍ତିକୁ ନେଇ ବହୁ କୋଳାହଳ ଲାଗି ରହିଥିଲେ ଏଣେ ସତସ୍ତରଟାରେ ସବୁ ନିସ୍ତେଜ ହୋଇ ରହିଥିବ ।

 

ପ୍ରକୃତ ରୀତି ଏହିପରି ହେବ ଯେ, ଗୋଟିଏ ଗୋଷ୍ଠୀରେ ଯେତେ ବ୍ୟକ୍ତି, ସେମାନଙ୍କର ମଧ୍ୟ ଗୋଟିଏ ଗୋଟିଏ ମତ ରହିଛି ବୋଲି ସ୍ୱୀକାର କରି ନିଆଯିବ । କୌଣସି ଗୋଷ୍ଠୀରେ ଯେଉଁମାନେ ମୁଖ୍ୟ, ଅର୍ଥାତ୍ ନିଶ୍ଚୟ ଅଧିକ ବୁଝୁଛନ୍ତି ଏବଂ କାର୍ଯ୍ୟଟିର କ୍ଷେତ୍ରରେ ସେମାନଙ୍କର ଅଧିକ ଅବଦାନ ସବୁବେଳେ ରହିଛି ବୋଲି ହିଁ ସେମାନେ ମୁଖ୍ୟ ସ୍ଥାନମାନଙ୍କରେ ଅଛନ୍ତି, ସେମାନେ ତ ସର୍ବତ୍ର ଅପେକ୍ଷାକୃତ ଅଧିକ ସହଜରେ ହିଁ ଅନ୍ୟ ପ୍ରତ୍ୟେକ ମନୁଷ୍ୟର ମଧ୍ୟ ଅବଶ୍ୟ ନିଜସ୍ୱ ମତ ରହିଥିବ ବୋଲି ଅନୁମାନ କରିବେ । ଭଳି ଭଳି ବିଚାରଦୃଷ୍ଟି, ତେଣୁ ଭଳି ଭଳି ମତ । କେବଳ ଧୈର୍ଯ୍ୟହୀନମାନେ ହିଁ ଅନ୍ୟୟମାନଙ୍କର ମତକୁ ଥିର ହୋଇ ଶୁଣିବାପାଇଁ ନିଜକୁ ରାଜୀ କରାଇ ପାରନ୍ତିନାହିଁ । ନ୍ୟାୟତଃ ଯେକୌଣସି ସୁସ୍ଥ ମେଳରେ ଭିନ୍ନ ଭିନ୍ନ ମତ ନିଶ୍ଚୟ ରହିବ । ସମସ୍ତେ ‘ଯେଉଁ ଲକ୍ଷ୍ୟ ଅଥବା ଲକ୍ଷ୍ୟଗୁଡ଼ିକର ଆକର୍ଷଣ ତଥା ଆହ୍ଵାନରେ ମେଳଟିଏ ବାନ୍ଧି ଏକତ୍ର ହୋଇଛନ୍ତି; ସେଗୁଡ଼ିକ ପ୍ରତି କୌଣସି ଅସାଧୁତା ଦେଖାଉ ନଥିଲେ ମଧ୍ୟ ଭିନ୍ନ ଭିନ୍ନ ମତ ରହିବ । ତେଣୁ, ପ୍ରସ୍ତାବଟିଏ ଆସିବା ମାତ୍ରକେ ଓ ଏପରିକି ଉପରୁ ମଧ୍ୟ ନିର୍ଦ୍ଦେଶଟିଏ ଆସି ପହଞ୍ଚିଥିଲେ ମଧ୍ୟ, ସଂପୃକ୍ତ ସମସ୍ତେ ଯେ ସେଥିରେ ଏକାପ୍ରକାରର ରାଜୀ ହୋଇଯିବେ, ସେକଥା ଆଦୌ ଅବଶ୍ୟମ୍ଭାବୀ ନୁହେଁ । ବିଚାର, ବିବେଚନା ତଥା ବ୍ୟାଖ୍ୟାରେ ନିଶ୍ଚୟ ପାର୍ଥକ୍ୟ ରହିବ । ଗୋଟିଏ ମେଳରେ ପ୍ରତ୍ୟେକ ବିଚାର କରିବେ, ଆପଣା ଆପଣାର ବିଚାରଭଙ୍ଗୀ ଗୁଡ଼ିକୁ ପରସ୍ପର ପାଖରେ ସ୍ପଷ୍ଟ କରିଦେବେ । ଏପରି କରି ସେମାନେ ପ୍ରତ୍ୟେକେ ଅବଶ୍ୟ ଉପକୃତ ହେଉଥିବେ । ତେଣୁ ଖୁସି ହୋଇ ପରସ୍ପର କଥା ନିଶ୍ଚୟ ଶୁଣିବେ । ଯେଉଁଟି ବିଷୟରେ କଥା ପଡ଼ିଥିବ, ସେଇଟି ବିଷୟରେ କିଛି ବ୍ୟକ୍ତି ରାଜୀ ହେଉଥିବେ ଓ ଆହୁରି କିଛି ଅରାଜୀ ମଧ୍ୟ ହେବେ । ଏପରିକି, ପ୍ରାୟ ସମସ୍ତେ ରାଜୀ ହୋଇ ପାରୁଥିଲେ ମାତ୍ର ଅଳ୍ପ କେତେଜଣ ଗ୍ରହଣ କରି ପାରିନଥିବେ । ସେମାନଙ୍କର ମଧ୍ୟରେ କେତେ ପ୍ରକାଶ ଶଙ୍କା ରହିଥିବ, ଯେଉଁଗୁଡ଼ିକର ସମାଧାନ ନିମନ୍ତେ ଉଦ୍ୟମ ବି କରିଯିବ । ତଥାପି ଅଡ଼ୁଆ ତୁଟିଯିବାପରି ହୁଏତ ଲାଗୁ ନଥିବ । ଅନ୍ୟମାନଙ୍କୁ ନିଜର ମତକୁ ଟାଣିବା ନିମନ୍ତେ ଯେତେ ସଚେତନ ଚେଷ୍ଟାମାନ କରା ଯାଉଥିବ, ଅଡ଼ୁଆଟା ବି ସେତେ କମ୍ ତୁଟୁଥିବ । କିନ୍ତୁ, ଅନ୍ୟମାନଙ୍କର ଦୃଷ୍ଟିଗୁଡ଼ିକୁ ଯଥେଷ୍ଟ ସହାନୁଭୂତି ସହିତ ବୁଝିବାଲାଗି ମୂଳ ଅଭିଲାଷ ରହିଥିଲେ ସମସ୍ତେ ଗୋଟାସୁଦ୍ଧା ଏକମତ ହୋଇଗଲେଣି ବୋଲି ନଲାଗିଲେ ମଧ୍ୟ ଏକ ସହମତି ନିଶ୍ଚୟ ମିଳିଯିବ । ଅର୍ଥାତ୍ ସିଧା ବିରୋଧ ରହିବନାହିଁ । ମେଳଟି ଭିତରେ ;କୌଣସି ପାରସ୍ପରିକ ଅସୂୟା ରହିବ ନାହିଁ । ଆମକୁ କହି ପଚାରିଲେ ନାହିଁ ବୋଲି ଭାବି କେହି କ୍ଷୁନ୍ନ ହେବେନାହିଁ ।

 

ନ୍ୟାୟତଃ ସର୍ବୋଦୟ ସାମାଜିକ ଆଦର୍ଶଟିର ଶୈଳୀ ହେଉଛି ତଳୁ ଉପରକୁ । ମାତ୍ର ଭୂଦାନର ସର୍ବବିଧ କାର୍ଯ୍ୟକ୍ରମଟି ଘଟଣା କ୍ରମେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ସତେଅବା ଉପରୁ ତଳ ଆଡ଼କୁ । ଅହିଂସାର ମାର୍ଗରେ ଭୂମିସମସ୍ୟାର ସମାଧାନଟିଏ ଲୋଡ଼ୁଥିବା ବେଳେ ଉପାୟ ଚିନ୍ତା କରୁଥିବା ସମୟରେ ଆନ୍ଧ୍ରପ୍ରଦେଶର ଜଣେ ବୃହତ୍ ଭୂମିମାଲିକ ତାଙ୍କୁ ୧୦୦ ଏକର ଭୂମି ଦାନ କରିବେ ବୋଲି ଆସି କହିଲେ ଏବଂ ସେଇଟିରୁ ବିନୋବାଜୀଙ୍କ ପାଇଁ ଗୋଟିଏ ବାଟ ଦିଶି ଯାଇଥିଲା । ୧୯୬୬ ମସିହାରେ ଡେନ୍‌ମାର୍କର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହିତ ମୁଁ ସେହି ଭୂମିଦାତା ଶ୍ରୀଯୁକ୍ତ ରାମଚନ୍ଦ୍ର ରେଡ୍ଡିଙ୍କ ଅତିଥି ହୋଇ ତାଙ୍କ ପୋଚମପଲ୍ଲୀ ଗାଆଁରେ ଯାଇ ରହିଥିଲି-। ସିଏ ଏବଂ ତାଙ୍କର ଭାଇ ଶ୍ରୀ ରାମ ରେଡ୍ଡିଙ୍କ ପରିବାରରେ ଅତିଥି ହୋଇ । ସେତେବେଳେ ତ ସନ୍ଥ ବିନୋବାଙ୍କ ତୁଣ୍ଡରେ ସେହି ପରିବାରଟିର ପ୍ରଶଂସା । ସେହିମାନେ ସତେଅବା ଭଗବତ୍‌ପ୍ରେରିତ ଭାବରେ ତାଙ୍କୁ ବାଟ ଦେଖାଇଲେ । କିନ୍ତୁ, ସର୍ବୋଦୟ ଓ ଏହି ଭୂଦାନଯାତ୍ରା ପଛରେ ଯେ ଏକ ପୂର୍ଣ୍ଣ ବିପ୍ଳବାତ୍ମକ ଦୀର୍ଘ ଦ୍ୟୋତନାଟିଏ ରହିଛି, ଦାତାମାନେ ସେହି ସମ୍ପର୍କରେ ପ୍ରକୃତରେ କି ସଚେତନ ରହିଥାଆନ୍ତେ ? ପରିବାରଟିର ଜୀବନଧାରଣର ଶୈଳୀରେ ଆଦୌ କୌଣସି ପରିବର୍ତ୍ତନର ସମ୍ଭବତଃ କୌଣସି ପ୍ରୟୋଜନ ନଥିଲା । ଏବଂ, ତା’ପରେ ଭୂମାଗଣର କର୍ମୀସଂସାରଟି ମଧ୍ୟ ସେହି ଏକା ଗୁଳାଟିଏ ମାନି ଅଗ୍ରସର ହୋଇଥିଲେ । ଏକାବେଳେକେ ଆମର ଏହି ଓଡ଼ିଶା ପର୍ଯ୍ୟନ୍ତ । କର୍ମୀମାନେ ସାଉଁଟା ହୋଇ ଆସି ସେହି ଅଭିଯାନଟିରେ ଯୋଗ ଦେଇଥିଲେ । ପୂରା ସମ୍ପର୍କସ୍ଥାପନ ସେହି ଭୂମିମାଲିକ ମାନଙ୍କ ସହିତ । ସେକାଳଟା ବିଷୟରେ ଟିପା ହୋଇ ଏବେ ପ୍ରକାଶ ପାଇଥିବା ଏକ ବିବରଣୀ ଅନୁସାରେ, ଏହି କର୍ମୀମାନେ ମଧ୍ୟ ପ୍ରଧାନତଃ ସେହି ମାଲିକମାନଙ୍କ ଘରେ ଆତିଥ୍ୟଗ୍ରହଣ କରୁଥିଲେ, ଭୂମି–ଆନ୍ଦୋଳନ ବିଷୟରେ ବୁଝାଇ କହିବାବେଳେ ସତେଅବା ପୂର୍ଣ୍ଣ ସୈନ୍ଧାନ୍ତିକ ସଂଭ୍ରମ ସହିତ ସେହି ମାଲିକମାନଙ୍କର ବଦାନ୍ୟତାକୁ ଉଦ୍‌ବୋଧିତ କରି ଆଣିବାର ପ୍ରୟାସ କରା ଯାଉଥିଲା । ଜଣେ ଏଡ଼େ ବଡ଼ ସନ୍ଥ ଭାରତବର୍ଷର ଗ୍ରାମେ ଗ୍ରାମେ ଦରିଦ୍ରଙ୍କ ସକାଶେ ଭୂମି ମାଗି ବୁଲିଛନ୍ତି ଓ ତେଣୁ ଏହି ଗାଆଁର ଆପଣମାନେ ମଧ୍ୟ ଆପଣାର ପୈତୃକ ଭୂମିରୁ କିଛି କିଛି ଦାନ କରନ୍ତୁ ବୋଲି ନିବେଦନ କରା ଯାଉଥିଲା । ଖୁବ୍ ମନେପଡ଼ୁଛି, ଅଧିକାଂଶ ସ୍ଥଳରେ ଭୂଦାନ ଆନ୍ଦୋଳନରେ; ଯେଉଁ ଉଦ୍‌ବୋଧନକାରୀ ଗୀତମାନ ବୋଲି ଯାଉଥିଲା, ସେଗୁଡ଼ିକରେ ମଧ୍ୟ ଆମ ପୁରାଣଗାଥା ଗୁଡ଼ିକର ଦାତା ରାଜା ହରିଶ୍ଚନ୍ଦ୍ର ଏବଂ ମହାଦାନୀ କର୍ଣ୍ଣଙ୍କର ମହାନ୍ ଦୃଷ୍ଟାନ୍ତଗୁଡ଼ିକୁ ସ୍ମରଣ କରାଇ ଦିଆ ଯାଉଥିଲା ।

 

ଉକ୍ତ ସଂସ୍କରଣଟିରେ ଜାଗାଏ ଲେଖାହୋଇଛି ଯେ, ବେଶ୍ କେତେ ସ୍ଥାନରେ ସଭାରେ ଜମିଦାନର ଘୋଷଣା ହୋଇ ଯାଉଥିଲା ସିନା, କିନ୍ତୁ ସେହି ଦତ୍ତ ଜମିମାନଙ୍କୁ ଗାଆଁର ଅମୁକ ଅମୁକ ଭୂମିହୀନଙ୍କ ଲାଗି ମୁଁ ଦେଲି ବୋଲି କାଗଜରେ ଲେଖିଦେବା ବେଳକୁ ବହୁ ବ୍ୟତିକ୍ରମ ଘଟୁଥିଲା । ଏକ ଦୃଷ୍ଟାନ୍ତର ବର୍ଣ୍ଣନା ଅନୁସାରେ ଜଣେ ଜମି ଦାନ କରିଥିବା ଭୂସ୍ଵାମୀ ଦତ୍ତ ଜମିର ପ୍ଳଟ୍ ନମ୍ବର ବା ଚୌହଦୀ ଦାନପତ୍ରରେ ଲେଖିନାହାନ୍ତି ବର୍ତ୍ତମାନ ଲେଖିବାକୁ ରାଜୀ ନୁହନ୍ତି । ଭଲ ବାହେଲ ଜମି ହୋଇଥିବାରୁ ଜମି ଛାଡ଼ିବାକୁ କୁଣ୍ଠିତ ଏବଂ ଭୂମିହୀନ ଲୋକେ ଜମି ପାଇଗଲେ ଏଣେ ଭୂମାଲିକ ମାନଙ୍କର ଜମି ଚାଷ କରିବାକୁ ମୂଲିଆ ମିଳିବେନାହିଁ ବୋଲି ସିଏ ରାଜୀ ନୁହନ୍ତି । ....ପରେ ସେହି ଗାଆଁର ଆଉଜଣେ ବ୍ୟକ୍ତି ବାହାରୁ ଯାଇଥିବା ସର୍ବୋଦୟ ନେତାମାନଙ୍କୁ କହିଥିଲେ ଯେ “ଏହି ପରିବାର ଓ ଅନ୍ୟ ୨/୩ଟି ଗ୍ରାମର ବଡ଼ ଜମିମାଲିକ ବ୍ରାହ୍ମଣମାନେ ଜମିର ଭୋଲ ଛାଡ଼ିବେ ନାହିଁ, ପରେ ଭୂମିହୀନ ଲୋକଙ୍କର ଏମାନଙ୍କର ସହ ସଂଘର୍ଷ ହେବ ଓ ଜମିମାଲିକମାନେ ହାଣ ଖାଇବେ ।” ପ୍ରତିକ୍ରିୟାଟିକୁ ପଢ଼ିବା ସମୟରେ ମୁଁ କେତେ କ’ଣ ଭାବି ଯାଉଥିଲି । ଭୂମିଦାନ ଆନ୍ଦୋଳନର କର୍ମୀମାନେ ଏପରି ଏକ ବିପଜ୍ଜନକ କଥା ସମ୍ଭବତଃ ଭୂମାଲିକ ମାନଙ୍କ ଆଗରେ କଦାପି କହୁନଥିବେ । ସେମାନେ ବରଂ ଭାରତବର୍ଷର ପ୍ରାଚୀନ ଶାସ୍ତ୍ରମାନଙ୍କର ଦାନୀମାନଙ୍କର କଥା ତଥା ଜଣେ ସନ୍ଥ ଏପରି ଗୋଟିଏ ଅଭିଯାନରେ ଦେଶଯାକ ବୁଲୁଛନ୍ତି ବୋଲି କହୁଥିବେ । ଅର୍ଥାତ୍ ସର୍ବୋଦୟ ଅଭିଯାନ ପଛରେ ଏକ ଅନ୍ୟ ସାମାଜିକ ଓ ଅର୍ଥନୈତିକ ଅଦଳବଦଳର ପାରିଣାମଟିଏ ପ୍ରଚ୍ଛନ୍ନ ହୋଇ ରହିଛି, କର୍ମୀମାନେ ସେହି କଥାଟିର ସଙ୍କେତମାତ୍ର ଦେଇଥିଲେ ସେହି ଉତ୍ତମ ଗ୍ରାମବାସୀମାନେ ହୁଏତ ନିଜ ଘରେ ସେମାନଙ୍କୁ ସ୍ଥାନ ହିଁ ଦେଇନଥାନ୍ତେ । ପୁନଶ୍ଚ, ଗ୍ରାମର ଭୂମିହୀନମାନଙ୍କୁ ସେକଥାଟି କହିଲେ ଗାଆଁଟାରେ ଶାନ୍ତିଭଙ୍ଗ ହିଁ ହୋଇଥାନ୍ତା । ଏପରିକି ପୋଲିସବାଲା ଶାନ୍ତିଶୃଙ୍ଖଳା ରଖିବା ସକାଶେ ଗ୍ରାମରେ ଆସି ପହଞ୍ଚି ଯାଇଥାନ୍ତେ । ଅର୍ଥାତ୍ ଅସଲ ପୃଷ୍ଠଭୂମି ଗୁଡ଼ିକୁ ପ୍ରସ୍ତୁତ କରିବାରେ ପ୍ରାୟ କୌଣସି ସଚଳତା ନଥିଲା-। ସମ୍ଭବତଃ ଅଧିକାଂଶ କର୍ମୀ ତ ଉପରର ବରାଦ ଅନୁସାରେ ପ୍ରଧାନତଃ ଭୂମିଦାନରେ ସଂଗୃହୀତ ଭୂମିର ପରିଣାମ ବଢ଼ାଇବାରେ ଲାଗି ଯାଇଥିଲେ ଓଡ଼ିଶାର ପ୍ରଥମ ଗ୍ରାମଦାନ ଯାଜପୁର ଜିଲ୍ଲାର ମାନପୁର ଗାଆଁକୁ ଏକ ନଜିର ଭାବେ ଦେଖାଯାଇ ପାରିବ । ଗ୍ରାମଦାନର ଗାଆଁଟିଏ ଦେଖାଇବାର ସତେଅବା ଏକ ଖାସ୍ ଅନୁରାଗରେ ବିନୋବାଜୀଙ୍କର ଗସ୍ତକ୍ରମରେ ମାନପୁରକୁ ରଖା ଯାଇଥିଲା । ମୋ’ର ମନେଅଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଆମ ଏହି ଉପକୂଳ ପାଖଟାର ନେତାମାନ୍ୟ ସମସ୍ତେ ସେଠାରେ ସେହି ଗାଆଁ ପହଞ୍ଚି ଯାଇଥିଲେ । ଗୋଟାଏ ମହୋତ୍ସବ ପରି ଅନୁଭବ ହେଉଥିଲା । ଏବଂ, ତାହାର ଅଳ୍ପଦିନ ପରେ ମାନପୁରର ବାସିନ୍ଦାମାନେ କ’ଣ ଏକ ଅମେଳ ହେତୁ ସରକାରୀ କଚେରୀକୁ ଯାଇ ଅନ୍ୟ ଯେକୌଣସି ଗାଆଁପରି ମୁହାଁମୁହିଁ ହୋଇଥିଲେ ।

 

କୋରାପୁଟର ଆଦିବାସୀ ସମାଜରେ ପାରମ୍ପରିକ ଭାବରେ ଗୋଟିଏ ସଂହିତ ଅର୍ଥାତ୍ ସଦ୍‌ଭାବନା ରହି ଆସିଥିଲା । ଅଧିକାଂଶଙ୍କର ଜମି ପରୁଷ ପୁରୁଷରୁ ହଡ଼ପ ହୋଇଯାଇଥିଲା । ଏଇ କେଇବର୍ଷ ପୂର୍ବରୁ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କ ପ୍ରେରଣାରେ ଜିଲ୍ଲାର ଗୋଟିଏ ଅଞ୍ଚଳରେ ଲୋକେ ଭୂସତ୍ୟାଗ୍ରହର ଆହ୍ଵାନରେ ସଚେତନ ହୋଇ ଆସିଥିଲେ । ଏକ ଅନ୍ୟ ସ୍ଵପ୍ନରେ ଏବଂ ଅନ୍ୟ ସଂହତିରେ । ଏହି ଭୂମିସଂଗ୍ରହର କାର୍ଯ୍ୟକ୍ରମଟିରେ ମଧ୍ୟ ସେଇ ଆଜ୍ଞା ହିଁ ତ ସବାଆଗ ଧାଡ଼ିରେ ରହିଥିଲେ । ତେଣୁ, ବିଶ୍ଵାସ କାମ ଦେଲା ଏବଂ ବିଶ୍ଵାସର ସଂକ୍ରମଣ ହୋଇଥିଲା । ଗ୍ରାମଦାନର ଖାସ୍ କାହାଣୀଟିରେ ସେମାନଙ୍କର କ’ଣ ସବୁ ଭୂମିକା ମଧ୍ୟ ରହିଥିଲା, ସେଇଟି ବିଷୟରେ ଆଉ ଖାସ୍ ଭାବରେ କୌଣସି ପର୍ଯ୍ୟାଲୋଚନା ମୋତେ କରାଯାଇ ନଥିବ । ଏବଂ, ତା’ପରେ ତୁଚ୍ଛା ଅକାରଣରେ ନବନିର୍ମାଣ ଓ ଭୂମିମାଗଣକୁ ନେଇ ଉପରର ଦୁଇ ନେତୃତ୍ଵ ମଧ୍ୟରେ ମତପାର୍ଥକ୍ୟ ଘଟିଲା । ନବନିର୍ମାଣର କାର୍ଯ୍ୟଟି ମଧ୍ୟ ଗ୍ରାମବାସୀମାନଙ୍କୁ ନେଇ ନୁହେଁ, ସିଧା ଉପରୁ ଗ୍ରାମବାସୀ ମାନଙ୍କ ନିମନ୍ତେ; ବିଶେଷଜ୍ଞମାନେ କରୁଥିଲେ । ଗୋଟିଏ ଏତେବଡ଼ ଉତ୍ତମ କାର୍ଯ୍ୟରେ ଆପଣାର ଅଧୀତ କୌଶଳଗୁଡ଼ିକୁ ଲଗାଇ ଅବଶ୍ୟ କିଛି କରାଇବାର ଭାବନା ନେଇ ଏମାନେ କୋରାପୁଟ ଆସିଥିଲେ । ସ୍ଥାନୀୟ ଭାଷା ଜାଣି ନଥିଲେ, ଓଡ଼ିଶା ଭାଷାଟିକୁ ମଧ୍ୟ ନୁହେଁ । ନିଷ୍ଠାରେ ମୋଟେ କୌଣସି ଅଭାବ ନଥିବ । କିନ୍ତୁ ଅନ୍ତଃପୁରଟାର କଳହଟା ଆରମ୍ଭ ହୋଇଯିବା ସଙ୍ଗେ ସଙ୍ଗେ ସେମାନଙ୍କର ଉତ୍ସାହମାନ ନିଶ୍ଚୟ ଭାଙ୍ଗି ଯାଇଥିବ । ସେମାନେ କ୍ରମେ କୋରାପୁଟରୁ ପ୍ରସ୍ଥାନ କରିଥିଲେ । ସତରେ କ’ଣ କୌଣସି ନୀତିସ୍ତରର ମତଭେଦ ହେତୁ ସେହି ବୈମନସ୍ୟଟା ଆରମ୍ଭ ହୋଇ ଯାଇଥିଲା ? ନା, ମୋ’ ମତଟା ହିଁ ଏକମାତ୍ର ଠିକ୍ ମତ ବୋଲି ଏକ ମିଛ ‘ମୁଁ’ପଣର ଆବିଳତା ହେତୁ ଏପରି ଘଟିଲା ଏବଂ କେଡ଼େ କେଡ଼େ ପ୍ରୟାସକୁ ପ୍ରାୟ ଚାହୁଁ ଚାହୁଁ ଭାଙ୍ଗି ରୁଜି ପକାଇଥିଲା ! ଏବଂ, ପୂରା କ୍ଷେତ୍ରଟାର ଜୀଅନ୍ତା ସେହି ସହଜବିଶ୍ଵାସୀ ସମାଜଟା,–ବାବୁମାନେ ଆସି ପହଞ୍ଚିବା ପୂର୍ବରୁ ଯେଉଁଠି ଥିଲା, ପୁଣି ସେହି ସ୍ଥାନକୁ ହିଁ ବାହୁଡ଼ି ଯାଇଥିଲା । ସତେଅବା ସେମାନଙ୍କର ଭାଗ୍ୟ–ଜଙ୍ଗଲକୁ ଗୋଟାଏ କାଳିସୀ କୃପା କରିଥିଲା : ବାବୁମାନେ ଆସିଲେ, ବନ୍ଧୁପଣ କଲେ,-ଏବଂ କାଳିସୀ ଛାଡ଼ିଯିବାରୁ ଶୀତଳ ହୋଇଗଲେ, ଛାଡ଼ିଗଲେ । ସତେଅବା ତୋଟାଟାଯାକ ବଉଳ ଲଦି ହୋଇ ଆସୁଥିଲା ଏବଂ କୁଆଡ଼ୁ କ’ଣ କୁହୁଡ଼ି ଆସି ଘୋଟିଗଲା ଯେ ଗୋଟାଏ ବି ଆମ୍ବ ରହିଲା ନାହିଁ ।

 

ସଜ୍ଜନମାନେ ଲେଖିଥିବା ଏକାଧିକ ବିବରଣୀରେ ଲେଖାଯାଇଛି ଯେ, ଭୂ-ସତ୍ୟାଗ୍ରହ ସମୟରେ ସରକାର ଜଣେ ସହାନୁଭୂତିଶୀଳ ହାକିମଙ୍କୁ ନିଯୁକ୍ତ କରି ଘଟଣାଟିକୁ ତନଖି ଦେଖିବା ସକାଶେ ପଠାଇଥିଲେ । ସିଏ ସରକାରଙ୍କୁ ହାଲହକିକତମାନ ଜଣାଇଥିଲେ ଏବଂ ସମସ୍ୟାଟିର ସମାଧାନ ହୋଇ ଯାଇଥିଲା । ଯେତେ ସହାନୁଭୂତିଶୀଳ ହୋଇ ଭାବିଲେ ମଧ୍ୟ କଥାଟିକୁ ଆଦୌ ହଜମ କରି ହେଉନାହିଁ । ଭୂ-ସତ୍ୟାଗ୍ରହର ମୂଳ ଆନ୍ଦୋଳନ ସରକାରଙ୍କ ବିରୋଧରେ ନଥିଲା । ଯେଉଁ ଭୂମାଲିକ ଶ୍ରେଣୀ ନାନା ଫିସାଦରେ ସ୍ଥାନୀୟ ଅଧିବାସୀ ମାନଙ୍କ ଠାରୁ ଭୂମି ଛଡ଼ାଇ ନେଇଥିଲେ ଏବଂ ସେମାନଙ୍କ ପାଖରେ ଥିବା କାଗଜଗୁଡ଼ାକ ସରକାରୀ ଆଇନ୍ ଅନୁସାରେ ଆପାତତଃ ଠିକ୍ ଥିବାରୁ ସରକାର ହୁଏତ କିଛି କରି ପାରୁନଥିଲେ, ସତ୍ୟାଗ୍ରହ ସେହିମାନଙ୍କର ବିରୋଧରେ ଥିଲା । ଆମେ ମାଡ଼ ଖାଇବୁ, ପୋଲିସ୍ ହାତରେ ଧରା ହୋଇ ଜେଲ୍ ଯିବୁ, କିନ୍ତୁ ଆମ ନିଜର ଜମି ଉପରେ ହଳଲଙ୍ଗଳ ନେଇ ପ୍ରବେଶ କରିବୁ । ସବୁ ସହ୍ୟ କରିବୁ, କିନ୍ତୁ ଅସତ୍ୟଟାକୁ ସ୍ଵୀକାର କରି ନେବୁନାହିଁ । ସ୍ଵାଧୀନ ଭାରତବର୍ଷରେ ଏହି ଘଟଣାଟି ଏକମାତ୍ର ଘଟଣା ହିଁ ଥିଲା । ଏଥିରେ ଆଦୌ ସନ୍ଦେହ ନାହିଁ ଯେ, ସମଗ୍ର କୋରାପୁଟ ଜିଲ୍ଲାର ଭୂମିହୀନ ବଞ୍ଚିତଙ୍କ ମଧ୍ୟରେ ସେହି ଆନ୍ଦୋଳନଟି ଜଙ୍ଗଲନିଆଁ ପରି ବ୍ୟାପି ଯାଇଥାଆନ୍ତା । ସମସ୍ୟାଟି ତ କେବଳ ଗୋଟିଏ ରାଜ୍ୟର ସମସ୍ୟା ନୁହେଁ,–ଏହା ଦେଶଟାଯାକର ସମସ୍ୟା; ଏହାକୁ ଗୋଟିଏ ଆଦିବାସୀମାନଙ୍କର ସମସ୍ୟା ବୋଲି କହି ସାନ କରି ରଖିବାକୁ ଚେଷ୍ଟା କଲେ ତାହା ସଂପୂର୍ଣ୍ଣ ଅନ୍ୟାୟ ହେବ । ଏହା ତ ବଞ୍ଚିତମାତ୍ରେ ପୃଥିବୀଯାକ ସବୁ ମଣିଷଙ୍କର ସମସ୍ୟା । ଅର୍ଥାତ୍, ଏହି ଦେଶକୁ ଏକ ଅଭିନବ ପ୍ରକାରେ ଗଢ଼ିବାର ସମସ୍ୟା । ସେଠାରେ ଏବେ ମଧ୍ୟ ବାଟ ଓଗାଳି ରହିଥିବା ସେହି ଅସନା ଅନ୍ୟାୟଗୁଡ଼ାକୁ ହଟାଇ ଦେବାର ସମସ୍ୟା । ମୁଁ ତ ବେଳେ ବେଳେ କାହିଁକି ଖୁବ୍ ଆଗ୍ରହର ସହିତ ଭାବିଥାଏ ଯେ, ଭୂସତ୍ୟାଗ୍ରହର ଚାରିପାଞ୍ଚ ବର୍ଷ ପରେ ବିନୋବାଜୀ ଯେତେବେଳେ କୁଜେନ୍ଦ୍ରୀ ଗାଆଁରେ ରହଣି କରିଥିଲେ ଏବଂ ରାଜ୍ୟର ବୃହତ୍ ନେତା ଏବଂ କର୍ମୀମାନେ ଯେତେବେଳେ ସେଠାରେ ଏକାଧିକ ଦିନ ନିମନ୍ତେ ଆଲୋଚନାରତ ହୋଇ ରହିଥିଲେ, ସେତେବେଳେ ଆମ ରାଜ୍ୟନେତା ମାନଙ୍କ ତରଫରୁ କୁଜେନ୍ଦ୍ରୀର ଭୂସତ୍ୟାଗ୍ରହର ଘଟଣାଟି ତାଙ୍କ କାନକୁ ଅଣା ଯାଇଥିଲା କି ?

 

ତେବେ ବିନୋବାଜୀ କ’ଣ କିପରି ଉତ୍ତର ଦେଇଥିବେ ଅର୍ଥାତ୍ କେଉଁଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥିବେ ? ସେହି ଯାତ୍ରା ସମୟର ଛାପା ବର୍ଣ୍ଣନା ଗୁଡ଼ିକରେ ସେକଥା କେଉଁଠିହେଲେ ନାହିଁ । ପୁନଶ୍ଚ, କୁଜେନ୍ଦ୍ରୀ ଗାଆଁରେ ଦୈନିକ ଯେଉଁ ପ୍ରାର୍ଥନାସଭାମାନ ଅନୁଷ୍ଠିତ ହୋଇଥିବ ଏବଂ ସେଠାରେ ଉପସ୍ଥିତ ଲୋକସାଧାରଣ ବିନୋବାଜୀଙ୍କୁ ପ୍ରଶ୍ନ ପଚାରିବାର ଅବକାଶ ଲାଭ କରୁଥିବେ, ସେତେବେଳେ ମଧ୍ୟ ଭୂସତ୍ୟାଗ୍ରହ ସମୟର ସକ୍ରିୟ କୌଣସି ବ୍ୟକ୍ତି ତାଙ୍କୁ ସେହି ବାବତରେ କିଛି ପ୍ରଶ୍ନ କରିଥିବେ କି ? ଅଙ୍ଗେ ନିଭା ଘଟଣାଟି ବିଷୟରେ ସ୍ଥାନୀୟ ଆଦିବାସୀ ନିଶ୍ଚୟ କେହି ସେହି ପ୍ରଶ୍ନଟିକୁ ପଚାରିବା ଲାଗି ଆଗ୍ରହ ପ୍ରକାଶ କରିଥିବେ । ତେଣୁ, ଖୁବ୍‌ସମ୍ଭବ ଏପରି ହୋଇଥିବ ଯେ, ଏକଦା ଭୂସତ୍ୟାଗ୍ରହରେ ସକ୍ରିୟ ଅଂଶଗ୍ରହଣ କରିଥିବା ଜଣେ ସ୍ଥାନୀୟ କେହି ଏପରି ପ୍ରଶ୍ନଟିଏ କରିବ ବୋଲି ଖୁବ୍ ଉତ୍ସାହରେ ଆସି ପହଞ୍ଚିଥିବ ଓ ଦୁଆରବନ୍ଧଠାରୁ ହିଁ ଦ୍ଵାରପାଳମାନେ ତାକୁ ଭିତରକୁ ଯିବାକୁ ଦେଇ ନଥିବେ । ଭିତରେ କେଡ଼େ କେଡ଼େ ଜଣେ ବାବାଙ୍କ ସହିତ ଏକାଠି ବସିଥିବେ ଓ ତାଙ୍କୁ ଅନ୍ୟମନସ୍କ ହେବାକୁ କୌଣସି ପ୍ରଶ୍ରୟ ଦେଇ ହୋଇନଥିବ । କାରଣ, ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ଯେକୌଣସି ପ୍ରକାରେ ହେଉ ପଛକେ ଭୂସତ୍ୟାଗ୍ରହର କଥାଟି ବିନୋବାଜୀଙ୍କର କାନରେ ପଡ଼ିଥିଲେ ସନ୍ଧ୍ୟାର ପ୍ରାର୍ଥନାସଭାରେ ସେ ନିଶ୍ଚୟ ପ୍ରସଙ୍ଗଟିର ଉତ୍‌ଥାପନ କରିଥାନ୍ତେ । ଖଳ ଅଣଅସାଧୁ ମନଟା ତ ଏମିତି କଥାଟାଏ ଭାବି ପକାଉଛି ଯେ, କୋରାପୁଟରେ ଭୂମାଲିକମାନଙ୍କୁ ଭୂମିଦାନ କରିବାପାଇଁ କର୍ମୀମାନେ କହୁଥିବା ବେଳେ, “ଆପଣମାନଙ୍କ ପକ୍ଷରେ ଏହି ଯେଉଁ ସବୁ ଜମି ଅଛି, ସେଗୁଡ଼ିକ ଏକଦା ନାନା ଅନ୍ୟାୟପୂର୍ଣ୍ଣ ଛଳ–କଉଶଳରେ ବର୍ତ୍ତମାନର ସ୍ଥାନୀୟ ଲୋକଙ୍କଠାରୁ ହାତଛଡ଼ା କରି ନିଆଯାଇଛି ଏବଂ ତେଣୁ ଆପଣମାନେ ଏବେ ସେମାନଙ୍କ ସକାଶେ କିଛି ଭୂମି ଦାନ କରି ଧର୍ମୋଚିତ କାର୍ଯ୍ୟ କରନ୍ତୁ” ବୋଲି କେଉଁଠି କହିଥିବେ କି ? ତେବେ ତ ସବୁ ନିବେଦନ ଓଲଟପାଲଟ ହୋଇଯାଇଥାନ୍ତା ଏବଂ କେତେ ସ୍ଥାନରେ ଭୂମି ମାଗୁଥିବା ସେହି କର୍ମୀମାନଙ୍କୁ ମାଡ଼ ଖାଇବାକୁ ପଡ଼ିଥାନ୍ତା । ପୁନଶ୍ଚ, ଭୂସ୍ଵାମୀମାନଙ୍କର ଦଖଲରେ ଥିବା ଏସବୁ ଭୂମି ଦିନେ ଯେଉଁମାନଙ୍କର ବାପା ଅଜାମାନେ ଦିହକଷ୍ଟ କରି ଆବାଦଯୋଗ୍ୟ କରିଥିଲେ, ଏବେ ତ ସେହିମାନେ ହିଁ ଏବର ମାଲିକମାନଙ୍କର ଠିକ୍ ସେହି ଜମିଗୁଡ଼ିକରେ ମୂଲିଆ ହୋଇ କାମ କରୁଛନ୍ତି-! ବନ୍ଧୁ, ପୂରା ଉପାଖ୍ୟାନଟି ନକହି ଉପରେ ଉପରେ କର୍ଣ୍ଣ ଏବଂ ହରିଶ୍ଚନ୍ଦ୍ର ମାନଙ୍କର ଉଦାହରଣ ଦେଇ ଭୂମିସଂଗ୍ରହ କରି ବାହାରିଥିଲେ ତୁମେ ଏକ ଧର୍ମକାର୍ଯ୍ୟ କରୁଛ ବୋଲି କୁହାଯାଇ ପାରିବ କି ଏବଂ ସର୍ବୋପରି, ଭୂମିଦାତା ମାନଙ୍କର ହୃଦୟ–ପରିବର୍ତ୍ତନ କରି ତୁମେ ଏହି କାର୍ଯ୍ୟଟି କରୁଛ ବୋଲି ଆଦୌ କୁହାଯିବ କି ?

 

ସର୍ବୋଦୟର ଯାବତୀୟ ବୃତ୍ତି ତଥା ପ୍ରବୃତ୍ତି ତ ଧର୍ମତଃ ଅନ୍ତ୍ୟୋଦୟରୁ ହିଁ ଆରମ୍ଭ ହେବା କଥା । ଗୋଟିଏ ନୂଆ ନକ୍ସାର ଘର ଯେପରି ତଳୁ ଆରମ୍ଭ ହୋଇଥାଏ, ଠିକ୍ ସେହିପରି । ଆମ ଭାରତବର୍ଷରେ ତାହା ସତେଅବା କି ଦୈବୀମାୟାରେ ପଡ଼ି ସେହି ଉପରେ ହିଁ ହେଲା ଏବଂ ତେଣୁ ଉପରେ ଉପରେ ହିଁ ରହିଗଲା । କ’ଣ ପାଇଁ ନେତାମାନେ ଆସି ପହଞ୍ଚିଗଲେ, ସତେଅବା ପରସ୍ପରକୁ ଅବାକ୍ କଲେ, ସୁକୀର୍ତ୍ତିତ ହେଲେ । ଅଧିକାଂଶତଃ, ଉଚ୍ଚ ଓ ମହାମାନ୍ୟମାନେ, ମହାତ୍ୟାଗୀ ତଥା ପୂଣ୍ୟ ଆତ୍ମାମାନେ, ମହୋତ୍ତମମାନେ ଏବଂ ତେଣୁ ପବିତ୍ରମାନେ । ସନ୍ଥ ବିନୋବାଜୀଙ୍କର ପଦଯାତ୍ରାରେ ସତେଅବା କୌଣସି ଅତ୍ୟନ୍ତ ଆକର୍ଷଣୀୟ କଉତୁକ ସ୍ପର୍ଶ ଅନୁଭବ କରିବାକୁ ଲାଳସୀ ହୋଇ ଅନ୍ତତଃ କିଛି ଦିନ ନିମନ୍ତେ ଯୋଗ ଦେବାଲାଗି କେତେ କେତେ ଆସି ପହଞ୍ଚି ଯାଉଥିଲେ । ରାଜ୍ୟର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀମାନେ, ଦଳନିର୍ବିଶେଷରେ କେତେ କିଏ,–କେଡ଼େ ଭଲ ମଣିଷ ପରି ସେମାନେ ଶାସନ ତଥା ରାଜନୀତିରୁ ଦଣ୍ଡକଲାଗି ଆସି ସନ୍ଥଙ୍କ ସହିତ ଯୋଗ ଦେଉଥିଲେ, ଦେଢ଼ ଦିନ ଅଢ଼େଇଦିନ ବାଟ ଚାଲୁଥିଲେ ଓ ପୁନର୍ବାର ପୂର୍ଣ୍ଣ ସନ୍ତର୍ପଣରେ ନିଜନିଜର ନର୍ଦ୍ଦମାଗୁଡ଼ିକୁ ବାହୁଡ଼ି ବି ଯାଉଥିଲେ । ଏ ରହଣିସ୍ଥାନର କେତେ ଭୂମିଦାନକାରୀ ସେ ରହଣି ପର୍ଯ୍ୟନ୍ତ ସନ୍ଥଙ୍କର ମେଳଟିରେ ବାଟ ଚାଲିବାକୁ ଇଚ୍ଛା କରିଥିଲେ, ତାହାର ହିସାବ କେହି ରଖିନଥିବେ । ପୁନଶ୍ଚ, ଏ ରହଣି ଗାଆଁର କେତେ ଭୂମିହୀନ ଏହି କାର୍ଯ୍ୟଟି ପ୍ରକୃତରେ ଆମରି ପାଇଁ କରାହେଉଛି ବୋଲି ଜାଣି ଅଥବା ବୁଝି ଆର ରହଣିକୁ ଯିବା ଯାତ୍ରାରେ ଅନ୍ତତଃ ଖଣ୍ଡେ ବାଟସାଙ୍ଗରେ ଯିବାକୁ ଆଗ୍ରହ କରୁଥିଲେ, ତାହାର ହିସାବ ରଖିବାକୁ ସେହି ସମ୍ଭ୍ରାନ୍ତ ଗହଣଟା ଭିତରେ ନିଶ୍ଚୟ କାହାରିହେଲେ ଫୁରସତ ହୋଇନଥିବ । ଅତ୍ୟନ୍ତ ବିଚିତ୍ର ପ୍ରକୃତରେ ଏହି ବିପ୍ଲବଟି, ସ୍ଵୟଂ ବିଧାତା ମଧ୍ୟ ସମ୍ଭବତଃ ବୁଝି ପାରିନଥିବେ ! ଯାହାପାଇଁ ବିପ୍ଲବ, ସିଏ ସାମିଲ ନହୋଇ ଏଇ ଯାବତୀୟ ଉଦ୍‌ବେଗ ଏବଂ ଉତ୍ସାହ । ସେଇଥିଲାଗି ଯେତେବେଳେ ଆମ କୋରାପୁଟରେ ମଧ୍ୟ ଯେତେବେଳେ ବାହାରୁ ଆସି ବସା ବାନ୍ଧିଥିବା ଚଢ଼େଇମାନେ ଡାଳମାନଙ୍କରୁ ପୂରା ସେହି ଡାଳସ୍ତରୀୟ କିଞ୍ଚିତ୍ କାରଣରୁ ବସା ଛାଡ଼ି ଉଡ଼ି ଚାଲିଗଲେ, ସେତେବେଳେ ସ୍ଥାନୀୟ ପ୍ରତାରିତମାନେ ଆଦୌ ସେମାନଙ୍କ ଉପରେ କୌଣସି କ୍ରୋଧ କରିନଥିବେ । ଭାରି ଅବାକ୍ ସିନା ହୋଇଥିବେ, କ୍ରୋଧ କରିନଥିବେ । ପୁରୁଣା ଗୋଟାଏ ବିଶ୍ଵାସରେ ତଥାପି ଆଗକୁ ଆଶା ବାନ୍ଧି ରହି ଯାଇଥିବେ ।

 

ଆପଣାର କୌଣସି ସନ୍ଥସୁଲଭ ଚେତନାରେ ଶ୍ରୀ ବିନୋବାଜୀ ସେହି ବଡ଼ମାନଙ୍କ ଉପରେ କ୍ରମେ କିଛି ଅତିବେଶୀ ଆଶା କରି ପକାଇଥିଲେ କି ? ବଡ଼ମାନଙ୍କ ଉପରେ ଅର୍ଥାତ୍ ପରିଚ୍ଛନ୍ନମାନଙ୍କ ଉପରେ, ସ୍ଥୂଳମାନଙ୍କ ଉପରେ ଏବଂ କ୍ଷମତାସୀନ ମାନଙ୍କ ଉପରେ । ଭୂମି-ସଂଗ୍ରହର ଆନ୍ଦୋଳନଟି ବି ତ ମୂଳରୁ ହିଁ ଭୂମାଲିକ ମାନଙ୍କର ବଦାନ୍ୟତା ଉପରେ ନିର୍ଭର କରି ଆରମ୍ଭ ହୋଇଥିଲା–କର୍ମୀମାନେ ନିୟମିତ ଯେକୌଣସି ଗାଆଁରେ ସେହି ମାଲିକମାନଙ୍କର ନିକଟବର୍ତ୍ତୀ ହେଉଥିଲେ–ଏବଂ, ସେମାନଙ୍କ ପାଖକୁ ମିଳୁଥିବା ଜମି ହିସାବରେ ହିଁ ଆନ୍ଦୋଳନଟିର ସଫଳତା ମପା ଯାଉଥିଲା । ଏପରି ଭାବି ପକାଇବା ଉଚିତ ନୁହେଁ ଯେ, ସେପରି କୌଣସି ହୃଦୟ ପରିବର୍ତ୍ତନ ହେତୁ ଭୂମାଲିକମାନେ ନିଜ ଜମିର ଏକ ଅଂଶ ସନ୍ଥଙ୍କର ସେହି ଯଜ୍ଞକୁ ଦାନ କରୁଥିଲେ-। କାରଣ, ସେମାନେ ପୁନର୍ବାର କେଡ଼େ ସହଜ ହୋଇ ସମାଜର ସେଇ ପୁରୁଣା ବ୍ୟବସ୍ଥାରେ ମଧ୍ୟରୁ ଫେରି ଯାଉଥିଲେ ଏବଂ ସେହି ନିଜର ଗରିଷ୍ଠ ଖାସ୍ ସ୍ଵାର୍ଥ ଇତ୍ୟାଦିରେ ସେହି ଆଗପରି ଯାଇ ରହୁଥିଲେ । ସେହିପରି ଏକ ଉତ୍ସାହରେ ପଡ଼ି ଶ୍ରୀ ବିନୋବା ମଧ୍ୟ ସେହି ସବାବଡ଼ ନେତା ତଥା ଶାସକମାନଙ୍କୁ ମଧ୍ୟ ନିଜର ଆନ୍ଦୋଳନଟି ସହିତ ସଂପୃକ୍ତ କରି ଆଣିବାକୁ ମଧ୍ୟ ଆଗ୍ରହୀ ହୋଇଥିଲେ କି ? ଏପରି କିଛି ଦ୍ଵାରା ଲୋକସସାଧାରଣଙ୍କ ମଧ୍ୟରେ ଏହି ଆନ୍ଦୋଳନଟି ଫଳରେ ନିଶ୍ଚୟ କିଛି ହେଉଛି ବୋଲି ବେଶ୍ ପ୍ରତ୍ୟୟଟିଏ ଆସିବ ବୋଲି ସିଏ ସମ୍ଭବତଃ ଭାବିଥିବେ ଏବଂ ତାଙ୍କର ଗହଣିଆ ପରିଧିସ୍ଥମାନେ ତାଙ୍କୁ ଏଥିରେ ଉତ୍ସାହ ବି ଦେଇଥିବେ । ସେହି ଉତ୍ସାହରେ ସ୍ଵୟଂ ବିନୋବାଜୀଙ୍କର ଆଗ୍ରହକ୍ରମେ କର୍ଣ୍ଣାଟକ ରାଜ୍ୟର ଏଲ୍‌ୱାଲ୍ ନାମକ ସ୍ଥାନରେ ଦେଶର ତୁଙ୍ଗ ନେତାମାନଙ୍କୁ ଏକତ୍ର କରା ଯାଇଥିଲା । ଉଭୟ କେନ୍ଦ୍ରରୁ ଓ ରାଜ୍ୟମାନରୁ । ନେହେରୁଙ୍କଠାରୁ ଆରମ୍ଭ କରି ମହତାବଙ୍କ ପର୍ଯ୍ୟନ୍ତ । ସବୁ ରାଜନୀତି ଦଳରୁ । ସେମାନେ ଏକା ସଭା ମଣ୍ଡାଇ ବସିଲେ, ସନ୍ଥ ବିନୋବାଙ୍କର କଥାମାନ ଶୁଣିଲେ–ହିଁ, ସେମାନଙ୍କର ଶାସନଦ୍ଵାରା ବିଶେଷ କିଛି ହେଉନାହିଁ ବୋଲି କ୍ରମେ ବେଶ୍ ଉପଲବ୍ଧି କରି ଆସୁଥିବା ଏହି ତୁଙ୍ଗ ବ୍ୟକ୍ତିମାନେ ଏହି ଆନ୍ଦୋଳନଟି ଯୋଗୁଁ କିଛି ନା କିଛି ହେଉଛି ବୋଲି ବୁଝି ପାରୁଥିବା ହେତୁ ନିଶ୍ଚୟ ଆଶ୍ଵସ୍ତ ଅନୁଭବ କରିଥିବେ । ଖୁବ୍‌ ସମ୍ଭବ ବିନୋବାଜୀଙ୍କର ପ୍ରସ୍ତାବ ପାଇ ସମ୍ମିଳିତ ଅଭିମତଟିଏ ଦେଲେ, ଯାହା ଦେଶର ଖବରକାଗଜ ଇତ୍ୟାଦିରେ ବଡ଼ବଡ଼ ଅକ୍ଷରରେ ପ୍ରକାଶ ମଧ୍ୟ ପାଇଥିଲା । ଭୂଦାନର କର୍ମୀଶିବିରଟି ନିଶ୍ଚୟ ଉଲ୍ଲସିତ ନହୋଇଥିବ ବି କାହିଁକି !

 

ହଁ, ଖାଲି ସଦିଚ୍ଛା ଏବଂ ସଦିଚ୍ଛା । ଏହି ସଦିଚ୍ଛା ଦ୍ଵାରା ବହୁତ କିଛି ହୁଏ । କିନ୍ତୁ ତୁଚ୍ଛା ସେତିକିରେ ଏକ ବିପ୍ଲବ ହୋଇ ପାରେ ନାହିଁ । ସମାଜ ବଦଳେ ନାହିଁ । ଆଗର ଥାକମାନେ ବଳବତ୍ତରେ ହିଁ ରହିଥାନ୍ତି–ତେଣୁ ଶୋଷଣଗୁଡ଼ାକ ମଧ୍ୟ ବଳବତ୍ତର ରହିଥାଏ । ପୂର୍ଣ୍ଣ ସଦିଚ୍ଛା ସହିତ ନେତାମାନେ ବୋଲି ବତାନ୍ତି ଓ ପୂର୍ଣ୍ଣ ସଦିଚ୍ଛା ସହିତ କର୍ମୀମାନେ ମାନି ନିଅନ୍ତି । ପ୍ରାୟ ଏକ ପାରିବାରିକତାର ମାୟାରେ ଉପରକୁ ସବୁ ସାଉଁଳିଆ ମନେ ହେଉଥାଏ, କିନ୍ତୁ ଦୂରତା ରହିଥାଏ, ଅସମାନତା ଥାଏ,–ଉପରଟି ସତେଅବା କେତେ ନା କେତେ ସଦିଚ୍ଛା ସହିତ ଉପଦ୍ରବ କରେ ଏବଂ ଏଣେ ଥାକଟାଯାକ ନାନା ଶଙ୍କାଦ୍ଵାରା ଗ୍ରସ୍ତ ହୋଇ ରହିଥାଏ । ଅତ୍ୟନ୍ତ ଯନ୍ତ୍ରଣାଦାୟକ ସେହି ସ୍ଥିତିଟି–ଯେଉଁଠାରେ କି ଜଣେ ନିଜକୁ ଗୁରୁଜନବତ୍ ବିଚାରି ନିର୍ଦ୍ଦେଶ ଦିଅନ୍ତି ଏବଂ ବାକିମାନେ ସକଳ ବିବେଚନାରେ ନିଜକୁ କୌଣସି ପ୍ରକାରେ ଜଣେ ଜଣେ ଲଘୁଜନ ବୋଲି ଅନୁଭବ ନକରୁଥିଲେ ମଧ୍ୟ ତଥାପି ମାନିନିଅନ୍ତି,–ତୁଣ୍ଡ ଖୋଲି କିଛି କହିନଥାନ୍ତି । ଏବଂ, ସେହି ତଥାକଥିତ ସଂସ୍କାରଟା ହିଁ ଉଭୟ ପଟର ସକଳ ସଦିଚ୍ଛା ସତ୍ତ୍ୱେ ସବୁକିଛିକୁ ସତେଅବା ମାଟି କରିଦିଏ, ଏବଂ ବଙ୍କାବଙ୍କା କରି ରଖିଥାଏ । ଏକ ଅନ୍ୟ ଭିତ୍ତିସତ୍ୟ ଉପରେ ହିଁ ସର୍ବୋଦୟ ନାମକ ସେହି ସାମାଜିକ ଅନ୍ୟ ଆସ୍ପଦଟିର ପ୍ରତିଷ୍ଠା । ଏକାବେଳେକେ ଏକ ଅନ୍ୟ ପାରସ୍ପରିକତା–କେବଳ ବିଚାରରେ ନୁହେଁ, ବାସ୍ତବରେ ବି । ଆଦୌ କୌଣସି କାତରତା ଲାଗି ଅବକାଶ ହିଁ ନାହିଁ । ଉପରେ ଥାକଟାରେ ଏକ ଉଗ୍ରମନ୍ୟତାର କାତରତା ଏବଂ ତଳ ଥାକରେ ଏକ ହୀନମନ୍ୟତାର କାତରତା । ଏକାବେଳେକେ ତଥାକଥିତ ନେତା ଓ ତଥାକଥିତ କର୍ମୀବର୍ଗଙ୍କର ଦୈନନ୍ଦିନ ସମ୍ପର୍କଗୁଡ଼ିକର ସ୍ତରରୁ । ପ୍ରତ୍ୟେକ ସୈନ୍ୟବାହିନୀରେ ଯେଉଁଭଳି ଅନୁରୂପ ଏକ ଶୃଙ୍ଖଳା ରହିଥାଏ, ଆମ ସର୍ବୋଦୟ–ମେଳର ସୈନ୍ୟବାହିନୀରେ ମଧ୍ୟ ଗୋଟିଏ ଶୃଙ୍ଖଳା,–ସର୍ବୋଦୟ ଅନୁରୂପ ଏକ ଶୃଙ୍ଖଳା । ହଁ, ହିଂସା ତଥା ଅହିଂସା ଉଭୟ କ୍ଷେତ୍ରରେ ଅନୁରୂପ ଗୋଟିଏ ଗୋଟିଏ ଶୃଙ୍ଖଳା । ସର୍ବୋଦୟ ଯଦି ସତକୁ ସତ ସମସ୍ତଙ୍କୁ ନେଇ ଆପଣାକୁ କ୍ରିୟାନ୍ଵିତ କରେ, ତେବେ ସଂପୃକ୍ତ ସମସ୍ତଙ୍କର ଜଣେ ଆଉଜଣକ ପ୍ରତି ସମ୍ମାନ ରଖିଥିବା ସାବାଆଗ ଆବଶ୍ୟକ । ଯିଏ ବୟସରେ ଅଧିକ ବଡ଼, ସତକୁ ସତ ଅଧିକ ଅଭିଜ୍ଞ ଓ ତେଣୁ ଅଧିକ ଯୋଗ୍ୟ ଅର୍ଥାତ୍ ନେତୃସ୍ଥାନୀୟ, ସର୍ବୋଦୟରେ ତାଙ୍କର ବା ସେମାନଙ୍କର ଅଧିକ କର୍ତ୍ତବ୍ୟ । ସେମାନେ ତ ମାଆ ପରି, ବାପା ପରି ପଛରେ ରହିବେ ଏବଂ ଅନ୍ୟମାନଙ୍କୁ ତିଆରି କରି ନେଉଥିବେ । ଏହି ଅବର ଓ କନିଷ୍ଠମାନେ ସେମାନଙ୍କର ହିଁ କଥାମାନଙ୍କୁ ମାନନ୍ତୁ ବୋଲି ନୁହେଁ ସେମାନେ ମଧ୍ୟ ଗୋଡ଼ ଟାଣ କରନ୍ତୁ, ବିଶ୍ଵାସରେ ଦୃଢ଼ ହୁଅନ୍ତୁ ଏବଂ ଅଧିକ ଦାୟିତ୍ଵସମ୍ପନ୍ନ ଭାବରେ ନିଷ୍ପତ୍ତି ଗୁଡ଼ିକୁ କରି ପାରନ୍ତୁ । ପ୍ରକୃତରେ ଏକ ଅନ୍ୟ ଶ୍ରଦ୍ଧା, ଏକ ଅନ୍ୟ ଶୃଙ୍ଖଳା ।

 

ସର୍ବବିଧ ଅଧ୍ୟାତ୍ମରେ ତାହା ହେଉଛି ସବାଆଗର କଥା । ମଣିଷଟିଏ ପାଖରେ ପାଇଲେ ନ୍ୟାୟତଃ ଖୁସୀ ହିଁ ଲାଗିବ, ତାକୁ ଜଣେ ସାଥୀରୂପେ ଗଢ଼ି ନେବାକୁ ମନ ହେବ । ଏବଂ ସେହିପରି ପୂରା ଖୁସୀରେ । ଆଦର୍ଶବାଦୀ ବଡ଼ମାନେ ସେପରି କାହିଁକି କରି ନେଉଥାଆନ୍ତି । ତେଣୁ, ଆଦର୍ଶକୁ ମାନିବା ଅର୍ଥାତ୍ ସେହିମାନଙ୍କୁ ହିଁ ମାନିବାର ସେହି ହରକତାଟା ମଧ୍ୟରେ ଭାରି ଦୟନୀୟ ଭାବରେ ବାନ୍ଧି ହୋଇ ରହିଯାନ୍ତି । ଅନ୍ୟମାନଙ୍କ ପାଇଁ ନାନା ଗଞ୍ଜଣାର କାରଣ ହୁଅନ୍ତି । ମାନସ ଅଧ୍ୟୟନର ଏକ ସତ୍ୟାନୁମାନ ବି କହୁଛି ଯେ, ଯିଏ ନିଜ ଭିତରେ ଏକାଧିକ ପ୍ରକାରେ ନିଜକୁ ନ୍ୟୂନ ବୋଲି ଅନୁଭବ କରି ଆପଣା ସହିତ କଳହରତ ହୋଇ ରହିଥାଏ, ସିଏ ବାହାରେ ସତେଅବା କୌଣସି କ୍ଷତିପୂରଣ କରୁଥିବା ପରି ଆପଣାକୁ ଉଗ୍ର ବୋଲି ଦେଖାଏ; ଓ ଯିଏ ନିଜ ଭିତରେ କିଛି ଅବଦମିତ ଅତୃପ୍ତି ତଥା ନୈରାଶ୍ୟ ହେତୁ ନିଜ ସହିତ କଳହରତ ହୋଇ ରହିଥାଏ, ସେଇ ବାହାରେ ଖାଲି କଥା ମାନେ, ଅନୁଗତ ରହିଥାଏ । ଭିତରେ ଯେଉଁମାନଙ୍କୁ ତେଢ଼ି ଦେଉଥାଏ ବାହାରେ କେତେ ବାଧ୍ୟ ହୋଇ ଦେଖାଇ ହୋଇ ସତେଅବା ଏକ କ୍ଷତିପୂରଣ କରୁଥାଏ ଏହି ଉଭୟ ଦାଉରୁ ସୁସ୍ଥ ଭାବରେ ବାହାରି ଆସି ପାରିଲେ ଯାଇ ଆମେ ଅଧ୍ୟାତ୍ମ ନାମକ ସେହି ଅନ୍ୟଭଳି ସମ୍ପଦଟିର ଯୋଗ୍ୟ ହେଉ କି ? ନେତା ଯୋଗ୍ୟ ହୁଏ ଏବଂ କର୍ମୀମାନେ ଯୋଗ୍ୟ ହୁଅନ୍ତି-। ତେବେ ଲାଗି ଘରପରି ଘରଟିଏ ସମ୍ଭବ ହୁଏ । ନହେଲେ କାର୍ଯ୍ୟକ୍ରମମାନେ ଯାହାକୁ ଯେତେ ଲାଗି ରହିଥାଆନ୍ତି । କିନ୍ତୁ ବହୁତ କିଛି ମାରା ହୋଇ ଯାଉଥାଏ । ନିୟମମାନେ ଥାଆନ୍ତି,–ତଥାପି ମନୁଷ୍ୟମାନେ ପରସ୍ପର ପାଖରେ ଅସ୍ଵୀକୃତ ହୋଇ ରହିଥାଆନ୍ତି । ଭିଡ଼ ଲାଗିଯାଏ, ଭିଡ଼ ଭାଙ୍ଗେ-। ବିପ୍ଳବଟାଏ, ଆହ୍ଵାନଟାଏ ଆସେ ଏବଂ ଚାଲିଯାଏ । ଜଣେ ସନ୍ଥ ଆସନ୍ତି, ଆମ କବାଟ ଉପରେ ଆବାଜ ଦିଅନ୍ତି । ଆମେ ଆମ ବୁଝିବା ଅନୁସାରେ ଖୁବ୍ ମାତିଯାଉ ଏବଂ ପୁଣି ଥମିଯାଉ-। ଏବଂ, ବନ୍ଧୁ, ଯେଉଁ କୋଟି କୋଟି ସରଳ ମଣିଷଙ୍କ ମନରେ ଗୁଡ଼ିଏ ଆଶାର ଜାଗୃତି ଘଟାଉ । ସେମାନେ ବକା ହୋଇ ରହନ୍ତି । ପୁନର୍ବାର ଧୋକା ଖାଆନ୍ତି ।

 

ସ୍ଵାଧୀନ ଭାରତବର୍ଷରେ ନାନା ଅକାରଣ ହେତୁ ଏପରି ବାରମ୍ବାର ହୋଇଛି ଏବେ ମଧ୍ୟ କ’ଣ କମ୍ ହେଉଛି । ସୈନିକମାନେ ରହି ଯାଉଛନ୍ତି । ବାଣୀମାନେ ଫୁସ୍‌କି ଯାଉଛନ୍ତି । ଆମେ ତେଣୁ ପୁନର୍ବାର ସ୍ଵୀକାର କରିବା ଯେ ଆମର ଧ୍ୟେୟଗୁଡ଼ିକ ଅନୁସାରେ ଆମର ମାର୍ଗ ବା ମାର୍ଗମାନ । ଧ୍ୟେୟଟି ଯେଉଁ ସ୍ତରର, ମାର୍ଗଟି ମଧ୍ୟ ଧର୍ମତଃ ସେହି ସ୍ତରର । ଧ୍ୟେୟ ଅନୁସାରେ ନେତୃତ୍ଵ । ନେତୃତ୍ଵ ଇତ୍ୟାଦିର ମର୍ଜି ଅନୁସାରେ ମୋଟେ ନୁହେଁ । ସବାମୂଳ ମାର୍ଗଟି ହେଲା, ସର୍ବୋଦୟ ଆଦେଶ ଦେବନାହିଁ । ସର୍ବୋଦୟ ପ୍ରବର ଓ ଅବର ସମସ୍ତଙ୍କୁ ସହଯାତ୍ରୀ ଭାବରେ ଦେଖିବ । ଅର୍ଥାତ୍ ନେତୃତ୍ଵ ସହିତ ଭ୍ରାତୃତ୍ଵ ମଧ୍ୟ ରହିଥିବ । ଭ୍ରାତୃତ୍ଵ ନେତୃତର ପଥପ୍ରଦର୍ଶନ କରାଇବ । ନେତୃତ୍ଵ ମଧ୍ୟରେ ଭ୍ରାତୃତ୍ଵର ସହାବସ୍ଥାନ ନଥିଲେ ତାହା କେତେ କେତେ ସୂତରର କେତେବେଳେ ଏକ କର୍ତ୍ତୃତ୍ଵରେ ଯେ ପରିଣତ ହୋଇଯିବ, ସେକଥାଟିକୁ କେହି ବି ଜାଣି ପାରିବେନାହିଁ । ସମାଜବାଦ ଏବଂ ସର୍ବୋଦୟ–ଏହି ଉଭୟ କଳ୍ପନାଟିରେ ସର୍ବଦା ଭ୍ରାତୃତ୍ଵର ଏକ ବାସ୍ତବ ଅନୁଶୀଳନ ରହିବ ହିଁ ରହିବ । ପାଠ ପଢ଼ୁଥିବା ସମୟରେ ଇଂଲଣ୍ଡର ଜଣେ ପ୍ରଖ୍ୟାତ ଅଧ୍ୟାପକ ସମାଜବାଦକୁ ଭଗବାନଙ୍କୁ ଭ୍ରାତାରୂପେ ସ୍ଵୀକାର କରୁଥିବା ଏକ ଜୀବନଦର୍ଶନ ବୋଲି କହିଥିବାର ତାଙ୍କର ଗୋଟିଏ ବହିରୁ ଜାଣିବାକୁ ପାଇଥିଲି । ଭାରତବର୍ଷରେ ସର୍ବୋଦୟ ନାମକ ଏବର ଏହି ଆନ୍ଦୋଳନଟି ସେହି ଆଡ଼େ ଯଥେଷ୍ଟ ଧ୍ୟାନ ଦେଇ ପାରିଲାନାହିଁ ବୋଲି ଏଠାରେ ବହୁତ କିଛି ଭେଜାଲ ହୋଇଗଲା କି ? ନାନା ଆକସ୍ମିକତା ଓ ତାତ୍କାଳିକତାର ସୁଯୋଗ ନେଇ ସେଇ ପ୍ରଥମରୁ ହିଁ କେତେଜଣ ନେତା ହୋଇ ରହିଗଲେ ଏବଂ ହାଉଲେ ହାଉଲେ କର୍ତ୍ତୃତ୍ଵ ଆଡ଼େ ବି ହୁଡ଼ିଗଲେ । ହୁଏତ ଖୁସୀ ମଧ୍ୟ ପାଇଲେ । ସାଂଗଠନିକ ଯାବତୀୟ ଗଣ୍ଠିରେ ସେଇମାନେ ରହିଲେ । ଯାବତୀୟ ଅବସରରେ ସେଇମାନେ ହିଁ ନିର୍ଦ୍ଦେଶ ଦେଲେ,–ସତେଯେପରି ସଂପୂର୍ଣ୍ଣ ମେଳଟି ମଧ୍ୟରେ ଏକମାତ୍ର ସମ୍ଭ୍ରାନ୍ତ ବୋଲାଇଲେ । ଆମ ନିଜ ରାଜ୍ୟଟାରେ ସେହି କଥାଟି ଅପେକ୍ଷାକୃତ ଅଧିକ ମର୍ଯ୍ୟାଦା ଲାଭ କରିଥିଲା ଏବଂ ଏକମାତ୍ର ବାସ୍ତବତାରେ ପରିଣତ ହୋଇ ଯାଇଥିଲା । କିଛି ପାରିବାରିକତା–ଭାବର ମହୁପରଖ ହୁଏତ ମିଶ୍ରିତ ହୋଇ ରହିଥିଲା । ତେଣୁ ନିର୍ଭରଶୀଳତା ଅଧିକ ସାନ୍ଦ୍ରତାଯୁକ୍ତ ହୋଇପାରିଲା । ନିର୍ଭରଶୀଳତାକୁ ସତେଅବା ଏକ ଧର୍ମୀୟ ଆବଶ୍ୟକତା ପରି ବିବେଚନା କରାଗଲା । ଏବଂ, ଉପରର କର୍ତ୍ତାମାନେ ସେଥିରୁ ମଧ୍ୟ ବେଶ୍ ଉତ୍ସାହ ପାଇଥିଲେ । ଓଡ଼ିଶାରେ ସର୍ବୋଦୟ ମେଳର ଭିନ୍ନଭିନ୍ନ କର୍ମକ୍ଷେତ୍ର ଆମେ ସେହି ମୂଳ ଅବିଗୁଣଟିର କେତେ ନା କେତେ ଉଦାହରଣ ପାଇବା ।

 

ବିଗତ ବହୁ ଦଶକରୁ ଓଡ଼ିଶାରେ ଦୁଇଟି ଜାଗାରେ ସର୍ବୋଦୟର ଅନୁପ୍ରେରଣା ଭଳି ଭଳି କାର୍ଯ୍ୟକ୍ରମ ଚାଲି ଆସିଛି ଓ ରାଜ୍ୟର ବହୁତ ବିଶିଷ୍ଟ ମନୁଷ୍ୟଙ୍କର ଦୃଷ୍ଟି ଆକର୍ଷଣ କରିଛି ସେଥିରୁ ଏକ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ମୌଳିକ ଶିକ୍ଷା ଯାହାକୁ ମହାତ୍ମା ଗାନ୍ଧୀ ନଈ ତାଲିମ ବୋଲି କହିଛନ୍ତି । ନଈ ତାଲିମର ଏକ ବିଚାର ତାଙ୍କର ଅନ୍ଦାଜ ଭିତରକୁ ଆସିବା ପରେ ସିଏ ସବାଆଗ ସବୁଠାରୁ ଅଧିକ ନିର୍ଭରଶୀଳ ଭାବରେ ଜଣେ ଆପାଣାର ସ୍ଵତନ୍ତ୍ର ଶିକ୍ଷାପ୍ରୟୋଗ ଗୁଡ଼ିକ ଦ୍ଵାରା ପରୀକ୍ଷିତ ଶିକ୍ଷାବିତ୍ ଶ୍ରୀ ଜକିର ହୁସେନ୍‌ଙ୍କୁ ହିଁ ବିଶଦ ଭାବରେ ଏକ ଚିଠା ପ୍ରସ୍ତୁତ କରିବା ନିମନ୍ତେ ଅନୁରୋଧ କରିଥିଲେ; ଅନ୍ୟମାନେ ଅବଶ୍ୟ ଥିଲେ, କିନ୍ତୁ ଜକିର ହୁସେନ୍ ହିଁ ମଙ୍ଗ ଉପରେ ବସିଥିଲେ । ଜକିର୍ ହୁସେନ୍ କମିଟି ଏକ ରିପୋର୍ଟ ପ୍ରସ୍ତୁତ କଲା ଏବଂ ମହାତ୍ମା ଗାନ୍ଧୀଙ୍କର ସେବାଗ୍ରାମ ସମେତ ଦେଶର ସବୁଠାରେ ଏହି ନୂତନ ଶିକ୍ଷାର ପ୍ରୟୋଗ ଆରମ୍ଭ ହୋଇଥିଲା ସେହି ରିପୋର୍ଟ୍‌ଟିର ସୂଚନାଗୁଡ଼ିକ ଅନୁସାରେ । ଓଡ଼ିଶାରେ ଆଗ ନେତାମାନେ ବସି ଏଠାରେ ମଧ୍ୟ ପ୍ରୟୋଗଟି ହେଉ ବୋଲି ବାସନାମାନ ପ୍ରକଟ କରିଛନ୍ତି ଏବଂ ତା’ପରେ ଗୋଟାସୁଦ୍ଧା ସେହିମାନଙ୍କର ଅଭିଭାବକତ୍ଵରେ ଅନୁଷ୍ଠାନ ଦୁଇଟି ଆରମ୍ଭ ହୋଇ ଯାଇଛନ୍ତି । ସକଳ ମାମଲା ଏବଂ ମାମଲତରେ ସେହି ଗୁରୁଜନବର୍ଗ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ତ ଆହୁରି କେତେ କେତେ ପଦ ଓ ଦାୟିତ୍ଵରେ ରାଜ୍ୟସାରା ଭ୍ରମଣ କରିବାରେ ସର୍ବଦା ବ୍ୟସ୍ତ ରହିଛନ୍ତି । ଏବଂ ସେମାନେ ଆପେ ଶିକ୍ଷକ ହେବାର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ତେଣୁ, ଚଢ଼େଇଙ୍କ ପରି ହଠାତ୍ ନିଜ କେନ୍ଦ୍ରଗୁଡ଼ିକରେ ଆସି ପହଞ୍ଚି ଯାଇଛନ୍ତି–ବିଦ୍ୟାଳୟ କିପରି ଚାଲିଛି ବୋଲି ତରବର ହୋଇ କିଛି ଶୁଣିଛନ୍ତି,–ଆଉ କିଛି ପରାମର୍ଶ ଦେଇଛନ୍ତି ଏବଂ ପ୍ରସ୍ଥାନ କରିଛନ୍ତି ।

 

ସେହି ସମୟରେ ଲିଖିତ ଏକ ଅନୁଭବ–ଲିପି ଏବେ ଗ୍ରନ୍ଥ ଆକାରରେ ବାହାରି ଥିବାରୁ ସେହି ସମୟରେ କିଛି କିଛି ପରିଚୟ ପାଠକମାନଙ୍କୁ ଅବଶ୍ୟ ମିଳିଯାଉଛି ପ୍ରଥମ ଆଠବର୍ଷର ପ୍ରାଥମିକ ଶିକ୍ଷା ଅନ୍ତେ ଆହୁରି ଉପରକୁ କକ୍ଷାଗୁଡ଼ିକ ଖୋଲିବ କି ନାହିଁ ସେବିଷୟରେ ସବାଆଗ ଶିକ୍ଷକମାନଙ୍କ ସହିତ ନୁହେଁ, ସେହି ଅଣଶିକ୍ଷକ ନେତାବର୍ଗ ହିଁ ନିଜର ପରିଚିତ ବାହାରର ଆଉ କିଛିକୁ ନେଇ ଚର୍ଚ୍ଚାମାନ କରିଛନ୍ତି ଓ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସର୍ବଦା ତରବର ଭିତରେ ରହୁଥିବା କେନ୍ଦ୍ରାଧିପମାନେ ଯେତିକି ଅଳପ ସମୟ ଲାଗି ବସିଛନ୍ତି, ପ୍ରଦତ୍ତ ନିଷ୍ପତ୍ତିଗୁଡ଼ିକ କାହିଁକି କାର୍ଯ୍ୟକାରୀ ହୋଇନାହିଁ ବୋଲି ହୁଏତ ଅଧିକତର ଅବସରରେ ଶିକ୍ଷକମାନଙ୍କର ଭର୍ତ୍ସନା ମଧ୍ୟ କରାଯାଇଛି । ଏପରିକି ଜଣେ ପ୍ରବୀଣ ଶିକ୍ଷାବିତ୍ ସହକର୍ମୀ ଆଗକୁ ଉଚ୍ଚତର ଶିକ୍ଷାଶ୍ରେଣୀ ଗୁଡ଼ିକ ନଖୋଲୁ ବୋଲି ମନ୍ତବ୍ୟ ଦେଇଥିଲେ ମଧ୍ୟ ତଥାପି ପ୍ରାୟ କୌଣସି ସପତ୍ନୀଧର୍ମୀୟ ସ୍ଵାଭିମାନରେ ସମାନ୍ତର ଭାବରେ ତାହା ଖୋଲାଯାଇଛି । ଅତ୍ୟନ୍ତ ବିଡ଼ମ୍ବନାର କଥା ଯେ ରାଜ୍ୟରେ ବହୁ ନିଷ୍ଠା ସହକାରେ ସ୍ଥାପିତ ଏହି ଦୁଇଟିଯାକ ଶିକ୍ଷାନୁଷ୍ଠାନକୁ ସତେଅବା ପରସ୍ପରଠାରୁ ଦୂରରେ ରଖିବାପାଇଁ ପ୍ରୟାସ କରାଯାଇଛି; ଗୋଟିଏର ଶିକ୍ଷକ ଅନ୍ୟଟିକୁ ଯାଆନ୍ତୁ ଦେଖନ୍ତୁ ଏବଂ ମିଳିତ ଆଲୋଚନା ଦ୍ଵାରା ସମାଧାନ ଇତ୍ୟାଦି ବାହାର କରନ୍ତୁ ବୋଲି କୌଣସି ପାର୍ଶ୍ଵର କର୍ତ୍ତାମାନେ କେବେହେଲେ ଇଚ୍ଛା କରିନାହାନ୍ତି । ଭୟ କରିଛନ୍ତି କି ? ଏବଂ, ଗୋଟିଏ କେନ୍ଦ୍ରର ଛାତ୍ରଛାତ୍ରୀ ଆର କେନ୍ଦ୍ରଟିରେ ଯାଇ କିଛି ଦିନ କଟାଇବେ ଏବଂ ଏହିପରି ଏକ ଆଦାନପ୍ରଦାନ ଦ୍ଵାରା ସବାଆଗ ଶିକ୍ଷା ହିଁ ଉପକୃତ ହେବ ବୋଲି ସେହି ମହାନ୍ ମତିମାନେ ଆଦୌ କିପରି ବା ବୁଝି ପାରିଥାନ୍ତେ ! ହଁ, ଆଉଥରେ ପୁଣି ଓଡ଼ିଶାରେ ମୌଳିକ ଶିକ୍ଷାର ଗୋଟିଏ ବିଶ୍ଵାବିଦ୍ୟାଳୟ ମଧ୍ୟ ଖୋଲାଯିବା ବିଷୟରେ କିଛି କଳ୍ପନା ଓ କଳ୍ପନା କରା ଯାଇଥିଲା । ଦୁଇଟି ମଧ୍ୟରେ କୌଣସି ଗୋଟିଏ ଶିକ୍ଷାଳୟରେ ନୁହେଁ, ପୁରା କଟକ ସହରରେ । ଆହୂତ ଅଧିକାଂଶ ହେଉଛନ୍ତି ଅଣଶିକ୍ଷକ, ଏବଂ ତଥାକଥିତ ଶିକ୍ଷା–ଆଗ୍ରହୀ । ମୋତେ ବି ଡକା ଯାଇଥିଲା । ମୁଁ ସେହି ସଦିଚ୍ଛୁମାନଙ୍କର ଗହଣରେ ବସି ଭାବୁଥିଲି, ଏହି ସର୍ବୋଦାୟଭାବାପନ୍ନ କେତେକ ଅତିହକହକ ବ୍ୟକ୍ତି ମୌଳିକ ଶିକ୍ଷାକୁ ସରକାର ହାତକୁ ଟେକିଦେଇ ସବୁକିଛିକୁ ଗୋବର ହୋଇଯିବାରେ ଯେ ପୃଷ୍ଠାପୋଷକତା କରିଛନ୍ତି, ସେମାନେ କ’ଣ ସେତିକି ଜାଣି ପାରିନାହାନ୍ତି ? ଦେଶର ସ୍ଵାଧୀନତା ପରେ ଖୋଦ୍ ସରକାର ହିଁ ଅଧିକରୁ ଅଧିକ ଅଶାଳୀନତା ପ୍ରଦର୍ଶନ କରି ତ ଗୋବର ହେବାରେ ଲାଗିଛନ୍ତି । ସେମାନେ ଏହି ଶିକ୍ଷାଟାକୁ ଗୋବର ବ୍ୟତୀତ ଆଉ ବି କ’ଣ କରି ପାରିଥାଆନ୍ତେ ! ସେଦିନର ମେଳଟିରେ ବସି ସେହି ପ୍ରେମୀମାନେ ହେଲେ ସେଇଟି ବିଷୟରେ କିଛି କଥା ପକାଇଥାଆନ୍ତେ !

 

ଉକ୍ତ ଅନୁଭବ–ଲିପିରେ ଥିବା ଆଉ ଗୋଟିଏ ଘଟଣା ଏଠାରେ ମନେ ପଡ଼ୁଛି । ସେହି ଘଟଣାଟି ସହିତ ମୁଁ ନିଜେ ମଧ୍ୟ କେତେକେ ଅର୍ଥରେ ସଂପୃକ୍ତ ହୋଇ ରହିଛି । ୧୯୫୭ ମସିହାର ଆରମ୍ଭରୁ ବିନୋବାଜୀ ବର୍ଷଟିକୁ ଭୂକ୍ରାନ୍ତି–ବର୍ଷ ବୋଲି ଘୋଷଣା କଲେ । ବରୀ–ରାମଚନ୍ଦ୍ରପୁରର କର୍ତ୍ତାମାନେ ବିଦ୍ୟାଳୟରେ ସର୍ବୋଚ୍ଚ କକ୍ଷାର ଛାତ୍ରମାନେ ଏହି ବର୍ଷଟି ପଢ଼ା ବନ୍ଦ କରି କୋରାପୁଟ ଜିଲ୍ଲା ଯିବେ ଓ ସେଠାରେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି କଲେ । ବିଦ୍ୟାଳୟର ଶିକ୍ଷକଗଣଙ୍କୁ ସାଙ୍ଗରେ ବସାଇ ପ୍ରକୃତରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନଥିବ । ସେମାନଙ୍କୁ ନିଷ୍ପତ୍ତିଟି ଶୁଣାଇ ଦିଆଯାଇଥିବ ଓ ସେହି ଅନୁସାରେ କାର୍ଯ୍ୟ ହୋଇଥିବ । ସେଠାରେ ପିଲାମାନେ କୋରାପୁଟ ଗଲେ । ତା’ପରେ ନ୍ୟାୟତଃ ଆମ ଜୀବନ–ବିଦ୍ୟାଳୟର ପାଳି ଆସିଲା । ମୋତେ ପଚାରାଯିବାରୁ ମୁଁ ଉତ୍ତର ଦେଇଥିଲି ଯେ, ସବା ଉପର ବର୍ଷର ଛାତ୍ରମାନଙ୍କୁ ୧୮/୧୯ ବା ତତୋଧିକ ବୟସ ହୋଇ ସରିଲାଣି । ସେମାନେ ସାବାଳକ ହେଲେଣି । ସେମାନେ ଯଦି ଇଚ୍ଛା କରୁଥିବେ, ତେବେ ନିଶ୍ଚୟ କୋରାପୁଟ ଯିବେ । ଅର୍ଥାତ୍ ସେମାନଙ୍କୁ ବସାଇ ଚର୍ଚ୍ଚା ହେଉ ଏବଂ ସେହି ଅନୁସାରେ କାର୍ଯ୍ୟାନୁଶୀଳନ ବି ହେଉ । ପିଲାଏ କାଳେ ମୋ’ ପ୍ରଭାବରେ ପଡ଼ିଯିବେ, ସେହି ଦୃଷ୍ଟିରୁ ମୁଁ ଚର୍ଚ୍ଚାଟିରେ ଅନୁପସ୍ଥିତ ରହିବି ବୋଲି ପ୍ରସ୍ତାବ ଦେଇଥିଲି । ତାହାହିଁ ହେଲା । ଓଡ଼ିଶାର ନେତା ତଥା କର୍ତ୍ତାମାନଙ୍କ ସହିତ ସେବାଗ୍ରାମର ଶ୍ରୀମତୀ ଆଶା ଦେବୀ ଆର୍ଯ୍ୟନାୟକମ୍ ମଧ୍ୟ ଚର୍ଚ୍ଚାରେ ଥିଲେ ଏବଂ ଏଡ଼େବଡ଼ ଗୋଟିଏ ଆହ୍ଵାନର ଜବାବ ଦେଇ ପିଲାମାନେ ବର୍ଷଟିଏ କୋରାପୁଟ ଯାଆନ୍ତୁ ବୋଲି ବୁଝାଇଥିଲେ । ଚର୍ଚ୍ଚା ଅନ୍ତେ ଜାଣିଲି ଯେ ପିଲାମାନେ ସେହି ବଡ଼ମାନଙ୍କର କଥାରେ ରାଜୀ ହୋଇନଥିଲେ । ସେହି ପିଲାଙ୍କ ତୁଣ୍ଡରୁ ଜାଣିଲି ଯେ, ଆମେ ଏବେ ବିଦ୍ୟାର୍ଥୀ ଭାବେ ବିଦ୍ୟାର୍ଜନ କରୁଛୁ, ପୃଥିବୀକୁ ଅନ୍ତରଙ୍ଗ ଭାବରେ ଜାଣୁଛୁ, ଯେପରି କି ବଡ଼ ହୋଇ ଏକ ଅଧିକ ମନୁଷ୍ୟଯୋଗ୍ୟ ସମାଜଗଠନରେ ଅଂଶଗ୍ରହଣ କରିପାରିବୁ । ତେଣୁ, ବର୍ତ୍ତମାନ ଆମର ଏହି ଗଢ଼ି ହେଉଥିବାର ଅବସ୍ଥାରେ ଆମେ ଆଉ କେଉଁଠାକୁ ଗଲେ ସେଠା କାର୍ଯ୍ୟରେ ପୂର୍ଣ୍ଣ ଆତ୍ମାବିଶ୍ଵାସ ସହିତ ବେଶୀ କିଛି କାର୍ଯ୍ୟ କରି ପାରିବୁନାହିଁ । ସେମାନଙ୍କ ମଧ୍ୟରେ ଜଣେ ବା ଦୁଇଜଣ ଏପରି ମଧ୍ୟ କହିଥିଲେ ଯେ, ସନ୍ଥ ବିନୋବା ତ ତାଙ୍କ ତରୁଣ ଅବସ୍ଥାରେ ଏକନିଷ୍ଠ ହୋଇ ନାନା ଜ୍ଞାନ ଅର୍ଜନ କରିବାରେ ମନୋନିବେଶ କରିଥିଲେ ଏବଂ ତା’ପରେ ଯାଇ ତଦ୍ଦ୍ଵାରା ଅର୍ଜିତ ପ୍ରତ୍ୟୟଗୁଡ଼ିକୁ ନେଇ ସଂସାରକୁ ବାହାରିଥିଲେ । ହଁ, ସେହି ଛାତ୍ରଛାତ୍ରୀ ମେଳରେ ସେଦିନ ଶ୍ରୀମତୀ ମାଳତୀ ଚୌଧୁରୀ ଓ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କର କନିଷ୍ଠା କନ୍ୟା କୃଷ୍ଣା ମଧ୍ୟ ଉପସ୍ଥିତ ଥିଲା ଏବଂ ଚର୍ଚ୍ଚାରେ ସକ୍ରିୟ ଅଂଶଗ୍ରହଣ କରିଥିଲା ।

 

ଅବର ଏବଂ ପ୍ରବରମାନଙ୍କ ମଧ୍ୟରେ ବ୍ୟବଧାନ ରହିଥିବା ପର୍ଯ୍ୟନ୍ତ ସର୍ବୋଦୟ ଅସଲ ପ୍ରାଣାବେଗଗୁଡ଼ିକ ମୋଟେ ଭିତରକୁ ପଶି ପାରନ୍ତିନାହିଁ । ସକଳବିଧ ସଂସ୍ଥାରେ ତ ପ୍ରବରମାନେ ସଂଖ୍ୟାରେ ଅଳପ ଓ ଅବରମାନେ ହିଁ ଅଧିକ । ପ୍ରବରମାନେ ନିର୍ଦ୍ଦେଶ ଦିଅନ୍ତି ଓ ଯାବତୀୟ ଫଳସିଦ୍ଧି ନିମନ୍ତେ ସେହି ଅବର ପକ୍ଷଟି ଉପରେ ନିର୍ଭର କରନ୍ତି । ତେବେ ମେଳଟି ମଧ୍ୟରେ ମୁଖ୍ୟତଃ ଏକ ସହଯାତ୍ରିତ୍ଵର ସହଜତା ସୃଷ୍ଟି କରିବାରେ ଏତେ କାର୍ପଣ୍ୟ କାହିଁକି ଦେଖାନ୍ତି ? ପ୍ରବରମାନେ ସମ୍ଭବତଃ ସ୍ଵୟଂ ଅନ୍ତର୍ଗତଭାବେ ସହଜ ହୋଇଥିଲେ ପ୍ରକୃତରେ କେତେ କ’ଣ ସାଧ୍ୟ କରି ନପାରନ୍ତେ ଏବଂ କନିଷ୍ଠମାନଙ୍କୁ କେତେ କେତେ ଆତ୍ମୀୟତା ଦ୍ଵାରା ବାନ୍ଧି ନରଖନ୍ତେ ! ସେହି ଅନୁଭବ–ଲିପିରେ ଜଣେ ଉତ୍ସର୍ଗୀକୃତ କର୍ମୀଙ୍କର ସମ୍ଭବତଃ ସେଇଥିଲାଗି ଏପରି ଖେଦୋକ୍ତିଟିଏ ଦେଖିବାକୁ ମଧ୍ୟ ମିଳିବ: ‘ଗ୍ରାମସେବକ’ ପତ୍ରିକାର କାର୍ଯ୍ୟଟିକୁ ତାଙ୍କର ନିଜର ବୋଲି, ସେ ଯେତେ ଚେଷ୍ଟା କଲେ ସୁଦ୍ଧା, ଭାବି ପାରୁନାହାନ୍ତି । କାରଣ ଶ୍ରୀ–ଙ୍କର ଖିଆଲରେ ସବୁ ହେଉଥିବାରୁ ଅନ୍ୟମାନେ ନିଜର ଦାୟିତ୍ଵ ଉପଲବ୍ଧି କରୁନାହାନ୍ତି । ସିଏ ଆଉ ମଧ୍ୟ କହିଲେ ଯେ, ତାଙ୍କର ଇଚ୍ଛା ହେଉଛି ଯେ ସେ ଅନ୍ୟ କାହାରି (ଗୁରୁଜନମାନଙ୍କର) ସାହାଯ୍ୟ ନନେଇ ନିଜେ ଚଳନ୍ତେ ଓ ନିଜର ପୂରା ଇଚ୍ଛାରେ କାର୍ଯ୍ୟ କରନ୍ତେ । ଏହାର ସପ୍ତାହେ ପୂର୍ବରୁ ସେହି ବନ୍ଧୁ ଏପରି ମଧ୍ୟ କହିଥିବାର ସେହି ଲିପିରେ ଉଲ୍ଲେଖ ରହିଛି : ଆମର ସହକର୍ମୀମାନେ କେମିତି କାହାର ଗୋଟିଏ ଗୋଟିଏ କଥାର ଭୁଲ ବୁଝୁଛନ୍ତି : ଏବଂ ଆମେ ସମସ୍ତେ ଆମର ଚଳିବାକୁ ଟଙ୍କାପଇସା ପାଇଁ କିପରି ଗୁରୁଜନମାନଙ୍କ ଉପରେ (ସେମାନଙ୍କ ଦ୍ଵାରା ଚାନ୍ଦାସଂଗ୍ରହ ଉପରେ) ନିର୍ଭର କରୁଅଛୁ, ତାହା (ସିଏ) ମନ ଖୋଲି କହିଲେ । ଚାଲ, ଆମେ ଏହି ପୃଥିବୀର ସ୍ଵୟଂ ବିଧାତାଙ୍କୁ ହିଁ ପଚାରିବା, ଯେଉଁଠି ନେତା ଏବଂ କର୍ମୀ ମଧ୍ୟରେ ଏତେ ଏତେ ଖେଦ ରହିଥାଏ, ଯେଉଁଠାରେ ତଳ ପକ୍ଷଟି ନିର୍ଭରଶୀଳ ହୋଇ ପଡ଼ିଥାଏ ଓ ଉପରଟା ନିର୍ଦ୍ଦେଶ ଦେଉଥାଏ, ଯେଉଁଠି ଶିକ୍ଷକ ଉପରେ ଥାଇ ସବୁଯାକ ମାର୍ଗକୁ ଆଣି ମାଡ଼ିଦିଏ ଏବଂ ବିଦ୍ୟାର୍ଥୀଗଣ ଯାବତୀୟ ଖେଦଗତ ସନ୍ତପ୍ତତା ସତ୍ତ୍ୱେ ତଥାପି ଖାଲି ଶୁଣନ୍ତି ଏବଂ ତୁଣ୍ଡ ଖୋଲି ପାରନ୍ତିନାହିଁ, ସେଠାରେ ସିଏ ନିଜେ ମଧ୍ୟ ଆଉ ମନୁଷ୍ୟମାନଙ୍କର ଉଦୟ ବିଷୟରେ ଆଦୌ କିପରି ଆଶା କରିପାରିବେ ?

 

କେବଳ ସର୍ବୋଦୟ ନୁହେଁ, ବହୁ ସାଧୁତା ଏବଂ ସଂକଳ୍ପର ସହିତ ସକଳ ମନୁଷ୍ୟଙ୍କୁ ଏକ ଅନ୍ୟ ଦର୍ପଣର ମାଧ୍ୟମରେ ଏକତ୍ର ଦେଖି ପ୍ରଚାରିତ ହୋଇଥିବା ଆମ ପୃଥିବୀର କେତେ କେତେ ଆଦର୍ଶ ଅର୍ଥାତ୍ କେତେ କେତେ ଆହ୍ଵାନ ଏହିପରି ଯୁଗ ଯୁଗ ଅବଧି ମାଡ଼ ଖାଇ ଯାଉଛି କି-? ତଳଟା ପ୍ରସ୍ତୁତ ଅଛି ଏବଂ ଉପରଟି ଉପରେ ପୂର୍ଣ୍ଣ ଆସ୍ଥା ସ୍ଥାପନ କରି ଖୋଜମାନ ପକାଇ ବାହାରିବ ବୋଲି ସଜ ହୋଇଯାଉଛି । କିନ୍ତୁ ଉପରଟା ହିଁ ଯୋଗ୍ୟ ହୋଇ ପାରୁନାହିଁ, ତା’ଉପରେ ଆସ୍ଥା କରିଥିବା ଲୋକ ଆକାଙ୍‌କ୍ଷାଟି ସହିତ ସାମିଲ ହୋଇ ପାରୁନାହିଁ । ଆପଣାକୁ ସତେଅବା ଏକ ଖାସ୍ ଆତ୍ମା ବୋଲି ବିଚାରୁଛି, ସତେଅବା କୌଣସି ସାମ୍ରାଜ୍ୟର ଅଧୀଶ୍ଵର ବୋଲି ମାନୁଛି-। ନାଇଁ, ସିଏ ହେଉଛି ଅଧିକ ଯୋଗ୍ୟ, ସତେଅବା ଘରଟା କେବଳ ତାହାରି ଓ ତେଣୁ ସେଇ କହିବ ଏବଂ ବାକିମାନେ ତା’କଥା ମାନିବେ । ପ୍ରକୃତରେ ଏକ ଘୋର ବିଡ଼ମ୍ବନାଟିଏ, ସମଗ୍ର ପୃଥିବୀର ନିୟତି ପାଇଁ ବୃହତ୍ ଦୁର୍ଭାଗ୍ୟ । ସେହି ଦୁର୍ଭାଗ୍ୟ ହେତୁ କାଳେ କାଳେ ବହୁ ସତ୍ୟକୁ ଖଞ୍ଜ କରି ରଖି ଦିଆଯାଇଛି କି ? ଏବଂ, ସମ୍ଭବତଃ ସେହି ଚକ୍ରାନ୍ତରେ କେତେ ନା କେତେ ଅବଶ୍ୟମ୍ଭାବୀ ପରିଣାମକୁ ବଙ୍କା କରିଦିଆ ଯାଇଛି । କେତେ ଖାସ୍ ମଣିଷଙ୍କ ଭିତରେ କୋଉଠି କ’ଣ ସବୁ ପୋକ ରହିଥାନ୍ତି କେଜାଣି, ସେମାନେ ସତେ ଯେପରି ସିଆଡ଼ୁ ହାତୀ ଉପରେ ବସି ଆସନ୍ତି, ନେତା ବନି ଖାଲି ନିର୍ଦ୍ଦେଶ ଦିଅନ୍ତି, ଗଉଁତିଆ ବନି ବୋଲି ବଖାଣନ୍ତି ଏବଂ ନୀତି ବଖାଣି ଶାସନ କରନ୍ତି-। ତ୍ୟାଗରେ, ତା’ପରେ ଏବଂ ବାକ୍ୟ–ସାମର୍ଥ୍ୟରେ ଅବରମାନଙ୍କ ଆଖିରେ ଯୁଗପୁରୁଷ ଭଳି ଦିଶନ୍ତି ବଶ କରି ରଖନ୍ତି ଏବଂ ଯୁଗଟାକୁ ଗଡ଼ାଇ ଦେବାରେ ଲାଗିଥାନ୍ତି । ଆମର ଏହି ଭାରତବର୍ଷରେ କେତେ କେତେ ଉଦ୍‌ବେଳନର କ୍ଷେତ୍ରରେ ଏହିପରି ଇସ୍ପିତ ବହୁ ବହୁ ସକାଳକୁ ବସ୍ତୁତଃ ଗଡ଼ାଇ ଦିଆଯାଇ ଆସିଛି ଏବଂ ତେଣେ ନେତାଗଣ ପୂଜା ପାଇ ଆସିଛନ୍ତି । ତଳଟା ତଥାପି ତଳେ ରହିଛି ଏବଂ ଜଣେ ନେତା ବିଫଳ ହେଲେ ଆଉ କେଉଁ ନେତା ଲାଗି ଅପେକ୍ଷା କରି ରହୁଛନ୍ତି । ବିପ୍ଲବ ପରେ ବିପ୍ଲବ ଆସୁଛି ଓ ବିପ୍ଲବ ଗଡ଼ି ଗଡ଼ି ଯାଉଛି । ଆହ୍ଵାନ ପରେ ଆହ୍ଵାନ ଆସୁଛି, ଏବଂ ନେତାମାନେ ଆମକୁ କେଡ଼େ ସୁଯୋଜିତ ଭାବରେ ବାଆଁରେଇ ନେଉଛନ୍ତି । ଏହି ଦେଶରେ, ଏବଂ ତେଣୁ ଏହି ରାଜ୍ୟରେ ଯେ ଖାଲି ନେତାମାନେ ଆମକୁ ନଚାଇବେ ଓ ଅଟକାଇ ରଖିବେ ଏବଂ କୋଟି କୋଟି ସତକୁ ସତ ମଣିଷ ଯେ ତଥାପି ସବୁରକରି ରହିଥିବେ, ଆମ ଭବିଷ୍ୟତର ରଜ୍ଜୁଗୁଡ଼ିକୁ ହାତରେ ଧରିଥିବା ଆମ ଠାକୁରମାନେ ତାହାକୁ କେବେହେଲେ ଗୋଟାଏ ଉତ୍ତମ ରୀତି ବୋଲି କହିବେ ନାହିଁ ।

 

ପ୍ରକରଣଟିର ଉପସଂହାର କରି ଆଣି ଆମେ ଏହି ଭାଗରେ ଆଲୋଚିତ ହୋଇଥିବା ମୂଳର ସେହି ତିନୋଟି କଥା ସାଧ୍ୟ ଓ ସାଧନ, ହିଂସା ଓ ଅହିଂସା ଏବଂ ନୀତି ଏବଂ ଅନୀତି ଉପରେ ଆଉ ଟିକିଏ ଆଖି ବୁଲାଇ ଆଣିବାକୁ ଚେଷ୍ଟା କରିବା । ସାଧ୍ୟ ଅର୍ଥାତ୍ ଅନୁସାରେ ସାଧନ ଅର୍ଥାତ୍ ମାର୍ଗ ଭିନ୍ନ ଭିନ୍ନ । ହିଂସା ଏବଂ ଅହିଂସା, ଏମାନେ ମାର୍ଗ । ଏବଂ, ପୁନଶ୍ଚ ମାର୍ଗ ଅନୁସାରେ ଆମର ନୀତି ତଥା ଅନୀତି । ଖୁବ୍ ସମ୍ଭବ ସେହି ଅନୁସାରେ ଆମ ସେକାଳର ଶାସ୍ତ୍ର ଅନୁସାରେ ଧର୍ମ ଏବଂ ଅଧର୍ମର ବିବେଚନା ମଧ୍ୟ କରାଯାଇଛି । ଯଦି ସାଧ୍ୟ ଉତ୍ତମ ହୁଏ, ତେବେ ସାଧନଗୁଡ଼ିକ ମଧ୍ୟ ଉତ୍ତମ ହେବା ଉଚିତ ବୋଲି ଆମ ବିବେକୀମାନେ ସବୁକାଳେ କହି ଆସିଛନ୍ତି । ମଣିଷମାତ୍ରେ ସମସ୍ତେ ସୁଖରେ ରହିବେ, ଅର୍ଥାତ୍ ଅନ୍ନବ୍ୟବସ୍ଥାକ୍ଷେତ୍ରର ଯଥାନୁରୂପ ଏକ ସମାଧାନ ହୋଇ ପାରିଥିବ, ପ୍ରତ୍ୟେକ ମନୁଷ୍ୟ ଅନ୍ୟ ସବୁ ମଣିଷଙ୍କ ପରି ନିଜ ଜୀବନର ଅଧିକରୁ ଅଧିକ ବିକାଶର ସୁଯୋଗ ଲାଭ କରୁଥିବେ, ମନୁଷ୍ୟମାତ୍ରେ ପ୍ରତ୍ୟେକ ମନୁଷ୍ୟର ହିଁ ସମ୍ମାନ ପାଇବେ,–ତେଣୁ ଅସମାନତା ଯିବ, ଅନ୍ୟାୟ ଯିବ, ବଡ଼ସାନ, ଉଚ୍ଚନୀଚ ଭେଦ ରଖୁଥିବା ଯାବତୀୟ ଅପପରମ୍ପରାର ଅବସାନ ଘଟିବ,–ଏହି ଲକ୍ଷ୍ୟଟିକୁ କିଏ କାହିଁକି ଉତ୍ତମ ବୋଲି ନକହିବ ! ଏବଂ ଏଥିପାଇଁ ଏକ ସ୍ପଷ୍ଟ ଅର୍ଥାତ୍ ହୃଦୟ ତଥା ବୁଦ୍ଧି ଦ୍ଵାରା ସମର୍ଥିତ ମାର୍ଗ ମଧ୍ୟ ଅବଶ୍ୟ ଏକ ଉତ୍ତମ ମାର୍ଗ । ଏବଂ, ତଥାକଥିତ ଉତ୍ତମ ମାର୍ଗଟିଏ ଆମେ ପାଇନାହୁଁ ବୋଲି ନାନା ଉପେକ୍ଷା ଓ ଅବଜ୍ଞାକୁ ସ୍ଵୀକାର କରିନେଇ ଅପେକ୍ଷା କରିବାକୁ ଆଦୌ ଏକ ଉତ୍ତମ ବିବେକ ବୋଲି କୁହାଯିବ କି ? ଆହୁରି ଅଧିକ ବିଚାରର ବିଷୟ ହେଉଛି ଯେ ଭଲରେ, ଏବଂ ବହୁ ସୁଯୋଗ ମଧ୍ୟରେ ରହିଥିବା ମଣିଷମାନେ ସେତେ ଉତ୍ତମ ମାର୍ଗଟିଏ ମିଳିନାହିଁ ବୋଲି ଖାଲି ସମୟମାନଙ୍କୁ ଗଢ଼ାଇ ଦେବାରେ ଲାଗିଛନ୍ତି ବୋଲି ତଳର କୋଟି କୋଟି ବଞ୍ଚିତ ମନୁଷ୍ୟ ତେଣୁ ଅପେକ୍ଷା ବି କରି ରହିବେ ଏବଂ ଜଣେ ଜଣେ ମଣିଷ ହୋଇଥିଲେ ମଧ୍ୟ ତଥାପି ବାବୁମାନେ ଓ ବଡ଼ମାନେ ଉଚିତ ବାଟଟିଏ ପାଇନାହାନ୍ତି ବୋଲି ନୀରବ ଏବଂ ନିଷ୍କ୍ରିୟ ହୋଇ ରହିଯିବେ କି ?

 

ଅହିଂସା କେବଳ କୌଣସି ଲକ୍ଷ୍ୟ–ସାଧନର ମାର୍ଗ ନୁହେଁ, ଅହିଂସା ହେଉଛି ଏକ ଜୀବନମାର୍ଗ, ପୂର୍ଣ୍ଣଶ୍ରଦ୍ଧାର ଏକ ମାର୍ଗ । ସକଳ ମନୁଷ୍ୟଙ୍କର ସୁଖକାମନା କରିବାର ମାର୍ଗ: ଖାଲି କାମନାଟିଏ କରି ତୁଷ୍ଟ ହୋଇ ରହିବାର ମାର୍ଗ ନୁହେଁ, ସେହି ଅନୁସାରେ ନିଜର ଜୀବନଟିରୁ ବଞ୍ଚିବାର ଏକ ମାର୍ଗ । ଏବଂ, ଆହୁରି ଆଗକୁ ଯାଇ, ସବୁ ମନୁଷ୍ୟ ଯେପରି ଏକ ପରସ୍ପର–ପରିପୂରକ ସାମାଜିକ ଜୀବନ ମଧ୍ୟରେ ପରସ୍ପର ମଧ୍ୟରେ ସର୍ବୋତ୍ତମ ଗୁଣଗୁଡ଼ିକର ସ୍ପର୍ଶ ପାଉଥିଲା ପରି ଅବସ୍ଥାନ କରିପାରିବେ, ସେହିପରି ଏକ ସକ୍ରିୟ ଆସ୍ପୃହା । ତେଣୁ, ସମ୍ମିଳିତ ଭାବରେ ସତ୍ୟରେ ରହିବାରେ ଗୋଟିଏ ନିତ୍ୟପ୍ରାସଙ୍ଗିକତା । ଅର୍ଥାତ୍, କେବଳ ଏକ ମାର୍ଗ ହିସାବରେ ଏ ନୀତି ଏବଂ ସେ ନୀତି ନାମକ କେତେଟା ଆଚାରକୁ ନେଇ ପଡ଼ି ରହିବାର ଏକ ସ୍ଥାଣୁତା ମଧ୍ୟ ନୁହେଁ, ଏକ ସତ୍ୟର ଆଗ୍ରହରେ ଏକ ସମଧର୍ମୀ ମେଳଦ୍ଵାରା ଅସତ୍ୟ, ଅବିଚାର ତଥା ଅସମାନତର ପ୍ରତିରୋଧ । ଯଥାର୍ଥ ନୀତିଟିଏ ମିଳି ପାରିନାହିଁ ବୋଲି ଯେତେ ସାଧୁତା ସହିତ କିଛି ନକରି ଚଳନ୍ତି ଅନ୍ୟାୟଗୁଡ଼ିକୁ ବାଟ ଛାଡ଼ିଦେବା ଏବଂ ହୁଏତ ତଦ୍ଦ୍ଵାରା ପରୋକ୍ଷ ଭାବରେ ସେହି ପୁରୁଣା ଦୁଷ୍ଟ ବ୍ୟବସ୍ଥାଟିରୁ କିଛି ପରିଣାମରେ ଉପକୃତ ହେବା,–ହେ ବନ୍ଧୁମାନେ, ତାହା ଅହିଂସା ନୁହେଁ, ହିଂସା । ସେଇଥିଲାଗି ହିଁ ସତ୍ୟାଗ୍ରହ । ପ୍ରତିଷ୍ଠିତ ଯାବତ ଅନ୍ୟାୟକୁ ଚ୍ୟାଲେଞ୍ଜ୍ କରି ଏକ ଭୟମୁକ୍ତ ସଂପୂର୍ଣ୍ଣ ସଂଗ୍ରାମ,-କାହାକୁ ଠେଙ୍ଗା ଉଠାଇ ନୁହେଁ, ଠେଙ୍ଗା ଖାଇ, ମଣିଷ ହାଣି ନୁହେଁ, ସେହିପରି ଏକ ଅତୁଟ ସଂକଳ୍ପରେ ଆପେ ହାଣ ଖାଇ ଓ ପ୍ରାଣପାତ କରି । ନିଷ୍କ୍ରିୟ ରହିବା ଏବଂ ତାହାକୁ ନୀତି ବୋଲି କହିବା ସେଇଟି ଭୀରୁତା । ତେଣୁ, ସବାଆଗ ଅମୁକ ନୀତି କିମ୍ବା ସମୁକ ନୀତି ନୁହେଁ, ଆଗ ଏକ ଯାଥାର୍ଥ ସାହସ, ଅର୍ଥାତ୍ ସାହସିକତା । ଅନ୍ୟମାନେ ଅବାଟରେ ଯାଉଛନ୍ତି, ମୁଁ ବାଟ ପରି ବାଟଟିଏ ଗ୍ରହଣ କରି ନଥିବାରୁ ନିଷ୍କ୍ରିୟ ହୋଇ ରହିଛି, ତାହା ଭୀରୁତା । ଭୀରୁମାନେ ସତେଅବା ଏକ ଆତ୍ମ–ଅପାରଗତାରା ସନ୍ତାପ ଭିତରେ ପଡ଼ି ଅନ୍ୟମାନେ ଉଚିତ ଲକ୍ଷ୍ୟରେ ରହିଥିଲେ ମଧ୍ୟ ନୀତିରେ ନାହାନ୍ତି ବୋଲି କହିବା, ତାହା ହେଉଛି ଭୀରୁତା । ଭୀରୁତାକୁ ମହାତ୍ମା ଗାନ୍ଧୀ Violence double distilled ବୋଲି ସେହି କାରଣରୁ କହିଛନ୍ତି କି ? ତେଣୁ, ନୀତି ଅସଲ ନୁହେଁ । ଭୀରୁର ମଧ୍ୟ ଏକ ନୀତି ସର୍ବଥା ରହିବ । ତେଣୁ ଅସଲ କଥାଟି ହେଉଛି ଶ୍ରଦ୍ଧା । ଏକ ଖିଳ ସତ୍ୟ ଲାଗି ଶ୍ରଦ୍ଧା । ଜଣେ ସତ୍ୟାଗ୍ରହୀର ଶ୍ରଦ୍ଧା ।

 

କୂଜେନ୍ଦ୍ରୀ ଅଞ୍ଚଳର ଭୂସତ୍ୟାଗ୍ରହ ହେଉଛି ତେଣୁ ଏକ ସାହସଯୁକ୍ତ ସତ୍ୟଶ୍ରଦ୍ଧା । ଆମେ ଆଉ ଏକ ଅସତ୍ୟକୁ ଭୀରୁ ପରି ମାନି ନେବୁନାହିଁ ବୋଲି ଏକ ସାହସପୂର୍ଣ୍ଣ ଘୋଷଣା । ପୁରୁଷପୁରୁଷର ଅନ୍ୟାୟଟା ଆଖିକୁ ଜଳଜଳ ହୋଇ ଦିଶୁଥିଲା, ଅଥଚ ପୀଡ଼ିତ ମନୁଷ୍ୟମାନେ କିଛି କରି ପାରୁନଥିଲେ । ସରକାରଟା ମଧ୍ୟ ସେହି ସାହୁକାରମାନଙ୍କ ପଟେ । ବିଶ୍ଵନାଥ ପଟ୍ଟନାୟକ ଖଦୀକାମ ଏବଂ କପାଚାଷ କରାଇବାକୁ ସେଠାରେ ଯାଇ ପହଞ୍ଚିଲେ । କପାଚାଷ ସେହି ଖଦୀକାମ ସକାଶେ ଏବଂ, ଖଦୀକାମ ଏକ ସ୍ଵାବଲମ୍ବନର ବୋଧ ଆଣି ଦେବାର ମାଧ୍ୟମରେ ମନୁଷ୍ୟର ମଞ୍ଜ ଭିତରେ ଏପରି ଗୋଟିଏ ସାହସ ଆଣି ଦେବ, ଯାହାଦ୍ଵାରା କି ସିଏ ନିଜକୁ ଗୋଟିଏ ମଣିଷ ବୋଲି ଅନୁଭବ କରିବ, ବହୁ ଭାଗ୍ୟଶ୍ରୁତିର ସମ୍ଭାବନାକୁ ଆପଣାର ଏହି ଧଡ଼ଟା ଭିତରେ ପ୍ରତ୍ୟକ୍ଷ କରିବ,–ବଳ ପାଇବ । ଏହିପରି ସେମାନେ ପରସ୍ପରକୁ ମଧ୍ୟ ଅଜସ୍ର ବଳର ଅଧିକାରୀ ବୋଲି ଆବିଷ୍କାର କରିବେ । ସବୁଦିନର ସେହି ଡଙ୍ଗର ଓ ଅରଣ୍ୟମାନେ ନୂଆ ହୋଇ ଦିଶିବେ, ସେମାନେ ତା’ ଭିତରେ କେତେ ନା କେତେ ନୂଆ ନୂଆ କଥା କହୁଥିବା ପରି ଦେଖାଯିବେ । ହଁ, ପ୍ରତିକାର ଅଛି ଅବଶ୍ୟ ରହିଛି । ଭୀରୁ ପାଇଁ ନାହିଁ, ସାହସୀମାନଙ୍କ ପାଇଁ ନିଶ୍ଚୟ ଅଛି । ଗାନ୍ଧୀକାମରେ ଏହି ଏଡ଼େ ସିଧା ମାର୍ଗଗୁଡ଼ିକ ମଧ୍ୟରେ ଏତେ ଏତେ ଉଦ୍‌ବୋଧନର ବାର୍ତ୍ତା ଯେ ରହିଛି, ବିଶ୍ଵନାଥ ପଟ୍ଟନାୟକ ତାଙ୍କ ଭିତରର ଆଉ କ’ଣ ସ୍ଵତନ୍ତ୍ରତା ଫଳରେ ସେଠା ମଣିଷଙ୍କ ଭିତରେ ନେଇ ଭରିଦେଲେ । ଚେତନା ଭରିଦେଲେ, ଏକ ଅନ୍ୟ ସଂକ୍ରମଣର କାରଣ ହେଲେ । ଆଉ ଆଦୌ ବାହାରର ଜଣେ ମଣିଷ ହୋଇ ରହିଲେନାହିଁ । ପ୍ରାୟ ସବୁ କର୍ମୀ ଯାହା କରନ୍ତି, ସେହିପରି କୌଣସି ଗୁଳାର ଅନୁସରଣ ନକରି ସିଏ ସେହିଠାରେ ସ୍ଥାୟୀ ମଣିଷଟିଏ ହୋଇ ଯାଇଥିଲେ । ହୃଦୟ ଦେଲେ, ହୃଦୟଗୁଡ଼ିକୁ ପାଇଥିଲେ । ଶୋଷଣ ସବୁର ପ୍ରତିକାର ସେହି ଆତ୍ମୀୟତାରୁ ବାହାରିଥିଲା । ହଁ, ଏ ଭୂମି ଆମର, ଆମେ ସେହି ସତକଥାଟିକୁ ଜାଣି ନିଜ ହଳଲଙ୍ଗଳ ନେଇ ଭୂମିରେ ପ୍ରବେଶ କରିବା, ବିପଦଗୁଡ଼ିକୁ ଡରିବା ନାହିଁ; ଯାହା ହେଉ ପଛକେ ଭୀରୁ ହେଇ ଅନ୍ୟାୟକୁ ବାଟ ଛାଡ଼ି ଦେବାନାହିଁ । ତାହାରି କାହାଣୀ ହେଉଛି ସେଠା ଭୂସତ୍ୟାଗ୍ରହର କାହାଣୀ । ସ୍ଵାଧୀନ ଭାରତବର୍ଷରେ ସମ୍ଭବତଃ ଏକମାତ୍ର ସତ୍ୟାଗ୍ରହ ଅର୍ଥାତ ଅହିଂସ ପ୍ରତିବାଦର କାହାଣୀ । ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ସବାଆଗ ସେହି ଭୂସତ୍ୟାଗ୍ରହ ପାଇଁ ହିଁ ଆମକୁ ଏକାନ୍ତ ନିଜର ବୋଲି ଲାଗିବେ । ପ୍ରେରଣା ଦେବେ ।

 

ସରକାର ସହାନୁଭୂତିଶୀଳ ହାକିମ ପେଷି ସବୁ ଅଡ଼ୁଆର ନିଶାପ କରି ଦେଇଥିଲେ ଏବଂ ଏତିକିବେଳେ ବିନୋବାଜୀଙ୍କର ଭୂମିଦାନର ପର୍ବଟା ଆସି ପହଞ୍ଚିବାରୁ କର୍ମୀମାନେ ସେହି ମହାପ୍ଲାବନଟିରେ ଯାଇ ସାମିଲ ହୋଇଗଲେ, ଏସବୁ ନିତାନ୍ତ ବଙ୍କା କଥା । ଏପରି ଗୋଟିଏ ଲୋକ ଉଦ୍‌ବେଳନ ନଘଟୁ ବୋଲି ସରକାର ତଥା ସର୍ବୋଦୟର ନେତୃତ୍ଵ ଚାହୁଥିଲା ବୋଲି ସେପରି ହେଲା । ନିଜ ପ୍ରଭୁତ୍ଵ ବିଷୟରେ ସଚେତନ ସରକାର ତାହା କେବେହେଲେ ଚାହିବେ ନାହିଁ ଏବଂ ସର୍ବୋଦୟର ସମ୍ଭ୍ରାନ୍ତ ନେତାଏ ମଧ୍ୟ ସେକଥାକୁ ଇଚ୍ଛା କରିବେନାହିଁ । ସିଧା କାରଣଟା ହେଉଛି ଯେ, ସେମାନଙ୍କର ପୂର୍ବପୁରୁଷ କେବେହେଲେ ଜଙ୍ଗଲର ମଟାଳ ଭାଙ୍ଗି ଜମି ତିଆରି କରିନାହାନ୍ତି ଅଥବା କୌଣସି ସାହୁକାର ଆସି ସେମାନଙ୍କଠାରେ ବହୁ ବର୍ବରତାର ଛନ୍ଦଫିସାଦ କରି ଜମି ହଡ଼ପ କରି ନେଇନାହାନ୍ତି । ଆହୁରି ଗୋଟାଏ ଅଧିକ ସିଧା କାରଣ ହେଉଛି ଯେ, ସର୍ବୋଦୟର ଯେଉଁ କର୍ମୀକୁଳ ଏଣୁ ମୁକାମ ନେଇ ତେଣେ ଗାନ୍ଧୀକାମ କରି ଯାଆନ୍ତି, ସେମାନଙ୍କର ନିଜ ଗାଆଁମାନଙ୍କରେ ମଧ୍ୟ ସେମାନଙ୍କର ଆଗର କେହି ନିଜର ଶ୍ରମ ଖଟାଇ ଜମିଗୁଡ଼ିକୁ ତିଆରି କରିନାହାନ୍ତି । ଅଧିକାଂଶତଃ ସେମାନେ ନିଜେ କେବେ ଲଙ୍ଗଳ ଧରନ୍ତିନାହିଁ ଓ ମୂଲିଆ ଲଗାଇ ଚାଷ କରାନ୍ତି । ସେହିମାନେ ହିଁ କ୍ରାନ୍ତିଟା ଶୀତଳ ହୋଇ ଆସିଲେ ପୁନର୍ବାର ଆପଣାର ସ୍ଥାୟୀ ନିର୍ଭରଟି ପାଖକୁ ଫେରି ଆସନ୍ତି । ସେମାନେ ତ ଆମେ ତୁମେ ଜାଣିବାକୁ ଗୋଟାଏ ଆଦର୍ଶ ପାଇଁ କାମ କରୁଥାନ୍ତି ଏବଂ ଉପରଟାର ତାଗିଦାମାନଙ୍କ ଅନୁସାରେ ନିର୍ମଳ ରହି ଯାହା କିଛି କରୁଥାନ୍ତି । କୂଜେନ୍ଦ୍ରୀ ବା କାଶୀପୁର ପରି ସେମାନଙ୍କର ଗାଆଁରେ କେହି ଅନାହାରରେ ମରନ୍ତି ନାହିଁ, ବରଷକୁ ବରଷ ମହାମାରୀମନେ ଆସି ସେମାନଙ୍କ ଗାଆଁରୁ ଅଧେ ମଣିଷଙ୍କୁ କେବେହେଲେ ପୋଛି ନେଇ ଯାଏନାହିଁ । ବିଶ୍ଵନାଥ ପଟ୍ଟନାୟକ ଏଣେ ଆସିଥିଲେ ଯେ, ଏଇଠାରେ ହିଁ ମଞ୍ଜି ପୋତି ରହିଗଲେ । ଏବେ ମଧ୍ୟ ରହିଛନ୍ତି । ସେଇଥିପାଇଁ ସିଏ ଶୋଷିତମାନଙ୍କୁ ଏକାବେଳେକେ ମନୁଷ୍ୟର ପରିଚୟ ଦେଇ ଅନୁଭବ କରି ପାରିଲେ କି ? ସେଇଥିଲାଗି ଏକ ପ୍ରତିବାଦର ସାହସ ତଳେ ଏତେ ଏତେ ମଣିଷଙ୍କୁ ଏକତ୍ର କରି ଆଣିପାରିଲେ । ସତ୍ୟାଗ୍ରହ ଗଲା, ଭୂମି–ଆନ୍ଦୋଳନ ଗଲା, ମାତ୍ର ସିଏ ସେଇ ମୂଲକରେ ଏବଂ ସେଇ ମଣିଷମାନଙ୍କ ମଧ୍ୟରେ ରହିଗଲେ ।

 

ସମ୍ପ୍ରତି ଶ୍ରୀଯୁକ୍ତ ଯମୁନାଲାଲ ବଜାଜଙ୍କ ନାମରେ ଗଠିତ ପୁରସ୍କାର–ନ୍ୟାସଟି ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟାନୟକଙ୍କୁ ଆପଣା ତାଲିକାଟି ଭିତରକୁ ଅନ୍ତର୍ଭୁକ୍ତ କରିନେଇଛି । ଅର୍ଥପ୍ରଦାନ ସମୟରେ ପରିଚୟ–ଫଳକଟିରେ ତାଙ୍କ ଜଣେ ସମାଜ–ସେବକ, ନିଷ୍ଠାଯୁକ୍ତ ଓ ସମର୍ପିତ ଭାବରେ ଅଳ୍ପକ୍ଷମ ମାନଙ୍କର ଉତ୍‌ଥାନ ନିମନ୍ତେ ସଦାକ୍ରିୟାଶୀଳ ମହାନ୍ ବ୍ୟକ୍ତିରୂପେ ବର୍ଣ୍ଣନା କରାଯାଇଛି । ଗୋଟିଏ ଔପଚାରିକ ଉତ୍ସାହ ଆଉ ଅଧିକ କ’ଣ ବା କରିଥାଆନ୍ତି । ମାତ୍ର ତାଙ୍କଦ୍ଵାରା ସଂପ୍ରେରିତ ଭୂସତ୍ୟାଗ୍ରହ ବିଷୟରେ ଉଲ୍ଲେଖ ହଁ ନାହିଁ । ବଞ୍ଚିତ ଏବଂ ବର୍ଜିତମାନଙ୍କ ପ୍ରତି ଅନୁକମ୍ପା ବହି ସେବା କରିଥିବା ବ୍ୟକ୍ତିମାନଙ୍କୁ ଏକ ଏହିପରି ସମାଜରେ ନିଶ୍ଚୟ ସ୍ଵୀକୃତି ମିଳିବ ସିନା, ମାତ୍ର ଦଳିତ ଓ ପ୍ରତାରିତ ମାନଙ୍କ ଭିତରେ ସାହସୀ ମନୁଷ୍ୟାତ୍ମାର ଜାଗରଣ ଅଣାଇ ସେମାନଙ୍କୁ ପ୍ରତିବାଦ କରିବାର ଏକ ସ୍ଵତନ୍ତ୍ର ସଚେତନା ଆଣି ଦେଇଥିବା ସେମାନଙ୍କର ସ୍ଵତନ୍ତ୍ର ଅବଦାନଗୁଡ଼ିକୁ ପ୍ରାୟ ନିୟମତଃ କେହି ମନେ ପକାଇବେ ନାହିଁ । ମନେ ପକାଇବାକୁ ଭାରି ଭୟ କରିବେ । ତେଣୁ, ବନ୍ଧୁଗଣ, ଆମେ ମଧ୍ୟ ଆଦୌ କୌଣସି ସ୍ନେହାତିଶଯ୍ୟରେ ଆମ ଆଜ୍ଞାଙ୍କର କାନରେ ଆମ ପସନ୍ଦ ଏବଂ ଅନ୍ଦାଜର ସୁନନୋଳିଟାଏ ଆଣି ପିନ୍ଧାଇ ଦେବାର ମିଛ ଇନ୍ଦ୍ରଜାଲ ଭିତରେ ଯାଇ ପଡ଼ିଯିବାକୁ ମୋଟେ ମନ କରିବାନାହିଁ ।

Image

 

Unknown

ପଞ୍ଚମ ଅଧ୍ୟାୟ

ଜଙ୍ଗଲ ଭିତରୁ ରାସ୍ତା

 

ଜଙ୍ଗଲକୁ ଯିବ ସେବା କରିବା ନିମନ୍ତେ । ଜଙ୍ଗଲ ଅର୍ଥାତ୍ ଏକ ଅନ୍ଧାରି ମୁଲକ । ସତେଯେପରି ଆମ ଏଠାରେ ସବୁକିଛି ଆଲୁଅ ଏବଂ ସବୁକିଛି ସ୍ଵଚ୍ଛ । ଯେଉଁମାନେ ନିଜର ଧର୍ମ, ନିଜର ସାମାଜିକ ଯାବତୀୟ ଛାଞ୍ଚ, ଶାସନବ୍ୟବସ୍ଥା, ଭାବନା ତଥା ବିଚାର ଇତ୍ୟାଦିକୁ ଉଚ୍ଚ, ଅଧିକ ଅର୍ଥାତ୍ ଉତ୍ତମ ବୋଲି ଆପେ ଅଭ୍ୟସ୍ତ ହୋଇ ଆସିଥିବା ସଂସ୍କାରମାନଙ୍କ ଦ୍ଵାରା ମଣ ହୋଇ ଧରି ନେଇ ଥାଆନ୍ତି, ସେମାନେ ନିଜଠାରେ ରହିଥିବା ଆଲୁଅବିତ୍ତ ଗୁଡ଼ିକ ସହିତ ଅନ୍ୟମାନଙ୍କର ଅନ୍ଧାର ଦୂର କରିବେ ବୋଲି ଦୂର ଦୂର ମହାଦେଶ ମାନଙ୍କୁ କେଡ଼େ ଉତ୍ସାହରେ ଖେଦି ନ ଯାଇଛନ୍ତି ! ସେହିପରି ମଣିଷମାନେ ଦିନେ ଆଫ୍ରିକା ମହାଦେଶକୁ ଏକ ଅନ୍ଧାରି ମୁଲକ ବୋଲି ଘୋଷଣା କରିଥିଲେ, ଆପଣାକୁ ବ୍ରତଧାରୀ ଆଦର୍ଶବାଦୀ ବୋଲି କହିଥିଲେ ଏବଂ ଧର୍ମସାମ୍ରାଜ୍ୟଗୁଡ଼ିକର ଥାପନା କରୁ କରୁ କ୍ରମେ କେତେଭଳି ସାମ୍ରାଜ୍ୟବାଦର ସ୍ଥାପନା ସକାଶେ ବାଟ ପକାଇ ଦେଇଥିଲେ । ସେହିପରି ଏକ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତବର୍ଷରେ ବହୁ ସଂଗଠନ ଏବଂ ଅଗ୍ରଣୀ ବ୍ୟକ୍ତିବୃନ୍ଦ ମଧ୍ୟ ଏଠୁ ଏପଟୁ ଜଙ୍ଗଲକୁ ଆପଣାର ଆହାବାଦୀ ଆଖିମାନଙ୍କୁ ସିଧା ଜଙ୍ଗଲ ଭିତରକୁ ଲମ୍ବାଇ ଦେଇଛନ୍ତି ଏବଂ ବହୁ ଅନୁକମ୍ପାର ଜାଲ ପକାଇ ସେହି ଜଙ୍ଗଲ–ଅଧିବାସୀ ମାନଙ୍କର ଭାଗ୍ୟରେ କିଛି ପରିବର୍ତ୍ତନ ହୁଏତ ଆଣି ପାରିବାର ଗୁଡ଼ିଏ ପ୍ରତ୍ୟୟ ସହିତ ସେବାନାମକ ହସ୍ତାଦିର କାର୍ଯ୍ୟକ୍ରମ ଗୁଡ଼ିକୁ ତେଣେ ପ୍ରସାରିତ କରି ଦେଇଛନ୍ତି । ସେମାନେ, ବିଶେଷତଃ ସେମାନଙ୍କ ଭିତରର ଉଚ୍ଚସ୍ଥମାନେ ସ୍ଵୟଂ ଯେଉଁସବୁ ଅଞ୍ଚଳରୁ ଆସିଛନ୍ତି, ସେଠାରେ ରାଜତ୍ଵ କରୁଥିବା ଅନ୍ଧାରି ଅବସ୍ଥାଗୁଡ଼ିକ ସହିତ ମୋଟେ ଖୁରି ଖାଇବାକୁ ଇଚ୍ଛା କରିନାହାନ୍ତି, କିନ୍ତୁ ଦୂର, ତେଣିଟାର ଦୁଃଖରେ ଏତେ ଦୂରରେ ଥାଇ ମଧ୍ୟ ଭାରି ଦୁଃଖାତୁର ହୋଇ ପଡ଼ିଛନ୍ତି । ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଯେଉଁଠାରୁ ସେବାବ୍ରତର ବିଧିବଦ୍ଧ ତାଲିମ ପାଇଥିଲେ ସେହିସବୁ ଗ୍ରାମ–ଅଞ୍ଚଳର ଅବସ୍ଥାମାନ ପଚାଶବର୍ଷ ତଳେ ଯାହା ଥିଲା, ଏବେ ମଧ୍ୟ ସେହିପରି ରହିଛି : ସେହି ଶୋଷଣ ଏବଂ କଷଣ, ସେହି ଦୂରତା ଏବଂ ତଜ୍ଜନିତ ଅନ୍ୟାୟ ଇତ୍ୟାଦି, ସେହି ଭୂମିବ୍ୟବସ୍ଥା, ଯେଉଁଥିରେ ମୁଖ୍ୟତଃ ଅଚାଷୀମାନଙ୍କର ଅକ୍ତିଆରରେ ଗାଆଁମାନଙ୍କର ଅଧିକ ଜମି ରହିଛି ଓ ଆହୁରି କେତେ କଅଣ । ତଥାପି ଆମ ସେବାମାହାଲର ନେତୃତ୍ଵଟା ଅକାରଣରେ ତାକୁ ନଦେଖି ଏବଂ ସେଠି ନ୍ୟାୟ, ନୀତି ଓ ଧର୍ମର ପକ୍ଷରେ ନଲଢ଼ି ସିଧା ଜଙ୍ଗଲଆଡ଼େ କାହିଁକି ମାଡ଼ି ଯାଉଛନ୍ତି, ସମ୍ଭବତଃ ସେମାନଙ୍କୁ ପଚାରିଲେ ଅନ୍ତତଃ କିଛି ଅନ୍ଦାଜ କରି ହୁଅନ୍ତା ।

 

ଏହି ଏପାଖର ଅଞ୍ଚଳଟାରେ ହିଁ ସେହି ବିଶେଷମାନଙ୍କୁ କେତେ କେତେ ଶବ୍ଦଗାମ୍ଭୀର୍ଯ୍ୟ ଦ୍ଵାରା ଚିହ୍ନାଇ ଦେବାଲାଗି ଏକାଧିକ ଉଦ୍ୟମ ହେଉଛି : ସେମାନଙ୍କ ନାଆଁରେ କଲେଜ ହେଲାଣି, ସେମାନଙ୍କୁ କେଡ଼େ ଖୁସୀରେ କୁଆଡ଼େ କେତେ ମନ କେତେ ଅତିସ୍ଫୀତିରେ ତ୍ୟାଗୀ, ମହାନ୍ ଏବଂ ଅନିର୍ବାଣ ବୋଲି କୁହାଯାଉଛି । ଏବଂ, ଯେଉଁମାନେ ଏହି ବାଗିର୍ ଯାବତୀୟ ବର୍ଣ୍ଣନାରେ ମାତିଛନ୍ତି, ସେମାନେ ପ୍ରାୟ ନିୟମତଃ ସେହିସବୁ ତ୍ୟାଗ ଇତ୍ୟାଦିରେ ମୋଟେ ବିଶ୍ଵାସ କରନ୍ତିନାହିଁ । ସେମାନଙ୍କୁ ଆମ ଅସୁସ୍ଥ ସମାଜର ଶୁଣ୍ଢିମାନେ ଏବେ ପୂଜା–ପୂଜାର ତାଲିକା ଭିତରେ ଆଣି ଭର୍ତ୍ତି କରି ପକାଇଲେଣି, ସେମାନଙ୍କୁ ଆମ ଶିକ୍ଷାଖାଦାନ ମାନଙ୍କର ଉଚ୍ଚତମ ଡିଗ୍ରୀର ସମ୍ମାନ ପ୍ରଦାନ ମଧ୍ୟ କଲେଣି । ସେମାନେ ସମୁଦାୟ ଜାତିର ନମସ୍ୟ ବୋଲି ଭାଷଣିକ ଉଦ୍‌ଗାରମାନ କରାଗଲାଣି । ସେମାନେ ଏସବୁ ଖାସ୍ କାର୍ଯ୍ୟ ଏଡ଼େ ଖୁସୀ ହୋଇ ବୋଧହୁଏ ଏଇଥିଲାଗି କରୁଛନ୍ତି ଯେ, ଈଶ୍ଵରଙ୍କର କୃପାରୁ ସେମାନଙ୍କର ଘରବାଡ଼ିମାନେ ସିନା ପଡ଼ି ରହିଛନ୍ତି, ମାତ୍ର ଖଞ୍ଜାରେ ଆଉ କେହି ନାହାନ୍ତି : ଅଥବା ଯେଉଁମାନେ ଅଛନ୍ତି, ସେମାନେ ନିର୍ମଳ ସେବାକାର୍ଯ୍ୟମାନ କରୁଛନ୍ତି, ସତେଅବା ସବୁ ବୁଝି ଯାଇଛନ୍ତି । ହଁ, ଈଶ୍ଵରଙ୍କର କୃପାରୁ ସେମାନେ ଏଣୁ ଟ୍ରେନିଂ ପାଇ ଜଙ୍ଗଲ ଭିତରକୁ ଯାଆନ୍ତି, ସେହି ପୁରୁଣା ବନସୀରେ ସେଠାରେ ଥିବା ମୀନମାନଙ୍କୁ ସୁହାଇଲା ଭଳି । ହଁ, ସେବାକାର୍ଯ୍ୟରେ ଓ ରିଲିଫ୍ କାର୍ଯ୍ୟରେ ତ ସେମାନେ ଆମ ପାଖକୁ ଆସିବେ ଏବଂ କିଛି ଅର୍ଥସହାୟତା ଇଚ୍ଛା ବି କରିବେ । ଆମେ ଅବଶ୍ୟ ଦେବା ଓ ସେମାନଙ୍କର ଏହି ସତ୍‌କାର୍ଯ୍ୟ ଗୁଡ଼ିକୁ ଚିରଞ୍ଜବୀ କରି ରଖିବା । ଅର୍ଥାତ୍ ଦରିଦ୍ର, ବଞ୍ଚିତ ପକ୍ଷଟା ଏହିପରି ଭାବରେ ଦରିଦ୍ର ଏବଂ ବଞ୍ଚିତ ହୋଇ ରହିଥିବ ଓ ଆମର ମଉରସୀ ସ୍ଥିତିଟା ଯେଉଁଭଳି ସେହିଭଳି ସୁଦୃଢ଼ ହୋଇ ରହିଥିବ । ବ୍ୟବସ୍ଥା ବଦଳିବା ପାଇଁ କୁଆଡ଼େ କିଛି ଖୁଡ଼୍‌ଖାଡ଼୍ ହେଲେ ସିନା ଆମର ଏହି ପାରମ୍ପରିକ ସ୍ଥିତିଟା ଉପରେ କିଛି ଆଞ୍ଚ ଆସିବ । ତେଣୁ, ନ୍ୟାୟତଃ ଚାଲ ଆମେ ଏହି ସେବାବ୍ରତୀମାନଙ୍କ ଠାରେ ବରଂ ଖୁବ୍ କୃତଜ୍ଞ ହୋଇ ରହିବା ଯେ, ସେମାନେ ମଝିରେ ରହିଛନ୍ତି ବୋଲି ଏହିଭଳି ବୁଝାମଣାଟିଏ ମଧ୍ୟ ପ୍ରକୃତରେ ରହିଛି ଅର୍ଥାତ୍ ଚାଲିଛି ! ମନୁଷ୍ୟ-ଅଭ୍ୟୁଦୟର ଗୋଡ଼ରେ ଥିବା ଗୋଛିଗୁଡ଼ାକୁ ଏହିପରି ଗୋଟିଏ କାର୍ଯ୍ୟସାଧନକାରୀ ଶାନ୍ତିପୂର୍ଣ୍ଣ ମାର୍ଗରେ କାଟି ଦିଆଯାଉଛି ବୋଲି ସିନା ଆମ ଏହି ସମୟଟାର ଶୋଷଣମାନ ବହୁବିଧ କାରିଗରୀରେ ଚାଲିଛି ଓ ତେଣେ ଆମରି ପରି ପୂରା ଜୀଅନ୍ତା ସହସ୍ର ସହସ୍ର ମନୁଷ୍ୟ ଆମ ଏପାଖରୁ ଭିଆଣ କରା ହେଉଥିବା ଅନ୍ଧାରମାନଙ୍କର ଉପଦ୍ରବରେ କଲବଲ ହୋଇ ରହିଛନ୍ତି : ଏମାନଙ୍କର ସଂସାରଟିକୁ ଆମେ କେଡ଼େ ନିର୍ମଳ ଭାବରେ ଜଙ୍ଗଲ ବୋଲି କହୁଛୁ ଏବଂ ସେହି ଜଙ୍ଗଲଟାକୁ ସେବା କରିବା ନିମନ୍ତେ ଏକ ନିୟମିତ ସେବାକାରୀ ପଲଟନର ବରାଦ ମଧ୍ୟ କରିଛୁ !

 

ତେଣୁ, ଜଙ୍ଗଲକୁ ରାସ୍ତା । ଏହିପରି ଗୋଟିଏ ଶୀର୍ଷକ ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକଙ୍କର ଏକ ଜୀବନୀ–ପୁସ୍ତକର ସେହିପରି ଏକ ନାମକରଣ,–ବନ୍ଧୁ, ତାହାକୁ ଆମେ ହୁଏତ କଦାପି ଆକସ୍ମିକ ବୋଲି କହି ପାରିବାନାହିଁ । ତାଙ୍କର ସ୍ଥାବକ, ପ୍ରଶଂସକ ଅଥବା ପ୍ରଶସ୍ତିଗାନକାରୀ,–ଆମେ କେହି ଜଙ୍ଗଲ ଭିତରକୁ ଯିବାଲାଗି ମୋଟେ ଇଚ୍ଛା କରିବାନାହିଁ । ଆମ ଏପାଖରୁ ଯାଉଥିବା କେତେବେଳେ ହାକିମ ଓ ଅଫିସର ତ ସେହି ଅଞ୍ଚଳରୁ ସରକାରୀ ନିଯୁକ୍ତିପତ୍ର ପାଇ ନିତି ଯାଉଛନ୍ତି; ଜଙ୍ଗଲକୁ ବର୍ତ୍ତମାନର ଜଙ୍ଗଲି ସ୍ଥିତିଗୁଡ଼ିକରୁ ମୁକ୍ତ କରି ବାହାର କରି ଆଣିବା ସକାଶେ । ସେମାନେ ତ ବାଧ୍ୟରେ ପଡ଼ି ଯାଉଛନ୍ତି, ଜଙ୍ଗଲରେ ଉପଲବ୍ଧ ସବୁକିଛି ଖାସ୍ ଲାଭର ଫାଇଦା ଉଠାଉଛନ୍ତି । ମାତ୍ର ତଥାପି ଯଥାସମ୍ଭବ ଶୀଘ୍ରାତିଶୀଘ୍ର ତେଣୁ ଏଣେ ପଳାଇ ଆସିବାକୁ ଅନୁକ୍ଷଣ ବ୍ୟଗ୍ର ହୋଇ ରହିଛନ୍ତି । ହଁ, ସୁନିଶ୍ଚିତ ଭାବରେ ସେହି ବନଚାରୀ ଏବଂ ବନବାସୀମାନଙ୍କର କଲ୍ୟାଣକଳ୍ପେ ବସିଥିବା ସର୍ବୋଚ୍ଚ ସରକାରୀ ଚହଲପହଲର ବିପଣି ଇତ୍ୟାଦି ଏଇଠାରେ ଏହି ରାଜଧାନୀଟିରେ ହିଁ ରହିଛି । ସବୁ ଅଧ୍ୟୟନ ତଥା ସବୁ ଗବେଷଣା ଏଇଠାରେ ହେଉଛି । ଜଙ୍ଗଲର ଅଧିବାସୀମାନଙ୍କ ବିଷୟରେ ଆଗ୍ରହୋଦ୍ଦୀପକ ଘୋର ଓ ଗମ୍ଭୀର ସର୍ବବିଧ ଅଧ୍ୟୟନ ଏହିଠାରେ ହେଉଛି ପୂରାପଣେ ଆମରି ପ୍ରୀତ୍ୟର୍ଥେ ଏବଂ, ଆମକୁ ସୁନିଶ୍ଚିତ ଭାବରେ ଅଧିକ କାମସ୍ପର୍ଶ ପ୍ରଦାନ କରିବା ନିମନ୍ତେ ଇଂରାଜୀ ଭାଷାରେ । ଯାହାପାଇଁ ଗବେଷଣା, ସିଏ ପତ୍ତା ହିଁ ପାଉନାହିଁ । ଜଙ୍ଗଲର ମଣିଷକୁ ନେଇ ଆମ ଦରଦୀ ଏଠାମଣିଷମାନେ ଉପନ୍ୟାସମାନ ରଚନା କରୁଛନ୍ତି ଓ ସେଠି ଜଙ୍ଗଲରେ ଥିବା ଅନ୍ଧାରଗୁଡ଼ିକୁ ଆପଣାର ନାନାବିଧ ବିନ୍ଧାଣିପଣ ଦ୍ଵାରା ଆମ ଏପାଖର ଉପନ୍ୟାସପ୍ରେମୀ ମାନଙ୍କର ଅଳିନ୍ଦଗୁଡ଼ିକୁ ଆଲୋକିତ କରି ଦେଉଛନ୍ତି । ଅରଣ୍ୟବାସୀମାନେ ବି ସେହି ସମ୍ବାଦଟିକୁ ଜାଣନ୍ତୁ ଏବଂ କିଛି ପ୍ରତିକ୍ରିୟା ପ୍ରକାଶ କରନ୍ତୁ, ତେଣେ କାହାର ହୋସ୍ ହେବାର କୌଣସି କାରଣ ନାହିଁ । ପୁନଶ୍ଚ, ସେହି ଜଙ୍ଗଲ ଭିତରେ ସଂସାର କରି ଦିନରାତିଗୁଡ଼ିକୁ ବଞ୍ଚୁଥିବା ସତ ମଣିଷମାନଙ୍କର ଗୀତ ଏବଂ ଛନ୍ଦୋମୟ କଳାଭିବ୍ୟକ୍ତି ଗୁଡ଼ିକୁ ଆମ ଉତ୍ତମମାନେ କେଡ଼େ ଭାବଗଦ୍‌ଗଦ ହୋଇ ଛାପାବହିର ଅନୁବାଦ ଦ୍ଵାରା କୀର୍ତ୍ତି ଅର୍ଜନ କରୁଛନ୍ତି । ସେମାନେ ଆପେ ନାଚି ଗାଈ ଜାଣଛନ୍ତି କି ନାହିଁ କେଜାଣି ?

 

ଆମର ସେହି ଅଶାଳୀନ ଭାଷାଟାରେ ଆମେ ଯେଉଁମାନେ ଆମରି ଦେଶରେ ଏବଂ ରାଜ୍ୟରେ ବାସ କରୁଥିବା ସହସ୍ରସଂଖ୍ୟକ ମନୁଷ୍ୟଙ୍କୁ ଦରିଦ୍ର ଏବଂ ନିରୀହ ବୋଲି କହୁ, ଏପରିକି ବେଳେବେଳେ ସରଳ ବୋଲି କହି ବର୍ଣ୍ଣନା କରିଥାଉ, ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ଯେହେତୁ ସେହିମାନଙ୍କର ସେବା କରିବାକୁ ତେଣେ ଯାଇଥିଲେ, ଆମେ ତାଙ୍କୁ ସେଇଥିଲାଗି ଆମକୁ ସୁହାଉଥିବା କିଛି କାରଣରୁ ଏତେ ଏତେ ଗୁଣ ଓ ବିଶେଷଣ ଦ୍ଵାରା ପୋତି ପକାଇବାକୁ ବୋଧହୁଏ ଗୋଟିଏ ପ୍ରକାରର ଆଶ୍ଵସ୍ତି ବି ଅନୁଭବ କରିଥାଉ କି ? ଜଟିଳ ମନୁଷ୍ୟମାନେ ସରଳ ମଣିଷମାନଙ୍କୁ ଆଖିଆଗରେ ଥାପି କିଛି କହିବାବେଳେ ସଚରାଚର ଖୁବ୍ ଭାବଗଦ୍‌ଗଦ ହୋଇ ପଡ଼ିଥାଆନ୍ତି । ଏହା ସେମାନଙ୍କର ଗୋଟିଏ ଈଶ୍ଵରଦତ୍ତ ଗୁଣ ନୁହେଁ, ସେଇଟି, ସମ୍ଭବତଃ ଗୋଟିଏ ନିତାନ୍ତ ପ୍ରୟୋଜନସିଦ୍ଧ ଉଦ୍ଦେଶ୍ୟର ପରିଣାମ ମଧ୍ୟ ହୋଇପାରେ । ହେ ଭଗବାନ୍, ଏହି ସରଳମାନେ ସବୁଦିନ ଯାଏ ଏହିପରି ସରଳ ହୋଇ ରହିଥାନ୍ତୁ; ସରଳ ହୋଇ ସହନ୍ତୁ, ସରଳ ଭାବେ ଭାବନ୍ତୁ, ସରଳ ହୋଇ ଆମ ଏପଟଟାକୁ ନିଜ ଭାତହାଣ୍ଡି ବିକି ଦିଅନ୍ତୁ, ଆମେ ଖଣି ଖୋଲିବାକୁ ଇଚ୍ଛା କଲେ ଆମକୁ ଘରଡ଼ିହ ସମର୍ପି ଦେଇ ବନ୍ଧୁକ କିମ୍ବା ବାଡ଼ି ଦେଖାଇବା ମାତ୍ରକେ ଅନ୍ୟତ୍ର ଚାଲିଯାଆନ୍ତୁ ଓ ସର୍ବୋପରି ତଥାକଥିତ ଜାତୀୟ ସୁଖଗୁଡ଼ାକର ବୃଦ୍ଧି ସକାଶେ ସେମାନଙ୍କର ବହୁ ସ୍ଵେଦଦ୍ଵାରା ଅର୍ଜିତ ବହୁପରିଚିତ ସଂସାରଟାକୁ ଆମ ପାଖରେ ଆଣି ସମର୍ପି ଦିଅନ୍ତୁ । ସରଳ ନିର୍ବୁଦ୍ଧିଆପଣରେ ଆମକୁ ମହାପ୍ରୂ ସଦୃଶ ମାନନ୍ତୁ । ଏବଂ, ଆମେ ଫରମାସ କରିଦେବା ମାତ୍ରକେ ଆମ ଚିତ୍ତବିନୋଦନ ଲାଗି ନାଚନ୍ତୁ, ଗୀତ ଗାଆନ୍ତୁ ଏବଂ ଆମ ହାତର ରାକ୍ଷସ ଏହି ଫଟୋଯନ୍ତ୍ରଟା ଆଗରେ ଆମକୁ ଘେନାଇବା ଭଳି ଅଧଲଙ୍ଗଳା ଦେହମୁଦ୍ରା ମାନଙ୍କର ଆସି ଛିଡ଼ା ହଅନ୍ତୁ । ଆମର ବିଶ୍ଵନାଥ ଆଜ୍ଞା ନିଜର କୌଣସି ସଂସାର ନଥାଇ ମଧ୍ୟ ସେହି ଖାସ୍ ମଣିଷମାନଙ୍କୁ ନିଜର କୁଟୁମ୍ବରୂପେ ଯେ ଗ୍ରହଣ କରିଛନ୍ତି, ଆମେ ସେହିପରି କୌଣସି କାରଣରୁ କୃତଜ୍ଞ ରହି ତାଙ୍କୁ ଏତେ ଏତେ ସମ୍ବୋଧନର ଶବ୍ଦମଣ୍ଡନରେ ଆମୋଦିତ କରି ରଖିବା ନିମନ୍ତେ ଇଚ୍ଛା କରିଛୁ କି ?

 

ଆମ ଆଗରେ ସେହି ନିରୀହ ସରଳ ମନୁଷ୍ୟଟି ତ ଯୁଗଯୁଗରୁ ନାନା ଅବରାଦର କାରଣରୁ ବଞ୍ଚିତ ହୋଇ ରହିଆସିଛି । ସ୍ଵାଧୀନତା ଭାରତବର୍ଷରେ ତୁଚ୍ଛା ଆମର ଏକ ହସ୍ତମୁଦି ମାହାଲ ହୋଇ ରହିଥିବା ସରକାର ତନ୍ତ୍ରଟା ଏବେ କ୍ରମଶଃ ସେମାନଙ୍କ ସକାଶେ କେତେକ’ଣ ଲୋଭନୀୟ ଆନୁଷ୍ଠାନିକତା ଇତ୍ୟାଦି ମେଲି ଦେଇଛି । ତେଣିକି ରାସ୍ତା ଫିଟାଇଛି, ଆମ ମୋଟରରଥମାନ ସେମାନଙ୍କର ପୂରା ଦୁଆରମୁହଁଯାଏ ଯାଇ ପହଞ୍ଚି ପାରିଲେଣି, ଏଣୁ ହାକିମମାନେ ଯାଇ ସେମାନଙ୍କର ହାନିଲାଭ ପ୍ରଭୃତିକୁ ନଜର ଦେବେ ବୋଲି ତେଣେ ଡାକବଙ୍ଗଳାମାନେ ବି ତିଆରି ହୋଇ ଗଲେଣି । ନାନା ଖାସ୍ ସାଂସ୍କୃତିକ ଶ୍ରଦ୍ଧାନାମମାନ ଦେଇ ସେଠା ପିଲାମାନଙ୍କ ନିମନ୍ତେ ବିଶେଷ ଇସ୍କୁଲମାନ ଖୋଲା ବି ହେଲାଣି । ପୂରା ଆବାସିକ, ଖାଇବା ମାଗଣା, ପୋଷାକପତ୍ର ମାଗଣା ଏବଂ, ସେଠାରେ କ’ଣସବୁ ପାଠ ଏବଂ ଶାଠ ଇତ୍ୟାଦି ରହିବ, ସେକଥାକୁ ଆମେ ଉଦାରମନା ବାବୁମାନେ ହିଁ ଏଠି ରାଜଧାନୀରୁ ପ୍ରସ୍ତୁତ କରି ଦେଇଛୁ । ପ୍ରାୟ ହଲପ ଖାଇଥିବା ପରି ସଚେତନ ହୋଇ ରହିଛୁ ଯେ, ଏହି ପିଲାଏ ଯାହାକିଛି ଶିକ୍ଷା କରିବେ, ସେସବୁ ଆମ ପିଲାଏ ଏଣେ ପଢ଼ୁଥିବା ଇଲମ ଇତ୍ୟାଦିରୁ ପୂରା ସ୍ଵତନ୍ତ୍ର ଅର୍ଥାତ୍ ଅଲଗା ହୋଇ ରହିବ । ଏବଂ ବସ୍ତୁତଃ କେତେ ନା କେତେ ଶିକ୍ଷାତତ୍ତ୍ଵର ସାହାଯ୍ୟ ନେଇ ଏହିପରି ଏକ ନିଷ୍ପତ୍ତି କରାଯାଇ ବି ନଥିବ ! ଗୁରୁମାନେ ଏକ ସଂପୂର୍ଣ୍ଣ ନିଜ ବିବେକରେ ଗୋଟାସୁଦ୍ଧା ଏପଟୁ,–ନିମ୍ନତମ କେତେଟା ଧନ୍ଦା ସତେଅବା ନିୟମରକ୍ଷା ନିମନ୍ତେ ସେହି ସେପଟ ପଂକ୍ତିଟିର ଭାଗରେ । ସତେଅବା ସଂପୂର୍ଣ୍ଣ କାର୍ଯ୍ୟକ୍ରମଟିରେ ଅଠା ବା ନହିଲା ପ୍ରାୟ ହୋଇ ରହିଥିବେ । ଏବଂ, ସୌଭାଗ୍ୟ ହେତୁ କେବଳ ସେଇମାନେ ସେଠାକୁ ପାଠ ପଢ଼ି ଆସିଥିବା ପିଲାମାନଙ୍କର ଘର ଭାଷାରେ କାରବାର ହୋଇ ପାରୁଥିବେ । ବାକୀ ଯାବତୀୟ ପାଠ ପଢ଼ାଇବା ଓ ପାଠ ପଢ଼ିବା ସବୁଯାକ ଶିଷ୍ଟମାନଙ୍କର ଭାଷାରେ ସେଇ ତେଣୁ ଏଣେ କଷ୍ଟ ସ୍ଵୀକାର କରି ଆସିଥିବା ଶିଷ୍ଟମାନଙ୍କ ଦ୍ଵାରା । ଏବେ ତ ରାଜ୍ୟସରକାର ତେଣୁ ଦିଲ୍ଲୀମାହାଲରୁ ହିଁ ମୋଟା ଡାବୁପରିମାଣମାନ ଲାଭ କରି ରାଜ୍ୟରେ କେତେଟା ମଡ଼େଲ ଇସ୍କୁଲ ବସାଇଛି, ଯେଉଁଠାରେ ପୂରା ଇଂରାଜୀରେ ବିପଣିମାନ ଚାଲିପାରିବ ବିଭାଗୀୟ ହାକିମମାନଙ୍କର ବିଶେଷ ମନ୍ତ୍ରଣାରେ । ଏବେ, ସମ୍ଭବତଃ ସେହିପରି କିଛି ଉଚ୍ଚ ମିଜାଜଦ୍ଵାରା ଉତ୍ସାହିତ ହୋଇ ଏଠାରେ ବାରଣାବର୍ତ୍ତରେ ମଧ୍ୟ ସେହି ନିରୀହ ବର୍ଗର ପିଲାମାନଙ୍କ ନିମନ୍ତେ ମଧ୍ୟ ପାଠ ଗୋଦାମଟିଏ ଖୋଲିଛି, ଯେଉଁଠାରେ ଅନୁଷ୍ଠାନଟି ଆଡ଼ୁ ସର୍ବବିଧ ସରଞ୍ଜାମର ବ୍ୟବସ୍ଥା କରାଇଦେଇ ଆମ ମତଲବର ଆହୁରି କେତେଗୁଡ଼ିଏ ଡିକୁ ମଧ୍ୟ ସର୍ଜନା କରାଯାଇ ପାରିବ ।

 

ଏହି ଏତେ ଦୀର୍ଘ ବହୁ ଉପସ୍ଥାପନାରେ ଯେ ବର୍ଣ୍ଣନା କରାଯାଉଛି, ତା’ର କାରଣ ହେଉଛି ଯେ, ଯେଉଁଠି ଅଳ୍ପସମ୍ବଳ ମନୁଷ୍ୟମାନଙ୍କ ସକାଶେ ଆମେ ଯେତେବେଳେ ଯାହାକିଛି କରିବା, ସେଠି ପେଟମାନେ ଅବଶ୍ୟ ଭରିବେ ଏବଂ ଦେହମାନଙ୍କୁ ଅବଶ୍ୟ କପଡ଼ା ମିଳିବ,–କିନ୍ତୁ ଯାହାକିଛି ହେବ ତାହା ସମ୍ମାନର ସହିତ ହେବ,–ରିଲିଫ୍ ଯୋଗାଇଦେବା ପରି ମୋଟେ ହେବନାହିଁ-। ସବୁ ମନୁଷ୍ୟଙ୍କ ଭିତରେ ଗୋଟିଏ ଅଧ୍ୟାତ୍ମଅଂଶ ଏପରି ରହିଛି, ଯାହା ସର୍ବୋପରି ଅନ୍ୟସବୁ ମଣିଷଙ୍କ ସହିତ ଏକ ସମସ୍ଵୀକୃତିର ନିର୍ଭର ଲାଭ କରି ପୂରା କତି ହୋଇ ଆସି ବସିବାକୁ ଇଚ୍ଛା କରୁଥାଏ । ଏବଂ, ତୁଚ୍ଛା ଦୟାଳୁମାନେ ସେହି କ୍ଷେତ୍ରରେ ଆଦୌ କିଛି କରି ପାରନ୍ତିନାହିଁ । ଆମର ଏହି ବ୍ରାହ୍ମଣମନ୍ୟ ଉଚ୍ଚପକ୍ଷଟା କାଳେ କାଳେ ତା’ ନିଜକୁ ବୁଝିବାକୁ କେତେ ନା କେତେ ଦାକ୍ଷିଣ୍ୟର ପ୍ରଦର୍ଶନ କରିଆସିଛି ତା’ଆଖିରେ ଶୂଦ୍ରପରି ଦିଶୁଥିବା ମନୁଷ୍ୟମାନଙ୍କୁ । କିନ୍ତୁ ବସ୍ତୁତଃ ଗୋଟିଏ ସର୍ତ୍ତରେ ଯେ ଶୂଦ୍ରମାନେ ସେହି ଶୂଦ୍ର ହୋଇ ରହିଥାଆନ୍ତୁ ଏବଂ କତି ହୋଇ, ସମଭାଗୀ ହୋଇ ଆସିବାଲାଗି ମୋଟେ ଇଚ୍ଛା ନକରନ୍ତୁ । ନିରୀହ ହୋଇ ରହିଥାନ୍ତୁ, ନିର୍ଭୟ ହେବାଲାଗି ମୋଟେ ଇଚ୍ଛା ନକରନ୍ତୁ । ତା’ ଛାତ୍ରମାନେ ନିର୍ଭୟ ହୁଅନ୍ତୁ ବୋଲି ତା’ ଅଯୋଗ୍ୟ ଶିକ୍ଷକମାନେ କେବେହେଲେ ଇଚ୍ଛା କରିବେ ନାହିଁ । ବରଂ ସେମାନେ ସତେଅବା ଅପ୍ରମିତ କାଳପାଇଁ ନିର୍ଭରଶୀଳ ହୋଇ ରହିଥାଆନ୍ତୁ ବୋଲି ଈଶ୍ଵରଙ୍କ ପାଖରେ ସମ୍ଭବତଃ ପ୍ରାର୍ଥନା ମଧ୍ୟ କରୁଥିବେ-। ବିଶ୍ଵସ୍ତ କର୍ମୀମାନେ ନିର୍ଭୟ ହୁଅନ୍ତୁ, ଅର୍ଥାତ୍ ନିଜେ ଦେଖିପାରନ୍ତୁ, ଆଖିମାନଙ୍କୁ ଖୋଲି ବାଟମାନଙ୍କୁ ନିଜେ ବାହାର କରି ପାରନ୍ତୁ, ଅଯୋଗ୍ୟ ନେତାମାନେ ମୋଟେ ସେଗୁଡ଼ାକୁ ଇଚ୍ଛା କରିବେନାହିଁ-। ନାଇଁ, ନାଇଁ ସେମାନେ ପରାମର୍ଶ ମାଗି ସକଳ କ୍ଷେତ୍ରରେ ଆମ ପାଖକୁ ଦଉଡ଼ୁ ଥାଆନ୍ତୁ ଏବଂ ଆମରି ସଲା ଅନୁସାରେ ସବୁ କାର୍ଯ୍ୟ କରନ୍ତୁ, ସେମାନଙ୍କୁ ତେବେଯାଇ ତ ବାସ୍ତବରେ ବିଶ୍ଵସ୍ତ ବୋଲି କୁହାଯିବ ! ଗୋଟାଏ ପ୍ରକାରର ନେତୃତ୍ୱ ପ୍ରକୃତରେ ଆପଣାର କେଉଁସବୁ ଅସମର୍ଥତା ହେତୁ ଆପଣାକୁ ଏହିଭଳି ଦୟନୀୟ କରି ରଖିଥାଏ କେଜାଣି ?

 

ହଁ, ଅରକ୍ଷିତ ଅନେକ ମଣିଷଙ୍କ ପିଲାଙ୍କ ପାଇଁ ସରକାର ନିଜ ତରଫରୁ ସାହାଣ ଶିକ୍ଷାକେନ୍ଦ୍ରମାନ ଖୋଲି ଦେଇଛନ୍ତି, ଯେଉଁଠାରେ କି ବଦାନ୍ୟ କର୍ତ୍ତାମାନେ ବରାଦ କରିଦେଇ ଥିବାରୁ ସେମାନଙ୍କର ସର୍ବବିଧ ପ୍ରୟୋଜନ ଗୁଡ଼ିକୁ ପୂରଣ କରି ଦିଆଯାଉଛି । ଛାତ୍ରବାସ ମାନଙ୍କରେ ପିଲାଏ ଏଭଳି ଖାଦ୍ୟମାନ ଖାଇବାକୁ ପାଉଛନ୍ତି, ଯାହାକୁ କି ସେମାନେ ନିଜଘରେ ମଧ୍ୟ ଖାଉନଥିବେ । ଏପରି ବସ୍ତ୍ରକପଡ଼ା ଇତ୍ୟାଦି ପିନ୍ଧିବାକୁ ପାଉଛନ୍ତି, ଯାହାକୁ ଦେଖି ସେମାନଙ୍କର ନିଜ ପିତାମାତାଙ୍କର ଆଖିମାନେ ଖୋସି ହୋଇ ଯାଉଥିବେ ଏବଂ ସତେଅବା କୋଉ ଠାକୁରଙ୍କ କୃପାରୁ ଆମ ପିଲାଟା ବାବୁମାନେ ତିଆରି କରି ଦେଇଥିବା ଇସ୍କୁଲରେ ଯାଇ ଏହିସବୁ ସୁଖର ଅଧିକାରୀ ହୋଇପାରିଛି ବୋଲି ଚିନ୍ତା କରୁଥିବେ । ତଥାପି ପିଲାମାନଙ୍କର ମନ ମାନୁନାହିଁ-। ପ୍ରତ୍ୟେକ ପଦକ୍ଷେପରେ ହିଁ ସେମାନଙ୍କ ସେହି ଭିତରର ମୂଳମଣିଷଟା ଏତେ ଏତେ ସୁଖ ସତ୍ତ୍ୱେ ଆପଣାକୁ ଅପମାନିତ ହିଁ ବୋଧ କରୁଛି । କ’ଣ ସବୁ ଘଟୁଛି, ଅର୍ଥାତ୍ ମଣିଷ ମଣିଷ ମଧ୍ୟରେ ଯେଉଁ ମୂଳ ସଂପର୍କଟି ସବାଆଗ ରହିବା ଉଚିତ ଏବଂ ଯାହାକୁ ସଂପୃକ୍ତ ମଣିଷମାନେ ସବାଆଗ ବଞ୍ଚି ପାରୁଥିବା ଉଚିତ, ସେଇଟିର ଅଭାବ ସତେଅବା ବାହାରର ସବୁଯାକ ତତ୍ପରତାକୁ ବୃଥା ବୋଲି ପ୍ରମାଣିତ କରିଦେଉଛି । ସେହି କ’ଣଟାକୁ ଆଉ କେବେହେଲେ ସହ୍ୟ କରି ହେବନାହିଁ ବୋଲି ଅନୁଭବ କରି ସେମାନେ ସରକାର ସେମାନଙ୍କ ଲାଗି ଖଞ୍ଜି ଦେଇଥିବା ବିଦ୍ୟାଳୟକୁ ପରିତ୍ୟାଗ କରି ଛାଡ଼ି ପଳାଉଛନ୍ତି । ନାଇଁ, ଏହି ବିଦ୍ୟାଳୟ ଆମର ନୁହେଁ ବୋଲି ପ୍ରତିବାଦ ଜଣାଇବାର ଏହି କ୍ଷେତ୍ରରେ ଗୋଟିଏ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଘଟଣାକୁ ଆମେ ମୋଟେ ଭୁଲି ଯିବାନାହିଁ : ନିଜର ଅସନ୍ତୋଷକୁ ବ୍ୟକ୍ତ କରି ଆମ ଏହି ଭଦ୍ର ପଟଟାର ପିଲାମାନେ ନିଜ ଅନୁଷ୍ଠାନର କବାଟ ଝରକା ଓ ଚଉକି ଟେବୁଲ ଭାଙ୍ଗୁଛନ୍ତି, ନିଜ ଗୁରୁମାନଙ୍କୁ ଘଣ୍ଟା ଘଣ୍ଟା ଘେରାଉ କରି ଅଟକାଇ ରଖୁଛନ୍ତି ଅଥବା ଅଧ୍ୟକ୍ଷଙ୍କୁ କୋଠରୀ ଭିତରେ ବନ୍ଦୀ କରି ରଖି ବାହାରୁ ତାଲା ପକାଇ ଦେଉଛନ୍ତି, ଜିନ୍ଦାବାଦ ତଥା ମୁର୍ଦ୍ଦାବାଦ ଇତ୍ୟାଦି ହ୍ରେଷାରବ ଏବଂ ହର୍ଷଧ୍ୱନିରେ ଗଗନ କମ୍ପାଉଛନ୍ତି । କିନ୍ତୁ ଜଙ୍ଗଲ ଅଞ୍ଚଳର ସେହି କଚି କଚି ପିଲାମାନେ ସେସବୁ କିଛି ହେଲେ କରୁନାହାନ୍ତି । ପୂରା ଗୋଟାଏ ଯୂଥରେ ଏମାନେ ଇସ୍କୁଲ ଛାଡ଼ି ବାହାରି ଯାଉଛନ୍ତି । ଦୁର୍ଗମ ଜଙ୍ଗଲପଥ ଅତିକ୍ରମ କରି ବାହାରି ନ ଯାଉଛନ୍ତି । କୋଉ ଖାସ୍ ମର୍ଯ୍ୟାଦାଟା ଆଘାତପ୍ରାପ୍ତ ହେଲେ ଏପରି ବକଟେ ବକଟେ ନଥିଲା ଘରର ପିଲାମାନେ ଏପରି ସମ୍ମାନର ସହିତ ଇସ୍କୁଲ ନାମକ ଏହି ଯନ୍ତାଟା ଭିତରୁ ଯେ ପ୍ରତିବାଦ କରି ବାହାରି ଯାଉଛନ୍ତି, ଆମେ ମନ କଲେ ସେଇଟି ବିଷୟରେ ମଧ୍ୟ କିଛି ଚିନ୍ତା କରି ପାରନ୍ତେ-। ଆପଣାର ବହୁ ଅଭିମାନିତାରୁ ମୁକ୍ତ ହୋଇ ପାରିଲେ ସିନା ତାହା ସମ୍ଭବ ହୁଅନ୍ତା । ସର୍ବବିଧ ସରକାରୀ ଅଭିମାନ ତଥା ଆଦର୍ଶବାଦୀ ଅଭିମାନରୁ ।

 

ଆମ ସଭ୍ୟସଂସାରର ଭୂଗୋଳଟା ମୁତାବକ ଯାହାକୁ ଜଙ୍ଗଲ ବୋଲି କୁହାଯାଇ ଆସିଛି, ସେଠାରେ ମଧ୍ୟ ମନୁଷ୍ୟମାନେ ବାସ କରନ୍ତୁ ବୋଲି ଆମେ ଏବେଯାଇ ସେହି କଥାଟିକୁ ସ୍ଵୀକାର କଲୁ । ଭାରତବର୍ଷ ସ୍ଵାଧୀନ ହେଲା, ସ୍ପଷ୍ଟତଃ ସେଇଟି ହେଉଛି ସବାଆଗର ଗୋଟିଏ କାରଣ । ସେଠା ଜଙ୍ଗଲମାନଙ୍କରେ ଯେଉଁ ମନୁଷ୍ୟନାମକ ସଂହତିଟି କାଳକାଳରୁ ବାସ କରି ଆସିଛି, ନିଜଲାଗି ସଂସାରଟିଏ ତିଆରି କରିବ ବୋଲି ସିଏ କେବେହେଲେ ଜଙ୍ଗଲକୁ କାଟି ପକାଇବା ଲାଗି ମନ କରିନାହିଁ । ସିଏ ଜଙ୍ଗଲଗୁଡ଼ିକ ଭିତରେ ହିଁ ଘର କରିଛି, ଜଙ୍ଗଲରେ ଦେବତାମାନଙ୍କର ଠାବ କରିଛି । ଦେବତାମାନେ ମଧ୍ୟ ତା’ସହିତ ଏଇଠି ଏହି ଜଙ୍ଗଲ ଭିତରେ ରହିଛନ୍ତି ବୋଲି ଜାଣି ସଂପୂର୍ଣ୍ଣ ଭାବରେ ଏକ ବାରିଦରିପଣରେ ଖୁବ୍ ଖୁସୀ ହୋଇଛି ଓ ସତେଅବା ସେହି ଖୁସୀରେ ନାଚିଛି ଏବଂ ଗୀତ ଗାଇଛି । ମୋଟେ ଏକୁଟିଆ ସତେଅବା କେଉଁ ତଥାକଥିତ ଶାସ୍ତ୍ରୀୟ କଳାସାଧନାର ଶୃଙ୍ଖଳା ଅନୁସାରେ ନୁହେଁ, ସମ୍ଭବତଃ ଏକ ଆରେକକୁ ଲୋଡ଼ି ଏବଂ ଏକ ଆରେକକୁ ଲୋଡ଼ିବାର ପ୍ରେରଣା ଦେଉଥିବା ନିଜ ଠାକୁରଙ୍କୁ ଲୋଡ଼ି ଏବଂ ସେହି ସବିକିଛିକୁ ଲୋଡ଼ିବାର ଏକକ ପ୍ରତୀକପ୍ରାୟ ଏହି ଜଙ୍ଗଲକୁ ଲୋଡ଼ି । ଆମ ଏଣେ ଜଙ୍ଗଲମାନେ ନାହାନ୍ତି,–କେବଳ ଠାଏ ଠାଏ ତୋଟାମାନେ ରହିଛନ୍ତି । କିନ୍ତୁ, ଆମ ସମସ୍ତଙ୍କୁ ଗୋଛା କରି ରହିଥିବା ଆମ ଜୀବନଟା ତ ପୂରା ଏକ ଜଙ୍ଗଲରେ ହିଁ ପରିଣତ ହୋଇ ରହିଛି । ଏ ସାହୀ ସେ ସାହୀ, ସବର୍ଣ୍ଣ ଓ ଅବର୍ଣ୍ଣ । ଗାଆଁର ଠାକୁର ମହାଶୟ କେବଳ ଆମର । ନଈ କିମ୍ବା ପୋଖରୀରେ ଅଲଗା ତୁଠ । ଚାରି ପ୍ରକାରର ମଶାଣି । ଏପରିକି ପୂରା ଗାଆଁଟିକୁ ମୁଣ୍ଡଳା ବୁଲାଇ ରଖିଥିବା ଗାଆଁନଈର ବାଲିରେ ସବୁ ପିଲା ଏକାଠି ଖେଳଟିଏ ଖେଳି ପାରିବେନାହିଁ । ଗାଆଁରେ ହୁଏତ ତିନିତିନିଟା ନିମ୍ନ ଏବଂ ଉଚ୍ଚ ବିଦ୍ୟାଳୟ, ତଥାପି ଗାଆଁର ଅଧେଯାଏ ପିଲା ଇସ୍କୁଲମାନଙ୍କରେ ବସି ପାରିବେନାହିଁ । ଏବଂ ସବୁଠାରୁ ଅଧିକ ମାଡ଼ ମାରିବାପରି କଥାଟିଏ ହେଉଛି ଯେ, ଗାଆଁରେ ବହୁଭାଗ ଜମି ଖାତା ଅନୁସାରେ ଯେଉଁମାନଙ୍କ ନାଆଁରେ ରହିଛି, ସେମାନେ ଆପେ ଭୂଇଁ ଚଷନ୍ତି ନାହିଁ ଓ ଅଧିକାଂଶ ଗାଆଁ ବାହାରେ ଅନ୍ୟାନ୍ୟ କେତେ କ’ଣକୁ ଅବଲମ୍ବନ କରି ରହିଥାନ୍ତି ଏବଂ, ଗାଆଁର ଭୂମିବଞ୍ଚିତମାନେ ଭାଗଚାଷୀ ଅଥବା କ୍ଷେତମୂଲିଆ ହୋଇ ପେଟଗୁଡ଼ାକର ଗୁଜରାଣ ମେଣ୍ଟାନ୍ତି । ଚାଲ, ଆମେ ଏପଟର ଏହି ଅଣଜଙ୍ଗଲିମାନେ କିଞ୍ଚିତ୍ ଅନୁମାନ କରି କହିବା ତ, ଆମ ଗାଆଁର ପିଲାଏ ଆମ ପବିତ୍ର ପର୍ବମାନଙ୍କରେ ଏକାଠି କେତେ ନାଚି ବା ଗାଇ ପାରିବେ କି ? ଏବଂ, ଆମ ବୟସ୍କ ବାପା ବଡ଼ବାପା ବଓ ଦାଦି ଖୁଡ଼ୀମାନେ ସେପରି କୌଣସି ଅସ୍ଵାଭାବିକତାରୁ ଇଚ୍ଛା ବି କରିବା, ସେଇଟା ତ ଆମ ଭାବନାମାନଙ୍କର ପୂରା ବାହାରେ ।

 

ତେଣୁ, ଆମ ବାବୁମାନେ କହନ୍ତୁ, କୋଉମାନେ ଆସି ପ୍ରକୃତରେ କେଉଁ ଜଙ୍ଗଲକୁ ଆମ ଦେଶରେ ସଫା କରିବେ ? କିଏ କାହାକୁ ପରାମର୍ଶ ଦେବ ଏବଂ କିଏ କାହାକୁ ବାଟ ଦେଖାଇବ ? ଆମର ଏହି ବଡ଼ ବଡ଼ ବ୍ୟବସ୍ଥାର ଅରସିକମାନଙ୍କୁ ଆମେ କାହିଁକି ଜଙ୍ଗଲି ବୋଲି ନକହିବା ? ଆମର ଏହି ଗୋଟା ସରକାରଟା ଏହି ଦେଶନାମକ ସହଜୀବନଟାକୁ ଯେପରି ଗୋଟାଏ ଜଙ୍ଗଲରେ ପରିଣତ କରି ରଖିଛି, ସେଗୁଡ଼ାକୁ ସଫା କରିବା ନିମନ୍ତେ ତେଣୁ ମଙ୍ଗଳଗ୍ରହରୁ କ’ଣ ଅଫିସରମାନେ ଆସିବେ ? ଯୋଉଠି ଆଦୌ ଆଖି ନ ପାଉଥିବା କୋଟି କୋଟି ହିସାବରେ ଟଙ୍କା ଖରଚ ହେଉଛି, ଅଥଚ କେଉଁ ଅସୁରବୁଦ୍ଧି ଖାସ୍ ଅମଣିଷମାନେ ତାକୁ ମଝିକୁ ହିଁ ଶୋଷି ନେଉଛନ୍ତି ଓ ତାହା ଉଦ୍ଦିଷ୍ଟ ଥାନ ଏବଂ ଉଦ୍ଦିଷ୍ଟ ମନୁଷ୍ୟମାନଙ୍କ ଯାଏ ଆସି ପାରୁନାହିଁ । ତୁଚ୍ଛା ରାତ୍ରିଚରମାନେ ଦିନମାନର ମଞ୍ଚମାନଙ୍କରେ ଭାଷଣ ଦେବାରେ ଲାଗିଛନ୍ତି ଏବଂ ଦେଶକୁ ଏହି ପାଞ୍ଚଟା ବର୍ଷରେ କ’ଣ ସବୁ କପରି ପକାଇବେ ବୋଲି ରଡ଼ିମାନ କରୁଛନ୍ତି ଏବଂ ତା’ପରେ ଆମଠାରୁ ସମର୍ଥନ ପାଇ ନିଜ ଅବନ୍ତୀପୁରର ଜଙ୍ଗଲମାନଙ୍କରେ ତୁଚ୍ଛା ଶ୍ୱାପଦଟାର ଭୂମିକା ମାନଙ୍କରେ ରହି ଆମର ଏହି ଦେଶନାମକ ଭାଗ୍ୟଟାକୁ ଛାରଖାର କରି ପକାଉଛନ୍ତି । କେଉଁମାନେ ଦେଶର ଖାସ୍ ଦଳିତ ଅର୍ଥାତ୍ ସବାତଳର ମନୁଷ୍ୟମାନଙ୍କରେ ଭାଗ୍ୟର ପରିବର୍ତ୍ତନ ଆଣିଦେବେ ନୂଆ ନୂଆ ପେଣ୍ଠଗୁଡ଼ାକର ନାଆଁରେ ରାଜନୀତି କପରି ବାହାରିଛନ୍ତି ସିନା, କିନ୍ତୁ ସେମାନଙ୍କର ଭାଡ଼ିସନ୍ଧି ମାନଙ୍କରୁ ସତେଅବା କୌଣସି କୋଟିପତିର ବିତ୍ତ ଜମା ହୋଇ ରହିଥିବାର ଧରା ପଡ଼ି ଯାଉଛି । ଆମର ଉଚ୍ଚରୁ ଆହୁରି ଉଚ୍ଚ ପାଠମାନେ ଆମକୁ ଅବାକ୍ କରି ଏହି ପଲପଲ ଲାମ୍ପଟ୍ୟଗୁଡ଼ାକୁ ହିଁ ସୃଷ୍ଟି କରିବାରେ ଲାଗିଛନ୍ତି । ମହାମହା ଆଡ଼ମ୍ବରରେ ଉତ୍ସବଗୁଡ଼ିକର ପାଳନ ହେଉଛି । ଯିଏ ଯାହା ଆଦୌ ନୁହଁ, ସିଏ ତ କେତେ ପରିପାଟୀରେ ସେଇଟାରୁ ହିଁ ଆପଣାର ପ୍ରକୃତ ପରିଚୟ ବୋଲି କହି ଭଙ୍ଗୀମାନ କରିବାରେ ଲାଗିଛି ଏବଂ ମଞ୍ଚଗୁଡ଼ିକୁ ଦୁଲୁକାଇ ପକାଉଛି । ଗୋଟାଏ ପରିପୂର୍ଣ୍ଣ ମାୟାନଗରୀର ଏକ ଅଭିନବ ଲମ୍ପଟାଚାରରେ ଆମର ଏହି ଭୁବନଟା ଚାଲିଛି । ଗୋଟାଏ ପୂରା ଜଙ୍ଗଲର ନକ୍ସାରେ ।

 

ହଁ, ଏହିପରି ଗୋଟିଏ ପ୍ରତାରଣାପୂର୍ଣ୍ଣ ପରିସ୍ଥିତିରେ ସମ୍ଭବତଃ ଗୋଟିଏ ମାତ୍ର ଆଶା କରି ହେଉଛି ଯେ, ସେହି ସେଠା ଜଙ୍ଗଲମାନଙ୍କରୁ ହିଁ ଆହ୍ଵାନମାନେ ଆସିବେ ଓ ଆମର ଏ ଜଙ୍ଗଲଟାର ଅଚେତାଟାକୁ ଚୁନୌତି ଦେବେ । ସତ ଜଙ୍ଗଲରୁ ସେମାନେ ଆସି ଆମର ଏହି ମିଛ ଜଙ୍ଗଲମାନଙ୍କରୁ ଆମକୁ ଉଦ୍ଧାର କରିବେ । ସେପାଖରେ ସେମାନେ ସେଇ କେଉଁ କାଳରୁ ହିଁ ଦୁଃଖ, ଦାରିଦ୍ର୍ୟ, ଅଭାବ ଏବଂ ନିଅଣ୍ଟ ଭିତରେ ରହି ଆସିଛନ୍ତି । ତୁଚ୍ଛା ମିଛଟାରେ ସହି ସହି ଆସିଛନ୍ତି । ସହି ସହି ପୋଖତ ହୋଇ ଯାଇଛନ୍ତି । ଏତେ ଏତେ ଅସତ୍ୟର ଶିକାର ହୋଇଛନ୍ତି, କିନ୍ତୁ ଅସତ୍ୟଗୁଡ଼ିକୁ ମାନି ନେଇନାହାନ୍ତି । ସେମାନଙ୍କର ସେହି ମୂଳ ବିବେକ ନାମକ ଛାତିତଳେ ତଥାପି ଦୀପଟିଏ ଜଳୁଛି, ଯାହା ଯୁଗଯୁଗର ଏତେଏତେ ପ୍ରକୋପ ସତ୍ତ୍ୱେ ସେମାନଙ୍କୁ ବଞ୍ଚାଇ ରଖିଛି । ହଁ, ସେମାନେ ସତ୍ୟରେ ଅଛନ୍ତି, ଯାହାକିଛିକୁ ସତ୍ୟ ବୋଲି ବୁଝିଛନ୍ତି, ତାହାକୁ ବଞ୍ଚିଛନ୍ତି । ନିଜର ଠାକୁରମାନଙ୍କୁ ଅର୍ଥାତ୍ ମୂଳବିଶ୍ଵାସ ମାନଙ୍କୁ ମୋଟେ ମିଛ ବୋଲି ଫିଙ୍ଗି ଦେଇନାହାନ୍ତି । ଅର୍ଥାତ୍ ଧର୍ମରେ ଅଛନ୍ତି ଏବଂ ଅପେକ୍ଷା କରିଛନ୍ତି, ଯେ ଆଖର ଦିନେ ନା ଦିନେ ସବୁ ବଦଳିଯିବ, ସକାଳଟା ନୂଆ ପରି ଲାଗିବ । କେବଳ ଡଙ୍ଗରଖୋଲଟା ନୁହେଁ, ପୂରା ପୃଥିବୀଟା ହିଁ ଉଜ୍ଜ୍ୱଳ ହୋଇ ଉଠିବ । ସେଇଥିଲାଗି ତ ଦାଣ୍ଡରେ ବାଜା ବାଜିବାକୁ ଆରମ୍ଭ କଲେ ଚୂଲୀମୁଣ୍ଡ ଛାଡ଼ି ମାଆମାନେ ତତ୍‌କ୍ଷଣାତ୍ ବାହାରି ଯାଇ ପାରୁଛନ୍ତି । କୋଉ ନାଚମାଷ୍ଟରର ଛାଟ ସେମାନଙ୍କୁ ଶିକ୍ଷାଦାନ କରିନଥିଲେ ମଧ୍ୟ ଗୋଡ଼ ଦୁଇଟା ଆଉ ପଚାଶଜଣଙ୍କର ଗୋଡ଼ ସହିତ ସମଚ୍ଛନ୍ଦ ହୋଇ ପଡ଼ିବାକୁ ଆରମ୍ଭ କରୁଛି ଏବଂ ହାତକୁ ହାତ ଛନ୍ଦି ହୋଇ ଯାଉଛି । ସମ୍ପୂର୍ଣ୍ଣ ଦେହମାନେ ସତେ ଯେପରି ଭଗବଦ୍‌ଦତ୍ତ ଏକ ଶାନ୍ତ ଉଲ୍ଲାସରେ ଉଲ୍ଲସିତ ହୋଇ ଉଠୁଛନ୍ତି, ଆଖିମାନେ ଏକ ପୂର୍ଣ୍ଣ ଏବଂ ଅବିଚଳ ସକରାତ୍ମକତାରେ ଉଜ୍ଜ୍ଵଳ ହୋଇ ଆସୁଛନ୍ତି । ହଁ, ଆମେ ସମସ୍ତେ ଏହିପରି ସେହି ଗୋଟିଏ ଧରଣୀପେନୁର ଜଣେ ଜଣେ ସନ୍ତାନ । ଯୁଗେ ଯୁଗେ ଥିଲୁ ଏବଂ ଏବେ ମଧ୍ୟ ରହିଛୁ । ଏହି ପାହାଡ଼, ଏହି ଆକାଶ, ଏହି ଜଙ୍ଗଲ ଓ ଏହି ଦିନରାତିମାନେ ଆମ ସମସ୍ତଙ୍କର । ଏବଂ, ସମସ୍ତଙ୍କର ବୋଲି ତ ଏଡ଼େ ସୁନ୍ଦର, ଏଡ଼େ ପରିଚିତ । ଆଗକୁ ଯୋଉ ସମୟ ଆସୁଛି, ସେଥିରେ ମଣିଷମାତ୍ରକେ ଏକାଠି ପରସ୍ପର ସହିତ ଘର କରି ରହିବେ: ଦିଆନିଆ ହୋଇ ପାରିବ, କେହି କାହାକୁ ମୋଟେ ଗିଳି ପକାଇବ ନାହିଁ । ରଜା ଓ ସାହୁକାର କେହି ନଥିବେ, କେବଳ ମେଳମାନେ ଥିବେ, ମଣିଷମାନଙ୍କର ମେଳମାନେ ।

 

ବନ୍ଧୁ, ଆଗାମୀ ସେହି ଯୁଗରେ ମାୟାବାଦ ବୋଲି ମୋଟେ କିଛି ରହିବନାହିଁ । ସମସ୍ତେ ସେହି ଗୋଟିଏ ମାୟାରେ ବାନ୍ଧି ହୋଇ ରହିଥିବେ । ସେତେବେଳେ ବୈରାଗୀ ନଥିବେ, ବାବଜୀ ନଥିବେ, କେହି ମୋଟେ ଅଧିକ ଗେହ୍ଲା ହେବାକୁ ମନ କରି ଆମର ଏହି ଭୁବନଟା ସକାଶେ ମୋଟେ ସମସ୍ୟା ସୃଷ୍ଟି କରିବନାହିଁ । ସତ୍ୟ, ନ୍ୟାୟ, ଧର୍ମ ଏବଂ ସହଭାଗିତାର ସଂସାରଟିକୁ କୌଣସି ପ୍ରଚକ୍ଷୁ ନଦେଇ ମଧ୍ୟ ଦେଖି ହେଉଥିବ ଓ ବଞ୍ଚି ହେଉଥିବ । ବର୍ତ୍ତମାନ ନିଜକୁ ତଥା ପରସ୍ପରକୁ ପଚାରିବା ତ, ଆମ ଇତିହାସର ସମାଜବାଦଟା ଯେଡ଼େ ସୂକ୍ଷ୍ମ ଭାବରେ ହେଲେ ମଧ୍ୟ ସେହି ସ୍ଵପ୍ନଟାକୁ ହିଁ ଦେଖି ଆସିଛି । ଏବଂ ଆର ସାହୀର ସେମାନଙ୍କର ସେହି ସର୍ବୋଦୟ ନାମକ ଉଚ୍ଚାଟନପୂର୍ଣ୍ଣ ସନ୍ଦେଶଟି, ସେଇଟି ମଧ୍ୟ କ’ଣ ନିଆରା ଆଉ ଗୋଟାଏ ସ୍ଵପ୍ନର କଥା କହି ଆସିଛି ? ତେଣୁ, ଚାଲ ଆମେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ପ୍ରମାଣ ଜଣାଇବା ଯେ, ସିଏ ତାଙ୍କ କର୍ମୀଜୀବନର ସେହି ପ୍ରଥମ ପଦକ୍ଷେପଟିରୁ ସିଏ ସମ୍ପର୍କରେ ଆସିଥିବା ମନୁଷ୍ୟମାନଙ୍କର ଆଖି ଉପରେ ସେହିପରି ଏକ ଅନ୍ୟ ଅନାଗତକୁ ଦେଖି ପାରିଥିଲେ । ସେମାନେ ଇହାଦେ ଯେଉଁସବୁ ତାଡ଼ନା ମଧ୍ୟରେ ସନ୍ତୁଳି ହୋଇ ରହିଛନ୍ତି ବୋଲି ଉପଲବ୍ଧି କଲେ, ତାହାରିଠାରୁ ସତେଅବା ଖିଅଟାଏ ପାଇ ଆଗକୁ ବି ଏକ ଅନ୍ୟ ସମ୍ଭାବନା ଅର୍ଥାତ୍ ଅନ୍ୟ ପ୍ରତିଶ୍ରୁତିକୁ ମଧ୍ୟ ଘ୍ରାଣ କରି ପାରିଲେ ଏବଂ ସେହିପରି ଗୋଟିଏ ଅନ୍ୟ ସମ୍ବେଦନାରେ ସେମାନଙ୍କର ନିକଟବର୍ତ୍ତୀ ହୋଇଗଲେ-। ଅନ୍ୟ ଅନେକଙ୍କ ଭଳି ସେବାକାର୍ଯ୍ୟମାନ କଲେ, ତଥାପି କ୍ରମେ ଏକ ଭିନ୍ନ ମଣିଷ ହୋଇଗଲେ-। ସେଠା ମଣିଷମାନଙ୍କର ସାମୀପ୍ୟ ତାଙ୍କୁ ମଧ୍ୟ ସତେଅବା କେତେ କେତେ ଅନ୍ତରଙ୍ଗତାରେ ସୋପାନ ପରେ ସୋପନ ଉଠାଇ ନେଇ ଯାଇଥିଲା । ସିଏ ସେବକକର୍ମୀ ହିସାବରେ ଆପଣାର ଭୂମିକାଟିକୁ ତୁଲାଇବାରେ ମୋଟେ କୌଣସି ହେଳା କରିନଥିଲେ । କିନ୍ତୁ ତଥାପି ଏକ ଅନ୍ୟ ମାୟାରେ ପଡ଼ିଗଲେ । ଅନ୍ୟ ସେବକମାନେ ତ ଉପରୁ ନିର୍ଦ୍ଦେଶ ପାଇଲେ ସ୍ଥାନରୁ ସ୍ଥାନାନ୍ତର ହୁଅନ୍ତି । ଯେଉଁଠାକୁ ଯାଆନ୍ତି, ସେଠାରେ ମଧ୍ୟ ପୂର୍ଣ୍ଣ ନିଷ୍ଠାରେ କାର୍ଯ୍ୟ କରନ୍ତି । ସେମାନେ ଖୁବ୍‌ସମ୍ଭବ ସେବାନାମକ କାର୍ଯ୍ୟଟିକୁ ହିଁ ଦେଖାଥାଆନ୍ତି । ମଣିଷମାନଙ୍କୁ ନିମିତ୍ତ ପରି ଦେଖନ୍ତି-। ବିଶ୍ଵନାଥ ଭାଇ ସୁନିଶ୍ଚିତ ଭାବରେ ସେତେ ଟାଣ ହୋଇ ତିଆରି ହୋଇ ନଥିବେ । ତେଣୁ, ସିଏ ସେହି କାରଣରୁ ସେବାକାର୍ଯ୍ୟ ମାନଙ୍କୁ ଆଗ ନଦେଖି ମଣିଷମାନଙ୍କୁ ଦେଖିଲେ । ଯୋଡ଼ି ହୋଇ ଯାଇଥିଲେ ।

 

ସେହିପରି ଏକ ଭିନ୍ନ କାରଣରୁ ହୁଏତ ଏକ ଅନ୍ୟ ପ୍ରେରଣା ଜନ୍ମଲାଭ କରିଥିଲା । ଏବଂ, ପ୍ରେରଣାଟି ସଂକ୍ରମିତ ହେଲା । ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ତଥା ସ୍ଥାନୀୟ ସଉରାମାନେ,–ଉଭୟେ ଉଭୟଙ୍କୁ ପ୍ରେରଣା ଦେଇଥିଲେ ଏବଂ ଉଭୟେ ଉଭୟଙ୍କଠାରୁ ପ୍ରେରଣା ଲାଭ କରିଥିଲେ-। ସେହିପରି ଗୋଟିଏ ସହଯାତ୍ରାର ବାସ୍ତବ ହିଁ ସେଠାରେ ଭୂସତ୍ୟାଗ୍ରହକୁ ଏକ ନିର୍ଦ୍ଦିଷ୍ଟରୂପ ଦେଇ ପାରିଥିଲା । ଆମେ ଯେଉଁମାନେ ଆମର ଆଜ୍ଞାକୁ ନାନାବିଧ ବିଶେଷଣ ଦେଇ ପ୍ରାୟ ପୋତି ପକାଉଛୁ, ସେମାନେ ସେହି ଅସଲ କଥାଟିକୁ କୌଣସି କାରଣରୁ ଇଚ୍ଛା କରି ପାସୋରି ପକାଉଛୁ କି ? ସତେଅବା କେଉଁ ରତ୍ନର ବଜାରରୁ ଏହି ରତ୍ନଟିକୁ ଆପଣାର କରିନେଇ ଆମରି କୌଣସି କାଚଘରେ ବନ୍ଦୀ କରି, ରଖିବାକୁ ଭାରି ଇଚ୍ଛା କରୁଛୁ । ଏବଂ, ଯେଉଁ ଗୋଦାମର ମାନୀ ବ୍ୟକ୍ତିମାନେ ତାଙ୍କୁ ଗୋଟିଏ ଡିଗ୍ରୀ କିମ୍ବା ଏକ ଆୱାର୍ଡ଼୍‌ରେ ମଣ୍ଡିତ କରିଦେଉଛୁ, ସେମାନେ ପ୍ରକୃତରେ ଆମ କାହାପ୍ରତି ଦରଦ ଇତ୍ୟାଦି ରହିଛି ବୋଲି ସେହି ଅକାର୍ଯ୍ୟମାନଙ୍କୁ କରିବାପାଇଁ ମନ କରୁଛୁ ? ତୁଚ୍ଛା ଗୋଟାଏ ଖାସ୍ ଚଉହଦୀ ଭିତରେ ରହିଥିବା ସେହି ନିଜଟା ବ୍ୟତୀତ ଆମର ସତକୁ ସତ ଆଉ କାହାରି ପ୍ରତି କୌଣସି ଦରଦ ରହିଛି କି ? ଗୋଟାସୁଦ୍ଧା ନିଜକୁ ହିଁ ଜଗତ୍‌ସାର ବୋଲି ସ୍ଵୀକାର କରି ନେଇଥିବା ଆମେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ବସ୍ତତଃ କୋଉଠୁ କୋଉଯାଏ କିଛି ବି ବୁଝିବାଲାଗି ଚେଷ୍ଟା କରିଥିବା ? ତେଣୁ, ବେଶ୍ ବୁଝିହେଉଛି, ତାଙ୍କୁ ଆମ ତରଫରୁ ଗୋଟାଏ ତାରିଫ୍‌ପତ୍ର ଦେବାବେଳେ ଆମେ ତାଙ୍କ ଭିତରର ସଦାସତ୍ୟାଗ୍ରହୀଟିକୁ ଗୋଟାସୁଦ୍ଧା ପାସୋରି ପକାଇବାକୁ କାହିଁକି ଏକ ଆବଶ୍ୟକ କର୍ତ୍ତବ୍ୟ ବୋଲି ବିଚାର କରିଛୁ-। କାରଣ, ଉଭା ଏବଂ ପୋତା ଯେଉଁପରି କାଇଦା ଅଥବା ବେକାଇଦାରେ ହେଉ ପଛକେ, ଆମେ ଅସତ୍ୟ ପଟେ ଅଛୁ । ସତ୍ୟଠାରୁ ଦୂରଛଡ଼ା ହୋଇ ରହିଛୁ । ସତ୍ୟଠାରୁ ଚୋର ପରି ଲୁଚି ବୁଲୁଛୁ-। ସତ୍ୟର ବାଟ ଓଗାଳି ଛିଡ଼ା ହୋଇଛୁ । ବିଶ୍ଵନାଥ ପଟ୍ଟନାୟକ ସତ୍ୟ ପଟେ ଥିଲେ । ସେହି ପଟର ମଣିଷମାନଙ୍କ ଆଡ଼କୁ ନିତ୍ୟପ୍ରସାରିତ ହୋଇ ରହିଥିଲେ ଏବଂ ସେଇଥିରୁ ଆନନ୍ଦ ପାଉଥିଲେ-। ଏବଂ, ସମ୍ଭବତଃ ଆମ ଅନେକଙ୍କର ଏହି ଯାବତୀୟ ଆନୁଷ୍ଠାନିକତାର ଆନନ୍ଦ ହେଉଛି ଏକ ଲୁଚି ରହିଯିବାର ଆନନ୍ଦ । ହଁ, ଆମଠାରୁ ଆଉପ୍ରକାରମାନେ ଆମର ଅବଶ୍ୟ ପୂଜ୍ୟ,–ମାତ୍ର ସେମାନଙ୍କୁ ଆମଠାରୁ ଯଥାସମ୍ଭବ ଦୂରରେ ରଖି ଆମେ ଯେଉଁଠାରେ ଅଛୁ, ସେଇଠାରେ ହିଁ ରହିଥିବା,–ସେଇଟି ହିଁ ନିରାପଦ । ସତ୍ୟକୁ ଏଡ଼ି ଏଡ଼ି ରହିବା,-ନିୟମତଃ ଅସତ୍ୟ ପାଇଁ ସେଇଟି ହିଁ ନିରାପଦ-

 

ନକ୍ସାଲବାଡ଼ି ହେଉଛି ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଅଞ୍ଚଳରେ ଅବସ୍ଥିତ ଗୋଟିଏ ଗ୍ରାମର ନାମ । ସେହିଠାରେ ପ୍ରାୟ ଚାଳିଶି ପଚାଶବର୍ଷ ତଳେ ପୂର୍ଣ୍ଣ ସଚେତନ ଭାବରେ ଏକ ଅନ୍ୟ କିସମର ଲୋକସଂଗ୍ରାମ ଆରମ୍ଭ ହୋଇଥିଲା । ସଂଗ୍ରାମଟି ହିଂସାରେ ବିଶ୍ଵାସ କରୁଥିଲା କି ନାହିଁ, ସେକଥା କେହି କହି ପାରିବେନାହିଁ; କିନ୍ତୁ ହିଂସାର ମାର୍ଗ ଯାହା ଆରମ୍ଭ ହୋଇଥିଲା, ତାହାକୁ ଗୋଟିଏ ସଂଗ୍ରାମ ବୋଲି ଅବଶ୍ୟ କୁହାଯିବ । ଏକ ଲୋକ-ସଂଗ୍ରାମ,-ଏକ ଦୀର୍ଘକାଳର ଅସନ୍ତୋଷ ହେତୁ ଗୋଟିଏ ସଂଗ୍ରାମ, ସନ୍ତାପିତ ମନୁଷ୍ୟମାନଙ୍କ ତରଫରୁ । ଦେଶ ସ୍ଵାଧୀନତା ଲାଭ କରିବା ପରେ ସ୍ଵାଧୀନତା ସଂଗ୍ରାମର ମହାନ୍ ବୀରଗଣ ଯେତେବେଳେ ମୁଣି ମୁଣି ଯୋଜନାର ବାଣଗୁଡ଼ିଏ ମାରି ତଥାପି ସାଧାରଣ କୋଟି କୋଟି ମଣିଷଙ୍କର ସର୍ବନିମ୍ନ ଅଭାବଗୁଡ଼ିକୁ ମଧ୍ୟ ମେଣ୍ଟାଇ ପାରିଲେନାହିଁ ଏବଂ ଏକାଧିକ ବାସ୍ତବ କ୍ଷେତ୍ରରେ ଆପେ ଲାଭବାନ୍ ହେଲେ, ସେହି ଉପନିବେଶ-କାଳର ପୁରୁଣା ହାକିମୀତନ୍ତ୍ରଟା ଯେତେବେଳେ ମାଲ୍ୟାଣୀ ବନି ସେମାନଙ୍କୁ କିମିଆ କରି ରଖିଲା ଏବଂ ଦେଶର ରାଜନୀତିଟା ମଧ୍ୟ ଗଣତନ୍ତ୍ରର ଆଳ ଦେଖାଇ ଡାହାଣ ବାମ ନିର୍ବିଶେଷରେ ତୁଚ୍ଛା ନାନା ଆତ୍ମକାମିତାର ସରୋବର ମାନଙ୍କରେ କ୍ରୀଡ଼ା କରିବାକୁ ଆରମ୍ଭ କଲା, ସେତେବେଳେ ଏକ ଅନ୍ୟଭଳି ନେତୃତ୍ଵ ଜନ୍ମଲାଭ କରିଥିଲା । ଗାନ୍ଧୀଙ୍କ ପରେ ଗାନ୍ଧୀବାଲାମାନେ ସତେଅବା ଆପଣା ଆପଣାର ନିରୋଳା ଆତ୍ମନିର୍ବାସନ ମାନଙ୍କରେ ନିମଜ୍ଜିତ ରହିବାକୁ ବରଂ ଅଧିକ ନିରାପଦ ବୋଲି ମନେ କରିଥିଲେ । ଏବଂ, ସଂଗ୍ରାମୀମାନେ ହୁଏତ ଭାରି କ୍ଳାନ୍ତ ହୋଇ ପଡ଼ିଥିଲେ ଓ ସରକାରୀ ସଂଗ୍ରାମୀଭତ୍ତାର ନିଶାଦଳ ସେବନ କରି ମଉନ ହୋଇ ରହିଥିଲେ । ଲୋକଆତ୍ମାଟା ଯେ ତଥାପି ଆକୁଳ ହୋଇ ଅପେକ୍ଷା କରିଛି, ସତେଅବା ଯେତେ ଯାହା ବୁଝି ପାରୁଥିଲେ ମଧ୍ୟ ସତେଅବା ନେତୃତ୍ଵଗୁଡ଼ିକର ବିବେକଟା ଆଗକୁ ଅନାଇ ମୋଟେ କିଛିହେଲେ ଦେଖି ପାରୁନଥିଲା । ଅଥବା ଦେଖିବାକୁ ସାହସ କରୁନଥିଲା ବା ଶାସ୍ତ୍ରମାନଙ୍କର ପରାମର୍ଶ ମାନି ଆଉ ଏକ ଅବତାର ଲାଗି ଅପେକ୍ଷା କରିଥିଲା । ସେଇଥିରୁ ନକ୍‌ସାଲବାଡ଼ିରୁ ଏକ ନୂତନ ସଂଗ୍ରାମ ଆରମ୍ଭ ହୋଇଥିଲା । ଏକ ବୃହତ୍ କିସମର ନିଦ୍ରାଭଙ୍ଗର କାରଣ ହୋଇଥିଲା ।

 

ସ୍ଵୀକୃତ ମଣ୍ଡପ ଗୁଡ଼ିକରେ ଆମ ରାଜନୀତିର ସର୍ଦ୍ଦାରମାନେ ନିଜ ନିଜ କାଇଦା ଭିତରେ ରହି ଆପଣାକୁ ସମ୍ଭବତଃ ଯେତେ ଯାହା ନ୍ୟାୟରେ ବାସ୍ତବବାଦୀ ବିପ୍ଳବୀ ବୋଲି ଭାବୁଥିଲେ ମଧ୍ୟ ଅଚାନକ ସେହି ଲଞ୍ଜାତାରାଟିକୁ ଦେଖି ନିଶ୍ଚୟ ଖୁବ୍ ଆଚମ୍ବିତ ହୋଇ ଯାଇଥିବେ । ପଶ୍ଚିମବଙ୍ଗରୁ ସେହି ଉଦ୍‌ବେଳନଟି ଆନ୍ଧ୍ର ପ୍ରଦେଶର ତେଲେଙ୍ଗାନା ଯାଏ ମାଡ଼ିଗଲା । ଯେଉଁମାନେ ଏଇଠି ଦ୍ଵାରା ନିଜ ଭିତରେ ଭାରି ଆତଙ୍କିତ ହୋଇ ପଡ଼ିଥିଲେ, ସେମାନେ ଏଇଟି ମଧ୍ୟରେ ସତେଅବା ସେଇଟିର ହିଂସାଚରଣର ଦିଗଟିକୁ ଦେଖିଲେ ସିନା, ମାତ୍ର ଲୋକ-ଅସନ୍ତୋଷର ଅନ୍ତର୍ଗତ ସତ୍ୟଟିକୁ ହୁଏତ ଦେଖି ମଧ୍ୟ ବାଆଁରେଇ ହେଲେ । ସେହି ସମୟରେ ଖୁବ୍ ସମ୍ଭବ ସନ୍ଥ ବିନୋବା ଲୋକପକ୍ଷଟିର ଜ୍ୱାଳାଟିକୁ ତାହାର ପରିପୂର୍ଣ୍ଣ ଔଚିତ୍ୟଟି ସହିତ ହୃଦୟଙ୍ଗମ କରି ପାରିଥିଲେ ଏବଂ ବିକଳ୍ପ ସମାଧାନଟିଏ ଖୋଜିଲେ । ହିଂସାଲାଗି ଉତ୍ତେଜନା ଦେଉଥିବା ଏହି ସମାଧାନପଥଟିର ବିକଳ୍ପ ହିସାବରେ ତଥାପି ଏକ ନିଶ୍ଚିତ ସମାଧାନର ପଥ । ସେଇଥିରୁ ଆରମ୍ଭ ହେଲା ଭୂଦାନ ଆନ୍ଦୋଳନ । ବିନୋବାଜୀ ତାହାକୁ ଭୂକ୍ରାନ୍ତି ବୋଲି କହୁଥିଲେ । କାମ ନଥିଲା ପରି ଘାଲେଇ ପଡ଼ିଥିବା ଗାନ୍ଧୀବାଦୀ ସାହୀଟା ସେହି କ୍ରାନ୍ତିର ମର୍ମାର୍ଥଗୁଡ଼ିକୁ ପୂର୍ଣ୍ଣ ମର୍ଯ୍ୟାଦା ଦେଇ ହୁଏତ ବୁଝି ନଥାଉ ପଛକେ, କିନ୍ତୁ ଗୋଟାଏ କାମ ଅନ୍ତତଃ ମିଳିଗଲା ବୋଲି ନିଦ ଭାଙ୍ଗି ଉଠି ପଡ଼ିଲା ଏବଂ ସେହି ଭୂଦାନଯଜ୍ଞଟି ଆଡ଼କୁ ଡେଇଁ ପଡ଼ିଲା । ବାର୍ତ୍ତାଟା ସିନା ନୂଆ, ମାତ୍ର ସେହି ପୁରୁଣା ମୁରବୀମାନଙ୍କର ଶାସନରେ ତଥା ତତ୍ତ୍ଵାବଧାନରେ । ତେଣୁ, ଅସଲ କ୍ରାନ୍ତି-ଦର୍ଶନଟିକୁ ଗ୍ରହଣ ନକରୁଥିଲେ ମଧ୍ୟ ସେମାନେ ସମଗ୍ର ବିପ୍ଳବାତ୍ମକ ଆହ୍ଵାନଟିକୁ କେଡ଼େ ନିର୍ଦ୍ଦୋଷ ଭାବରେ ପ୍ରାୟ ଏକ ଧର୍ମୀୟ କର୍ତ୍ତବ୍ୟରୂପେ ଗ୍ରହଣ କରିଥିଲେ । ତେଣୁ, ସେଇଟା ପ୍ରକୃତରେ ଆଉ କେତେଯାଏ ଯାଇଥାଆନ୍ତା ! ଫଳରେ,ସର୍ବବିଧ ଧୂମ୍‌ଧାମରେ ଚକାଟା ଘିର୍‌ଘିର୍ ହୋଇ ଆଗେଇ ଯାଉଥିବା ସମୟରେ ସତେଅବା କିଛି ଆକ୍ରାନ୍ତଯାଏ ଯାଇ ଆପେ ଆପେ ଥମି ରହିଗଲା ଏବଂ ସମ୍ପୃକ୍ତ ସମସ୍ତେ ଫେରି ଯାଇଥିଲେ । ସବୁ ଶାନ୍ତ ହୋଇ ଆସିଲା ଏବଂ ପୂର୍ବରୁ ଯାହା ଯେଉଁପରି ଥିଲା, ସେଇଟା ରାଜା ହୋଇ ବସିଲା ।

 

ଏବଂ, ଲୋକମାନେ ପୁଣି ଆପଣାର ସେହି ପୁରୁଣା ସଂଗ୍ରାମୀଗଣଙ୍କୁ ଖୋଜିଲେ । ସମ୍ଭବତଃ, ଏଇଟା ମଧ୍ୟ ଗୋଟିଏ ଐତିହାସିକ ନିୟମ ଯେ, ଲୋକମାନେ ସତକୁ ସତ ନେତୃତ୍ଵଟିଏ ଲୋଡ଼ି ଯେତେବେଳେ ସତେଅବା ଆପଣା ଭିତରୁ ହିଁ ହଲଚଲ ହେବାକୁ ଆରମ୍ଭ କରନ୍ତି, ସେତେବେଳେ ସେମାନଙ୍କର ମନଲାଖି ନେତୃତ୍ଵଟିଏ ଆସି ସେମାନଙ୍କ ପାଖରେ ପହଞ୍ଚି ଯାଇଥାଏ-। ଉଭୟେ ଉଭୟଙ୍କୁ ବୁଝି ପାରନ୍ତି ଏବଂ ଗୋଟିଏ ନୂଆ ଗତିଶୀଳ ଆନ୍ଦୋଳନ ଆରମ୍ଭ ହୋଇ ଯାଇଥାଏ । ଏସବୁ ଏତେ ଏତେ ପର୍ଯ୍ୟନ୍ତ ସତକୁ ସତ ହେବ ବୋଲି ସମ୍ଭ୍ରାନ୍ତ ଅନ୍ୟ ନେତାମାନେ କଳ୍ପନା ହିଁ କରିନଥାନ୍ତି । ଏବଂ, ପ୍ରତିଷ୍ଠିତ କ୍ଷମତାଟା ହାତରେ ବନ୍ଧୁକ ଧରି ବାହାଦୂର ହୋଇ ବାହାରିଆସେ । ସତେଅବା ଦାନବମାନଙ୍କୁ ନିଃଶେଷ କରିଦେବାର ଏକ କୁତ୍ସିତ ବିଭୀଷିକା ଆରମ୍ଭ ହୋଇଯାଏ । ଏଣୁତେଣୁ ଭୋଇ ବହୁତ ମଣିଷ ମରନ୍ତି, ବହୁତଙ୍କୁ ଜେଲ ଭିତରକୁ ଧରି ନିଆଯାଏ-। ତଥାପି ସଂଗ୍ରାମ ସରେନାହିଁ । ସରକାରମାନେ ଢମ ଦେଖାନ୍ତି ଏବଂ ବହୁ ଜନଗଣ ଯାହାକୁ ଏକ ଲୋକପକ୍ଷୀୟ ସଂଗ୍ରାମ ବୋଲି ଅନୁଭବ କରୁଥାଆନ୍ତି, ସେଇଟି ପ୍ରାୟ ଗୋଟିଏ ଅଖଣ୍ଡ ପ୍ରକ୍ରିୟା ଭଳି ଲାଗି ରହିଥାଏ । ସାମନ୍ତମାନଙ୍କୁ ବିଚଳିତ କରାଏ । ଏହି ନକ୍ସାଲ ଆନ୍ଦୋଳନ କ୍ରମେ ତେଲେଙ୍ଗାନାରୁ ପୂରା ଆନ୍ଧ୍ରପ୍ରଦେଶକୁ ଖେଦି ଯାଇଥିଲା । ତା’ପରେ ସେହି ନିଆଁଟା ଜଙ୍ଗଲେ ଜଙ୍ଗଲେ ରାଜ୍ୟସୀମାଟାକୁ ଠଉରାଇବାର କୌଣସି ଆବଶ୍ୟକତା ଅନୁଭବ ନକରି ଓଡ଼ିଶା ଭିତରକୁ ମାଡ଼ି ଆସିଥିଲା । ପୋଲିସ୍ ବାହିନୀକୁ ପାଳକ ହିଁ ପଡ଼ି ଗଲା । ଏମାନେ ନକ୍ସାଲ ଅଣନକ୍ସାଲ ଯାହାକୁ ପାଇଲେ, ଲାଛିଦେଲେ । ହଁ, ଯାହାକୁ ପାଇଲେ ତାକୁ । ଯେଉଁଠାରେ ମଉକା ପାଇଲେ, ପିଟିଲେ । ବନ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ୍ ବିଭାଗର ଗ୍ରାମାଞ୍ଚଳ ସ୍ତରର ମଣିଷମାନେ ତ ଲୋକମାନଙ୍କ ଉପରେ ବଳ ଓ ଅନ୍ୟ ନାନା ଧମକର ଜୋର ଦେଖାଇ ତେଣେ ସେହି ନୃଶଂସ ଆଗକାଳର ହାକିମୀଗୁଡ଼ାକୁ ଜାରି କରି ରଖିଥିଲେ ଏବଂ ତେଜରାତି ଖୁଚରା ସ୍ତରର କେତେ କେତେ ସୁଯୋଗ ପାଇ ପାରୁଥିଲେ । ଏବେ ଏହି ନକ୍ସାଲ ନୂଆ ସାଥୀମାନଙ୍କର ହେମତ ପାଇ ଲୋକମାନେ ସରକାରୀ ବାବୁମାନଙ୍କର ଆଉ ଆଗପରି ମନ ଖୁସ କରିବାକୁ ରାଜୀ ହେଲେନାହିଁ-। ଏବଂ ପୋଲିସ୍ ପକ୍ଷର କୁନଜରରେ ପଡ଼ିଲେ । ଏବଂ, ସରକାରୀ ଭଣ୍ଡାରପାଳମାନେ ନକ୍ସାଲ ଦମନ ନାଆଁରେ ପୂର୍ଣ୍ଣ ଉତ୍ତମ ବିବେକର ସହିତ ଆଗର ରାଗଗୁଡ଼ିକୁ ମେଣ୍ଟାଇବାର ମଉକା ପାଇଲେ ।

 

ଶ୍ରୀମତୀ ମାଳତୀ ଚୌଧୁରୀ ଆମମାନଙ୍କ ଭିତରେ ତାହାର ସାକ୍ଷ୍ୟ ଦେଇ ପାରିଥାନ୍ତେ । ‘ପରିଶିଷ୍ଟ’ରେ ଦିଆଯାଇଥିବା କେତୋଟି ପ୍ରାମାଣିକ ଦସ୍ତାବିଜରୁ ଆମେ ସେହି ପ୍ରକୋପମାନଙ୍କର ଅବଶ୍ୟ କିଞ୍ଚିତ୍ ପ୍ରମାଣ ପାଇପାରିବା । ଏଣେ ଏହି ଉପକୂଳ ଅଞ୍ଚଳରେ ସେତେବେଳେ ଭଦ୍ରମାନେ ଆତଙ୍କିତ ହୋଇ ପଡ଼ିଥିଲେ । ସରକାର କାହିଁକି ଦୃଢ଼ ହସ୍ତରେ ନକ୍ସାଲ ଉପଦ୍ରବଟାକୁ ଦମନ କରୁନାହାନ୍ତି ବୋଲି ଚିନ୍ତା ବ୍ୟକ୍ତ କରି ଅସ୍ଥିର ହୋଇ ଉଠିଥିଲେ । ନାଇ, ନାଇଁ, ଯେକୌଣସି ପ୍ରକାରେ ଅଶାନ୍ତିର ଦମନ କରିବାକୁ ପଡ଼ିବ । କ’ଣ ସବୁ ଅସନ୍ତୋଷରୁ ଯେ ତେଣେ ଜଙ୍ଗଲର ସେହି ଅଧିବାସୀଗଣ ହଠାତ୍ ଏପରି ବିକ୍ଷୁବ୍ଧ ହୋଇ ଉଠିଲେ, ସେକଥା ଭାବିବା ଲାଗି କାହାରି ବେଳ ନଥିଲା । ସତେଯେପରି ଆନ୍ଧ୍ରପ୍ରଦେଶର ଗୋଟାଏ ରୋଗ କୌଣସି ଅସାବଧାନତା ହେତୁ ଆମ ଓଡ଼ିଶା ଭିତରକୁ ସଂକ୍ରାମିତ ହୋଇ ପଶି ଆସିଲାଣି ଏବଂ ବାଡ଼େଇ ପିଟି ବନ୍ଧୁକଦ୍ଵାରା ଲାଛି ସେଇଟିକୁ ଆମର ଏହି ଶାନ୍ତିକାମୀ ଭୂଇଁଟାରୁ ଅତି ଶୀଘ୍ର ନିକାଲି ଦେବାକୁ ହେବ, ସେହିପରି ଗୋଟିଏ ଉତ୍‌କଣ୍ଠା ପ୍ରକାଶ ପାଇଥିଲା । ରାଜ୍ୟର ବିଧାନସଭାରେ ସେହି ଆତଙ୍କଟିର ଘମାଘୋଟ ଆଲୋଚନା ହୋଇଥିଲା । ତତ୍କାଳୀନ ସ୍ଫୂର୍ତ୍ତିମନ୍ତ ମୁଖ୍ୟମନ୍ତ୍ରୀ ତ ତାଙ୍କ ନିଜର ମଧ୍ୟ ଜଣେ ନକ୍ସାଲ୍‌ପନ୍ଥୀ ହେବାକୁ ମନ ହେଉଛି କହି ମସନଦଟାକୁ ଚମତ୍କୃତ କରି ଦେଇଥିଲେ । କହିବା ବାହୁଲ୍ୟ, ସରକାରୀ ଯନ୍ତ୍ରଟା ସେହି ପୁରୁଣା ଅମାର୍ଗଗୁଡ଼ିକର ବଳରେ ହିଁ ଆପଣାର ବିହିତ କାର୍ଯ୍ୟଗୁଡ଼ିକୁ ଅବଶ୍ୟ କରିଥିଲା । ଆହୁରି ଆଗର ଜଣେ ମୁଖ୍ୟମନ୍ତ୍ରୀ ପ୍ରାୟ ସେହି ଅବକାଶରେ ସାଧାରଣ ଭାବରେ ସମସ୍ତେ ଶୁଣିବାଭଳି ଯାହା କହିଥିଲେ, ସେକଥା ମୋ’ର ଏବେ ମଧ୍ୟ ମନେ ପଡ଼ୁଛି । ନାନା ଭୂମିକାରେ ଏକାଧିକ ପ୍ରକାରର ନେତୃତ୍ଵ ପ୍ରଦାନ କରି-ସତେଅବା ସବୁ ପ୍ରକାରର ବାଦ ତଥା ମାର୍ଗମାନଙ୍କରେ ସର୍ବୋଚ୍ଚ ସୁଯୋଗର ଏକାଧିକ ପଦ ତଥା ଥାନମାନଙ୍କରେ ରହି ମଧ୍ୟ ସିଏ ଏପରିକି ନିଜ ମନଟାକୁ ବୋଧ ଦେଇ ପାରିବା ଭଳି କିଛି ସମ୍ଭବ କରାଇ ପାରିଲେନାହିଁ ବୋଲି ନିଜ ଭିତରେ ଭାରି ଅଶାନ୍ତି ଭିତରେ ରହିଥିଲେ ଏବଂ ସେହି କାରଣରୁ ଏପରି କଥାଟିଏ ହୁ’ କରି କହି ପକାଇଥିଲେ । “ମୁଁ କାନୁ ସାନ୍ୟାଲ ହେବି, ମୁଁ ଚାରୁ ମଜୁମଦାର ହେବି” ବୋଲି ସିଏ କେଡ଼େ ନିଦକ ଭାବରେ କହି ପାରିଥିଲେ । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଆଉ ଯାହା ହେଲେ ଅଥବା ନହେଲେ ପଛକେ, ତାଙ୍କର ଜଣେ ଶତ୍ରୁ ମଧ୍ୟ କେବେହେଲେ ସିଏ ଜଣେ ଜଣେ ଅସାଧୁ ବ୍ୟକ୍ତି ଥିଲେ ବୋଲି ଆଦୌ କହି ପାରିବନାହିଁ । ଶ୍ରୀ ଚୌଧୁରୀଙ୍କୁ ଏକାବେଳେକେ ଜଣେ ନିଜର ମହାନ୍ ବ୍ୟକ୍ତି ବୋଲି ଅନୁଭବ କରିଥିବା ତାଙ୍କର ବହୁସଂଖ୍ୟକ ଅନୁଗାମୀ ଏବେ ମଧ୍ୟ ରହିଛନ୍ତି ଏବଂ ସକ୍ରିୟ ଅଛନ୍ତି । ରାଜନୀତି ଏବଂ ସର୍ବୋଦୟ ଉଭୟ ଶିବିରରେ । ତାଙ୍କର ସେହି ଉକ୍ତିଟି ବିଷୟରେ ସେମାନେ ସେତେବେଳେ କିଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥିବେ କେଜାଣି ? ବର୍ତ୍ତମାନ ମଧ୍ୟ କ’ଣ ଭାବୁଥିବେ, ସେକଥା ସେମାନେ ମୋଟେ କହିବେନାହିଁ ।

 

ଏବଂ, ସେତେବେଳର ନକ୍ସାଲ୍‌ମାନଙ୍କର କାଣ୍ଡ ଏବଂ ଏବେ ମାଓବାଦୀ ମାନଙ୍କର । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଆହୁରି କେତେ କୁଆଡ଼େ । ମାଓ ଅର୍ଥାତ୍ ଆଧୁନିକ ଚୀନ ଦେଶର କେତେ କ’ଣ ଘଟବଦଳାର ମହାନାୟକ । ସାରା ପୃଥିବୀର କମୁନିଷ୍ଟ ବିପ୍ଲବର ଇତିହାସରେ କୋଟିକୋଟି ମନୁଷ୍ୟଙ୍କ ନିମନ୍ତେ ଜଣେ ମହାନ୍ ପ୍ରତୀକ । କମୁନିଷ୍ଟ ସମାଜଶାସନର ମାର୍ଗଟିର ଯେ ଏକ ଚିରଦିନର ବିଶ୍ଵସ୍ତରୀୟ ଆବେଦନ ରହିଛି ଏବଂ ତାହା ଯେ ପ୍ରାୟ ଏକ ଅବଶ୍ୟମ୍ଭାବୀ ନିୟମ ପରି କେବଳ ଇଉରୋପୀୟ ମଡେଲ୍‌ଟା ଉପରେ କଦାପି ନିର୍ଭରଶୀଳ ହୋଇ ରହି ପାରିବନାହିଁ, ସବାଆଗ ଶ୍ରୀ ମାଓ-ଜେ-ଡ଼ଙ୍ଗ୍ ହିଁ ପ୍ରମାଣ କରି ଦେଖାଇ ପାରିଛନ୍ତି । ବିଶେଷତଃ ଏବେ ବିକାଶଶୀଳ ବୋଲି କୁହା ଯାଉଥିବା କୃଷିମୂଳ ସମାଜସ୍ଥିତିଟି ନିମନ୍ତେ ପରବର୍ତ୍ତୀ ତାହାର ରାଜନୀତିକ ବିପ୍ଲବମାନଙ୍କ ନିମନ୍ତେ ସିଏ ବହୁ ଖାସ୍ ଦୃଷ୍ଟି ଯୋଗାଇଛନ୍ତି । ବହୁ ପ୍ରାଚୀନ କାଳରୁ ଏବର ଏହି କମୁନିଷ୍ଟ୍ ତୁମୁଳ ପରିବର୍ତ୍ତନ ଗୁଡ଼ିକ ପର୍ଯ୍ୟନ୍ତ ବିଶାଳ ସେହି ଚୀନ୍‌ନାମକ ଭୂମିଖଣ୍ଡଟି ଯେପରି କ୍ରମ-ବିବର୍ତ୍ତିତ ହୋଇ ଆସିଛି ଏବଂ ତଥାପି ଆପଣାର ମୂଳ ଚେରଗୁଡ଼ିକ ବିଷୟରେ ଅବଶ୍ୟ ସଚେତନ ରହିଛି, ଆମ ଭାରତବର୍ଷ ପରି ଏହି ସାଂସ୍କୃତିକ ଏକକଟିର ମଧ୍ୟ ସେଥିରୁ ସର୍ବଦା ବହୁତ ଅନୁପ୍ରେରଣା ଲାଭ କରିବାକୁ ରହିଛି । କେତେକ ପ୍ରାରବ୍ଧଗତ କାରଣରୁ ଭାରତବର୍ଷର ତଥାକଥିତ ବାମପନ୍ଥୀ ଆନ୍ଦୋଳନଟି ଅଧିକତର ଅର୍ଥରେ ରୁଷିଆ ଆଡ଼େ ହିଁ ମୁହଁ କରି ରହିଛି ଏବଂ ଚୀନ୍‌ର ମାଓଙ୍କ ଆଡ଼େ ମନ ବଳାଇନାହିଁ । ତଥାପି, ବେଶ୍ ଲକ୍ଷ୍ୟ କରାଯାଇ ପାରିବ ଯେ ଆମ ଅରଣ୍ୟାଞ୍ଚଳ ଗୁଡ଼ିକର ଏହି ମାଓବାଦୀଙ୍କ ଆନ୍ଦୋଳନଟି ନିଜକୁ ରୁଷିଆ ଆଡ଼େ ନୁହେଁ, ଅନ୍ତତଃ ବାହାରେ ଏକାଧିକ ପ୍ରକାରେ ଚୀନ ସହିତ ଗୁନ୍ଥି ରଖିଛି । ସେହିପରି କୌଣସି କାରଣରୁ ଭାରତବର୍ଷର ଦରବାରୀ ପଟଟାର ବାମପନ୍ଥୀ ଆୟତନଟି ନିଜକୁ ଏହି ମାଓବାଦୀ ସଂସର୍ଗ ଭିତରେ ସମ୍ପୃକ୍ତ କରାଇବାକୁ ସେପରି ଉତ୍ସାହ ହୁଏତ ଦେଖାଉନାହିଁ ଏବଂ ପ୍ରାୟ ଗୋଟିଏ ତଟସ୍ଥ ବୃତ୍ତି ଅବଲମ୍ବନ କରିଛି ।

 

କିଛିବର୍ଷ ତଳେ ନେପାଳରେ ଯେଉଁ ଖାସ୍ ଆନ୍ଦୋଳନଟି ପ୍ରାୟ ଏକ ତ୍ରାସଦାୟକ ରୂପଧାରଣ କଲା, ଆନ୍ଦୋଳନକାରୀମାନେ ତାହାକୁ ମାଓବାଦୀ ଆନ୍ଦୋଳନ ବୋଲି କହି ନିଜକୁ ଚିହ୍ନା ଦେଲେ । ହଁ, ଖୁବ୍ ଖୁବ୍ ତ୍ରାସର କାରଣ ହେଲା, କାରଣ ମାଓବାଦୀମାନେ ସେହି ଆନ୍ଦୋଳନରେ ହିଂସାରେ ଆଶ୍ରୟ ନେଇଥିଲେ । ନେପାଳ ଦେଶରେ ରାଜତନ୍ତ୍ର ଓ ଗଣତନ୍ତ୍ର ଉଭୟେ ଥିଲେ, ସତେଅବା ଏକ ସ୍ଥାନୀୟ ସମ୍ବନ୍ଧୀପଣରେ ଦୁହେଁ ଦୁହିଁଙ୍କ ସହିତ ଏକ ବହୁରହସ୍ୟମୟ ସହାବସ୍ଥାନ-ସୂତ୍ରରେ ଜଡ଼ିତ ହୋଇ ରହିଥିଲେ । ସମ୍ଭବତଃ ସେମାନେ ତାହାରି ବଳରେ ଜଣେ ଆର ଜଣଟିକୁ ସ୍ଥାୟୀ ହୋଇ ରହିବାରେ ହିଁ ସହାୟତା କରୁଥିଲେ । ଏବଂ, ତେଣେ ସାଧାରଣ ମନୁଷ୍ୟଟିର ଭାଗ୍ୟଟା ଯେମିତି ସେମିତି ହୋଇ ରହିଥିଲା । ମାଓବାଦୀମାନେ ଆସିଲେ ଏବଂ ଲୋକମାନଙ୍କୁ ସେହି ସ୍ଥିତିରୁ ମୁକୁଳି ବାହାରି ଆସିବାର ପନ୍ଥାଟିଏ ଦେଖାଇଲେ । ନେତୃତ୍ଵଟି ଆଦୌ ବାହାରୁ ଆଉ କେଉଁଠାରୁ ରପ୍ତାନୀ ହୋଇ ଆସିନଥିଲା,–ସ୍ଥାନୀୟ ଆହ୍ଵାନଗୁଡ଼ିକର ରନ୍ଧନଶାଳାରୁ ହିଁ ଜନ୍ମଲାଭ କରିଥିଲା । ଲୋକତରଫଟାର ମଧ୍ୟ ଏକ ଶକ୍ତି ରହିଛି । ରାଜତରଫଟାର ଏତେ ଏତେ ଶକ୍ତି ନିୟତ ଉପଦ୍ରବ କରି ଆସିଛି; କିନ୍ତୁ ସେହି ତରଫଟାର ନ୍ୟାୟ ନାହିଁ, ଲୋକତରଫଟାର ନ୍ୟାୟ ରହିଛି । ମାତ୍ର ଶକ୍ତି ନାହିଁ ବୋଲି ସେମାନେ ସକଳ ନ୍ୟାୟରୁ ବଞ୍ଚିତ ହୋଇ ରହିଛନ୍ତି । ତେଣୁ, ଲୋକଶକ୍ତିର ନାହିଁ ବୋଲି ସେମାନେ ସକଳ ନ୍ୟାୟରୁ ବଞ୍ଚିତ ହୋଇ ରହିଛନ୍ତି । ତେଣୁ, ଲୋକଶକ୍ତିର ପ୍ରଦର୍ଶନ ଦ୍ଵାରା ହିଁ ନ୍ୟାୟ ସମ୍ଭବ ହେବ । ସେଇଥିପାଇଁ ହିଂସା ଏବଂ ହିଂସାର ମାର୍ଗମାନେ । ପରିଣାମରେ ବହୁ ଲୋକ ମଲେ । ଉଭୟ ପକ୍ଷର ହିଂସାରୁ ଉଭୟ ପକ୍ଷରୁ ମଲେ । ଏବଂ, ତଥାପି ସେହି ପ୍ରାୟ ମୁହାଁମୁହିଁ ହିଂସାଜନିତ ଦୀର୍ଘକାଳୀନ ପ୍ରକ୍ରିୟାଟି ଫଳରେ ରାଜତନ୍ତ୍ରର ଅଣ୍ଟାଟା ଯେ ଭାଙ୍ଗି ଭାଙ୍ଗି ଯାଉଛି, ତାହାର ନାନାଭଳି ଶକୁନ ମଧ୍ୟ ମିଳି ଯାଉଥିଲା । ମାଓବାଦୀ ଜିତିଲେ, କାରଣ ସେହିମାନଙ୍କ ପଟରେ ନ୍ୟାୟ ରହିଥିଲା; ଏବଂ, ନ୍ୟାୟ ରହିଥିବାରୁ ଧର୍ମ ମଧ୍ୟ ରହିଥିଲା ।

 

କୁନି ନେପାଳଟି ପାଖରେ ଗୋଟିଏ ବୁଢ଼ା ବାଘ ପରି ଦେଖା ଯାଉଥିବା ଆମ ଭାରତବର୍ଷର କେତେ ଖାସ୍‌ସ୍ଵାର୍ଥ ଏହି ମାଓବାଦୀ ବିଜୟଟାରେ ପ୍ରମାଦ ଗଣିଥିଲେ । ପୃଥିବୀରେ ଏକ ଅବଶେଷ ପରି ରହିଥିବା ଏକମାତ୍ର ହିନ୍ଦୁରାଜ୍ୟଟିର ଏପରି ଶୋଚନୀୟ ଭାବରେ ଅବସାନ ଘଟିଲା ବୋଲି ଖୁବ୍ ବ୍ୟଥିତ ହୋଇ ପଡ଼ିଥିଲେ । ଜନୈକ ମଠାଚାର୍ଯ୍ୟ ତ ସତେଅବା ରକ୍ତଚାଉଳ ବି ଚୋବାଇଲେ । ଯାହା ନେପାଳରେ ଘଟିଲା, ତାହା କ’ଣ ସବୁ ସୁରାଖରେ ଭାରତବର୍ଷକୁ କାଳେ ମାଡ଼ିଆସିବ ବୋଲି ଏକ ଆଶଙ୍କାରେ ସେମାନଙ୍କର ଅତିକାତର କ୍ଷୁଦ୍ରଚେତନା ଗୁଡ଼ିକ ପ୍ରକୃତରେ ଶଙ୍କିତ ହୋଇ ଉଠିଥିଲା କି ? ମାତ୍ର, ତେଣେ ଯୁଦ୍ଧରେ ଜିତି ସେହି ନିଶାରେ ଖୁବ୍ ଉତ୍ସାହିତ ହୋଇ ମାଓବାଦୀମାନେ ନେପାଳରେ ସାଙ୍ଗେ ସାଙ୍ଗେ ଗୋଟାଏ ସାମରିକ ଶାସନ ଜାରି କରିଦେଲେ ନାହିଁ ତ ! ରାଜା ଏବଂ ବିରୋଧୀ ଅନ୍ୟ ରାଜନୀତିକ ଦଳର ନେତାମାନଙ୍କୁ ସେମାନେ ମୋଟେ ଜେଲଖାନାକୁ ଧରି ନେଇନଥିଲେ । ସେମାନେ ନିର୍ବାଚନ କରାଇଲେ, ନିର୍ବାଚନ ଜିତିଲେ ଏବଂ ଶାସନର ଦାୟିତ୍ଵକୁ ଆସିଲେ । ଏବେ ତ ଆଗାମୀ କାଳଟି ପାଇଁ ସମସ୍ତଙ୍କୁ ଏକତ୍ର ବସାଇ ସେଠାରେ ଏକ ସମ୍ବିଧାନ ତିଆରି କରାଯାଉଛି । ମନେ ହେଉଛି, ସମଗ୍ର ପୃଥିବୀରେ ସତେଅବା ନୂଆ ଘଟଣାଟିଏ ହିଁ ଘଟିଛି । ସମ୍ଭବତଃ, ଅସଲ ସତକଥାଟିଏ ହେଉଛି ଯେ, ଯେଉଁଠାରେ କୌଣସି ବିପ୍ଲବ ବାହାରୁ ଖାସ୍ ଏକ ରାଜନୀତିକ ଶାସନବିସ୍ତାରର ମୋହରେ କୌଣସି ଭୂମିରେ ଆସି ପ୍ରବେଶ କରିଥାଏ ଏବଂ ନେତୃତ୍ଵଗୁଡ଼ିକ ନିତାନ୍ତ ଭୂଇଁଛଡ଼ା ହୋଇ କୌଣସି ବହିଃପ୍ରେରଣାରୂପୀ ଚରୁକୁ ଆତ୍ମସାତ୍ କରି ଗୋଟାଏ ଦେଶକୁ ନିଜ ତୋଡ଼ଗୁଡ଼ାକ ବଳରେ ହିଁ ଆଦେଶ ପ୍ରମାଣେ ବଦଳାଇ ଦେବେ ବୋଲି ଦେବତାଙ୍କ ପାଖରୁ ଆଜ୍ଞାମାଳ ନେଇ ଆସିଥାଆନ୍ତି, ଯେତେବେଳେ କ୍ଷମତା ଆସିବା ମାତ୍ରକେ ନାନା ଢମପ୍ରଦର୍ଶନ ଦ୍ଵାରା ଲୋକମାନଙ୍କୁ ବାଧ୍ୟ କରି ଖୁଆଡ଼ ଭିତରକୁ ଆଣିବାର ନିଷ୍ପତ୍ତିମାନେ ଆଗରୁ ହିଁ କରାହୋଇଥାନ୍ତି, ଅର୍ଥାତ୍, ଯେତେବେଳେ ତଥାକଥିତ ବିପ୍ଲବଟା ଆଗରେ ଥାଏ ଏବଂ ପଛେ ପଛେ ଲୋକମାନଙ୍କ ନାକରେ କଡ଼ା ଗଳାଇ ଟାଣିବାର ଅନାଚରଣମାନ କରାଯାଏ, ସେତେବେଳେ ପ୍ରଚଣ୍ଡମାନେ ହିଁ ଚାବୁକ ହାତରେ ଜନଗଣଙ୍କୁ ମଣ କରି ବାହାରନ୍ତି । ତଥାକଥିତ ସାମରିକ ଶାସନଟାଏ ଜାରି ହୋଇଯାଏ । ହଁ, ତେଣୁ ବିପ୍ଲବ ହାରି ହିଁ ଯାଏ । ଏହିପରି ଭାବରେ ଆମ ଆଖିଆଗରେ ମଧ୍ୟ କେତେକେତେ ବିପ୍ଲବ ହାରି ହାରି ଯାଆନ୍ତି ଓ ବିପ୍ଳବୀମାନେ ପରସ୍ପରକୁ ହାଣିବାରେ ଖୁବ୍ ଆନନ୍ଦଲାଭ କରନ୍ତି । କିନ୍ତୁ ଅପର ପକ୍ଷରେ, ଯେଉଁଠାରେ ଲୋକମାନେ ହିଁ ସବାମଝି ହୋଇ ରହିଥାନ୍ତି, ସେଠାରେ ବିପ୍ଲବ-ସମୟର ଯାବତୀୟ ହିଂସା ବିପ୍ଲବ ପରେ ସତେଅବା ଅନାବଶ୍ୟକ ହୋଇଯାଏ,-ଆବଶ୍ୟକ ଆଗର ସେହି କ୍ରୋଧମାନେ ଏକ ସଚେତନ ଦାୟିତ୍ଵବୋଧକୁ ରୂପାନ୍ତରିତ ହୋଇଯାଆନ୍ତି; ଲୋକମାନେ ହିଁ ଆଗ ଦିଶନ୍ତି,-କ୍ଷମତା ମଧ୍ୟ ହାତକୁ ଆସେ, କିନ୍ତୁ ଲୋକମାନଙ୍କର ହିଁ କାମରେ ଲାଗେ । କହିଲ ବନ୍ଧୁ, ସେହି କ୍ଷେତ୍ରରେ ଆମେ ଆମ ନେତାମାନଙ୍କୁ ବୋକା ବୋଲି କହିବା ନା ବନ୍ଧୁ ବୋଲି ସ୍ଵୀକାର କରିନେବା ! ନେପାଳରେ ଇହାଦେ ସେହିପରି କିଛି ଘଟୁଛି କି ? କେବଳ ସେହି ଗୋଟିଏ ନେପାଳ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ।

 

କୋରାପୁଟର ଭୂକ୍ରାନ୍ତି ସମୟରେ, ଆମେ ଯେତେ ଯାହା ବଙ୍କାଇ କହିବାକୁ ଚେଷ୍ଟା କରୁ ପଛକେ, ଲୋକମାନେ ନଥିଲେ,–ଏକ ଆଦର୍ଶ ଅବଶ୍ୟ ଥିଲା । ଆଦର୍ଶ ସମାଜଚିତ୍ରଟିଏ ମଧ୍ୟ ରହିଥିଲା । ସେଠା ଲୋକମାନଙ୍କ ସକାଶେ ଆମଦ୍ଵାରା ତିଆରି କଡ଼ା ଯାଇଥିବା ଏକ ସମାଜଚିତ୍ର । ଆମର ପୂଜ୍ୟ ଗୁରୁଜନମାନେ ଆମକୁ ସେହି କ୍ରାନ୍ତିଟିର ସଫଳତା ଲାଗି ପ୍ରଶିକ୍ଷଣ ଦେଇ ସେଠାକୁ ପଠାଇଥିଲେ । ଆମେ ଗଲୁ ଏବଂ ସେଠାରେ ଲୋକ-ଆସ୍ପୃହା ଗୁଡ଼ିକ ଉଚ୍ଚାଟିତ କଲୁ, କ୍ରାନ୍ତି କରାଇଲୁ । ଆମେ ନିୟୋଜିତମାନେ ମଧ୍ୟ କୋଉଯାଏ କ’ଣ ବୁଝୁଥିଲୁ ? ଗାଆଁଗୁଡ଼ିକ ଏକ ନୂତନ ନ୍ୟାୟର ଭୂମି ଉପରେ ପ୍ରତିଷ୍ଠିତ ହେଲେ ତଦ୍ଦ୍ଵାରା ଯେ ବାହାରେ ଥିବା ତୁମ ଆମ ଗାଆଁରେ ତଥା ପୂଜ୍ୟ ନେତୃସ୍ଥାନୀୟ ଓ ଆମ ଭିତରେ ରହି ଆସିଥିବା ସମ୍ପର୍କର କ୍ଷେତ୍ରରେ ତୁମୁଳ ବହୁ କ୍ରିୟାଶୀଳତାକୁ ମଧ୍ୟ ଜନ୍ମ ଦେବ, ସେଗୁଡ଼ିକ ବିଷୟରେ ଆତ୍ମବିଶ୍ଵାସ ସହିତ କିଛି ଚିନ୍ତା କରିବାଲାଗି କୌଣସି ଅବକାଶ ନଥିଲା । ସକଳ ପ୍ରକାରେ ଏକ ପ୍ରଚଣ୍ଡ ନିଷ୍ଠା, ମାତ୍ର ସଂପୂର୍ଣ୍ଣ ଭାବରେ ଅସମ୍ପୃକ୍ତ-। ଗୋଟାପଣେ ଖୁବ୍ ଉତ୍ସାହିତ ଗୁଡ଼ିଏ ପିଲାଙ୍କ ପରି । ହୁଏତ ସେହିପରି କିଛି କାରଣରୁ ପ୍ରାୟ ପାରିବାରିକତାର ଏକ ଆବେଶ ସୃଷ୍ଟି କରି ପାରୁଥିବା ବାପା, ମାଆ, ଦାଦି ଏବଂ ଖୁଡ଼ୀର ସେହି ପ୍ରିୟ ସମ୍ବୋଧନ ଗୁଡ଼ିକ । ଆମକୁ ତଥା ସେମାନଙ୍କୁ ଅବଶ୍ୟ ଭଲ ଲାଗୁଥିଲା । ଆମ ଭାରତୀୟ ପରିବାର ମାନଙ୍କରେ ଯେପରି କେବଳ ଗୋଟିଏ ପଟ ନିର୍ଦ୍ଦେଶ ଦିଏ ଓ ଅପର ପଟଟି ନିର୍ଦ୍ଦେଶଗୁଡ଼ିକର ପାଳନ କରେ, ମୋଟାମୋଟି ସେହିପରି । ତେଣୁ, ଗ୍ରାମଦାନ କୌଣସି ଗାଆଁର ଅଧିବାସୀମାନେ ଆମଲାଗି ବିଶେଷ କିଛି ନଥିଲେ, କାର୍ଯ୍ୟକ୍ରମ ଅର୍ଥାତ୍ ଆଦେଶପାଳନ ହିଁ ଧର୍ମ ଥିଲା । ସର୍ବୋଦୟ ହେଉଛି ଏକ ଭିନ୍ନ ସଂସ୍କାର, ତେଣୁ ଏକ ଭିନ୍ନ ସଂସ୍କୃତି । ନିର୍ଭୟଚିତ୍ତ ହୋଇ ନିଃଶଙ୍କ ଭାବରେ ଏକତ୍ର ବସି ସମସ୍ୟା ଗୁଡ଼ିକର ସମ୍ମୁଖୀନ ହେବାର ତଥା ସମାଧାନ ଲୋଡ଼ିବାର ଏକ ଅଧ୍ୟାତ୍ମ ସଂସ୍କୃତି । ଅହିଂସାକୁ ମୂଳ ବୋଲି ଗ୍ରହଣ କରିଥିଲେ ମଧ୍ୟ ଏଥିରେ କ’ଣ ପାଇଁ କୌଣସି ବ୍ୟତିକ୍ରମ ହେବ ? ପୁନଶ୍ଚ, ଯଦି ଏତେଗୁଡ଼ିଏ ବ୍ୟକ୍ତି ସତକୁ ସତ ଆପେ ଖୁସୀ ହୋଇ ସେହି ଜଙ୍ଗଲ ମୁଲକର ଏତେ ହଜାର ବା ଏତେ ଲକ୍ଷ ମନୁଷ୍ୟଙ୍କର ଜୀବନ-ଆୟତନକୁ କିଞ୍ଚିତ୍ ଆଲୋକ ବହନ କରି ଆଣିବାର ବିଚାର ରଖିଥାଆନ୍ତେ, ତେବେ ସେମାନେ ଆଗ ସେମାନଙ୍କ ପାଖକୁ ଯାଇଥାନ୍ତେ ଏବଂ ସେଠାରୁ ଲୋକପରାମର୍ଶମାନ ଗ୍ରହଣ କରି ତା’ପରେ ଯାଇ ଗୁରୁଜନ-ମଣ୍ଡଳିଟି ପାଖକୁ ଯାଇଥାନ୍ତେ ଓ ସେହି ଅନୁସାରେ କାର୍ଯ୍ୟମାନେ ଅଗ୍ରସର ହୋଇଥାନ୍ତେ । ନାଇଁ, ସମ୍ଭବତଃ କୌଣସି ଆଦର୍ଶବାଦୀ ମତିହୀନତାର ଉଗ୍ର ମୋହଟା ସେମାନଙ୍କୁ ତେଣେ ପ୍ରବୃତ୍ତ କରି ପାରିନଥିଲା । ସେମାନେ ତ ବର୍ଣ୍ଣତଃ ଜଣେ ଜଣେ କର୍ମୀ ହିଁ ଥିଲେ, କର୍ତ୍ତାମାନଙ୍କର ଇଚ୍ଛାରେ କିଛି ବେତନ ବିନିମୟରେ କ’ଣ ସବୁ ଖାସ୍ କାମ କରିବାକୁ ହୁଏତ ଆସିଥିଲେ । ସମ୍ଭବତଃ ଥିର ହୋଇ ଇଆଡ଼େ ଗୋଡ଼ଗୁଡ଼ିକୁ ପକାଇ ପାରୁନଥିଲେ ।

 

ହଁ, ବେତନ ବିନିମୟରେ । କାରଣ, କ୍ରାନ୍ତିଦ୍ୱାରା ପ୍ରାପ୍ତ ଗ୍ରାମମାନଙ୍କରେ ନିର୍ମାଣର କାର୍ଯ୍ୟ ଆରମ୍ଭ ହେବାପରେ ସେହି ବେତନର ପାର୍ଥକ୍ୟଟା ତ ଗୋଟାଏ ବଡ଼ ଅଡ଼ୁଆ ହୋଇ ଦେଖା ଦେଇଥିଲା । ନିର୍ମାଣକର୍ମୀ ବେଶୀ ପାଇଲେ ଓ ଭୂଦାନ-କର୍ମୀ ଅଛି କିଛି କମ୍ । ସେଇଥିରୁ ହିଁ କିଞ୍ଚିତ୍ ଅସନ୍ତୋଷ, କିଛି କୁନ୍ଥାକୁନ୍ଥି ଓ ଦୁଇ ଉପର ଶିବିରରେ ଏକ ବୈମନସ୍ୟ । ଉପରେ ସମ୍ପୃକ୍ତ ବିଶେଷମାନେ କ’ଣ ପାଇଁ ଏକାଠି ବସି ପାରିଲେ ନାହିଁ ଏବଂ କୌଣସି ଆପୋଷ ମୀମାଂସା କରି ପାରିନଥିଲେ । ସ୍ପଷ୍ଟତଃ ଆହୁରି ସୁନ୍ଦର ହୋଇ ପାରିଥାନ୍ତା, ଯଦି ଦୁଇ ପକ୍ଷର କ୍ଷେତ୍ରକର୍ମୀ ଏକାଠି ବସି କିଛି ସ୍ଥିର କରି ପାରିଥାନ୍ତେ । ମାତ୍ର, ଏପରି ହେବାର ହିଁ ନଥିଲା । ହିତାଧିକାରୀ ସ୍ଥାନୀୟମାନଙ୍କ ନିମନ୍ତେ ନୂଆ ଗ୍ରାମସଂସ୍ଥାନର ଯେଉଁ ମସୁଧା ଇତ୍ୟାଦି ହେଉଥିଲା, ସେଗୁଡ଼ିକ ତ ବିଷୟଜ୍ଞାନୀ ବହିରାଗତ ବର୍ଗଟି ଠିକ୍ କରୁଥିଲା । ଠିକ୍ ଯେପରି ରାଜ୍ୟର ଭୂଦାନକର୍ମୀମାନେ ଉପରର ନିର୍ଦ୍ଦେଶରେ ଭୂକ୍ରାନ୍ତିନାମକ କାର୍ଯ୍ୟରେ ଗ୍ରଥିତ ହୋଇ ରହିଥିଲେ । ସେମାନେ ତେଣୁ ପ୍ରକୃତରେ କାହିଁକି କେଉଁପରି ଏକାଠି ବସି ଏକ ନିଷ୍ପତ୍ତି କରିଥାନ୍ତେ । ଦୁଇ ଶିବିରର ନେତୃତ୍ଵ ମହଲରେ କିଛି କିଛି ଦୂରତାସୂଚକ ରୁଷାରୁଷି ଆରମ୍ଭ ହୋଇଗଲା । ଏବଂ, ଦୁହେଁ ମାନ କଲେ । ହୁଗୁଳା ହୋଇଗଲେ । ଯିଏ ଯେଝା ଘରକୁ ବାହୁଡ଼ି ଯାଇଥିଲେ । ଉଭୟ ପଟ ପୂରା ନୀତିରେ ଥିଲେ ଏବଂ ପ୍ରାୟ ଏକ ପ୍ରତିନିୟତ ଧର୍ମ ପରି ଅହିଂସାର ପାଳନ କରୁଥିଲେ ।

 

ତେଣୁ, ଲୋକମାନେ ହେଉଛନ୍ତି ଆଗ, ସବାମୂଳ । ନେତୃତ୍ଵ ଏକ ନିମିତ୍ତ । ହିଂସାରେ ଯାହା, ଅହିଂସାରେ ମଧ୍ୟ ତାହା । ସମ୍ଭବତଃ ସେହିପରି କିଛି କାରଣରୁ ନେପାଳର ମାଓବାଦୀମାନେ ଯୁଦ୍ଧ ସରିଯିବା ପରେ ଅର୍ଥାତ୍ ଶତ୍ରୁ ମାନିଗଲା ପରେ ଆପେ ଆପେ ଲୋକଙ୍କ ପଟକୁ ଆସି ଧରାଦେଲେ । କହିବା ବାହୁଲ୍ୟ, ହିଂସାର ସେହି ପର୍ବଟି ସମୟରେ ମଧ୍ୟ ଲୋକମାନେ ସେମାନଙ୍କ ତରଫ ହୋଇ ରହିଥିଲେ; ସ୍ଵୟଂ ସେଇମାନେ ହିଁ ଉକ୍ତ ସମରଟିରେ ସକ୍ରିୟ ହୋଇ ରହିଥିଲେ ଏବଂ ସେଇଥିପାଇଁ ତ ସମରଟି ସଫଳ ହେଲା । ରାଜତନ୍ତ୍ର ଗଲା ଏବଂ ଲୋକସମ୍ବିଧାନର ମୂଳପତ୍ତନ ହେଲା । ସବୁଯାକ ନେତା ସହମତି ସହିତ ଏକତ୍ର ହୋଇ ପାରିଲେ । ଏବଂ, ପରେ କୌଣସି ବିଭ୍ରାଟ କିମ୍ବା ବିବେକଭ୍ରମ ନଘଟିବା ଯାଏ ଚାଲିବ । ଲୋକେ ସାଙ୍ଗରେ ରହିଥିବା ଯାଏ ଅବଶ୍ୟ ଚାଲିବ । ଆମ ଭୂମିକ୍ରାନ୍ତିରେ ଲୋକମାନେ ସାଙ୍ଗରେ ନଥିଲେ । ଲୋକେ କ’ଣ ବା ଜାଣିଛନ୍ତି ଏବଂ ତେଣୁ ସେମାନଙ୍କ ପାଇଁ ଆମ ପୁଣ୍ୟାତ୍ମାମାନଙ୍କର ନିର୍ଦ୍ଦେଶ ଅନୁସାରେ ସବୁ କରି ଦିଆଗଲେ ଆମର ଇପ୍ସିତ ଅଟ୍ଟାଳିକାଟିକୁ ଅବଶ୍ୟ ଛିଡ଼ା କରିଦେଇ ହେବ, ଏହି ଯେଉଁ ଖାସ୍ ଫିକରଟା, ସେଇଟି ହିଁ କୋରାପୁଟରେ ତଥା ଆହୁରି ଯେତେ ଯେତେ ଜାଗାରେ କାରିଗରମାନଙ୍କୁ ଆସି ବଣା କରିଦେଲା କି ? ଥରେ ଅନ୍ଦାଜ୍‍ କରି କହିବା ତ, ନୂତନ ନିର୍ମାଣର ସେହି ଅଭିନବ ଉଦ୍‌ଯୋଗଟି ପ୍ରକୃତରେ ସାକାର ହୋଇ ପାରିଥିଲେ ତାହା ସହିତ ଯୁକ୍ତ ହୋଇ ରହିଥିବା କେତେଜଣ କର୍ମୀ ନେତା, ଅଥବା ନିର୍ମାତା ସେଠାରେ ସ୍ଥାନୀୟ ସେହି ଉପକୃତମାନଙ୍କର ଏକ ଗାଆଁରେ ସାମିଲ ହୋଇ ସାଥୀ ହୋଇ ରହିଥାନ୍ତେ ? ନାଇଁ, ସେମାନେ ଆଉ କୌଣସି ଅଞ୍ଚଳକୁ ଯିବାପାଇଁ ନିର୍ଦ୍ଦେଶ ପାଇଥାନ୍ତେ ଏବଂ, ପୁଣ୍ୟାତ୍ମା ଏଣିକାମାନେ ମଧ୍ୟ ଏହି ଏଣେ ଥଇ ହିଁ ସେହି ନୂତନ ସଂସାରଟି ଲାଗି ସତର୍କ ନିର୍ଦ୍ଦେଶଫର୍ଦ୍ଦମାନ ପ୍ରେରଣ କରିଥାନ୍ତେ । ନାଇଁ, ଏହି ବାବୁମାନଙ୍କର ହୃଦୟଟା ମୋଟେ ସେଠାରେ ନଥିଲା । ସେମାନଙ୍କର ହୃଦୟ ବସ୍ତୁତଃ କେଉଁଠାରେ ହିଁ ନଥାଏ । ସତେଅବା କୌଣସି କାରଣରୁ ବିସ୍ଥାପିତ ଓ ବାସ୍ତୁହରା ହୋଇ ରହିଥିବାରୁ ତାହା କେବଳ ଲୋକହିତ କରି ବୁଲୁଥାଏ । ହଁ, ଶ୍ରୀଯୁକ୍ତ ବିଶ୍ଵନାଥ ପଟ୍ଟନାୟକ ରହିଥାନ୍ତେ । ଯେଉଁମାନଙ୍କ ସହିତ ସାମିଲ ହୋଇ ସେତେବେଳେ ରହିଥିଲେ, ସିଏ ଏବେ ମଧ୍ୟ ସେମାନଙ୍କ ମେଳରେ ରହିଛନ୍ତି ।

 

ନକ୍ସାଲ୍‌ପନ୍ଥୀ ମାନଙ୍କ ବିଷୟରେ ବିଶ୍ଵନାଥ ପଟ୍ଟନାୟକଙ୍କର ଜଣେ ଜୀବନୀଲେଖକ ତାଙ୍କର ଏହିପରି ଗୋଟିଏ ଉକ୍ତିକୁ ଉଦ୍ଧାର କରିଛନ୍ତି : “ଆମେ ନକ୍ସାଲପନ୍ଥୀ ଓ ଅନ୍ୟ ଶୋଷଣବିରୋଧୀ ହିଂସାବାଦୀଙ୍କର ଲକ୍ଷ୍ୟ ସମ୍ବନ୍ଧରେ ସହାନୁଭୂତିଶୀଳ ଥିଲୁ । ନକ୍ସାଲ୍‌ପନ୍ଥୀମାନେ ଭ୍ରମାତ୍ମକ ହିଂସାପନ୍ଥା ଅବଲମ୍ବନ କରୁଥିଲେ ମଧ୍ୟ ଗରିବ ଲୋକଙ୍କ ପାଇଁ ସେମାନଙ୍କ ହୃଦୟରେ ଅନୁକମ୍ପା ଥିଲା । ଦାୟିତ୍ଵବୋଧ ଥିଲା । ସେମାନେ ଦସ୍ୟୁପର୍ଯ୍ୟାୟଭୁକ୍ତ ନୁହନ୍ତି ।” ପୁନଶ୍ଚ, “ହିଂସାକାଣ୍ଡ ଭିଆଇବା ଅତ୍ୟନ୍ତ ନିନ୍ଦନୀୟ ଓ କ୍ଷତିକାରକ । ହିଂସାରୁ କେବେ ନ୍ୟାୟ କିମ୍ବା ଶାନ୍ତି ଜନ୍ମ ହେବ କି ? ଶୋଷଣକାରୀମାନେ ହିଂସାକୁ ନିମନ୍ତ୍ରଣ କରୁଥିଲେ, କିନ୍ତୁ କୌଣସି ବିବେକବାନ ଲୋକ ଓ ନ୍ୟାୟଶାସ୍ତ୍ରରେ ବିଶ୍ଵାସ କରୁଥିବା ଲୋକ ହିଂସାକୁ ପନ୍ଥାରୂପେ ଗ୍ରହଣ କରିପାରେ କି ?” ଏବଂ, ପ୍ରାୟ ଶେଷ ଗାରଟାଏ ଟାଣି ଦେଇ ଲେଖକ ପୁସ୍ତକଟିର ପ୍ରାନ୍ତଭାଗରେ କହିଛନ୍ତି : “କୋରାପୁଟ ଜିଲ୍ଲାର କେତେ ଅଞ୍ଚଳରେ ୧୯୬୫-୬୮ ମଧ୍ୟରେ ହିଂସା ସପକ୍ଷରେ ଲୋକମତ ଯିବା ଦେଖି ଆଜ୍ଞା ଅହିଂସା, ସତ୍ୟ ଓ ଆଦର୍ଶର ପୃଷ୍ଠଭୂମିରେ ଧୈର୍ଯ୍ୟ ଧରି ସେବା କରିବାପାଇଁ ଲୋକମତ ଆଉ ରାଜୀ ନହେବା ଅନୁଭବ କଲେ; ଏଣୁ ସେ କୋରାପୁଟରେ କାମ କମେଇଦେଲେ-। ଫୁଲବାଣୀ ଜିଲ୍ଲା ହେଲା ତାଙ୍କର ନୂଆ କର୍ମକ୍ଷେତ୍ର ।” ପ୍ରକୃତରେ ଏକ ସାଂଘାତିକ ମନ୍ତବ୍ୟଟିଏ-। ସ୍ଵୟଂ ଆଜ୍ଞା ମଧ୍ୟ ତାଙ୍କ ବିଷୟରେ ଏହିଭଳି ମନ୍ତବ୍ୟଟିଏ ଦେଖି ନିଜ ଭିତରେ କିଭଳି କ’ଣ ପ୍ରତିକ୍ରିୟା ଅନୁଭବ କରିଥିବେ କେଜାଣି ? ସିଏ ଏକ ମାର୍ଗ ହିସାବରେ ଅହିଂସାରେ ବିଶ୍ଵାସ କରୁଥିଲେ ଏବଂ ସବୁବେଳେ ଲୋକପକ୍ଷଟି ସହିତ ନିଜକୁ ସାମିଲ କରି ରଖିଥିଲେ । ଏବଂ, ଏକ ଜୀବନଦର୍ଶନ ହିସାବରେ ଅହିଂସା କହିଲେ ମନୁଷ୍ୟମାନଙ୍କର ଏହି ପୃଥିବୀଟି ସହିତ ଯଦି ଆପଣାକୁ ଶ୍ରଦ୍ଧାଯୁକ୍ତ ଭାବେ ବାନ୍ଧି ରଖିବାକୁ ବୁଝାଏ, ତେବେ ଆଜ୍ଞା ଅହିଂସାର ପକ୍ଷରେ ହିଁ ରହିଥିଲେ-ସର୍ବୋଦୟର ଲକ୍ଷ୍ୟ ଶୋଷଣବିରୋଧୀ ଏବଂ ନକ୍ସଲ ଶିବିରଟି ମଧ୍ୟ ଯାବତୀୟ ଶୋଷଣର ଅବସାନ ହିଁ କାମନା କରେ । ପ୍ରତ୍ୟେକ ସାଧୁତାସମ୍ପନ୍ନ ଲୋକନେତୃତ୍ଵ ତ ଶୋଷଣର ବିରୋଧରେ ସଂଗ୍ରାମ କରିବାକୁ ତ ଆପଣାର ସବାଆଗର କାର୍ଯ୍ୟକ୍ରମ ରୂପେ ଅବଶ୍ୟ ଗ୍ରହଣ କରନ୍ତା । ଅହିଂସାର ଠିକ୍ ମାର୍ଗଟି ହୋଇନାହିଁ ବୋଲି କହି ସିଏ ନୀରବ ହୋଇ କଦାପି ବସି ରହନ୍ତାନାହିଁ ।

 

ହିଂସାର ମାର୍ଗରେ ଶୋଷଣ ଅର୍ଥାତ୍ ନ୍ୟସ୍ତସ୍ଵାର୍ଥର କିପରି ବିରୋଧ କରିବାକୁ ହୁଏ, ତାହାର ଇତିହାସଯାକ ନାନାଭଳି ପ୍ରୟୋଗ ହୋଇ ଆସିଛି । ଏବେ ମଧ୍ୟ ହେଉଛି ଓ ଭବିଷ୍ୟତରେ ମଧ୍ୟ ହେବ । ଅଧିକ ହିଂସାଚାରର ଅଧିକ ବଳବାନ୍ ପକ୍ଷଟି ସେହି ପ୍ରୟୋଗମାନଙ୍କୁ ସର୍ବଦା ଦମନ କରିବାରେ ଲାଗିଥିବ । ତଥାପି ଅଗ୍ରଗତିମାନ ହେବାରେ ଲାଗିଥିବେ ଏବଂ ସଂଗ୍ରାମୀମାନେ ନିଶ୍ଚୟ ରହିଥିବେ । କିନ୍ତୁ, ହିଂସାର ସେହି ବାଟଟି ଆମ ବାଟ ନୁହେଁ,–ସେମାନଙ୍କର ଲକ୍ଷ୍ୟଟି ବିଷୟରେ ଆମର ସହାନୁଭୂତି ରହିଛି, ମାତ୍ର “କୌଣସି ବିବେକାବାନ୍ ଲୋକ ତଥା ନ୍ୟାୟରେ ବିଶ୍ଵାସୀ ହିଂସାକୁ ପନ୍ଥାରୂପେ ଗ୍ରହଣ କରିବନାହିଁ” ବୋଲି କହି ଆମ ଅହିଂସାର ବାଟଟି କ’ଣ ଚୁପ୍ ହୋଇ ବସି ରହିଥିବ ? ଚୁପ ହୋଇ ବସି ରହିବା ତ ହେଉଛି ଉକ୍ତ ଶୋଷଣ ଏବଂ ଅନ୍ୟାୟକୁ ସମର୍ଥନ କରିବା,–ଆମ ଭିତରର ପ୍ରତାରକଟାକୁ ମଠାଲୁଗା ପିନ୍ଧାଇ ତଥାପି ସିଂହାସନରେ ବସାଇ ରଖିବା । ହିଂସ୍ର ହେବା । ସର୍ବୋଦୟ କେବେହେଲେ ଏସବୁ ୟାଡ଼ୁସ୍ୟାଡ଼ୁ ଭିତରେ ଘାଲେଇ ହୋଇ ରହି ଯିବନାହିଁ । ସତ୍ୟରେ ରହିଥିବା ମଣିଷ କଦାପି ଅସତ୍ୟକୁ ମାନି ନିଏନାହିଁ, ଅସତ୍ୟଟାର ସଭାରେ ମୁନି ବଶିଷ୍ଟ ହୋଇ ଶୋଭା ପାଇବାକୁ ସିଏ ମୋଟେ ମନ କରେନାହିଁ । କୌଣସି ପ୍ରକାରର କାତରତାର ଆଶ୍ରୟ ଗ୍ରହଣ କରି ଆପଣାକୁ ଧୋକା ଦିଏନାହିଁ । ସିଏ ମଧ୍ୟ ପ୍ରତିବାଦ କରେ, ସଂଗଠିତ ଭାବରେ ପ୍ରତିରୋଧ କରି ବାହାରେ । ରାଜାମାନଙ୍କ ପଟେ ନରହି ଲୋକମାନଙ୍କ ପଟେ ରହେ । ସେମାନଙ୍କୁ ପ୍ରତିବାଦ ଏବଂ ପ୍ରତିରୋଧ କରିବାର ଆତ୍ମବଳ ଆଣିଦିଏ । ଯାବତୀୟ ତର୍ଜମାରେ ସର୍ବଥା ସେଇଟିକୁ ହିଁ ସକ୍ରିୟ, ସବଳ ଏବଂ ସଚେତନ ଅହିଂସା ବୋଲି କୁହାଯିବ । ଗୋଟିଏ ଶବ୍ଦରେ ତାହା ହେଉଛି ସତ୍ୟାଗ୍ରହ ।

 

ଏକଦା ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ସାଙ୍ଗରେ ରଖି କୁଜେନ୍ଦ୍ରୀର ଅଧିବାସୀମାନେ ସେହିଭଳି ଏକ ସତ୍ୟାଗ୍ରହ କରିଥିଲେ । ଅହିଂସ ପଥରେ ଏବଂ ଯେକୌଣସି ସବଳ ଓ ସଚେତନ ଗୋଷ୍ଠୀର ସଙ୍କଳ୍ପକୁ ପାଥେୟ କରି । ଗୁରୁଜନମାନେ ସେଇଟାରେ ସମ୍ଭବତଃ ବୁଦ୍ଧି କରି ତା’ଠାରୁ ଆଙ୍କୁଠିଟାକୁ ମାଗିନେଲେ । ସର୍ବୋଦୟର ସମ୍ଭ୍ରାନ୍ତ ସଂସ୍କରଣ ତା’ପରେ ଉପରଟାର ଭୂମିମାଲିକ ପକ୍ଷଟାର ଦ୍ଵାରସ୍ଥ ହେଲା । ଦାନ ଯାହାକୁ ଯେତେ ମିଳିଥିଲା ଓ ସେହି ଉପରମାନଙ୍କର ବରାଦରେ ହିଁ କୋରାପୁଟର ଭାଗ୍ୟ ବଦଳାଇ ଦେବାର ମ୍ୟାନେଜରିମାନ କରା ଯାଇଥିଲା । କହିବା ବାହୁଲ୍ୟ, ତଳି ଲାଗି ନଥିବା ସେହି ମେଘଟା ଆଦୌ କିଛି ବି ବରଷିବା ଆଗରୁ ସେହି ଊର୍ଦ୍ଧ୍ଵସ୍ଥ ଦରବାରରେ ହିଁ ଫସରଫାଟି ଗଲା । ଆଦର୍ଶବାଦ ତେଣିକି ବାହିତ ଶବ୍ଦାଡ଼ମ୍ବର ହୋଇ ରହିଲା, ସବୁ ଅନ୍ୟାୟର ସରକାରୀ ଖାଦାନଟା ମଧ୍ୟ ଅଧିକ ଉଦାର ବନି ସମାଜସେବାର ମହାନ୍ କାର୍ଯ୍ୟମାନଙ୍କରେ ବୀରମାନଙ୍କୁ ମଜ୍ଜାଇ ରଖିଲା । ଏବଂ, ସର୍ବୋଦୟ ଅଣସରଘରେ ବିଶ୍ରାମ ନେଲା । ଏହାଦ୍ୱାରା ତଳର ସେହି ଆଶାୟୀ ମନୁଷ୍ୟମାନଙ୍କର କ’ଣ ବା ହେଲା ? ତେଣୁ, ବନ୍ଧୁ, ସେମାନେ ହିଂସା ଆଡ଼କୁ ଢଳି ଗଲେନାହିଁ । ସେମାନେ ବାଟ ଖୋଜିଲେ, ବିଶ୍ଵାସ କରି ପାରିଲା ଭଳି ଆଖିମାନଙ୍କୁ ଏବଂ ହାତମାନଙ୍କୁ ଖୋଜିଲେ । ହଁ, କ୍ରମେ ଅନୁଭବ କଲେ ଯେ, ଯେଉଁମାନେ କେତେ ବିଶ୍ଵାସ ଦେଇ ଆମକୁ ଗୋଟାଏ ଦିଶା ଦେଖାଇ କିଛି ପାହୁଣ୍ଡ ଆଗକୁ ନେଇଯିବେ ବୋଲି ନିର୍ଭର ଦେଇଥିଲେ, ସେମାନେ ସେମାନଙ୍କର ଆହୁରି ବଡ଼ ସେବାର ମାଧ୍ୟମରେ ଢୋକେ ଢୋକେ ଦେଇ ଆମକୁ ଅବଶ୍ୟ ଜିଆଇ ରଖିଥିବେ ସିନା ମାତ୍ର, ତଥାପି ରାତି ପାହିବନାହିଁ ବା ସକାଳ ହେବନାହିଁ । ସେମାନେ ଏହି ଜଙ୍ଗଲ ଭିତରକୁ ଆସୁଥିବେ ଓ ଆମର ସେବା କରୁଥିବେ,–କିନ୍ତୁ ଜଙ୍ଗଲ ଭିତରୁ ବାହାରି ପାରିବାର ରାସ୍ତା ଆଦୌ ଦେଖାଇ ପାରିବେନାହିଁ । ସର୍ବୋଦୟର ଥାଟଟି ମଧ୍ୟରେ ଯେଉଁମାନେ ପ୍ରକୃତ ସତ୍ୟଗୁଡ଼ିକର ଆଗ୍ରହୀ, ସେମାନେ ମନ କଲେ ଏଇଟି ବିଷୟରେ ଆହୁରି କେତେ କ’ଣ ଚିନ୍ତା କରିପାରିବେ ।

 

ଏହି ଦେଶରେ ଖାସ୍ କେତେ ଲୋକଙ୍କୁ ଆମେ ହୁଏତ ନାନା ଆବଶ୍ୟକତାରେ ପଡ଼ି କେଡ଼େ ଦରଦମିଶ୍ରିତ ଭାବମୟତାରେ ନିରୀହ, ସରଳ ଓ ଦରିଦ୍ର ଅଥବା ଭାଗ୍ୟହୀନ ବୋଲି କହିଥାଉ । ଏହି ଖାସ୍ ଆମେ ଅନିରୀହ, ଅସରଳ, ଅଦରିଦ୍ର ଏବଂ ଉନ୍ନତ ଭାଗ୍ୟମାନେ । ପାଠୁଆମାନେ ଅପାଠୁଆ ମାନଙ୍କୁ ନିରୀହ, ସରଳ ଏବଂ ସମ୍ବଳହୀନ ବୋଲି କହନ୍ତି । ବିତ୍ତଶାଳୀମାନେ ଅଳ୍ପବିତ୍ତମାନଙ୍କୁ । ଆପେ ନିରୀହ ଓ ସରଳ ହେବାପାଇଁ ମନ କରୁଥିବାରୁ ଯେ କେହି ନିରୀହ ଏବଂ ସରଳମାନଙ୍କୁ ପ୍ରଶଂସା କରି ସେପରି କହିଥାଏ, ସେକଥା ମୋଟେ ନୁହେଁ । ସହର-ଅଧିବାସୀ କେହି କବି ପଲ୍ଲୀର ଅଳପିକିଆ ପରିସର ମାନଙ୍କରେ ଜୀବନ ବିତାଉଥିବା ବିଚରା ଆଉମାନଙ୍କୁ ନିରୀହ ଓ ସରଳ ବୋଲି କହେ । ଠକିବାରେ ଲାଗିଥିବା ଚଲାଖି ମଣିଷଟା ଠକି ହୋଇ ଯାଉଥିବା । ମନୁଷ୍ୟମାନଙ୍କୁ ନିରୀହ ଏବଂ ସରଳ ବୋଲି କହେ । ଜଣେ ସାହୁକାର ତା’ର ଖାତକମାନଙ୍କୁ ନିରୀହ ଓ ସରଳ ବୋଲି କହି ହୁଏତ ବେଶ୍ ଆଶ୍ଵସ୍ତ ବି ଅନୁଭବ କରୁଥିବ । ଏବଂ, ହେ ବନ୍ଧୁମାନେ, ସେହି ନିରୀହ ଓ ସରଳ ମାନଙ୍କର ସଂଖ୍ୟା ପ୍ରକୃତରେ କୋଟି କୋଟି । ଖୁବ୍ ସୁନିଶ୍ଚିତ ଭାବରେ ଆମ ଅନିରୀହ ଏବଂ ଅସରଳ ମାନଙ୍କର ତୁଳନାରେ ଅନେକ ଅଧିକ । ଅସରଳମାନେ ଶୋଷଣ କରନ୍ତି ଏବଂ ସରଳମାନେ ଶୋଷିତ ହୁଅନ୍ତି । ଅସରଳମାନେ ବଞ୍ଚିତ କରାନ୍ତି ଓ ସରଳମାନେ ବଞ୍ଚିତ ହୋଇ ରହିଥାନ୍ତି । ଶାସନଟା ନିତାନ୍ତ ଅସରଳମାନଙ୍କ ହାତରେ । ସେମାନଙ୍କର ମରଜିଟା ହିଁ ଶାସନ । ନୀତିମାନେ ତୁଚ୍ଛା ବହିରେ । ବିଧିଗୁଡ଼ାକ ମଧ୍ୟ ବହିରେ । ଏବଂ, ସେଥିସକାଶେ ଏହି ଯେତେ ଅନିରୀହ, ଅସରଳ ଏବଂ ପକ୍କା ପ୍ରବଳ ପକ୍ଷଟା, ସେମାନେ ଜୀବନ ନାମରେ ସର୍ବବିଧ ବାସ୍ତବ ବୁଦ୍ଧିମତ୍ତାକୁ କାମରେ ଲଗାଇ ଗୋଟାଏ ‘ଶୃଙ୍ଗାର ଶତକ’ ଭିତରେ ଅତିସ୍ଥୂଳ ଏବଂ ଅତିବହଳ ହୋଇ ରହିଥାନ୍ତି ଏବଂ ଧର୍ମତଃ ସେହି ନିରୀହ, ସରଳମାନଙ୍କ ଲାଗି ସତେଅବା ଗୋଟାଏ ‘ବୈରାଗ୍ୟ-ଶତକ’ର ପ୍ରତାରଣାକୁ ଆଣି ଯୋଗାଇ ଦେଇଥାଆନ୍ତି । ସେହି ବୈରାଗ୍ୟ-ଶତକକୁ ଆମେ ସାଂପ୍ରତିକ ଖାସ୍ ବ୍ୟଞ୍ଜନାଟିଏ ଦେଇ ଗୋଟାଏ ‘ସହିଷ୍ଣୁତା-ଶତକ’ ବୋଲି ମଧ୍ୟ କହିପାରିବା କି ?

 

ନାଇଁ, ନାଇଁ, ଅସରଳ ଏବଂ ଅନିରୀହମାନେ ଆପଣାର ବାସ୍ତବବୁଦ୍ଧି ନାମକ ଆତ୍ମାଟାକୁ ସୁଙ୍ଘି ଭାରି ସରଳ ଭାବରେ ଜାଣି ଆସିଛନ୍ତି ଯେ, ତୁମେ ଅସରଳ ଅର୍ଥାତ୍ ଟାଣ ହୋଇ ରହିଲେ ଯାଇ ନିଜର କାଳଟିକୁ ଶହେଗୁଣ ଅଧିକ ଜବର ହୋଇ ଭୁଞ୍ଜି ପାରିବ । ଉପରେ କେତେ ରାଜକୀୟ ନିଷ୍ଠା ସହିତ ଯାବତୀୟ ଚହଲ ପହଲ ଲାଗିଥିବ, କିନ୍ତୁ ଦେଶଟା ଯେଉଁଠି ସେଇଠି ପଡ଼ି ରହିଥିବ । ବହୁ ବହୁ ଦରବାରୀ ଉଚ୍ଚାଦର୍ଶର ଢୋଲମାନ ପିଟି ସେବାର କାର୍ଯ୍ୟ କରୁଥିବେ, ତଥାପି ଭୋକ ଯିବ ନାହିଁ, ଶୋଷଣ ଯିବନାହିଁ । ଦୟାଳୁ ଦାତାମାନେ ଉଦାରତା ଦେଖାଇ ତ୍ରାଣସାହାଯ୍ୟ ଆଣି ଗୁଞ୍ଜି ଦେଇ ଯାଉଥିବେ, ତଥାପି ଅଭାଗ୍ୟପଣଟା ମୋଟେ ଉହୁଙ୍କିବ ନାହିଁ । ଲୋକେ ସହୁଥିବେ, ତେଣୁ ନିର୍ଯାତନାମାନେ ଲାଗି ରହିଥିବେ । ସରକାରମାନେ ଆସୁଥିବେ ଯାଉଥିବେ, ବିରଳ ପୁଣ୍ୟାତ୍ମାମାନେ ମହଜୁଦ ରହିଥିବେ; ଆପଣାର ଭାଗ୍ୟଗୁଡ଼ିକୁ ଅଧିକ ଶାଖାଯୁକ୍ତ କରି ଭାଗ୍ୟବନ୍ତ ରାଜ୍ୟଗୌରବମାନେ ଜଣେ ଜଣେ ଚକ୍ରବର୍ତ୍ତୀ ହୋଇ ନାନା ମତ୍ତ ପ୍ରତିଯୋଗିତାରେ ବହୁତତ୍ପର ହୋଇ ରହିଥିବ । ତଥାପି ଲକ୍ଷସଂଖ୍ୟାର ମନୁଷ୍ୟ କଷଣ ଖଟୁଥିବେ । ରାଜନୀତି ଭୀରୁ ହେବ, ଧର୍ମଘରର ମହାନ୍ ମୂର୍ତ୍ତିମାନେ ମିଛ ଅଧ୍ୟାତ୍ମଗୁଡ଼ାକର ଦ୍ଵାହି ଦେଇ କାଳର ଆହ୍ଵାନମାନଙ୍କୁ ଟାଳି ଦେବାରେ ଲାଗିଥିବେ । ଏବଂ, ଭୀରୁ ସରକାରମାନେ ମଧ୍ୟ କୁଆଡ଼ୁ କୌଣସି ପ୍ରତିବାଦୀ ଆବାଜ ପାଇବା ପରି ଅନୁଭବ କରିବା ମାତ୍ରକେ ନିଜ ବନ୍ଧୁକଧାରୀ ଭୃତ୍ୟମାନଙ୍କୁ ଶୀଘ୍ର ଚହଟିଯାଇ ଅମାନିଆ ମଣିଷମାନଙ୍କୁ ପାଠ ପଢ଼ାଇ ଆସିବା ନିମନ୍ତେ ତତ୍ପର ହୋଇ ଉଠିବେ ।

 

ହଁ, ଭାରତବର୍ଷ ନାମକ ଏହି ସ୍ଵାଧୀନ କରି ଏକ ସମ୍ବିଧାନ ଘୋଷିତ ହୋଇଥିଲା । ସେତେବେଳେ ମଧ୍ୟ ଦେଶରେ ଅନେକ ଧର୍ମ ରହିଥିଲା, ଅନେକ ଜାତି ରହିଥିଲା; ମାତ୍ର ଭାରତବର୍ଷର ଇତିହାସରେ ସର୍ବପ୍ରଥମ ଥର ପାଇଁ ଘୋଷଣା କରା ଯାଇଥିଲା ଯେ, ଯିଏ ଯେଉଁ ଧର୍ମର, ଜାତିର ଅଥବା ବର୍ଣ୍ଣର ହୋଇ ଥାଆନ୍ତୁ ପଛକେ, ସିଏ ହେଉଛି ସବାଆଗ ଏହି ଦେଶର ନାଗରିକ । ଆଗରୁ ରଜାମାନେ ଥିଲେ, ସେମାନଙ୍କୁ ମଧ୍ୟ ସେମାନଙ୍କର ଭେଳା ନବୁଡ଼ିଲା ପରି କିଛି କିଛି ସମ୍ପତ୍ତି ଦେଇ ନାଗରିକ କରି ନିଆଗଲା । ବିଭିନ୍ନତା ଅବଶ୍ୟ ରହିବ, ସ୍ଥାନୀୟ ସଂସ୍କୃତିଗତ କେତେକ ଭେଦ ମଧ୍ୟ ରହିବ, ମାତ୍ର ଆଗ ସମସ୍ତେ ଜଣେ ଜଣେ ନାଗରିକ ଏବଂ ତା’ପରେ ଯାଇ ଓଡ଼ିଶା, ବଙ୍ଗାଳୀ, ପାରସୀ, ହିନ୍ଦୁ, ମୁସଲମାନ ତଥା ଏଇଟା ଅଥବା ସେଇଟା । କାଳକାଳରୁ ନାନା ଅସମାନତା ଦ୍ଵାରା ବାଧ୍ୟ ହୋଇ ରହିଥିବା ଏକ ସମାଜରେ ଉଚ୍ଚନୀଚ, ଆଗ ପଛ ଓ ସମର୍ଥ ଅସମର୍ଥ ନାନାବିଧ ତାରତମ୍ୟ ରହିଥିବାରୁ ଏଠି ସବୁ ମଣିଷଙ୍କର ସମ୍ମୁଖସ୍ଥ ଆକାଶଟା ଆଦୌ ସମାନ ଭାବରେ ଫରଚା ହୋଇ ରହି ପାରିନାହିଁ, କେତେ ନା କେତେ ପାରମ୍ପରିକ ଦୂରତା ମନୁଷ୍ୟମାନଙ୍କୁ ଅନ୍ୟ ମନୁଷ୍ୟଙ୍କ ଆଖିରେ ବହୁ ଅବଜ୍ଞା ଏବଂ ଉପେକ୍ଷାର ପାତ୍ର କରି ରଖି ଆସିଛି-। ସେହି ଅବଜ୍ଞା ଓ ଉପେକ୍ଷା ମାନଙ୍କୁ ଭିତ୍ତି କରି ଗୁଡ଼ାଏ ଅନୈତିକତାକୁ ନୀତି ବୋଲି ଲଦି ଦିଆଯାଇଛି ଏବଂ ଆଚାରଧର୍ମ ବୋଲି କହି ଚଳାଇ ନିଆ ଯାଇଛି । ଏବଂ, ଯାହା ସବୁଠାରେ ଘଟିଥାଏ, ସବୁଟି ପଛରେ ଏକ ଅତି ଅସୁନ୍ଦର ସ୍ଵାର୍ଥମୂଳ ଆର୍ଥିକ ଅବ୍ୟବସ୍ଥାକୁ ଗୋଟାଏ ପବିତ୍ର ପରମ୍ପରା ପରି ଚଳାଇ ଅଣାଯାଇଛି । ତେଣୁ, ନାଗରିକତାର ସେହି ଅନ୍ୟ ପରିମଳଟିକୁ ନାଗରିକ ମାତ୍ରକେ ସମସ୍ତଙ୍କର ବାସ୍ତବ ଜୀବନ ମଧ୍ୟକୁ ସାକାର କରି ଆଣିବାକୁ ହେଲେ ଦେଶର ସରକାର ଅବଶ୍ୟ କେତେକ ବିଶେଷ ଉଦ୍ୟମ କରିବେ, ଯେପରିକି ପଛରେ ରହି ଯାଇଥିବା ମନୁଷ୍ୟଭାଗଟି କାର୍ଯ୍ୟତଃ ଅଧିକ ଅନୁକୂଳ ସୁଯୋଗ ଲାଭ କରି ଆଗରେ ରହି ଆସିଥିବା ଆଉମାନଙ୍କର କ୍ରମଶଃ ସମକକ୍ଷ ହୋଇ ଆସିବେ । ବ୍ୟବଧାନମାନେ ଊଣା ହେବେ, ଏକଚାଟିଆ ଅନଧିକାର ଗୁଡ଼ିକର ହ୍ରାସ ହୋଇ ଆସିବ ।

 

ଏହି କଥାଟିର ସର୍ବନିମ୍ନ ସିଧା ଅର୍ଥ ହେଉଛି ଯେ, ସବା ତଳସ୍ତରର କୋଟି କୋଟି ମନୁଷ୍ୟଙ୍କର ଅସହାୟ ଅବସ୍ଥା ଅଲବତ ବଦଳିବ । ସବୁରି ପେଟକୁ ଦାନା ଯୋଗାଇ ହେଲା ଭଳି ଯଥାସମ୍ଭବ ଏକ ପୂର୍ଣ୍ଣ କର୍ମନିଯୁକ୍ତିର ବ୍ୟବସ୍ଥା ହେବ । ଯାହା ନାଆଁରେ ବିସ୍ତୃତ ଜମିମାନ ଲେଖା ହୋଇ ରହିଛି ଅଥଚ ଯିଏ ଆପେ ଚାଷଦ୍ୱାରା ପେଟ ପୋଷୁନାହିଁ, ଏକ ଖାସ୍ ଭୂମିସଂସ୍କାରର ପ୍ରଣୟନ ଦ୍ଵାରା ଜମିଗୁଡ଼ିକ ପ୍ରକୃତ ଚାଷ କରୁଥିବା ପରିବାରଗୁଡ଼ିକ ସ୍ଵତ୍ଵକୁ ଆସିବ । ମଝିରେ ରହି ଅଧିକତମ ଲାଭ ହଡ଼ପ କରି ନେଉଥିବା ମାହାଳିଆ ମାନଙ୍କର ରାଜତ୍ଵଟିର ବିଲୋପ ହେବ,–ଗାଆଁର କୃଷି ତଥା ଅନ୍ୟାନ୍ୟ ଉତ୍ପାଦନ-ଯୋଜନା ଗ୍ରାମବାସୀ ଏକାଠି ବସି କରିବେ । ଏବଂ, ତେଣେ ପ୍ରତ୍ୟେକ ପିଲା ଇସ୍କୁଲକୁ ଆସି ପାଠ ପଢ଼ିବେ, ଆପଣାର ପ୍ରତିଭା ଅନୁସାରେ ଆଗକୁ ଆଗକୁ ଯିବାର ସୁଯୋଗମାନ ଲାଭ କରିବେ । ସେମାନେ ପଢ଼ୁଥିବା ପାଠ ସେମାନଙ୍କୁ ମୋଟେ ଜଣେ ଜଣେ ନିକିମା ବାବୁ କରି ତିଆରି କରିବନାହିଁ । ପ୍ରତ୍ୟେକ ଗାଆଁକୁ ରାସ୍ତା ରହିବ ଓ ପ୍ରତ୍ୟେକ ପରିବାରର ବାସଗୃହ ରହିବ । ସର୍ବନିମ୍ନ ଉତ୍ତମ ଚିକିତ୍ସାର ବ୍ୟବସ୍ଥା ଥାଇ ଏକ ସ୍ୱାସ୍ଥ୍ୟ ତଥା ଆରୋଗ୍ୟ-ଯୋଜନା ରହିବ । ନିଜ ଗାଆଁ ପାଇଁ ଉଦ୍ଦିଷ୍ଟ ଅର୍ଥରାଶି ଯେପରି ଆଉ କେଉଁ ତସ୍କରଙ୍କ ହାତକୁ ଚଳାଇ ନଯାଏ, ସେଥିପାଇଁ ଗ୍ରାମବାସୀଙ୍କ ସହିତ ସହଯୋଗ କରିବାଲାଗି ଅଙ୍ଗୀକାରବଦ୍ଧ ହୋଇ ଚାଲିଥିବା ଦେଶର ସରକାର ଦାୟୀ ରହିବ । ଶାସନକ୍ଷେତ୍ରର ଗୋଟିଏ ପାରିଭାଷିକ ଶବ୍ଦର ବ୍ୟବହାର କରି କହିଲେ, ଆପଣାର ଯୋଗ୍ୟତାର ପ୍ରମାଣ ଦେଇ ଆମ ସରକାର ଆମର watchdog ହୋଇ ରହିବେ । ସେହି watchdog ର ପରିଚୟରେ ହିଁ ଆମପାଇଁ ଦାୟୀ ହୋଇ ରହିଥିବେ । ସେହି ପରିଚୟରେ ଆପଣାକୁ ସମ୍ମାନିତ ବୋଧ କରୁଥିବେ ।

 

ଏବଂ, ଦେଶବାସୀଙ୍କ ପ୍ରତି କୌଣସି ଦୟା ଦେଖାଇ ଏକ ଅସାଧୁ ଉଦାରଭାବର ପ୍ରଦର୍ଶନ କରି ସରକାର ଏସବୁ ମୋଟେ କରିବେନାହିଁ । ଏବଂ, କୌଣସି ବଦାନ୍ୟଭାବ ଦ୍ଵାରା ପ୍ରେରିତ ହୋଇ କୌଣସି ଜନହିତକାରୀ ଗୋଷ୍ଠୀ ମଧ୍ୟ ତାହା କେବେହେଲେ କରିବେନାହିଁ । ସରକାରଙ୍କ ସମେତ ସମ୍ପୃକ୍ତ ଏହି ଅନ୍ୟମାନେ ଯିଏ ଯେତେ ସତେଅବା କୌଣସି ବହିରାଗତ ପ୍ରାୟ ଏକ ଅଭିମାନର ମୁକୁଟ ପରିଧାନ କରି ଏଠି ଏହି ଦେଶରେ ଏସବୁ କ୍ଷେତ୍ରକୁ ଆସନ୍ତି, ସେମାନେ ବସ୍ତୁତଃ ଏତେ ଅଧିକ ପରିମାଣରେ ନିଜର ପ୍ରେମରେ ପଡ଼ି ଯାଇଥାଆନ୍ତି ଯେ, ଏହି ଅବକାଶରେ ବହୁତ କିଛି ଭଣ୍ଡୁର ହିଁ କରିଦିଅନ୍ତି । ଏମାନେ ଏକ ପବିତ୍ର କର୍ତ୍ତବ୍ୟ କରିବାପାଇଁ କେତେ କେତେ କଷ୍ଟ ବରଣ କରି ତ୍ୟାଗ ସ୍ଵୀକାରି ଏଣେ ଆସିଥାଆନ୍ତି । ମଣିଷମାନଙ୍କ ଲାଗି ନୁହେଁ, ଆପଣାର କୌଣସି ଆଦର୍ଶର ପରିଚର୍ଯ୍ୟା ନିମନ୍ତେ ଏଣେ ଆସିଥାଆନ୍ତି । ସତେଅବା ଗୁଡ଼ିଏ କଣ୍ଢେଇଙ୍କ ପରି ସେମାନଙ୍କ ସୂତାଟି ଯାଇ କେଉଁ ଗୁରୁଜନ ଇତ୍ୟାଦିଙ୍କର ହାତରେ ରହିଥାଏ । କ୍ଷେତ୍ରର ଏହି ମଣିଷମାନେ କିଛି ନୁହନ୍ତି,–ଅସଲ ସେବାଟି ସମ୍ଭବତଃ ସେହି ପୂଜ୍ୟ ମହନୀୟ ମାନଙ୍କ ଲାଗି ଉଦ୍ଦିଷ୍ଟ ହୋଇ ରହିଥାଏ । ଟିକିଏ ଅଧିକ ସ୍ପଷ୍ଟକରି କହିଲେ ଆଗ ସେହିମାନଙ୍କର ସେବା, ସେହିମାନଙ୍କର ସେବା ହିଁ ମାଧବସେବା ଏବଂ ତା’ପରେ ଯାଇ ଯାବତୀୟ ମାଧବସେବା ହେଉଛି ମାନବସେବା । ସେମାନେ ମୁକାମ ବଢ଼ାଇଦେଇ ଏଣେ ପଠାଇଲେ ବୋଲି ଆମେ ଆସିଥିଲୁ ଏବଂ ପୁଣି ସେହିମାନଙ୍କର ତର୍ଜନୀମାନେ ମନ କଲେ ଏବଂ ଏଠାରୁ ଅନ୍ୟତ୍ର ପ୍ରସ୍ଥାନ କଲୁ । ପ୍ରାୟ ସକଳ ସନ୍ତର୍ପଣରେ ଏକ ନିଷ୍କାମ କ୍ରିୟାଶୀଳତା-ନ ଶୋଚତି ନ କାଙ୍‌କ୍ଷତି ।

 

ଅର୍ଥାତ୍, ଆଦୌ ଦୟା ଦେଖାଇ ନୁହେଁ, ନାଗରିକମାନଙ୍କୁ ନାଗରିକ ରୂପେ ସ୍ଵୀକାର କରି ହିଁ ସେବା । ଏପରିକି କୌଣସି ଆଦର୍ଶବାଦୀ ଉଚ୍ଚମନ୍ୟତାର ହାକିମୀ ଦ୍ଵାରା ପ୍ରେରିତ ନହୋଇ ନାଗରିକମାନଙ୍କୁ ଜଣେ ଜଣେ ନାଗରିକର ଚେତନା ଆଣି ଦେବା ନିମନ୍ତେ ହିଁ ସେମାନଙ୍କ ଭିତରେ ରହି ଆମର ଯେତେ ଯାହା କାର୍ଯ୍ୟ । ସେହି ଅସଲ ଚେତନାଟି ସେମାନଙ୍କ ମଧ୍ୟରେ ଆସିନାହିଁ ବୋଲି ତ ସେମାନେ ଏତେ ଏତେ ଯାତନା ମଧ୍ୟରେ ପଡ଼ି ରହିଛନ୍ତି । ସରକାର ସେମାନେ ପୂରାପଣେ ଜଣେ ଜଣେ ନାଗରିକ ବୋଲି ଜାଣିଥିଲେ ମଧ୍ୟ ଏକ ସୁଚିନ୍ତିତ ନ୍ୟସ୍ତସ୍ଵାର୍ଥଗତ ପ୍ରୟୋଜନରୁ ସେହି ସତ୍ୟଟିକୁ ଗ୍ରହଣ କରୁନାହିଁ । ଦେଶର ହାକିମମାନେ ମଧ୍ୟ ସେହି ମୂଳକଥାଟିକୁ ସମ୍ମାନ ଦେଇ ଆପଣ ଆଚରଣରେ ସେହି ଅନୁସାରେ ଭଦ୍ର ଏବଂ ଶିଷ୍ଟ ହେବାକୁ ମନ ବଳାଉ ନାହାନ୍ତି । ଯାହାର ନିମକ ଖାଉଛନ୍ତି, ତା’ପ୍ରତି ଖୁବ୍ ନିମକହରାମ୍ ହେଉଛନ୍ତି । ସେମାନଙ୍କୁ କୌଣସି ସରକାର ଦରମା ଦେଉନାହିଁ । ଦେଶର ପ୍ରଜାକୁଳ ହିଁ ଦେଉଛନ୍ତି । ଏବଂ, ସରକାର କହିଲେ ପ୍ରଜାମାନେ ଦରମା ଦେଇ କର୍ମନିଯୁକ୍ତ କରି ରଖିଥିବା ସାନ ଓ ବଡ଼ ଏହି ହାକିମମାନଙ୍କୁ ବୁଝାଉଛି-। ହାକିମଟିଏ ହେଲେ ଯେ ଅଧିକ ହାକିମୀ ଦେଖାଇବାକୁ ପଡ଼ିବ, ସେପରି କଥା ଆଦୌ ନୁହେଁ-। ସବାତଳେ ରହିଥିବା କୋଟିସଂଖ୍ୟାର ମଣିଷ ଆପଣାକୁ ଜଣେ ଜଣେ ନାଗରିକର ସମ୍ମାନ ଦେଇ ଅନୁଭବ କରିନାହାନ୍ତି ବୋଲି ଏଠାରେ ପ୍ରଜାଶାସନର ଯାବତୀୟ ଅନୁଶାସନରେ ପୋକ ପଶି ଯାଉଛନ୍ତି ଏବଂ ଲୋକଜୀବନକୁ ଏଡ଼େ ଦୁଃଖୀ କରି ରଖିଛନ୍ତି । ନାଗରିକର ମର୍ଯ୍ୟାଦା ପାଇଥିଲେ ମଧ୍ୟ ଲୋକମାନେ ନାନା ଅସୁନ୍ଦରତା ଏବଂ ଅମାନବିକତା ମଧ୍ୟରେ ଶିଙ୍କୁଳି ବନ୍ଧା ହୋଇ ପଡ଼ିଛନ୍ତି-। ସବାଆଗ ସେହି କାରଣରୁ ଏଠି ହାକିମପଲଟା ମନୁଷ୍ୟମାନଙ୍କ ଉପରେ ଘୋରା ଚଢ଼ିଛନ୍ତି ଏବଂ ସତେଅବା କିଞ୍ଚିତ୍ ଦୟା ଦେଖାଇବା ସକାଶେ ଗୋଟାଏ ଅନ୍ୟ କୋଉ ଗ୍ରହରୁ ଆମ ଏଠାକୁ ଆସିଥିବା ପରି ଅଶିଷ୍ଟତାମାନ ଦେଖାଇବାରେ ଲାଗିଛନ୍ତି । ତେଣୁ, ନ୍ୟାୟତଃ ସବାଆଗ ସେହି ନାଗରିକ ସଚେତନତା, ଆମେ ସମସ୍ତେ ଜଣେ ଜଣେ ନାଗରିକ ବୋଲି ଏକ ପୂର୍ଣ୍ଣସଚେତନ ଅଧିକାରବୋଧ,–ପୂର୍ଣ୍ଣସଚେତନ ପ୍ରତିବାଦ ଓ ପୂର୍ଣ୍ଣସଚେତନ ପ୍ରତିରୋଧ । ତାହାରିଦ୍ଵାରା ହିଁ ବର୍ତ୍ତମାନ ବଞ୍ଚିତ ହୋଇ ରହିଥିବା ମନୁଷ୍ୟଟିର ଉଦୟ ହେବ ଏବଂ, ଯିଏ ଠିକ୍ ସେଇଥିପାଇଁ ହିଁ ସେହି ବିଶାଳ ଜନସମୁଦ୍ର ଅର୍ଥାତ୍ ଶକ୍ତିସମୁଦ୍ରଟିକୁ ସବାଆଗ ଜାଗୃତ କରାଇ ଆଣିବ ବୋଲି ସେମାନଙ୍କର ପାଖରେ ଯାଇ ପହଞ୍ଚି ପାରୁଛି, ସେମାନଙ୍କ ଲାଗି ସେଇ ହେଉଛି ପ୍ରକୃତ ନେତା-। କେବଳ ସେଇ ବିଶ୍ଵାସର ପାତ୍ର ହୋଇପାରିବ ।

 

ଭାରତବର୍ଷରେ ପ୍ରତ୍ୟେକ ଅଧିବାସୀ ଯେ ଜଣେ ଜଣେ ପୂର୍ଣ୍ଣ ମର୍ଯ୍ୟାଦାଯୁକ୍ତ ନାଗରିକ, ଆମ ନିତିଜୀବନର ହାୱାଗୁଡ଼ାକୁ ସେଇଟି ବିଷୟରେ ଭୁରୁଡ଼ାଇ ରଖିବାକୁ ଏହି ଦେଶରେ ଅତିଚତୁରମାନେ ଦେଶଟାକୁ ବଡ଼ ଧୂର୍ତ୍ତ ଭାବରେ କେତେଟା ନାମ ଦେଇ ସାହୀ ସାହୀ ହିସାବରେ ଭାଗ ଭାଗ କରି ରଖିଛନ୍ତି । ଏଠି ଆମ ନାଗରିକ ମାନଙ୍କୁ ସେମାନେ ଆମର ଜାତି ଏବଂ ପାଟକ ଇତ୍ୟାଦିର ପରିଚୟରେ ଚିହ୍ନଟ କରାଇ ଦେଉଛନ୍ତି । ସରକାରଙ୍କୁ ମଧ୍ୟ ସେହି ଅଭିଆଣଟା ଖୁବ୍ ସୁହାଉଛି । ସାଧାରଣ ବର୍ଣ୍ଣ, ଅନୁସୂଚିତ ଏବଂ ବିଶେଷ ସ୍ତମ୍ଭଭୁକ୍ତ, ଉପଜାତି ଓ ଜନଜାତି, ହରିଜନ, ଆଦିବାସୀ, ଦଳିତ, ବହୁଜନ,–ଏହିପରି ସତେଅବା ସେହି ଗୋଟିଏ ବଟବୃକ୍ଷର ଭଳି ଭଳି ପତ୍ରର ଚିହ୍ନଟରେ । ବୃକ୍ଷଟାକୁ ମୋଟେ ଜାଣିନଥିଲେ ମଧ୍ୟ ଖାସ୍ ଗୋଟାଏ ପତ୍ରର ପରିଚୟରେ ଆମ ଛାତି ସତେଅବା କେଡ଼େ ଖୁସୀ ଅନୁଭବ କରି ଫୁଲି ବି ଯାଉଛି । ଭାଗ ଭିତରେ ଆହୁରି ଏକାଧିକ ଉପବିଭାଗ, ନାମପାଖକୁ ପୁନଶ୍ଚ କେତେ ଭଳି ଶ୍ରଦ୍ଧାନାମ । ସତେଅବା ଆମ ଆଖିଟା ଯେତିକିଯାଏ ପାଉଛି, ଏହି ପୃଥିବୀଟା ମଧ୍ୟ ସର୍ବବିଧ ନ୍ୟାୟରେ ସେତିକି ପର୍ଯ୍ୟନ୍ତ । ସବର୍ଣ୍ଣ ଅନୁସୂଚିତ ଏବଂ ଅସବର୍ଣ୍ଣ ଅନୁସୂଚିତ, କୁଇ କନ୍ଧ ଏବଂ ଡଙ୍ଗରିଆ କନ୍ଧ, ଉପର ଅମୁକ ଓ ତଳ ଅମୁକ,–ଶୁଦ୍ଧ ଶବର, ହିନ୍ଦୁ ଆଦିବାସୀ ଓ କିରସ୍ତାନ ଆଦିବାସୀ;–ଯଜମାନ ମାନଙ୍କର ପ୍ରୀତି-ଉତ୍ପାଦନ କରାଇ ବାହାରୁ ପଣ୍ଡିତ ଓ ଗବେଷକମାନେ ମଧ୍ୟ ଜିଲ୍ଲାୱାରି ତାଲୁକାୱାରି ଗେଜେଟ ଗୁଡ଼ାକୁ ତିଆରି କରି ଯୋଗାଇ ଦେଉଛନ୍ତି : ଏବଂ ଲୀଳାମୟଙ୍କର କରୁଣା ହେତୁ ପ୍ରତ୍ୟେକ ସାହୀ ଓ ପ୍ରତ୍ୟେକ ଡିହରେ ମଧ୍ୟ ଖାସ୍ ଆଖି ରଖିଥିବା ସ୍ଥାନୀୟ ନେତାମାନଙ୍କର ମଧ୍ୟ କେଡ଼େ ଚଞ୍ଚଳ ଆବିର୍ଭାବମାନ ଘଟୁଛି, ଯେଉଁମାନେ କି ଚଳନ୍ତି ହାଟଟା ଭିତରକୁ ବୁଦ୍ଧି ପାଇ ଯାଉଛନ୍ତି ଓ ଗୋଟାପଣେ ନିଜର ଭାଗ୍ୟରବି ମାନଙ୍କର ଉଦୟ ହେବା ଆଶାରେ କ୍ଷେତ୍ର ଭିତରକୁ ମାଡ଼ି ଆସୁଛନ୍ତି ।

 

ତଥାକଥିତ ଆହୁରି ଉଚ୍ଚ ଅର୍ଥାତ୍ ଆହୁରି ଗ୍ରନ୍ଥିଳ ସ୍ତରମାନଙ୍କରେ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରକୃତ ବିଧିଟିକୁ ମାନି ସବାଆଗ ଏକ ନାଗରିକର ସ୍ଵୀକୃତି ଦେଇ ଗ୍ରହଣ କରିବାର ଅବକାଶ ନାହିଁ;–ସେମାନେ ଆଗ ନୁହନ୍ତି, ସେମାନେ ଦିହରେ ଗଳାଇଥିବା ପଇତାମାନେ ହେଉଛନ୍ତି ଆଗ : ତେଣୁ ଆଗ ତା’ର ଧର୍ମଟା ଅର୍ଥାତ୍ ଧର୍ମସନ୍ତକଯୁକ୍ତ ଭେକଟା; ଏବଂ ସେହି ଅନୁସାରେ କେହି ହିନ୍ଦୁ, କେହି ମୁସଲମାନ, କେହି କିରସ୍ତାନ ଅଥବା ଆଉ କେହି ଆହୁରି କ’ଣ । ନେତାମାନେ ମଧ୍ୟ ସେହି ଅନୁରୂପ ହୋଇ ଜଣେ ଜଣେ ଜଗତଜିତା । ଆରେ ବାବୁ, ଗୋଟାଏ ଦେଶରେ ହିଁ କୌଣସି ଅନ୍ତୁଡ଼ିଶାଳରେ ହିଁ ତୁମେ ପୈଦା ହୋଇଛ ବୋଲି ସିନା ତୁମେ ଏହି ଚିତାଟିକୁ ଲଗାଇଛ କିମ୍ବା ସେ ପଇତାଟାକୁ ପିନ୍ଧିଛ । ଆମ ସମସ୍ତଙ୍କର ଏହି ଦେଶନାମକ ମାଟିଟା ରହିଛି ବୋଲି ସିନା ତୁମର ଏହି ଭଳି ଭଳି ଦେଉଳ ଏବଂ ଦେବସ୍ଥାନମାନେ । ଏପରିକି, ସେମାନେ ଯେତେବେଳେ ଛୁରୀ ଧରି ଅନ୍ୟଧର୍ମୀ ମାନଙ୍କୁ ମାରି ପକାଇବେ ବୋଲି ବାହାରୁଛନ୍ତି, ଯେତେବେଳେ ରାବଣଟାକୁ ପୋଡ଼ିବାର ରାଗରେ ସେମାନେ ଏକ ଆରେକର ଗାଆଁ ଗୁଡ଼ିକରେ ଯାଇ ନିଆଁ ଲଗାଇ ଦେଉଛନ୍ତି, ସେତେବେଳେ ଗୋଡ଼ତଳେ ନିର୍ଭର ପ୍ରଦାନ କରି ସହଜୀବନର ମାଟିଖଣ୍ଡେ ଥିବାରୁ ତ ଏହି ସବୁକିଛି ହୋଇପାରୁଛି ! ତେଣୁ, ଭାରତବାସୀ ସମସ୍ତେ ସବାଆଗ ନାଗରିକ, ତା’ପରେ ଯାଇ ଏଇଟା ଅଥବା ସେଇଟା । ଏଠାରେ ମୁଁ ଆଉଜଣକୁ ନିଃସ୍ଵ କରି ଆଦୌ ବଡ଼ଲୋକ ହୋଇ ପାରିବି ନାହିଁ । ସମସ୍ତଙ୍କ ଲାଗି ଯେପରି ଥାନଟିଏ ରହିବ, ସମ୍ଭାବନାମାନେ ରହିବେ, ସେଇଥିଲାଗି ଏହି ସର୍ବକିସମର ଜ୍ଞାନ ଏବଂ ବିଜ୍ଞାନ, କୌଶଳ ଏବଂ କୁଶଳତାମାନ । ଆମ ଠାକୁରମାନଙ୍କର ଯଦି ସତକୁ ସତ ହୃଦୟଟିଏ ରହିଥିବ, ତେବେ ସେମାନେ ମଧ୍ୟ ସେହି କଥାଟିକୁ ଆଗ ବୁଝିବେ ଏବଂ ମତି ନହଜାଇ ବାଇଆ ନହୋଇ ଆମକୁ କୋଟି କୋଟି ନାଗରିକଙ୍କର ଏହି ନାନାବିଧ ମେଳରେ ଜଣେ ଉଚିତ ନାଗରିକ ହୋଇ ବଞ୍ଚିବାର ପରାମର୍ଶ ଦେବେ ।

 

ଭାରତବର୍ଷରେ ଏକ ସୁବିବେଚନାଯୁକ୍ତ ସମ୍ବିଧାନ ଥାଇ ମଧ୍ୟ ତଥାପି ଯେ ଏକ ସୁସ୍ଥ ତଥା ସ୍ଵାଭାବିକ ଜୀବନ ସମ୍ଭବ ହେଉନାହିଁ, ଆମେ ସେଥିପାଇଁ ଏଠାରେ ବସ୍ତୁତଃ ଆମ ସାମୂହିକ ବ୍ୟବସ୍ଥାଟାର ଉପର ଥାକଟାକୁ ନିଶ୍ଚୟ ଦାୟୀ କରିବା । ଉପରେ ଅଳପ, ତଳେ ଅନେକ; ଉପରେ ଆଗ ବହୁତ ବହୁତ ମାଡ଼ି ବସୁଥିବା କତିପୟ ବର୍ଗମାନେ,–ଏବଂ ତଳେ ସଂପୂର୍ଣ୍ଣ ଭାବରେ ବର୍ଜିତପ୍ରାୟ ହୋଇ ରହିଥିବା ଅଷୌହିଣୀ ମନୁଷ୍ୟଥାଟ । ବହୁ ଯୁଗରୁ ପ୍ରତାରିତ ହୋଇ ଆସୁଥିବାରୁ ସେଇଟିକୁ ହିଁ ଭାଗ୍ୟ ବୋଲି ସ୍ଵୀକାର କରି ନେଇଛନ୍ତି । ଶାସ୍ତ୍ରରେ ଯେତେ ଯାହା ସାଧୁବଚନ କୁହାଯାଇ ଆସିଥିଲେ ମଧ୍ୟ ଏଠି ଧର୍ମମାହାଲଟା ସେହି ଉପରଟାକୁ ସମର୍ଥନ କରି ଆସିଛି । ପୃଥିବୀରେ ଭଗବାନଙ୍କର ଇଚ୍ଛା ବୋଲି କହି ବହୁ ବଞ୍ଚନାର ସମର୍ଥନ କରିଛି ଏବଂ ତେଣୁ ଆତ୍ମଘାତୀ ହୋଇଛି । ସେହି ଉପର ସାହୀଟାରେ ହିଁ ସବୁଯାକ ସାହିତ୍ୟ, ସଂସ୍କୃତି ଏବଂ ରସପ୍ରଦାୟକ ବିହରଣମାନ । ପାଠୁଆ ଯେତେ, ପ୍ରାୟ ସମସ୍ତେ ସେହି ଉପରେ, ନିଜ ଜୀବିକାର୍ଜନର କ୍ଷୁଦ୍ର ଗହନଗୁଡ଼ିକରେ ହିଁ ସେମାନଙ୍କର ଅକଲମାନେ ବନ୍ଧା ହୋଇ ବିକା ହୋଇ ଯାଇଛନ୍ତି । ଆମ ସ୍ଥାନୀୟ ଜାତୀୟବାଦର ଯେତେ ଯାହା ଉପକାର ଓ ପ୍ରାପ୍ତି, ତାହାକୁ ସେହି ଅଳପ ଉପରଟା ହିଁ ମାରିନେଉଛି । ଏବଂ, ସେହି ବେଅକଲିର ଘରଟାରେ ହିଁ ଦେଶର ଯୋଗ୍ୟତମ ତଥା ଗୁଣସମ୍ପନ୍ନମାନେ ବେଠି ଖଟୁଛନ୍ତି । ଖବରକାଗଜମାନେ ମଧ୍ୟ ସେହି ଅଳପ ପଟଟାର ଅଳସ ମନୋରଞ୍ଜନ ନିମନ୍ତେ ଗୁଡ଼ିଏ ରସିଦ ଆଣି ଯୋଗାଇ ଦେଉଛନ୍ତି । ସେମାନେ ଏହି ଭାରତବର୍ଷ ନାମକ ଦେଶର ନାଗରିକ ଟି ! ଏହି କୋଟି କୋଟି ଅକ୍ଷୌହିଣୀ ମନୁଷ୍ୟ ଯେଉଁ ଭାରତବର୍ଷର ନାଗରିକ, ସେମାନେ ମଧ୍ୟ ତାହାରି ନାଗରିକ ଟି ! ଯେତେଯାଏ ବୁଦ୍ଧିଟା ଯାଇପାରୁଛି, ସେଥିରୁ ପୂରା କହିବାକୁ ମନ ହେଉଛି, ସେମାନଙ୍କ ଭିତରର ବାବୁଟି ସହିତ ସେମାନଙ୍କ ଭିତରର ଭଗବାନଙ୍କର ନିଶ୍ଚୟ ନିତି ଗୁଡ଼ାଏ ଝଗଡ଼ା ଲାଗୁଥିବ । ଏବଂ, ସତରେ କ’ଣ ବାବୁଟା ଜିତୁଥିବ ଓ ଭଗବାନ ପଟଟି ହାରି ଯାଉଥିବ ? ଭଗବାନପଟଟା ହାରିଯାଇ ତୁନି ହୋଇ ରହି ଯାଉଥିବ । ତୁନି ହୋଇ ବାଟ ଛାଡ଼ି ଦେଉଥିବ ? ପୃଥିବୀର ବହୁ ବିଜ୍ଞ ବ୍ୟକ୍ତି ତ ଏବେ ଭଗବାନଙ୍କର ମୃତ୍ୟୁ ହୋଇଗଲାଣି ବୋଲି କେଡ଼େ ବଡ଼ ପାଟିରେ କହିବାକୁ ଆରମ୍ଭ କଲେଣି । ତେବେ କିଏ ସେହି ଭଗବାନଙ୍କୁ ମାରିଛି ? ସେହି ଅଳପ ପଟଟାର ଧୋବ ଅତିଲୋଭୀଟା କ’ଣ ତେବେ ନିଜ ଭିତରେ ଥିବା ଭଗବାନଙ୍କୁ ମାରିଛି ଏବଂ ସେଥିପାଇଁ ସିଏ ଏହି ପୃଥିବୀରେ ତଥାପି ରହିଛନ୍ତି ବୋଲି ଆଦୌ ଦେଖି ପାରୁନାହିଁ ?

 

ଏବଂ, ଉପରଟି କେବଳ ଦୟା ଦେଖାଇ ଜାଣିଥାଏ । ସିଏ ପଇଟି ରଖିଥିବା ଶାସ୍ତ୍ର ମଧ୍ୟ ଭାବାଳୁ ହୋଇ ଈଶ୍ଵରଙ୍କୁ ପରମ ଦୟାଳୁ ବୋଲି କହି କେତେ କ’ଣକୁ ପୂରା ଘୋଡ଼ାଇ ରଖିବାକୁ ଇଚ୍ଛା କରୁଥାଏ । ଯେଉଁ ଭୂଇଁରେ ନାଗରିକତାର ସତ୍ୟଟି ବାସ୍ତବ ହୋଇ ତଳକୁ ଭେଦି ନଥାଏ, ସେଠାରେ ସରକାରଟା ମଧ୍ୟ ସେହି ଉପର ଥାକର ଅଳପ ମଣିଷଙ୍କର ହାତମୁଠାରେ ଯାଇ ରହିଥାଏ । ଏବଂ ସରକାର ଦୟାର ପ୍ରଦର୍ଶନ କରନ୍ତି । ଉଦାର ଭାବରେ ସହାୟତାମାନ ପ୍ରଦାନ କରନ୍ତି । ଉତ୍-ଆସୀନ ହୋଇ ରହିଥାନ୍ତି ଅର୍ଥାତ୍ ଶାସିତମାନଙ୍କର ଯାବତୀୟ ପ୍ରକୃତ ଉଦୟ ବିଷୟରେ ପୂର୍ଣ୍ଣ ଅନମନୀୟ ଭାବରେ ଉଦାସୀନ ହୋଇ ରହନ୍ତି । ସେଠି ମଧ୍ୟ ଲୋକତନ୍ତ୍ରକୁ ପରିପୂର୍ଣ୍ଣ ସମ୍ଭ୍ରମ ଦେଇ ଆନୁଷ୍ଠାନିକ ଭାବରେ ସମ୍ବିଧାନଟିଏ ରହିଥାଏ, ବିଧି ମାନି ନିର୍ବାଚନ ହୁଏ, ତଥାପି ବହୁବିଧ ପ୍ରତାରଣା କାଳଟାକୁ ଭଣ୍ଡୁର କରି ରଖିଥାଏ । ଲୋକମାନଙ୍କର ପେଟରେ ଭୋକ, ଅପୂରଣ ହୋଇ ରହିଥିବା ସର୍ବନିମ୍ନ ବହୁ ଆବଶ୍ୟକତା, ମନୁଷ୍ୟୋଚିତ ଏକ ସମ୍ମାନ ତଥା ସ୍ୱୀକୃତିର ଜୀବନ-ଏଗୁଡ଼ିକ ସବୁବେଳେ ଅଲୋଡ଼ା ହୋଇ ରହିଥାଏ । ଅନ୍ନର ଅଭାବ ଲାଗି ରହିଥାଏ ଏବଂ ତଥାପି ଏଥର ନିର୍ବାଚନଟାରେ ଜନସମର୍ଥନ ପାଇଲେ ସବୁକିଛିର ସମାଧାନ ହୋଇଯିବ ବୋଲି ନିନାଦ ଦିଆଯାଏ । କିଏ ଏହି ଅରକ୍ଷିତମାନଙ୍କୁ କେତେ ଦେବ, ତାହରି କୋଳାହଳରେ ଗନ୍ଧିଆ ନେତାମାନେ ଭୁବନ କମ୍ପାଇବାରେ ଲାଗିଥାଆନ୍ତି । ସତେଅବା ଜନସମୂହର ସମର୍ଥନକୁ ନିଲାମରେ ଧରିବାରେ ଲାଗିଥାଆନ୍ତି । ଗୋଟାଏ ଟଙ୍କାରେ ପୂରା କିଲେ ଚାଉଳ ମିଳିବ, ଆଉ ବେରୋଜଗାରୀ ରହିବନାହିଁ, ଶିଶୁଶ୍ରମିକ ରହିବେନାହିଁ,–ଏହିପରି ତୁଚ୍ଛା ଉଡ଼ୁମ୍ବର ନାନା ବାକ୍ୟରେ ନାମର ସ୍ଥୂଳବୁଦ୍ଧି ସହଜିୟାମାନେ ସଭା କମ୍ପାଇ ଦିଅନ୍ତି ।

 

ଏହି ସବୁକିଛି ଦ୍ଵାରା ନାଗରିକତାର ମୁହଁକୁ ମୁଥ ହିଁ ମରାଯାଏ । ବିଗତ ଷାଠିଏ ବର୍ଷର ସ୍ଵାଧୀନତାରେ ଅଧିକତର କ୍ଷେତ୍ରରେ ତୁଚ୍ଛା ଏହିପରି ଭାବରେ ରାଜନୀତିଟା ମଧ୍ୟ ଏକ ବିଶୁଦ୍ଧ ବଗୁଲିଆମିରେ ପରିଣତ ହୋଇଛି । ପ୍ରତ୍ୟେକ ରାଜନୀତିକ ଦଳର ଯେ ଗୋଟିଏ ଗୋଟିଏ ଖାସ୍ ରାଜନୀତିକ ଆଭିମୁଖ୍ୟ ରହିବା ଉଚିତ, ସେକଥା ଆମ ନେତାମାନଙ୍କର ମୋଟେ ମନେ ନାହିଁ । ସତେଅବା ସବାଉପରର ଏ ନେତା କଥା କରିପାରିଛି ଓ ଆହୁରି ସବୁ କ’ଣ କରିବାକୁ ଯାଉଛି, ଆମର ଏହି ଅଜବ କାଳଟାରେ ତାହାହିଁ ଏକମାତ୍ର ବାର୍ତ୍ତାରୂପେ ପ୍ରଚାରିତ ହେଉଛି । ଏବଂ, ପ୍ରତ୍ୟେକ ଦିନର କାଗଜମାନଙ୍କରେ ସେହିମାନଙ୍କର ଦେହାକୃତିମାନ ବିଜ୍ଞାପିତ ହେବାରେ ଲାଗିଛି-। ଦିନେ ମଧ୍ୟ ନିଜର ସେହି ହିରୋରୂପ ଗୁଡ଼ିକୁ କାଗଜ ଉପରେ ନଦେଖିଲେ ସତେ ଯେପରି ସେମାନେ ସଙ୍ଗେ ସଙ୍ଗେ ରୋଦନ କରି ଉଠିବେ, ଆଜ୍ଞାମାନଙ୍କର ମୁଖମୁଦ୍ରା ଗୁଡ଼ିକୁ ଦେଖିଲେ ବାରମ୍ବାର ଧାରଣାଟିଏ ମଧ୍ୟ ହେଉଛି । ହାୟ, ଯଦି ସେମାନେ ଆପଣାମାନଙ୍କୁ ରାଜ୍ୟଟା ଯାକର ଏକମାତ୍ର ମର୍କତମହନୀୟ ବୋଲି ନଦେଖି ଆଗ ଦେଶର ଜଣେ ନାଗରିକ ଭାବେ ଦେଖିପାରନ୍ତେ, ବହୁ ବହୁ ନାଗରିକଙ୍କର ସମର୍ଥନ ଲାଭ କରି ଥାନମାନଙ୍କରେ ଯାଇ ବସି ପାରିଛନ୍ତି ବୋଲି ଅନୁଭବ କରନ୍ତେ, ତେବେ ପ୍ରକୃତରେ ତରିଯାଆନ୍ତେ । ସଚେତନ ନାଗରିକମାନେ ଯେ ସେମାନଙ୍କର ନାବାଳକ ନେତାଗଣଙ୍କୁ ସାବାଳକତ୍ଵ ଅର୍ଜନ କରିବାରେ ଏକାଧିକ ପ୍ରକାରେ ସାହାଯ୍ୟ କରନ୍ତି, ସେହି ସତ୍ୟଟିର ପ୍ରତିପାଦନ ବି ହୋଇଯାଆନ୍ତା ।

 

ତେଣୁ, ସୁସ୍ଥତମ ପରିବର୍ତ୍ତନର ମାର୍ଗଟି ହେଉଛି, ଆଗ ଦେଶରେ ପ୍ରବଞ୍ଚିତ ବର୍ଗଟି ଆପଣାକୁ ଏହି ଦେଶର ଜଣେ ଜଣେ ନାଗରିକ ବୋଲି ସଜ୍ଞାନ ହୁଅନ୍ତେ, ତା’ପରେ ସେହିମାନେ ହିଁ ସେମାନଙ୍କର ନେତା ବା ନେତୃତ୍ଵ ଗୁଡ଼ିକୁ ବାଛି ନିଅନ୍ତେ । ଖୁବ୍‌ସମ୍ଭବ ତା’ପରେ ସେହିମାନଙ୍କ ଭିତରୁ ହିଁ ସ୍ଵାଭାବିକ ଭାବରେ ଏକ ନେତୃତ୍ଵ ଜନ୍ମ ନିଅନ୍ତା ଓ ଆଗକୁ ବାଟ କାଢ଼ି ନିଅନ୍ତା । ଯେଉଁ ଆଦର୍ଶବାଦୀମାନେ ଆପଣାକୁ ହୁଏତ ଆହୁରି କୋଟି କୋଟିଙ୍କ ସହିତ ଏକ ସହନାଗରିକତାର ସୂତ୍ରରେ ବାନ୍ଧି ହୋଇ ରହିଥିବାର ଅନୁଭବ କରିବେ ନାହିଁ ବୋଲି ଆଗ ନୀତି-ଅନୀତିର ବୟାନ କରି ବିଶୁଦ୍ଧ ନିକିମାଙ୍କ ପରି କାଳକ୍ଷେପଣ କରନ୍ତି, ସେମାନେ ତାହାରି ପରିଣାମ ସ୍ଵରୂପ ଆଗ ବୁଢ଼ା ହୋଇ ବସନ୍ତି । ତେଣୁ ଋଷିକେଶରୁ ନିର୍ଣ୍ଣୟମାନ ଆସିବ ବୋଲି ଅପେକ୍ଷା କରି ରହିଥାନ୍ତି, ସେମାନେ ସମ୍ଭବତଃ ସେମାନଙ୍କର ଦୂରସ୍ଥ ସେହି ସୂତ୍ରଧରମାନଙ୍କୁ ଆଗ ହିଁ ଦେଖନ୍ତି; ସେମାନଙ୍କ ଉପରେ ଭରସା କରି ରହିଥିବା କେଡ଼େ ନିର୍ମଳ ଏହି ମନୁଷ୍ୟାତ୍ମାମାନଙ୍କୁ ହତାଶ କରନ୍ତି । ଆଲୋକ-ଅନ୍ଵେଷୀ ସେମାନେ ତେଣୁ ନ୍ୟାୟତଃ ଅନ୍ୟ ସାଙ୍ଗମାନଙ୍କୁ ଖୋଜନ୍ତି । ଏବଂ, ଖୋଜୁଥିବାରୁ ପାଇ ବି ଯାଆନ୍ତି । ଆମେ ତ ବରଂ ଆଶ୍ଵସ୍ତ ଅନୁଭବ କରିବା ଯେ, ଆମେ ଆଉ ଭରସାର ହୋଇ ରହିପାରିଲୁ ନାହିଁ ବୋଲି ସେମାନେ ଆଉମାନଙ୍କୁ ଠାବ କଲେ । ତେଣୁ ଅରକ୍ଷିତ ଏବଂ ଅକିଞ୍ଚନ ହୋଇ ମୋଟେ ପଡ଼ି ରହିଲେ ନାହିଁ । ପ୍ରତିବାଦ ଅବ୍ୟାହତ ରହିଲା । ମନେ ହେଉଛି, ସମ୍ଭବତଃ ଏହି ସର୍ବୋଦୟ ମଧ୍ୟ ଦୁଇ କିସମର,–ସବଳର ସର୍ବୋଦୟ ଏବଂ ଦୁର୍ବଳର ସର୍ବୋଦୟ । ଆମ ମାଫି ଆମର ସର୍ବୋଦୟ ନାମକ ଆମର ଏହି ଆଦର୍ଶଟି ଏକ କ୍ଷେତ୍ରନିର୍ଭର ଆଦର୍ଶ ଏବଂ ନେତାନିର୍ଭର ଆଦର୍ଶ । ଜୀବନର କ୍ଷେତ୍ରରେ ଜୀଅନ୍ତା ବହୁ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହେଉଥିବା ସେହି ସହନାଗରିକ ମାନଙ୍କ ସହିତ ଏକାଠି ବସି ଏକାଠି ମିଶି ବାଟଟିଏ ବାହାର କରିବା ଏବଂ ଯାହା ଏହି କ୍ଷେତ୍ରରୁ ହିଁ ବାହାରିଛି, ସେଇଟିରେ ଅଧିକତର ସତ୍ୟ ରହିଛି ଏବଂ ଆମର ନେତାଗଣ ଆମକୁ ସେଥିସକାଶେ ଅବଶ୍ୟ ସମର୍ଥନ କରିବେ ବୋଲି ଏକ ଆତ୍ମପ୍ରତ୍ୟୟ । ଯଦି ସେତିକି ନଥାଏ, ତେବେ ସେଠି କି ନେତା କି କର୍ମୀ, କି ଆଦର୍ଶ କି ନୀତି ! ସର୍ବୋଦୟ ମଧ୍ୟ ସେହି ନ୍ୟାୟଟି ଉପରେ ବିଶ୍ଵାସ କରିବାକୁ କଦାପି ଶଙ୍କିତ ହେବନାହିଁ ।

 

ସର୍ବୋଦୟ ଏବଂ ଏପରିକି ଅହିଂସାମାର୍ଗର ନୀତିଦର୍ଶନଟି ସହିତ ୧୯୫୧-୫୨ ମସିହାର କୁଜେନ୍ଦ୍ରୀ ଭୂସତ୍ୟାଗ୍ରହର କାର୍ଯ୍ୟକ୍ରମର କୌଣସି ବିରୋଧ ନଥିଲା । ଲୋକମାନେ ପୂରା ଜାଣିଥିଲେ ଯେ ସେମାନଙ୍କର ନିଜ କୁଟୁମ୍ବଅର୍ଜିତ ଜମିଗୁଡ଼ିକୁ କଉଶଳୀମନେ ଘିଚିନେଇ ଯାଇଛନ୍ତି-। ସାହସୀ ମଣିଷମାନେ ଏହି କଥାଟିକୁ ବୁଝିଲେ ଏବଂ ପ୍ରତିକାରଟିଏ ବାହାର କଲେ । ସ୍ଥାନୀୟ କର୍ମୀଭାଇମାନେ ମଧ୍ୟ ସହାୟତା କରିଥିଲେ । ଏହି ସତ୍ୟାଗ୍ରହ ଆଦୌ କୌଣସି ଅନୀତି କରିବାକୁ ମନ କରୁନାହିଁ ବୋଲି ସେମାନେ ମଧ୍ୟ ହୃଦୟଙ୍ଗମ କଲେ ଏବଂ ତେଣୁ ସେଥିରେ ସାମିଲ ହେଲେ-। ସତ୍ୟାଗ୍ରହ ଆନ୍ଦୋଳନଟି ସକାଶେ ଆବଶ୍ୟକ ତାଲିମ ଦିଆଗଲା । ଭାରତବର୍ଷରେ ହୁଏତ ଏକ ପ୍ରଥମ ଦୃଷ୍ଟାନ୍ତରୂପେ ଘଟଣାଟିଏ ଘଟିବାକୁ ଯାଉଛି ବୋଲି ଜାଣି ଉପରେ ଥିବା ନେତାଗଣ ତ ପ୍ରକୃତରେ ଖୁସୀ ହୋଇଥାନ୍ତେ, ସାଙ୍ଗକୁ ଆସିଥାନ୍ତେ ଏବଂ ଆଉକିଛି ବି ବତାଇ ଦେଇ ପାରିଥାଆନ୍ତେ । ମାତ୍ର କ’ଣ ପାଇଁ ସେପରି ହୋଇ ପାରିଲାନାହିଁ କେଜାଣି ? କୁଜେନ୍ଦ୍ରୀ କେନ୍ଦ୍ରର ଭୂସତ୍ୟାଗ୍ରହ ଆନ୍ଦୋଳନଟି ଖୁବ୍ ସମ୍ଭବ ରାଜ୍ୟର ଆଉ କେତେ ସ୍ଥାନକୁ ଓ ଏପରିକି ପୂରା ଭାରତବର୍ଷର କେତେ ଅଞ୍ଚଳକୁ ସଂକ୍ରମିତ ହୋଇ ଯାଇଥାନ୍ତା । ରାଜନୀତିକ ସଂଗ୍ରାମଟି ଫଳବର୍ତ୍ତୀ ହୋଇଯିବା ପରେ ଗାନ୍ଧିଜୀ ଯେଉଁ ପରବର୍ତ୍ତୀ ସାମାଜିକ ବିପ୍ଲବ ହେବା ବିଷୟରେ ସୂଚନା ଦେଉଥିଲେ, ଖୁବ୍‌ସମ୍ଭବ ସେଇଟି ନିମନ୍ତେ ଗୋଟିଏ ବାଟ ବାହାରି ଆସୁଥିବାର ଆଭାସ ମିଳିଥାଆନ୍ତା । ହଜାର ହଜାର ଏକର ଭୂମିର ଅଧିକାରୀ ହୋଇ ରହି ମୂଳିଆ ଖଟାଇ ଫସଲ ଖାଉଥିବା ଲୋକଙ୍କର ଚିତ୍ତରେ ଅନେକତଃ ଏକ ସାମୟିକ ଅନୁକମ୍ପା କିମା ଉଦାରତାର ସଞ୍ଚାର କରାଇ ଭୂମିହୀନଙ୍କର କଷଣ ଫେଡ଼ିବାର ଏହି ପ୍ରୟାସ ଏବଂ ଅନ୍ୟ ପକ୍ଷରେ ସ୍ଵୟଂ ଭୂମିହୀନମାନେ ସଚେତନ ହୋଇ ସେହି ଯୁଗଯୁଗର ଅନ୍ୟାୟଟାର ମୁକାବିଲା କରି ଏକ ସଂଗଠିତ ସତ୍ୟାଗ୍ରହ ଦ୍ଵାରା ଜମିଗୁଡ଼ିକୁ ମୁକୁଳାଇ ଆଣିବାର ସଂକଳ୍ପ ଗ୍ରହଣ କରିବା,-ବାବୁ କହିଲ, ସର୍ବୋଦୟର ବିଚାରତତ୍ତ୍ଵଟି ଅନୁସାରେ ପ୍ରକୃତରେ କେଉଁଟିକୁ ଅଧିକ ସୁସ୍ଥ ଅର୍ଥାତ୍ ଅଧିକ ପୁରୁଷାର୍ଥ–ଅନୁମୋଦିତ ବୋଲି କୁହାଯିବ !

 

ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଏକଦା ତାଙ୍କର ମଧ୍ୟ ଜଣେ ନକ୍ସଲପନ୍ଥୀ ହେବାକୁ ମନ ହେଉଛି ବୋଲି ତେଣୁ ଖାସ୍ ଭାବାବେଗରେ ହିଁ ନିଶ୍ଚୟ କହି ପକାଇଥିବେ । ତାଙ୍କର ଚତୁର୍ଦ୍ଦିଗରେ ତାଙ୍କରି ସମଧର୍ମୀ ଆଉ କେତେକଙ୍କର ଅନ୍ତର୍ଚିତ୍ତରେ ପ୍ରାୟ ଏକ ଚମକ ଆଣି ଦେବାଲାଗି ସିଏ ନିତାନ୍ତ ଅସାଧୁତା ସହିତ କଥାଗୁଡ଼ିକୁ ନିଶ୍ଚୟ କହିଥିବେ । ଆମେ ମଧ୍ୟ ଅନେକେ ସର୍ବୋଦୟର ସମାଜଦର୍ଶନ ବିଷୟରେ ସତେଅବା ସେହିଭଳି କୌଣସି ଭାବଚମକ ଆଣିଦେବାର ମତଲବରେ ଅନେକ ସମୟରେ ସେହିପରି ଆଚରଣ ଆଦି କିରୁଥାଉ କି ? ଏବଂ ତେଣୁ, ପୂରା ଭୂଇଁଟାର ସ୍ତରରେ ମନୁଷ୍ୟମାନେ ସତକୁ ସତ ଏକ ବିଶ୍ଵାସ ଦ୍ଵାରା ଉଦ୍‌ବୁଦ୍ଧ ହୋଇ ସାହସର ସହିତ ପ୍ରକୃତରେ କିଛି କରିବାକୁ ବାହାରିଲେ ଆମେ ସେମାନଙ୍କୁ ଏତେ ଈର୍ଷା ମଧ୍ୟ କାହିଁକି କରୁ କେଜାଣି-? ମହାତ୍ମା ଗାନ୍ଧୀ ମନୁଷ୍ୟମାନଙ୍କୁ ଈର୍ଷା କରୁନଥିଲେ; ବରଂ ସେମାନେ ସଚେତନ ଅର୍ଥାତ୍ ପ୍ରସ୍ତୁତ ହୋଇ ଆସୁଥିବା ଅନୁସାରେ ଜଣେ ଉତ୍ତମ ସେନାପତି ପରି ନିଜର କର୍ମସୂଚୀଟିର ପରିସର ଗୁଡ଼ିକ ମଧ୍ୟ ବଦଳାଇ ଦେଇ ପାରୁଥିଲେ । ତେଣୁ, ଏବର ନେତାମାନେ ଉପରୁ ଥାଇ ସତେଅବା ତଳଟାର ସଚଳ ହେବାକୁ ଏକ ଦୁଃସାହସପ୍ରାୟ ମଣି ସେହି ଉପରେ ଥାଇ ପ୍ରୟାସର ବେକ ମୋଡ଼ି ଦିଅନ୍ତି କାହିଁକି ? ଏହି କ୍ଷେତ୍ରରେ ସମ୍ଭବତଃ ଏକାବେଳେକେ ସେହି ଅନ୍ୟ କଥାଟି ହିଁ ଅଧିକ ସତ ହୋଇଥିବ । ତଳେ ଥିବା ସେମାନେ ବିଶୃଙ୍ଖଳ ନୁହନ୍ତି । ବିଶୃଙ୍ଖଳ ଆମେ ଏହି ଶିଷ୍ଟମାନେ,-ଯେଉଁମାନେ ଆଦର୍ଶନାମକ ରାଜ୍ୟଯାକର ଲଗାମମାନଙ୍କୁ ନିଜ ହାତରେ ରଖିବାକୁ ଇଚ୍ଛା କରୁଥାଉ; ଆମେ ଏହି ତ୍ୟାଗୀମାନେ, ଯୋଗୀମାନେ ଏବଂ ଖାସ୍ ଜ୍ୟୋତିମାନେ । ଆମେ ଇଚ୍ଛା କଲେ ଯାଇ ସିନା ସକାଳ ବୋଲି କିଛି ହେବ । ଏବଂ, ତେଣୁ ଅବଶ୍ୟ ସକଳ ହେବାର ଶପଥ ନେଇ ଯେତେ ଯିଏ ଏକତ୍ର ବାହାରି ଆସିଲେ ମଧ୍ୟ ରାତିଟା ତଥାପି ଆମେ ଚାହିଲାଯାଏ ଅପେକ୍ଷା କରିଥିବ ଓ ମୋଟେ ସକାଳ ହେବନାହିଁ । ଲୋକମାନେ ନିଜ ଆଖିରେ ନିଜ ନିୟତିଟା ବିଷୟରେ ସଜ୍ଞାନ ହେଲେ ସେମାନେ ତେଣିକି ହୁଏତ ଆମ ପାଖରୁ ହୁରୁଡ଼ି ପଳାଇବେ ଏବଂ ଲଗାମଗୁଡ଼ିକ ଆଉ ଆମ ହାତରେ ରହିବନାହିଁ ବୋଲି କୌଣସି ଡର ରହିଥିବାର କାରଣରୁ ଆମ କୁଳବିଧାୟକମାନେ ଏପରି ବିଶୃଙ୍ଖଳ ହୁଅନ୍ତି କି ?

 

ତେଣୁ, କୁଆଡ଼େ ଗଲା ସର୍ବୋଦୟ ନାମକ ସେହି ତତ୍ତ୍ଵପ୍ରଚଣ୍ଡ ଏବଂ ନୈତିକ ନାନା ଅଭିମାନଯୁକ୍ତ କେଡ଼େ ଉଚ୍ଚ ସାମିଆନାଟି, ସେହି ଭୂଦାନ ତଥା ଭୂମିକ୍ରାନ୍ତିର ଉଚ୍ଚ ଉଚ୍ଚ ବହୁ ପ୍ରତିଶ୍ରୂତିର ସୁଚିତ୍ରିତ ମାଟିପସରା ଗୁଡ଼ିକ । ନେତୃତ୍ଵ ଯେମିତି ଥିଲା, କଣ୍ଟାକଣ୍ଟି ପ୍ରାୟ ସେହିପରି ରହିଛି । ଏକା ଧିସାରେ ବାଜଣା ବାଜୁଛି ଏବଂ ଆଦର୍ଶ ନାମକ ଦେବୀଙ୍କର ମାଜଣା ଲାଗିଛି । ଆମର ଏହି ବାଟଟା ମାର୍କ୍ସ ଓ ମାଓଙ୍କ ବାଟଠାରୁ ଅଧିକ ପ୍ରଶସ୍ତ ଅର୍ଥାତ୍ ନୀତିସମର୍ଥିତ ବୋଲି ଦୂରରୁ ଆହୁରି ଦୂରରୁ ବକ୍ତାଗଣ ପାଠକମାନଙ୍କୁ ଯୁକ୍ତିସିଦ୍ଧ ପ୍ରତ୍ୟୟମାନ ଦେବାରେ ଲାଗିଛନ୍ତି । କ୍ରମେ ସାରା ପୃଥିବୀର ତଳସ୍ଥ ମନୁଷ୍ୟମାନେ ଆମ ସର୍ବୋଦୟ ଦ୍ଵାରା ଘୋଷଣା କରାଯାଇଥିବା ଅହିଂସ ପ୍ରତିରୋଧର ମାର୍ଗଟି ଆଡ଼କୁ ଆକୃଷ୍ଟ ହେଉଛନ୍ତି ବୋଲି ସେମାନେ ଚିତ୍ତପ୍ରସନ୍ନତା ଲାଭ କରୁଛନ୍ତି । ଅଥଚ ଏଠି ନିଜ ଘରେ ଦୁଇ ଭାଗ ହୋଇ ରହିଛନ୍ତି । ସେମାନେ ସ୍ପଷ୍ଟତଃ ପରସ୍ପରକୁ ଏଡ଼େ ଅପାଂକ୍ତେୟ ବୋଲି ବିଚାର କରୁଛନ୍ତି ଯେ, ନୀତି ଦୃଷ୍ଟିରୁ ଆସି ଗୋଟିଏ ପଂକ୍ତିରେ ବସି ପାରୁନାହାନ୍ତି । ଏହି ଦେଶଲାଗି ଅପେକ୍ଷା କରି ରହିଥିବା ସର୍ବୋଦୟର ମଧ୍ୟ ନିଶ୍ଚୟ କିଛି କହିବାର ତଥା କରିବାର ଅଛି, ସେମାନେ ସେହି ବିଷୟରେ ପାଟି ଫିଟାଉ ନାହାନ୍ତି । ଅରାଜୀମାନଙ୍କର କବଳରେ ପଡ଼ି ସର୍ବୋଦୟରେ ଆଦୌ କୌଣସି ବାସ୍ତବ ଉପଯୋଗିତା ରହିଛି ବୋଲି ଲୋକମାନେ ଆଉ କିପରି ବା ଅନୁଭବ ମଧ୍ୟ କରିବେ ? ଏବଂ, ଏହି ସବୁକିଛିରୁ ଆମର ଏହି ସମୟଟାର ନ୍ୟସ୍ତସ୍ଵାର୍ଥମାନେ ହିଁ ସବୁଠାରୁ ଅଧିକ ଲାଭବାନ୍ ହେଉଛନ୍ତି । ବାବୁ, ଯଦି ତୁମ ନିଜପାଖରେ ହିଁ ସବାବଡ଼ ଆଦର୍ଶଟାଏ ରହିଛି ବୋଲି କହିବ ଏବଂ ମୋଟେ ଖୋଜେ ବାଟ ବି ଚାଲିବନାହିଁ, ତୁମ ପାଖରେ ପ୍ରତିକାର ଏବଂ ପ୍ରତିବାଦର ନିଜସ୍ଵ ମାର୍ଗଟିଏ ରହିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ନିଜେ ସେଗୁଡ଼ିକରେ ହାତ ହିଁ ମାରିବନାହିଁ, ତେବେ ଏକାଧିକ କାରଣରୁ ନ୍ୟସ୍ତସ୍ଵାର୍ଥମାନ ହିଁ ତୁମ ସହିତ ଭାବ ଜମାଇବାକୁ ଆସିବେ, ତୁମକୁ ପୁରସ୍କୃତ କରିବେ ଏବଂ ସମ୍ଭବତଃ ସେହିସବୁ କରି ତୁମର ଆତ୍ମାଟିର ଶଣ୍ଢା ମୋଡ଼ିଦେବେ । ଲୋକମାନେ ବଲବଲ କରି ଅଣାଇଥିବେ ଏବଂ ଆଖର ତୁମଦ୍ଵାରା ସେମାନଙ୍କର ଦୁଃଖ ଦୂର ହେବନାହିଁ ବୋଲି ଖୁବ୍ ବୁଝି ପାରୁଥିବେ । ତୁମକୁ କ’ଣସବୁ ହେତୁ ସାଙ୍ଗ ଚାଲି ଯାଇଥିବା ଜଣେ ବନ୍ଧୁପରି ଅବଶ୍ୟ ଝୁରି ହେଉଥିବେ ।

 

ସେହି ଜୀବନୀ-ବହିଟିରେ ଥିବା ଆଜ୍ଞାଙ୍କର ଏକ ମନ୍ତବ୍ୟ ଅନୁସାରେ, ଶୋଷଣର ବିରୋଧୀ ହିଂସାବାଦୀଙ୍କର ଲକ୍ଷ୍ୟ ବିଷୟରେ ସର୍ବୋଦୟ ସହାନୁଭୂତିଶୀଳ ହିଁ ଥିଲା । ଆଜ୍ଞା ସ୍ଵୟଂସ୍ଵୀକାର କରିଛନ୍ତି ଯେ ସେମାନଙ୍କର ହୃଦୟରେ ଗରିବଲୋକଙ୍କ ପାଇଁ ଅନୁକମ୍ପା ଥିଲା । ଗରିବ ଲୋକଙ୍କ ପାଇଁ ଅର୍ଥାତ୍ ନାନା ଅନ୍ୟାୟ ଭିତରେ ନିପୀଡ଼ିତ ହୋଇ ରହିଥିବା ଲୋକଙ୍କ ପାଇଁ-। ହଁ, ସେମାନଙ୍କ ନିମନ୍ତେ ଏହି ହିଂସାଆଚରଣକାରୀଙ୍କର ଦାୟିତ୍ଵବୋଧ ମଧ୍ୟ ରହିଥିଲା ବୋଲି ଆଜ୍ଞା କହିଛନ୍ତି । ସେମାନେ ଦସ୍ୟୁପର୍ଯ୍ୟାୟଭୁକ୍ତ ନୁହନ୍ତି ବୋଲି ଆଜ୍ଞା କେଡ଼େ ସିଧାଭାବରେ କହି ପାରିଛନ୍ତି । ଏବଂ, ଏହାକୁ ହିଁ ଆମେ ସର୍ବୋଦୟର ମତ ବୋଲି ଧରିନେଇ ପାରିବା କି ? ଏବଂ, ଏବେ ମଧ୍ୟ ଏକ ଅନ୍ୟ ନାମରେ ଯେଉଁମାନେ ସେହି ଭୂମିକାଟିକୁ ଗ୍ରହଣ କରିଛନ୍ତି ଓ କରୁଛନ୍ତି, ସେମାନଙ୍କ ବିଷୟରେ ମଧ୍ୟ ସର୍ବୋଦୟ ନିଶ୍ଚୟ ସେହି କଥା କହିପାରିବ । ଆମ ଖବରକାଗଜମାନଙ୍କରେ ଯେତେବେଳେ ସେହିମାନଙ୍କର ତାଣ୍ଡବଲୀଳା ବିଷୟରେ ଭୟପ୍ରଦ ନାନା କଥା ନିତି ବାହାରୁଛି, ସର୍ବୋଦୟ ତଥାପି ସେତିକି କଥା କହି ପାରୁନାହିଁ କାହିଁକି ? ସେମାନେ ଆଦୌ ଦସ୍ୟୁ ନୁହନ୍ତି ବୋଲି ଘୋଷଣା ବି କ’ଣ ପାଇଁ କରି ପାରୁନାହିଁ ? ତୁମମାନଙ୍କର ନୀତି ଆମ ନୀତିଠାରୁ ଭିନ୍ନ ହୋଇଥିଲେ ମଧ୍ୟ ତୁମେମାନେ ଆଦୌ ଦାୟିତ୍ଵହୀନ ନୁହଁ, ମୋଟେ ଦସ୍ୟୁ ନୁହଁ ବୋଲି କହିଲେ ତ ସର୍ବୋଦୟର ମର୍ମଟିକୁ ତଥା ମାର୍ଗକୁ ଅଧିକ ସକାରାତ୍ମକ ଭାବରେ ଖୁବ୍ ବୁଝି ହୁଅନ୍ତା । ପୁନଶ୍ଚ, ସତେଅବା କ’ଣ ସବୁ ଖାସ୍ ନୀତିରେ ରହିଥିବା ରାଷ୍ଟ୍ର ଅର୍ଥାତ୍ ସରକାର ଏହି ଦେଶଟିର ପୀଡ଼ିତ ଏବଂ ତେଣୁ ଅଶାନ୍ତ ପ୍ରଜାମାନଙ୍କ ଲାଗି ଆପଣାର ଦାୟିତ୍ଵଗୁଡ଼ିକୁ ଖୁବ୍ ଭଲ କରି ଜାଣିଥିଲେ ମଧ୍ୟ ସାଙ୍ଗରେ ଗୁଳି ଏବଂ ମଣିଷ ମାରିବାର ବନ୍ଧୁକ କିଛି ନନେଇ ସେମାନଙ୍କର ଆଦୌ ସମ୍ମୁଖୀନ ହୋଇ ପାରୁନାହିଁ । ସହସ୍ର ସୁମାରି ସାଧାରଣ ମନୁଷ୍ୟମାନଙ୍କ ପ୍ରତି ହେବାରେ ଲାଗିଥିବା ଅନ୍ୟାୟମାନଙ୍କୁ ନଦେଖି ଓ ସେଥିଲାଗି ନିଜକୁ ଦାୟୀ ବୋଲି ସ୍ଵୀକାର ନକରି ସିଏ ତା’ର କୌଣସି ଅନ୍ୟ ଅପସୂତ୍ର ଗୁଡ଼ିକ ଅନୁସାରେ ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ମାତିଛି ଏବଂ ଅଶାନ୍ତି ଗୁଡ଼ିକୁ ବୃଦ୍ଧି କରୁଛି ।

 

ଉପସ୍ଥିତ ଭୂମିଟିରେ ବସ୍ତୁତଃ ଆଉ କିଏ ଅଛି ଯାହାର କି ପୀଡ଼ିତମାନଙ୍କ ପ୍ରତି ହୃଦୟଟାଏ ହୁଏତ ରହିଛି ? ରାଜନୀତି-ସାହୀର ଚକୁଳିଆ ପଣ୍ଡା ମାନଙ୍କର ଆମର ଏହି ଅତିସିଆଣିଆ ପାଠୁଆମାନଙ୍କର, ସାହିତ୍ୟ ଓ ସଂସ୍କୃତି ଇତ୍ୟାଦି ଦୀର୍ଘିକାମାନଙ୍କରେ ସୁଖବିହାର କରୁଥିବା ସଦାପ୍ରେମୀ ମାନଙ୍କର, ଦରମା ଫରମା ବାବତରେ ଦେଶର ପଇସାକୁ ସାଉଁଟି ନେଉଥିବା ଆମର ଏହି ବଡ଼ଗୋଲାମ ମାନଙ୍କର ? ତେଣୁ, ସେହି ନକ୍ସାଲମାନଙ୍କର ସବୁ ଅଲଗାପଣ ସତ୍ତ୍ୱେ ତଥାପି ସେମାନଙ୍କ ପରେ ସେଗୁଡ଼ିକ ତଥାପି ରହିଛି ବୋଲି ଯଦି ସର୍ବୋଦୟର ସେହି କୁଟୁମ୍ବଟି ପ୍ରକୃତରେ ଉପଲବ୍ଧି କରୁଛି, ତେବେ ସେହି କଥାଟିକୁ ଜାତୀୟ ବିତର୍କର ଏକାଧିକ ଅବସରରେ ସମସ୍ତେ ଶୁଣିପାରିଲା ଭଳି କହି ପାରୁନାହିଁ କାହିଁକି ? ପୁନଶ୍ଚ, ଭୂମିର ଶାସନଟା ଯେତେବେଳେ ସେହି ଦୁଷ୍ଟମାନଙ୍କୁ ଦମନ କରିବାର ଧମାକାରେ ମର୍ଜିମତେ ମଣିଷମାନଙ୍କୁ ଲାଛି ବାହାରୁଛି, ଆମର ଏହି ସର୍ବୋଦୟ-ତରଫଟି ମଧ୍ୟ ଅନ୍ତତଃ ଟିକିଏ ହାଁ ହାଁ କହି ମଝିରେ ଆସି ଠିଆ ହୋଇ ଯାଉନାହିଁ ବି କାହିଁକି ? ସର୍ବୋଦୟ ତେବେ ଏକାଧିକ ପ୍ରକାରେ ମଧ୍ୟସ୍ଥି କରି ପାରୁଥାନ୍ତା, ନାନାଭଳି ସକାରାତ୍ମକ ଡାଇଲଗ୍ ମଧ୍ୟ ସମ୍ଭବ କରି ପାରୁଥାଆନ୍ତା । ଆମର ଏହି କ୍ଷମତାଧର୍ମୀ ଏକଜିଦିଆ ପାଖଟାକୁ ଖୁବ୍ ହୋସ୍‌କୁ ଆଣି ପାରନ୍ତା । ଦେଶର ବାମ, ଡାହାଣ, ଶୀତଲ ଏବଂ ଗରମ-ସମସ୍ତେ ହୁଏତ ବହୁତ ଅଡ଼ୁଆରେ ହିଁ ପଡ଼ିଯାଆନ୍ତେ, ଭାରି ହଇରାଣିଆ ଭାବରେ ଧରା ପଡ଼ି ଯାଆନ୍ତେ । ସର୍ବୋପରି, ଯେଉଁ ଫମ୍ପା ଓ ଫାମ୍ପ୍‌ସାମାନେ, ଯେଉଁ ବିତ୍ତଶାଳୀ ଅତିଚତୁରମାନେ ଏବେ ବାର ସିଆଣ କରି ଦେଶର ରାଜନୀତିକୁ ଯାବତୀୟ ସକାରାତ୍ମକତାର କ୍ଷେତ୍ରରେ ଲୋକଆଖିରେ ପ୍ରାୟ ଏକ ବର୍ଜ୍ୟ ବସ୍ତୁରେ ପରିଣତ କରି ରଖିଛନ୍ତି, ସେମାନଙ୍କର ଏହି ଦେଶର ଭାଗ୍ୟମୀମାଂସାର କ୍ଷେତ୍ରରେ ସର୍ବବିଧ ଅନଧିକାର-ପ୍ରଦେଶକୁ ଆଡ଼ୁ ଏତେଗୁଡ଼ାଏ ସୁଯୋଗ ମଧ୍ୟ ମିଳନ୍ତାନାହିଁ ।

 

ଦେଶର ତରୁଣ ବର୍ଗଟିକୁ ତାହା ଏକ ନୂତନ ଦୃଷ୍ଟି ମଧ୍ୟ ଯୋଗାଇ ଦିଅନ୍ତା । ଏବେ ତ ସେମାନେ ଅଧିକାଂଶତଃ ସେହି ପୁରାତନ ଚର୍ବିଳମାନଙ୍କର ଅନୁକରଣ କରୁଛନ୍ତି । ସେମାନଙ୍କୁ ଏକ ସମଗ୍ର ସମୀକ୍ଷାତ୍ମକ ସ୍ଥିର ଆକଳନ ଦେଇ ଦେଖି ପାରୁନାହାନ୍ତି । ଭାରି ସହଜରେ ଭାରି ଅଳପରେ ମଙ୍ଗି ଯାଉଛନ୍ତି, ଭଣ୍ଡି ହୋଇ ଯାଉଛନ୍ତି । ଆପଣା ଆପଣାର ପୁତ୍ର ଏବଂ ଅନ୍ୟ ପାରିବାରିକ ମାନଙ୍କୁ ସେହି ପୁରୁଣା ଆଣ୍ଟିହିରୋମାନେ ପୋଷାହାତୀ କରି ମୁକୁଟ ପିନ୍ଧାଇ ତରୁଣମାନଙ୍କ ଭିତରକୁ ପଠାଇ ଦେଉଛନ୍ତି ଏବଂ ସେହି ଖଦଡ଼ା ମିଛପୁରୁଣାଟା ହିଁ ଆମ ବିବେକମାନଙ୍କୁ ନିଲାମ ଡାକି କିଣି ନେଇ ପାରୁଛି । ଏକ ପୁନରାବୃତ୍ତି ଲାଗି ରହିଛି । ନ୍ୟସ୍ତସ୍ଵାର୍ଥମାନେ ହଟୁନାହାନ୍ତି ଏବଂ ମୁଖ୍ୟତଃ ବାବୁମାନେ ହିଁ କୋଟି କୋଟି ମଣିଷଙ୍କୁ ସ୍ତମ୍ଭୀଭୂତ କରି ରଖିଛନ୍ତି । ତେଣୁ ସର୍ବୋଦୟ କଥା କହୁ, ଅଣସର ଭିତରୁ ବାହାରି ଆସି ଏହି ଚଳନ୍ତିଗୁଡ଼ିକ ସହିତ ସାମିଲ ହେଉ,–କ୍ରିୟାଶୀଳ ହେଉ । ଆହ୍ଵାନଗୁଡ଼ିକର ସମ୍ମୁଖୀନ ମଧ୍ୟ ହେଉ । ସମସ୍ତଙ୍କର ହୋଇ ଆପଣାର କଥା କହୁ । ଆପଣାକୁ ଗୁହାମୁକ୍ତ କରିପାରୁ ।

 

ତେଣୁ, ରାସ୍ତାଟା ମୋଟେ ଜଙ୍ଗଲ ଭିତରକୁ ନୁହେଁ; ଜଙ୍ଗଲ ଭିତରୁ ବାହାରକୁ, ତାହାହିଁ ରାସ୍ତା । ସେହି ନାନା ଅସହାୟତା ମଧ୍ୟରୁ ନାଗରିକତାକୁ, ଏକ ପୂର୍ଣ୍ଣ ସମ୍ମାନବୋଧର ନାଗରିକ ସଚେତନତାକୁ । ବନ୍ଧୁ, ତାହାହିଁ ସର୍ବୋଦୟ । ପୂର୍ବେ ଭଲ ମଣିଷମାନେ ଏହି ନାନା ଗୋଳକୋଳାହଳମୟ ପୃଥିବୀ ମଧ୍ୟରୁ ଜଙ୍ଗଲ ଭିତରକୁ ଚାଲି ଯାଉଥିଲେ, ସେଠାରେ ସତେଅବା ଅନ୍ୟ କ’ଣସବୁ ମିଳିବ ବୋଲି ଆଶ୍ରମଗୁଡ଼ିକର ଥାପନା କରି ରହୁଥିଲେ ଏବଂ ସେଇଠୁ ଥାଇ ପୃଥିବୀର କଲ୍ୟାଣ ବାଞ୍ଛା କରୁଥିଲେ । ସର୍ବୋଦୟ କହୁଛି, ନାଇଁ ଏଇଠି ରହ, ମନୁଷ୍ୟମାନଙ୍କ ଭିତରେ ଜଣେ ମନୁଷ୍ୟ ହୋଇ ରହ, ସେମାନଙ୍କୁ ବିଶ୍ଵାସ କରି ସେମାନଙ୍କର ବିଶ୍ଵାସଭାଜନ ହୁଅ ଏବଂ ସେମାନଙ୍କୁ ସାଥିରେ ଧରି ଏକ ଅନ୍ୟ ପୃଥିବୀ ଆଡ଼କୁ ଅଗ୍ରସର ହୁଅ । ସମ୍ମାନର ଏବଂ ସହଭାଗିତାର ପୃଥିବୀ, ଏହି ଚଳନ୍ତି ଜୀବନର ଏକ ନିତ୍ୟଆସ୍ପୃହାମୟ ମୂଳଦୁଆଗୁଡ଼ିକ ଉପରେ ଅଧ୍ୟାତ୍ମକୁ ପାଥେୟ କରି ବାସ୍ତବଟିଏ ଗଠନ କରିଆଣ । ନିର୍ଭୟ ହୁଅ, ନିର୍ମଳ ହୁଅ,–ଉପରେ ସତେଅବା ତୁମର କାନଗୁଡ଼ାକୁ ଧରି ବାଟ ବତାଇ ଦେଉଥିବା ମୋଟେ କୌଣସି କର୍ତ୍ତା ପାଖରେ ପ୍ରାୟ ଏକ ଶକ୍ତିକ୍ଷୟକାରୀ କାତରତା ସହିତ ବନ୍ଧା ହୋଇ ରହନାହିଁ; କାରଣ ତା’ହେଲେ ତୁମେ ନିଜେ ମଧ୍ୟ ତୁମଠୁଁ ତଳେ ରହିଥିବା ପରି ମନେ ହେଉଥିବା ଆଉ କୋଉମାନଙ୍କ ପାଖରେ ସତେଅବା ଦେବତାଟିଏ ପରି ଦିଶିବା ନିମନ୍ତେ ମନ କରି କପଟୀ ବି ହେବ । ଭାରତୀୟ ପାରମ୍ପରିକ ସମାଜଟାରେ ସର୍ବଦା ହିଁ ମନୁଷ୍ୟ ମନୁଷ୍ୟ ମଧ୍ୟରେ ନାନା ଦୂରତା ଅର୍ଥାତ୍ ଉପେକ୍ଷା ରହିଆସିଛି ବୋଲି ଏଠାରେ ସର୍ବୋଦୟର ସେହି ଅନ୍ୟଭଳି ଆହ୍ଵାନଟି ଭାରି ମାଡ଼ ଖାଇଯାଉଛି କି-? ଏବଂ, ଆପଣାକୁ ଜଣେ ବିଶିଷ୍ଟ ବୋଲି ମନେ କରିବା ସଙ୍ଗେ ସଙ୍ଗେ ପୂରାପଣେ ଗୋଟିଏ ଗୋଟିଏ ଅରୁଆ ଚାଉଳ ପରି ନୈତିକ ଜୀବନ ଯାପନ କରୁଥିବା ବିଶେଷ ମଣିଷମାନେ ସଂପୂର୍ଣ୍ଣ ପଙ୍ଗତଟିକୁ ହିଁ ଦୂଷିତ କରି ପକାଉଛନ୍ତି ।

 

ଏବେ ତ ଏପରି ଏକ ଅଧ୍ୟାତ୍ମ ଦରକାର, ଯାହା ପ୍ରତ୍ୟେକ ମଣିଷକୁ ସିଏ ଏକ ସ୍ଵାଧୀନ ଭୂମିର ନାଗରିକ ବୋଲି ଦୃଢ଼ ପ୍ରତ୍ୟୟ ଆଣିଦେବ । କାରଣ, ସିଏ ତା’ର ସେହି କ୍ଷୁଦ୍ର କ୍ଷୁଦ୍ର ପ୍ରସ୍ଥରେ ସର୍ବଦା ହିଁ ବହୁ ପରାଭବ–ସ୍ଵୀକାର କରୁଥିବା ଗୋଟିଏ ଜୀବନକୁ ନେଇ ପଡ଼ି ରହିଥିବ ଏବଂ ଏଣୁ ନାନା ଅନଧିକାରର ଦୁଷ୍ଟ, ଜଙ୍ଗଲର ଜନ୍ତୁରାଣମାନେ ତାକୁ ଅରକ୍ଷିତ କରି ରଖିଥିବେ, ତାକୁ ସାଙ୍ଗରେ ନ ବସାଇ କରା ଯାଇଥିବା ଏକତରଫା ଅବିଧାନମାନଙ୍କ ବଳରେ ତା’ର ପ୍ରିୟ ଜୀବନବସତିଟିକୁ ଉଚ୍ଛନ୍ନ କରି ଦେଉଥିବେ,–ଗୋଟାଏ ସ୍ଵାଧୀନ ଦେଶର ନାଗରିକ ହୋଇଥିଲେ ମଧ୍ୟ ସିଏ ରୋଦନ ହିଁ କରୁଥିବ,–ଏପରି ମୋଟେ ହୋଇ ପାରିବନାହିଁ । ସିଏ ମଧ୍ୟ ଦାବୀ କରିବ, ପ୍ରତିବାଦ କରିବ ଏବଂ ସିଏ ଯେ ଗୋଟାଏ ଦରମଲା କାଠଗଣ୍ଡିଟାଏ ହୋଇ ସବୁ ମାନି ନେବାକୁ, ସହି ଯିବାକୁ ମୋଟେ ଇଚ୍ଛା କରୁନାହିଁ, ସେହି କଥାଟିକୁ ଅଣ୍ଟା ସିଧା କରି କହିଦେଇ ପାରିବ । ସିଏ ମଧ୍ୟ ବାହାରକୁ ଆସିବ ଏବଂ ଆଖି ସିଧା କରି ବାବୁମାନଙ୍କ ପାଖରୁ ଜବାବ ମାଗିବ । ଯଦି ପ୍ରଚଳିତ ଆଇନ୍‌ମାନେ ତାକୁ ନାଗରିକ ବୋଲି ସ୍ଵୀକୃତି ଦେଉନାହାନ୍ତି, ତେବେ ସିଏ ସେଗୁଡ଼ିକର ବିରୋଧ କରିବ । ପ୍ରାଣପାତ କରିବ ସିନା, ମୋଟେ ବାଟ ଛାଡ଼ିଦେବ ନାହିଁ । ସ୍ଵାଧୀନ ଭାରତରେ ଯାହାକିଛି ହେବ, ତାହା ନାଗରିକ ମାତ୍ରକେ ସମସ୍ତଙ୍କ ସକାଶେ ହିଁ ହେବ । ନହେଲେ ଗୋଳ ଅବଶ୍ୟ ଲାଗିବ । ପୁରୁଣାଗୁଡ଼ାକ ରଦ୍ଦ ହୋଇ ନୂଆମାନେ ଲାଗୁ ନହୋଇଥିବା ପର୍ଯ୍ୟନ୍ତ ଗୋଳ ହିଁ ଲାଗିଥିବ ଏବଂ ବିଧାତା ନିଶ୍ଚିତ ଭାବରେ ଗୋଳଟି ଲାଗି ରହିଥାଉ ବୋଲି ଇଚ୍ଛା ମଧ୍ୟ କରିଥିବେ । ସିଏ ମୋଟେ ପ୍ରତାରକମାନଙ୍କ ପଟେ ନଥିବେ ।

 

ଆମ ସର୍ବୋଦୟଟା ଅସଲ ଧନ୍ଦାଟିକୁ ହାତକୁ ନେବାକୁ ରାଜୀ ହୋଇ ପାରିନାହିଁ ବୋଲି ସେବା କରିବାର ଏହି ନାନାବିଧ ଜାଲକୁ ଆମ ସମ୍ମୁଖରେ ବିସ୍ତାରି ରଖିଛି । ଧର୍ମକାର୍ଯ୍ୟଟିଏ କରୁଛି ବୋଲି ସାନ୍ତ୍ଵନା ହୁଏତ ଖୁବ୍ ଲାଭ କରୁଛି ସିନା, କିନ୍ତୁ ଯାହା ସବାଆଗ କରିବା କଥା ତାହା କରୁନାହିଁ । କାଳଟା ବଦଳୁ ବୋଲି ଇଚ୍ଛା କରୁନାହିଁ, ତେଣୁ କାଳକ୍ଷେପଣ ହିଁ କରୁଛି । କାରଣ, ଖାରା କଥାଟି ହେଉଛି ଯେ, ଦୁର୍ଗତମାନେ ନିଜର ନାଗରିକତା ବିଷୟରେ ସତକୁ ସତ ସଚେତନ ହୋଇପାରିଲେ ଯାଇ ସେମାନଙ୍କର ଦୁର୍ଗତି ଯିବ । ଆଉ କେଉଁମାନେ ଆସି ସେମାନଙ୍କର ସେବା କଲେ ଦୁର୍ଗତି ଯିବନାହିଁ; ସେବାମାନେ ଲାଗି ରହିଥିବେ ଏବଂ ଶୋଷଣ ଲାଗି ରହିଥିବ । ହୁଏତ ସେଇଟି ହେଉଛି ଗୋଟିଏ ବିଶେଷ କାରଣ, ଯେଉଁଥିପାଇଁ ଆମ ଗାଆଁମାନଙ୍କରେ ଯେଉଁମାନଙ୍କର ପିଣ୍ଡାଗୁଡ଼ିକ ସବୁଠାରୁ ଉଚ୍ଚ, ସେଇମାନେ ହିଁ ମାଧବସେବା କରିବାଲାଗି ବାହାରୁ କେତେ ଦୂରରୁ ଆସିଥିବା ଏହି ସଦାନିଷ୍ଠ ସେବାକର୍ମୀ ମାନଙ୍କୁ ସବୁବେଳେ ଘରକୁ ଡାକି ଆଣି ସେମାନଙ୍କର ଆତିଥ୍ୟସଂସ୍କାରମାନ କରିଥାଆନ୍ତି । ଯେକୌଣସି ଗାଆଁରେ ବଡ଼ ବଡ଼ ଭୂମିମାଲିକଙ୍କ ପାଖରୁ କିଛି ଦାନଯୋଗ୍ୟ ଜମି ମାଗି ଆଣି ସେହି ଗାଆଁର ଭୂମିହୀନମାନଙ୍କର ଦୁଃଖ ଦୂର କରାଇବାର କର୍ମୀମାନେ ଯେଉଁପରି ସେହି ଦାତାମାନଙ୍କ ଘରେ ହୁଏତ ଅନେକ ସମୟରେ ଆତିଥ୍ୟ ସ୍ଵୀକାର କରିଥାନ୍ତି, ଏଇଟି ମଧ୍ୟ ଖୁବ୍ ସେହିପରି କଥାଟିଏ ହୋଇଥିବ । ବଦାନ୍ୟ ଜଣେ ଦାତାର ଦୟାରୁ ଜଣେ ଭୂମି ପାଇଲେ ବଞ୍ଚିତ ମନୁଷ୍ୟମାନଙ୍କ ଉପରେ ହେଉଥିବା ଶୋଷଣର ଅପସାରଣ ହୋଇପାରିବ ନାହିଁ । ସେହି ତଳ ଗୁଳାମାନଙ୍କରେ ରହିଥିବା ମନୁଷ୍ୟମାନେ ସଚେତନ ଭାବରେ ନିଜକୁ ଜଣେ ଜଣେ ନାଗରିକ ବୋଲି ଅନୁଭବ କଲେ ଓ ସର୍ବପ୍ରଥମେ ସେଇଟିକୁ ଦାବୀ କରି ବାହାରିଲେ ଯାଇ ଶୋଷଣ ଦୂର ହେବ । ନାଗରିକ ସଚେତନା ଏପରି ଏକ ସଚେତନତା, ଯାହାକି ଆମେ ସମସ୍ତେ ଏକାଠି ହୋଇ ବାଟ ଚାଲିବା ବୋଲି ଦାବୀ କରିବ ଓ ଅମଙ୍ଗମାନଙ୍କୁ ମଙ୍ଗିବା ଲାଗି ବାଧ୍ୟ କରିବ । ଅମଣିଆମାନଙ୍କୁ ମଣ କରିବ । ଆମ ସମ୍ବିଧାନରେ ଦେଶର ପ୍ରତ୍ୟେକ ନାଗରିକକୁ କ’ଣ ସବୁ ଅଧିକାର ପ୍ରଦାନ କରାଯାଇଛି, ଆମ ସରକାର ନାମକ ସବାଉଚ୍ଚ ପିଣ୍ଡାଟି ମଧ୍ୟ ତାହା ଖୁବ୍ ଭଲ ଭାବରେ ଜାଣିଥିଲେ ମଧ୍ୟ ସେଗୁଡ଼ିକ ଦ୍ଵାରା ପରିଚାଳିତ ହେବାକୁ ମଣ କରିନାହିଁ ଏବଂ ନ୍ୟାୟତଃ ସେହି କାରଣରୁ ବଞ୍ଚିତ ଏହି କୋଟିକୋଟିଙ୍କ ଗୋଚରରୁ ସେଗୁଡ଼ିକୁ ଅନ୍ତରାଳ କରି ରଖିଛି ।

 

ଅକିଞ୍ଚନ ଏବଂ ଅସହାୟମାନେ ଆପଣାର ସେହି ପାରମ୍ପରିକ ଜଙ୍ଗଲଟା ଭିତରେ ପଡ଼ି ରହିଥିବେ ଏବଂ ଆମେ ଆଦର୍ଶମାର୍ଗୀ ସେବାକାରୀମାନେ ସେମାନଙ୍କର ସେବା କରିବାକୁ ଧାଇଁଥିବା,–ଏହି ବିଚିତ୍ର ଅସଂସ୍କାରଟା ଭିତରେ ସତେଅବା ଗୋଟାଏ ଏକପାଖିଆ ବ୍ରତ ପରି ଲିପ୍ତ ରହି ଆମେ ତ୍ରାଣ ଯୋଗାଇଦେବା ଆଳରେ ସେହି ଅନ୍ଧାରଗୁଡ଼ାକୁ ସ୍ଵୀକାର କରିବାରେ ଲାଗିଥିବା-। ତେଣେ ଅଳପ ବର୍ଗଟାର ନ୍ୟସ୍ତସ୍ଵାର୍ଥମାନେ ଅଧିକରୁ ଅଧିକ ଅଣଅକ୍ତିଆର ହେବାରେ ଲାଗିଥିବା ଗୋଟାଏ ଜଙ୍ଗଲର ଗଉଁରେ ଏଠି ସବୁକିଛିକୁ ଗ୍ରାସ କରି ପକାଉଥିବେ । ମଣିଷମାତ୍ରେ ସମସ୍ତଙ୍କର ଜୀବନଭରଣା ନିମନ୍ତେ ଉଦ୍ଦିଷ୍ଟ ଏହି ପୃଥିବୀର ପ୍ରାୟ ସବୁଯାକ ବିତ୍ତକୁ ସତେଅବା ସେମାନଙ୍କ ନିଜର ତୃତୀୟ ବା ଚତୁର୍ଥ ପତ୍ନୀବତ୍ ଭୋଗ କରୁଥିବା ଶିବିର–ସ୍ଵାର୍ଥଗୁଡ଼ାକ ହିଁ ଆମର ନାଡ଼ୀଟାକୁ ଖୁବ୍ ଉତ୍ତମରୂପେ ଠଉରାଇ ପାରିଥିଲା ପରି ଆମ ହାତରେ କେତେ କେତେ ଉଦାରତାର ଚାତୁର୍ଯ୍ୟରେ ଆମ ସେବାକାର୍ଯ୍ୟ ଲାଗି ଅର୍ଥପରିମାଣ ଇତ୍ୟାଦି ଆଣି ପହୁଞ୍ଚାଇ ଦେଉଥିବେ । ସେହି ଅରୀତିଟା ହୁଏତ ଭଗବାନଙ୍କୁ ମଧ୍ୟ ଏବେ ଆଉ ଆଦୌ ଭଲ ଲାଗୁନଥିବେ । ତେବେ, ହେ ସର୍ବୋଦୟ ତଥା ଅନ୍ତ୍ୟୋଦୟର ତରଫର ସଜ୍ଜନମାନେ, ଆମେ ଆମ ହିତାଧିକାରୀ ଉପକୃତ ମାନଙ୍କୁ ଆଉ ମୋଟେ ଖାତାଗୁଡ଼ାକ ଭିତରେ ବଣା ହୋଇ ଆଦିବାସୀ ବୋଲି କହିବାନାହିଁ; ସେମାନଙ୍କୁ ନିରୀହ, ସରଳ, ଦଳିତ ଓ ଅବହେଳିତ ବୋଲି କହିବାନାହିଁ । କିଛି ବାସ୍ତବ ପ୍ରୟୋଜନର ବୋଲରେ ପଡ଼ି ସେମାନେ ହୁଏତ ନିଜକୁ ସବାଆଗ ମଣିଷ ବୋଲି ନଦେଖି ଆମେ ସେମାନଙ୍କ ଲାଗି ନିର୍ଦ୍ଦେଶିତ କରି ଦେଇଥିବା ନାମମାନଙ୍କର ମାଧ୍ୟମରେ ଚିହ୍ନଟ କରାଇବାର କେତେକ ଅଭ୍ୟାସରେ ପଡ଼ି ଯାଇଛନ୍ତି । ଆମେ ସେମାନଙ୍କୁ ମଣିଷର ଚିହ୍ନଟରେ ଚିହ୍ନିବା ଏବଂ ସ୍ଵୀକୃତି ଦେବା । ଠିକ୍ ଆମରି ପରି ସ୍ଵୀକୃତିପ୍ରାପ୍ତ ଜଣେ ଜଣେ ମଣିଷର ଚିହ୍ନଟରେ । ଆମ ସମ୍ବିଧାନ ସେମାନଙ୍କ ଲାଗି ଘୋଷଣା କରି ସାରିଥିବା ଜଣେ ଜଣେ ନାଗରିକର ଚିହ୍ନଟରେ-

 

ଜଣେ ନାଗରିକର ସମ୍ମାନବୋଧ, ଜଣେ ନାଗରିକର କ୍ରୋଧ । ଅସଲ ସେବକମାନେ ସେମାନଙ୍କ ଭିତରୁ ସେହି ବୋଧଟିକୁ ହିଁ ଉଦବୋଧିତ କରି ଆଣିବେ ଓ ସେହି କ୍ରୋଧକୁ ଉଦ୍‌ଜୀବିତ କରି ଆଣିବେ । ତା’ ନହେଲେ, ଗଣତନ୍ତ୍ର ଥିବ, ଆଇନ୍ ରହିଥିବ, ନିର୍ବାଚନମାନ ହେବ, ତଥାପି ମନୁଷ୍ୟମାନଙ୍କର ଅବସ୍ଥା ଯେଉଁପରି ସେହିପରି ହୋଇ ରହିଥିବ । ଆମେ ଦୟାପରବଶ ହୋଇ ଯେଉଁମାନଙ୍କର ସେବା କରୁଛୁ ଓ ସେହି ସେବାକୁ ପ୍ରାୟ ଏକ ଜୀବିକାଗତ ଧର୍ମ ବା ବ୍ରତ ପରି ଗ୍ରହଣ କରି ନେଇଛୁ, ସେମାନଙ୍କୁ ସମ୍ପୂର୍ଣ୍ଣତଃ ଆମରି ପରି ଜଣେ ଜଣେ ନାଗରିକ ବୋଲି ଅନୁଭବ କରିବା,–ଏହିସବୁ ସେବାରେ ମଜ୍ଜି ରହିଥିବା ସେବକମାନଙ୍କର ନଜର ଭିତରେ ଆଦୌ ସହଜରେ ସମ୍ଭବ ହୁଏନାହିଁ । ଜଣେ ନାଗରିକକୁ ସତକୁ ସତ ଜଣେ ନାଗରିକର ସ୍ଵୀକୃତି ଦେବା, ତାକୁ ଜଣେ ମଣିଷ ବୋଲି ସ୍ଵୀକୃତି ଦେଇ ନିଜ ସହିତ ସାମିଲ କରିନେବାର ଏକ ଅତ୍ୟାବଶ୍ୟକ ରାଜନୀତିକ, ସାମାଜିକ ଓ ଆର୍ଥିକ ସ୍ଵୀକୃତି ଦେବା ହେଉଛି ଏକ ପୂର୍ବପ୍ରସ୍ତୁତି । ଆମ ଦେଶର ସଦିଚ୍ଛୁ ଶାସ୍ତ୍ରକାରମାନେ ତ କେତେକେତେ ଆଳଙ୍କାରିକତା ପ୍ରଦାନ କରି ପ୍ରତ୍ୟେକ ମନୁଷ୍ୟକୁ ମୂଳତଃ ଏକ ଆତ୍ମା ବୋଲି ଉଚ୍ଚାରଣ କରିଛନ୍ତି; କିନ୍ତୁ ଏକାଧିକ କାରଣରୁ ସେଥିଲାଗି ଏକ ଉଚିତ ଭିତ୍ତି ଯୋଗାଇଦେବା ବିଷୟରେ ହୁଏତ ଖୋଜଟିଏ ବି ପଡ଼ିନାହିଁ । ସିଆଣିଆମାନେ ପୂରା ଗଦ୍‌ଗଦ ହୋଇ ଶ୍ଳୋକଗୁଡ଼ିକର ପାରାୟଣ କରୁଛନ୍ତି ଏବଂ ସବୁ ମଣିଷଙ୍କୁ ନ୍ୟାୟତଃ ସେମାନଙ୍କୁ ଭାଗ ଦେବାର କ୍ଷେତ୍ରରେ ଚାହାଳିଚୋର ହୋଇ ରହିଛନ୍ତି । ସର୍ବୋଦୟ ଠିକ୍ ସେହି କଥାଟିରୁ ଆରମ୍ଭ କରିବ । ପ୍ରତାରିତମାନଙ୍କୁ ସବାଆଗ ନାଗରିକତାର ଏକ ସଚେତନ ବୋଧ ଆଣିଦେବ । ତା’ ମନକୁ ପାଉଥିବା ଅନୁସାରେ ଯେଉଁ ମାର୍ଗରେ କରୁ ପଛକେ, ଆଗ ସେଇଠାରୁ ଆରମ୍ଭ କରିବ ।

 

ନଚେତ ନିଜକୁ ଧୋକା ଦେବାରେ ଲାଗିଥିବ । ଏହି ପୁସ୍ତକର ଆଲୋଚନାକୁ ଆମେ ଆଜ୍ଞାଙ୍କଠାରୁ ଆରମ୍ଭ କରିଥିଲେ । ଏବଂ ବର୍ତ୍ତମାନ ସେହି ଆଜ୍ଞାଙ୍କଠାରେ ହିଁ ମୁଣ୍ଡି ମାରିବା । ସର୍ବୋଦୟ ହେଉଛି ଏକ ଜୀବନଦର୍ଶନ । କିନ୍ତୁ, ସବୁବେଳେ କୌଣସି ଏକ ଉଚ୍ଚ ଶିଖରକୁ ବୁଝାଇବାରେ ଲାଗିଥିଲେ ତାହା ଗୋଟିଏ ବିଶେଷ ପ୍ରକାରର ମନୁଷ୍ୟଙ୍କୁ ମୁଗ୍ଧ କରି ରଖିଥିବ ଓ ସେହି ଉତ୍ସାହରେ ସେମାନେ ସତେଅବା ଅନ୍ୟମାନଙ୍କ ଠାରୁ ଅଧିକ ଉଚ୍ଚରେ ରହିଥିବା ପରି ଅନୁଭବ କରି ପ୍ରାୟ କୌଣସି ଅଧ୍ୟାତ୍ମର ଉଚ୍ଚ ଉତ୍ତରାଧିକାରର ଅହଂକାରରେ ଉଡ଼ିବାରେ ହିଁ ଗୁଡ଼ାଏ ଆନନ୍ଦ ପାଉଥିବେ ସିନା, ଏଠି ଭୂଇଁ ଉପରର ଗୋଟିଏ ମଞ୍ଜିରୁ ମଧ୍ୟ ଗଜାଟିଏ ସମ୍ଭବ କରି ପାରିବେନାହିଁ । ପ୍ରାୟ ଏକ ଅନ୍ୟ ରାଜପ୍ରାସାଦର ରାଜପୁତ୍ରଟିଏ ପରି ପବିତ୍ର ପାରିଧିଗୁଡ଼ିକର କାହାଣୀମାନ ଶୁଣାଇବାରେ ଲାଗିଥିବେ । ଉପସ୍ଥିତଟାକୁ ଦେଖି ମଧ୍ୟ ବହୁ ନୈତିକ ଉଚିତ ଅନୁଚିତର ଶାସ୍ତ୍ରୀୟ ବଖାଣ କରି ଏଡ଼ାଇ ଦେଉଥିବେ । ସେଥିଲାଗି ସର୍ବୋଦୟ ସହିତ ଅନ୍ତ୍ୟୋଦୟ । ସବୁ ସ୍ଵର୍ଗର ନିଅଁଟି ପଡ଼ିବ ଏଇଠୁ ଏହି କଞ୍ଚା ମନୁଷ୍ୟମାନଙ୍କର ଉପସ୍ଥିତ ଅସନ୍ତୋଷ ଗୁଡ଼ିକୁ ପରିପୂର୍ଣ୍ଣ ସାଧୁତା ସହିତ ଅର୍ଥାତ୍ ସମ୍ପୃକ୍ତି ଦ୍ଵାରା ଅନ୍ଦାଜ କରି ଏବଂ ସେଗୁଡ଼ିକ ସହିତ ସମ୍ପୃକ୍ତ ହୋଇ । ଅନ୍ତ୍ୟୋଦୟରେ ଲୋକମାନେ ଆଗରେ ଏବଂ ନେତାମାନେ ପଛରେ । ଲୋକମାନେ ଏଠି କୋରାପୁଟରେ ଅଥବା କନ୍ଧମାଳରେ । ସେହିମାନଙ୍କର ଉଦୟ ନିମନ୍ତେ ରାଜଧାନୀର ନେତୃତ୍ଵ ନମନୀୟ ହିଁ ହେବ ଓ ତେବେଯାଇ ଆପଣାର ସମୁଚିତ ଭୂମିକାଗୁଡ଼ିକୁ ବୁଝି ପାରିବ । ତେବେଯାଇ ପ୍ରାସଙ୍ଗିକ ହେବ । ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଆଦେଶଟିଏ ବହନ କରି ଜଙ୍ଗଲକୁ ଆସିଥିଲେ, ଆମ ଏଣର ଫରମାସ ଗୁଡ଼ିକ ଅନୁସାରେ ସେବକ ହୋଇ ଆସିଥିଲେ । ସିଏ ଖାତାଟା ଅନୁସାରେ ଯେଉଁମାନଙ୍କର ସେବା କରି ଆସିଥିଲେ, ସେହିମାନଙ୍କର ହୋଇଗଲେ । ତେଣୁ ପ୍ରକୃତ ନେତା ହୋଇ ପାରିଲେ । ଜଙ୍ଗଲ ବାହାରକୁ ବାଟ ଦେଖାଇଲେ । ଲୋକମାନଙ୍କୁ ଜଣେ ଜଣେ ଭୟମୁକ୍ତ ନାଗରିକର ଉନ୍ମେଷଣା ଆଣି ଦେଇଥିଲେ । ସେହି ନାଗରିକତା ସଚେତନାକୁ ଲୋକଉଦୟର ଆୟୁଧ କରି ଜଙ୍ଗଲ ଭିତରେ ଏବେ ମଧ୍ୟ ଯୁଦ୍ଧ ଚାଲିଛି । ଏକାଧିକ ସତ୍ୟାନୁମାନରେ ନାନା ଆଗ୍ରାଧିକାର ସହିତ ଲଢ଼େଇ ଅବ୍ୟାହତ ରହିଛି । ଖାଲି ଏହି ଗୋଟିଏ ରାଜ୍ୟରେ ନୁହେଁ, ସାରା ପୃଥିବୀରେ ହିଁ ଲଢ଼ୁଆମାନେ ପରସ୍ପରକୁ ଆବିଷ୍କାର କରୁଛନ୍ତି । ଆମ ସର୍ବୋଦୟ ପାଇଁ ମଧ୍ୟ ତାହା ଅବଶ୍ୟ ଏକ ଶୁଭ ଖବର । ଅନ୍ତ୍ୟୋଦୟ ଲାଗି, ଏବଂ ତେଣୁ ସର୍ବୋଦୟ ଲାଗି ।

Image

 

Unknown

ପରିଶିଷ୍ଟ (୧)

 

କୁଜେନ୍ଦ୍ରୀର ଭୂମିବଞ୍ଚିତମାନେ ଏକ ଭୂ-ସତ୍ୟାଗ୍ରହୀ ସମିତି ଗଠନ କରି ଯେଉଁ ପୁନର୍ଦଖଲର ଆନ୍ଦୋଳନଟି କରିଥିଲେ, ତାହାର କାହାଣୀଟିର ଚର୍ଚ୍ଚା ବହି ଭିତରେ କରାଯାଇ ସାରିଛି । ସେହି ସଂପର୍କୀୟ କେତୋଟି ଖାସ୍ ଦସ୍ତାବିଜ୍‌ଙ୍କୁ ଏଠାରେ ଏହି ପରିଶିଷ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି । ମୂଳ ବହି ମଧ୍ୟରେ ସମ୍ଭବତଃ ସ୍ଥାନ ପାଇ ସାରିଥିବ । ତେଣୁ, ତାହାର କୌଣସି ପୁନରାବୃତ୍ତି ମଧ୍ୟ ହୋଇଯିବାର ଆଶଙ୍କା ରହିଛି । ୧୯୫୧–୧୯୫୨ ମସିହାର ଯେଉଁ ବାସ୍ତବ ଅନ୍ୟାୟଟାର ବିରୋଧରେ, ପୀଡ଼ିତବର୍ଗ ଏକ ସତ୍ୟାଗ୍ରହର ସାହସିକତା ନେଇ କ୍ରିୟାଶୀଳ ହୋଇଥିଲେ, ଦେଶରେ ସେହି ଅନ୍ୟାୟମାନେ ଏବେ ମଧ୍ୟ ଅଛନ୍ତି । ସରକାର ନିୟମତଃ ସେହି ଅନ୍ୟାୟକାରୀ ମାନଙ୍କର ମେଳରେ । ତଥାପି, ପ୍ରତିବାଦ ପରି ପ୍ରତିବାଦର କୌଣସି ଖୁଡ଼୍ ଖାଡ଼୍ ମଧ୍ୟ ନାହିଁ । କେତେ ପ୍ରକାରର କ୍ରୋଧ ଏବଂ କେତେ ପ୍ରକାରର ରୋଦନ ଓ ଶାଦ୍ଦିକ ଭାବପ୍ରବଣତାମାନ । ସତେଅବା ପୁଣି ସେହି ଜଙ୍ଗଲ ଭିତରୁ ସତକୁ ସତ ନିଦ୍ରାଭଙ୍ଗକାରୀ କିଛି ନା କିଛି ସାହସ କରି ଆସିବ ଓ ବହୁତଙ୍କୁ ହଲାଇଦେବ ବୋଲି ବିଧାତା ଅପେକ୍ଷା କରିଛନ୍ତି ପରା !

 

ଭୂ-ସତ୍ୟାଗ୍ରହୀ ସମାଜର କିଛି ବୈଠକୱାରି ବିବରଣୀ

ପ୍ରଥମ ବୈଠକ, କୁଜେନ୍ଦ୍ରୀ, ୨୨ । ୧୧ । ୫୧

 

ପ୍ରାରମ୍ଭିକ ଆଲୋଚନା :–ତା ୨୨ । ୧୧ । ୫୧ ରିଖ ଦିନ ଦୁର୍ଭିକ୍ଷ ନିବାରିଣୀ ସମିତି (Relief Committee)ର କେତେକ ସଭ୍ୟ ଓ କୁଜେନ୍ଦ୍ରୀ ଗ୍ରାମର ନୀଳକଣ୍ଠ.... ବାଈରୁ, ଗମାଙ୍ଗ ଓ ଅନ୍ୟ ସମସ୍ତ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଗୋଟିଏ ଆଲୋଚନାମୂଳକ ବୈଠକ ବସିଲା । ରିଲିଫ୍‌କମିଟି ପକ୍ଷରୁ ଶ୍ରୀଯୁକ୍ତ ଈଶ୍ୱରଲାଲ ବ୍ୟାସ, ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଓ ଶ୍ରୀ ରାଧା ରତନ ଦାସ ଏଥିରେ ଉପସ୍ଥିତ ଥିଲେ ।

 

ଆଲୋଚନା ଭିତରେ ସ୍ପଷ୍ଟ ରୂପେ ଜଣାଗଲା, ଏହିଭଳି ଭାବରେ ପଡ଼ି ବାଣ୍ଟି ସାମୟିକ ସହାୟତା ଦ୍ଵାରା ଦୁର୍ଭିକ୍ଷକୁ ରୋକିବା ଅସମ୍ଭବ । କାରଣ, ମୁଖ୍ୟତଃ ପ୍ରତି ବର୍ଷର ୬ ମାସ ଏ ଅଞ୍ଚଳର ଲୋକମାନେ ଅନ୍ନକଷ୍ଟରେ ପଡ଼ନ୍ତି । ମହୁଲ, ଆମ୍ବଟାଙ୍କୁ, ସଲପ ବା ତେନ୍ତୁଳିମଞ୍ଜି ଚୂନା ଖାଇ ବଞ୍ଚିବା କେବଳ ଭାଗ୍ୟବଳରୁ ସିନା ସମ୍ଭବ, ଅନ୍ୟଥା ନୁହେଁ । ତେଣୁ ସ୍ଥାୟୀ ପ୍ରତିକାର କରି ଲୋକମାନଙ୍କୁ ଦୁର୍ଭିକ୍ଷ କବଳରୁ ମୁକ୍ତ କରିବା ପାଇଁ ଏକ ବ୍ୟାପକ ଆନ୍ଦୋଳନ ହେବା ଆବଶ୍ୟକ ହୋଇ ପଡ଼ୁଛି ।

 

ଲୋକମାନଙ୍କର ଏ ଭାଗ୍ୟବିପର୍ଯ୍ୟୟର କାରଣ ଅନୁସନ୍ଧାନ କରାଯାଇ ଦେଖାଗଲା ଯେ ଏସବୁ ଅଞ୍ଚଳର ଲୋକମାନେ ଭୂମିହୀନ । ଭାଗ ବା ଗୁଡ଼ାରେ ଯେଉଁ ଜମି ବା ବାଡ଼ ଚାଷ କରୁଛନ୍ତି, ଫସଲ ଅମଳ ଶେଷରେ ତାହା ଜମିମାଲିକ ହାତରେ ହିଁ ରହୁଛି । ଲୋକମାନଙ୍କର ସରଳତା, ଅଶିକ୍ଷା ଓ ନିର୍ବୋଧତାର ସୁବିଧା ନେଇ ଋଣ ଦେବାବେଳେ ଖାଲି କାଗଜରେ ଟିପ ନେବା, ୫ ଦେଇ ଶହେ ଲେଖିବା ଭଳି ଅନ୍ୟାୟ କାମ କରି ଏ ଅଞ୍ଚଳର ଧନୀମାନେ ଏଇ ନିରୀହ ଗରିବ ବାସିନ୍ଦାମାନଙ୍କ ଠାରୁ କୌଶଳକ୍ରମେ ସମସ୍ତ ଜମି ଠକାଇ ବା ଅପହୃତ କରି ନେଇଛନ୍ତି । ଏ ସାରା ଜିଲ୍ଲା (କୋରାପୁଟ)ର ମୁଖ୍ୟ ବାସିନ୍ଦା ହେଉଛନ୍ତି ଆଦିବାସୀ ଏବଂ ସୌରା ଓ କନ୍ଧ ଲୋକ । ଶହ ଶହ ବର୍ଷ ଧରି ସେମାନେ ଏ ଜିଲ୍ଲାର ବଣ, ଜଙ୍ଗଲ, ପର୍ବତ ଭେଦ କରି ପଥର ତାଡ଼ି ଜମି ପ୍ରସ୍ତୁତ କରି ଚାଷବାସ କରି ଚଳି ଆସିଥିଲେ । କିନ୍ତୁ କ୍ରମେ ବାହାରର ଅଣଆଦିବାସୀମାନେ ଏମାନଙ୍କ ଭିତରେ ପଶି ଏମାନଙ୍କୁ ଠକାଇ ମଦ ଇତ୍ୟାଦି ନିଶାଦ୍ରବ୍ୟ ଖୋଇ ଏମାନଙ୍କ ସମସ୍ତ ଜମି ଠକାଇ ନେଇଛନ୍ତି । ତେଣୁ ଦୁର୍ଭିକ୍ଷର ସ୍ଥାୟୀ ପ୍ରତିକାର ପାଇଁ ଏ ଲୋକମାନଙ୍କୁ ସେମାନଙ୍କର ଅପହୃତ ଜମି ଫେରାଇ ଦେଇ ସେସବୁ ଚାଷବାସ କରିବାର ବ୍ୟବସ୍ଥା କରାଇ ପାରିଲେ ସବୁଦିନ ପାଇଁ ସେମାନଙ୍କର ଉଦାର ଚିନ୍ତା ଅନ୍ନକଷ୍ଟ ଦୂର ହେବ ।

 

ନିଜ ନିଜର ଜମି ଫେରି ପାଇବାପାଇଁ ଲୋକେ ବ୍ୟକ୍ତିଗତ ଭାବରେ ଗତ କେତେ ବର୍ଷ ଧରି ଚେଷ୍ଟା କରି ଆସିଛନ୍ତି । ନିଜର ଅପହୃତ ଜମିରେ ପ୍ରବେଶ କରିବା ଫଳରେ ସେମାନଙ୍କର ଉପରେ ହଜାର ହଜାର କେସ୍ କରାଯାଇ ସେମାନଙ୍କୁ ଜେଲ୍ ଓ ଜୋରିମାନା କରାଯାଇଛି । ଏସବୁ ଅତ୍ୟାଚାର ସହି ମଧ୍ୟ ସେମାନେ ନିଜର ପୂର୍ବପୁରୁଷମାନଙ୍କ ଅର୍ଜିତ ଜମି ଚାଷ କରିବାକୁ ଚେଷ୍ଟା କରିବାରେ ଲାଗି ରହୁଛନ୍ତି । ପ୍ରତିବର୍ଷ ଏଭଳି ବହୁତ କେଶ୍ ହେଉଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ଅନୁସନ୍ଧାନ କରି କୌଣସି ପ୍ରତିକାର କରିବାରେ ମନ ଦେଇନାହାନ୍ତି ।

 

ଲୋକେ ପେଟ ବିକଳରେ ପୋଡ଼ୁଚାଷ କରିବାକୁ ଯାଇ ମଧ୍ୟ ହଜାର ହଜାର କେଶ୍‌ରେ ପଡ଼ିଛନ୍ତି ଓ ମାଡ଼, ଜେଲ୍, ଜୋରିମାନା ସହି ତାକୁ ଛାଡ଼ି ନାହାନ୍ତି । କାରଣ ଭୂମି ନଥିବା ଅବସ୍ଥାରେ ତାହାହିଁ କେବଳ ସେମାନଙ୍କର ଏକମାତ୍ର ଅବଲମ୍ବନ ହୋଇଛି । ଏ ଦିଗରେ ଲୋକମାନଙ୍କର ପ୍ରକୃତ ଅସୁବିଧା ଅନୁସନ୍ଧାନ କରା ଯାଇନାହିଁ କିମ୍ବା ଲୋକମାନଙ୍କର ଉପକାର ପାଇଁ କିଛି କରା ଯାଇନାହିଁ ।

 

ଉଦ୍ଦେଶ୍ୟ :–ଏହି ଭଳି ଆଲୋଚନା ଶେଷରେ ତୀବ୍ର ଭାବରେ ଅନୁଭବ କରାଗଲା ସେ ଦୁର୍ଭିକ୍ଷର ସ୍ଥାୟୀ ପ୍ରତିକାର ପାଇଁ ଲୋକମାନଙ୍କୁ କୌଣସି ପ୍ରକାରେ ଜମି ଫେରାଇବାକୁ ହେବ ଓ ସେ ଜମି ସବୁ ଚାଷ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯିବ । ଲୋକମାନେ ନାନା ନିର୍ଯ୍ୟାତନା ସହି ସହି ପ୍ରତିକ୍ରିୟାଶୀଳ ହୋଇ ଆସୁଥିବାର କଥା ପଡ଼ିଥିଲା । ଚଳିତବର୍ଷ ହଳ ଆରମ୍ଭ ସମୟରେ ଅତ୍ୟଧିକ ଲୋକ ଜମିରେ ପ୍ରବେଶ କରିବାକୁ ଆଗ୍ରହାନ୍ୱିତ ହୋଇ ଆସୁଥିଲେ । ତେଣୁ କ୍ରମେ ଧନୀମାନଙ୍କ ଧନ ପ୍ରତି ସେମାନଙ୍କର ବିଦ୍ଵେଷ ବଢ଼ୁଥିବାର ଜଣାପଡ଼ୁଥିଲା । ଏପରି ପ୍ରତିକ୍ରିୟା ବଢ଼ି ଯଦି ଲୋକେ ହିଂସାର ପଥ ବରଣ କରି ନିଅନ୍ତି ଓ କୌଣସି ପ୍ରକାରେ କମୁନିଷ୍ଟମାନେ ସେହି ସୁଯୋଗରେ ଲୋକମାନଙ୍କ ଭିତରେ ପଶି ସେମାନଙ୍କୁ ହିଂସାତ୍ମକ ପନ୍ଥାରେ ପରିଚାଳିତ କରନ୍ତି, ତେବେ ଏ ଅଞ୍ଚଳର ଅବସ୍ଥା ଖୁବ୍ ସାଂଘାତିକ ହୋଇ ଉଠିବ । ଏହି ଆଶଙ୍କାରେ ଏଠାର ସ୍ଥାନୀୟ କର୍ମୀମାନେ ଏହି ପ୍ରଥମରୁ ଏହାର ପ୍ରତିକାର ଊଦ୍ୟମରେ ବିଚାର କଲେ ।

 

ପନ୍ଥା :–ଆଲୋଚନା ପରେ ସ୍ଥିର ହେଲା ଯେ, ମହାମାନବ ମହାତ୍ମା ଗାନ୍ଧୀ ଅହିଂସ ଉପାୟରେ ଅସହଯୋଗ ଓ ସତ୍ୟାଗ୍ରହ ପଥ ଅବଲମ୍ବନ କରି ସମସ୍ତ ପ୍ରକାର ଅନ୍ୟାୟର ବିରୋଧ କରି ଶେଷରେ ଜୟଯୁକ୍ତ ହୋଇଛନ୍ତି । ତେଣୁ କୋରାପୁଟର ଏହି ବ୍ୟାପକ ଅନ୍ୟାୟ ପାଇଁ ସେହି ଅହିଂସ ସଂଗ୍ରାମ ଓ ସତ୍ୟାଗ୍ରହ ପନ୍ଥା ଅବଲମ୍ବନ କରାଯିବ ।

 

ନାମକରଣ :–ଏହି ବ୍ୟାପକ ଅନ୍ୟାୟର ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଲୋକମାନଙ୍କର ଯେଉଁ ସଂଗଠନ କରାଯିବ, ତାହାର ନାମ କ’ଣ ରଖାଯିବ ଏ ବିଷୟରେ ବିଚାର ହେଲା । ଅନେକ ଆଲୋଚନା ପରେ ସ୍ଥିର ହେଲା ଯେ, ଏ ଅନୁଷ୍ଠାନର ନାମ ହେବ ‘ଭୂ-ସତ୍ୟାଗ୍ରହୀ ସମାଜ’ ।

 

କାରବାର :–ଏହି ‘ଭୂ-ସତ୍ୟାଗ୍ରହୀ ସମାଜ’ ର କେନ୍ଦ୍ର ଅଫିସ ପ୍ରଥମେ ବର୍ତ୍ତମାନ ପାଇଁ କୁଜେନ୍ଦ୍ରୀ ଠାରେ ଅବସ୍ଥାପିତ ହେବ । ସମସ୍ତ ଚିଠି ପତ୍ର ଶ୍ରୀ ବିଶ୍ଵନାଥ ପଟ୍ଟନାୟକ, କୁଜେନ୍ଦ୍ରୀ, ପୋ.ଅ.କୁଜେନ୍ଦ୍ରୀ, via ଗୁଣପୁର, ଜି. କୋରାପୁଟ ଠିକଣାରେ ହେବ । କେନ୍ଦ୍ର ସଂସ୍ଥା ଆବଶ୍ୟକ ମନେ କଲେ ତାହାର ବିଭିନ୍ନ ଶାଖା ବିଭିନ୍ନ ସ୍ଥାନରେ କରି ପାରିବ ।

 

ପ୍ରଥମ କର୍ମବ୍ୟବସ୍ଥା :–ଲୋକମାନଙ୍କୁ ଜମି ଦିଆଇବାର ଦୁଇଟି ବାଟ ଅଛି । ଗୋଟିଏ ହେଉଛି ଇଷ୍ଟେଟ୍‌ର ଯେଉଁସବୁ ବଞ୍ଜାରି ଜମି ପଡ଼ି ରହିଛି ଓ ଯେଉଁ ଜମିସବୁ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ି ରହିଛି, ସେହି ଜମି ସବୁକୁ ଲୋକଙ୍କୁ ଚାଷ କରିବାକୁ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିବା ।

 

ଦ୍ଵିତୀୟ–ଅପହୃତ ଜମି ଫେରାଇବା ପାଇଁ ସରକାରଙ୍କ ଉପରେ ଚାପ ଦେଇ ପୂର୍ବ ନିୟମର ପରିବର୍ତ୍ତନ କରିବା ଦିଗରେ ଉଦ୍ୟମ କରିବା ।

 

ତୃତୀୟ–ଲୋକମାନଙ୍କର ବିଚାର ଓ କର୍ମପନ୍ଥାକୁ ବିଚାର କରିବା ପାଇଁ ପ୍ରଦେଶର ନେତୃସ୍ଥାନୀୟ ବ୍ୟକ୍ତି ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ, ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ, ଉତ୍କଳ ଖଦୀମଣ୍ଡଳର ସମ୍ପାଦକ ଇତ୍ୟାଦିଙ୍କୁ ଚିଠି ଲେଖିବା ପାଇଁ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ଅନୁରୋଧ କରାଗଲା ।

 

ସତ୍ୟାଗ୍ରହ କରିବା ଦିଗରେ ଅନ୍ୟ ବିଚାର ଓ କାର୍ଯ୍ୟବ୍ୟବସ୍ଥା ଇତ୍ୟାଦି ଦିଗରେ ଚିନ୍ତା କରି ପନ୍ଥା ସ୍ଥିର କରିବା ପାଇଁ ଶ୍ରୀ ରାଧାରତନ ଦାସ ଓ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଭାରପ୍ରାପ୍ତ ହେଲେ ।

 

ଦ୍ଵିତୀୟ ବୈଠକ ବିବରଣୀ ୨୭/୧୧/ ୫୧ ରିଖ, କୁଜେନ୍ଦ୍ରୀ

 

ଶ୍ରୀ ବିଶ୍ଵନାଥ ପଟ୍ଟନାୟକ....ପନ୍ଥାର ସ୍ଵରୂପ ଜଣାଇଲେ ।

 

ଯେଉଁ ଜମିଗୁଡ଼ିକ ନିରୀହ, ସରଳ, ଗରିବ ଲୋକମାନଙ୍କ ଠାରୁ ଅନ୍ୟାୟ ଭାବରେ ଅପହରଣ କରାଯାଇଛି ସେ ସବୁକୁ ଅହିଂସା ଓ ସତ୍ୟ ଉପାୟରେ ଫେରସ୍ତ ଆଣି ଜମିର ପ୍ରକୃତ ଅଧିକାରୀକୁ ଫେରସ୍ତ କରିଦେବା ।

 

ଏହି ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ କାମ ହେବ (୧) ସତ୍ୟାଗ୍ରହୀ ସଂଗ୍ରହ, (୨) ଅପହୃତ ଜମି ଓ ଜମିର ପ୍ରକୃତ ଅଧିକାରୀ ତାଲିକା, (୩) ଅନ୍ୟାୟ ଭାବରେ ଅପହରଣ କରିଥିବା ବ୍ୟକ୍ତିଙ୍କର ପୂର୍ବାପର ଇତିହାସ ସଂଗ୍ରହ ।

 

ସତ୍ୟାଗ୍ରହୀ କିଏ ହୋଇପାରିବ ?

 

ଶପଥ ପତ୍ର :–[ଆଠଗୋଟି ଶପଥ, ଯାହା ପୁସ୍ତକଟି ମଧ୍ୟରେ ଗୋଟିଏ ଗୋଟିଏ କରି ପ୍ରଦତ୍ତ ମଧ୍ୟ ହୋଇଛି ।]

 

ସ୍ଵାକ୍ଷର (ପୂରା ନାମ)........

ପୂରା ଠିକଣା–

ତାରିଖ–

 

(ଖ) ଏ ଆନ୍ଦୋଳନରେ ଭାଗ ନେବା ପାଇଁ ଏ ଅଞ୍ଚଳର ତଥା ସମସ୍ତ ପ୍ରଦେଶର ଜନସାଧାରଣଙ୍କୁ ଆହ୍ଵାନ କରାଯିବ । ‘ଆହ୍ଵାନ’ ପରିପତ୍ର ନିମ୍ନଲିଖିତ ମାର୍ଗରେ ଲେଖାଯିବ ।

 

ଭାଇ ଓ ଭଉଣୀମାନେ !

 

ଆପଣମାନେ ଜାଣନ୍ତି ଯେ କୋରାପୁଟ ଜିଲ୍ଲାର ସମସ୍ତ ବାସିନ୍ଦା ହେଉଛନ୍ତି ଆଦିବାସୀ-। ଏ ଅଞ୍ଚଳର ସମସ୍ତ ଜମିଜମା ଦିନେ ଆଦିବାସୀମାନଙ୍କର ଥିଲା । ସେମାନେ ହିଁ ଥିଲେ ଏ ସମସ୍ତ ଜମିଜମାର ପ୍ରକୃତ ସ୍ଵତାଧିକାରୀ । କାଳକ୍ରମେ ବାହାରୁ ଲୋକେ–ଆସି ଆଦିବାସୀମାନଙ୍କର ସରଳତା ଓ ନିର୍ବୋଧତାର ସୁଯୋଗ ନେଇ ଅନ୍ୟାୟ ଓ ଅସତ୍ ଉପାୟରେ ସେମାନଙ୍କ ଠାରୁ ସମସ୍ତ ଜମି ଅପହରଣ କରି ନେଇଛନ୍ତି ଏବଂ ଆଜି ଆଦିବାସୀମାନଙ୍କର ପରିବର୍ତ୍ତରେ ବାହାରୁ ଆସିଥିବା ଲୋକେ ହିଁ ହେଉଛନ୍ତି ସମସ୍ତ ଜମିର ମାଲିକ । ଫଳରେ ଏ ଅଞ୍ଚଳର ଆଦିବାସୀମାନେ ଆଜି ଭୂମିହୀନ । ନିଜ ଅଞ୍ଚଳରେ ଫସଲ ଆମଦାନୀ କରି ସୁଦ୍ଧା ସେହି ଫସଲକୁ ଭୋଗ କରିବାର ଅଧିକାର ସେମାନଙ୍କର ନାହିଁ । ସେମାନଙ୍କ ମଧ୍ୟରୁ ଅନେକ ଯେ ଖାଇବାକୁ ନପାଇ ମରିଛନ୍ତି ଓ ମରୁଛନ୍ତି, ଏ କଥା କାହାରି ଅଛପା ନୁହେଁ । ପ୍ରଧାନତଃ ବଣର ଫଳ ଓ କନ୍ଦା ଖାଇ ସେମାନେ ଜୀବିକା ନିର୍ବାହ କରୁଛନ୍ତି ଅଥଚ ଏଣେ ପୋଡ଼ୁଚାଷ କରିବା ଅପରାଧରେ ଆଦିବାସୀମାନଙ୍କ ଉପରେ ପ୍ରତ୍ୟେକ ବର୍ଷ ହଜାର ହଜାର ମକଦ୍ଦମା ଦାଏର କରାହେଉଛି ଏବଂ ସେଥିପାଇଁ ସେମାନେ ଜେଲ ମଧ୍ୟ ଭୋଗୁଛନ୍ତି । ତାହା ସହିତ ପୋଡ଼ୁଚାଷରୁ ଆମଦାନୀ କରୁଥିବା ଫସଲକୁ ଜୋରିମାନା ସ୍ଵରୂପ ଦେଇ ସର୍ବସାନ୍ତ ହୋଇ ପୁଣି ସେହି ବଣୁଆ କନ୍ଦାର ଆଶ୍ରୟ ନେଉଛନ୍ତି । କିନ୍ତୁ କାହିଁକି ଯେ ସେମାନେ ଆଜି ନିର୍ବୋଧ ଭାବରେ ପୋଡ଼ୁଚାଷ କରୁଛନ୍ତି, ତା’ର ମୂଳ କାରଣ କେହି ଅନୁସନ୍ଧାନ କରୁନାହାନ୍ତି । ଏହାର ଏକମାତ୍ର କାରଣ ହେଉଛି ଯେ, ସେମାନେ ଆଜି ଜମିହୀନ-। ସେମାନେ କୋରାପୁଟ ଜିଲ୍ଲାର ସମସ୍ତ ଜମିର ମାଲିକ ହୋଇ ସୁଦ୍ଧା ନିଜର ସମସ୍ତ ସ୍ଵତ୍ତ୍ଵାଧିକାରରୁ ବଞ୍ଚିତ । ସେମାନଙ୍କ ପାଖରେ ଚଷିବା ପାଇଁ ଆଜି ଜମି ଥିଲେ ସେମାନେ ପୋଡ଼ୁଚାଷ କରନ୍ତେ ନାହିଁ ବା ଖାଇବାକୁ ନ ପାଇ ମରନ୍ତେନାହିଁ ।

 

ବଡ଼ ସୁଖର କଥା, ଏତେ ଦୀର୍ଘକାଳ ଅତ୍ୟାଚାର, ନିର୍ଯାତନା ଓ ଅନାଟନରେ ସଢ଼ି ସଢ଼ି ଏବେ ସେମାନଙ୍କର ବୋଧଶକ୍ତି ଫେରି ଆସିଛି । ସେମାନେ ଆଜି ସେମାନଙ୍କର ନ୍ୟାଯ୍ୟ ଦାବୀ ହାସଲ କରିବା ପାଇଁ ବଦ୍ଧପରିକର ହୋଇଛନ୍ତି । ଏହି ଘୋର ଅନ୍ୟାୟର ପ୍ରତିରୋଧ କରିବାର ଚେତନା ଆଜି ସେମାନଙ୍କର ପ୍ରାଣରେ, ଏବଂ ଏଥିପାଇଁ ସେମାନେ ବିପ୍ଳବ ଲୋଡ଼ୁଛନ୍ତି ।

 

ଏହି ଚେତନାର ବଳରେ ସେମାନଙ୍କର ଆଜି ନ୍ୟାଯ୍ୟ ଦାବୀ ହାସଲ କରିବା ପାଇଁ ସେମାନେ ହିଂସାର ଆଶ୍ରୟ ନେବାକୁ ଯାଉଛନ୍ତି । ବେଳ ଥାଉଁ, ଆମେ (ଯେଉଁମାନେ କି ସେମାନଙ୍କର ଅବସ୍ଥା ବୁଝିଛୁ) ଯଦି ସେମାନଙ୍କୁ କୌଣସି ପନ୍ଥା ନ ଦେଖାଉଁ, ତେବେ ନିକଟ ଭବିଷ୍ୟତରେ ସେମାନେ ଯେ ହିଂସାର ଆଶ୍ରୟ ନେବେ, ଏଥିରେ କୌଣସି ସନ୍ଦେହ ନାହିଁ । ଫଳରେ ସାରା ଦେଶରେ ବିଶୃଙ୍ଖଳା ଓ ଅଶାନ୍ତି ବ୍ୟାପିଯିବ ।

 

ବହୁ ଚିନ୍ତା ଓ ଗବେଷଣା ପରେ ମନେ ହେଉଛି ଯେ ଏହି ବିପ୍ଳବର ଏକାନ୍ତ ହିଁ ପ୍ରୟୋଜନ । କିନ୍ତୁ ହିଂସାକୁ ଏଡ଼ାଇବା ପାଇଁ ଏହାକୁ ପରିବର୍ତ୍ତନ କରିବା ଦରକାର । ଏ ଯୁଗର ବିରାଟ ମହାମାନବ ମହାତ୍ମା ଗାନ୍ଧୀ ବିପ୍ଳବ ଓ ସତ୍ୟାଗ୍ରହ ଯେଉଁ ପନ୍ଥା ଦେଖାଇ ଦେଇ ଯାଇଛନ୍ତି, ତାକୁ ଅନୁସରଣ କରିବା ଫଳରେ ହିଁ ଏହି ଅହିଂସକ ବିପ୍ଳବ ଓ ସତ୍ୟାଗ୍ରହ ସଫଳ ହୋଇ ପାରିବ ।

 

ଯେଉଁମାନେ ଆଜି ନିରୀହ ଲୋକଙ୍କର ସରଳତାର ସୁଯୋଗ ନେଇ ଶହ ଶହ ବର୍ଷ ଧରି ସେମାନଙ୍କର ଜମି ଭୋଗ କରି ବିଳାସରେ କାଳଯାପନ କରୁଛନ୍ତି ଏବଂ ଯେଉଁମାନେ ଜମିର ପ୍ରକୃତ ମାଲିକ ସେମାନେ ନଖାଇ ମରୁଛନ୍ତି,-ଏ ଯେଉଁ ଘୋର ଅନ୍ୟାୟ, ଏ ଅନ୍ୟାୟର ପ୍ରତିରୋଧ କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ । ଅନ୍ୟାୟର ବିରୋଧ କରିବା ଓ ଜମିର ପ୍ରକୃତ ସ୍ଵତ୍ତ୍ଵାଧିକାରୀକୁ ତା’ର ଜମି ଫେରସ୍ତ କରି ଦେବାର ଦାବୀ ନେଇ ଆମେ ଗୋଟିଏ ସତ୍ୟାଗ୍ରହର ଆୟୋଜନ କରୁଛୁ । ଏହି ନିବେଦନ କରୁ ଯେ ଆପଣମାନେ ବର୍ଣ୍ଣ ନିର୍ବିଶେଷରେ ଏଥିରେ ପୂର୍ଣ୍ଣପ୍ରାଣରେ ସହଯୋଗ କରି ଆମର ଏ ସତ୍‌କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରନ୍ତୁ ।

 

ନିବେଦନ

‘ଭୂ-ସତ୍ୟାଗ୍ରହୀ ସମାଜ’

ପୋ.ଅ. କୁଜେନ୍ଦ୍ରୀ

ଜି. କୋରାପୁଟ

 

(୩) ସମାଜର ସଭ୍ୟ ହେବା ପାଇଁ ଟ୦୯ ଲେଖାଏଁ ଚାନ୍ଦା ରଖାଯିବ ଓ ତହିଁରେ ଭବିଷ୍ୟତର ଡାକ ଖର୍ଚ୍ଚ ଓ ଅନ୍ୟ ଅଫିସ୍ ଖର୍ଚ୍ଚ ଇତ୍ୟାଦି କରାଯିବ ।

 

ଉପରୋକ୍ତ ବିଷୟଗୁଡ଼ିକ ସର୍ବସମ୍ମତି କ୍ରମେ ଗୃହୀତ ହେଲା । ଆଜିର ବୈଠକରେ କୁଜେନ୍ଦ୍ରୀର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । କେବଳ ଧନୀ ଶ୍ରେଣୀର ମୁଷ୍ଟିମେୟ ଲୋକେ ଏହାଠାରୁ ଅଲଗା ରହିଥିଲେ ।

 

(୪) ପୂର୍ବ ପ୍ରସ୍ତାବ ଅନୁସାରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କୁ ୨୪ । ୧୧ । ୫୧ ରେ ଚିଠି ଲେଖାଯାଇ ସେମାନଙ୍କର ପରାମର୍ଶ ଓ ଆଶୀର୍ବାଦ ଭିକ୍ଷା କରା ଯାଇଥିଲା ।

 

(୫) ଶ୍ରୀ ରାଧାରତନ ଦାସ ଇତିମଧ୍ୟରେ ବରୀ ଯାଇ ପୂଜ୍ୟ ଗୋପବାବୁଙ୍କ ସହିତ ପରାମର୍ଶ କରି ଆସିଲା ପରେ ବିଚାର-ସିଦ୍ଧାନ୍ତ ଗ୍ରହଣ କରାଯିବାର ଠିକ୍ ହେଲା ।

 

ତୃତୀୟ ବୈଠକର ବିବରଣୀ

 

ତା ୧୫ । ୧୨ । ୫୧ରେ ବୈଠକ ବସି ‘ସମାଜ’ର ଉଦ୍ଦେଶ୍ୟ ସାଧନ ଦିଗରେ ଭବିଷ୍ୟତ କର୍ମପନ୍ଥା ନେଇ ଆଲୋଚନା ହୋଇ ଠିକ୍ ହେଲା ଯେ, ‘ସମାଜ’ର ବାର୍ତ୍ତା ପ୍ରଚାର କରିବା ପାଇଁ ଏକ ଶିକ୍ଷା ଶିବିର ଖୋଲିବା ଠିକ୍ ହେବ ବୋଲି ସମସ୍ତେ ଅନୁଭବ କଲେ । ୪୦ ଜଣଙ୍କୁ ନେଇ ଏକ ଶିକ୍ଷା ଶିବିର ୧୫ ଦିନ ପାଇଁ ଖୋଲିବା ଠିକ୍ ହେଲା । ଏହି ଶିକ୍ଷାକେନ୍ଦ୍ର ପାଇଁ ଯାହା ଖରଚ ହେବ ପୂଜ୍ୟ ବ୍ୟାସଜୀ ବହନ କରିବାକୁ ସମ୍ମତି ଦେବାରେ କର୍ମୀ ଓ ଗ୍ରାମର ଉପସ୍ଥିତ ଭାଇ ଓ ଭଉଣୀମାନେ କୃତଜ୍ଞତା ଜଣାଇଥିଲେ । ଶିକ୍ଷାକାଳ ମଧ୍ୟରେ ଉପଦେଶ ଦେବା ପାଇଁ ପ୍ରଦେଶର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଅନୁରୋଧ କରିବା ଠିକ୍ ହେଲା । ଏ ସମ୍ବନ୍ଧରେ ଶ୍ରୀ ରାଧାରତନ ଦାସ ଓ ବ୍ୟାସଜୀଙ୍କ ସହ ଆଲୋଚନା କରି ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଡକାଇବେ । ଏକ ଟ୍ରେନିଙ୍ଗ୍ କ୍ୟାମ୍ପ୍‌ର ପ୍ରାରମ୍ଭିକ ଆୟୋଜନ ମଧ୍ୟ କରିବେ ।

 

ଶିବିରରେ ନିମ୍ନ ବ୍ୟକ୍ତିଙ୍କୁ ଶିକ୍ଷାର୍ଥୀ ଭାବେ ଗ୍ରହଣ କରିବା ସର୍ବସମ୍ମତିରେ ସ୍ଥିର ହେଲା । ଏବଂ କ୍ୟାମ୍ପ୍ ଶିକ୍ଷାର୍ଥୀଙ୍କ ଦାୟିତ୍ଵ ନେବାପାଇଁ ଶ୍ରୀ ନିମାଇଁ ଚରଣ ସାହୁ, ଭଦ୍ରକଙ୍କୁ ଡକାଇବା ଠିକ୍ ହେଲା ।

 

[ଏହାପରେ ଗୁଣପୁର ଓ ରାୟଗଡ଼ ତାଲୁକାର ବିଭିନ୍ନ ଗ୍ରାମର ମୋଟ ୪୧ ଜଣ ଶିକ୍ଷାର୍ଥୀଙ୍କର ନାମ ତାଲିକା । ତାଲିକାର ମୋଟେ ତିନିଜଣ ହେଉଛି କୁଜେନ୍ଦ୍ରୀର ଅଧିବାସୀ ।]

 

ଉପରୋକ୍ତ ଶିକ୍ଷାର୍ଥୀଙ୍କୁ ନେଇ ୧୫ । ୧ । ୫୨ ରୁ ମାସ ଶେଷ ଯାଏ ଶିକ୍ଷାଶିବିର ଖୋଲିବା ଠିକ୍ ହେଲା । ନାନା ଆଲୋଚନା ମଧ୍ୟରେ ଆଜିର ବୈଠକ ଶେଷ ହେଲା ।

 

ବିଶ୍ଵନାଥ ପଟ୍ଟନାୟକ

୧୫/୧୨/୫୧

 

ଚତୁର୍ଥ ବୈଠକ

 

୧୫ । ୨ । ୫୨ ରେ କର୍ମୀମାନଙ୍କର ଏକ ବୈଠକ ବସି ପୂଜ୍ୟ ଗୋପବାବୁ ଓ ରମାଦେବୀଙ୍କ ସର୍ବୋଦୟ ପଦଯାତ୍ରା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏବଂ ପୂଜ୍ୟ ଗୋପବାବୁ ଓ ମା ରମାଦେବୀ କୋରାପୁଟ ଜିଲ୍ଲାରେ ପ୍ରବେଶ ଦିନ.....ଠାରୁ କର୍ମୀମାନେ ସମବେତ ହୋଇ ତାହାଙ୍କର ନିର୍ଦ୍ଦେଶ ଅନୁଯାୟୀ ସର୍ବୋଦୟ ପଦଯାତ୍ରାକୁ ସଫଳ କରିବା ଠିକ୍ ହେଲା । ଏହି ବୈଠକରେ ଶିକ୍ଷା ଶିବିରରେ ଶିକ୍ଷା ପାଉଥିବା ସମସ୍ତ କର୍ମୀଙ୍କୁ ଡକା ଯାଇଥିଲା । ଡମ୍ବୁରିଗୁଡ଼ା ଅଞ୍ଚଳର କର୍ମୀ ବ୍ୟତୀତ ଅନ୍ୟ ସମସ୍ତ କର୍ମୀ ଯୋଗ ଦେଇଥିଲେ । ବିଶେଷ ନିମନ୍ତ୍ରଣ ପାଇ ସର୍ବଶ୍ରୀ ପ୍ରହଲାଦ ପାଣିଗ୍ରାହୀ ଯୋଗ ଦେଇଥିଲେ ।

 

ବିଶ୍ଵନାଥ ପଟ୍ଟନାୟକ

 

ତା ୧୭ । ୩ । ୫୨ ରିଖ ଡୁମ୍ବୁରିଗୁଡ଼ାରେ କେତେକ କର୍ମୀଙ୍କ ଗୋଟିଏ ସଭା ଆହ୍ଵାନ କରା ଯାଇଥିଲା । ସେଥିରେ ପ୍ରାରମ୍ଭିକ କାମ ଶୃଙ୍ଖଳାବଦ୍ଧ ଭାବରେ ନିମ୍ନଲିଖିତ ପ୍ରକାରେ ଆରମ୍ଭ କଲେ ସାଧାରଣ ଲୋକଙ୍କର ସଂଗଠନ ଦୃଢ଼ ହେବ ଓ ଜମିହୀନମାନଙ୍କ ଉପକାର ହେବ ବୋଲି ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଉପଦେଶ ଦେଇଥିଲେ । ଏଥିରେ ଶ୍ରୀ ଈଶ୍ୱରଲାଲ ବ୍ୟାସ ଆଦି ମୁଖ୍ୟ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।

 

ଆଲୋଚନା : (୧) ଯଦି ବର୍ତ୍ତମାନ ଜମିହୀନ ସର୍ବହରା ଗରିବମାନଙ୍କ ସ୍ୱାର୍ଥରକ୍ଷା ପାଇଁ କୌଣସି ସଂଗଠନ କରାଯାଏ ଏବଂ ସେମାନଙ୍କର ଅଭାବ ସର୍ବତୋଭାବେ ପୂରଣ କରିବା ପାଇଁ ସମାଜରେ ସଂସ୍ଥା ଦ୍ୱାରା ସରକାର ଆଦି ମଧ୍ୟରେ ପରିବର୍ତ୍ତନ ଓ ଆନ୍ଦୋଳନ କରିବାକୁ ପଡ଼େ, ତେବେ ତାହା ଖୁବ୍‌ ଶୃଙ୍ଖଳିତ ଉପାୟରେ ହେବା ଦରକାର । କୋରାପୁଟର ‘ଲୋଅର ଡିଭିଜନ୍’ ରାୟଗଡ଼ା, ବିଷମକଟକ, ଗୁଣପୁର, ଗୁଡ଼ାରି ଆଦି ତାଲୁକାକୁ ବ୍ୟାପକ ଭାବରେ ଏ କାମ ପାଇଁ ହାତକୁ ନେବାକୁ ହେଲେ ବିକେନ୍ଦ୍ରିତ ଭାବରେ ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କ ପାଇଁ ୧୫ ରୁ ୨୦ ଜଣ ପର୍ଯ୍ୟନ୍ତ କର୍ମୀ ରହିବା ଉଚିତ । ସେ କର୍ମୀ ସ୍ଥାନୀୟ ଏବଂ ଜମି ଥିଲାବାଲା ହୋଇଥିବା ଉଚିତ । ସେମାନେ ପ୍ରଥମେ ଲୋକଙ୍କୁ ଜମିର ଆବଶ୍ୟକତା ସମ୍ପର୍କରେ ବୁଝାଇବେ । ଜମିହୀନକୁ ତା’ର ଦାବୀ ଚେତାଇ ଦେବେ । ଏ କାମ କରିବା ପାଇଁ ଲୋକଙ୍କ ବିଶ୍ଵାସ କର୍ମୀମାନେ ଅଧିକ ପରିମାଣରେ ଅର୍ଜନ କରିବା ଉଚିତ, ଯେପରିକି ଆଗାମୀକୁ ଆହୁରି ଅଧିକ ଗୁରୁତର କାମରେ ହାତ ଦେବା ପୂର୍ବରୁ କର୍ମୀଙ୍କ ଉପରେ ସାଧାରଣଙ୍କ ନିର୍ଭର ଅଧିକତର ବୃଦ୍ଧି ପାଇଥିବ । କର୍ମୀ ପରିଚିତ ଓ ନିଜ ଗ୍ରାମର ହୋଇଥିଲେ ଭଲ । ଏହା ସଙ୍ଗେ ସଙ୍ଗେ କର୍ମୀଙ୍କର ଅନ୍ୟପ୍ରକାର ଉଦ୍ଦେଶ୍ୟ ନଥାଇ କେବଳ ପରୋପକାର ହିଁ ଉଦ୍ଦେଶ୍ୟ ହୋଇଥିବ । ଅତଏବ କର୍ମୀଙ୍କୁ ଉପଯୁକ୍ତ ଭାବରେ ପରୀକ୍ଷା କରିନେବା ଦରକାର । ମୋଟ ଉପରେ କର୍ମୀଙ୍କ ମୁଠା ଟାଣ ନହେବା ପର୍ଯ୍ୟନ୍ତ କୌଣସି କାମକୁ ଓହ୍ଲାଇବା ଉଚିତ ନୁହେଁ ।

 

(୨) ବର୍ତ୍ତମାନ ପ୍ରାରମ୍ଭିକ କାର୍ଯ୍ୟ ସକାଶେ ସଂଗଠିତ ଆକାରରେ ଆଞ୍ଚଳିକ ଭିତ୍ତରେ ନିମ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଲେ ଭଲ ଓ ସହଜ ସରଳ ହେବ । ଏହା ସଙ୍ଗେ ସଙ୍ଗେ କର୍ମୀ ବସ୍ତୁତଃ ତାଲିମ ପାଇବା ସଙ୍ଗେ ସଙ୍ଗେ ସଂଗଠନର ଉପାୟ ମଧ୍ୟ ଜାଣିଯିବ ।

 

(କ) ଖାଲି ବା ସାଦା କାଗଜ ଉପରେ ଟିପଚିହ୍ନ ଦେବା ଓ ଦେବାକୁ ବିରୋଧ କରିବା ।

 

ଟିପଚିହ୍ନ ବିରୁଦ୍ଧରେ ଗୋଟିଏ ଜୋର୍‌ସୋର୍ ଆନ୍ଦୋଳନ ହେବା ଦରକାର । ଏହି ଟିପଚିହ୍ନ ନେଇ ପ୍ରତି ବର୍ଷ ଯେଉଁ ଅନ୍ୟାୟ ଆଚରଣ ଅତ୍ୟାଚାରୀ, ଧନଲିପ୍ସୁ, ନ୍ୟସ୍ତସ୍ୱାର୍ଥ ଲୋକମାନେ କରି ଆସିଛନ୍ତି, ତାହାରି ଫଳରେ ଆଜି ଆଦିବାସୀ ଗରିବ ଲୋକଙ୍କ ହାତରୁ ସହସ୍ର ଜମି ଚାଲି ଯାଇଛି । ସେଥିପାଇଁ ସ୍ଥାନୀୟ ଜନସାଧାରଣ ନିଃସ୍ଵ ହୋଇ ଯାଇଛନ୍ତି । ଖାଲି କାଗଜରେ ଟିପଚିହ୍ନ ନେଲେ ଯେକୌଣସି ସମୟରେ ଯେକୌଣସି ଲୋକ ନାଁ’ ରେ ଯେତେ ଇଚ୍ଛା ସେତେ ଟଙ୍କା ଓ ଜମି ବସାଇବାର ଓ ସେତିକି ପରିମାଣ ଠକାଇବାର ସୁବିଧା ଧନୀ ସ୍ଵାର୍ଥୀ ଲୋକଙ୍କ ହାତକୁ ଆସିଯାଏ । ଅତଏବ କେବଳ ନିଜ ଗାଆଁରେ ନୁହେଁ, ସାରା ଅଞ୍ଚଳରେ ଯେପରି କେହି କାହାରିକୁ ଟିପ ନଦିଏ ବା କେହି ନନିଏ, ସେଥିପାଇଁ ବିକେନ୍ଦ୍ରିତ କର୍ମୀମାନଙ୍କ ଜରିଆରେ ବ୍ୟାପକ ପ୍ରଚାର ଚଳାଇବାକୁ ହେବ । କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ଏପରି ଘଟଣା ଯେତେ ମିଳିବ, ତାହା ଧରି ସଂଗଠନର ସମ୍ମୁଖକୁ, ସରକାରକୁ (ତାଲୁକ ଅଫିସର ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ) ଏକଥା ଜଣାଇବାକୁ ହେବ । ଦରକାର ପଡ଼ିଲେ ଏପ୍ରକାର କୁଆଚୋରଙ୍କୁ ହାତକଡ଼ି ଦେଇ ଚାଲାଣ କରିବାକୁ ହେବ, ଲୋକଙ୍କୁ ମଧ୍ୟ ଏପ୍ରକାର ଟିପ ଦେବାରୁ ନିବର୍ତ୍ତାଇବାକୁ ହେବ ।

 

(ଖ) ଗରିବ ଲୋକଙ୍କ ପ୍ରତି ନ୍ୟାୟ :–କେଉଁ ଉପାୟରେ ଗରିବମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳି ପାରିବ, ତାହାର ବ୍ୟବସ୍ଥା କରିବା ଦରକାର । ଆଜିକାଲିର କୋର୍ଟ କଚେରୀରେ ଯେଉଁ ବିଚାର ତାହା ପାଇବା ପାଇଁ ଯଥେଷ୍ଟ ଅର୍ଥ ଓ ସମୟ ଦରକାର । ଅଳ୍ପ କଥା ଲାଗି ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି । ସମୟ ପରିଶ୍ରମ ଅନେକ କରିବାକୁ ହେଉଛି । ତଥାପି ଆଦିବାସୀ ମାନଙ୍କୁ ଲାଞ୍ଛନା ଅପମାନ ସିନା ମିଳୁଛି । ସେମାନେ ନ୍ୟାୟ ବିଚାର ସ୍ୱାଧୀନ ଭାବରେ ପାଉନାହାନ୍ତି । ଧନୀ ଓ ବୁଦ୍ଧିଜୀବୀ ଲୋକେ ଅର୍ଥସଂଗ୍ରହ ଆଗରୁ ଥିବା ଯୋଗୁଁ ନିଜେ ଶ୍ରମ ନକରୁଥିବା ଯୋଗୁଁ ସମୟ ଅର୍ଥ ବ୍ୟୟ କରି ଦୁଷ୍ଟ ବୁଦ୍ଧି ପ୍ରୟୋଗ କରି ମିଥ୍ୟା ଉପାୟରେ ସରକାରୀ କଳକୁ ଲାଞ୍ଚ ଆଦି ଦ୍ଵାରା ବଶୀଭୂତ କରି କାମ ହାସଲ କରୁଛନ୍ତି । ମାତ୍ର ଜମି ଆଦୌ ନଥିଲା ଲୋକଙ୍କର ପଇସା କାହିଁ ବା ସମୟ କାହିଁ ଯେ ଏ ବହୁମୂଲ୍ୟ, ସମୟସାପେକ୍ଷ ନ୍ୟାୟ ତାଙ୍କୁ ମିଳିବ । ଅତଏବ ସବୁଦିନ ପାଇଁ ସେ ଦୋଷୀ ଓ ଅତ୍ୟାଚାରିତ ହେଉଛି । ସମୟ ସମୟରେ ନିଜର ଏକତା ଅଭାବରୁ ନିଜନିଜ ମଧ୍ୟରେ କଜିଆ ଲାଗି ମଧ୍ୟ ସମୟ ଓ ଅର୍ଥ ବ୍ୟୟ କରୁଛନ୍ତି ଓ ନ୍ୟାୟ ପାଇଁ ଉପରକୁ ଚାହିଁ ବସୁଛନ୍ତି-। ଏ ପରିସ୍ଥିତିରେ ଆମ୍ଭମାନଙ୍କର ଉପାୟ କ’ଣ ? ସେହି ପୂର୍ବର ନ୍ୟାୟ ପାଇଁ ସରକାରଙ୍କ ଚାକିରିଆଙ୍କଠାରେ ପ୍ରାର୍ଥୀ ହେବୁ କିମ୍ବା ନିଜ କଳି ନିଜ ଘରେ ମେଣ୍ଟାଇବୁ ଓ ବାହାରର ବସ୍ତୁ ବିରୁଦ୍ଧରେ ଅସହଯୋଗ ଅସ୍ତ୍ର ପ୍ରୟୋଗ କରିବୁ,-ଏକଥା ବିଚାର୍ଯ୍ୟ ବିଷୟ । ନିଜନିଜ ଭିତରେ କଳିକଜିଆ ପାଇଁ ଆଉ କୋର୍ଟ କଚେରୀ ଆଶ୍ରୟ ନେବୁନାହିଁ । ଗ୍ରାମରେ ସେକଥା ମୀମାଂସିତ ହେବ । ଧନୀଙ୍କ ସାଙ୍ଗରେ କଚେରୀରେ ଲଢ଼ିବା କିମ୍ବା ଆମ ପ୍ରତି ତାଙ୍କର ଦୟାଭାବ ଜାଗ୍ରତ କରାଇବା ବା ଯଦି ସେମାନେ ଦୟା ପ୍ରଦର୍ଶନ ନକରନ୍ତି ତେବେ ଅସହଯୋଗ କରି ତାଙ୍କର ଅନ୍ୟାୟ-ଉପାର୍ଜିତ ଜମି ଆମେ ଚଷିବୁ ନାହିଁ । ବା ସମୂହ ଭାବରେ ତାଙ୍କ ବିରୁଦ୍ଧରେ ଲଢ଼ିବୁ-?

 

(ଗ) ସିସ୍ତୁ ଓ ରସିଦ :–ବର୍ତ୍ତମାନ ନୂଆ ସେଟ୍‌ଲ୍‌ମେଣ୍ଟ୍ ହେଉଛି । ଆଗରୁ ରେଣ୍ଟ୍ ସେଟ୍‌ଲ୍‌ମେଣ୍ଟ୍ ହୋଇଥିଲା ମାତ୍ର । ଏହାଦ୍ଵାରା ସମସ୍ତ ଜମି ମପାମପି ହୋଇ ଚଷୁଥିବା ଲୋକ ନାଁ’ରେ ଜମି ହେବାର ସୁବିଧା ଅଛି । ଅତଏବ ଏଥିରୁ ଯେଉଁ ପଟ୍ଟା ଆଦି ଦିଆଯିବ, ତାହାର ସୁବିଧା ଯେମିତି ସ୍ଥାନୀୟ ସବୁ ଲୋକଙ୍କୁ ମିଳେ, ତା’ର ବ୍ୟବସ୍ଥା କର୍ମୀମାନେ କରିବେ । ଦରକାର ପଡ଼ିଲେ ସେଟ୍‌ଲ୍‌ମେଣ୍ଟ୍ କର୍ମଚାରୀଙ୍କ ସହିତ ସହଯୋଗ, ପୁଣି ଅନ୍ୟାୟ ହେବାର ଦେଖିଲେ ବିରୋଧ କରାଯିବ । ଏବର୍ଷ ମପାମପି ହେଉଛି । ଅମୀନ, ଇନସ୍ପେକ୍ଟର ଆଦି ଲୋକଙ୍କର ପୂର୍ବ ରେକର୍ଡ଼ ଓ ପଟ୍ଟା ଆଦି ବିକ୍ରି କବଲା ଆଦି ଦେଖି ଲୋକଙ୍କ ଜମିକୁ ତା’ ନାମରେ ସେଟେଲମେଣ୍ଟ କରୁଛନ୍ତି । ସେହି ଅନୁଯାୟୀ ସାନି (ନୂଆ) ପଟ୍ଟା ଆରବର୍ଷକୁ ମିଳିଯିବ । ଏତେବେଳୁଁ ତାଙ୍କ ସାଙ୍ଗରେ ରହି ପ୍ରକୃତ ଅପ୍ରକୃତ ତଥ୍ୟ ଅନୁସନ୍ଧାନ କରାଯାଇ ପାରିବ । ଆମର ସ୍ଵତନ୍ତ୍ର ହିସାବ ଆଦି ରଖି ହେବ । ଯେଉଁଠାରେ ତାଙ୍କ (ଅମୀନ ଆଦି) ତରଫରୁ ଅନ୍ୟାୟ ଦେଖାଯିବ, ସେଠାରେ ପଟ୍ଟା ଦେଇ ସାରିଲେ ରେଣ୍ଟ୍ ସେଟ୍‌ଲ୍‌ମେଣ୍ଟ୍ ଖଜଣା ବନ୍ଧାଯିବା ପୂର୍ବରୁ ଆପତ୍ତି କରାଯାଇ ପାରିବ ।

 

ଲୋକମାନେ ଯେଉଁ ଗୁତ, ଭାଗ, ସଞ୍ଜା ଓ ଠିକା ହିସାବରେ କାମ ଓ ଚାଷ ଆଦି କରୁଛନ୍ତି, ତା’ର କୌଣସି ଠିକଣା ନାହିଁ । ଏସବୁ ଠିକା ହେଲେ ମଧ୍ୟ ରସିଦ, ଚାଷବାସରେ ମଧ୍ୟ ଲିଖିତ ଅନୁମତି ଆଦି କେମିତି ଚାଷୀ ହାତକୁ କୌଣସି ପ୍ରକାରେ ଆସି ପାରିବ, ତାହାର ବ୍ୟବସ୍ଥା କରାଯିବା ଦରକାର । ଛାପା ରସିଦ ଆଦି ନେଇ ଚାଷ ଆଦି କାମ କରିବା ସପକ୍ଷରେ ବାତାବରଣ ସୃଷ୍ଟି ହେବା ଉଚିତ । ଥରେ ରସିଦ ପାଇଗଲେ କିଛି ନା କିଛି ପ୍ରମାଣ ନିର୍ଦ୍ଦିଷ୍ଟ ଭାବରେ କରିବାର ସୁବିଧା ମିଳିବ । ଏହାଛଡ଼ା ଅନ୍ୟାନ୍ୟ ସମ୍ପର୍କରେ ମଧ୍ୟ (ଯେପରି) ଠକାମି ଆଦି ନରହେ, ସେ ଦିଗରେ ଦୃଷ୍ଟି ଦିଆଯିବ ।

 

(୩) ସ୍ଥାନୀୟ କର୍ମୀକୁ ଜନପ୍ରିୟ ହେବାକୁ ହେବ :–

 

ଅଧିକ ସହ୍ୟ କରିବାର ଶକ୍ତି ନିଜ ଭିତରେ ସୃଷ୍ଟି ହେଲେ ଯାଇ କର୍ମୀ ଅନ୍ୟ ଜନସାଧାରଣଙ୍କ ମଧ୍ୟରେ କୌଣସି ଅନ୍ୟାୟକୁ ପ୍ରତିରୋଧ କରିବାର ଶକ୍ତି ବଢ଼ାଇ ଦେଇ ପାରିବେ-। କୌଣସି କାର୍ଯ୍ୟକ୍ରମ ଗୁରୁତ୍ଵପୂର୍ଣ୍ଣ ଭାବରେ ଗ୍ରହଣ କରିବାକୁ ହେଲେ ଓ ଜନସାଧାରଣଙ୍କ ସମ୍ପତ୍ତି ଓ ଜୀବନ ସାଙ୍ଗରେ ତା’ର ସମ୍ପର୍କ ଥିଲେ ସେ କାର୍ଯ୍ୟକୁ ଖୁବ୍ ଶୃଙ୍ଖଳା ଓ ସତର୍କତାର ସହିତ ଚଳାଇବା ଦରକାର । ଏ ପରିସ୍ଥିତିରେ ନିଶ୍ଚୟ ଗୋଡ଼ ଖସିଯିବାର ଅର୍ଥାତ୍ ଭୁଲ ଭଟକା ହେବାର ଆଶଙ୍କା ରହିଛି । ବିପଦ ସର୍ବଦା ଆସିବାର ଭୟ ରହିଛି । ଏପରି କ୍ଷେତ୍ରରେ ବିପଦ କୌଣସି ସ୍ଥାନୀୟ ଲୋକ ଉପରକୁ ଯିବା ପୂର୍ବରୁ ପ୍ରଥମେ କର୍ମୀ ସେ ବିପଦ ବରଣ କରିବା ଉଚିତ, ଯାହା ଫଳରେ କର୍ମୀ ଜନପ୍ରିୟ ହୁଏ । ତା’ ଉପରେ ନିନ୍ଦା ଆଣିବାର ସୁଯୋଗ ନଥାଏ । ଏହା ସଙ୍ଗେ ସଙ୍ଗେ କର୍ମୀ ବା ପରିଚାଳକର ତ୍ୟାଗ ଓ ସହନଶକ୍ତି ଦେଖିଲେ ସେ ରାସ୍ତା ଅନୁକରଣ କରିବା ଜନତା ପକ୍ଷରେ ସହଜ ହୋଇ ଉଠେ । ଅତଏବ ବିପ୍ଳବ ସମ୍ଭବ ହୁଏ । କର୍ମୀ ପରୀକ୍ଷିତ ହୋଇଯାଏ । ଏ ନୀତି ଆମ୍ଭମାନଙ୍କୁ ଓ କର୍ମୀ ଭାଇମାନଙ୍କୁ ଅବଲମ୍ବନ କରିବାକୁ ପଡ଼ିବ-। ଲୋକଙ୍କ ଉପରେ ମାଡ଼, ଜେଲ, ଜରିମାନା ହେବା ପୂର୍ବରୁ କର୍ମୀ ଉପରେ ତାହା ପଡ଼ିବ, ନଚେତ୍ କର୍ମୀ ଯଦି ବିପଦ ବୋଲି ଭାବି ନିଜକୁ ଏଥିରୁ ଏଡ଼ାଇ ନେଇ ସର୍ବସାଧାରଣଙ୍କୁ ଏ ପ୍ରକାର ବିପଦରେ ଆଗକୁ ଠେଲିଦିଏ, ତେବେ ଜନସାଧାରଣ ଚପିଯିବେ । ଫଳରେ ଆନ୍ଦୋଳନ ଭୁଷୁଡ଼ି ପଡ଼ିବ । କର୍ମୀ ନିଜର ଏ ପରୀକ୍ଷା ଦେଇ ସାରିଲେ ସତ୍ୟାଗ୍ରହ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ ହେବ-। କର୍ମୀ ପ୍ରକୃତ ପକ୍ଷରେ ଗ୍ରହଣୀୟ ହୋଇଯିବ ।

 

ଆମ କର୍ମୀଙ୍କୁ ପୂରାପୂରି ସରକାରଙ୍କ ଉପରେ ନିର୍ଭରଶୀଳତା କଟାଇବାକୁ ହେବ । ସରକାରଙ୍କ ସହିତ ସମ୍ପର୍କ ତୁଟାଇବାକୁ ପଡ଼ିବ । ଅର୍ଥାତ୍ କୌଣସି ଚାକିରି, ସରକାରୀ କମିଟି ମେମ୍ବର ଆଦି ଓ ଚାକିରି ବୃତ୍ତି ତ୍ୟାଗ କରିବାକୁ ପଡ଼ିବ । ଏହା ନକଲେ ପ୍ରତିରୋଧିର ବାତାବରଣଟା ପଣ୍ଡ ହୋଇଯିବ । ଅର୍ଥାତ୍ ଅସହଯୋଗ ପୂର୍ଣ୍ଣାଙ୍ଗ ହେବନାହିଁ । ବିପ୍ଳବ ଭୁଷୁଡ଼ି ପଡ଼ିବ । ଚେଷ୍ଟା କରି ସରକାରଙ୍କ ଉନ୍ନତିମୂଳକ ଯୋଜନାରୁ ନିରପେକ୍ଷ, ଉଦାସୀନ ରହିବା ଉଚିତ-। ଯଦି ସମ୍ଭବ ନହୁଏ, ଗାଁ ଲୋକ ବା ସାଧାରଣଙ୍କ ଦ୍ଵାରା ସେ କାମସବୁ ତୁଲାଇବ ସିନା, ନିଜେ କିଛି ମୁଣ୍ଡାଇ ନେବନାହିଁ । ଲୋକଙ୍କୁ ସରକାରୀ ସୁବିଧା ପ୍ରାପ୍ତ କରାଇବାରେ ସମୟ ଓ ଶକ୍ତି ଦେବନାହିଁ । ତଦପେକ୍ଷା ଲୋକଙ୍କ ଶକ୍ତିରେ ଆତ୍ମବିଶ୍ଵାସ ବଢ଼ାଇବାରେ ସମୟ ଓ ସାମର୍ଥ୍ୟ ଖର୍ଚ୍ଚ କରିବା ଶ୍ରେୟସ୍କର ।

 

(୪) ସଂଗଠନର ଉପାୟ :–ରାୟଗଡ଼ା ସବ୍‌ଡ଼ିଭିଜନ୍‌ରେ ସବୁମିଶି ପ୍ରାୟ ୪୦୦ ଖଣ୍ଡି ଗ୍ରାମ ଅଛି । ୨୦ ଖଣ୍ଡ ଲେଖାଏଁ ଜଣେ କର୍ମୀ ଉପରେ ଗ୍ରାମ ବାଣ୍ଟି ଦେଲେ ସମୂହ ଅଞ୍ଚଳରେ ବିକେନ୍ଦ୍ରିତ କର୍ମୀ ବ୍ୟବସ୍ଥାରେ ୨୦ ଜଣ କର୍ମୀ ଅନ୍ୟୂନ ଦରକାର । ସେମାନେ ଖବର ନେବାଠାରୁ ଆରମ୍ଭ କରି, ବୁଲିବା, ଲୋକଙ୍କୁ ପ୍ରକୃତ ତଥ୍ୟ ବୁଲି କହିବେ । ସତ୍ୟ ବିଷୟ ବର୍ତ୍ତମାନର ନୀତି ଆଖପାଖ ଗାଁର ଲୋକଙ୍କୁ ବୁଝାଇବାକୁ ହେବ । ବିଭିନ୍ନ ସ୍ଥାନରେ ଖବର ଓ ଆଞ୍ଚଳିକ ଉନ୍ନତି ଓ ପ୍ରତିରୋଧ ସମ୍ପର୍କୀୟ ବିବରଣୀର ଆଦାନପ୍ରଦାନ ପାଇଁ ଖଣ୍ଡିଏ ହାତଲେଖା କାଗଜ ବାହାର କରିବା ଦରକାର । ଏଥିପାଇଁ ଗୋଟିଏ କୌଣସି ଗାଁ'ରେ ଏସବୁ କେନ୍ଦ୍ର ସହିତ ସମ୍ପର୍କ ରଖିଥିବା ଜଣେ ଲୋକର କେନ୍ଦ୍ର ବା ନିବାସ ହେବା ଦରକାର । ସେଠି ସବୁ ଖବର ପହଞ୍ଚୁଥିବ ଓ ସେସବୁ କାର୍ଯ୍ୟ ନିୟନ୍ତ୍ରଣ କରୁଥିବେ । ସେ ସର୍ବସାଧାରଣର ଅବଗତି ନିମନ୍ତେ ଏ କାଗଜ ବାହାର କରିବ ।

 

ଏ ଅଞ୍ଚଳରେ କୌଣସି ଅତ୍ୟାଚାର, କେଉଁଠି ଅତ୍ୟାଚାରର ପ୍ରତିକାର, ଧନୀ ବା ପୋଲିସ୍‌ର ଜୁଲମ, ସଭା ସମିତିର ଖବର, ଆଇନ୍ ଓ ଅଫିସର୍‌ଙ୍କ ନିଷ୍କ୍ରିୟତା, ସ୍ଥାନୀୟ ଉନ୍ନତିର (କଳ ?) ଯୋଜନାରେ ଆଗ୍ରହ, ମଦ ଛାଡ଼ିବା ଓ ସାଂସ୍କୃତିକ ଉନ୍ନତିର ଉଦାହରଣମାନ ଏଥିରେ ପ୍ରକାଶ ପାଇବ ।

 

ସ୍ଥାନୀୟ କର୍ମୀ ଯଦିବା ଭ୍ରମଣରତ ରହିଥିବେ ଓ ସର୍ବଦା ତାଙ୍କ ଉପରେ ଦାୟିତ୍ଵ ଥିବା ଗ୍ରାମମାନଙ୍କରେ ବୁଲି ଖବର ସଂଗ୍ରହ କରୁଥିବେ, ଗ୍ରାମବାସୀ ମାନଙ୍କ ସହିତ ସମ୍ପର୍କ ପ୍ରତ୍ୟକ୍ଷ ଭାବରେ ରଖିବା ସଙ୍ଗେ ସଙ୍ଗେ, ସେହି ସେହି ଗ୍ରାମରୁ ନୈତିକ ଓ ଉତ୍ସାହୀ ଯୁବକ ସ୍ୱେଚ୍ଛାସେବକ ସଂଗ୍ରହ କରିବେ । ନିଜ ନିଜ ଅଞ୍ଚଳର କାର୍ଯ୍ୟ ସୁଚାରୁ (ଭାବେ) ଚଳାଇ ବିଚାର ଆଦି ବେଶୀ । କଚେରିକୁ ନଯିବାକୁ ଦେବା, ମଦ ଛାଡ଼ିବା ପାଇଁ ବୁଝାଇବା, ଚାଷ ଆନ୍ଦୋଳନ ଆଦି କରିବା ପାଇଁ ଗୋଟିଏ ଗୋଟିଏ କମିଟି ଗଢ଼ିନେବା ଉଚିତ । ସର୍ବଦା ଲୋକଙ୍କ ସୁବିଧା ଅସୁବିଧା ବୁଝିବା, କଳି କଜିଆ କେମିତି ଗାଆଁରେ ମୀମାଂସା ହୋଇ ପାରିବ ତା’ର ରାସ୍ତା କାଢ଼ିବା, ଚାଷ ପାଇଁ ହଳବଳଦ ଓ ଜମି ନଥିଲା ବାଲାଙ୍କୁ କିଛି କିଛି ଜନବ୍ୟବସ୍ଥା କରାଇବାକୁ ଚେଷ୍ଟା କରିବା, ପାଣି ଅଭାବ ନଥିଲେ କୂଅ ଓ ଚାଷ ପାଇଁ ବନ୍ଧ କରାଇବାକୁ ଚେଷ୍ଟା କରିବେ । ସ୍ଵତନ୍ତ୍ର ଭାବରେ ନକରି ପାରିଲେ କେନ୍ଦ୍ରର ସାହାଯ୍ୟ ନେବେ । ଲୋକଙ୍କ ଆବଶ୍ୟକ ବେଳେ କର୍ମୀ ସର୍ବଦା ତାଙ୍କପାଇଁ ଉପସ୍ଥିତ ରହୁଥିବେ । ବିପଦ ବେଳେ ପୂର୍ଣ୍ଣ ପ୍ରାଣରେ ତାଙ୍କ ପଛକୁ ଥିବେ, ଯେମିତି କୌଣସି ଅତ୍ୟାଚାରକୁ ଲୋକଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେଇ ତାହା ସର୍ବସମକ୍ଷରେ ପ୍ରକାଶ କରି ବିଭାଗୀୟ ଚାକିରିଆ ଠାରୁ ସ୍ଥାନୀୟ ନ୍ୟସ୍ତସ୍ୱାର୍ଥ ଓ ସମାଜକୁ ବିରୋଧ କରିବାକୁ ହେବ । ଏମିତି ଭାବରେ ସଂଘକୁ ଗଢ଼ିନେବାକୁ ହେବ ଓ ଆନ୍ଦୋଳନର ବାଟ ଏଥିରେ ପଡ଼ିଯିବ । ଅମଲାତନ୍ତ୍ରର ନୈତିକ ମେରୁଦଣ୍ଡ ଦୁର୍ବଳ ହୋଇଯିବ । ଲୋକଙ୍କ ପ୍ରତିରୋଧ ଶକ୍ତି ଓ ଅଗ୍ରସର ହେବାର ସାହସ ବଢ଼ିଯିବ । ଏପ୍ରକାର ପରିସ୍ଥିତି ଉପୁଜିଲେ ଦରକାର ଅନୁଯାୟୀ କର୍ମୀସଂଖ୍ୟା ନିଶ୍ଚୟ ବଢ଼ିଯିବ ଓ ଆବଶ୍ୟକ ପଡ଼ିଲେ ବାହାରରୁ ସାହାଯ୍ୟ ମଧ୍ୟ ପ୍ରାର୍ଥନା କରାଯିବ ଓ ସାହାଯ୍ୟ ମଧ୍ୟ ମିଳିଯିବ ।

 

ବର୍ତ୍ତମାନ ଜରୁରୀ ପରିସ୍ଥିତିରେ କେତେକ ବିଷୟରେ ହଠାତ୍ ନିମ୍ନଲିଖିତ କାମ ପାଇଁ ଆମକୁ ଲାଗିବାକୁ ହେବ ।

 

୧ । ସେଟ୍‌ଲ୍‌ମେଣ୍ଟ୍ କାମରେ ଲୋକଙ୍କ ଉପକାରକୁ ଜଗି କର୍ମୀମାନେ ବିଭିନ୍ନ କେନ୍ଦ୍ର ଓ ଅଞ୍ଚଳର ବିକେନ୍ଦ୍ରିତ ବା କେନ୍ଦ୍ରିତ ଦାୟିତ୍ଵ ନିଅନ୍ତୁ ।

 

୨ । ବେଳ ଥାଉଁ ଥାଉଁ ବର୍ଷା ଆସିବା ପୂର୍ବରୁ ଧାନଗୋଲା ଖୋଲିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିବାକୁ ହେବ । ସରକାରଙ୍କୁ କହି, ଖବରକାଗଜକୁ ଲେଖି ଦରଖାସ୍ତ ଆଦି ମନ୍ତ୍ରୀ ମହାଶୟ ମାନଙ୍କୁ ପଠାଇ ଓ ବେସରକାରୀ ଆନ୍ଦୋଳନ କରି ଠିକ୍ ସମୟ ବେଳକୁ ଧାନଗୋଲାମାନ ଖୋଲାଇବାକୁ ହେବ ।

 

୩ । ଜମି ଆନ୍ଦୋଳନକୁ ଧୀରେ ଧୀରେ ବ୍ୟାପକ ରୂପ ଦେବାକୁ ପଡ଼ିବ । କେବଳ ଆଦିବାସୀଙ୍କ ତରଫରୁ କରିବା ନ୍ୟାୟୋଚିତ ହେବନାହିଁ । କାରଣ–

 

୧. ଆଦିବାସୀ ଅଣଆଦିବାସୀ ଭାବ ଜାଗ୍ରତ ହେବ ।

 

୨. ଆଦିବାସୀମାନଙ୍କ ମଧ୍ୟରୁ ଗାଁ'ର ମୁଖିଆ ନାଇକ ଆଦି ମଧ୍ୟ ଅନ୍ୟାୟ ଉପାୟରେ ଅଧିକ ସମ୍ପତ୍ତି କରିଛନ୍ତି । ତାଙ୍କ ସଙ୍ଗରେ ଆମର ଓ ସାଧାରଣ ଆଦିବାସୀଙ୍କ ସମ୍ପର୍କ କ’ଣ ?

 

୩. ଭାଗଚାଷୀ ଆଦିବାସୀ ଓ ଦାବୀ କରୁଥିବା ଆଦିବାସୀଙ୍କ ସଂଘର୍ଷ ହେବାର ସମ୍ଭାବନା ରହିଛି । ତାକୁ କେତେଦୂର କାର୍ଯ୍ୟକାରୀ କରାଯିବ ? ଅତଏବ, ଜମି ଆନ୍ଦୋଳନକୁ ଚାଲୁ ରଖିବା ଉଚିତ । ମାତ୍ର ଏହାକୁ ଆଦିବାସୀ ଆଦି ନାମ ନଦେଇ ଭୂମିହୀନମାନଙ୍କ ପାଇଁ ହେବା ଦରକାର । ଅତଏବ ବ୍ୟାପକ ରୂପରେ ହେଲେ ଭଲ ।

 

୪. ଆମର ବିପ୍ଳବ ଧନୀଙ୍କ ସଙ୍ଗେ ହେବ କି ସରକାରଙ୍କ ସଙ୍ଗେ ହେବ । ସରକାରଙ୍କ ସଙ୍ଗେ ହେବା ଅଧିକ ବିଧେୟ । କାରଣ ସରକାରଙ୍କୁ ଅଧିକ ଦାବୀ କରି ହେବ । ବିଚାର ଦାବୀ କରି ହେବ । ନ୍ୟାୟକୁ ଟଙ୍କା ଦ୍ଵାରା ସରକାର ଅନ୍ୟାୟ କହି ପାରିବେ ନାହିଁ । ପୁଣି, ଆନ୍ଦୋଳନକୁ ବ୍ୟାପକ ରୂପ ଦେବାର ସୁବିଧା ଏଥିରେ ରହିଛି । ପୁଣି, ଜମି ସମ୍ପର୍କରେ ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ହାତକୁ ନେବାରେ ଅସୁବିଧା ଥିଲେ । ବଣ ସରକାରୀ ପଡ଼ିଆଜମି ରକ୍ଷିତ ଜଙ୍ଗଲକୁ ଜମିରେ ପରିଣତ କରାଯିବ । ‘ବଣ କାଟିବା’ ଆଦି କାର୍ଯ୍ୟକ୍ରମ ମଧ୍ୟ ଦରକାର ପଡ଼ିଲେ ହାତକୁ ନିଆ ଯାଇପାରେ ।

 

ପଞ୍ଚମ ବୈଠକ–ତା ୨୪ । ୩ । ୫୨ (୫୪ ଜଣ ଉପସ୍ଥିତ ଥିଲେ)

 

ଉପରଲିଖିତ ଗ୍ରାମ୍ୟ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଓ କୁଜେନ୍ଦ୍ରୀର ୫୦ ଜଣ ସରିକି ସର୍ବସାଧାରଣଙ୍କ ସହିତ ତା ୨୪/୩/୫୨ ରିଖ ସୋମବାର ସନ୍ଧ୍ୟା ୬ଟା ସମୟରେ ଗୋଟିଏ ରଇତ ଓ ଚାଷୀମାନଙ୍କ ସଭା ହୋଇଥିଲା । ପ୍ରଥମେ ପ୍ରାର୍ଥନା ହେଲା ପରେ ଆଞ୍ଚଳିକ ଖାଦ୍ୟାଭାବ ଓ ତହିଁର କାରଣ, ଅଭାବ, ଅଭିଯୋଗ କଥା ଆଲୋଚିତ ହୋଇଥିଲା । ସେସବୁର ବିବରଣ ନିମ୍ନରେ ଦିଆଗଲା ।

 

ପ୍ରଥମେ କର୍ମୀ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ କୁଜେନ୍ଦ୍ରୀ, ପୂର୍ବତନ ଭୂମି ସଂକ୍ରାନ୍ତୀୟ ସଂସ୍କାର ବିଷୟକ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା କରିବାକୁ ଯାଇ ଗତ ଟ୍ରେନିଂ କ୍ୟାମ୍ପ୍ ଓ ସେଥିରେ ଯେଉଁସବୁ କଥା ପ୍ରସ୍ତାବ ହୋଇଥିଲା, ତାହାର ଉଲ୍ଲେଖ କରିଥିଲେ । ଭୂମିସଂପର୍କୀୟ ସଂସ୍କାରର କଳ୍ପନା ଓ ତାହାକୁ କାର୍ଯ୍ୟକାରୀ କରିବାର ରାସ୍ତା ଉଦ୍ଭାବନ କରିବାରେ ସମସ୍ତ ଚେଷ୍ଟା କରା ଯାଇଥିଲା । ଏ ଦୃଷ୍ଟିରୁ ଆମର ସତ୍ୟାଗ୍ରହୀ ସମାଜ ଗଢ଼ିବାର ପ୍ରସ୍ତାବ ମଧ୍ୟ ହୋଇଥିଲା । ଆଗରୁ ଚଷୁଥିବା ପ୍ରତିବର୍ଷର ଜମି ଏବର୍ଷ ମଧ୍ୟ ଚଷିବେ । ଏପ୍ରକାର ଅନ୍ୟାୟକୁ ବିରୋଧ କରିବାକୁ ଯାଇ ଯେଉଁ ଭୂମିମାନଙ୍କୁ ଆଗରୁ ପ୍ରବେଶ କରୁଥିଲେ, ତାହା ଫଳରେ ଜେଲ ମାଡ଼ ଭୋଗୁଥିଲେ । ଏବର୍ଷ ତାହା ଅଧିକ ପରିମାଣରେ ବ୍ୟାପକ ଭାବରେ ଚଳାଇବାକୁ ଲୋକମାନେ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ତାହା ଅସଂଯତ ଓ ବିଶୃଙ୍ଖଳ ହୋଇଗଲେ ହିଂସା ଆସିଯିବ । ଅତଏବ ଏ କଥାକୁ ଗୋଟିଏ ଅହିଂସ ରୂପ ଦେଇ ଭୂମିହୀନ ଲୋକଙ୍କୁ ଭୂମି କିପରି ମିଳିବ, ତା’ର ରାସ୍ତା ଖୋଜିବା ବୋଲି କଥା ସାର ହୋଇଥିଲା । ଏଥିପାଇଁ କଟକରୁ ପୂଜାସ୍ପଦ ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଆଦି ମଧ୍ୟ ୪୦୦ ମାଇଲ୍ ଦୂରଯାକେ ଚାଲି ଚାଲି ଆସିଥିଲେ । ବାଟରେ ତାଙ୍କୁ ପଚାରୁଥାନ୍ତି, ଆପଣ କ’ଣ ତୀର୍ଥ କରି ଯାଉଛନ୍ତି ? ସେ କହୁଥାନ୍ତି–ହଁ, ତୀର୍ଥ । ମୁଁ ଦରିଦ୍ର ନାରାୟଣ ଦର୍ଶନରେ ବାହାରିଛି । ଆରବର୍ଷ ଏଠି ଦୁର୍ଭିକ୍ଷ ପଡ଼ିଥିଲା । ଲୋକେ ଏବେ ବି ପେଟ ପୂରା ଖାଇବାକୁ ତେନ୍ତୁଳିମଞ୍ଜି ଘାସମୂଳ ପାଉନାହାନ୍ତି । କୋରାପୁଟ ଜିଲ୍ଲାରେ ସବୁଠାରୁ ଅଧିକ ଗରିବଲୋକ । ଏମାନେ ରାଗିଗଲେ ଆଜିକାଲି ବିଭ୍ରାଟ ହୋଇଯାଉଛି । ଏ ବିଭ୍ରାଟରୁ ଦେଶକୁ ରକ୍ଷା କରିବାକୁ ହେଲେ ତାଙ୍କର ସେବା କରିବାକୁ ହେବ ଓ ତାଙ୍କର ଅଭାବ ପୂରଣ କରିବାକୁ ହେବ । ମାତ୍ର ସେତେବେଳେ ଗୋପବାବୁ ଆସି ଏଠାରେ ପହଞ୍ଚିବା ସମୟକୁ ଆମର କେତେ କାମ କରିବାର କଳ୍ପନା କରା ଯାଇଥିଲା । ସେ ଏତେବାଟ ଆସି ଆମ ଭିତରେ ସେ ସମ୍ପର୍କରେ ଯେତିକି ସଂଗଠନ ଓ କର୍ମପ୍ରେରଣା ଲୋଡ଼ା ସେ ଶକ୍ତିର ଅଭାବ ଦେଖି ବର୍ତ୍ତମାନ ଭୂମି ପ୍ରବେଶ ବନ୍ଦ ରଖି କ୍ରମେ ଶେଷରେ ସବୁ କରାଯିବ ଓ ଏବେ ସାଧାରଣ ସଂଗଠନ ଦ୍ଵାରା ସଂଘ ମଜବୁତ୍ କରିବା ପାଇଁ ଉପଦେଶ ଦେଇଛନ୍ତି । ଡ଼ୁମ୍ବୁରିଗୁଡ଼ା କର୍ମୀବୈଠକର ବିବରଣୀରେ ସେସବୁ କଥା ବିସ୍ତୃତ ଭାବରେ ଲେଖାଅଛି । ଯଦି ଆପଣମାନେ ରାଜୀ ହୁଅନ୍ତି, ତେବେ ତାଙ୍କର ଉପଦେଶ ଅନୁଯାୟୀ ଆମର ସମାଜକୁ ଗଢ଼ିବା ଓ ସେ ପୁଣି ତାଙ୍କ ଅନୁଯାୟୀ ଆମକୁ ଚାଲିବାକୁ ଦେଖିଲେ ଆମକୁ ପୁଣି ସାହାଯ୍ୟ କରିବାକୁ ଆସିବେ । ଆମର ମଧ୍ୟ ଶକ୍ତି ବଢ଼ିଥିବ । ସମସ୍ୟା ସମାଧାନ ନିଶ୍ଚୟ ହୋଇଯିବ ବୋଲି ଆଶା କରାଯାଉଛି ।

 

ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଉକ୍ତ କଥାମାନ କହୁଥାନ୍ତି ତ ତାହା ଶ୍ରୀ ନୀଳକଣ୍ଠ ଗମାଙ୍ଗ ତେଲୁଗୁରେ ଅନୁବାଦ କରି ଲୋକଙ୍କୁ ବୁଝାଉ ଥାଆନ୍ତି । ସମସ୍ତେ ଗୋପବାବୁଙ୍କ ପରାମର୍ଶ ଅନୁସାରେ କର୍ମ ପଦ୍ଧତି ଚଳାଇବେ ବୋଲି ସାର କରିବାକୁ ଡୁମ୍ବୁରିଗୁଡ଼ାରେ ତାଙ୍କର ଯୋଜନା ଯାହା ଥିଲା ତାହା ଗୃହୀତ ହେଲା ।

 

ନିମ୍ନଲିଖିତ ପ୍ରସ୍ତାବମାନ ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହେଲା । ଏହା ପୁଣି ସରକାରଙ୍କୁ ଓ ଖବରକାଗଜ ମାନଙ୍କୁ ପ୍ରସ୍ତାବ ଆକାରରେ ପଠାଇବା ପାଇଁ ସ୍ଥିର ହେଲା ।

 

ସରକାରଙ୍କର ତିଆରି ହୋଇଥିବା ଆଇନ୍‌ମାନ ଚିରଦିନ ପାଇଁ ଧନୀ ମାନେ ବେଆଇନ୍ କରି ଆସିଛନ୍ତି । ଏବଂ ସେ ବେଆଇନ୍‌କୁ ଆଇନ୍ ବୋଲି ପ୍ରମାଣ କରିବାର ବାଟ ମଧ୍ୟ ସେମାନେ ଜାଣନ୍ତି । ଅତଏବ ବର୍ତ୍ତମାନ ଯେତିକି ଆଇନ୍ ସରକାର ଗରିବ ରଇତମାନଙ୍କ ସପକ୍ଷରେ କରିଛି, ତାକୁ ଭଲ ଭାବରେ ପ୍ରଚାର ଓ କାର୍ଯ୍ୟକାରୀ କରିବା ଦିଗରେ କର୍ମୀମାନେ ଚେଷ୍ଟା କରିବା ଉଚିତ ।

 

୧ । ଭାଗଚାଷ ଆଇନ୍ ଆଜିକୁ ତିନିବର୍ଷ ହେଲା ପ୍ରଣୟନ ହେଲାଣି । ମାତ୍ର ଏହା ସର୍ବସାଧାରଣ ଭାବରେ ଗ୍ରାମରେ ପ୍ରଚାର ହୋଇନାହିଁ । ତେଣୁ ସରକାର ଏ କଥାକୁ ଗ୍ରାମେ ଗ୍ରାମେ ଆଇନ୍‌ ବିସ୍ତୃତ ବିବରଣ ଧେଣ୍ଡୁରା ଦ୍ଵାରା ପ୍ରଚାର କରନ୍ତୁ । ଫସଲ ୫ ଭାଗରୁ ୩ ଭାଗ ରଇତ ଓ ଦୁଇ ଭାଗ ସାହୁକାର ପାଇବ । ଫସଲ ପାଚିବା ପର୍ଯ୍ୟନ୍ତ ଖରଚ ରଇତ, ଅମଳ ଖର୍ଚ୍ଚ ଉଭୟ । ଜମି ଚାଷୀଠାରେ ରହିବ । ଜମି ସାହୁକାର ଫେରାଇ ନେବେନାହିଁ ।

 

୨ । ଗୋଟିଏ ପରିବାରରେ ୩୩ ଏକରରୁ ଉର୍ଦ୍ଧ୍ଵ (ଜମି) ରହିବନାହିଁ । ସରକାର ଏ ସଂପର୍କରେ ଯେଉଁ ଆଇନ୍ କରୁଛନ୍ତି, ତାହା ଚଞ୍ଚଳ କାର୍ଯ୍ୟକାରୀ କରନ୍ତୁ । ଏବଂ ବଳକା ଜମିକୁ ଜମିହୀନ ଲୋକଙ୍କୁ ମିଳିବା ପାଇଁ ସୁବ୍ୟବସ୍ଥା କରନ୍ତୁ । ସରକାର ଖରଚକୁ ଡରି ଏ ଆଇନ୍ କାର୍ଯ୍ୟକାରୀ କରିବାରେ ହେଳା କରନ୍ତୁ ନାହିଁ ।

 

୩ । ବୋଡ଼ିବାଲି, କୁତୁସୁରୁ, ପତନଗୁଡ୍ଚି ଓ ବୋରିଙ୍ଗି ଇତ୍ୟାଦି ଗ୍ରାମସ୍ଥ ରଇତମାନେ ତାଙ୍କର ଅପହୃତ ଜମିକୁ ଚଷିଛନ୍ତି (ଏବଂ) ଏଥିରେ ଶୁଣ୍ଡି ଓ ଅନ୍ୟାନ୍ୟ ନ୍ୟସ୍ତସ୍ୱାର୍ଥ ଲୋକମାନେ ଆମର ଭୂ-ସତ୍ୟାଗ୍ରହୀ ସମାଜ ଓ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ନାମରେ ଏ ପ୍ରକାର ଘଟଣାକୁ ସଂପୃକ୍ତି କରାଉଛନ୍ତି । ତେଣୁ, ଏହାର ପ୍ରକୃତ ତଥ୍ୟ ସଂଗ୍ରହ କରି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ । ଶୁଣାଯାଉଛି, ବୋଡ଼ିବାଲି ଲୋକମାନେ ତାଙ୍କର ଭୋଗ-ବନ୍ଧକ ଥିବା ଜମି ଯାହାପାଇଁ ସେମାନେ ପ୍ରତିବର୍ଷ ସିସ୍ତୁ ବାନ୍ଧୁଛନ୍ତି, ସେଥିପାଇଁ ବନ୍ଧକୋଦ୍ଧାର ପାଇଁ ନିଜ ଜମି ଚଷିଛନ୍ତି । ଯଦି ଏକଥା ସତ ହୋଇଥାଏ, ତେବେ ପୋଲିସ୍ କାହିଁକି ଏ ଘଟଣା ସଙ୍ଗେ ଆମର ନାମ ସଂପୃକ୍ତ କରାଉଛନ୍ତି, ଆପତ୍ତିକାରୀଙ୍କୁ ପଚାରନ୍ତୁ ।

 

୪ । ପଡ଼ିଆ ଜମି ଓ ବଞ୍ଜାରି :–କେତେକ ଲୋକଙ୍କର ଅନେକ ଅଧିକ ଜମି ଥିବାରୁ ପଡ଼ିଆ ରହିଯାଉଛି । ଏ ଅନାବାଦ ଜମିକୁ ରଇତଙ୍କୁ ଚାଷ କରିବାକୁ ଦିଅନ୍ତୁ ।

 

ସରକାରଙ୍କର ଅନେକ ଜମି ଅନାବାଦ ଅଛି । ତାହା ମଧ୍ୟ ଭୂମିହୀନ ଲୋକଙ୍କୁ ପଟ୍ଟା ଦିଆଯାଉ । ବଞ୍ଜାରି ମଧ୍ୟ ପଟ୍ଟା ଦିଆଯାଉ ।

 

ଜମି ଚାଷ ସମ୍ପର୍କରେ ଚାଷୀ ଏକତାବଦ୍ଧ ହେଲେ ନ୍ୟସ୍ତସ୍ୱାର୍ଥ ଲୋକଙ୍କର ଅଧିକାଂଶ ଜମି ପଡ଼ିଆ ପକାଇ ସରକାରଙ୍କୁ ସେ ଜମିମାନଙ୍କୁ ବିନାମୂଲ୍ୟରେ ବା ଅଳ୍ପ ମୂଲ୍ୟରେ ଗରିବ ଚାଷୀ ଲୋକଙ୍କୁ ଚାଷ କରିବାକୁ ଦିଅନ୍ତୁ ।

 

୫ । ଖାଲି କାଗଜରେ ଟିପ ନେଇ ରଇତଙ୍କୁ ଜମିରୁ ଉଚ୍ଛେଦ କରାଇବା କାମ କେତେ ହୋଇଛି, ତାହାର ଇନ୍‌କ୍ଵାରି ହେଉ । ଏବେ ମଧ୍ୟ ଭାଗଚାଷୀକୁ ୨୦୦ ଲେଖାଏଁ ଟଙ୍କାର ହେଣ୍ଡ୍‌ନୋଟ୍ କରି ଦେବାକୁ ବାଧ୍ୟ କରି ଜମି ଭାଗଚାଷୀକୁ ଦେଉଛନ୍ତି । ପୂର୍ବ ଭାଗ ଅନୁଯାୟୀ ନଦେଲେ ଏପ୍ରକାର ହେଣ୍ଡ୍‌ନୋଟ୍ ନାଲିଶ୍ କରିଦେବାର ଧମକ ଦେଉଛନ୍ତି । ଏପ୍ରକାର ଅନ୍ୟାୟର ତଦନ୍ତ ସରକାର କରନ୍ତୁ ।

 

୬ । ଗାଁକୁ ଲାଗିଥିବା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଯେଉଁସବୁ ସ୍ଥାନ ନେଇ ଜମିହୀନ ରଇତମାନେ ଚାଷ କରୁଛନ୍ତି, ତାହା ସେମାନଙ୍କୁ ଦିଆଯାଉ ।

 

୮ । ଆରବର୍ଷ ପରି ଏବର୍ଷ ସ୍ଥାନେ ସ୍ଥାନେ ଧାନଗୋଲା ଖୋଲାଯାଉ । ନଚେତ୍ ଧନୀମାନେ ଅଧିକ ଦାମରେ ଧାନ ବିକୁଛନ୍ତି । କରଜ ଦେଇ ଜମି ନେଇ ନେଉଛନ୍ତି । ଅତଏବ କଣ୍ଟ୍ରୋଲ୍ ଦରରେ ଧାନ ଯେମିତି ମିଳିବ, ତା’ର ବ୍ୟବସ୍ଥା ଅଭାବୀ ସ୍ଥାନମାନଙ୍କରେ କରାଯାଉ ।

 

୯ । ଏସବୁ ପ୍ରକାର ସଂଗଠନର ଆବଶ୍ୟକତା ଅନୁଭବ କରି ଏ ସଭା ସ୍ଥିର କରୁଛି ଯେ, ନିମ୍ନଲିଖିତ ସ୍ଥାନମାନଙ୍କରେ କର୍ମୀକେନ୍ଦ୍ର କରାଯାଉ : ବୋଡ଼ିବାଲି, ଖାରିଗୁଡ଼ା, ଶ୍ରଦ୍ଧାପୁର, କେନ୍ଦୁଗୁଡ଼ା, ମିଟିଖିଲିଗିରାଇ, ମୁଳିପୁଟୁ, ଗଡ଼ିଆବନ୍ଧ, ଗାବିଗୁଡ଼ା, ଲଛମୀପୁର, ଖମାପଦର, ସନ୍ନ୍ୟାସୀପୁର, ମେରିଙ୍ଗି, କୁଜେନ୍ଦ୍ରୀ, ଗରଣ୍ଡା, ତୁମ୍ବାକଣା, ଜଞ୍ଜିରିବାଡ଼ି,....ରାଇଗୁଡ଼ା.... ସାଲ୍‌ବି....ଡିବିରସିଙ୍ଗ୍ ।

 

୧୦ । ଏସବୁ କର୍ମୀକେନ୍ଦ୍ରର ମୂଳ ହିସାବରେ କୁଜେନ୍ଦ୍ରୀ ଆଶ୍ରମ ବର୍ତ୍ତମାନ କାର୍ଯ୍ୟ କରିବ ଓ ଏସବୁ ସମ୍ପର୍କରେ ଆଇନଗତ ସମସ୍ୟା ନେଇ ସରକାରୀ କର୍ମଚାରୀଙ୍କ ସହିତ ସମ୍ପର୍କ ଶ୍ରୀ ପ୍ରହ୍ଲାଦ ପାଣିଗ୍ରାହୀ ସ୍ଥାପନ କରିବେ ।

 

୧୧ । ଆଜିର ଏହି ସଭା ସ୍ଥିର କରିଛି ଯେ ଆଦିବାସୀ ମାନଙ୍କର ଅପହୃତ ଜମିକୁ ଚଞ୍ଚଳ ଆଦିବାସୀ ମାନଙ୍କୁ ଫେରାଇ ଦିଆଯିବା ପାଇଁ ସରକାର ବ୍ୟବସ୍ଥା କରନ୍ତୁ । ଆମ୍ଭମାନଙ୍କ ମତରେ ଏ ଅଞ୍ଚଳର ସମସ୍ତ ଜମି ଆଦିବାସୀ ମାନଙ୍କ ଠାରୁ ମୂର୍ଖତାର ସୁବିଧା ନେଇ ଅପହରଣ କରାଯାଇଛି ।

 

୧୨ । ଆମର କର୍ମୀମାନେ ଆଜିଠାରୁ ନିଶା ତ୍ୟାଗ କରିବେ ବା ଆଗରୁ କରିଥିବେ ଓ ଏକବର୍ଷ ମଧ୍ୟରେ ଖଦଡ଼ କରି ପିନ୍ଧିନେବେ ବା ଆଗରୁ ପିନ୍ଧିଥିବେ ।

 

୧୩ । କର୍ମୀ ତାଲିକା (ଛବିଶିଗୋଟି କେନ୍ଦ୍ର ପାଇଁ ପ୍ରାୟ ଚାଳିଶିଜଣ ବ୍ୟକ୍ତି ।)

 

୧/୫/୫୨ ରେ କର୍ମୀମାନଙ୍କର ଏକ ବୈଠକ ହୋଇଥିଲା । ଅନ୍ୟାୟର ବିରୋଧ କରିବା ମନୋଭାବ ଆଦିବାସୀଙ୍କ ଭିତରେ ଦେଖା ଯାଉଥିବାରୁ ତାହାକୁ ଆଉ ନରୋକି ସେ ଦିଗରେ ଉତ୍ସାହ ଦେବା ସର୍ବସମ୍ମତି କ୍ରମେ ଠିକ୍ ହେଲା ।

 

ସରକାର ଓ ସାହୁକାରଙ୍କୁ ନଜଣାଇ କେତେକ ଆଦିବାସୀ ଭାଇ ନିଜର ସ୍ଵତ୍ଵ ରକ୍ଷା ପାଇଁ ଜମିରେ ପ୍ରବେଶ କରିଥିବାରୁ ଦୁଃଖ ପ୍ରକାଶ କରାଗଲା । ଏବଂ ଏ ସମ୍ପର୍କରେ ସରକାରଙ୍କର ମୁଖ୍ୟ କର୍ତ୍ତାଙ୍କ ସହ କଥାବାର୍ତ୍ତା ପାଇଁ ଶ୍ରୀ ନୀଳକଣ୍ଠ ଗମାଙ୍ଗ, ଶ୍ରୀ ନିମାଇଁ ଚରଣ ସାହୁ ଏବଂ ବିଶ୍ଵନାଥ ପଟ୍ଟନାୟକଙ୍କୁ ପଠାଇବା ଠିକ୍ ହେଲା ଏବଂ ଏସବୁ କାମରେ ଶ୍ରୀ ସୁଧାଂଶୁ ଶେଖର ଦାସଙ୍କୁ ସାହାଯ୍ୟ କରିବାପାଇଁ ଅନୁରୋଧ କରାଗଲା ।

 

ଏ ବୈଠକରେ ଗ୍ରାମ୍ୟ ପ୍ରତିନିଧିମାନେ ଏବଂ ଶ୍ରୀ ରାଧାରତନ ଦାସ, ଶ୍ରୀ ସୁଧାଂଶୁ ଶେଖର ଦାସ, ଶ୍ରୀ ନିମାଇଁ ଚରଣ ସାହୁ ଇତ୍ୟାଦି ଉପସ୍ଥିତ ଥିଲେ । ସରକାରଙ୍କ ସହ କଥାବାର୍ତ୍ତା ପରେ “ଭୂ-ସତ୍ୟାଗ୍ରହୀ ସମାଜ” ଯାହା ପନ୍ଥା ସ୍ଥିର କରିବେ, ସେ ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ସର୍ବସାଧାରଣଙ୍କୁ ଅନୁରୋଧ କରାଗଲା । ଏବଂ ଗ୍ରାମ୍ୟ କର୍ମୀମାନେ ଠିକ୍ ଭାବେ ତଉଲି ଏକଥା ପ୍ରଚାର କରିବାକୁ କୁହାଗଲା ।

 

ବିଶ୍ଵନାଥ ପଟ୍ଟନାୟକ

୨/୫/୫୨

 

ତା ୪ । ୬ । ୫୨ ର ଗ୍ରାମ୍ୟ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ହୋଇଥିଲା । ସରକାରଙ୍କ ସହ ଆଲୋଚନା ହୋଇଥିବା କଥାର ସମସ୍ତ ଆଲୋଚନା ହେଲା ଏବଂ ସରକାର ଗରିବଙ୍କର ଦାବୀକୁ ଏଡ଼ାଇ ଚାଲିଥିବାରୁ ଦୁଃଖ ପ୍ରକାଶ କରାଗଲା । “ଭୁ ସତ୍ୟାଗ୍ରହୀ ସମାଜ” ପ୍ରତିଷ୍ଠା ଦିନରୁ ‘ସମାଜ’ର ସମସ୍ତ ଭାର ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ଦିଆ ଯାଇଥିଲା ଏବଂ ସେ ଆଞ୍ଚଳିକ କମିଟି ଜରିଆରେ ସମସ୍ତ କାମ ତୁଲାଉଥିଲେ । ଏଣିକି କାମର ବିଶେଷ ବୋଝ ଓ ଦାୟିତ୍ଵ ଦୃଷ୍ଟିରୁ ତାହାଙ୍କୁ ଏକ କାର୍ଯ୍ୟକାରୀ କମିଟି ଗଢ଼ିବାକୁ ଅନୁରୋଧ କରାଗଲା । ସେ ନିମ୍ନ ବ୍ୟକ୍ତିଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଢ଼ିଲେ : (୧) ଶ୍ରୀସୁଣ୍ଡି ଗମାଙ୍ଗ (୨) ଶ୍ରୀ ନୀଳକଣ୍ଠ ଗମାଙ୍ଗ, (୩) ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ (୪) ଶ୍ରୀ ଦଣ୍ଡାସି ଗମାଙ୍ଗ (୫) ଶ୍ରୀ ବାଘାଣି ଗମାଙ୍ଗ (୬) ଶ୍ରୀ ଜାନି ଗମାଙ୍ଗ (୭) ଶ୍ରୀ ଏଗା ଗମାଙ୍ଗ (୮) ଶ୍ରୀ....ଗମାଙ୍ଗ (୯) ଶ୍ରୀ ବ୍ରଜସୁନ୍ଦର ଦୋରା (୧୦) ଶ୍ରୀ ନୀଳାମ୍ବର ଦୋରା (୧୧) ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ । କାର୍ଯ୍ୟକାରୀ କମିଟି ଗଠନ ପରେ “ଭୂ-ସତ୍ୟାଗ୍ରହୀ ସମାଜ”ର ବୈଠକ ବସି ସର୍ବସମ୍ମତି କ୍ରମେ ନିମ୍ନ ପ୍ରସ୍ତାବ ଗ୍ରହଣ କରାଗଲା :

 

ଆଜିର ଏହି ସାଧାରଣ ସଭା ଅତି ଦୁଃଖର ସହିତ ଏହି ପ୍ରସ୍ତାବ କରୁଛି ଯେ, “ଭୂ-ସତ୍ୟାଗ୍ରହୀ ସମାଜ ତରଫରୁ କ୍ଷମତାପନ୍ନ ସଦସ୍ୟ ବିଶ୍ଵନାଥ ପଟ୍ଟନାୟକ ଏ ଅଞ୍ଚଳର ଖାଦ୍ୟ ଅନାଟନର ସ୍ଥାୟୀ ପ୍ରତିକାର ଓ ଭୂମି ଅଧିକାର ଜନିତ ନାନା ଅନ୍ୟାୟ ଓ ଅଧର୍ମାଚରଣର ପ୍ରତିକାର ପାଇଁ ପ୍ରାଦେଶିକ ସରକାରଙ୍କୁ ବାରମ୍ବାର ନିବେଦନ ଓ ଅନୁରୋଧ କରିବା ସତ୍ତ୍ୱେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ପାଇଲେ ନାହିଁ । ସରକାର ଏ ଦିଗରେ ସମୟ ଗଡ଼ାଇବା ନୀତି ଧରି ଏପ୍ରକାର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସରକାରଙ୍କର ଏଭଳି ନୀତି ଫଳରେ ଦେଶରେ କ୍ରମଶ ଅନ୍ୟାୟ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି । ସତ୍ୟ ଓ ନ୍ୟାୟ ଧର୍ମର ଘୋର ଅବସାନ ଘଟୁଛି । ତା’ ଫଳରେ ଦେଶରେ ନାନାପ୍ରକାର ଦୁର୍ନୀତି ବ୍ୟାପିବାରେ ଲାଗିଛି । ଦେଶର ଦଳେ ଖଟି ଖଟି ଉପାସ ଭୋକରେ ମରୁଥିବା ବେଳେ ଏପ୍ରକାର ଦୁର୍ନୀତି ଓ ଅନ୍ୟାୟକୁ ଜନସାଧାରଣ ପ୍ରତିରୋଧ କରି ସତ୍ୟ ଓ ଧର୍ମର ପ୍ରତିଷ୍ଠା କରିବା ଏକାନ୍ତ କର୍ତ୍ତବ୍ୟ । ତେଣୁ, ଏ ସମାଜ ଜନସାଧାରଣଙ୍କୁ ନମ୍ର ନିବେଦନ କରୁଅଛି କି, ଅନ୍ୟାୟ ଓ ଅଧର୍ମାଚରଣର ପ୍ରତିରୋଧ ପାଇଁ ଓ ଖାଦ୍ୟ ଅନାଟନର ସ୍ଥାୟୀ ପ୍ରତିକାର ଲାଗି ଭୂମିରେ ସମସ୍ତଙ୍କର ସମାନ ଅଧିକାର, ଏହି ସତ୍ୟର ପାଳନ ଲାଗି ଏକ ଅହିଂସ ଆନ୍ଦୋଳନ ଆରମ୍ଭ କରନ୍ତୁ ।

 

୫/୬/୫୨ ସକାଳ ସାତଟାରୁ ୧୧ଟା ଯାଏ ପୁଣି ବୈଠକ ବସି ସ୍ଥିର ହେଲା ଯେ, ଯେଉଁମାନେ ଜମି ସଂପର୍କୀୟ ଅନ୍ୟାୟ ବିରୋଧୀ ଆନ୍ଦୋଳନ କରିବାକୁ ସ୍ଥିର କରିବେ, ସେମାନେ ସରକାରଙ୍କୁ ଓ ସାହୁକାରଙ୍କୁ ଜଣାଇ କରିବେ । ଏ ଅଞ୍ଚଳର ଭିନ୍ନ ଭିନ୍ନ ଜାଗାରୁ ଚିଠି ସରକାରଙ୍କ ଠାରେ ପହଞ୍ଚିବାକୁ ତିନିଦିନ ଲାଗେ । ତେଣୁ ପାଞ୍ଚଦିନ ସମୟ ଦେଇ ନୋଟିସ୍ ଦେବେ ଏବଂ ସର୍ବସମ୍ମତି କ୍ରମେ ସ୍ଥିର ହୋଇଥିବା “ଶେଷ ନିବେଦନ” ଜଣାଇବେ ।

 

ଶେଷ ନିବେଦନ–ଆପଣଙ୍କ ଆଖି ଆଗରେ ବର୍ଷ ବର୍ଷ ଧରି ଭୋକ ଉପାସରେ ନାନା ଅଖାଦ୍ୟ ଖାଇ ଆପଣଙ୍କୁ ତଥା ସରକାରଙ୍କୁ ମୋ’ର ଦୁଃଖକଥା ଓ ଜମିହୀନ ଅବସ୍ଥା କଥା ବାରମ୍ବାର ଜଣାଇ ସବୁ ପ୍ରକାର ନିରାଶ ହେଲି । ବର୍ଷ ବର୍ଷ ଧରି ସବୁ ପ୍ରକାର ମାଡ଼ ଗାଳି ଓ ଅତ୍ୟାଚାର ସହି ଆପଣମାନଙ୍କ ସୁଖ ସୁବିଧା ପାଇଁ ବ୍ୟବସ୍ଥା କରି ଆସିବା ସତ୍ତ୍ଵେ ମୋ’ର ଏ ଦରମଲା ଦେହ, ଭୋକିଲା ପେଟ ଓ ମୋ’ ଛୁଆପିଲା ମାନଙ୍କର କଷ୍ଟ, କାନ୍ଦଣା ଆପଣମାନଙ୍କ କାନରେ ବାଜିଲାନାହିଁ । ବାରମ୍ବାର ନିବେଦନ ସତ୍ତ୍ୱେ ଯେତେବେଳେ ଆପଣ ମୋ’ର ଦୁଃଖ ଗୁହାରୀ ନଶୁଣିଲେ, ସେତେବେଳେ ଏଭଳି ଅନ୍ୟାୟର ବିରୋଧ ପାଇଁ ଭଗବାନଙ୍କର ଆଶ୍ରୟ ନେଇ ମୁଁ ମୋ' ନିଜ ଜମିର ଚାଷ କରିବାକୁ ଠିକ୍ କରୁଛି । ଏ ଜମି ଆଜି ଆପଣଙ୍କ ହାତରେ ରହିଥିଲେ ମଧ୍ୟ ମୋ’ର ପୂର୍ବ ପୁରୁଷ ଏହାକୁ ପଥର ତାଡ଼ି ବାହାର କରିଥିଲେ ଓ ନିଜର ସରଳତା ଓ ଅଜ୍ଞାନପଣରୁ ଆପଣଙ୍କ ହାତକୁ ଯାଇଥିଲା । ଧର୍ମ ଦୃଷ୍ଟିରୁ ବିଚାର କଲେ ଜମିରେ ମୋ’ର ପୂରା ଅଧିକାର ଅଛି । ଅଧର୍ମ ଓ ଅନ୍ୟାୟ କରିବା ଯେଉଁଭଳି ପାପ, ତାକୁ ଦେଖି ତୁନି ପଡ଼ିବା ମଧ୍ୟ ସେଭଳି ପାପ । ତେଣୁ,–ପାପରେ ଭାଗୀ ହୋଇ ସେହି ଅଧର୍ମ ଓ ଅନ୍ୟାୟର ବିରୋଧ ପାଇଁ ମୁଁ ଆଜି ବାହାରୁଛି । ଅହିଂସ ଉପାୟରେ ଆପଣଙ୍କର ସମସ୍ତ ନିର୍ଯ୍ୟାତନା ସହି ମୁଁ ତା...ରିଖ ଘ....ଣ୍ଟା ବେଳେ ମୁଁ ଭୂମିରେ ପ୍ରବେଶ କରୁଛି ।

 

ସ୍ୱା–

 

ତା ୧୩ । ୬ । ୫୨ ରିଖ ଦି’ପ୍ରହର ବେଳେ “ଭୂ-ସତ୍ୟାଗ୍ରହୀ ସମାଜ”ର ଏକ ଜରୁରୀ ବୈଠକରେ ନିମ୍ନଲିଖିତ ବିଷୟମାନ ବିଚାର କରାଯାଇ ସ୍ଥିର କରାଗଲା–

 

ଗୁଣପୁର, ଗୁଡ଼ାରି, ପଦ୍ମପୁର ଆଦି ଅଞ୍ଚଳରେ ଅପହୃତ ଜମିରେ ପ୍ରବେଶ କରିଥିବା ନିଃସ୍ଵ ଆଦିବାସୀ ଲୋକଙ୍କ ସମ୍ପର୍କରେ ଯେଉଁ ଶେଷ ଚିଠି ପ୍ରଧାନମନ୍ତ୍ରୀଙ୍କୁ ଦିଆ ଯାଇଥିଲା, ତା’ର ପ୍ରତିକ୍ରିୟା ସ୍ଵରୂପ ସ୍ପେଶାଲ ଅଫିସରଙ୍କ ଦାୟିତ୍ଵ ନେଇ ସରକାରଙ୍କ ତରଫରୁ ମାନନୀୟ କର୍ମଚାରୀ ଆସିଥିଲେ ଓ ତାଙ୍କ ସହିତ ଏ ଜିଲ୍ଲାର ଦାୟିତ୍ଵପୂର୍ଣ୍ଣ ଅଫିସର ଶ୍ରୀଯୁକ୍ତ ଏ.ଡି.ଏମ୍.,ଏସ୍.ପି., ଏସ୍.ଏ. ଏଜେଣ୍ଟ୍, ଡି.ଏସ୍.ପି., ଜିଲ୍ଲା ପ୍ରଚାର ବିଭାଗ ଅଫିସର, ସାର୍କିଲ୍ ଇନ୍‌ସ୍‌ପେକ୍ଟର ଆଦି ଆସିଥିଲେ । ସେମାନେ ପ୍ରଧାନମନ୍ତ୍ରୀଙ୍କ ଠାକୁ ପଠା ଯାଇଥିବା ଚିଠିକୁ ସାଙ୍ଗରେ ଆଣିଥିଲେ ଓ ଏ ପ୍ରକାର ଘଟଣାର ଆପୋଷ ମିଳାମିଶା ବା ରାଜିନାମା ନେଇ କଥାବାର୍ତ୍ତା କରିଥିଲେ । ଏ କଥାବାର୍ତ୍ତାରେ କୋରାପୁଟ ଜିଲ୍ଲା କଂ.କ. ସଭାପତି ଶ୍ରୀ ରାଧାମୋହନ ସାହୁ ମଧ୍ୟ ବିଶେଷ ଭାଗ ନେଇଥିଲେ । ଏ ସମସ୍ତ କଥା ବିଚାର କରି ଗୋଟିଏ ସମାଧାନକୁ ଆସିବା ପାଇଁ ଭୂ-ସତ୍ୟାଗ୍ରହୀ ସମାଜର କର୍ମୀମାନଙ୍କ ଏ ବୈଠକରେ ନିମ୍ନଲିଖିତ ପ୍ରସ୍ତାବମାନ ସର୍ବସମ୍ମତି କ୍ରମେ ଗୃହୀତ ହେଲା ।

 

୧. ଉଦାର ହୃଦୟର ପରିଚୟ ଦେଇ ସରକାରଙ୍କ ଏଭଳି ଆପୋଷ ମିଳାମିଶା ଓ ସମାଧାନର ଉଦ୍ୟମକୁ ଏ ସମାଜ ଅତି ଆନନ୍ଦର ସହିତ ଗ୍ରହଣ କରୁଛି ଓ ଏ ଅଞ୍ଚଳର ନିଃସ୍ଵ ଅପହୃତ ଲୋକମାନଙ୍କ ତରଫରୁ ଏ ଉଦ୍ୟମରେ ସଂପୃକ୍ତ ସମସ୍ତ ମାନନୀୟ କର୍ମଚାରୀ ଓ କର୍ତ୍ତୁପକ୍ଷଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି ।

 

୨. ଅପହୃତ ଜମିମାନଙ୍କ ସମ୍ପର୍କରେ ସମାଧାନ ଆଣିବା ହିଁ ପ୍ରଧାନ ଚିନ୍ତାର ବିଷୟ । ତେଣୁ କେବଳ ଅପହୃତ ହୋଇଥିବା ନିଃସ୍ଵ ଲୋକମାନଙ୍କୁ ଜମି ଫେରାଇଦେବା ସମ୍ପର୍କରେ ନିରପେକ୍ଷ ତଦନ୍ତ ତୁରନ୍ତ କରାଯାଉ । ଏ ପ୍ରକାର ନିରପେକ୍ଷ ତଦନ୍ତ ସକାଶେ ହୃଦୟବାନ୍ କର୍ମଚାରୀ, ବେସରକାରୀ କର୍ମୀ ଓ ସଂପୃକ୍ତ ନିଃସ୍ଵ ଚାଷୀଙ୍କର ପ୍ରତିନିଧିଙ୍କୁ ନେଇ ଗୋଟିଏ କମିଟି ଗଠିତ ହେଉ । ସେ କମିଟିକୁ ଏ ସମ୍ପର୍କରେ ସମାଧାନର ବାଟ ଖୋଜି ବିବରଣୀ ଦେବା ପାଇଁ ସରକାର ପୂର୍ଣ୍ଣ ଅଧିକାର ଦିଅନ୍ତୁ । ସେ ବିବରଣୀକୁ ଖୁବ୍ ଶୀଘ୍ର ଏବର୍ଷ ଧାନ ପାଚିବା ପୂର୍ବରୁ କାର୍ଯ୍ୟକାରୀ କରାଇବା ପାଇଁ ସରକାର ଚେଷ୍ଟା କରନ୍ତୁ । ଏ ସମସ୍ତ କାମ ତା ୧୪ । ୬ । ୫୨ ରିଖ ଠାରୁ ଅନ୍ତତଃ ୩ ମାସ ଓ ଖୁବ୍ ବେଶୀ ହେଲେ ୪ ମାସରୁ ଅଧିକ ସମୟ ଲାଗିବନାହିଁ ବୋଲି ଆମ୍ଭେମାନେ ଆଶା କରୁଛୁଁ ।

 

୩. ଏ ପ୍ରକାର ସମାଧାନକୁ ଚଞ୍ଚଳ କାର୍ଯ୍ୟକାରୀ କରିବା ଦୃଷ୍ଟିରୁ ବର୍ତ୍ତମାନ ଯେଉଁ ଅଞ୍ଚଳ ମାନଙ୍କରେ ଏ ଅପହୃତ ଜମି ସମ୍ପର୍କରେ ବିବାଦ ସୃଷ୍ଟି ହୋଇ ଯାଇଛି, ସେହି ଅଞ୍ଚଳର ଜମି ଫେରାଇବା ସମସ୍ୟାର ସମାଧାନ କରାଯାଉ ।

 

୪. ତା ୧୪ । ୬ । ୫୨ ରିଖ ଠାରୁ ୪ ମାସ ମଧ୍ୟରେ ବା ପରିସ୍ଥିତି ଦୃଷ୍ଟିରୁ ସମୟ ବଢ଼ାଇଲେ ମଧ୍ୟ ଧାନ ପାଚିବା ପୂର୍ବରୁ ଏକ କଥାର ସମାଧାନ ନହେଲେ ଜମିରେ ପ୍ରବେଶ କରିଥିବା ନିଃସ୍ଵ ଲୋକେ ଭାଗଚାଷ ଆଇନ୍ ଅନୁଯାୟୀ ଭାଗଚାଷୀଙ୍କ ଅଂଶ–ଶସ୍ୟକୁ ଛାଡ଼ି ଦେଇ ବଳକା ଅଂଶ ପାଇଁ ଦାବୀ କରିବେ ।

 

୫. ଉଲ୍ଲିଖିତ ପ୍ରସ୍ତାବମାନ ସରକାର କାର୍ଯ୍ୟକାରୀ କଲେ ଅପହୃତ ଜମି ସମସ୍ତ ବିବାଦ ଓ ଗଣ୍ଡଗୋଳକୁ ନିରାକରଣ କରିବାକୁ ଭୂ-ସତ୍ୟାଗ୍ରହୀ ସମାଜ ପ୍ରାଣପଣେ ଲାଗିବେ । ଓ ତହିଁ ସଙ୍ଗେ ସଙ୍ଗେ ଗରିବ ଆଦିବାସୀ ଭାଇମାନଙ୍କୁ ବିନୀତ ପ୍ରାର୍ଥନା ଏହିକି ସରକାର ଅପହୃତ ଜମି ଫେରସ୍ତର ବ୍ୟବସ୍ଥା କରିଦେଲେ ସମସ୍ତ ବିବାଦରୁ ଆପଣମାନେ ନିଶ୍ଚୟ ନିବୃତ୍ତ ହେଉନ୍ତୁ । ଏଥି ସଙ୍ଗେ ସଙ୍ଗେ ଏ ସମାଜ ସ୍ଥିର କରୁଛି ଯେ ଉପରୋକ୍ତ ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେବା ସମୟରେ ସମସ୍ତ ପ୍ରକାର ଶାନ୍ତି ଓ ଶୃଙ୍ଖଳା ମାନି ଚଳିବ ।

 

[ଭୂ–ସତ୍ୟାଗ୍ରହୀ ସମାଜର ବିବରଣୀ–ବହିରେ ଏହିସବୁ ବୈଠକର ବର୍ଣ୍ଣନା ଲିପିବଦ୍ଧ ହୋଇ ରହିଛି । ୧୯୫୨ ମସିହାର ସେହି ପ୍ରଥମାର୍ଦ୍ଧରେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ବ୍ୟକ୍ତିଗତ ଭାବରେ ଶ୍ରୀ ଗୋପବନ୍ଧୁ ଚୌଧୁରୀ ଓ ଶ୍ରୀ ମନମୋହନ ଚୌଧୁରୀଙ୍କ ନିକଟକୁ ଦେଇଥିବା ପତ୍ରଗୁଡ଼ିକ ମଧ୍ୟ ପୁସ୍ତକରେ ଯଥାସ୍ଥାନରେ ରହିଛନ୍ତି । ବିଶ୍ଵନାଥ ପଟ୍ଟନାୟକ ପ୍ରଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପାଖକୁ ଲେଖିଥିବା ସରକାରୀ ଚିଠିଟି ମଧ୍ୟ ବହି ମଧ୍ୟରେ ନକଲ ହୋଇ ରହିଛି । ଭୂ–ସତ୍ୟାଗ୍ରହୀ ସମାଜର କର୍ମକର୍ତ୍ତା ଶ୍ରୀ ନୀଳକଣ୍ଠ ଗମାଙ୍ଗର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରେରିତ ପତ୍ରଟିଏ ବହିଟିରେ ଉତାରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ସେହି ଚିଠିଟିର ଉତ୍ତର ଦେଇ ନାହାନ୍ତି । ଭୂ–ସତ୍ୟାଗ୍ରହୀ ସମାଜର କୌଣସି ଅସ୍ତିତ୍ଵକୁ ମଧ୍ୟ ସରକାର ହୁଏତ ସ୍ଵୀକାର କରିବାର କୌଣସି ଆବଶ୍ୟକତା ଅନୁଭବ ହିଁ କରିନଥିବେ ।

 

ବିଧିବଦ୍ଧ ଅନୁସନ୍ଧାନ ଅର୍ଥାତ୍ ସମସ୍ୟାଟିର ଅଧ୍ୟୟନ ପାଇଁ ଯେଉଁ ଭାବେ ସରକାର ଏକ ପ୍ରତିନିଧିମୂଳକ କମିଟି ଗଠନ କରୁ ବୋଲି ‘ସମାଜ’ ପରାମର୍ଶ ଦେଇଥିଲା, ସରକାର ତାହା ଆଦୌ ବିଚାରକୁ ନେଇଥିଲେ କି ? ପୁନଶ୍ଚ, ସେଭଳି ଗୋଟିଏ କମିଟି ପ୍ରକୃତରେ ଗଠିତ ହୋଇଥିଲା ତ । କାରଣ, ତା’ପରେ ତ ଉକ୍ତ ଅପହୃତ ଜମିମାନଙ୍କରେ କେତେ ଥର ଫସଲ ପାଚି ସାରିବଣି, ମାତ୍ର ଜମିଗୁଡ଼ିକ ସେହି ପୂର୍ବବତ୍ ଅପହୃତ ହୋଇ ରହିଛି । ଏକ ନ୍ୟାୟ ଦାବୀ କରିବା ସକାଶେ ପ୍ରସ୍ତୁତ ଗୋଟିଏ ସତ୍ୟାଗ୍ରହକୁ ସେତିକିରେ ବୋକା କରି ରଖାଯାଇଛି । ଭାରି କୌତୁହଳପୂର୍ଣ୍ଣ ଲାଗୁଛି ଯେ ଭୂ–ସତ୍ୟାଗ୍ରହୀ ସମାଜର ସେତିକି ପରେ ଆଉ କୌଣସି ବୈଠକ ବସିଥିବାର ନଜିର ଆମକୁ ମିଳୁନାହିଁ । ସରକାର ଆମକୁ ପ୍ରତାରିତ କଲେ ଏବଂ ଏହାପରେ ଆମେ ଆଉ କ’ଣସବୁ ପଦକ୍ଷେପ ନେବା କି ନାହିଁ, ସେହି କଥାଟିକୁ ବିଚାର କରିବାର ଆବଶ୍ୟକତାକୁ ସଂପୃକ୍ତ କେହିହେଲେ ଅନୁଭବ କରିନାହାନ୍ତି କିଭଳି କେଜାଣି ?]

 

ତଥାପି, ମୋ’ ପାଖରେ ରହିଥିବା ଗୋଟିଏ ନଥି ମୁତାବକ ୧୨ । ୧୦ । ୫୨ ତାରିଖରେ କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଏକତ୍ର କରାଇ ଏକ ବୈଠକ ବସିଥିଲା । ତାହାର ନିବେଦନ–ପତ୍ରଟି ଏହିପରି :

 

ନିବେଦନ

 

ଏତଦ୍ଦ୍ଵାରା ନିମ୍ନଲିଖିତ ଭାଇମାନଙ୍କୁ ଅନୁରୋଧ କରୁଅଛି ଯେ, ଆସନ୍ତା ତା ୧୨।୧୦।୫୨ ରିଖ ରବିବାର ସନ୍ଧ୍ୟାରେ କୁଜେନ୍ଦ୍ରୀ ଆଶ୍ରମରେ ଆମ ତାଲୁକରେ ଉପୁଜୁଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହାର ଗୁରୁତ୍ଵ ଅନୁଭବ କରି ଆପଣମାନେ ନିର୍ଦ୍ଦିଷ୍ଟ ସମୟରେ ଆସି ଯୋଗ ଦେବାକୁ ପ୍ରାର୍ଥନା କରେ ।

 

ନିମ୍ନଲିଖିତ ବ୍ୟକ୍ତି ଛଡ଼ା ଅନ୍ୟ କାହାରିକୁ ସଙ୍ଗରେ ଆଣିବେନାହିଁ । ଏହି ନୀତିକୁ ବରାବର ପାଳନ କରିବେ ।

 

ଆବେଦକ

ବିଶ୍ଵନାଥ ପଟ୍ଟନାୟକ

କୁଜେନ୍ଦ୍ରୀ

ତା ୭ । ୧୦ । ୫୨

 

[ତା’ପରେ ବ୍ୟକ୍ତିମାନଙ୍କର ନାମ ଓ ସେମାନଙ୍କର ଗାଆଁମାନଙ୍କର ନାମ-ଯେଉଁମାନଙ୍କ ପାଖରେ ପତ୍ରଟି ପହଞ୍ଚିଥିଲା, ସେମାନଙ୍କର ସ୍ଵାକ୍ଷର–ସବୁ ସ୍ଵାକ୍ଷରଗୁଡ଼ିକ ଓଡ଼ିଆରେ ଓ ଗୋଟିଏ (ଚକ୍ରପାଣି ଗମାଙ୍ଗ) ତେଲୁଗୁ ଅକ୍ଷରରେ । ମଝିରେ ୩/୪ଟି ଟିପଚିହ୍ନ ମଧ୍ୟ ରହିଛି ।]

 

ସେହି ଜରୁରୀ ବୈଠକଟିର ଏହିପରି ଗୋଟିଏ ବିବରଣୀ :–

 

ତା ୧୨ । ୧୦ । ୫୨ ରିଖ ଭୂ–ସତ୍ୟାଗ୍ରହୀ ସମାଜର ଗୋଟିଏ ଜରୁରୀ ବୈଠକ ସମସ୍ତ ରାୟଗଡ଼ା ସବ୍‌ଡ଼ିଭିଜନ୍‌ର ୪୫ ଜଣ ଆଦିବାସୀ ପ୍ରତିନିଧିଙ୍କୁ ନେଇ ବସିଥିଲା । ୨ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ନିମ୍ନଲିଖିତ ପ୍ରସ୍ତାବମାନ ଗୃହୀତ ହେଲା ।

 

କୋରାପୁଟରେ ରାୟଗଡ଼ା ଅଞ୍ଚଳରେ ଆଦିବାସୀମାନେ ଖାଇବାକୁ ନପାଇ ଗତବର୍ଷ ଅନେକ ସଂଖ୍ୟାରେ ମଲେ । ଏହାର କାରଣ, ସେମାନଙ୍କ ଜମି ଆଜି ଅପହୃତ ଓ ଜଙ୍ଗଲଜାତ କନ୍ଦା, ଆମ୍ବଟାକୁ ତାଙ୍କ ପ୍ରତି ଯଥେଷ୍ଟ ନୁହେଁ । ତେଣୁ ବହୁବର୍ଷ ଧରି ଚାଲି ଆସୁଥିବା ଅନ୍ୟାୟ ଅପହରଣ ବିରୁଦ୍ଧରେ କାଁ ଭାଁ ଜମି ପ୍ରବେଶରେ ବିଫଳ ମନୋରଥ ହୋଇ ସାରା ଅଞ୍ଚଳର ଆଦିବାସୀ ଅନୁଭବ କଲେ ଯେ ଜମି ସକାଶେ ନିର୍ଭୟ ଓ ଦୃଢ଼ ଦାବୀ କରି ନ୍ୟାୟ ହାସଲ କରିବାକୁ ହେଲେ ସଂଘବଦ୍ଧ ଉଦ୍ୟମ ଦରକାର । ଏଣୁ ଭୂ–ସତ୍ୟାଗ୍ରହୀ ସମାଜ ଗଢ଼ାଗଲା ଓ ଏଥିସକାଶେ ଅପହୃତ ଜମିରେ ପ୍ରବେଶ, ଭାଗଚାଷୀର ଆଇନଗତ ପାଉଣା ସ୍ଥାନେ ସ୍ଥାନେ ହାସଲ କରିବାକୁ ଚେଷ୍ଟା ହେଲା । ଏଥିରେ ନ୍ୟସ୍ତସ୍ଵାର୍ଥ ଲୋକେ କର୍ମୀ ଓ ସାଧାରଣ ଆଦିବାସୀଙ୍କ ଉପରେ ମୋକଦ୍ଦମା ଚଳାଇଲେ । ପୋଲିସ୍ ଏରେଷ୍ଟ୍ କଲେ; ଲୋକମାନେ ମଧ୍ୟ ହସି ହସି ଜେଲ୍ ମୁହଁକୁ ଗଲେ ।

 

ତା’ ପରେ ଏକଥା ଜନପ୍ରିୟ କଂଗ୍ରେସ ମନ୍ତ୍ରୀମଣ୍ଡଳଙ୍କ ଆଖିରେ ପଡ଼ିଲା । ରେଭେନ୍ୟୁ କମିଶନର, କୋରାପୁଟ ଜିଲ୍ଲାର କର୍ତ୍ତୃପକ୍ଷ ଓ ସ୍ଥାନୀୟ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭାବରେ ଏ ସମସ୍ତ ତଥ୍ୟ ଅନୁସନ୍ଧାନ କଲେ । ମାସେ କାଳ ଅନୁସନ୍ଧାନ ପରେ ମଧ୍ୟ ଯେତେବେଳେ ରାଜ୍ୟସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶେଷ ଚିଠି ଦିଆଗଲା, ସେତେବେଳେ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ସରକାର ଜଣେ ସ୍ପେଶଲ୍ ଅଫିସରଙ୍କୁ ନିଯୁକ୍ତ କଲେ ଓ ଆମ୍ଭେମାନେ ଏ ପ୍ରକାର ଉଦ୍ୟମକୁ ସ୍ଵାଗତ କରି ୪ ମାସ ପାଇଁ ଆନ୍ଦୋଳନ ବନ୍ଦ ରଖିଲୁ ।

 

ଇତିମଧ୍ୟରେ ସରକାରଙ୍କ ଗତି ନିରୀକ୍ଷଣ କଲେ ଦେଖାଯାଉଛି ଯେ, ସରକାର ଏ ସମ୍ପର୍କରେ ଅନୁକୂଳ ମତ ପୋଷଣ କରି ୧୨ ବର୍ଷିଆ ଆଇନ୍‌କୁ ପରିବର୍ତ୍ତନ କରାଇଛନ୍ତି ଓ ୧୯୧୭ ମସିହାଠାରୁ ଆଦିବାସୀମାନଙ୍କ ଅପହୃତ ସମସ୍ତ ଜମିକୁ ଫେରାଇ ଆଣିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡ଼ା ବର୍ଷେ ମଧ୍ୟରେ ସମସ୍ତ ଭାଗଚାଷୀଙ୍କୁ ଚଷୁଥିବା ଜମିରେ ପ୍ରଜାସ୍ଵତ୍ଵ ମିଳିବାର ଆଶା ଦେଇଛନ୍ତି ଓ ଏହି ଉଦ୍ଦେଶ୍ୟରେ ଶୀଘ୍ର ଆଇନ୍ ପ୍ରଣୟନ ହେବାର ଚେଷ୍ଟା ଚାଲିଛି । ଏହାଛଡ଼ା ନିଃସ୍ଵ ଲୋକଙ୍କୁ ଅରକ୍ଷିତ ଜଙ୍ଗଲ ଓ ଅନାବାଦୀ ପଡ଼ିଆଜମି ପଟ୍ଟା ଓ ହଳବଳଦ ଇତ୍ୟାଦି ସାହାଯ୍ୟ ଦେବାର ପ୍ରତିଶ୍ରୁତି ସଙ୍ଗେ ସଙ୍ଗେ ଏ ଅଞ୍ଚଳକୁ ପ୍ରତିଶ୍ରୁତି ଦୃଷ୍ଟିରୁ ଜମି ନଥିବା ଲୋକଙ୍କୁ ମଧ୍ୟ ବିନା ସର୍ତ୍ତରେ ଋଣ ଦେବାର ନିଶ୍ଚୟ କରିଛନ୍ତି । ଏହାଛଡ଼ା ୫ (ପାଞ୍ଚଗୋଟି) କେନ୍ଦ୍ରରେ ସମବାୟ ବିଭାଗରୁ ଟ ୧୫,୦୦୦/–ଲେଖାଏଁ ସାହାଯ୍ୟ ଦେଇ ଭଣ୍ଡାର ଚଳାଇ ଷ୍ଟାଣ୍ଡାର୍ଡ଼୍ ମାପରେ ସର୍ବତ୍ର ପ୍ରବର୍ତ୍ତନ କରି କିଣାବିକାରେ ଆଦିବାସୀମାନଙ୍କୁ ଠକିବାରୁ ମଧ୍ୟ ରକ୍ଷା କରିବାର ନିଶ୍ଚୟ କରିଛନ୍ତି । ଉପରୋକ୍ତ ଅପହୃତ ଓ ଭାଗଚାଷ ଜମି ସକାଶେ କେମ୍ପକୋର୍ଟ୍ ଦ୍ଵାରା ନିଷ୍ପତ୍ତି କରି ନ୍ୟାଯ୍ୟ ଦାବୀ ପୂରଣ କରିବାର ନିଶ୍ଚୟ କରିଛନ୍ତି । ଆଦିବାସୀ ମାନଙ୍କୁ ଏ ପାଇଁ କୋର୍ଟ ଫି ଦେବାକୁ ପଡ଼ିବ ନାହିଁ ଓ ସେମାନେ ସମସ୍ତ ଅଦାଲତରେ ସରକାରୀ ଓକିଲଙ୍କ ସାହାଯ୍ୟ ପାଇବେ-

 

ଏ ସମସ୍ତ କଥା ରେଭେନ୍ୟୁ କମିଶନର୍, ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସ. ଏ. ଏଜେଣ୍ଟ୍‌ଙ୍କ ସହିତ ଆସି ଗୁଣପୁର ବଙ୍ଗଳାରେ ସାଧାରଣ ଲୋକଙ୍କୁ ଘୋଷଣା କରି ଯାଇଛନ୍ତି ।

 

ଅତଏବ ଏବେ ଆମ୍ଭମାନଙ୍କର ନୂଆ କରି ସତ୍ୟାଗ୍ରହ ପ୍ରସ୍ତାବର ବିଚାର କରି ଦେଖିବାର ପ୍ରଶ୍ନ ଉଠୁଛି । ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଯେପରି ସରକାର ପାଳନ କରନ୍ତି, ତା’ର ସମସ୍ତ ଦାୟିତ୍ଵ ସରକାରଙ୍କର । ମାତ୍ର ଏପ୍ରକାର ଯେତେ ଘଟଣା ଟିକିନିଖି.... ଗାଁ’ କୁ ଗାଁ ଦେଖି ସରକାରଙ୍କ ଗୋଚରକୁ ଆଣିବାର କର୍ତ୍ତବ୍ୟ ଆମ୍ଭ କର୍ମୀମାନଙ୍କର । ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସହଯୋଗ ସ୍ଥାପନ କରାଇ ଏ ସୁବିଧା ପହଞ୍ଚାଇବାର କର୍ତ୍ତବ୍ୟ ଆମର । ଯେତେଦିନ ପର୍ଯ୍ୟନ୍ତ ସରକାର ତାଙ୍କର ପ୍ରତିଶ୍ରୁତି ଉପରେ ପ୍ରତିଷ୍ଠିତ ଥିବେ, ସେତେଦିନ ପର୍ଯ୍ୟନ୍ତ ଆମର ସତ୍ୟାଗ୍ରହର ପ୍ରଶ୍ନ ଉଠିବନାହିଁ । ତେଣୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଆନ୍ଦୋଳନ ସ୍ଥଗିତ ରଖାଗଲା । ଯେଉଁ ଲୋକମାନେ ଏ ନିଶ୍ଚୟକୁ ନମାନି କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ, ତାହା ବ୍ୟକ୍ତିଗତ ବୋଲି ଧରି ନିଆଯିବ ଓ ଏ ପ୍ରକାର ଆଇନ୍ ଅମାନ୍ୟ ପାଇଁ ଅନୁଷ୍ଠାନ ଦାୟୀ ହେବନାହିଁ ।

 

୨ । ତେଣୁ, ଭୂ–ସତ୍ୟାଗ୍ରହୀ ସମାଜର ସମସ୍ତ ଆନ୍ଦୋଳନଗତ କାର୍ଯ୍ୟକ୍ରମ ଏତଦ୍ଦ୍ଵାରା ବନ୍ଦ ରଖାଗଲା । ଏ ସମାଜର ସମସ୍ତ କର୍ମୀ ସ୍ଥାନେ ସ୍ଥାନେ ବୁଲି ଉପରୋକ୍ତ କଥା ପ୍ରଚାର କରିବେ, ଯେପରି ଅପହୃତ ଜମି ଓ ଭାଗଚାଷ ଆଦି ସମ୍ପର୍କରେ ସମସ୍ତ ତଥ୍ୟ ଦରଖାସ୍ତ ଆକାରରେ ବିଭାଗୀୟ କର୍ମୀମାନଙ୍କ ଠାକୁ ଆସେ, ତା’ର ବ୍ୟବସ୍ଥା କରିବେ । କେମ୍ପ୍ କୋର୍ଟ୍ ସମସ୍ତ ଅଭିଯୋଗ ମୀମାଂସା କରିବାରେ ମଧ୍ୟ ସରକାରଙ୍କୁ ସହଯୋଗ କରାଯିବ । ଏତଦ୍ଦ୍ଵାରା....ଯଦି ସରକାର ତଥା ଧନୀମାନଙ୍କର ହୃଦୟ ପରିବର୍ତ୍ତନ ହୁଏ, ତେବେ ଆମ୍ଭମାନଙ୍କ ତରଫରୁ କୌଣସି ଗୋଳମାଳର ଆଶଙ୍କା ନାହିଁ । ବରଂ ସରକାରଙ୍କ ସହିତ ସହଯୋଗର ପୂର୍ଣ୍ଣ ଆଶା ରହୁଛି ।

 

ଏହାଛଡ଼ା ଆମ୍ଭେମାନେ ଓଡ଼ିଶାରେ ସନ୍ଥ ବିନୋବାଜୀଙ୍କ ଭୂ–ଦାନଯାତ୍ରାକୁ ସ୍ଵାଗତ କରୁଛୁ । ଏହା ଅହିଂସ ସାମ୍ୟ ସମାଜ ଗଢ଼ିବାର ଏକମାତ୍ର ବାଟ ଏବଂ ଧନୀମାନଙ୍କର ହୃଦୟ ପରୀକ୍ଷାରେ ଗୋଟିଏ ପ୍ରକୃଷ୍ଟ ସମୟ ଓ ସ୍ଥାନ । ଏସବୁଥିରେ ଆମ୍ଭମାନଙ୍କର ଆକାଙ୍‌କ୍ଷାପୂରଣ ଓ ଅପର ପକ୍ଷରେ ନ୍ୟସ୍ତସ୍ଵାର୍ଥ ଲୋକଙ୍କ ହୃଦୟରେ ଦୟା ଓ କାମରେ ସହାନୁଭୂତି ପ୍ରକାଶ ପାଇଲେ ସରକାର ଉତ୍ତରୋତ୍ତର ନିଃସ୍ଵ ଆଦିବାସୀଙ୍କର ଉନ୍ନତି କଳ୍ପନା କଲେ ଭବିଷ୍ୟତରେ ଆନ୍ଦୋଳନର କୌଣସି ଅବକାଶ ରହିବନାହିଁ ।

 

୩ । ଶେଷରେ, ଆଦିବାସୀମାନଙ୍କ ପ୍ରକୃତ ଅବସ୍ଥା ଅନୁଭବ କରି ପ୍ରତିକାର ଦିଗରେ ଚେଷ୍ଟା କରୁଥିବା ଯୋଗୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ।

 

ଯେଉଁ ସମସ୍ତ ସରକାରୀ ବେସରକାରୀ ବ୍ୟକ୍ତି ତଥା ଅନୁଷ୍ଠାନ ଆମପ୍ରତି ସହୃଦୟ ଅଛନ୍ତି ଓ ଆମ ସାଙ୍ଗରେ ମିଶି ଏତେଦୂର ଆଗେଇ ନେଇଛନ୍ତି, ତାଙ୍କଠାରେ କୃତଜ୍ଞତା ଜ୍ଞାପନ କରୁଛୁ ।

 

ବିଶ୍ଵନାଥ ପଟ୍ଟନାୟକ

ଭୂ–ସତ୍ୟାଗ୍ରହୀ ସମାଜ

କୁଜେନ୍ଦ୍ରୀ

 

ନୀଳକଣ୍ଠ ଗମାଙ୍ଗ, ଶୁଣ୍ଡି ଗମାଙ୍ଗ (ତେଲୁଗୁରେ ସ୍ଵାକ୍ଷର ପ୍ରଦାନ କରିଛନ୍ତି ।)

 

ଇତିମଧ୍ୟରେ ଗତ ୫୭ ବର୍ଷ ମଧ୍ୟରେ କେତେ ସରକାର ଗଲେଣି ଓ ଆସିଲେଣି । ଏବଂ ନିପୀଡ଼ିତ ପ୍ରଜା ସେହିପରି ନିପୀଡ଼ିତ ହୋଇ ରହିଛନ୍ତି । ଏବଂ, ଅପର ପକ୍ଷରେ, ଭୂ–ସତ୍ୟାଗ୍ରହ ସମାଜର ବହୁ ବ୍ୟକ୍ତି ମଧ୍ୟ ସଂସାରରୁ ବିଦାୟ ନେଇ ଚାଲି ଯାଇଥିବେ । ସରକାର ଯେ ପ୍ରକୃତରେ କିଛି କଲେନାହିଁ, ଏତେ ଏତେ ଭରସା ସହିତ ଉଚ୍ଚ ସରକାରୀ ଅଫିସରଙ୍କୁ ସତ୍ୟାଗ୍ରହୀ ମାନଙ୍କର ସମସ୍ୟାକୁ ଯଥାସମ୍ଭବ ବୁଝି ଭରସା ଦେଇ ଆସିବା ସକାଶେ ପଠାଇଥିବା ମତିମାନ୍ ମୁଖ୍ୟମନ୍ତ୍ରୀ ପଛକୁ ଦୃଷ୍ଟିପାତ କରି ସତକୁ ସତ ସବୁ ଯେମିତି ସେମିତି ରହିଗଲା ହୋଇ ପ୍ରାୟ ଏକ ଆତ୍ମଧିକ୍କାର ସହିତ ଆପଣାର ଏକ ପରବର୍ତ୍ତୀ ଅବସରରେ ‘ମୁଁ କାନୁ ସାନ୍ୟାଲ ହେବି, ମୁଁ ଚାରୁ ମଜୁମଦାର ହେବି’ ବୋଲି କହି ପକାଇଥିଲେ କି ?

 

ଏହାପରେ ପରିଶିଷ୍ଟ–୨ ପରବର୍ତ୍ତୀ ଆଉ ଏକ ଚିତ୍ର ପ୍ରଦାନ କରି । ତଥାପି ପରିଶିଷ୍ଟ–୧ ଓ ପରିଶିଷ୍ଟ–୨ ମଧ୍ୟରେ ଏକ ଅନ୍ତର୍ଗତ ସମ୍ବନ୍ଧ ଅବଶ୍ୟ ରହିଛି ।

Image

 

ପରିଶିଷ୍ଟ (୨)

 

ଏଇଟି ମଧ୍ୟ ଆଜ୍ଞା ଶ୍ରୀ ବିଶ୍ଵନାଥ ଭାଇଙ୍କର ଗୋଟିଏ ପତ୍ରରୁ ଆରମ୍ଭ :

 

ବନବାସୀ ସେବା ସମିତି

ବାଲିଗୁଡ଼ା

ଶ୍ରଦ୍ଧେୟ ଚିତ୍ତଭାଇ, ୨୭.୧୨.୦୪

 

ଆପଣଙ୍କର ୨୦ । ୧୨ । ୦୪ ର ଚିଠି ଆଜି ପାଇଲି । ଏଠାରୁ ଅନୁଷ୍ଠାନର ସହସଂପାଦକ.....କଟକ ଯାଉଥିବାରୁ ଆପଣଙ୍କ ଠାରୁ ତାଙ୍କ ଦ୍ଵାରା ବିରଜା ରାୟ M.L.A ଥିଲା ସମୟରେ ନକ୍ସାଲାଇଟ୍ ଅଞ୍ଚଳକୁ ଅନୁସନ୍ଧାନ ପାଇଁ ଆସି ଯେଉଁସବୁ ତଥ୍ୟ ସଂଗ୍ରହ କରିଥିଲେ, ତା’ର ଏକ କପି ଆପଣଙ୍କୁ ପଠାଇବା ପାଇଁ ଲେଖିଥିଲେ, ସେହି କପିଟି ଏଥିସହ ପଠାଇଲି । (ବିରଜାବାବୁଙ୍କୁ ନେଇ) ନକ୍ସାଲାଇଟ୍ ଦମନ ନାମରେ ସରକାରଙ୍କ ତରଫରୁ ଆଦିବାସୀଙ୍କୁ ଯେଉଁଭଳି ଦମନ କରା ଯାଉଥିଲା, ତା’ର ପ୍ରତିରୋଧ ପାଇଁ ଗରଣ୍ଡା ଅଞ୍ଚଳରେ ଏବଂ ମହେନ୍ଦ୍ରତନୟା ଅଞ୍ଚଳରେ ସୁବାରାଓ ପାଣିଗ୍ରାହୀ ଆଦିଙ୍କୁ ପୋଲିସ୍ ଗୁଳିରେ ନିହତ କରାଗଲା, ତାହା କଳ୍ପନାତୀତ । ସେତେବେଳେ ମହେନ୍ଦ୍ରତନୟା ଅଞ୍ଚଳରେ ଏବଂ ଗୁଣୁପୁର ଅଞ୍ଚଳରେ D.S.P. ନନ୍ଦୀ ଏବଂ M.P. (ବ୍ରହ୍ମପୁର ଅଞ୍ଚଳର) ଅନାଦି ସାହୁ ଯେତେବେଳେ S.P. ଥିଲେ, ପରେ ଇସ୍ତଫା ଦେଇ M.P. ହେଲେ, ସେମାନେ ଲୋକଙ୍କୁ ଯାହା ଦୁଃଖ ଦେଉଥିଲେ, ତା’ ର ମୁକାବିଲା ପାଇଁ ବୈକୁଣ୍ଠ ପାତ୍ରକୁ S.P. ନନ୍ଦୀ .... ପଦରରେ କ୍ୟାମ୍ପ୍ କରି ଯେପରି କର୍ମୀଙ୍କୁ ମାଡ଼ ଦେଲେ, ଯାହା ଫଳରେ ନୁମା, ବାପି ୩/୪ ମାସ ପର୍ଯ୍ୟନ୍ତ ଗରଣ୍ଡା ଗାଁ’ରେ ରହି ତା’ର ମୁକାବିଲା କଲେ । ସେତେବେଳେ ନୁମା, ବାପି ଯିବା ପରେ ମୁଁ ନୁମା ଜରିଆରେ ବିରଜାବାବୁଙ୍କୁ ଡକାଇ ତାଙ୍କୁ ସଙ୍ଗରେ ନେଇ ସେହି ଅଞ୍ଚଳସବୁ ବୁଲିଥିଲି । ବିରଜାବାବୁ ଯେଉଁ ରିପୋର୍ଟ୍ ଦେଇଥିଲେ, ତା’ର ନକଲ ଆପଣଙ୍କ ଆବଶ୍ୟକ ହୋଇପାରେ ବୋଲି ଏଥିସହ ପଠାଇଲି ।

 

ଆଶା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଥିବ । ଈଶ୍ଵର ଆପଣଙ୍କର ମଙ୍ଗଳ କରନ୍ତୁ । ଆପଣଙ୍କର ଲେଖନୀ ତେଜସ୍ଵୀ ହୋଇ ସମସ୍ତଙ୍କ ପାଖରେ ଗୌରବ ଅର୍ଜନ କରୁ ଏହା ମୋ’ ର ପ୍ରାର୍ଥନା ।

 

ଆପଣଙ୍କର

ବିଶ୍ଵନାଥ, ୨୭.୧୨.୦୪

 

ଶ୍ରୀଯୁକ୍ତ ବିରଜାପ୍ରସାଦ ରାୟଙ୍କ ଦ୍ଵାରା ପ୍ରଦତ୍ତ ବିବରଣୀ

 

ଆମ ରାଜ୍ୟର ଓଡ଼ିଶା–ଆନ୍ଧ୍ର ଉପାନ୍ତ ଅଞ୍ଚଳରେ କୋରାପୁଟ ଜିଲ୍ଲାର ଗୁଣୁପୁର P.S. ଏବଂ ପାରଳାଖେମୁଣ୍ଡି ସବ୍‌ଡିଭିଜନ୍‌ର (ଗଞ୍ଜାମ ଜିଲ୍ଲା) ପୂର୍ବତନ ରାମଗିରି ଥାନା ଅଞ୍ଚଳରେ ନକ୍ସଲପନ୍ଥୀଙ୍କର ହିଂସାତ୍ମକ କାର୍ଯ୍ୟକଳାପ ଦମନ ନିମନ୍ତେ ପୋଲିସ୍ ତତ୍ପରତାର ସମ୍ବାଦ ଗତ ବର୍ଷର ଶୀତଋତୁରେ ଖବରକାଗଜ ଆଦିରୁ ଶୁଣୁଥିଲି । ସେ ଅଞ୍ଚଳରେ ଜନକଲ୍ୟାଣ କଳ୍ପେ ପୂଜ୍ୟ ବିନୋବାଜୀଙ୍କ ନେତୃତ୍ଵରେ ଓଡ଼ିଶାର ମୁଖ୍ୟ ଗାନ୍ଧୀବାଦୀ କର୍ମୀମାନେ ବହୁଦିନ ଧରି କାମ କରି ଆସୁଛନ୍ତି । ବିଶେଷତଃ ସ୍ଵର୍ଗତ ପୂଜ୍ୟ ଗୋପବନ୍ଧୁଙ୍କର ଚୌଧୁରୀ ପରିବାର ଓ ଅନୁଗାମୀ ରାଜନୀତି–ବିମୁଖ ରଚନାତ୍ମକ କର୍ମୀମାନେ ପୂରା କୋରାପୁଟ ଜିଲ୍ଲାକୁ ସର୍ବୋଦୟ ବିଚାରର ପୀଠସ୍ଥଳ କରିବାରେ ନିରବଚ୍ଛିନ୍ନ ଚେଷ୍ଟା କରି ଚାଲିଛନ୍ତି । ଫଳତଃ ସେ ଜିଲ୍ଲା ଗ୍ରାମଦାନରେ ଭାରତର ଅଗ୍ରଣୀ ଜିଲ୍ଲାମାନଙ୍କରେ ଅନ୍ୟତମ । ଏବେ ବି ସେଠାରେ ଉପାନ୍ତ ଅଞ୍ଚଳ ଗୁଣୁପୁର ଥାନାର ଗରଣ୍ଡା ଓ କୁଜେନ୍ଦ୍ରୀରେ ଗାନ୍ଧୀମାର୍ଗ ଅନୁସରଣକାରୀଙ୍କର ନିର୍ମାଣକାର୍ଯ୍ୟ ଚାଲିଛି । ସେଠାରେ ନକ୍‌ସଲ୍‌ପନ୍ଥୀଙ୍କର ପ୍ରାଧାନ୍ୟ କଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା । ବାଟଘାଟ ନଥିବା ଅଞ୍ଚଳ । ସରକାରୀ ସୂତ୍ରରୁ ଯାହା ଶୁଣାଯାଏ, ତା’ ବାହାରକୁ ସାଧାରଣ ସମ୍ବାଦ ସରବରାହ ବ୍ୟବସ୍ଥା ନାହିଁ । ଗତ ମାର୍ଚ୍ଚ ମାସରେ ସେହି ଶୌରା ଅଞ୍ଚଳର ଅନ୍ୟ ଅଂଶ ଗଞ୍ଜାମର କୋରାପୁଟକୁ ଲାଗିଥିବା ଆନ୍ଧ୍ର ଉପାନ୍ତ ପୂର୍ବତନ ରାମଗିରି ଥାନାରେ ଡେମା ଶବର ନାମକ ଜଣେ ଲୋକକୁ ପୋଲିସ୍ ଆରେଷ୍ଟ୍ କରି ଆଣୁଥିବା ବେଳେ ପର୍ବତ କନ୍ଦରରେ ମହେନ୍ଦ୍ର ପର୍ବତକୁ ଲାଗିଥିବା ସ୍ଥାନରେ ନକ୍‌ସଲ୍‌ପନ୍ଥୀଙ୍କ ସହ ପୋଲିସର ଯୁଦ୍ଧ ଲାଗି ଆଉ କେହି ନମରି କେବଳ ବନ୍ଦୀ ହୋଇ ଯାଉଥିବା ଡେମା ଶବରର ମଲା ଖବର ପଢ଼ି ଘୋର ସନ୍ଦେହ ହେଲା । ଆସେମ୍ବ୍ଲି ମୁଲତୁବୀ ନୋଟିସ୍‌ର ପରବର୍ତ୍ତୀ ବିବରଣୀରୁ ସରକାରଙ୍କର ଉତ୍ତର ସନ୍ତୋଷଜନକ ନହେବାରୁ ଘରୋଇ ବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କଲି ଯେ, ଆମ ଭିତରୁ ଦଳେ ବିଧାନସଭା ସଦସ୍ୟଙ୍କୁ ସରଜମିନ୍ ପରୀକ୍ଷା କରିବାକୁ ପଠାଯାଉ । ମାତ୍ର ସରକାରଙ୍କର ଅନୁମତି ମିଳିଲାନାହିଁ । ପରେ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସ୍ତ୍ରୀ ସୁନାମଧନ୍ୟା ସମାଜସେବୀ, ନବଜୀବନ ମଣ୍ଡଳର ନେତ୍ରୀ ଶ୍ରୀମତୀ ମାଳତୀ ଚୌଧୁରୀଙ୍କ ଠାରୁ ଏହି କନ୍ଧ ଶବରବାସୀ ଉପାନ୍ତ ଅଞ୍ଚଳରେ ନକ୍‌ସଲ୍‌ପନ୍ଥୀଙ୍କ ହିଂସାକାଣ୍ଡ ନିରାକରଣ ନାମରେ ପୋଲିସର ବର୍ବର ଅତ୍ୟାଚାର କାହାଣୀଯୁକ୍ତ ପତ୍ର ପାଇଲି । ତା’ ସାଙ୍ଗକୁ କୋରାପୁଟରେ ‘ଆଜ୍ଞା’ ନାମରେ ପରିଚିତ ତ୍ୟାଗୀ ସର୍ବୋଦୟ ନେତା ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କର ମଧ୍ୟ ଅନୁରୋଧ ପହଞ୍ଚିଲା, ସେହି ଉପାନ୍ତ ଅଞ୍ଚଳ, ଯେଉଁଠି କି ଓଡ଼ିଶା ସଭ୍ୟତାର ଜଗନ୍ନାଥ ଧର୍ମର ଆଦି–ପ୍ରବର୍ତ୍ତକ ଆଜିର ନଙ୍ଗଳା ଶବର ନିଜ ଜୀବନରକ୍ଷା କରିବାଲାଗି, ସରକାର ଓ ସାହୁକାର ଦାଉରୁ ରିଆତି ପାଇବାଲାଗି ଜଙ୍ଗଲହୀନ ରୁକ୍ଷ ପର୍ବତ କନ୍ଦରରେ ଅତି ଦୁରାରୋହ ସ୍ଥାନମାନଙ୍କରେ ଲୁଚି ଛପି ରହିଥିଲା, ଯାହାଙ୍କ ମନରେ ପୂଜ୍ୟ ବିନୋବାଜୀଙ୍କ ପାଦସ୍ପର୍ଶରେ ବଞ୍ଚିବାର ଆଶା ଜାଗିଥିଲା, ଆଜି ସେହିମାନଙ୍କୁ, ସେହି ଭାଷାହୀନ ମୂକ ଜଡ଼ମାନଙ୍କୁ କିଭଳି ନକ୍‌ସାଲାଇଟ୍ ବୋଲି ଭୁଲ ଧାରଣା ସୃଷ୍ଟି କରାଇ ଧରିତ୍ରୀପୃଷ୍ଠରୁ ଲୋପ କରିବାର ଅପଚେଷ୍ଟା ଚାଲିଛି, ତାହାର ଚାକ୍ଷୁଷ ପ୍ରମାଣ ନେବାକୁ ।

 

ତା୨୩-୪-୭୦ ରିଖରେ ଗୁଣପୁର ନିର୍ବାଚନ ମଣ୍ଡଳୀର ଏମ୍.ଏଲ୍.ଏ. ଶ୍ରଦ୍ଧେୟ ଶ୍ରୀ ଭାଗିରଥି ଗମାଙ୍ଗ ଓ ସର୍ବୋଦୟ ନେତା ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କ ସାଙ୍ଗରେ ଯାଇ ଅମଡ଼ିଙ୍ଗ୍ କ୍ୟାମ୍ପ୍‌ରେ ଥିବା ପୋଲିସ୍, ଯେଉଁମାନେ ଡୁମୁରିଗୁଡ଼ା ଗ୍ରାମର ମଙ୍ଗାଇ ଶୌରା ପ୍ରତି ତତ୍‌ପୂର୍ବ ରାତ୍ରରେ (ତା ୨୪-୪-୭୦) କରିଥିବା ଜୁଲମ ଓ ତାକୁ ଘୋଡ଼ାଇବା ଲାଗି ଗ୍ରାମବାସୀଙ୍କୁ ନକ୍‌ସାଲପନ୍ଥୀ ବଦନାମ ଦେଇ ସେହିଦିନ ମିଥ୍ୟା ମକଦ୍ଦମା ସୃଷ୍ଟିର ଅପଚେଷ୍ଟା ବିବରଣୀ ପ୍ରଥମେ ଶୁଣିଲି । ପୋଲିସ୍ ନଷ୍ଟ କରିଥିବା କ୍ଷେତ ସ୍ଥାନୀୟ ଏମ୍.ଏଲ୍.ଏ. ଶ୍ରୀ ଭାଗିରଥି ଗମାଙ୍ଗ ବୁଲି ପୋଲିସ୍ ବୁଟ୍ ଚିହ୍ନ ଦେଖୁଥିବା ବେଳେ ଫଟୋ ଓ ବିବୃତ୍ତି ନେଲି । ସେହି ଗୁଣପୁର ପୋଲିସ୍ ଷ୍ଟେଶନ୍‌ର କୁସୁମଗୁଡ଼ା ଗ୍ରାମର ପାତିକି ବିସିଂର ସ୍ତ୍ରୀ ପ୍ରତି ପୋଲିସ୍ ଅତ୍ୟାଚାର କରୁଥିବା ବେଳେ ଡକା ଶୁଣି ପାତିକି ବିସିଂ ଆସି ବାଧା ଦେବାରେ ନକ୍‌ସାଲ୍‌ପନ୍ଥୀ ଆଖ୍ୟାରେ ତାକୁ ଗରଣ୍ଡା ପୋଲିସ୍ କ୍ୟାମ୍ପକୁ ଫୋର୍ସ୍‌ମାନେ ଧରି ନେଇଯାଇ ଅକଥନୀୟ ଯନ୍ତ୍ରଣା ଦେଇ ପୋଲିସ୍‌କୁ ମାରିଥିବାର ମିଛ କେଶ୍ ରୁଜୁ କରିଥିବା, ହାଡ଼ଙ୍ଗ୍‌ଗୁଡ଼ାର ଚାଷୀଙ୍କୁ ତାଙ୍କ ପାଚିଲା ଧାନ ବନ୍ୟ ବରାହ ଗ୍ରାମରୁ ରକ୍ଷା ନିମନ୍ତେ ଜଗିବାକୁ ନଛାଡ଼ି ଫସଲ ଉଜାଡ଼ି ଦେବା, ପାଲେକ୍‌ଡ଼ାଙ୍ଗ୍ ଛାଉଣିର ସଶସ୍ତ୍ର ପୋଲିସ୍ ନିଜ ଶୋଇବା ଜାଗା ଚାରିପଟେ ଗ୍ରାମବାସୀଙ୍କୁ ସାରା ରାତ୍ର ଅନିଦ୍ରା ରହି ଠିଆ ଠିଆ ଜଗିବା ନିମନ୍ତେ ବାଧ୍ୟ କରିବା ଓ ଢୋଳେଇ ପଡ଼ିଲେ କି ବସିଗଲେ ପିଟି ପିଟି ଦରମଲା କରି ମୁହଁ ପାଣିରେ ବୁଡ଼ାଇ ନିଆଁରେ ତତାଇ କଲବଲ କରି ପଇସା ଅସୁଲ କରିବା, କରାଣ୍ଡିଗୁଡ଼ା ବୁଚୀ ଶବରୀ ନାମ୍ନୀ ଯୁବତୀକୁ ଦିନ ଦ୍ଵିପ୍ରହରେ ଜବରଦସ୍ତି ଡେଣା ଧରି ପଦାରୁ ତା’ ନିଜ ଘର ଭିତରକୁ ଘୋଷାରି ନେଇ ଅତ୍ୟାଚାର କରିବା, ବାଙ୍ଗି ପୋଲିସ୍ ଛାଉଣିର (ଗୁଣୁପୁର ଥାନା) ରାଇଫଲଧାରୀ ପୋଲିସ୍ ବାବାଇ ଗ୍ରାମର ଅସହାୟା ସ୍ତ୍ରୀଲୋକ ପ୍ରତି କରିଥିବା ଅତ୍ୟାଚାରର କରୁଣ କାହାଣୀ ଲାଞ୍ଛିତ କନ୍ଧ ଯୁବତୀ ଅର୍କା ନାରାୟଣୀ ଠାରୁ ଶୁଣିଲି । ଏହିଭଳି ମାଡ଼ ଦେଇ ଟଙ୍କା ଅସୁଲ କରିବା, କୁକୁଡ଼ା ଓ ଛେଳି ବିନା ପଇସାରେ ନେଇଯିବା, ରାତ୍ରରେ ଗ୍ରାମଲୋକଙ୍କୁ ଚାରିକଡ଼େ ଜଗାଇ ରଖି ମଝିରେ ସୁଖନିଦ୍ରାରେ ଶୋଇବା, ଏସବୁ କାର୍ଯ୍ୟରେ ସାମାନ୍ୟ ଅନ୍ତରାୟ ସୃଷ୍ଟି କଲେ ପ୍ରତିବାଦୀକୁ ମିଥ୍ୟା ମକଦ୍ଦମାରେ ପକାଇ କୋରାପୁଟ ଚାଲାଣ କରିବା ଏବଂ କନ୍ଧ ଓ ଶୌରା ଯୁବତୀଙ୍କ ଉପରେ ଅତ୍ୟାଚାର କରିବାର ଅଭିଯୋଗମାନ ଗୁଣୁପୁର ଥାନାର କୁସୁମଗୁଡ଼ା, ଆଛବା, ହାତଙ୍ଗୁଡ଼ା, ପାଲେକ୍‌ଡ଼ାଙ୍ଗ୍, କରାଣ୍ଡିଗୁଡ଼ା, ଗୋଟା, ପାର୍‌କିତି ଓ ବାବାଇ ଗ୍ରାମବାସୀ ସାଧାରଣଙ୍କର ଉପସ୍ଥିତିରେ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଓ ଗୋବର୍ଦ୍ଧନ ଗମାଙ୍ଗ ଥାଇ ଶୁଣିଲି । ସ୍ଥାନୀୟ ଏମ୍.ଏଲ୍.ଏ. ଓ ସର୍ବୋଦୟ ମଣ୍ଡଳ ସଭାପତିଙ୍କ ଉପସ୍ଥିତିରେ ବିବୃତ୍ତି ଓ ଫଟୋଗ୍ରାଫ୍ କେତୋଟି ନେଲି । ଏହି ବିବୃତ୍ତିଗୁଡ଼ିକ ସ୍ଥାନୀୟ ଏମ୍.ଏଲ୍.ଏ. ଶ୍ରୀ ଭାଗିରଥି ଗମାଙ୍ଗ ଓ ସର୍ବୋଦୟ ନେତା ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଓଡ଼ିଆରେ ଅନୁବାଦ କରି ଶୁଣାଇ ନଥିଲେ ମୋ’ ର ଲେଖିବା ସମ୍ଭବପର ହୋଇ ନଥାନ୍ତା । ଏହି ଗ୍ରାମଗୁଡ଼ିକରେ କୌଣସି ନକ୍‌ସାଲାଇଟ୍ ଜୁଲୁମର ଆଭାସ ବି ପାଇଲିନାହିଁ-। ବିବୃତ୍ତିଦାତା ଲୋକେ କିଛି ରାଜନୀତି ବୁଝନ୍ତିନାହିଁ କି ଜାଣନ୍ତିନାହିଁ । ସରକାର କହିଲେ ଦୁଇଟି ଲୋକକୁ ଜାଣନ୍ତି ଓ ଭୟ କରନ୍ତି । ସେ ହେଲେ ପୋଲିସ୍ କନେଷ୍ଟ୍‌ବଲ୍ ଓ ଫରେଷ୍ଟ୍‌ଗାର୍ଡ଼୍-। ଏହି କଡ଼ାଙ୍କ ପିଠିରେ ନକ୍‌ସାଲପନ୍ଥୀ କହି କୋରଡ଼ାମାନ ଚାଲିଛି । (ସେମାନେ) ଭେଁ ଭେଁ କାନ୍ଦୁଛନ୍ତି, ଦୁଃଖପ୍ରକାଶର ଭାଷା ମୁହଁରେ ଏବେ ବି ଫୁଟିନାହିଁ, ଜୀବନରେ ମାଷ୍ଟର ବା ଡାକ୍ତର ଦେଖିନାହାନ୍ତି-

 

ଏହି ଅଞ୍ଚଳରେ ମୁରଙ୍ଗା ଗ୍ରାମରେ ଦୀନବନ୍ଧୁ ପୁରୁଷୋତ୍ତମ ବୋଲି ଜଣେ ଲୋକ ନକ୍‌ସଲ୍‌ପନ୍ଥୀଙ୍କ ଦ୍ଵାରା ନିହତ ହୋଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ସେ ଗ୍ରାମକୁ ଯାଇ ଦୀନବନ୍ଧୁ ଘର ଦେଖିଲି ଓ ଫଟୋ ନେଲି । ଅଗଷ୍ଟ ୧୩ ତାକୁ ମରା ଯାଇଥିଲା ଶୁଣିଲି । ପୋଲିସ୍ ଭୟରେ ଗାଁ’ ଲୋକେ ମୂକ ପାଲଟି ଯାଇଛନ୍ତି । ଦୀନବନ୍ଧୁ ଜମିଦାର ନୁହଁ କି ମହାଜନ ନୁହଁ । ୭ଟି ପିଲା ଓ ୭ ଏକର ବଣଜମି ଥାଇ ଗୋଟିଏ ଛୋଟିଆ ବେପାରୀ । ଘର ନିଜର ଅଲଗା ନାହିଁ । ସେଠା ଚଳଣି ଦାଣ୍ଡିଘର ମଧ୍ୟରୁ କୁଡ଼ିଆ ବଖୁରିଏ ତା’ ନିଜର । ସେଥିରୁ ତାକୁ ହତ୍ୟା କରି ଡକାଏତ୍ ଲୁଟିନେଇ ପ୍ରାୟ ୩ ହଜାର ୫ ଶହ ଟଙ୍କା, ୧୫୦ କିଲୋଗ୍ରାମ୍ ଗୁଡ଼, ୩ ମହଣ ମଣ୍ଡିଆ, କିଛି ହରଡ଼ ଓ ପୁରୁଣା ଲୁଗା । ମୋ’ର ବିଶ୍ଵାସ ଏହା ସାଧାରଣ ଡକାଏତି । ଡକାଏତମାନେ ପୋଲିସ୍‌କୁ ଠକାଇବା ଲାଗି କିଛି ନକ୍‌ସାଲପନ୍ଥୀ ଚିହ୍ନ ସୃଷ୍ଟି କରିଛନ୍ତି ।

 

ତା ୨୬-୪-୭୦ ରେ ଗଞ୍ଜାମ ଜିଲ୍ଲା ପାରଳାଖେମୁଣ୍ଡି ସବ୍‌ଡ଼ିଭିଜନ୍ ପୂର୍ବତନ ରାମଗିରି ଥାନାରେ ଡେମା ଶୌରାର ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ସ୍ଥାନ ଦେଖିବାଲାଗି ସର୍ବୋଦୟ ନେତା ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଓ ନବଜୀବନ ମଣ୍ଡଳ କର୍ମୀ ଶ୍ରୀ ଲକ୍ଷ୍ମଣ ପାତ୍ରଙ୍କ ସହ ଗଲି । ଏବର ଲହୁଣୀଗଡ଼ ଥାନାର ଫରେଷ୍ଟ୍ ବଙ୍ଗଳା କିଚିଲିଙ୍ଗ୍ ଯାଏ ଗାଡ଼ି ରାସ୍ତା ଅଛି । ସେଇଠି ସଶସ୍ତ୍ର ପୋଲିସ୍ ଛାଉଣି ଆରମ୍ଭ । ସେଇଠୁଁ ଗାଡ଼ି ଛାଡ଼ି ଦେଉଳା ଗ୍ରାମରୁ ପାହାଡ଼ ଘାଟି ଚଢ଼ି ଗଙ୍ଗାବାଡ଼ ଶୌରା ଗ୍ରାମ ଓ ଅଳ୍ପ ଢାଲୁ ଉତୁରି ବଡ଼ ଅରେସିଂ ଏବଂ ସାନ ଅରେସିଂ ଶୌରା ଗ୍ରାମରେ ପହଞ୍ଚିଲି-। ଏହାର ପୂରା ଚାରିକଡ଼ ଉଚ୍ଚ ପର୍ବତ ଘେରା । ଗୋଟିଏ ପଟେ ପୁଣି ପ୍ରାୟ ହଜାରେ ଫୁଟ ଉଠାଣିରେ କରାଣ୍ଡି ନାମକ ଶୌରା ଗ୍ରାମରେ ପୋଲିସ୍ (ସଶସ୍ତ୍ର) ଛାଉଣି ହୋଇଛି । ସେଠାରୁ ଆଉ ଗୋଟିଏ ମଝିରେ ଘାଟି ଡେଇଁ ଏଲାସର୍ ନାମକ ଶୌରା ଗ୍ରାମକୁ ରାସ୍ତା । ଏହି କେରାଣ୍ଡି ଛାଉଣୀଟି ହିଁ ସେଠା ପୋଲିସ୍ ଅତ୍ୟାଚାରର ପୀଠସ୍ଥଳ ବୋଲି ପ୍ରାପ୍ତ ବିବୃତ୍ତିରୁ ଅନୁଭୂତ ହେଲା-। ବିବୃତ୍ତିରୁ ଜାଣିଲି ଯେ, ଗତ ଦୋଳପୂର୍ଣ୍ଣିମା ପରଦିନ କାଙ୍ଗଡ଼ା ଗ୍ରାମର ଡେମା ଶବରକୁ ସେହି ଗ୍ରାମର ଭୁତୁଡ଼ୁ ଶବର ସହ ଆଣି ଭୀଷଣ ଦୈହିକ ନିର୍ଯ୍ୟାତନା ଏହି କରାଣ୍ଡି ଛାଉଣୀରେ ଦେଇ ଡେମାକୁ ଚାଲିବାରେ ପ୍ରାୟ ଅକ୍ଷମ କରାଇ ଭୁତୁଡ଼ି ସହିତ ଛନ୍ଦି ହାତକଡ଼ି ପକାଇ ଏଲାସରକୁ ନେବା ବାଟରେ ଡେମା ଶୌରାର ମୃତ୍ୟୁ ହେଲା । ତା’ ସହିତ ଛନ୍ଦା ହୋଇଥିବା ଭୁତୁଡ଼ୁ ଗଲା କୁଆଡ଼େ ?

 

ସାନ ଅତାରସିଂରୁ ତିନିଘଣ୍ଟା ପାହାଡ଼ ଚଢ଼ିବା ପରେ ଡେମା ଓ ଭୁତୁଡ଼ୁଙ୍କ ଗ୍ରାମ କାଙ୍ଗଡ଼ା-। ପୂରା ଗ୍ରାମଟି ପୋଡ଼ି ଦିଆଯାଇଛି । ଡେମାର ସ୍ତ୍ରୀ ଓ ପିଲାମାନେ ୟଜ୍ ରୋଗଗ୍ରସ୍ତ । ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି । ଭୁତୁଡ଼ୁର ଦୁଇ ସ୍ତ୍ରୀ, ବୋହୂ ଓ ୪ଟି ପିଲା ବଣରୁ ଖୋଜାଖୋଜିରେ ମିଳିଲେ । ବଡ଼ ଅତାରସିଂରେ ରହୁଥିବା ଏଠା ୱାର୍ଡ଼ମେମ୍ବର, କରାଣ୍ଡି ପୋଲିସ୍ କ୍ୟାମ୍ପ୍ ନିକଟରେ ରହୁଥିବା ଏଠା ନାଏବ ସରପଞ୍ଚ ଏବଂ ସାନ ଅତାରସିଂ ଗ୍ରାମର ଜନୈକା ସ୍ତ୍ରୀଲୋକ ଦ୍ରୂପତି ଶବରୀ ଠାରୁ ପାଇବା ବିବରଣୀରୁ ଜଣାଗଲା ଯେ, କରାଣ୍ଡି ଗ୍ରାମ ନିକଟସ୍ଥ ସ୍ଥାନରୁ ଆନ୍ଧ୍ର ପୋଲିସ୍ ପ୍ରାୟ ୩ମାସ ପୂର୍ବେ ରାତ୍ରରେ କେତେ ଜଣ ଆନ୍ଧ୍ରବାସୀ ନକ୍‌ସାଲପନ୍ଥୀଙ୍କୁ ସେଠାରୁ ପ୍ରାୟ ଦେଢ଼ମାଇଲ୍ ଦୂର ଆନ୍ଧ୍ରସୀମା ପାର କରି ଧରାଯାଇ ଥିବା ସ୍ଥାନରୁ ପ୍ରାୟ ୪ ମାଇଲ ଦୂରରେ ଆନ୍ଧ୍ରର ରଙ୍ଗମାଟିଆ ନାମକ ସ୍ଥାନରେ ଗୁଳି କରି ମାରି ଦେଇଥିଲେ । ଏହା ପରେ ପରେ ଓଡ଼ିଶା ପୋଲିସ୍‌ର ଦୁଇଜଣ କନଷ୍ଟେବଲ୍ କରାଣ୍ଡିରେ ରାତ୍ରିବାସ କରି ରାଉଣ୍ଡରେ ଗଲାବେଳେ ତାଙ୍କୁ କେତେକ ଅଜ୍ଞାତ ବ୍ୟକ୍ତି ହରଣଚାଳ କରି ଆଖି ବାନ୍ଧି ନେଇ ଯାଇ ଗୋଟିଏ ଦିନ ଅଟକାଇ ରଖି ପୁଣି ଆଖି ବାନ୍ଧିଆଣି ତାଙ୍କ ବାଟରେ ଛାଡ଼ି ଦେଇ ଯାଇଥିଲେ । ଏହିଠାରୁ ଆରମ୍ଭ ହେଲା କରାଣ୍ଡି ଗ୍ରାମର କ୍ୟାମ୍ପ୍ ଓ କମୁନିଷ୍ଟଙ୍କୁ ଧରାଇବା ଲାଗି ପର୍ବତକନ୍ଦିର ବାସୀ ଶୌରାଙ୍କ ଉପରେ ମାଡ଼ । ବହୁ ଛେଳି କୁକୁଡ଼ା ଛଡ଼ାଇନେବା, ପାଣିରେ ମୁହଁମାଡ଼ି ଅମୁହାଁ କରିବା ଓ ନିଆଁ ପାଖରେ ମୁହଁକୁ ଦେଖାଇ ଆଖି ନଷ୍ଟ କରିବା ଚେଷ୍ଟା ଇତ୍ୟାଦି ଅମାନୁଷିକ ଅତ୍ୟାଚାର । କାଙ୍ଗଡ଼ା ଗ୍ରାମବାସୀ ଭୟରେ ତାଙ୍କ ଖାଦ୍ୟଶସ୍ୟତକ ବଣରେ ଲୁଚାଇ ରଖିଲେ । ତାହା ପୋଲିସ୍ ନଜରରେ ପଡ଼ିଲା-। ପୋଲିସ୍ ଭାବିଲେ ନକ୍‌ସାଲ୍‌ପନ୍ଥୀଙ୍କ ଲାଗି ତାହା ବ୍ୟବହୃତ ହେବ ଲାଗି ରଖାଯାଇଛି । ମାଡ଼ ମାତ୍ରା ବଢ଼ିଲା । କାଙ୍ଗଡ଼ାବାଲା ଭୁତୁଡ଼ୁ ଓ ଡେମା ଭୟରେ ବଣରେ ଲୁଚିଲେ । ଦୋଳ ପୂର୍ଣ୍ଣିମା ରାତ୍ରିରେ କାଙ୍ଗଡ଼ା ଓ ଛଣ ଗ୍ରାମ ଘେରାଉ କରି ସ୍ତ୍ରୀ ପୁରୁଷ ପିଲା ଛୁଆ ସମସ୍ତଙ୍କୁ କେରାଣ୍ଡି ପୋଲିସ୍ ଛାଉଣୀକୁ ପୋଲିସ୍ ଧରି ଆଣିଲେ । ତାଙ୍କୁ ଭୟଙ୍କର ମାଡ଼ ଦେଇ ହଗାଇ ପକାଇଲେ-। ଡେମାର ୟଜ୍ ରୋଗଗ୍ରସ୍ତ ଗୋଡ଼ ଫାଟି ଧାର ଧାର ରକ୍ତ ବହିଲା । ଭୁତୁଡ଼ୁ ଓ ଡେମାଙ୍କ ପିଠି ଦେହ ଫାଟି ରକ୍ତ ବହିଲା । ଡେମା ଓ ଭୁତୁଡ଼ୁ ଛଡ଼ା ଆଉ ସମସ୍ତଙ୍କୁ ପୂର୍ବକଥିତ ତଳ କ୍ୟାମ୍ପ୍ କିଚିଲିଙ୍ଗ୍‌ଙ୍କୁ ପଠାଗଲା । ମାତ୍ର, ଡେମା ଓ ଭୁତୁଡ଼ୁକୁ ଏକାଠି ଛନ୍ଦି ଅନ୍ୟବାଟେ ଏଲାସର୍ ପଠାଗଲା ଅନ୍ୟଏକ ଘାଟୀ ବାଟେ । ଡେମା ଚାଲି ପାରୁନଥାଏ । ଏପରି ଯିବାର କିଛି ସମୟ ପରେ ଗୋଟିଏ ମାତ୍ର ଗୁଳିର ଆବାଜ ଶୁଣାଗଲା । ଜଣାଗଲା ଯେ ଡେମାର ମୃତ ଦେହ ଏଲାସରବାସୀଙ୍କ ଦ୍ଵାରା ପୋଲିସ୍ ବୁହାଇ ନେଇଛନ୍ତି । ଭୁତୁଡ଼ୁ ସାଙ୍ଗରେ ବନ୍ଧା ହୋଇ ଯାଉଥିବା ଡେମା ଗୁଳିରେ ମଲା-। ଦୁହିଁଙ୍କ ହାତ ଏକା ସାଙ୍ଗରେ କଡ଼ି ପଡ଼ିଥିଲା । ଭୁତୁଡ଼ୁ ଗଲା କୁଆଡ଼େ ? ଗୁଳି କରାଳି ନକ୍‌ସାଲ୍‌ପନ୍ଥୀ ଗଲେ କୁଆଡ଼େ ? କେତେଜଣ ପୋଲିସ୍ ଏସ୍‌କର୍ଟ୍ ଯାଉଥିଲେ ? ତାଙ୍କ ସହ ଉଚ୍ଚ ପୋଲିସ୍ କର୍ମଚାରୀ କିଏ ଥିଲେ ? ଡେମା ଦେହରୁ ବାହାରିବା ଗୁଳି କିଭଳି ଆଗ୍ନେୟାସ୍ତ୍ର ଓ ଦେହର କେଉଁ ସ୍ଥାନରୁ ବାହାରିଲା ? ଅନ୍ୟ କିଏ କିଏ ପୋଲିସ୍ ତରଫରୁ କି ଧରଣର ମାଡ଼ରୁ ଆହତ ହୋଇଛନ୍ତି କି ନାହିଁ ଆଦି ପ୍ରଶ୍ନର ଉତ୍ତର ମିଳୁନାହିଁ । ଏହି ଦୋଳ ପୂର୍ଣ୍ଣମୀ ରାତ୍ର ଭୋର ଆରେଷ୍ଟ୍ ପରେ କାଙ୍ଗଡ଼ା ଗ୍ରାମକୁ ପୋଲିସ୍ ପୋଡ଼ିଦେଲେ କାହିଁକି ? କାଙ୍ଗଡ଼ା ଓ ଛଣର ଲୋକଗୁଡ଼ିଙ୍କୁ ଏକାଠି ଆରେଷ୍ଟ୍ କରି ରଖାଇବା ପରେ ଅନ୍ୟମାନଙ୍କୁ ଅତାରସିଂ ଓ ଗଙ୍ଗାବାଡ଼ ବାଟେ ପଠାଇବା ସ୍ଥଳେ କେବଳ ଡେମା ଏବଂ ଭୁତୁଡ଼ୁଙ୍କୁ ମାଡ଼ରେ ଜଖମ ଅବସ୍ଥାରେ ଅନ୍ୟ ଅଧିକ ଦୁରାରୋହ ଘାଟୀ ବାଟେ ଏଲାସ୍‌ର ଆଡ଼କୁ ନିଆଯିବା ଉଦ୍ଦେଶ୍ୟ ପ୍ରତି ଘୋର ସନ୍ଦେହ ଜନ୍ମାଏ । ଏବଂ, ତାହା ଏହି ଯେ, ୱାର୍ଡ଼୍ ମେମ୍ବର ଓ ନାଏବ ସରପଞ୍ଚଙ୍କ ବର୍ଣ୍ଣନା ଅନୁଯାୟୀ ସେ ଦୁହେଁ ଅଧିକ ଖଣ୍ଡିଆଖାବରା ହୋଇ ମୁମୁର୍ଷୁ ହୋଇ ପଡ଼ିଥିବାର ଜଣାଯାଏ । ଏଭଳି ଅବସ୍ଥାରେ କଏଦୀଙ୍କୁ ମାଜିଷ୍ଟ୍ରେଟ୍ ପାଖରେ ହାଜର କରାଇବା ବିପଦଜନକ ମଣି ପୋଲିସ୍ ତାକୁ ନିଜେ ହତ୍ୟା କରି ନକ୍‌ସାଲ୍‌ପନ୍ଥୀଙ୍କର ଗୁଳି ଚଳାଇବା ଆଳର ଆଶ୍ରୟ ନେବାକୁ ଚେଷ୍ଟା କରୁଥିବା ମନେହୁଏ-। ଲୋକଙ୍କୁ ଅକଥ୍ୟ ଦୈହିକ ନିର୍ଯ୍ୟାତନା ଦେଇ, ଘର ପୋଡ଼ି, ଗୁଳିଧମକ ଦେଇ ଏତେ ଭୟଭୀତ କରାଇ ଦିଆଯାଇଛି ଯେ ସେମାନେ କଥା କହିବାକୁ ଡରୁଛନ୍ତି । ଏହି ପୋଲିସ୍ ଫୋର୍ସ୍ ଟିକି ଟିକି ପିଲାଗୁଡ଼ାଙ୍କୁ ଦୁଇ ଦିନ ଉପାସରେ ବନ୍ଦୀ ଅବସ୍ଥାରେ ରଖି ସେମାନେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ସ୍ଥଳେ ପାଣି ଚଳେ ଚଳେ ପିଆଇ ବଣରେ ଛାଡ଼ି ଦେଇଥିବା ବିବୃତ୍ତିମାନ ଓ ମୁହଁକୁ ନିଆଁରେ ସିଝାଇବା ଅଭିଯୋଗମାନ କିଚିଲିଙ୍ଗ୍, ଅତାରସିଂ, ଏବଂ ଅଧୁନା ଲୁପ୍ତ କାଙ୍ଗଡ଼ା ଗ୍ରାମବାସୀ ତଥା ସେଠାର ନାଏବ ସରପଞ୍ଚ ଏବଂ ୱାର୍ଡ଼୍ ମେମ୍ବରଙ୍କ ଠାରୁ ପାଇଲି । ତହିଁରେ ନକଲ, ବିବୃତ୍ତିଦାତାଙ୍କର ଫଟୋଗ୍ରାଫ୍ ଓ ପୋଡ଼ା ଯାଇଥିବା କାଙ୍ଗଡ଼ା ଗ୍ରାମର ଫଟୋଗ୍ରାଫ୍ ଏବଂ ଭୁତୁଡ଼ୁର ପରିବାର, ଯେଉଁମାନେ ତାଙ୍କ ଘରପୋଡ଼ି ପରେ କିଚିଲିଙ୍ଗ୍ କ୍ୟାମ୍ପ୍‌ରୁ ଛାଡ଼ ପାଇ ବଣରେ ଲୁଚି ଛପି ରହିଛନ୍ତି ତାଙ୍କ ଫଟୋଗ୍ରାଫ୍‌ମାନ ଏଥିସହ ଦେଲି ।

 

। ଇତି ।

ବଶମ୍ବଦ

(ସ୍ଵା) ବିରଜା ପ୍ରସାଦ ରାୟ

ଏମ୍.ଏଲ୍.ଏ.

୨ । ୫ । ୭୦

 

ଗ୍ରାମ–ତୁମ୍ବଗୁଡ଼ା, ଥାନା–ଗୁଣୁପୁର, ଜିଲ୍ଲା–କୋରାପୁଟର କୋଲକା ରଞ୍ଜା କହେ ଯେ, ସେ ଦୁଇମାସ ତଳେ ଏଠାରେ ରିଜର୍ଭ୍ ପୋଲିସ୍ ଛାଉଣି ଥିବାବେଳେ ବରାବର ପୋଲିସ୍‌ର ବେଠି ଖଟୁଥିଲା । ଥରେ ମହାଜନକୁ ସୁଝିବା ଲାଗି ସେ କାନ୍ଦୁଲ ନେଇ ଆସୁଥିଲା । ପୋଲିସ୍ ତା’ ଠାରୁ ପାରକିତି କ୍ୟାମ୍ପ୍‌ରେ କାନ୍ଦୁଲତକ ଛଡ଼ାଇ ରଖିଲେ ଓ ତା’ଠାରୁ ଆଉଥରେ ଦୁଇଟା କୁକୁଡ଼ା ପୋଲିସ୍ ବିନମୂଲ୍ୟରେ ନେଇ ଆସିଥିଲା ବୋଲି କୋଲକ ରଞ୍ଜା ପିତା କୋଲକ ମାଲୁମାୟା କହିଲେ ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ.

 

୨୪ । ୪ । ୭୦

 

ସାକ୍ଷୀ–ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ, ୨୪ । ୪ । ୭୦

ସାକ୍ଷୀ–ଶ୍ରୀ ବିଶ୍ଵନାଥ ପଟ୍ଟନାୟକ, ୨୪ । ୪ । ୭୦

 

ସ୍ଵାକ୍ଷର

ବିବୃତ୍ତିଦାତାଙ୍କ ସ୍ଵାକ୍ଷର :

କୋଲକ ରଞ୍ଜା

 

ପାରଜିତି ଗ୍ରାମର ୱାର୍ଡ଼୍ ମେମ୍ବର ପାତିକା ଶାମ ଫରେଷ୍ଟ୍ ବିଭାଗର ଗଛ ଲଗାଉଥିଲା । ପୋଲିସ୍ ତାକୁ ଜେଲ୍‌କୁ ପଠାଇଛନ୍ତି । ଏ ଗ୍ରାମରେ ରିଜର୍ଭ୍ ପୋଲିସ୍ ଛାଉଣୀ ହୋଇଥିଲା । ପୋଲିସ୍‌ମାନେ ରାତ୍ରରେ ନିଜେ ନିଜେ ଶୋଉଥିଲେ ଓ ଗ୍ରାମବାସୀଙ୍କୁ ତାଙ୍କ ଛାଉଣି ଚାରିପଟେ ଅନିଦ୍ରା କରି ବସିବାକୁ ବାଧ୍ୟ କରୁଥିଲେ । ଗ୍ରାମରେ ଲୋକେ ନିଜ ନିଜ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ କଲେ ଭୟଙ୍କର ମାଡ଼ ଦେଉଥିଲେ । ଏ ଗ୍ରାମର ପାତିକା ଏଙ୍କାନ୍ନା ଗଛରୁ ଗୋଟିଏ ଚଢ଼େଇକୁ ତୀର ମାରୁଥିବାବେଳେ ତାକୁ ଧରି ନେଇ ରାତ୍ରିଯାକ ଏପରି ପିଟିଥିଲେ ଯେ ସେ ଆଠଦିନ ଘରୁ ଉଠି ପାରିଲାନାହିଁ । କାଡ଼ାକା ବନ୍ନା କହେ ଯେ ପ୍ରାୟ ଦୁଇମାସ ତଳେ ସେ ଆଉ ବାରଜଣ ଲୋକଙ୍କ ସହିତ ସନ୍ଧ୍ୟାରୁ ରାତି ବାରଟାଯାଏ ପୋଲିସ୍ କ୍ୟାମ୍ପ୍ ଜଗି ଛିଡ଼ା ହୋଇ ରହିଥିଲେ । ରାତ୍ରି ପ୍ରାୟ ବାରଟାବେଳେ ସେ ଟିକେ ବସି ପଡ଼ିବାରୁ ପୋଲିସ୍ ତାଙ୍କୁ ବହୁତ ମାଡ଼ ଦେଲେ ।

 

ଏହା ପଢ଼ି ଉପସ୍ଥିତ ଥିବା ଗ୍ରାମର ପ୍ରାୟ ୬୦ ଲୋକଙ୍କୁ ଶୁଣାଇଦେଲି ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ.

 

୨୪ । ୪ । ୭୦

 

ସାକ୍ଷୀ–ଶ୍ରୀ ବିଶ୍ଵନାଥ ପଟ୍ଟନାୟକ, ୨୪ । ୪ । ୭୦

 

ସାକ୍ଷୀ–ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ, ୨୪ । ୪ । ୭୦

ସ୍ଵାକ୍ଷର

ସାକ୍ଷୀ–ଗ୍ରାମ–ପାରକିତି, ଥାନା–ଗୁଣୁପୁର

ବିବୃତ୍ତିଦାତା–ପାତିକା ଏଙ୍କାନ୍ନା :

ଜିଲ୍ଲା. କୋରାପୁଟ

-କାତ୍ରାକା ବନ୍ନା

 

କିଚିଲିଙ୍ଗ୍ ବଙ୍ଗଳାରେ ଥିବା ରିଜର୍ଭ୍ ଫୋର୍ସ୍ କେତେକ ରକ୍ତ ଚନ୍ଦନ ଆଣିଥିବା କଥା ଫରେଷ୍ଟ୍ ଗାର୍ଡ଼୍ ଜାଣି ତାଙ୍କୁ ପଚାରନ୍ତେ, ତା ୨୨.୪.୭୦ରେ ସେମାନେ ବଙ୍ଗଳା ସାହୀରେ ଥିବା ପରଚିନା ଶୌରା, ଡେମା ଶୌରା, ସନିଆଁ ଶୌରା ଓ କେନ୍ଦୁ ଭୂୟାଁକୁ ପିଟିଲେ ଓ କହିଲେ ତୁମେ ଫରେଷ୍ଟ୍ ଗାର୍ଡ଼କୁ ଆମେ ଚନ୍ଦନ ନେଇଛୁ ବୋଲି କାହିଁକି କହିଲ ? ତୁମ ଘର ପୋଡ଼ିଦେବୁ । ଏହା କହି ବହୁତ ମାଡ଼ ମାରି ଛାଡ଼ିଲେ । ଡେମା ମୁହଁ ପାଣିରେ ବୁଡ଼ାଇ ନିଆଁକୁ ଲଗାଇଲେ ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ.

୨୪ । ୪ । ୭୦

 

ଅଭିଯୋଗକାରୀଙ୍କ ସ୍ଵାକ୍ଷର

କାନ୍ଦୁ ଭୂୟାଁ

ସନିଆଁ ଶବର

ଡେମା ଶବର

ବଙ୍ଗଳା ସାହୀ, ଥାନା–ଲହୁଣିଗଡ଼ି

 

ତୋଇକା ଉକୁମ, ପିତା ୰ ଗୋବିନ୍ଦ ଉକୁମ୍, ଗ୍ରାମ–ପାରକିତି, ଥାନା–ଗୁଣୁପୁର, ଜିଲ୍ଲା–କୋରାପୁଟ କହେ :–ମୁଁ ଦୁଇମାସ ତଳେ ସନ୍ଧ୍ୟାରେ ରୋଷେଇ କରିବି ବୋଲି ଚୁଲି ଲଗାଉଥିଲି । ରିଜର୍ଭ୍ ପୋଲିସ୍ ଆସି କହିଲା, କ୍ୟାମ୍ପ୍ ଜଗିବୁ ଚାଲ । ମୁଁ କହିଲି, ମୋ’ ସ୍ତ୍ରୀ ମରିଛି, ଏକା ଲୋକ, ରାନ୍ଧି ଖାଇ ଜଗିବାକୁ ଯିବି । ପୋଲିସ୍ ଶୁଣିଲା ନାହିଁ । ମୋତେ ମାଡ଼ ଦେଇ ଧରି ନେଇଗଲା । ମୁଁ ପୋଲିସ୍‌ର ନାମ କହିପାରିବି ନାହିଁ । ମାତ୍ର ଦୁଇମାସ ତଳେ ସେମାନେ ପାରକିତିରେ କ୍ୟାମ୍ପ୍ କରିଥିଲେ । ଦେଖିଲେ ଚିହ୍ନିବି ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ.

୨୪ । ୪ । ୭୦

ସାକ୍ଷୀ–ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ, ୨୪ । ୪ । ୭୦

ଓ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ, ୨୪ । ୪ । ୭୦

 

ବିବୃତ୍ତିଦାତାଙ୍କ ସ୍ଵାକ୍ଷର-

ତୋଇକା ଉକୁମ, ୨୪ । ୪ । ୭୦

 

ବୁଡ଼ି ଶବରୀ, ସ୍ଵାମୀ–ମାଙ୍ଗଡ଼ା ଗୁମାଙ୍ଗ, ଗ୍ରାମ–କରାଣ୍ଡିଗୁଡ଼ା, ଥାନା–ଗୁଣୁପୁର, ଜିଲ୍ଲା–କୋରାପୁଟର ବିବୃତ୍ତି ଶ୍ରୀ ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ. ଶୁଣି ଓଡ଼ିଆରେ ନିମ୍ନମତେ ତର୍ଜୁମା କଲେ । ଯଥା–ତିନିମାସ ତଳେ ପାଲକଡ଼ାଙ୍ଗ୍ କ୍ୟାମ୍ପ୍‌ର ୪ ଜଣେ ପୋଲିସ୍ ଆସିଲେ । ତୁମ ସ୍ଵାମୀମାନେ କୁଆଡ଼େ ଅଛନ୍ତି ବୋଲି ମୋତେ ଓ ମୋ’ ପାଖରେ ଥିବା ଆଉ କେତେ ସ୍ତ୍ରୀଲୋକଙ୍କୁ ପଚାରିଲେ । ଆମେ କହିଲୁ ସେମାନେ ଘରେ ନାହାନ୍ତି । ସେଥିପରେ ଦୁଇଜଣ ପୋଲିସ୍ ମୋ’ର ଦୁଇ ଡେଣା ଧରି ଘର ଭିତରକୁ ଘୋଷାରି ନେଇଗଲେ । ପୋଲିସ୍‌ମାନେ ଘର ଭିତରେ ମୋତେ ଶୁଆଇ ଟଣା ଘୋଷଣା କରୁଥିବା ବେଳେ ମୁଁ ଘର ପଛବାଟେ ପଳାଇଲି ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ.

 

ତର୍ଜୁମାକାରୀ–ଶ୍ରୀ ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ.

 

ସାକ୍ଷୀ–ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ

 

ସାକ୍ଷୀ–ଶ୍ରୀ ବିଶ୍ଵନାଥ ପଟ୍ଟନାୟକ

 

 

ସ୍ଵାକ୍ଷର

 

ବୁଢ଼ୀ ଶବରୀ

 

ତା ୨୪ । ୪ । ୭୦

 

କୋରାପୁଟ ଜିଲ୍ଲା ଗୁଣୁପୁର ଥାନା ପାତଲକାଣ୍ଡ ଗ୍ରାମର ନିମ୍ନ ସ୍ଵାକ୍ଷରକାରୀ ମାନଙ୍କର ବିବୃତ୍ତି :-

 

ଏହି ଗ୍ରାମରେ ପୋଲିସ୍ ରିଜର୍ଭ୍ ଛାଉଣୀ ହୋଇଛି । ଲୋକଙ୍କୁ ବାଧ୍ୟ କରି ରାତ୍ର ଉଜାଗର ରହି ପୋଲିସ୍ ଛାଉଣୀ ଜଗି ରହିବାକୁ ଜୋର ଜବରଦସ୍ତି କରାଯାଉଛି । କେହି ଲୋକ ପୋଲିସ୍ ଛାଉଣୀ ରାତ୍ରରେ ଜଗିବାକୁ ନଗଲେ ପୋଲିସ୍ ତାଙ୍କୁ ଭୟଙ୍କର ମାଡ଼ ଦେଉଛନ୍ତି । ବିତିକା ସୁନେଇ ଏହିପରି ମାଡ଼ ଖାଇଥିବା ଅଭିଯୋଗ କଲେ । ପୁଣି କହିଲେ ଯେ, ଆହୁରି ମଧ୍ୟ ଧମକ ଦେଉଛନ୍ତି ଯେ, ଯଦି ରାତ୍ର ଜଗିବାକୁ ନଆସିବ ତ’ ତୁମ୍ଭମାନଙ୍କୁ କମୁନିଷ୍ଟ କେଶ୍‌ରେ ପକାଇ ହଇରାଣ କରିବୁ ।

 

ଏ ଲେଖା ନିମ୍ନ ସ୍ଵାକ୍ଷରକାରୀ ମାନଙ୍କୁ ସ୍ଥାନୀୟ ଏମ୍.ଏଲ୍.ଏ. ଶ୍ରୀ ଭାଗିରଥି ଗମାଙ୍ଗ ପଢ଼ି ଶୁଣାଇ ଦେଲେ ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ,ବିଡ଼ିକା ସୁନେର ଟିପଚିହ୍ନ

ଏମ୍.ଏଲ୍.ଏ.ସ୍ଵା–ମାଳୁଙ୍ଗି ଲାଚନା

ସାକ୍ଷୀ–ଶ୍ରୀ ଭାଗିରଥି ଗମାଙ୍ଗ,

ଏମ୍.ଏଲ୍.ଏ., ୨୩ । ୪ । ୭୦

ସାକ୍ଷୀ–ଶ୍ରୀ ଗୋବିନ୍ଦ ଗମାଙ୍ଗ, ୨୩ । ୪ । ୭୦

 

ଶ୍ରୀ ପାତିକି ବିଶିଂ ଗମାଙ୍ଗ, ଗ୍ରାମ–କୁସୁମଗୁଡ଼ା, ଥାନା–ଗୁଣୁପୁର, ଜିଲ୍ଲା–କୋରାପୁଟ ନିମ୍ନମତେ ବିବୃତ୍ତି ଦେଲେ :–

 

ଗତ ଜାନୁଆରି ମାସରେ ମୋ’ ର ସ୍ତ୍ରୀକୁ ମୋ’ ଘରେ ପଶି ରିଜର୍ଭ୍ ପୋଲିସ୍ ହାତ ଧରି ଟାଣୁଥିବା ବେଳେ ମୁଁ ସ୍ତ୍ରୀର ଡାକ ଶୁଣି ଦୌଡ଼ି ଆସି ଘରେ ପଶି ବାଧା ଦେଲି । ସେ ପୋଲିସ୍ ଗୁଣ୍ଟୁରପଦରରେ ରହୁଥିଲେ । ମୁଁ ଆସି ବାଧା ଦେବାରୁ ମୋତେ ବନ୍ଧୁକରେ ପିଟି କେଞ୍ଚି ଖଣ୍ଡିଆଖାବରା କଲେ ଓ ତାଙ୍କ ସାଙ୍ଗ ଆଉ ୨ ଜଣ ମିଶି ମୋତେ ଗରଣ୍ଡା ପୋଲିସ୍ କେମ୍ପ୍‌କୁ ଧରି ନେଇଗଲେ ଓ ୪ ଦିନ ଓପାସରେ ରଖି ମାଡ଼ ଦେଇ ହସ୍ତଖତ କରାଇନେଲେ । ମୁଁ ଏହା ଆର୍.ଡ଼ି.ଓ.ଙ୍କୁ ଜଣାଇଥିଲି । ଆର୍.ଡ଼ି.ଓ., ବଡ଼ ପୋଲିସ୍ ହାକିମ ଓ ତହସିଲଦାର ପ୍ରାୟ ମାସେ ପୂର୍ବରୁ ଏଠାରେ ଇନ୍‌କୁଆରୀକୁ ଆସିଥିଲେ । ସେହି ଦିନ ରାତି ପାହାନ୍ତାକୁ ୨୦ । ୨୫ ଜଣ ପୋଲିସ୍ ବନ୍ଧୁକ ଆଦି ଧରି ଆମ ଗାଁ ଘେରିଗଲେ । ଓ ମୋତେ ପୋଲିସ୍ ବିରୁଦ୍ଧରେ କାହିଁକି କେଶ୍ କଲୁ ତୋତେ ମାରି ପାହାଡ଼ ଝୋଲାରେ ପକାଇ ଦବୁ ବୋଲି ଡରାଇଲେ ।

 

ଏହା ପଢ଼ି ଶ୍ରୀ ପାତିକି ବିଶିଂ ଗମାଙ୍ଗକୁ ଶୁଣାଇ ଦେଲି ।

ସ୍ଵା–ପାତିକି ବିଶିଂ ଗମାଙ୍ଗ

ସାକ୍ଷୀ–ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ

ସାକ୍ଷୀ–ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ,

ସାକ୍ଷୀ–ବିଶ୍ଵନାଥ ପଟ୍ଟନାୟକ

ସାକ୍ଷୀ–ଗୋବର୍ଦ୍ଧନ ଗମାଙ୍ଗ

 

ନିମ୍ନ ସ୍ଵାକ୍ଷରକାରୀ କୋରାପୁଟ ଜିଲ୍ଲା ଗୁଣପୁର ଥାନା ଆଚ୍ଛନା ଗ୍ରାମବାସୀମାନେ କହନ୍ତି ଯେ, ପାଇକପିଙ୍ଗରେ ଥିବା ରିଜର୍ଭ୍ ପୋଲିସମାନେ ପହରିଦିନ ରାତ୍ରରେ ଆସି ଆମକୁ ଧମକାଇଲେ ଯେ ତୁମେ ରାତ୍ରରେ ପହରା ଦେଉନା କାହିଁକି । ତୁମକୁ ଘଟକପଦରକୁ (ରିଜର୍ଭ୍ କେମ୍ପ୍) ଧରି ନେଇଯିବୁ । ପୂର୍ବରୁ ମାଡ଼ ଦେଇ କାଠକଟା ବେଠି କରାଉଥିଲେ । ମାଳତୀ ଦେବୀ ଆସିବା ଦିନୁ ଆଉ ବେଠି କରାଉ ନାହାନ୍ତି । ବିନା ମୂଲ୍ୟରେ କୁକୁଡ଼ା ନେଇ ଯାଉଥିଲେ । କାଲି ପୁଣି କୁକୁଡ଼ା ନବାକୁ ଆସିଥିଲେ । ଆମେ ଦେଖାଇଲୁ ଯେ, ବଡ଼ କୁକୁଡ଼ା ନାହିଁ । ସାନ କୁକୁଡ଼ା ଅଛି-। ତେଣୁ ଚାଲିଗଲେ ।

 

ପାତିକା ସାଙ୍ଗାନା

ବିଦିକା ସିଂହନାର ଟିପଚିହ୍ନ

ସ୍ଵା–ତଇକା ଲାଚନା

ସାକ୍ଷୀ–ପାତିକି ବାଇରୁ

ଲେଖକ–ବିରଜା ପ୍ରସାଦ ରାୟ, ୨୩.୪.୭୦

ସାକ୍ଷୀ–ବିଶ୍ଵନାଥ ପଟ୍ଟନାୟକ

ସାକ୍ଷୀ–ଗୋବର୍ଦ୍ଧନ ଗମାଙ୍ଗ

ସାକ୍ଷୀ–ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ.

 

କୋରାପୁଟ ଜିଲ୍ଲା ଗୁଣୁପୁର ଥାନା ହାଡ଼ଙ୍ଗୁଡ଼ା ଗ୍ରାମର ନିମ୍ନ ସ୍ଵାକ୍ଷରକାରୀମାନେ କହନ୍ତି ଯେ :-

 

ରିଜର୍ଭ୍ ପୋଲିସ୍ ଗତ ଧାନ ଫସଲ ପାଚିଲାବେଳେ ଗ୍ରାମବାସୀ ମାନଙ୍କୁ ନିଜ ନିଜ ଜମିରେ ଧାନ ଫସଲକୁ ବନ୍ୟଜନ୍ତୁ ଉପଦ୍ରବରୁ ରକ୍ଷା କରିବା ଉଦ୍ଦେଶ୍ୟରେ ରାତ୍ର ଜଗିବାରେ ବାଧା ଦେଲେ ଓ ବହୁତ ମାଡ଼ ମାରି ରାତ୍ରରେ ଗ୍ରାମରେ ରହିବାକୁ ବାଧ୍ୟ କଲେ । ଫଳତଃ ଧାନସବୁ ବାରହା ଖାଇଗଲା । ମାଡ଼ ଦେଇ କୁକୁଡ଼ା ସବୁ ନେଇଗଲେ । ଏବେ ବି କୁକୁଡ଼ା ନବା ଛାଡ଼ିନାହିଁ । ପଲକଡ଼ାଙ୍ଗର କେମ୍ପ୍‌ର ଥିବା ରିଜର୍ଭ୍ ପୋଲିସ୍ କାଲି ମଧ୍ୟ କୁକୁଡ଼ା ଲାଗି ଜୁଲୁମ କରି ଯାଇଛନ୍ତି । ଆମ କୁକୁଡ଼ାଡ଼ିମ୍ବ ବି ନେଇ ଯାଇଛନ୍ତି । ବରାବର ଧମକଚମକ କରୁଛନ୍ତି ।

 

ଶ୍ରୀ ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ ବିବରଣୀ ପଢ଼ି ସ୍ଵାକ୍ଷରକାରୀଙ୍କୁ ଶୁଣାଇଲେ । ସ୍ଵାକ୍ଷରକାରୀ ସୌରା ଭାଷାରେ କହିବା ବିବୃତ୍ତି ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ ଓଡ଼ିଆରେ ତର୍ଜୁମା କରି ମୋତେ କହିଲେ ।

 

ସ୍ଵା–ମାତାଜ୍ ସାନ୍ଧଇ

ସାକ୍ଷୀ–ମାଗିଙ୍ଗି ଛାନିୟା

ଗାତିକାଣୁ ୟୁଣ୍ଡୁର ଟିପଚିହ୍ନ

ଲେଖକ–ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ.

୨୩ । ୪ । ୭୦

ସାକ୍ଷୀ–ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ., ୨୩ । ୪ । ୭୦

ସାକ୍ଷୀ–ଗୋବର୍ଦ୍ଧନ ଗମାଙ୍ଗ, ୨୩ । ୪ । ୭୦

 

ଗ୍ରାମ–କରାଣ୍ଡିଗୁଡ଼ା, ଥାନା–ଗୁଣୁପୁର, ଜିଲ୍ଲା–କୋରାପୁଟର ନିମ୍ନ ସ୍ଵାକ୍ଷରକାରୀମାନେ ନିମ୍ନ ବିବରଣୀ ପ୍ରକାଶ କଲେ । ଯଥା–

 

ଶୁକୁ ଗମାଙ୍ଗ କୁଜେନ୍ଦ୍ରୀରୁ ଗୋଟିଏ ଶଗଡ଼ ଖର୍ଦ୍ଦି କରି କୁଜେନ୍ଦ୍ରୀ ଗ୍ରାମର ଜଣେ ଲୋକର ପୋଢ଼ ଦ୍ଵାରା ଶଗଡ଼ଟି ଗତ ପ୍ରାୟ ତିନିମାସ ତଳେ ନିଜ ଗ୍ରାମ କୋରାଣ୍ଡିଗୁଡ଼ାକୁ ଆଣିଲା । ସେତେବେଳେ ପାଲେକଡ଼ାଙ୍ଗାରେ ଥିବା ପୋଲିସ୍ ରିଜର୍ଭ୍ ଫୋର୍ସ୍ ଆସି ଗାଁ’ ରେ କାହା ଶଗଡ଼ ଆଣି ରଖିଛ ପଚାରିଲେ ଓ କହିଲେ ଯେ ତୁମେ ରାତ୍ରରେ ମିଟିଂ କରିଛ । କେଉଁଠୁ ଶଗଡ଼ ଆଣି ଥୋଇଛ, ଚାଲ କାଟ୍‍କି (ରିଜର୍ଭ୍ ଫୋର୍ସ୍ ବଡ଼ କ୍ୟାମ୍ପ୍) ଯିବ, ଏହା କହିଲେ ଓ ଆମକୁ ଲାଠି, ବନ୍ଧୁକ କୁନ୍ଦା ଏବଂ ଜୋତାରେ ପିଟିଲେ । ପିଟିପିଟିକା କାଟ୍‌କି ନେଲେ । ମାଡ଼ ଭୟଙ୍କର ହୋଇଥିଲା । ଆମକୁ ତଳେ ଶୁଆଇ ଦେଇ ଜୋତାରେ ଦଳି ଦେଇଥିଲେ ।

 

ମାସକେ ଦୁଇଥର କରି କାଠ ବେଠି ନେଉଛନ୍ତି । (ବିନା ମଜୁରିରେ ମାସିକ ଦୁଇଦିନ କାମ କରାଉଛନ୍ତି ।) ଗାଁ’ ଯାକ କୁକୁଡ଼ା ନେଇ ଖାଇ ଯାଇଛନ୍ତି ।

 

ଏ ଲେଖା ଶ୍ରୀ ଭାଗିରଥି ଗମାଙ୍ଗ ଏମ୍.ଏଲ୍.ଏ. ମାଡ଼ ଖାଇଥିବା ନିମ୍ନ ସ୍ଵାକ୍ଷରକାରୀଙ୍କୁ ପଢ଼ି ତାଙ୍କ ନିଜ ଶୌରା ଭାଷାରେ ତର୍ଜୁମା କରି ଶୁଣାଇଲେ ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ,ବିବୃତ୍ତିଦାତାଙ୍କର ସ୍ଵାକ୍ଷର-

ଏମ୍.ଏଲ୍.ଏ. ପାତିକା ଶ୍ୟାମ

ସାକ୍ଷୀ–ଶ୍ରୀ ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ. ଆଡ଼ାଇ ଶୌରା

–ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ ବୁଢ଼ା ଶୌରା

ତା ୨୪ । ୪ । ୭୦ କାଡ଼ିକା ଶୌରା

 

ଧ୍ରୁପତି ଶୌରା, ସ୍ଵାମୀ–କୁମୁଟି ଶୌରା, ଗ୍ରାମ–ସାନ ଅତରସିଂ, ଥାନା–ଲହୁଣୀଗଡ଼, ଜିଲ୍ଲା–ଗଞ୍ଜାମଙ୍କ ବିବୃତ୍ତି :–

 

ପୋଲିସ୍ ରିଜର୍ଭ ଫଗୁଣ ପୁନେଇ ବେଳକୁ ରାତିରେ କାଙ୍ଗଡ଼ା ଗ୍ରାମ ଘେରାଉ କଲେ । ଭୁତୁଡ଼ୁ ଓ ଡେମାକୁ, ଭୁତୁଡ଼ୁର ଦୁଇ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଧରି ସଖାଳୁ ପୋଲିସ୍ କେରାଣ୍ଡି ସ୍କୁଲକୁ ନେଲେ । ଡେମାର ଶୌରା ରୋଗ (ୟଜ୍) ଓ ତା’ ପିଲାମାନଙ୍କର ମଧ୍ୟ ସେହି ରୋଗ । ଡେମାର ୪ଟା ପିଲା । ଡେମା ଗୋଡ଼ରେ ଘା’ ଯୋଗୁଁ ଛୋଟେଇ ଛୋଟେଇ ଚାଲୁଥିଲା । ପୋଲିସ୍ ଡେମାର ପିଲାଙ୍କୁ ନେଲାନାହିଁ । କେରାଣ୍ଡି ଗ୍ରାମରେ ପୋଲିସ୍ ଡେମା ଓ ଭୁତୁଡ଼ୁକୁ ବହୁତ ମାଡ଼ ଦେଲେ । ଡେମାର ଗୋଡ଼ ଅଧିକ ଖରାପ ହୋଇଗଲା । ତାଙ୍କୁ ଏଲାସର ବାଟେ ଲହୁଣୀଗଡ଼ ଥାନା ଆଡ଼କୁ ନେଲେ । ଡେମା ଚାଲି ପାରୁନଥିଲା । ସେ ବୁଢ଼ା ଲୋକ । ତାକୁ ଟାଣି ଟାଣିକା ନେଲେ ଓ ଏଲାସର ଏବଂ କେରାଣ୍ଡି ମଧ୍ୟରେ କୌଣସି ଜାଗାରେ ଗୁଳି କରି ମାରିଦେଲେ ।

 

ସ୍ତ୍ରୀଲୋକ ଓ ପିଲାମାନଙ୍କୁ ଖିଚିଲିଙ୍ଗ୍‌ରେ ଦୁଇଦିନ ଉପାସରେ ରଖି ଛାଡ଼ିଦେଲେ । ଏମାନେ ଧରା ହୋଇ ଯିବାଦିନ ଖରାବେଳେ ପୋଲିସ୍ ରିଜର୍ଭ ଲୋକ କାଙ୍ଗଡ଼ା ଗାଁ’କୁ ପୋଡ଼ିଦେଲେ । ଯେଉଁ ସ୍ତ୍ରୀଲୋକ ଓ ପିଲାମାନେ ଖିଚିଲିଙ୍ଗ୍‌କୁ ଛାଡ଼ ପାଇ ଆସିଲେ, ସେମାନେ ବଡ଼ ଅତରସିଂରେ ରାତ୍ରରେ ରହିଲେ । ତାଙ୍କ ଘର ପୋଡ଼ି ଯାଇଥିବାରୁ ସେମାନେ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି । ରିଜର୍ଭ ପୋଲିସ୍ ତହିଁର ୪ ଦିନ ପରେ ଆମକୁ ଆସି ଧଇଲେ । ମୋ’ ପୁଅକୁ, ସ୍ଵାମୀକୁ ଓ ମୋତେ ଏବଂ ଅର୍ଜୁନ ଶୌରାକୁ ପିଟିଲେ ଏବଂ କାଙ୍ଗଡ଼ା ଲୋକଙ୍କୁ ଖୋଜି ଆଣ ବୋଲି କହିଲେ । ଆମକୁ ନେଇ ଜଣେ ଜଣେ ବୁଲାଇଲେ । ମୋ’ ପୁଅ ମିଟିଙ୍ଗା ଶୌରା ହାତରେ ବାଡ଼ିରେ ପିଟିଦେଲେ । ମୋତେ, ମୋ’ ସ୍ଵାମୀ କୁମୁଟି ଓ ଅର୍ଜୁନାକୁ ନେଇ କୋରାଣ୍ଡିରେ ପିଟିଲେ । ବାଡ଼ିରେ ପିଟିଲେ ଓ ଜୋତାରେ ପିଟିଲେ । ତା’ର ୪ ଦିନ ପରେ ମୋ’ର ସ୍ଵାମୀକୁ ଖରାବେଳେ ବାନ୍ଧି ଖୁବ୍ ପିଟିଲେ । ପିଟି ପିଟି ମୂର୍ଚ୍ଛା ଗଲାବେଳେ ତାକୁ ପାଣି ପିଆଇଲେ । ଏବେ କେଉଁଠି ଅଛି ଜଣାନାହିଁ ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ,ବିବୃତ୍ତିଦାତ୍ରୀ :

ଏମ୍.ଏଲ୍.ଏ., ୨୬ । ୪ । ୭୦ ସ୍ଵା–ଦ୍ରୁପତି ଶବରୀ

ସାକ୍ଷୀ–ଅର୍ଜୁନ ଶବର ସ୍ଵାମୀ–କୁମୁଟି ଶବର

ସାକ୍ଷୀ–ସିତିଙ୍ଗା ଶବର ତା ୨୬ । ୪ । ୭୦

ସାକ୍ଷୀ–ଜଗନ୍ନାଥ କାଜୀ

ସାକ୍ଷୀ–ଲକ୍ଷ୍ମଣ ପାତ୍ର (ସର୍ବୋଦୟ କର୍ମୀ)

ସାକ୍ଷୀ–ବିଶ୍ଵନାଥ ପଟ୍ଟନାୟକ (ସର୍ବୋଦୟ ନେତା)

 

ବାମନ ଭୂୟାଁ, ପିତା–ଗୋପିନାଥ ଭୂୟାଁ, ଗ୍ରାମ–କେରାଣ୍ଡି, ଥାନା–ଲାବଣ୍ୟଗଡ଼, ଜିଲ୍ଲା–ଗଞ୍ଜାମ, ନାଏବ ସରପଞ୍ଚ, ଗଙ୍ଗାବାଡ଼ ଗ୍ରା.ପ. ।

 

ଜଗନ୍ନାଥ କାର୍ଜି, ପିତା–କାଚିଡ଼ି କାର୍ଜି, ଗ୍ରାମ–ବଡ଼ ଅତରସିଂ, ଥାନା–ଲାବଣ୍ୟଗଡ଼, ଜିଲ୍ଲା–ଗଞ୍ଜାମ, ୱାର୍ଡ଼ ମେମ୍ବର (ବଡ଼ ଅତରସିଂ, ସାନ ଅତରସିଂ, କାଙ୍ଗଡ଼ା) ଙ୍କ ମିଳିତ ବିବରଣୀରୁ ପ୍ରକାଶ :–

 

ଆନ୍ଧ୍ର ପଟର ଆନ୍ଦୋଳନକାରୀମାନେ ଆମ ଅଞ୍ଚଳ ଏଁଗାରସିଂ ପାହାଡ଼ରେ ରହିଲେ । ଗାଁ’ ଠାରୁ କିଛି ବାଟ ହେବ; ଚାରିମାସ (ପ୍ରାୟ) କଥା, ଶୁଣାଯାଏ ଯେ ରାତ୍ରରେ ଆନ୍ଧ୍ର ପୋଲିସ୍ ତାଙ୍କୁ ୬ ଜଣଙ୍କୁ ଧରି ନେଇ, ଆନ୍ଧ୍ର ସୀମା ପାର କରି ନେଇ ରଙ୍ଗମାଟିଆ ପାହାଡ଼ରେ ଏଙ୍ଗାରସିଂ ଠାରୁ ପ୍ରାୟ ୪ ମାଇଲ୍ ଦୂରରେ ଗୁଳି କରି ମାରିଦେଲେ । ଆମେ କଇଁପୁର ଗ୍ରାମରେ (ଲହୁଣୀଗଡ଼ ଥାନା) କ୍ୟାମ୍ପ୍ କରିଥିବା ରିଜର୍ଭ ଫୋର୍ସ୍‌କୁ ଏକଥା ଜଣାଇଲୁ । ସେମାନେ କେରାଣ୍ଡି ଗାଁଯାଏ ଆସି ସେଠାରୁ ଲେଉଟି ନେଲେ । ଘଟଣାସ୍ଥଳକୁ ଦେଖିବାକୁ ଗଲେନାହିଁ । ତା’ର କିଛିଦିନ ତଳେ ଦୁଇଜଣ ପୋଲିସ୍ କେରାଣ୍ଡିରେ ଆସି ରାତ୍ରିରେ ରହିଲେ । ପରଦିନ ସକାଳୁ ସେ ଦୁହେଁ ଯିବାବେଳେ କୌଣସି ଅଜଣା ଲୋକ ତାଙ୍କୁ ବାନ୍ଧି ଧରି ନେଇଗଲେ । ତହିଁର ଦୁଇଦିନ ପରେ କେରାଣ୍ଡିରେ ଫୋର୍ସ୍ ଆସି ରହିଲେ । ଆମକୁ ନେଇ ପାହାଡ଼ ପର୍ବତ ବୁଲାଇଲେ । ସେଠାରେ ବସା କରି ଜାଙ୍ଗଲା, ଅହିଆ, ଛଣଗାଁ, ବାଉଁଶଗାଁ, ଏଙ୍ଗାରସିଂ, ଏଲାସର ଓଲକୁଡ଼ିଆ ଆଦି ଗ୍ରାମମାନେ ବୁଲିଲେ । ତା’ପରେ ସେଦିନ ଚାଲିଗଲେ । ସେମାନେ ଗୋର୍ଖା ଥିଲେ । ସେ ସମୟରେ ଗଙ୍ଗାବାଡ଼ରେ ଗୋଟାଏ ବିସ୍ଫୋରଣ ହେଲା । ଦୁଇଥରକୁ ସେହି ଗୋର୍ଖା ଦଳର ଅନ୍ୟ ଫୋର୍ସ୍‌ମାନେ ଆସିଲେ । ଗାଁ ଗାଁରୁ ଛେଳି ଓ କୁକୁଡ଼ା ସବୁ ନେଇ ଖାଇଗଲେ । ଛେଳିଗୋଟାକ ବଜାରରେ ୨୫ ଟଙ୍କା ଦର ଥିବାବେଳେ ୫ ଟଙ୍କା ଓ କୁକୁଡ଼ା ୪ ଟଙ୍କା ସ୍ଥଳେ ଏକଟଙ୍କା ଦାମ୍ ଦେଉଥିଲେ ।

 

ଫଗୁଣ ପୁନେଇ ବାସିଦିନ ଏହି ଫୋର୍ସ୍‌ମାନେ କାଙ୍ଗଡ଼ା ଓ ଛଣଗାଁର ଛୁଆ ପିଲା ବଡ଼ ସମସ୍ତଙ୍କୁ କେରାଣ୍ଡି କ୍ୟାମ୍ପ୍‌କୁ ଧରି ନେଇଗଲେ । କେରାଣ୍ଡି କ୍ୟାମ୍ପ୍‌ରେ ବହୁତ ମାଡ଼ ଦେଲେ । ଲୋକମାନେ ମାଡ଼ ଖାଇ ହଗି ପକାଇଲେ । ଦିନ ୨ଟା ବେଳକୁ ଛଣଗାଁର ସବୁ ଲୋକ ଓ ଜାଙ୍ଗଲାର ଭୁତୁଡ଼ୁକୁ ଏକାଠି ଛନ୍ଦି ଏଲାସର ଆଡ଼କୁ ନେଲେ । ସେମାନଙ୍କୁ ନେଇଯିବାର ପ୍ରାୟ ଘଣ୍ଟାକ ପରେ ଗୋଟାଏ ଚୋଟ ଗୁଳି ଆବାଜ ଶୁଭିଲା । ଡେମାର ମଡ଼ାକୁ ଏଲାସରବାଲା ବୋହି ନେବାର ଆମେ ଜାଣିଲୁ । ଡେମା ଓ ଭୁତୁଡ଼ୁକୁ ଫୋର୍ସ୍‌ମାନେ ରାତ୍ର ଅଧରେ ଫଗୁଣ ପୂର୍ଣ୍ଣିମାରେ ତାଙ୍କୁ ଧରିଥିଲେ ଓ ତାଙ୍କ ଉପରେ ରାଗି ବେଶୀ ମାଡ଼ ମାରିଥିଲେ । ଆମର ଅନୁମାନ, ମାଡ଼ ଯୋଗୁଁ ଡେମା ଚାଲିବାର ଅକ୍ଷମ ହେବାରୁ ତାକୁ ଗୁଳି କରିଦେଲେ । ସ୍ତ୍ରୀଲୋକ ଓ ପିଲାଗୁଡ଼ାକୁ ୨ ଦିନ ପୂରା ଉପାସ ରଖି ଛାଡ଼ିଦେଲେ । ଯେଉଁଦିନ କାଙ୍ଗଡ଼ା ଲୋକଙ୍କୁ ଗିରଫ କରି ନେଇଗଲେ, ସେହିଦିନ କାଙ୍ଗଡ଼ା ଗ୍ରାମକୁ ଫୋର୍ସ୍‌ମାନେ ନିଆଁ ମାଡ଼ି ପୋଡ଼ିଦେଲେ ।

 

ତା’ର ୪ ଦିନ ପରେ ସାନ ଅତରସିଂର ଅର୍ଜୁନ ଶବର, ମିତିଙ୍ଗା ଶବର, ଦ୍ରୁପତି ଶବର ଓ କୁମୁଟି ଶବରକୁ ଆମ ଗାଁ କେରାଣ୍ଡିରେ ନେଇ ବହୁତ ପିଟିଲେ । ପରେ ଛାଡ଼ିଦେଇ ପୁଣି ଥରେ କୁମୁଟି ଶବରକୁ ସାନ ଅତରସିଂ ଗାଁ’ ରୁ ପିଟି ପିଟି ବାନ୍ଧି ନେଇଗଲେ ଓ କେରାଣ୍ଡିରେ ପୁଣି ମାଡ଼ ଦେଇ ଲାବଣ୍ୟଗଡ଼ ଥାନାକୁ ପଠାଇଦେଲେ ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ, ବିବୃତ୍ତିଦାତା-

ଏମ୍.ଏଲ୍.ଏ.ବାମନ ଭୂୟାଁ

ସାକ୍ଷୀ–ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଜଗନ୍ନାଥ କାର୍ଜି,

ସାକ୍ଷୀ–ଶ୍ରୀ ଲକ୍ଷ୍ମଣ ପାତ୍ର, ୨୬ । ୪ । ୭୦ ୨୬ । ୪ । ୭୦

 

ଗୁମୁଡ଼ା ତରଫରୁ ବାଂଝ୍ ତରଫରୁ ମୁହଁ କରି ଆସିଲେ ପ୍ରାୟ ଅଧା ବାଟରେ ବାଁ ଆଡ଼କୁ ଜଙ୍ଗଲ ମଧ୍ୟରେ ଗୋଟିଏ ଚଲାବାଟ ପଡ଼ିଛି । ଜଙ୍ଗଲେ ଜଙ୍ଗଲେ ମାଇଲିଏରୁ ଉର୍ଦ୍ଧ୍ଵ ଯିବାପରେ ଟିକେ ଖୋଲା ଜାଗା; ତିନୋଟି କନ୍ଧ ପରିବାରକୁ ନେଇ ବାବାଇ ନାମକ ଗାଆଁଟିଏ । ସେମାନେ ଅଳ୍ପ ଓଡ଼ିଆ ବୁଝନ୍ତି । ଏହି ଗ୍ରାମରେ ୧୪ । ୪ । ୭୦ ଉପରଓଳି ୪ ଜଣ ଯାକ ସମସ୍ତେ ମୋ’ ସଙ୍ଗେ ଘର ଭିତରକୁ ପଶିଗଲେ । ପଚାରିଲେ, ତୁ ଚୌକିଦାରର ଝିଅ କି ? ମୁଁ ହଁ କହିଲି । ତୋର ଶ୍ଵଶୁରଘର ଲୋକେ କୁଆଡ଼େ ଯାଇଛନ୍ତି ପଚାରିଲି । ମୁଁ କହିଲି କ୍ଷେତକୁ ଯାଇଛନ୍ତି । ଏହା କହି ମୁଁ ତାଙ୍କୁ ଡାକିବାକୁ ବାହାରିଲି । ପୋଲିସ୍ ୪ ଜଣ ମୋ’ ପଛେ ଧାଇଁଲେ । ଶ୍ଵଶୁରଙ୍କୁ ଡାକିଲି କେହି ଆସିଲେ ନାହିଁ । ତାଙ୍କୁ ଶୁଣା ଗଲାନାହିଁ । ପୋଲିସ୍ ମୋ’ ଲୁଗା ଧରି ବାଡ଼ି ପଟକୁ ଟାଣି ନେଇଗଲେ ଓ ପାଞ୍ଚଟଙ୍କା ଯାଚିଲେ । ମୁଁ ପଇସା କେତେ ଦେଖିନାହିଁ । ମୋ’ ହାତରେ ଗୁଞ୍ଜି ଦେଲେ । ମୁଁ ପଇସା ଫୋପାଡ଼ି ଦେଇ ଦାଣ୍ଡକୁ ପଳାଇ ଆସିଲି । ଆମ ପଡ଼ିଶାଘରେ କି ଆମ ଘରେ କେହି ନଥିଲେ । ମୁଁ ପାଟି କରି ଡକା ଛାଡ଼ିଲି । ମୋ’ ର ଆତ୍ମୀୟା ପାଣି ଆଣି ଯାଇଥିଲେ । ଜବାବ ଦେଲେ । ଯେଉଁ ପୋଲିସ୍‌ବାଲା ମୋତେ ଗୋଡ଼ାଉଥିଲେ, ଅନ୍ୟ ଲୋକ ତୁଣ୍ଡ ଶୁଣି ମୋତେ ଛାଡ଼ି ଆମ ଘର ଆଡ଼କୁ ଫେରି ଆସିଲେ । ମୋ’ ଘରୁ ମାଦଳଟା କାଢ଼ି ତାଙ୍କ ବଦମାସି କାମକୁ ବାଁରେଇବା ଲାଗି ମାଦଳଟା ବଜାଇଲେ । ମୁଁ ଆତ୍ମୀୟାକୁ ପୋଲିସ୍‌ର ବଦମାସି କଥା କହିଲି, ମାତ୍ର ସେ ଭୟରେ ପୋଲିସ୍‌କୁ କିଛି ପଚାରିଲେ ନାହିଁ । ପୋଲିସ୍ ତାଙ୍କ ନିଜ ତରଫରୁ ନାନାଦି ଧମକଚମକ କଥା କହି ମାଦଳଟି ନେଇ ଚାଲିଗଲେ । ପୋଲିସ୍ ରିଜର୍ଭ୍ ଫୋର୍ସ୍‌ମାନେ ବାଙ୍ଗିଠାରେ ରହୁଛନ୍ତି । ସେହିଠାରେ ମାଦଳ ବଜେଇ ତ୍ରିନାଥପୂଜା କରିବେ ବୋଲି କହିଲେ । ପରେ ଆଉଦିନେ ରାତ୍ରିରେ ଆମେ ଶୋଇଲା ବେଳକୁ ୬ ଜଣ ପୋଲିସ୍ ଆମ ଘରଠାକୁ ୬ଟା ବନ୍ଧୁକ ଧରି ଆସି ମାଦଳ ଫେରେଇ ଦେଇଗଲେ । ଆମେ ତାଙ୍କ ପୋଷାକ ଓ ବନ୍ଧୁକ ଦେଖି ଡରିଗଲୁ । କିଛି କହିଲୁ ନାହିଁ । ମୋ’ ବାପା ମୋ’ ଠାରୁ ଏ ଖବର ଶୁଣି ରାମନାଗୁଡ଼ା ପୋଲିସ୍ ହାକିମକୁ ନେଇ ଆସିଥିଲେ । ସେ ପୋଲିସ୍ ସାଧା ପୋଷାକରେ ଆସିଥିଲା । ମୁଁ ତାଙ୍କୁ ଏହି ବିବୃତ୍ତି ଶୁଣାଇଥିଲି । ମୋ’ ଉପରେ ୧୪.୪.୭୦ ରେ ଜୁଲୁମ ହୋଇଥିଲା ।

 

ସାକ୍ଷୀ–ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ, ୨୪ । ୪ । ୭୦ ସ୍ଵାକ୍ଷର :-

ସାକ୍ଷୀ–ଶ୍ରୀ ବିଶ୍ଵନାଥ ପଟ୍ଟନାୟକ, ୨୪.୪.୭୦ ଅର୍‌କା ନାରାୟଣା

ସାକ୍ଷୀ–ଆରକା ବିଶ୍ଵନାଥ, ୨୪.୪.୦୭ ତା ୨୪.୪.୭୦

 

ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ ଓ ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଭୂଦାନକର୍ମୀ ଦ୍ୱୟ ଥାଇ ଉପରୋକ୍ତ ବିବରଣୀଟି ଶୁଣି, ଲେଖି, ପଢ଼ି ସ୍ଵାକ୍ଷରକାରିଣୀଙ୍କୁ ଶୁଣାଇଦେଲି ।

 

ଶ୍ରୀ ବିରଜା ପ୍ରସାଦ ରାୟ, ଏମ୍.ଏଲ୍.ଏ.

୨୪.୪.୭୦

 

ଗୋଟା ଗ୍ରାମ, ଥାନା ଗୁଣୁପୁର, ଜିଲ୍ଲା–କୋରାପୁଟର ଗ୍ରାମବାସୀମାନେ ତାଙ୍କ ବିବରଣୀ କନ୍ଧ ଓ ତେଲେଗୁ ଭାଷାରେ କହିଲେ । ଶ୍ରୀ ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ. ତାହା ଓଡ଼ିଆରେ ତର୍ଜୁମା କଲେ । ବିବୃତ୍ତିଦାତା ଟୋଇକା ଦୁନ୍ଦୁ, ପିତା ଟୋଇକା ଚକ୍ରପାଣି :-

 

ମୁଁ ରାତ୍ରରେ ଗ୍ରାମ ଜଗୁଆଳି ଥାଇ ଚା’ କରି ଖାଉଥିଲି, ସୁଲୁଡ଼ି କ୍ୟାମ୍ପ୍‌ରୁ ପୋଲିସ୍ ଫୋର୍ସ୍ ଆସି ମୋତେ କହିଲେ, ତୁମେ ଗ୍ରାମ ନ ଜଗି କାହିଁକି ଚା’ କରି ଖାଉଛ । ଏହା କହି ଦୁଇ ପାହାର ପିଟିଲେ । ତା’ପରେ ପୋଲିସ୍ ଶୋଇଲେ, ଆମେ ତାଙ୍କୁ ଘେରି ଜଗିଲୁ । ସକାଳୁ ଉଠି ରାତ୍ର ଜଗୁଆଳ ଆମ ଆଠ ଜଣଙ୍କୁ କୋରାପୁଟ ଚାଲ ବୋଲି କହିଲେ । ୪ ଜଣ ପୋଲିସବାଲା ଥିଲେ । ଆମ ଗ୍ରାମବାଲା ତାଙ୍କୁ ଗୋଟିଏ କୁକୁଡ଼ା ଦେବାରୁ ଚାଲିଗଲେ । ଏହିପରି ପୋଲିସ୍ ଆମ ଗ୍ରାମକୁ ଯିବା ଆସିବା କରୁଥିଲେ । ୩/୪ ମାସ ତଳେ ମୋତେ, ଦୁନ୍ନା ରାମଣା, କଣ୍ଡ ଗୋଁରାଲା ଚାନ୍ନା ଓ ଆଉ ଜଣକୁ ସୁଲୁଡ଼ି ପୋଲିସ୍ କ୍ୟାମ୍ପ୍‌କୁ ନେଇଗଲେ ଓ କହିଲେ ଯେ ତୁମେ ଲିଡ଼ର୍ ହୋଇଗଲଣି, ଆମ କଥା ଏମ୍.ଏଲ୍.ଏ. ଓ ଗୋବର୍ଦ୍ଧନ ଗମାଙ୍ଗକୁ କହୁଛ । ଏହା କହି ଭୟଙ୍କର ମାଡ଼ ଦେଲେ । ପୁଣି କିଛିଦିନ ପରେ ରାତ୍ରରେ ଆମ ଗ୍ରାମରେ ରିଜର୍ଭ ପୋଲିସ୍ ପହଞ୍ଚି ଆମ ଚାରିଜଣଙ୍କୁ ସୁଲୁଡ଼ି ରିଜର୍ଭ୍ କ୍ୟାମ୍ପ୍‌କୁ ଡାକିଲେ । ଆମେ ରାତ୍ରରେ ଯିବୁନାହିଁ କହିବାରୁ ଭୟଙ୍କର ପିଟିଲେ । ତେଣୁ ଗ୍ରାମଯାକ ସୁଲୁଡ଼ି ବାହାରିଲୁ । ତହୁଁ କହିଲେ କାଲି ସକାଳେ ଯିବ ଆଜି ଥାଉ । ଏହା କହି ଚାଲିଗଲେ । ରାତ୍ର ପାହାନ୍ତା ଦଶଜଣ ଫୋର୍ସ୍ ଆମକୁ ଘେରାଉ କଲେ ଓ ସବୁ ପୁରୁଷଙ୍କୁ କାଟ୍‍କି କ୍ୟାମ୍ପ୍‌କୁ ନେଇଗଲେ । ଆମ ଘରୁ ସମସ୍ତ ଟାଙ୍ଗିଆ ନେଇଗଲେ, ଲାଠି ଆଦି ନେଇଗଲେ । ସେଠା କ୍ୟାମ୍ପ୍‌ରେ ଆମ ଗୋଡ଼ ଦୁଇଜଣ ଲେଖାଁ ଧରି ଆଉ ଜଣେ ଲେଖାଁ ମୁଣ୍ଡକୁ ଧରି ପାଣି ବାଲିଟିରେ ମାଡ଼ି ପୂରାଇ ଦେଉଥାନ୍ତି ଓ ଛଟପଟ ହୋଇ ପାଣି ପିଇଗଲେ ପଦାରେ ଶୁଆଇ ଦେଇ ଜୋତା ପିନ୍ଧି ଆମ ଉପରେ ଚଢ଼ି ଚକଟି ଦେଇ ପିଟି ପକାଉଥାନ୍ତି ଓ କହୁଥାନ୍ତି ତୁମେ ମରିଗଲେ ପର୍ବତକୁ ନେଇ କାଠ ଜାଳି ପୋଡ଼ି ଦେବୁ । କେହି କିଛି ଜାଣି ପାରିବେ ନାହିଁ । ଏ ମାଡ଼ରେ ଆମେ ଅସ୍ତବ୍ୟସ୍ତ ହୋଇ ଗାଆଁରୁ ଟଙ୍କା ନେଇ ଦବୁ ବୋଲି ଛାଡ଼ିଦେଲେ । ପ୍ରଥମେ ୫୦ ଟଙ୍କା ତୋୟେକ ରାମଣା ନେଇ ଦେଇ ଆସିଲା । ଆହୁରି ୨୦୦ ଟଙ୍କା ଦବା ଜବାବ ଥିଲା । ଗୋବର୍ଦ୍ଧନ ଗମାଙ୍ଗ ଶୁଣା ପାଇ ଆମ ଗ୍ରାମରେ ଆସି ମନା କଲାରୁ ଆଉ ଟଙ୍କା ଦେଲୁନାହିଁ । ସୁଲୁଡ଼ି କ୍ୟାମ୍ପ୍ ଥିବାଯାଏ ସେଠାରେ କାଠ ବେଠି ଦେଉଥିଲୁ ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ, ବିବୃତ୍ତିଦାତାଙ୍କର ସ୍ଵାକ୍ଷର-

ଏମ୍.ଏଲ୍.ଏ. ତୋୟକ ଦୁନ୍ଦୁ

ସାକ୍ଷୀ–ଶ୍ରୀ ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ. ଦୁନ୍ନା ରାମଣା

ସାକ୍ଷୀ–ଶ୍ରୀ ବିଶ୍ଵନାଥ ପଟ୍ଟନାୟକ କଣ୍ଡଗରାଲା ଚାନ୍ନା

ସାକ୍ଷୀ–ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ ତୋୟକ ରାମାନ୍ନା

ତା ୨୪ । ୪ । ୭୦ ତା ୨୪ । ୪ । ୭୦

 

ଶ୍ରୀ ମଙ୍ଗାଇ ଶୌରା, ଗ୍ରାମ ଡୁମୁରିଗୁଡ଼ା, ଥାନା–ଗୁଣୁପୁର, ଜି. କୋରାପୁଟ ନିମ୍ନ ବିବୃତ୍ତି ଦେଲେ :–

 

ତା ୨୪ । ୪ । ୭୦ ରିଖ ରାତ୍ରରେ ମୁଁ ଗାଈଗୋରୁ ଥାଇ ମୋ’ର କୁଡ଼ିୟାଘରେ କାକୁଡ଼ିକ୍ଷେତ ଜଗି ଶୋଇଥିଲି । ରାତ୍ର ଖାଇବାବେଳେ (ସନ୍ଧ୍ୟା ୮ ଘଟିକା ଅନ୍ଦାଜ) ମୋତେ ଚାରିଜଣ ପୋଲିସ୍ ଲୋକ ମୁଁ ଗଡ଼ୁଥିବା ବେଳେ ଡାକିଲେ । ମୁଁ ଉଠିଲି । ମୋତେ “କୁକୁଡ଼ା ଦେ ରେ” କହିଲେ । ମୁଁ ‘କୁକୁଡ଼ା ନାହିଁ’ କହିଲି । କୁକୁଡ଼ା ଘରକୁ ଟର୍ଚ୍ଚ ପକାଇଲେ । ଦେଖିଲେ ଛୋଟ ଛୋଟ କୁକୁଡ଼ା ଛୁଆ ଅଛନ୍ତି । ମୁଁ କହିଲି ତୁମେ ବାଟେ ବାଟେ ଚାଲିଯାଅ । ସେ କହିଲେ ଆମେ କାକୁଡ଼ି କ୍ଷେତ ବାଟେ ଯିବୁ । ମୋ’ କିଆରିରେ ପଶି ଟର୍ଚ୍ଚ୍ ମାରି କାକୁଡ଼ି ଲତା ଟେକୁଥିଲେ । ସେମାନେ ପୋଲିସ୍ ପୋଷାକରେ ଥିଲେ । ମୁଁ ତାଙ୍କ ପଛେ ପଛେ ଆସି ପଚାରିଲି ଯେ ଦିନରେ ଆସି ମାଗିଥିଲେ କାକୁଡ଼ି ଦେଇଥାଆନ୍ତି । ରାତ୍ରରେ କାହିଁକି କ୍ଷେତରେ ପଶିଛ ? ସେ କହିଲେ ଆମେ ପଶିବୁ । କାହାକୁ ଡାକିବୁ କଅଣ କରିବୁ କର । ସେଠୁ ମୁଁ ଗାଁ’ ଲୋକଙ୍କୁ ଡାକି କହିଲି ଯେ ରିଜର୍ଭ (ପୋଲିସ) ମାନେ ମୋ’ କାକୁଡ଼ି ବାଡ଼ିରେ ପଶି କାକୁଡ଼ି ନେଇ ଯାଉଛନ୍ତି । ତାଙ୍କ ଟର୍ଚ୍ଚ ଦେଖି ବଳଦ ହୁରୁଡ଼ୁଛନ୍ତି । ତୁମେ ଆସ । ଗାଁଲୋକ ଆସିଲେ । ସେମାନେ ପୋଲିସ୍‌କୁ ପଚାରିଲେ ଯେ ତୁମେ କାହିଁକି କାକୁଡ଼ି କ୍ଷେତରେ ପଶିଲ । ପୋଲିସ୍ କହିଲେ ଆମେ କାକୁଡ଼ି ତୋଳିନାହୁଁ । ତାଙ୍କ ହାତରେ ବନ୍ଧୁକ ଥିଲା । ସେମାନେ ଚାଲିଗଲେ । ଆଜି ସଖାଳେ ସରପଞ୍ଚ ବଚା ଗମାଙ୍ଗ ଦ୍ଵାରା ଆମ ଗାଆଁ ସମସ୍ତଙ୍କୁ ଓ ମଡ଼ିଙ୍ଗ୍ ଗ୍ରାମରେ ଥିବା ପୋଲିସ୍ କ୍ୟାମ୍ପ୍‌କୁ ଡକାଇଲେ । ଆମ ଗାଁ’ରେ ଅଳ୍ପ ଲୋକମାନେ କାମକୁ ଯାଇଥିଲେ । ଆମେ ତେରଜଣ ଲୋକ କ୍ୟାମ୍ପ୍‌କୁ ଗଲୁ । ପୋଲିସ୍ ଲୋକ ଆମ ୧୩ ଜଣକ ନାଆଁ ଲେଖିଲେ । ଆମକୁ ଗୁଣୁପୁର ଚାଲ ବୋଲି କହିଲେ (ଦୂରତା ପ୍ରାୟ ୧୦ ମାଇଲ) । ମୁଁ କହିଲି ମୋ’ ଗୋଡ଼ରେ ବାତ । ମୁଁ ବୁଢ଼ା ଲୋକ ଚାଲି ପାରିବିନାହିଁ, କହିଲି । ସରପଞ୍ଚ ବୋଚା ଗମାଙ୍ଗ କହିଲା, “ମୁଁ ପରେ ତାକୁ ଗୁଣୁପୁର ନେଇଯିବି ।” ଏହା କହି ଆମକୁ ଖାଇବାଲାଗି ଘରକୁ ଛାଡ଼ିଲା ।

 

ଶୌରା ଭାଷାରେ ମଙ୍ଗାଇ ଶୌରାର ଏହି ବିବୃତ୍ତି ଶ୍ରୀ ଭାଗିରଥି ଗମାଙ୍ଗ ଏମ୍.ଏଲ୍.ଏ. ଥାଇ ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ ଓଡ଼ିଆରେ ଅନୁବାଦ କଲେ ଓ ମୁଁ ବିରଜାପ୍ରସାଦ ରାୟ ଲେଖିଲି ଏବଂ ମଙ୍ଗାଇ ଶୌରାକୁ ପଢ଼ି ଶୁଣାଇଲି ।

 

ଟିପ ଚିହ୍ନ–ମଙ୍ଗାଇ ଶୌରା, ୨୩.୪.୭୦

ବିରଜାପ୍ରସାଦ ରାୟ ଏମ୍.ଏଲ୍.ଏ., ୨୩.୪.୭୦

ସାକ୍ଷୀ–ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ, ୨୩.୪.୭୦

ସାକ୍ଷୀ–ଗୋବର୍ଦ୍ଧନ ଗମାଙ୍ଗ, ୨୩.୪.୭୦

ସାକ୍ଷୀ–ବିଶ୍ଵନାଥ ପଟ୍ଟନାୟକ, ୨୩.୪.୭୦

 

ଶ୍ରୀ କାଡେଇ ଗମାଙ୍ଗ, ଗ୍ରାମ–କୁସୁମଗୁଡ଼ା, ଥାନା–ଗୁଣୁପୁର, ଜିଲ୍ଲା–କୋରାପୁଟଙ୍କ ବିବୃତ୍ତି :–

 

ପୋଲିସ୍ ରିଜର୍ଭ ଫୋର୍ସ ସିଦ୍ଧଗୋଡ଼ାରେ ରହୁଥିଲେ । ୪ ମାସ ତଳେ ସେମାନେ ମୋତେ କହିଲେ ଯେ ତୁ ଘରେ ଶୁଅନାହିଁ । କମୁନିଷ୍ଟ ତୋ’ ଘର ଲୁଟିନେବେ । ତୋ’ର ତଣ୍ଟି କାଟିଦେବେ । ତୁ ବଞ୍ଚିଥିଲେ ଧନ ଆସିବ । ଏପର ମୋ’ ଠାରୁ ବରାବର ଚାଉଳ, ହରଡ଼ଡ଼ାଲି, କିରାସିନି ତେଲ ନେଲେ । ମୋ’ ଘରୁ କୁକୁଡ଼ାଯାକ ନେଲେ । ମୋ’ ପୁତୁରା ବିଶିଂ ଗମାଙ୍ଗକୁ ପିଟିଥିଲେ ଓ ତା’ର ସ୍ତ୍ରୀକୁ ଟାଣିଥିଲେ । ମୁଁ ସେକଥା ତାଙ୍କ ଉପର ହାକିମକୁ ପ୍ରାୟ ମାସେ ତଳେ ଇନ୍‌କୁଆରିକୁ ଆସିବାବେଳେ କହିଥିଲି । ତହିଁ ପରଦିନ ପାହାନ୍ତାରୁ ଗରଣ୍ଡାରୁ ଆସି ପୋଲିସ୍‌ବାଲା ମୋତେ ଧମକାଇଲେ ଯେ ତୋତେ ମାରି ଝୋଲାରେ ଫିଙ୍ଗିଦେବୁ । ତୁମ ଗାଁ’ ରେ ତ ବେଶୀ ଲୋକ ନାହାନ୍ତି । ସମସ୍ତଙ୍କୁ ମାରିଦେଲେ କିଏ କଅଣ କରିବ ? ଏ ଛଡ଼ା ମୋତେ କେତେ ଲୋକଙ୍କୁ ଶିଖାଇ ମିଥ୍ୟା ମଦ ରନ୍ଧା ମୋକଦ୍ଦମାରେ ପକାଇବା ଚେଷ୍ଟା ପୋଲିସ୍ ବାବୁମାନେ କରୁଥିବା ମୁଁ ଶୁଣୁଛି ।

 

ଏହା ପଢ଼ି ଶ୍ରୀ ଭାଗିରଥି ଗମାଙ୍ଗ ଏମ୍.ଏଲ୍.ଏ., ଶ୍ରୀ ଗୋବର୍ଦ୍ଧନ ଗମାଙ୍ଗ ଓ ଶ୍ରୀ ବିଶ୍ଵନାଥ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ କାଡେଇ ଗମାଙ୍ଗକୁ ଶୁଣେଇ ଦେଲି ।

 

କାଡେଇ ଗମାଙ୍ଗର ଟିପଚିହ୍ନ

ସହି–ବିରଜାପ୍ରସାଦ ରାୟ, ଏମ୍.ଏଲ୍.ଏ.

ସାକ୍ଷୀ–ଭାଗିରଥି ଗମାଙ୍ଗ, ଏମ୍.ଏଲ୍.ଏ., ୨୩.୪.୭୦

ସାକ୍ଷୀ–ବିରଜାପ୍ରସାଦ ରାୟ, ଏମ୍.ଏଲ୍.ଏ., ୨୩.୪.୭୦

ସାକ୍ଷୀ–ଗୋବର୍ଦ୍ଧନ ଗମାଙ୍ଗ, ୨୩.୪.୭୦

ସାକ୍ଷୀ–ବିଶ୍ଵନାଥ ପଟ୍ଟନାୟକ, ୨୩.୪.୭୦

 

ପୋଡ଼ା ଯାଇଥିବା କାଙ୍ଗଡ଼ା ଗ୍ରାମ, ଥାନା–ଲହୁଣୀଗଡ଼, ଜିଲ୍ଲା–ଗଞ୍ଜାମର ରତନି ଶୌରା, ଭୁତୁଡ଼ୁର ବଡ଼ ସ୍ତ୍ରୀ କହିଲା ଯେ :–ତା’ ର ସୁନାଯାକ ପୋଲିସ୍ ନେଇଗଲେ । ତା’ର ବିହାନ ମୁଁଜି ଯାକ ପୋଲିସ୍ ଲୁଟି ନେଇଛନ୍ତି । ତା’ର ସଉତୁଣୀ ସୁନାଯାକ ବି ପୋଲିସ୍ ନେଇ ଯାଇଛନ୍ତି । ମୋଟ ସୁନା ୩ ତୋଳା ହେବ । ସେ କହେ ଯେ ତା’ର ସମସ୍ତ ଛୁଆଙ୍କୁ ୨ ଦିନ ଧରି ପୋଲିସ୍ ତା’ର ବୋହୂ, ସାନ ସଉତୁଣୀ ଓ ତା’ ନିଜ ସହ କିନ୍‍ଲିଙ୍ଗରେ ଉପାସ ରଖିଲେ । ପିଲା ଭୋକରେ କାନ୍ଦିଲାରୁ କଞ୍ଚା ପାଣି ପିଇବାକୁ ଦେଲେ । ତାକୁ ଓ ତା’ ର ସଉତୁଣୀକୁ କେରାଣ୍ଡି ଗ୍ରାମରେ ବାଡ଼ି ଓ ଜୋତାରେ ଖୁବ୍ ପିଟିଲେ । ଘର ପୋଡ଼ିବା ଲୋକ ଗୋର୍ଖା ଲୋକ ଥିଲେ । ସେମାନେ ପୋଲିସ୍ ଘେରରେ ଖିଚ୍‌ଲିଙ୍ଗ୍‌ରେ ଥିବାବେଳେ ଘର ପୋଡ଼ା ହେଲା । ଶସ୍ୟ ଜିନିଷଯାକ ପେଡ଼ାରେ ପୂରାଇ ଜଙ୍ଗଲରେ ଲୁଚାଇ ରଖିଥିଲା । ଖିଚ୍‌ଲିଙ୍ଗ୍‌ରୁ ଛାଡ଼ ପାଇ ଜଙ୍ଗଲରେ ଲୁଚି କରି ଦେଖୁଥିବା ସମୟରେ ଜିନିଷଯାକ ପୋଲିସ୍ ଲୁଟି କରିଥିବା କଥା ଓ ଡେମାର ସ୍ତ୍ରୀ ଓ ପିଲାମାନେ ଆନ୍ଧ୍ରର ଜେନାସାହୀରେ ଅଛନ୍ତି ବୋଲି କହିଲା ।

 

ଲେଖକ–ଶ୍ରୀ ବିରଜା ପ୍ରସାଦ ରାୟ,

ବିବୃତ୍ତିଦାତ୍ରୀ

ଏମ୍.ଏଲ୍.ଏ.

ରତନୀ ଶବରୀ, ୨୬ । ୪ । ୭୦

୨୬ । ୪ । ୭୦

 

 

ସାକ୍ଷୀ–ଶ୍ରୀ ବାମନ ଭୂୟାଁ,

 

ନାଏବ ସରପଞ୍ଚ, କେରାଣ୍ଡି ଗ୍ରାମ, ଗଙ୍ଗାବାଡ଼ ଗ୍ରା. ପ.

ସାକ୍ଷୀ–ଶ୍ରୀ ଜଗନ୍ନାଥ କାର୍ଯୀ, ସଭ୍ୟ ଗଙ୍ଗାବାଡ଼ ଗ୍ରା.ପ., ଗ୍ରାମ–ବଡ଼ଅତରସିଂ

ସାକ୍ଷୀ–ଶ୍ରୀ ଲକ୍ଷ୍ମଣା ପାତ୍ର, ଗ୍ରାମ ଗୁରାଣ୍ଡି

ସାକ୍ଷୀ–ଶ୍ରୀ ବିଶ୍ଵନାଥ ପଟ୍ଟନାୟକ, ୨୬ । ୪ । ୭୦

 

[ଅଧିକ ବ୍ୟାଖ୍ୟାର କୌଣସି ପ୍ରୟୋଜନ ନାହିଁ । ସେତେବେଳକୁ ଭୂ–ସତ୍ୟାଗ୍ରହୀ ସମାଜର ବସ୍ତାନି ପ୍ରାୟ ୨୦ ବର୍ଷ ହେଲା ବନ୍ଧା ହୋଇ ସାରିଥିଲା । ଏବଂ, ଠିକ୍ କୋଡ଼ିଏ ବର୍ଷ ହେଲା ନୂଆ ସମ୍ବିଧାନ ଅନୁସାରେ ଭାରତବାସୀ ମାତ୍ରେ ସମସ୍ତେ ଏ ଦେଶର ନାଗରିକ ବୋଲି ଘୋଷିତ ହୋଇ ସାରିଥିଲେ ।]

Image